ଓଡିଶା ଓ ବାଜପେୟୀ
– ଶତବାର୍ଷିକରେ ଶ୍ରଦ୍ଧାଞ୍ଜଳି
- *****************
- ଗୁରୁକଲ୍ୟାଣ ମହାପାତ୍ର
- ****************
ମୁଁ ଦୈନିକ ‘ପ୍ରଜାତନ୍ତ ‘ ରେ କଟକ ଦାୟିତ୍ୱରେ ଥାଏଁ। ଶ୍ରୀ ଭର୍ତ୍ତୃହରି ମହତାବ ସମ୍ପାଦକ ଥିଲେ। ସମ୍ବାଦପତ୍ରର ପ୍ରଭାତୀ ସଂସ୍କରଣ ନଥାଏ।ତଡିତ ଗଣମାଧ୍ୟମର ସମାଚାରର ଏତେ ବଳିଷ୍ଠ ଭୂମିକା ବି ନଥିଲା। ଓଡ଼ିଆ ସମ୍ବାଦପତ୍ର ଗୁଡିକ ମଧ୍ୟରେ ସମାଜ ଓ ପ୍ରଜାତନ୍ତ୍ରର ଭୂମିକା ବେଶ ଗୁରୁତ୍ୱପୂର୍ଣ ଥିଲା।ସାମାଜିକ ଗଣମାଧ୍ୟମ ପ୍ରବେଶ କରିନଥାଏ ଆଜି ଭଳି।
କେତେ ବର୍ଷ ତଳର କଥା।ବାଲିଯାତ୍ରା ପଡିଆରେ କଟକଠାରେ ଆମେସବୁ ଅପେକ୍ଷା କରିଥାଉଁ ତତ୍କାଳୀନ ବିଜେପି ନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶୁଣିବାକୁ। ସେଠାର ସେ ବିଳମ୍ବରେ ଆସିଲେ। ଆସୁ ଆସୁ ସଭାସ୍ଥଳରେ କ୍ଷମା ମାଗିନେଲେ। କିଛି ସମୟ ରହିଯାଇ ସେ ପଚାରିଲେ ଆମ ସମସ୍ତଙ୍କୁ -ବିଳମ୍ବର କାରଣ କାହିଁକି ବୋଲି ଯେ କେହି ପଚାରିଲେ ନାହିଁ? ତାଙ୍କର ଭାଷଣ ଦେବାର ଶୈଳୀ ଏପରି କଥା କହିବା ଢଙ୍ଗରେ। ସେ ନିଜେ ଟିକେ ରହିଯାଇ ଉତ୍ତର ରଖିଲେ, ମୋତେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ବା ଷ୍ଟେଟ ଗେଷ୍ଟ ହାଉସରେ ରହିବାକୁ ଜାଗା ଦେଲେନି କଂଗ୍ରେସ ସରକାର।
କାରଣ କଣ?
ଆଉଜଣେ ସାଂସଦଙ୍କୁ ସେଠାରେ ରହିବାକୁ ଅନୁମତି ମିଳିଲା, ଅଥଚ ମୋତେ ମିଳିଲା ନାହିଁ ଜଣେ ସାଂସଦ ଭାବେ। କାରଣ କଣ ବୋଲି ସେ ଅଗଣିତ ଦର୍ଶକ ଓ ଶ୍ରୋତାଙ୍କୁ ପଚାରିଲେ ଆଉ ନିଜେ କହି ପକାଇଲେ,’ସେ ସାଂସଦ ଜଣକ ପ୍ରଧାନମନ୍ତ୍ରୀଙ୍କ ଗର୍ଭରୁ ଜନ୍ମ ହୋଇଥିଲେ, କିନ୍ତୁ ସେପରି ମୁଁ ଜନ୍ମ ହୋଇ ନଥିଲି। (ତତ୍କାଳୀନ କଂଗ୍ରେସ ସାଂସଦ ରାଜୀବ ଗାନ୍ଧୀଙ୍କୁ ଲକ୍ଷ୍ୟରେ ରଖି )ଜନତା ହସି ଉଠି ଖୁବ ଜୋରରେ ତାଳି ମାରିଲେ, ବାଜପେୟୀଜୀ କିନ୍ତୁ ଆଦୌ ହସିଲେ ନାହିଁ। ସେ ପୁଣି ପ୍ରସଙ୍ଗ ବଦଳାଇ ଭାଷଣ ଦେଲେ।
ଆଉ ଗୋଟିଏ ଘଟଣା। ସେଦିନ ବିଜୁ ବାବୁଙ୍କ ନାମରେ ନାମିତ ନୂତନ ଭୁବନେଶ୍ୱର ବିମାନ ବନ୍ଦରଟିର ଉଦଘାଟନ ପାଇଁ ତତକାଳୀନ ପ୍ରଧାନମନ୍ତ୍ରୀ ଶ୍ରୀ ବାଜପେୟୀ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଂଚିବାପରେ ମଂଚାସୀନ ହେଲେ। ତାଙ୍କ ନିକଟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟନାୟକ ଓ ଭୁବନେଶ୍ୱର ବିଜେପି ବିଧାୟକ ବିଶ୍ୱଭୂଷଣ ହରିଚନ୍ଦନ ଥିଲେ।ଜଣେ ସାମ୍ବାଦିକ ଭାବେ ଏ ଲେଖକ ମଧ୍ୟ ମଞ୍ଚତଳେ ଉପସ୍ଥିତ ଥିଲେ ।
ମୁଖ୍ୟମନ୍ତ୍ରୀ ଜାନକୀବାବୁ ଭଦ୍ରାମି ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ବିଶ୍ୱଭୂଷଣଙ୍କ ସହ ପରିଚୟ କରାଇଦେଲେ। ମାତ୍ର ବାଜପେୟୀଜୀ ଟିକେ ହସିଦେଇ କହିଲେ, ‘ତାଙ୍କୁ ପରିଚୟ କରିବାର ଆବଶ୍ୟକତା ନାହିଁ। ସେ ମୋର ଅତି ଘନିଷ୍ଠ ଓ ଅନେକ ଦିନରୁ ପରିଚିତ।’
ବାଜପେୟୀ ଜଣେ ହିନ୍ଦୀ ଭାଷାର ଭଲ କବି ଥିଲେ। ଥରେ ମୋର ପିତୃବ୍ୟ, ବିଶିଷ୍ଟ ସାହିତ୍ୟିକ, ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ମନ୍ତ୍ରୀ ନିତ୍ୟାନନ୍ଦ ମହାପାତ୍ର (ଏବେ ସ୍ଵର୍ଗରେ )ଙ୍କ ଖାରବେଳ ନଗର ସ୍ଥିତ ବାସ ଭବନରେ ମୁଁ ରହୁଥିଲା ବେଳେ ଏବର ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ ଓ ଆଉ କେତେଜଣ ବିଜେପି ଓ ବିଦ୍ୟାର୍ଥୀ ପରିଷଦର ସଦସ୍ୟଙ୍କ ସହ ସେଠାରେ ପହଁଚିଲେ। ସମ୍ୱଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରଚଳିତ ବିଶିଷ୍ଟ ଓଡ଼ିଆ କବି ଗଙ୍ଗାଧର ମେହେରଙ୍କ ନାମରେ ଏକ ଜାତୀୟ ସ୍ତରର ପୁରସ୍କାର ପ୍ରଚଳିତ ହୋଇଥାଏ। (ଏବେ ସେ ପୁରସ୍କାର ଦିଆ ଯାଉଛି କି ନାହିଁ ଏ ଲେଖକର ଧାରଣା ଅବଶ୍ୟ ନାହିଁ। ସେତେବେଳେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପ୍ରତି ମାସ ପ୍ରକାଶ ପାଉଥିବା ‘ସପ୍ତର୍ଷି ‘ପତ୍ରିକାରେ ମୋ କବିତା ପ୍ରକାଶ ପାଉଥିଲା। ଏବେ ପ୍ରକାଶ ପାଉଛିକି ନାହିଁ ଜାଣେ ନାହିଁ।)ପିତୃବ୍ୟ ନିତ୍ୟାନନ୍ଦ ସେହି ପୁରସ୍କାର ଚୟନ କମିଟିର ଜଣେ ବିଚାରକ ଥିଲେ। ସେ ବାଜପେୟୀଙ୍କ ଲିଖିତ କବିତା ପୁସ୍ତକକୁ ଭଲଭାବେ ସୁପାରିଶ କରିଦେଲେ ମନମୋହନଙ୍କ ଅନୁରୋଧରେ। ପିତୃବ୍ୟ ସମ୍ଭବତଃ କହିଲେ ଜଣେ ରାଜନେତା ଭାବେ ବାଜପେୟୀ ଆଦୃତ ହେଲେ ହେଁ ତାଙ୍କ କବିତା ସବୁ କାଳଜୟୀ। ଏହା ପରେ ବାଜପେୟୀଜି ମର୍ଯ୍ୟାଦାଜନକ ‘ଗଙ୍ଗାଧର ମେହେର ପୁରସ୍କାର ଲାଭ କରିଥିଲେ। ଆମେ ସବୁ ଖୁସି ହୋଇଥିଲୁ ସେଥିଯୋଗୁଁ।
(ଶ୍ରୀ ମହାପାତ୍ର ଜଣେ ବିଶିଷ୍ଟ ଓଡ଼ିଆ କବି, ପ୍ରାବନ୍ଧିକ, ସାମ୍ବାଦିକ ଓ ‘ଉତ୍କଳ ପ୍ରସଙ୍ଗ’ର ପୂର୍ବତନ ମୁଖ୍ୟ ସମ୍ପାଦକ। ଫୋନ ନମ୍ବର :୯୪୩୭୦ ୧୨୧୨୩)