ଓଡିଶା ଏକତ୍ରୀକରଣର ଅନ୍ୟତମ ମୁଖ୍ୟ ବିନ୍ଧାଣି ନୀଳମଣି ବିଦ୍ୟାରତ୍ନ
ନୀଳମଣି ବିଦ୍ୟାରତ୍ନ
(ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି )
ଓଡିଶାର ଅନ୍ୟତମ ବରପୁତ୍ର, ଓଡିଶା ଏକତ୍ରୀକରଣର ଅନ୍ୟତମ ମୁଖ୍ୟ ବିନ୍ଧାଣି ନୀଳମଣି ବିଦ୍ୟାରତ୍ନଙ୍କର ଜନ୍ମଦିବସ |
ଓଡ଼ିଆ ସାହିତ୍ୟ, ଭାଷା, ସଂସ୍କୃତିର ସୁରକ୍ଷା ତଥା ସତ୍ୟନିଷ୍ଠ ସାମ୍ବାଦିକତା ପାଇଁ ଯେଉଁ କେତେଜଣ ବରପୁତ୍ରଙ୍କର ଅବଦାନ ଚିର ସ୍ମରଣୀୟ ସେମାନଙ୍କ ମଧ୍ୟରେ ନୀଳମଣି ବିଦ୍ୟାରତ୍ନ ଅନ୍ୟତମ | 1867 ମସିହା ଡ଼ିସେମ୍ବର 14ତାରିଖରେ ଏହି ମହାମାନବ କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ବୈଦେଶ୍ଵର ଗ୍ରାମ ବ୍ରଜ ବିହାରୀ ପୁର ଶାସନରେ ଜନ୍ମ ଗ୍ରହଣ କରିଥିଲେ |ସେ ଗାଁ ସ୍କୁଲରେ ପାଠ ପଢ଼ା ସାରି ଘରୋଇ ଭାବେ ନାନା ଶାସ୍ତ୍ର, ପୁରାଣ, ସାହିତ୍ୟ (ଉଭୟ ଓଡ଼ିଆ ଓ ସଂସ୍କୃତ)ରେ ଗଭୀର ଜ୍ଞାନ ଆହରଣ କରିଥିଲେ |
ନିଜର ନିଷ୍ଠା ଓ ଗଭୀର ଅଧ୍ୟବସାୟ ଦ୍ୱାରା ସେ ଇଂରାଜୀ ଓ ବଙ୍ଗଳା ଭାଷାରେ ମଧ୍ୟ ପାରଦର୍ଶିତା ହାସଲ କରିଥିଲେ | ତତ୍କାଳୀନ ସ୍କୁଲ ଇନିସପେକ୍ଟର ରାଧାନାଥ ରାୟ ତାଙ୍କ ଜ୍ଞାନ ଓ ଶିକ୍ଷା ପ୍ରତି ଆଗ୍ରହ ଦେଖି ତାଙ୍କୁ ବଡ଼ମ୍ବା ଗଡ଼ଜାତର ଗୋପୀନାଥ ପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ନିଯୁକ୍ତି ଦେଲେ |ସେଠାରୁ ସେ ବାମଣ୍ଡା ଯାତ୍ରା କଲେ ଓ ରାଜା ବାସୁଦେବ ସୁଢଳଦେବଙ୍କୁ ସାକ୍ଷାତ କଲେ |
ଗୁଣ ଚିହ୍ନେ ଗୁଣିଆ ନ୍ୟାୟରେ ସୁଢଳଦେବ ନୀଳମଣୀଙ୍କୁ ତାଙ୍କ ରାଜ୍ୟରେ ଶିକ୍ଷକ ନିଯୁକ୍ତ କଲେ ଓ ପରେ 1889ରେ ” ହିତେଇଶିଣୀ ‘ପତ୍ରିକାର ସମ୍ପାଦକ ଦାୟିତ୍ୱ ଅର୍ପଣ କଲେ |ତାଙ୍କ ଜ୍ଞାନ ଓ ବଳିଷ୍ଠ ବ୍ୟକ୍ତିତ୍ବରେ ମୁଗ୍ଧ ହୋଇ ସାର ବାସୁଦେବ ସୁଢଳ ଦେବ ତାଙ୍କୁ ବିଦ୍ୟାରତ୍ନ ଉପାଧି ପ୍ରଦାନ କଲେ |ଏଇଠାରୁ ଆରମ୍ଭ ହେଲା ତାଙ୍କର ସାମ୍ବାଦିକ ଜୀବନ | ସେ ନିଷ୍ଠାପର ଉଦ୍ୟମରେ ଏହି ପତ୍ରିକାକୁ ସାରା ରାଜ୍ୟରେ ଲୋକପ୍ରିୟ କରେଇବାରେ ସକ୍ଷମ ହେଲେ |ଡ଼ଃ ମାୟାଧର ମାନସିଂହ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି, “ହିତୈସିଣୀ ସଂପାଦକ ଭାବରେ ପ୍ରାଥମିକ ଶିକ୍ଷକ ବିଦ୍ୟାରତ୍ନ ଓଡ଼ିଶାର ପତ୍ରିକା ପରିଚାଳନାକୁ ପ୍ରଥମକରି ଗୌରବାନ୍ବିତ, ପ୍ରତିଭାନ୍ବିତ, ଓ ଜାତି ଗଠନର ପ୍ରତ୍ୟକ୍ଷ ମାଧ୍ୟମ କରି ଥୋଇଲେ |ଏହି ପତ୍ରିକାରେ ସେ ନିଶା ସେବନ, ବାଲ୍ୟ ବିବାହ, ଆମିଷ ଭକ୍ଷଣ, ଅଶିକ୍ଷା ଓ କୁସଂସ୍କାର ବିରୁଦ୍ଧରେ ଲେଖା ପ୍ରକାଶ କରୁଥିଲେ | ଆଉ ମଧ୍ୟ ସୁଶିକ୍ଷା ପ୍ରସାର, ବିଧବା ବିବାହ,ଓଡ଼ିଆ ଭାଷା ପ୍ରଚଳନ, ରେଳପଥ ନିର୍ମାଣ ଆଦି ଜନହିତକର କାର୍ଯ୍ୟ ଉପରେ ଲେଖା ପ୍ରକାଶ କରୁଥିଲେ |ଉକ୍ତ ପତ୍ରିକାରେ ଲେଖା ପ୍ରକାଶ କରି ଗଙ୍ଗାଧର ମେହେର , ଚିନ୍ତାମଣି, ଜଳନ୍ଧର ଦେବ, ନନ୍ଦକିଶୋର, ସଚ୍ଚିଦାନନ୍ଦ, ମାୟାଧର ମାନସିଂହ ଆଦି ସାହିତ୍ୟ ଜଗତରେ ପ୍ରତିଷ୍ଠା ଲାଭ କରିଥିଲେ |
ସାମ୍ବାଦିକ ଭାବେ ନୀଳମଣି ନିର୍ଭିକ ଓ ସ୍ପଷ୍ଟ ବାଦୀ ଥିଲେ ଆଉ ଏହି ଗୁଣ ଲାଗି ତାଙ୍କର ସୁଢଳ ଦେବଙ୍କ ସହ ସାମାନ୍ୟ ମତାନ୍ତର ହେଲା ଓ ସେ ବାମଣ୍ଡା ଓ ହିତେଇଶିଣୀ ଉଭୟଙ୍କୁ ପରିତ୍ୟାଗ କରି ଗଞ୍ଜାମର ଖଲ୍ଲିକୋଟ ଚାଲିଗଲେ |
ଖଲ୍ଲିକୋଟର ପ୍ରଜାପ୍ରିୟ ଓ ଦେଶପ୍ରାଣ ରାଜା ହରିହର ମର୍ଦ୍ଦରାଜ ବିଦ୍ୟାରତ୍ନଙ୍କ ପାଣ୍ଡିତ୍ୟ ଓ ସାଙ୍ଗଠନିକ ଶକ୍ତିରେ ମୁଗ୍ଧ ହୋଇ ତାଙ୍କଦ୍ୱାରା ପ୍ରତିଷ୍ଠିତ ରମ୍ଭା ପ୍ରେସ ରୁ ପତ୍ରିକା ପ୍ରକାଶନ ପାଇଁ ଅନୁରୋଧ କଲେ |ନୀଳମଣିଙ୍କ ସମ୍ପାଦନାରେ 1902 ମସିହା ଜୁନ 25ତାରିଖରେ “ସେହି ପ୍ରେସ ରୁ “ପ୍ରଜାବନ୍ଧୁ “ସାପ୍ତାହିକ ସମ୍ବାଦପତ୍ର ଆତ୍ମପ୍ରକାଶ କଲା |ଏଥିରେ ସେ ଓଡ଼ିଆ ବିଛିନ୍ନାଞ୍ଚଳକୁ ଏକତ୍ର କରିବାକୁ ଆହ୍ୱାନ ଦେଲେ |ଗଞ୍ଜାମର ବିଭିନ୍ନ ଗ୍ରାମରେ ପ୍ରଜାବନ୍ଧୁ ସମିତି ଗଠିତ ହେଲା |ପରେ ପରେ ସେ “ଗଞ୍ଜାମ ଗୁଣ ଦର୍ପଣ “ଉତ୍କଳ ମଧୁପ ‘ଓ “ଉତ୍କଳ ଦୀପିକା “ଆଦି ପତ୍ରିକା ସମ୍ପାଦନା କରିଥିଲେ |
ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ନୀଳମଣି ବିଦ୍ୟାରତ୍ନଙ୍କ ସାଙ୍ଗଠନିକ ଶକ୍ତି ଦେଖି ମୁଗ୍ଧ ହୋଇଥିଲେ | ଉତ୍କଳ ମାତାଙ୍କ ଏହି ସୁପୁତ୍ର
ନୀଳମଣି ବିଦ୍ୟାରତ୍ନ 1942ମସିହା ଜୁଲାଇ 26ତାରିଖରେ ଇହଲୀଳା ସମ୍ବରଣ କରିଥିଲେ |
ତାଙ୍କ ଜୟନ୍ତୀରେ ଓଡ଼ିଆ ଜାତୀୟ ସମ୍ମିଳନୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି 🙏🙏
- ଶ୍ରୀକାନ୍ତ ଦାଶ, ସଭାପତି, ଅବି’ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |