ଓଡ଼ିଆ ଭାଷାକୁ ‘ଶାସନର ଭାଷା’ କରିବାକୁ ଚାହିଁଥିଲେ ଋଷିପ୍ରତିମ ନବକୃଷ୍ଣ

0

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଆଜି ଜନ୍ମଦିନ | କୁହାଯାଏ କ୍ଷମତା ମଣିଷକୁ କଳଙ୍କିତ କରେ I ମାତ୍ର ନବକୃଷ୍ଣଙ୍କ ଜୀବନକୁ ଲକ୍ଷ୍ୟ କଲେ ଏହା ପ୍ରମାଣିତ ହୁଏ I ସେ ଥିଲେ ସରଳ, ନିରହଂକାରି ମଣିଷ |

କୃଷି ଓ କୃଷକର ଉନ୍ନତି ପାଇଁ ସେ ଜମିଦାର ପ୍ରଥା ଉଚ୍ଛେଦ କରିଥିଲେ | ତାଙ୍କରି ସମୟର କୀର୍ତ୍ତି ହୀରାକୁଦ ବନ୍ଧ, ଡୁଡୁମା ଜଳ ବିଦ୍ୟୁତ ପ୍ରକଳ୍ପ, ରାଉରକେଲା ଇସ୍ପାତ କାରଖାନା, ରାଜଗାଙ୍ଗପୁର ସିମେଣ୍ଟ କାରଖାନା, କୃଷି ମହାବିଦ୍ୟାଳୟ | ଏସବୁ କୀର୍ତ୍ତି ତାଙ୍କୁ ଜଣେ ପ୍ରଗତିଶିଳ ମୁଖ୍ୟମନ୍ତ୍ରୀର ପରିଚୟ ଦେଇଥିଲା |

ଓଡ଼ିଆ ଭାଷାକୁ ଶାସନର ଭାଷା କରିବାକୁ ସେ ଯେଉଁ ଆଇନ କରିଥିଲେ ତାହା ପରବର୍ତ୍ତୀ ଅବସ୍ଥାରେ ବଦଳେଇ ଦିଆଯାଇଛି ଓ ଏହାର ପୁନଃ କାର୍ଯ୍ୟକାରୀତା ପାଇଁ ଆନ୍ଦୋଳନ ଚାଲିଛି | ଓଡ଼ିଆ ଭାଷା ପାଇଁ ଆମେ ଓଡ଼ିଆ ଓ ଏହି ଭାଷା ଭିତ୍ତିରେ ଏ ପ୍ରଦେଶ ଆତ୍ମ ପ୍ରକାଶ କରିଥିଲା 1936ମସିହା ଏପ୍ରିଲ 1ତାରିଖରେ | ମନୀଷୀ ନବକୃଷ୍ଣ ଏହା ଅନୁଭବ କରିଥିଲେ ଯେ ଜଣେ ବ୍ୟକ୍ତିର ପ୍ରକୃତ ପରିଚୟ ତାର ମାତୃଭାଷା |

ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ(12ମେ 1950–19 ଅକଟୋବର 1956)ସେ ଭାଷା ଆଇନ ପ୍ରଣୟନ କରିଥିଲେ | ଏହି ଆଇନ ଆଣିବାରେ ସେ ଅନେକଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ |ସେତେବେଳେ ବାଚସ୍ପତି ଥିବା ଲାଲମୋହନ ପଟ୍ଟନାୟକ ଇଂରାଜୀ ଭାଷା ପ୍ରଚଳନ ସପକ୍ଷରେ ଥିଲେ ହେଁ ନବକୃଷ୍ଣଙ୍କ ବଳିଷ୍ଠ ଯୁକ୍ତିରେ ସେ ଆଗଜୁ ବଢ଼ି ପାରିନଥିଲେ |ଶେଷରେ ଓଡ଼ିଆ ଭାଷା ଆଇନ (official language Act 1954)ବିଧାନ ସଭାରେ ପାରିତ ହେଲା |

ଲାଲ ମୋହନ ପଟ୍ଟନାୟକଙ୍କ ପରି କେତେକ ଓଡ଼ିଆ ଭାଷା ବିରୋଧୀଙ୍କ ଚକ୍ରାନ୍ତରୁ ଏ ଆଇନ ଆଇନରେ ରହିଗଲା |ପରବର୍ତ୍ତୀ ଅବସ୍ଥାରେ ଏହାକୁ କାର୍ଯ୍ୟକାରି କରା ନ ଯାଇ ଇଂରାଜୀ ଭାଷାକୁ ପ୍ରାଧାନ୍ୟ ଦିଆଗଲା ଓ ଆଜିଯାଏଁ ଏହା ଚାଲିଛି | ଓଡ଼ିଆ ଭାଷା ରାଜ ଭାଷା ନ ହେଲେ, ପ୍ରଶାସନର ଭାଷା ନ ହେଲେ ପାଲି, ସଂସ୍କୃତ ପରି ଅଚିରେ ମୃତ ଭାଷାରେ ପରିଣତ ହେବ |

ଅତ୍ୟନ୍ତ ବିଡମ୍ବନାର ବିଷୟ ଏହି ଯେ ଯେଉଁ ଓଡିଶା ରାଜ୍ୟ ପ୍ରଥମେ ଭାଷା ଭିତ୍ତିରେ ଗଢ଼ା ହୋଇଥିଲା, ସେ ରାଜ୍ୟ ଆଜି ତାର ଭାଷାକୁ ବଞ୍ଚେଇବାକୁ ସଂଘର୍ଷ କରୁଛି | ଖାଲି ସେତିକି ନୁହେଁ ଗଲା 24ବର୍ଷ ଧରି ରାଜ୍ୟରେ ଥିବା ସରକାର ସମସ୍ତ ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥାକୁ ସମାଧି ଦେବା ସହିତ ଓଡ଼ିଆ ଭାଷାକୁ ମାରିଦେବା ପାଇଁ ତତ୍ପର ଥିଲେ | ଚୌକି ମୋହରେ ଅନେକ ଏ ବ୍ୟବସ୍ଥାକୁ ବିରୋଧ କରି ନ ଥିଲେ |

ଆମର ସୀମା, ଖଣି, ପାଣି, ଜମି, ଜଙ୍ଗଲ ମଧ୍ୟ ଆଜି ବିପଦରେ | ଏସବୁ ନିଶ୍ଚିତ ନବକୃଷ୍ଣଙ୍କ ଆତ୍ମାକୁ କଷ୍ଟ ଦେଉଥିବ | ସମୟ ବଦଳିଛି |ନୂଆ ସରକାର ଦାୟିତ୍ୱ ନେଇଛନ୍ତି | ଆଶା କରିବା ଏ ସରକାର ଓଡ଼ିଆ ଅଶ୍ମିତାର ରକ୍ଷା କରି ମାତୃଭାଷା ଓ ମାତୃଭୂମିର ମର୍ଯ୍ୟାଦା ରକ୍ଷା କରିବେ |

ଓଡ଼ିଆକୁ ରାଜ ଭାଷାର ମର୍ଯ୍ୟାଦା ଦେବାକୁ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଓ ଗଣତନ୍ତ୍ରର ସୁରକ୍ଷା, ସୀମା ସରହଦର ସୁରକ୍ଷା ପାଇଁ ମଧ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବେ | ଏହି ପୁଣ୍ୟ ପୁରୁଷଙ୍କ ଜନ୍ମ ହୁଏ 23 ନଭେମ୍ବର 1901ରେ ଜଗତସିଂହପୁର ଖେରାସ ଗ୍ରାମରେ ଓ ପରଲୋକ ପ୍ରାପ୍ତ ହୁଅନ୍ତି 24ଜୁନ 1984ମସିହାରେ |
ପୁଣ୍ୟାତ୍ମା ନବକୃଷ୍ଣଙ୍କ ଜୟନ୍ତୀ ଦିବସରେ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି |🙏🙏

  • ଶ୍ରୀକାନ୍ତ ଦାଶ,
  • ସଭାପତି,’ଅବି ‘ଓ ସାଧାରଣ ସମ୍ପାଦକ .ଓଡ଼ିଆ ଜାତୀୟ ସମ୍ମିଳନୀ |ଦୂରଭାଷ :9238304919

Leave A Reply

Your email address will not be published.