ଦୁବାଇରେ ମୋଦୀ @୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ

0

ଦୁବାଇ, ଭୁବନେଶ୍ୱର,//TATKAL ODISHA//:

ପୂର୍ବ ଭାରତର ଅଗ୍ରଣୀ କଳା ଅନୁଷ୍ଠାନ ସୁଭଦ୍ରା ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର, ଦୁବାଇ ଓଡ଼ିଆ ସମାଜ ଏବଂ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଆଜି ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟର ଠାରେ ମୋଦି@୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

ଉଦ୍ଘାଟନୀ ସମାରୋହରେ ଓଡ଼ିଶାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଦୁବାଇରେ ଅନୁଷ୍ଠିତ ଏହି ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଓଡ଼ିଶା, ଆସାମ, ତ୍ରିପୁରା, ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଦିଲ୍ଲୀରୁ ପ୍ରାୟ ୪୦ ଜଣ ଏବଂ ଦୁବାଇରୁ ପ୍ରାୟ ୨୦ ଜଣ ଚିତ୍ରଶିଳ୍ପୀ ଭାଗନେଇଥିବାର ସୂଚନା ମିଳିଛି।

ପ୍ରଦର୍ଶନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକଳାପକୁ ଚିତ୍ରକଳା ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଥିସହ ଚିତ୍ରଶିଳ୍ପୀ ରାଜମାତା ଦୀପ୍ତି ଯାଦବଙ୍କ ଦ୍ୱାରା ଚିତ୍ରିତ “ଦ ମୋଦୀ ଆଣ୍ଡ କ୍ରାଉନ ପ୍ରିନ୍ସ” ଏବଂ ଚିତ୍ରଶିଳ୍ପୀ ଅନୁପ ଚାନ୍ଦଙ୍କ ଦ୍ୱାରା ଅଙ୍କିତ “ମୋଦୀ ଆଣ୍ଡ ଟି କେଟେଲ୍‌” ପ୍ରଥମ ଦିନରେ ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଆଦୃତି ହାସଲ କରିପାରିଛି ବୋଲି ସୂଚନା ମିଳିଛି।

ଆଜିର ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଶ୍ରୀ ବିଷ୍ଣୁପଦ ସେଠୀ ନିଜର ଅଭିଭାଷଣରେ କହିଥିଲେ ଯେ, ଦୁବାଇରେ ଅନୁଷ୍ଠିତ ହୋଇଥିବା ମୋଦି@୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଉଭୟ ଭାରତ ଏବଂ ଦୁବାଇରୁ ଆସିଥିବା ବିଶିଷ୍ଟ ଶିଳ୍ପୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ପ୍ରଦର୍ଶିତ ହୋଇଛି।

ଚିତ୍ରକଳା ପ୍ରଦର୍ଶନୀ ମାଧ୍ୟମରେ ଏକ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ସହ ବିଭିନ୍ନ ପ୍ରଦେଶରୁ ଆସିଥିବା ଶିଳ୍ପୀ ମାନଙ୍କର ଭାବବିନିମୟ ପାଇଁ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ ଭାବେ ସାବ୍ୟସ୍ତ ହୋଇପାରିଛି। ଆଗାମୀ ଦିନରେ ମଧ୍ୟ ଚିତ୍ରକଳା ପ୍ରଦର୍ଶନୀର ଆୟୋଜନ ମାଧ୍ୟମରେ ଚିତ୍ରଶିଳ୍ପୀମାନଙ୍କର ସୃଜନଶୀଳତାର ବିକାଶ ହେବା ସହ ତାଙ୍କର କଳାକୃତିର ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ଶ୍ରୀ ସେଠୀ ମତପ୍ରକାଶ କରିଥିଲେ।

ଓଡ଼ିଶାର ଚିତ୍ରକଳା ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇବକୁ ଯାଇ ସେ କହିଥିଲେ ଯେ, ଓଡ଼ିଶାର ଚିତ୍ରକଳା ହେଉଛି ଆମ ଗୌରବମୟ ଇତିହାସ, ପରମ୍ପରା ଏବଂ ସାଂସ୍କୃତିକ ଐତିହ୍ୟର ଅମ୍ଳାନ ପ୍ରତୀକ।ଓଡ଼ିଶାର ପାରମ୍ପାରିକ ପଟ୍ଟଚିତ୍ର, ପୋଥିଚିତ୍ର, ଭିତ୍ତିଚିତ୍ର, ତାଳପତ୍ର ଚିତ୍ର ଆଜି ବିଶ୍ୱପ୍ରସିଦ୍ଧ।

ତେଣୁ ଚିତ୍ରକଳାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଆମେ ସମସ୍ତେ ସଦାସର୍ବଦା ନିରନ୍ତର ପ୍ରୟାସ ଜାରି ରଖିବା ବୋଲି ସେ ମତପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ, ଦୁବାଇରେ ଅନୁଷ୍ଠିତ ହେଉଥିବା ମୋଦି@୨୦ ଆନ୍ତର୍ଜାତୀୟ ଚିତ୍ରକଳା ପ୍ରଦର୍ଶନୀ ଆସନ୍ତା ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ସମାରୋହରେ ସୁଭଦ୍ରା ଆର୍ଟ ଗ୍ୟାଲେରୀର ଚେୟାରମ୍ୟାନ ସୂର୍ଯ୍ୟ ରଥ, ଗ୍ୟାଲେରୀ ନିର୍ଦ୍ଦେଶକ ଅଶୋକ ନାୟକ, ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଚେୟାରମ୍ୟାନ ଡ. ବିପିନ ମିଶ୍ର, ଦୁବାଇ ଇଣ୍ଟରନ୍ୟାସନାଲ ଆର୍ଟ ସେଣ୍ଟରର ଚେୟାର ପର୍ସନ ଦୟାଲୀ ଭଲିଆ, ପ୍ରେସିଡେଣ୍ଟ ଦୁବାଇ ଓଡ଼ିଆ ସମାଜ ଅମୀୟ ମିଶ୍ର, ବିଶିଷ୍ଟ ଚିତ୍ରଶିଳ୍ପୀ ଅଞ୍ଜଳି ପ୍ରକାଶ ଲାଇତୁ, ଡ଼.କୁଳମଣି ବିଶ୍ୱାଳ, କାଜି ରାଘବ ଓ ଶିକ୍ଷାବିତ୍‌ ମିହିର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.