କେଉଁ ସ୍ଥିତିରେ IAS ବାବୁଙ୍କ 4.55 ଏକର ଜମି କେଳେଙ୍କାରୀ? ମୁଣ୍ଡରେ ଖସିବ କି ଡେମୋକ୍ଲିସ ଖଣ୍ଡା??
ଭଗବତୀପୁର ଜମି କେଳେଙ୍କାରୀ ପର୍ଦାଫାଶ ହେବାର ଅନେକ ଦିନ ବିତିଗଲାଣି, ହେଲେ ଏବର ସ୍ଥିତି କଣ ?
ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିଶୃତି ପରେ ରାଜସ୍ବ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ?
କାହିଁକି ରଦ୍ଦ ହେଉନାହିଁ ସମ୍ପୃକ୍ତ IAS ବାବୁଙ୍କ ସେହି ଲିଜ ଡିଡ ?
ଏଭଳି ଅସମାହିତ ପ୍ରଶ୍ନ ଏବେ ଭଗବତୀପୂର ଗ୍ରାମବାସୀଙ୍କ ମନରେ ଉଙ୍କି ମାରିଛି I ସେମାନେ କହିଛନ୍ତି ଯେ, ପୂର୍ବ ସରକାରଙ୍କ ବାହୁଛାୟା ତଳେ ରହି କିଚକ ରାଜା ସାଜିଥିବା ସମ୍ପୃକ୍ତ ଅବସରପ୍ରାପ୍ତ IAS ବାବୁ ଜମି(4.55 ଏକର) କେଳେଙ୍କାରୀ କରିଥିବା ସତ୍ବେ ତାଙ୍କ ବିରୋଧରେ ନୂଆ ସରକାର ନିରବ ରହିବା ଠିକ ହେଉନାହିଁ I
ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଆଇନ, ବଡ଼ ବାବୁଙ୍କ ପାଇଁ ଆଉ ଏକ ନିୟମ ଠିକ କି? ବୋଲି ସେମାନେ ପୁଣି ଥରେ ପ୍ରଶ୍ନ କରିଛନ୍ତି I କଣ ପାଇଁ ଏପରି ହେଉଛି??
ମିଳିଥିବା ତଥ୍ୟାନୁସାରେ ଗତ ବିଧାନସଭାରେ ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଭଗବତୀପୁର ଜମି ଘୋଟଲା ଖବର ଉପରେ ଏକ ତାରକା ପ୍ରଶ୍ନ ଆସିଥିଲା I ରାଜସ୍ୱ ବିଭାଗ ଏହି ଜମି କେଳେଙ୍କାରୀ ବିଷୟରେ ଅବଗତ ଅଛନ୍ତି ଓ ତା ଉପରେ ଅଧିକ ତଥ୍ୟ ଖୋଜା ଚାଲିଛି ବୋଲି ରାଜସ୍ବ ମନ୍ତ୍ରୀ ଗୃହରେ ପ୍ରକାଶ କରିଥିଲେ I
ପ୍ରାୟ ଦେଢ଼ ମାସ ପରେ ଏହା ଉପରେ ପ୍ରାରମ୍ଭିକ ଖୋଳତାଡ଼ ଆରମ୍ଭ ହୋଇଥିବା ଶୁଣାଯାଉଛି I ଯଦି ଏହା ସତ, ତାହାଲେ ନିଶ୍ଚିତ ଭାବରେ ବଡ଼ ଖବର I ଫଳରେ ଅଭିଯୁକ୍ତଙ୍କ ମୁଣ୍ଡ ଉପରେ ଝୁଲିଥିବା ଡେମୋକ୍ଲିସ ଖଣ୍ଡା ଖସିବା ପ୍ରାୟ ନିଶ୍ଚିତ ହୋଇଛି!!
ଘଟଣାର ପୃଷ୍ଟଭୂମି
ନିଜ ପଦବୀର ଅବବ୍ୟବହାର କରି କେମିତି ଜଣେ IAS ବାବୁ(ଏବେ ଅବସର) ନିଜ ପତ୍ନୀଙ୍କ ନାମରେ ଜମି ହାତେଇଛନ୍ତି ତାର ପ୍ରଥମ ଅନୁସନ୍ଧାନ ରିପୋର୍ଟ TATKAL ODISHAରେ ଗତ 12 ଜୁନ 2024ରେ କରିଥିଲା I ଭାରତୀୟ ପ୍ରଶାସନିକ ସେବା ଆଇନର ଖୋଲା ଉଲ୍ଲଘଂନ କରି ରାଜଧାନୀରେ ଏକର ଏକର ଦୁର୍ମୁଲ୍ୟ ଜମି ଅକ୍ତିଆର କରିବା କେତେଦୂର ଠିକ ତାହା ମଧ୍ୟ ପ୍ରକାଶ ହୋଇଥିଲା I ଏମିତି 5ଟି ଅନୁସନ୍ଧାନ ରିପୋର୍ଟ ପ୍ରକାଶ ପାଇଥିଲା I
ପ୍ରଥମ ରିପୋର୍ଟରେ କଣ ଥିଲା?
- ହସ୍ତଗତ ହୋଇଥିବା ଚାଞ୍ଚଲ୍ୟକର ତଥ୍ୟ (ନଥି) ଅନୁସାରେ ଓଡ଼ିଶା ପ୍ରଶାସନର ସର୍ବୋଚ୍ଚ ଆସନରେ ଥିବା ଜଣେ ପୂର୍ବତନ IAS ତାଙ୍କ ପତ୍ନୀଙ୍କ ନାମରେ 4.55 ଏକର ମୂଲ୍ୟବାନ ଜମି ନେଇଥିବା ପ୍ରମାଣ ମିଳିଛି I ସେଇ ଜମି ଦୁଇ ପର୍ଯ୍ୟାୟରେ ଶାଗ ମାଛ ମୂଲ୍ୟରେ କିଣି ଥିବା କୁହାଯାଇଛି I
- ପ୍ରଥମ ପ୍ଲଟଟି ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ ରହିଛି I 2022ରେ ସମ୍ପୃକ୍ତ ‘ବଡ଼ ବାବୁ’ ନିଜ ପତ୍ନୀଙ୍କ ନାମରେ କିଣିଥିଲେ I ଜମିର ପରିମାଣ 4.0 ଏକର I ଏହାର ଖାତା ନଂ -584/1 ଥିବାବେଳେ ପ୍ଲଟ ନଂ – 339/976/1122 ବୋଲି ଜଣାପଡ଼ିଛି I ଦ୍ଵିତୀୟ ପ୍ଲଟଟି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ତହସିଲ ଅନ୍ତର୍ଗତ ଚନ୍ଦକା ଅଂଚଳର ଭଗବତୀପୁର ମୌଜାରେ ରହିଛି I ତାହା ବି 2022ରେ କିଣା ଯାଇଛି I ଜମିର ପରିମାଣ 0.55 ଏକର ରହିଛି I ଏହାର ଖାତା ନଂ 574 ଥିବାବେଳେ ପ୍ଲଟ ନଂ 339/976/2619 ବୋଲି ଜଣାପଡ଼ିଛି I
ତେବେ ଦୁଇ ପର୍ଯ୍ୟାୟରେ କିଣା ଯାଇଥିବା ସାଢ଼େ 4 ଏକର ଅଧିକ ଜମି ସରକାରୀ କାଗଜରେ ଗୋଟିଏ ସରକାରୀ କ୍ୱାଟର ଠିକଣା ରହିଛି I
ସେଇ ସରକାରୀ କ୍ଵାଟର ଏବେ ସମ୍ପୃକ୍ତ IAS ଛାଡ଼ି ଦେଇଥିଲେ ହେଁ କାଗଜ ପତ୍ର ସମାନ ରହିଛି I
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉକ୍ତ 4.5 ଏକର ଜମି ସଂଲଗ୍ନ କିଛି ସରକାରୀ ଜମିକୁ ମଧ୍ୟ ସମ୍ପୃକ୍ତ ଅବସର ପ୍ରାପ୍ତ ଓଡ଼ିଆ ବାବୁ ମାଡ଼ି ବସିଛନ୍ତି? ଭଗବତୀପୁର ଗାଁର କିଛି ଲୋକ ଏହାର ବିଧିବଦ୍ଧ ତଦନ୍ତ ଦାବି କରି ପୁଣି ଥରେ ଲିଖିତ ଭାବେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି I
ତଦନ୍ତ ସାପେକ୍ଷ
ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ସମ୍ପୃକ୍ତ ଜମି କେଳେଙ୍କାରୀ ଅବସରପ୍ରାପ୍ତ ଅଧିକାରୀ ପ୍ରଥମେ ନିଜ ଚାକିରୀର EXTENTION ପାଇଁ ଲାଗି ଅସଫଳ ହେବା ପରେ ଏବେ ଆଉ ଦୁଇ ବଡ଼ ସାମ୍ବିଧାନିକ ପଦ ହାତେଇବାକୁ ନଜର ରଖିଛନ୍ତି I ନୂଆ ସରକାରଙ୍କୁ ସେ ଜଣେ ସଚ୍ଚୋଟ ଅଧିକାରୀ ବୋଲି ପ୍ରତିପାଦିତ କରିବାକୁ ଚେଷ୍ଟା କରିଥିବା ବି କୁହାଯାଉଛି I ଯଦି ସେ ସଫଳ ହୁଅନ୍ତି ତାହାଲେ ସେ ଠାକୁର ଖାଇ ଖଟୁଳି ଖାଇଯିବେ ବୋଲି କିଛି ଚେଙ୍ଗଡ଼ା ଲୋକ କଟାକ୍ଷ କରିଛନ୍ତି I
‘ତତ୍କାଳ ଓଡିଶା’ର ଆଭିମୁଖ୍ୟ
ଜଣେ ବରିଷ୍ଠ IAS ଜମି କିଣି ପାରିବେ ଏଥିରେ କିଛି ଅସୁବିଧା ନାହିଁ I ମାତ୍ର ଏତେ ପରିମାଣରେ ଜମି ନିଜ ବେରୋଜଗାରୀ ପତ୍ନୀଙ୍କ ନାମରେ କିଣିବା ବେଆଇନ I ତାହା ମଧ୍ଯ ଚାକିରୀ ବେଳେ ନିଜ ସମ୍ପତ୍ତି ତାଲିକାରେ ନ ଦର୍ଶାଇବା ଦୁଃଶାବହ I TATKAL ODISHA ଏହା ଉପରେ ଗୁରୁତ୍ବ ଦେଇଛି I ଏନେଇ ବ୍ୟକ୍ତିଗତ କିଛି ଅସୂୟା ଭାବନାହିଁ I ରାଜ୍ୟର ସ୍ଵାର୍ଥ ପାଇଁ ଲଢ଼େଇ ମାତ୍ର I ତେଣୁ ନୂଆ ସରକାର “ଭ୍ରାତାଙ୍କ ବଦନ” ଚିହ୍ନି ରଖିବା ଉଚିତ ବୋଲି ସଚେତକ ମହଲରେ ଦାବି ହୋଇଛି I(କ୍ରମଶଃ)