ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ଲାଭ କଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ

0


ଭୁବନେଶ୍ୱର//TATKAL ODISHA//
ସ୍ୱରଚିତ ସଂସ୍କୃତ କାବ୍ୟଗ୍ରନ୍ଥ ‘ସମୁଦ୍ରଶତକମ୍’ରେ ସର୍ବାଧିକ ୫ଟି ଭାଷାର ଲିପି ବ୍ୟବହାର ସହ ସମୁଦ୍ରବିଷୟରେ ସ୍ୱତନ୍ତ୍ରଶତକକାବ୍ୟ ରଚନା ପାଇଁ ବିଶିଷ୍ଟ ସଂସ୍କୃତ କବି ତଥା ଭୁବନେଶ୍ୱର ଭଞ୍ଜଭାରତୀର ସଭାପତି ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ।

‘ସମୁଦ୍ର’ର ଦୃଶ୍ୟାବଳିରେ ଅନ୍ତର୍ନିହିତ ଥିବା ଗଭୀର-ଦର୍ଶନକୁ ଆଧାର କରି ଡା. ଷଡଙ୍ଗୀ ୨୦୨୦ମସିହାରେ ‘ସମୁଦ୍ରଶତକମ୍’ ରଚନା କରିଥିଲେ ।

ମୂଳତଃ ସଂସ୍କୃତଭାଷାରେ ରଚିତ ୧୦୧ ଶ୍ଲୋକସଂବଳିତ ଏହି କାବ୍ୟରେ ଶ୍ଲୋକ ଓ ଅର୍ଥ ଲିଖନରେ ସର୍ବାଧିକ ୫ଟି ଭାଷାର ଲିପି ଯଥାକ୍ରମେ- ସଂସ୍କୃତ, ଓଡିଆ, ହିନ୍ଦୀ, ଇଂଗ୍ରାଜୀ ଓ ରୋମାନ୍ ବ୍ୟବହାର କରିବା ସହ ଏପରି ଏକ ସ୍ୱତନ୍ତ୍ର କାବ୍ୟ ରଚନାର ବିରଳକୃତିତ୍ୱ ପାଇଁ ଡା. କୃଷ୍ଣକେଶବ ଷଡଙ୍ଗୀ ଏହି ରେକର୍ଡ ହାସଲ କରିଛନ୍ତି ।

ଡା.ଷଡଙ୍ଗୀ ନିରବଚ୍ଛିନ୍ନଭାବେ ଉଭୟ ଓଡିଆଭାଷା ଓ ସଂସ୍କୃତଭାଷାରେ ଲେଖନୀ ଚାଳନା କରି ଅଦ୍ୟାବଧି ୧୫ ଖଣ୍ଡ ପୁସ୍ତକର ପ୍ରକାଶନ କରିସାରିଛନ୍ତି । ଏହାସହ ସେ ଭୁବନେଶ୍ୱର ଭଞ୍ଜଭାରତୀ ଅନୁଷ୍ଠାନ ମାଧ୍ୟମରେ ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ପ୍ରାଚୀନ ଓଡିଆ ସାହିତ୍ୟ, ସଂସ୍କୃତ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର-ପ୍ରସାର ସହ ଗବେଷଣାରେ ପ୍ରବୃତ୍ତ ଅଛନ୍ତି । ଜଣେ ଉଚ୍ଚକୋଟୀର ବାଗ୍ମୀଭାବରେ ବିଭିନ୍ନ ଗଣମାଧ୍ୟମ ଓ ସଭାସମିତିରେ ଡା. ଷଡଙ୍ଗୀ ଓଡିଶା ଓ ଓଡିଶା ବାହାରେ ବେଶ୍ ଲୋକପ୍ରିୟ ।


ଏହି ରେକର୍ଡର କୃତିତ୍ୱର ଶ୍ରେୟ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମର୍ପିତ କରିବା ସଙ୍ଗେ ସଙ୍ଗେ ଦିବଂଗତ ପିତାମହ କର୍ମକାଣ୍ଡଭାସ୍କର ପଣ୍ଡିତ ରଘୁନାଥ ଷଡଙ୍ଗୀ, ପିତା ପ୍ରବକ୍ତାରତ୍ନ ସ୍ୱର୍ଗତ ପଣ୍ଡିତ ଜୟଦେବ ଷଡଙ୍ଗୀଙ୍କ ସ୍ମୃତିଚାରଣପୂର୍ବକ ସମସ୍ତଶୁଭେଚ୍ଛୁମାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Leave A Reply

Your email address will not be published.