ସୋସିଆଲ ମିଡିଆ ଆମ ସମୟର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର//TATKAL ODISHA//

ସୋସିଆଲ ମିଡିଆ ଆମ ସମୟର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହୋଇ ଉଭା ହୋଇଛି। ଏଥିରେ ଜଣେ ଜଣେ ବ୍ୟକ୍ତିଙ୍କ ନିଜସ୍ୱ ମତ ଅନେକ ସମୟରେ ଲୋକପ୍ରିୟ ହୋଇ ବହୁଲୋକଙ୍କ ମତରେ ପରିଣତ ହୋଇଥାଏ। ବହୁଲୋକଙ୍କୁ ସଚେତନ କରିପାରିଥାଏ ଏବଂ ଲୋକଙ୍କ ଚିନ୍ତାଧାରାକୁ ମଧ୍ୟ ପ୍ରଭାବିତ କରିଥାଏ। ସାମାଜିକ ପରିବର୍ତ୍ତନ ପାଇଁ ଆଜିର ସୋସିଆଲ ମିଡିଆ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଯାଇଛି। ସମାଜରେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ପ୍ରଭାବ ଓ ସମ୍ମାନ ବଢ଼ିଛି। ସୋସିଆଲ ମିଡିଆ ହେଉଛି ଆମ ଗଣମାଧ୍ୟମ ବିକେନ୍ଦ୍ରୀକରଣର ଏକ ପ୍ରକୃଷ୍ଟ ଉଦାହରଣ । 

   ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୈନିକ ସମ୍ବାଦପତ୍ର ‘ନିର୍ଭୟ’ର ଦଶମ ବାର୍ଷିକୋତ୍ସବରେ ଯୋଗଦେଇ ଏହି ମତ ପ୍ରକାଶ କରିଛନ୍ତି। 

  • ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗଠନମୂଳକ ସମାଲୋଚନା କରିବା ସମ୍ବାଦପତ୍ରର ଦାୟିତ୍ୱ। ତେବେ ‘ଗଠନମୂଳକ ସମାଲୋଚନା’ ଓ ‘ଏଜେଣ୍ଡା ଚଲାଇବା’ ଭିତରେ ଏକ ଲକ୍ଷ୍ମଣ ରେଖା ଅଛି। ଏଜେଣ୍ଡା ଚଲାଇବା ପାଇଁ ମିଛ ଖବର କିମ୍ବା ଖବରକୁ ବିକୃତ କରି ପରିବେଷଣ କରାଯାଏ। କିନ୍ତୁ, ମନେ ରଖିବେ, ମିଛ ହୁଏତ କିଛି ସମୟ ମଧ୍ୟରେ ଜଙ୍ଗଲ ନିଆଁ ପରି ଖୁବ୍‌ଶୀଘ୍ର ବ୍ୟାପିଯାଏ, କିନ୍ତୁ ଶେଷରେ ସତ୍ୟର ହିଁ ଜୟ ହୋଇଥାଏ।

“ଯଦି ଆପଣ ମାତ୍ରାଧିକଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବେ, ଆପଣଙ୍କ କଣ୍ଠରୋଧ ହେବା ସ୍ୱାଭାବିକ: ମୁଖ୍ୟମନ୍ତ୍ରୀ”

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ସମ୍ବାଦପତ୍ର ହେଉଛି ସାଧାରଣ ଜନତାଙ୍କ ସ୍ୱର। ସେମାନଙ୍କ ସମସ୍ୟା ଓ ସ୍ୱର ସରକାରଙ୍କ ପାଖରେ ପହଞ୍ଚାଇବା ହେଉଛି ସେମାନଙ୍କ ଦାୟିତ୍ୱ। ଗତ କିଛି ବର୍ଷ ମଧ୍ୟରେ ସମ୍ବାଦ ପରିବେଷଣ ହୋଇଯାଇଛି ବ୍ୟବସାୟ, ଖବରକାଗଜ ହୋଇଯାଇଛି ଏକ ସାମଗ୍ରୀ ଏବଂ ସମ୍ବାଦିକତା ହୋଇଯାଇଛି ଏକ ବୃତ୍ତି ବା ପ୍ରଫେସନ। ଏହି ବିଜନେଶ ମଡେଲକୁ ସଫଳ କରିବା ପାଇଁ ସରକାରଙ୍କ ପୃଷ୍ଠପୋଷକତା ଅର୍ଥାତ ବିଜ୍ଞାପନ ଆବଶ୍ୟକ। ଯଦି ଆପଣ ମାତ୍ରାଧିକଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବେ, ଆପଣଙ୍କ କଣ୍ଠରୋଧ ହେବା ସ୍ୱାଭାବିକ। ଯାହା ଗତ ସରକାର ଅମଳରେ ଦେଖାଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ‘ଶିକ୍ଷା ସଂସ୍କୃତି ଉତ୍‌ଥାନ ନ୍ୟାସ’ର ଜାତୀୟ ସଂପାଦକ ଡ. ଅତୁଲ କୋଠାରୀ, ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ନବୀନ ଦାସ ଏବଂ ସମ୍ପାଦକ ସମ୍ବିତ ମହାପାତ୍ର ଏବଂ ଅନେକ ବରିଷ୍ଠ ନେତୃବୃନ୍ଦ, ସାମ୍ବାଦିକ ଉପସ୍ଥିତ ଥିଲେ

Leave A Reply

Your email address will not be published.