ଆମ ସଂସ୍କୃତିରେ ପିତୃପକ୍ଷ
ଆମ ସଂସ୍କୃତିରେ ପିତୃପକ୍ଷ
ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ତପ8,
ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତା |“
ଉପରୋକ୍ତ ଶ୍ଳୋକରୁ ଜଣାପଡେ ଯେ ପିତୃ ଉପାସନା ଆଗରେ ସମସ୍ତ ଦେବାଦେବୀଙ୍କ ଉପାସନା ମଳିନ ପଡ଼ିଯାଏ |
ଏହି ଶ୍ଳୋକର ଅର୍ଥ ହେଲା “ପିତା ମୋର ଧର୍ମ, ପିତା ମୋର ସ୍ୱର୍ଗ, ପିତା ମୋର ସମସ୍ତ ଜପ, ତପ, ଓ ଉପାସନାର କେନ୍ଦ୍ର | ପିତାଙ୍କର ସନ୍ତୁଷ୍ଟିରେ ସମସ୍ତ ଦେବୀ ଦେବତା ସନ୍ତୁଷ୍ଟ ହୁଅନ୍ତି |“
ପୁତ୍ରର ଭାବନା ସର୍ବଦା ଏହା ହେବା ଉଚିତ ଯେ, ମୋ ପିତା ଜଗତପିତା ପରଂବ୍ରହ୍ମ ପରମେଶ୍ୱରଙ୍କ ଅଂଶ ବିଶେଷ | ସେ ମୋର ପୂଜ୍ୟ, ଇଷ୍ଟ ଓ ପ୍ରେରଣାର ଉତ୍ସ | ମାତା ଜନ୍ମ ଦେଇ ଲାଳନ ପାଳନ କରି ଛୋଟରୁ ବଡ଼ କରନ୍ତି, କିନ୍ତୁ ପିତା ଶୈଶବ ଓ କୈଶୋର ଅବସ୍ଥାର ସମସ୍ତ ଆବଶ୍ୟକତା ପୂରଣ କରି ଦାଣ୍ଡରେ ଠିଆ କରାନ୍ତି |କଥାରେ ଅଛି, “ବାପା ଥିବା ପୁଅ ସଭାରେ ହାରେନା “ତାତ୍ପର୍ଯ୍ୟ ହେଲା ପିତାଙ୍କର ଆଶୀର୍ବାଦ ପୁଅ ଉପରେ ଥିବାରୁ ସେ କୌଣସି କ୍ଷେତ୍ରରେ ପରାଜୟ ଲଭେନି |ପୁତ୍ରକୁ ସୁପୁତ୍ର କରି ଗଢି ତୋଳିବା ଦକ୍ଷତା ପିତାଙ୍କର ହିଁ ଅଛି | ତାଙ୍କର ସାମାନ୍ୟତମ ଅସାବଧାନତାରୁ ପୁତ୍ର ବିପଥଗାମୀ ହୁଏ | ପୁତ୍ର ବିପଥଗାମୀ ହେଲେ କେବଳ ମାତା ପିତାଙ୍କର ଅପଯଶ ହୁଏନି, ବରଂ ବଂଶ ନଷ୍ଟ ହୁଏ ଓ ଓ ଏହା ସଂକ୍ରାମକ ରୋଗ ପରି ସମାଜ ଓ ଦେଶକୁ ମଧ୍ୟ ନଷ୍ଟ କରିଚାଲେ |
ଆମେ ବୁଝିବା ଦରକାର ଯେ ପିତୃତ୍ବ ଏକ ପରିଚୟ ନୁହେଁ, ଏହା ଏକ ସାଧନା ଓ ଏଥିରେ ସିଦ୍ଧିଲାଭ କରି ଉତ୍ତମ ପୁତ୍ର ପ୍ରାପ୍ତି କରିବାକୁ ହୁଏ |
ପ୍ରତ୍ୟେକ ବ୍ୟକ୍ତିର ପାଞ୍ଚଗୋଟି ପିତା ଅଛନ୍ତି |
ଯଥା :-“ବନିତା ଚୋପନେତାଚ ଯସ୍ତୁବିଦ୍ୟା ପ୍ରୟଛତି,ଅନ୍ନଦାତା, ଭୟତ୍ରାତା, ପଞ୍ଚତେୟୀ ପିତରଃ ସ୍ମୃତଃ |
ଅର୍ଥାତ ଯେ ଜନ୍ମଦାତା, ଯେ ଉପନୟନ କରାନ୍ତି,ଯେ ବିଦ୍ୟାଦାନ କରନ୍ତି,ଯେ ଅନ୍ନ ଦାନ କରନ୍ତି, ଯେ ଅଭୟ ପ୍ରଦାନ କରି ବିପଦ ଆପଦରୁ ରକ୍ଷା କରନ୍ତି, -ସେମାନେ ସମସ୍ତେ ପିତା ପଦବାଚ୍ୟ |
ପିତୃ ହେଉଛନ୍ତି ଏପରି ଦେବତା ଯାହାଙ୍କୁ ଉଭୟ ଜୀବିତ ଅବସ୍ଥାରେ ଓ ମୃତ୍ୟୁ ପରେ ପୂଜା କରାଯାଏ | ସେ ତାଙ୍କର ଜୀବିତ ଅବସ୍ଥାରେ ଆମକୁ ସ୍ନେହ ପ୍ରଦାନ କରନ୍ତି ଓ ମୃତ୍ୟୁ ପରେ ଆମ ପାଇଁ ସମ୍ପତ୍ତି ଛାଡି ଯା’ନ୍ତି, ଯାହାକୁ ଆମେ ପୈତୃକ ସମ୍ପତ୍ତି କହୁ |
- ପିତା ଧନୀ କିମ୍ବା ନିର୍ଦ୍ଧନ ହୁଅନ୍ତୁ, ସୁପୁତ୍ର ପାଇଁ ସେଥିରେ କିଛି ଫରକ ପଡ଼େନି | ସେ ଭୌତିକ ସମ୍ପତ୍ତି ହେଉ ବା ବୌଦ୍ଧିକ ସମ୍ପତ୍ତି, ପୁତ୍ର ପାଇଁ ସବୁ କିଛି ସମାନ | ମୃତ୍ୟୁ ପରେ ପିତା ପିତୃଲୋକ ଗମନ କରନ୍ତି, ଓ ସେଠାରୁ ପୁତ୍ର କନ୍ୟାଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, |ହିନ୍ଦୁ ଶାସ୍ତ୍ର ଅନୁସାରେମାନବର ଗୋଟିଏ ବର୍ଷ, ପିତୃଙ୍କର ଗୋଟିଏ ଦିନ |ସେ ଦିନରେ ତାଙ୍କୁ ପିଣ୍ଡ ଦାନ କଲେ ତାଙ୍କର ଆତ୍ମା ଶାନ୍ତି ଲାଭ କରେ |
ପ୍ରତି ବର୍ଷ ପିତୃ ପକ୍ଷର ଶେଷ ଦିନ ମହାଳୟା ତିଥିରେ ପିତୃ ପିତୃ ପୁରୁଷ ମାନେ ପିତୃ ଲୋକର ଅମୃତ ଧାମ ତ୍ୟାଗ କରି ମର୍ତ୍ତ୍ୟ ଲୋକକୁ ଆଗମନ କରନ୍ତି ଓ ନିଜ ପୁତ୍ର ପ୍ରଦତ୍ତ ପିଣ୍ଡ ଗ୍ରହଣ କରି ଆଶୀର୍ବାଦ ପ୍ରଦାନ କରନ୍ତି ଓ ନିଜ ଲୋକକୁ ଫେରି ଯା’ନ୍ତି | ମାସଯାକ ମର୍ତ୍ତ୍ୟଲୋକରେ ରହି ଦୀପାବଳିର ପ୍ରଜ୍ବଳିତ ଆଲୋକ ଶିଖାରେ ପୁତ୍ର ତାଙ୍କୁ ମେଲାଣି ଦିଏ |
ତେଵେ ପିତୃପକ୍ଷ କ’ଣ ପାଇଁ?
ଭାଦ୍ରବ ମାସ ପୂର୍ଣ୍ଣମୀ ଠାରୁ ପିତୃ ପକ୍ଷ ଆରମ୍ଭ ହୋଇ ପିତୃ ମୋକ୍ଷ ଅମାବାସ୍ୟାରେ ସମାପ୍ତ ହୁଏ | ଏହି ପନ୍ଦର ଦିନରେ ଲୋକେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇଥାନ୍ତି | ଶାସ୍ତ୍ର ମତରେ ଏହି ଦିନରେ ଦିବଂଗତ ପୂର୍ବଜମାନେ ସୁକ୍ଷ୍ମ ଶରୀରରେ ପୃଥିବୀକୁ ଆସିଥାନ୍ତି | ସେମାନଙ୍କ ସନ୍ତୁଷ୍ଟି ପାଇଁ ଲୋକମାନେ ସେମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ଦାନ ଆଦି କରିଥାନ୍ତି |
ହିନ୍ଦୁ ରୀତିନୀତି ଅନୁଯାୟୀ ପିତୃ ପକ୍ଷର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି | ଏହି ଅବସରରେ ପିତୃଙ୍କ ମୁକ୍ତି ପାଇଁ ଶ୍ରାଦ୍ଧ ତର୍ପଣ, ଦାନ ଧର୍ମ କରାଯାଇଥାଏ | ଏହି ପକ୍ଷରେ ପୂର୍ବଜଙ୍କ ଆଶୀର୍ବାଦ ଭିକ୍ଷା କରାଯିବା ସହିତ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରାଯାଇଥାଏ | ସେମାନଙ୍କୁ ଶ୍ରଦ୍ଧା ପୂର୍ବକ ସ୍ମରଣ କରାଯାଏ ଓ ସେମାନଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରାଯାଏ | ପିତୃପକ୍ଷ ପନ୍ଦର ଦିନ ରାଜସିକ ଓ ତାମସିକ ଭୋଜନ ବର୍ଜନ କରାଯାଏ ଓ ସାତ୍ତ୍ଵିକ ଭୋଜନ ଗ୍ରହଣ କରାଯାଏ | ଏହି ସମୟରେ କୌଣସି ଉତ୍ସବ ପାଳନ କରା ଯାଇ ନ ଥାଏ | ଏହି ସମୟକୁ ଅଶୁଭ ମନେ କରାଯାଇ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଏନି | ପିତୃ ପକ୍ଷ ପାଳନରେ ନଖ, କେଶ କାଟିବାକୁ ନିଷେଧ କରାଯାଇଥାଏ |
ଅନେକ ସେମାନଙ୍କ ପିତରଙ୍କୁ ଗୟାରେ ପିଣ୍ଡ ଦାନ କରିଥାନ୍ତି |ପରିବାରରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି (ମହିଳା, ପୁରୁଷ ବା ଶିଶୁ )ଙ୍କୁ ପିତର କୁହନ୍ତି | ହିନ୍ଦୁ ଧର୍ମ ଅନୁସାରେ ଯେଉଁ ସନ୍ତାନମାନେ ସେମାନଙ୍କ ପିତରଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ, ଦାନ ଆଦି ପୁଣ୍ୟ କାର୍ଯ୍ୟ କରନ୍ତି, ସେମାନେ ଅଖଣ୍ଡ ଶାନ୍ତିରେ ଜୀବନ ନିର୍ବାହ କରନ୍ତି | କେବଳ ସେତିକି ନୁହେଁ ପିତୃଙ୍କ ସନ୍ତୋଷରେ ଆମର ଅନେକ ଅସୁବିଧା, ଅଶାନ୍ତିର ଅନ୍ତ ଘଟିଥାଏ |
ସୁକ୍ଷ୍ମ ଶରୀରରେ ରହି ସେମାନେ ଆମର ସହାୟତା କରିଥାନ୍ତି | ଏଣୁ ପିତୃ ପକ୍ଷରେ ଶ୍ରାଦ୍ଧ, ତର୍ପଣ କରିବା ଉଚିତ | ମହାଭାରତ କଥା ଅନୁସାରେ ମହାଦାନୀ କର୍ଣ୍ଣ ତାଙ୍କ ଜୀବିତ ଅବସ୍ଥାରେ ଅନେକ ଧନ ରତ୍ନ ଦାନ କରିଥିଲେ |ତାଙ୍କ ମୃତ୍ୟୁପରେ ଯମଲୋକରେ ତାଙ୍କୁ ଅନ୍ନ ଦିଆ ନ ଯାଇ ସୁନା, ରୁପା, ମଣି ମାଣିକ୍ୟ ଆଦି ପରସା ଗଲା |ଏଥିରେ କର୍ଣ୍ଣ ବିସ୍ମିତ ହୋଇ କାରଣ ପଚାରିବାରୁ ପରିଚାରକ ମାନେ ଜଣେଇ ଦେଲେ ଯେ ସେ ମର୍ତ୍ତ୍ୟରେ ଏସବୁ ରତ୍ନ ଦାନ କରିଛନ୍ତି, ଅନ୍ନ ଦାନ ଦେଇ ନାହାନ୍ତି | ଏହା ପରେ କର୍ଣ୍ଣ ଯମରାଜଙ୍କୁ ଅନୁରୋଧ କରି ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ପିତୃ ପକ୍ଷରେ ଶ୍ରାଦ୍ଧ ତର୍ପଣ ପୂର୍ବକ ପିତୃଙ୍କୁ ସନ୍ତୁଷ୍ଟ କରିଥିଲେ |ଏହି ସମୟରେ ସେ ଅନ୍ନ ଦାନ ଦେଇ ମହାଳୟା ତିଥିରେ ଯମଲୋକ ପ୍ରତ୍ୟାବର୍ତ୍ତନ କରିଥିଲେ | ଏଥିରୁ ମହାଳୟା ଓ ପିତୃପକ୍ଷ ର ମହତ୍ତ୍ୱ ଜଣାଯାଏ |
କେବେ ଶ୍ରାଦ୍ଧ ଦିଆଯାଏ?
ଭାଦ୍ରବ ପୂର୍ଣ୍ଣିମାରୁ ଆରମ୍ଭ ହୋଇ ଆଶ୍ୱିନ ଅମାବାସ୍ୟାରେ ପିତୃପକ୍ଷ ସମାପ୍ତ ହୁଏ |ପୂର୍ଣ୍ଣମୀରେ ଶ୍ରାଦ୍ଧ ଦିଆଯାଇପାରେ | ପରିବାରରରେ ମୃତ୍ୟୁ ଲାଭ କରିଥିବା ବ୍ୟକ୍ତିର ମୃତ୍ୟୁ ତିଥିରେ ଶ୍ରାଦ୍ଧ କରାଯିବାର ଵିଧି ରହିଛି |ତେବେ ଅସୁବିଧା ହେଲେ ପିତୃମୋକ୍ଷ ଅମାବାସ୍ୟାରେ ଏହା କରାଯାଇଥାଏ |ଏହାକୁ ମହାଳୟା ବୋଲି ମଧ୍ୟ କୁହାଯାଏ |
ଯେଉଁମାନେ ପିତରଙ୍କ ମୃତ୍ୟୁ ତିଥି ଭୁଲି ଯାଇଥାନ୍ତି, ଓ ବାର୍ଷିକ ଶ୍ରାଦ୍ଧ ଦେଇପାରନ୍ତିନି ସେମାନେ ମହାଳୟା ତିଥିରେ ତର୍ପଣ, ଶ୍ରାଦ୍ଧଦାନ ଓ ଦାନ ଧର୍ମକଲେ ପିତରଙ୍କ ସନ୍ତୋଷ ଲାଭ ହୁଏ ବୋଲି ବିଶ୍ୱାସ ରହିଛି |🙏🙏
ଶ୍ରୀକାନ୍ତ ଦାଶ, ସଭାପତି ‘ଅବି ‘ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |
ଦୂରଭାଷ : 9238304919,
email :srikantadash. bpc@gmail.com