ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ’ (ଶେଷ ଅଂଶ)

0

(ପୂର୍ବ ପ୍ରକାଶିତ ଉତ୍ତାରୁ.. )

*******************************************

କାଠ ବାଘ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ଥାଏ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘କାହାଣୀର ଶେଷ ଅଂଶ ପଢ଼ି ମଜା ନେବା “- ସମ୍ପାଦିକା

****************************************

  • କାଠ ବାଘ //ଅଜୟ କୁମାର ମହାପାତ୍ର//

******************************************

ମହାରାଜାଙ୍କ ଭଳି ଚତୁରାନନ୍ଦଙ୍କ ଥାଟବାଟ ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଲା। ତାଙ୍କ ସେବାରେ ହାତୀ, ବାଘ, ଘୋଡ଼ା ଓ ଭାଲୁଠୁ ଆରମ୍ଭ କରି ମୂଷା ପର‌୍ୟ୍ୟନ୍ତ ଅନେକ ଜୀବ ନିୟୋଜିତ ହେଲେ।
ଚତୁରାନନ୍ଦ ଯେବେ କୌଣସି ନୂଆ ନିୟମ ଜଙ୍ଗଲରେ ଲାଗୁ କରିବାକୁ ଚାହେଁ, ସକଳ ପଶୁଙ୍କୁ ଡକାଇ ପଶୁସଭାରେ ଘୋଷଣା କରେ। ସେଇ ନିୟମ ସଙ୍ଗେସଙ୍ଗେ ଜଙ୍ଗଲରେ ଲାଗୁ ହୋଇଯାଏ। ସେଇ ନିୟମ ହେଇଯାଏ ଜଙ୍ଗଲର ସମସ୍ତ ପଶୁମାନଙ୍କ ପାଇଁ ଲକ୍ଷ୍ମଣରେଖା। ନିୟମର ସାମାନ୍ୟ ଉଲ୍ଲଙ୍ଘନ କଲେ ମିଳେ କଠୋର ଦଣ୍ଡ; ଏପରିକି ହେଇପାରେ ଫାଶୀ। ଅଖଣ୍ଡ ବନାନୀ ଜଙ୍ଗଲରେ ଚାଲିଲା ଚତୁରାନନ୍ଦଙ୍କ ରାଜ୍‌! ତାଙ୍କର ସାମାନ୍ୟ ଝଲକଟିଏ ପାଇବା ପାଇଁ ସାରା ଜଙ୍ଗଲବାସୀ ହେଲେ ଉତ୍କଣ୍ଠିତ।


ସମସ୍ତଙ୍କ ମୁଖରୁ ନିସୃତ ହେଲା;
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ କି ଜୟ!
ଅନ୍ୟ ଜଙ୍ଗଲରୁ ଗୋଟେ ବିଲୁଆ ଆସି ସାରା ବନାନୀ ଜଙ୍ଗଲରେ ରାଜତ୍ୱ କରିବା, ଏଇଟା ଦେଶୀ ବିଲୁଆଙ୍କର ଖୁବ୍ ଅସହ୍ୟ ହେଲା। ଏଣୁ କିଛି ଦେଶୀ ବିଲୁଆ ବିଦ୍ରୋହ ଆରମ୍ଭ କଲେ। ଯେଉଁ ବିଲୁଆ ବିଦ୍ରୋହ କଲା ଚତୁରାନନ୍ଦର ନିର୍ଦ୍ଦେଶରେ ତାକୁ ଟେକିନେଇ କେଉଁ ସମୁଦ୍ର ମଧ୍ୟରେ ନିକ୍ଷେପ କରାଗଲା, ତା’ର ପତ୍ତା କେହି ପାଇଲେ ନାହିଁ। ଏମିତି ଅନେକ ଦେଶୀ ବିଲୁଆଙ୍କୁ ବଳି ଦେବାପରେ ସେମାନେ ଡରରେ ନିରବ ରହିଲେ। ମାତ୍ର ଚତୁରାନନ୍ଦର ଅସଲ ଚେହେରାକୁ ପଦାକୁ ଆଣିବା ପାଇଁ ସେମାନେ ଭିତରେ ଭିତରେ ଚେଷ୍ଟା ଅବ୍ୟାହତ ରଖିଲେ।
ଚତୁରାନନ୍ଦ ତ ନୀଳବର୍ଣ୍ଣ ଶୃଗାଳ ନୁହେଁ ଯେ, ଦେଶୀ ବିଲୁଆଙ୍କ ଭୁକାରେ ହୁକେ ହୋ ହୋଇ ଭୁକିବ! ସେ ତ ପାୱାର ହାଉସ୍ ବିଲୁଆ। ସେ କ୍ଷମତା ରଙ୍ଗରେ ରଙ୍ଗାୟିତ ହୋଇଛି! ସେ ବା କାହିଁକି ଏଇ ଦେଶୀ ବିଲୁଆଗୁଡ଼ିକୁ ଭ୍ରୂକ୍ଷେପ କରନ୍ତା! ତା’ ଥାଟବାଟରେ କୌଣସି ପରିବର୍ତ୍ତନ ହେଲାନି ବରଂ ଦିନକୁ ଦିନ ତା’ କ୍ଷମତା ବଢ଼ିବାରେ ଲାଗିଲା।
ଚତୁରାନନ୍ଦ ମହାରାଜାଙ୍କ ଭୟ ବଜାୟ ରଖିବା ପାଇଁ ମଝିରେ ମଝିରେ କୌଣସି ଏକ ହାତୀ, ଘୋଡ଼ା କି ଭାଲୁକୁ ଫାଶୀ ଖୁଣ୍ଟରେ ଝୁଲାଇଦିଏ। ଘୋଷଣା କରେ ଏହା ହିଁ ମହାରାଜାଙ୍କ ନିର୍ଦ୍ଦେଶ! ଚତୁରାନନ୍ଦ ଜାଣେ;
ଡର ହିଁ କ୍ଷମତା!
ଯେ ପର‌୍ୟ୍ୟନ୍ତ ଡର ଥିବ
ସେ ପର‌୍ୟ୍ୟନ୍ତ କ୍ଷମତା ଥିବ!
କ୍ଷମତା ଚାଲିଗଲେ,
ସେ ପାଲଟିଯିବ ଏକ ନୀଳବର୍ଣ୍ଣ ଶୃଗାଳ!
ତା’ର ପାଦ ସେବାରେ ନିୟୋଜିତ
ସିଂହ, ବାଘ, ଭାଲୁମାନେ
ଗୋଟିଏ ମୁହୂର୍ତ୍ତରେ ତାକୁ ଜୀବନ୍ତ କାମୁଡ଼ି ଖାଇଦେବେ।
ଏଇ ଡର ହିଁ ତା’ ପାଇଁ ଏକ ଢାଲ,
ଏକ ବଳିଷ୍ଠ ଅସ୍ତ୍ର!
ଚତୁରାନନ୍ଦ ଏଇ ଅସ୍ତ୍ର ବଳରେ ବଳିୟାନ୍‌। ତା’ର ପାଦ ଧୋଉଛି ସିଂହ, ପାଦ ମନ୍ଥାଳୁଛି ବାଘ, ତାଙ୍କୁ ଚାମର କରୁଛି ଘୋଡ଼ା, ତା’ର ବାହାନ ସାଜିଛି ହାତୀ ଆଉ ଅନ୍ୟ ସବୁ ପ୍ରାଣୀ ତା’ ପାଇଁ କେବଳ ଛାର ଜୀବ ମାତ୍ର।
ଚତୁରାନନ୍ଦ ଦିନେ ରାଜ୍ୟ ଭ୍ରମଣରେ ବାହାରିଲା। ଚତୁରାନନ୍ଦ ହାତୀ ପିଠିରେ ବସି ଜଙ୍ଗଲର ଭିନ୍ନ ଭିନ୍ନ ଅଞ୍ଚଳ ବୁଲୁଥାଏ। ସବୁଠି ତାକୁ ବିପୁଳ ସ୍ୱାଗତ ଓ ଅଭିବାଦନ ଜଣାଉଥାଆନ୍ତି ସକଳ ପଶୁଗଣ। ସବୁଠି ଗଦାଗଦା ଚତୁରାନନ୍ଦର ଭୃତ୍ୟଗଣ! ସବୁଠି ତାର ତୋଷାମଦିଆ ଭର୍ତ୍ତି। ସେ ହାତୀ ପିଠିରେ ବସି ଭ୍ରମଣ କଲାବେଳେ ହାତୀଠୁ ଘୋଡ଼ାଯାଏଁ ତା’ ସୁରକ୍ଷାରେ ନିୟୋଜିତ ଥାଆନ୍ତି; ସମସ୍ତଙ୍କ ମୁହଁରେ ଥାଏ ଗୋଟିଏ ସ୍ଲୋଗାନ;
ଚତୁରାନନ୍ଦ – ଜିନ୍ଦାବାଦ୍‌!
ଚତୁରାନନ୍ଦ – ଜିନ୍ଦାବାଦ୍‌!
କେହି କେହି ଚାଟୁକାର ଆତ୍ମବିଭୋର ହୋଇ କୁହନ୍ତି;
ମହାରାଜା ଚତୁରାନନ୍ଦ କି ଜୟ!
ମହାରାଜା ଚତୁରାନନ୍ଦ କି ଜୟ!
ମାତ୍ର ଗୋଟେ ଜିରାଫ୍ ତା’ ବେକକୁ ଲମ୍ବେଇ ବିକୃତ ମୁଖଭଙ୍ଗୀ ଓ ରାଗ ଜର୍ଜରିତ ଘୃଣିତ ନୟନରେ ଚତୁରାନନ୍ଦ ଆଡ଼କୁ ଦୃଷ୍ଟି ନିକ୍ଷେପ କଲା। ତା’ ମୁଖମଣ୍ଡଳରୁ ସ୍ପଷ୍ଟ ଦୃଶ୍ୟମାନ ହେଉଥାଏ ଦେଶ ଭକ୍ତି, ଜାତୀୟତାବାଦ, ସ୍ୱାଭିମାନ ଓ ଜାତୀୟ ଅସ୍ମିତାର ପ୍ରୀତି। ଚତୁରାନନ୍ଦ ତା’ ଆଖିରେ ଏକ ବିଦ୍ରୋହର ବହ୍ନି ଦେଖିପାରିଲା। ସେ ଜାଣେ ତା’ କ୍ଷମତାର ରଙ୍ଗର ଏକମାତ୍ର ଶତ୍ରୁ ହେଉଛି ଜାତୀୟ ଅସ୍ମିତାର ଭାବନା, ଜାତୀୟତାବୋଧ ଓ ସ୍ୱାଭିମାନ! ଚତୁରାନନ୍ଦ ଚତୁରତାର ସହ ମୁଚୁକୁନ୍ଦିଆ ହସଟିଏ ପକେଇ ଆଗକୁ ମାଡ଼ିଚାଲିଲା। ହାତୀ ପିଠିରେ ଜଙ୍ଗଲ ଭ୍ରମଣର ମଜା କିଛି ଅଲଗା। ଚତୁରାନନ୍ଦ ଭ୍ରମଣର ମଜା ନେଉଥାଏ, ହଠାତ୍ ଏକ କାଠରେ ତିଆରି ବାଘ ଉପରେ ତା’ର ନଜର ପଡ଼ିଲା। ସେହି କାଠବାଘକୁ ଦେଖି ସେ ଆଶ୍ଚର‌୍ୟ୍ୟ ନ ହୋଇ ରହିପାରିଲା ନାହିଁ। ତୁରନ୍ତ ସେ ସେହି କାଠବାଘ ପାଖରେ ଯାଇ ପହଞ୍ଚିଲା। ସେଇ କାଠବାଘଟି ଅବିକଳ ବାଘ ମହାରାଜାଙ୍କ ଭଳି ଦେଖାଯାଉଥିଲା। କାଠବାଘ ହେଲେ ବି ତା’ ଆଖି, ତା’ ଦାନ୍ତ, ତା’ ମୁଖ, ତା’ ଠାଣି ଥିଲା ମହାରାଜା ବ୍ୟାଘ୍ରଙ୍କ ଭଳି ଅବିକଳ। ସେଇ କାଠବାଘଟିକୁ ଯେ କେହି ଦେଖିଲେ ତା’ ମନରେ ମହାରାଜା ବାଘ ବୋଲି ଭ୍ରମ ସୃଷ୍ଟି ହେବା ଥୟ ଓ ସେ ଡରରେ ଥରିବା ମଧ୍ୟ ଥୟ। କାରଣ କାଠବାଘର ରୂପ ଥିଲା ମହାରାଜା ବାଘଙ୍କ ଭଳି ଅତ୍ୟନ୍ତ ଭୟଙ୍କର! ଚତୁରାନନ୍ଦ ସେଇ କାଠବାଘଟିକୁ ସାଥିରେ ରାଜାଙ୍କ ଗୁମ୍ଫାକୁ ନେବାପାଇଁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା। ତା’ପରେ ଚତୁରାନନ୍ଦ କର୍ମଚାରୀମାନଙ୍କ ସହ ମହାରାଜା ବ୍ୟାଘ୍ରଙ୍କ ଗୁମ୍ଫା ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବାକୁ କହିଲା। ବାଟରେ ଦେଖାଗଲା ଅନେକ ପଶୁ ଏକ ସ୍ଥାନରେ ସମାବେଶ ହୋଇଛନ୍ତି। ସମସ୍ତେ ସ୍ତବ୍ଧ ଓ କାହାରି ପାଟିରୁ ଶବ୍ଦଟିଏ ବାହାରୁନି। ଚତୁରାନନ୍ଦ ହାତୀ ପିଠିରେ ଫେରୁଥିବାର ଦେଖି ସମସ୍ତେ ନତମସ୍ତକ ହୋଇ ମୁଣ୍ଡିଆ ମାରୁଥାଆନ୍ତି। ଘୋଡ଼ାଠୁ ସିଂହ ପର‌୍ୟ୍ୟନ୍ତ ସମସ୍ତେ ବଳଶାଳୀ ଜୀବ ଚତୁରାନନ୍ଦଙ୍କର କାର‌୍ୟ୍ୟରେ ଲାଗିପଡ଼ିଲେ ଯେପରି ତା’ର ଯିବା ରାସ୍ତାରେ କୌଣସି ଅବରୋଧ ନହେଉ। ବନାନୀ ଜଙ୍ଗଲର ପ୍ରଜାବୃନ୍ଦଙ୍କ ଅଭିବାଦନ ଗ୍ରହଣ କରି ଆତ୍ମତୃପ୍ତିରେ ଫାଟି ପଡ଼ୁଥିଲା ଚତୁରାନନ୍ଦ। ସେଇ ରାସ୍ତାକଡ଼ର ଏକ ବିରାଟ ବୃକ୍ଷର ଡାଳରେ ସେଇ ଜିରାଫ୍‌ଟିର ବେକକୁ ବାନ୍ଧି ରଶିରେ ଝୁଲାଇ ଦିଆଯାଇଥିଲା। ଚତୁରାନନ୍ଦଙ୍କ ଭୃତ୍ୟ ଓ ଚାଟୁକାରମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ତାକୁ ଆକ୍ରମଣ କରୁଥାଆନ୍ତି। କେହି କେହି ଚାଟୁକାର ଚତୁରାନନ୍ଦଙ୍କୁ ସନ୍ତୋଷ କରିବା ପାଇଁ ପଥର ଢେଲାମାନ ଫିଙ୍ଗି ଜିରାଫ୍‌ଟିକୁ ରକ୍ତାକ୍ତ କରୁଥାଆନ୍ତି। ଚତୁରାନନ୍ଦ ସେଠି ଅଟକି ଯାଇ ସେଇ ଜିରାଫ୍ ମୃତ୍ୟୁର ବୀଭତ୍ସ ଦୃଶ୍ୟକୁ ମୁଚୁକୁନ୍ଦିଆ ହସରେ ଅବଲୋକନ କଲା। ସମସ୍ତ ପ୍ରଜା ଏକ ସ୍ୱରରେ ଚତୁରାନନ୍ଦଙ୍କ ଜୟ ଜୟ ଗାନ କରି କହିଉଠିଲେ;
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ କି ଜୟ!
ବିଚରା ଜିରାଫଟି ଯନ୍ତ୍ରଣାରେ ଛଟପଟ ହୋଇ ଶେଷନିଃଶ୍ୱାସ ତ୍ୟାଗ କଲା। ତା’ପରେ ଉପସ୍ଥିତ ସକଳ ପଶୁ ପୁଣି ଏକ ସ୍ୱରରେ ଜୟ ଧ୍ୱନି କଲେ;
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ ଗୁମ୍ଫାକୁ ଫେରିବା ମାତ୍ରେ ସେଇ କାଠବାଘକୁ ଗୁମ୍ଫାର ଠିକ୍ ପ୍ରବେଶ ପଥ ସାମ୍ନାରେ ସ୍ଥାପନ କଲା। ପଶୁ ମହାସଭା ଡକାଇ ଘୋଷଣା କରି କହିଲା;
ମହାରାଜା ବାଘ,
ତାଙ୍କ ଭଳି ଅବିକଳ କାଠବାଘ ଦେଖି
ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି!
ତୁରନ୍ତ ଗୁମ୍ଫା ସାମ୍ନାରେ
ସେହି କାଠବାଘକୁ
ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଲେ।
ଏଣୁ ସେଇ କାଠବାଘଟିକୁ
ତାଙ୍କ ଗୁମ୍ଫା ସାମ୍ନାରେ ସ୍ଥାପନ କରାଗଲା!
ଏଇ କାଠବାଘର ଦର୍ଶନ ଅର୍ଥ
ସ୍ୱୟଂ ମହାରାଜାଙ୍କ ଦର୍ଶନ!
ପ୍ରଜାଗଣ ମଧ୍ୟ ଅତ୍ୟନ୍ତ ଆନନ୍ଦିତ ହୋଇ ବେଲଗାମ କରତାଳି ବର୍ଷଣ କରି ଚତୁରାନନ୍ଦଙ୍କୁ ଆପ୍ୟାୟିତ କରିବାକୁ ଲାଗିଲେ। ତା’ପରେ ଚତୁରାନନ୍ଦ ନିଜ ଚତୁରାମି ଦେଖାଇ କହିଲା;
ପ୍ରିୟ ବନ୍ଧୁଗଣ!
କେବଳ ଏତିକିରେ ମହାରାଜ ସନ୍ତୁଷ୍ଟ ନୁହନ୍ତି!
ମହାରାଜା ନିର୍ଦ୍ଦେଶ ଦେଇଛନ୍ତି
ସାରା ବନାନୀର ରାଜରାସ୍ତା, ଗଳିକନ୍ଦି
ସବୁ ଛକ ସ୍ଥାନମାନଙ୍କରେ
ଏମିତି ନିଖୁଣ କାଠବାଘମାନ
ତୁରନ୍ତ ସ୍ଥାପନ କରିବାକୁ ହେବ।
ଭକୁଆ ପ୍ରଜାବୃନ୍ଦ ତାଳିରେ ପୋତି ପକେଇଲେ। ପୁଣି ଶୁଭିଲା ଜୟ ଜୟ ଧ୍ୱନିର ସ୍ୱର;
ମହାରାଜ କି ଜୟ!
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ ପୁଣି ତାଙ୍କ ଚତୁରାମି ଦେଖାଇ କହିଲା;
ବାଘ ମହାରାଜଙ୍କ ନିର୍ଦ୍ଦେଶ
ଯେଉଁ ଅଞ୍ଚଳରେ
ଅବିକଳ କାଠବାଘ
ସ୍ଥାପନ ହୋଇ ନଥିବ!
ସେ ସ୍ୱୟଂ ସେଠାକୁ ଯାଇ
ଶିକାର କରିବେ।
ସେ ଅଞ୍ଚଳର ସମସ୍ତ ଜୀବଙ୍କୁ
ଗୋଟି ଗୋଟିକରି ଖୋଜିଖୋଜି ମାରିବେ,
ଏମିତି ସେମିତି ମରଣ ନୁହେଁ!
କେମିତି ମାରିବେ ଆପଣମାନେ ଜାଣିଛନ୍ତି ତ?
ତାଙ୍କର ମୁନିଆ ଦାନ୍ତରେ ତଣ୍ଟିକୁ କାମୁଡ଼ି
ଘୋଷାରି ଘୋଷାରି ମାରିବେ!
ଚତୁରାନନ୍ଦଙ୍କ ମୁଖରୁ ନିଜ ନିଜର ମୃତ୍ୟୁର ଧାରା ବିବରଣୀ ଶୁଣି ଭକୁଆ ପଶୁଗଣ ତାଳି ବର୍ଷଣ ପୂର୍ବକ ତା’ର ଜୟ ଜୟ ଗାନ କଲେ। ଚତୁରାନନ୍ଦ ତୁରନ୍ତ ପୁଣି ଘୋଷଣା କଲେ;
ଭାଇ ଓ ଭଉଣୀମାନେ
ଆପଣମାନେ ଜାଣନ୍ତି!
ମହାରାଜ କଥା ନୁହେଁ
କାମରେ ବିଶ୍ୱାସ ରଖନ୍ତି।
ସେ କମ୍ କୁହନ୍ତି
ମାତ୍ର କରନ୍ତି ବେଶୀ!
ଆଉ ଯେଉଁ କଥା କୁହନ୍ତି
ସେ କାର‌୍ୟ୍ୟ ନିଶ୍ଚୟ କରନ୍ତି।
ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ କରନ୍ତି!
କାରଣ ସେ ଖୁବ୍ ସମୟାନୁବର୍ତ୍ତୀ।
ବର୍ତ୍ତମାନ ମହାରାଜା ନିର୍ଦ୍ଦେଶ ଦେଇଛନ୍ତି;
ଅବିକଳ କାଠବାଘମାନ
ଏକମାସ ମଧ୍ୟରେ ସବୁ ସ୍ଥାନରେ
ସ୍ଥାପନ ହେବା ନିହାତି ଦରକାର!
ପୁଣି ମହାରାଜାଙ୍କ ନିର୍ଦ୍ଦେଶ:
ଠିକ୍ ଏକମାସ ପରେ
ମୁଁ ସଂପୂର୍ଣ୍ଣ ବନାନୀ ଜଙ୍ଗଲକୁ
ହାତୀ ପିଠିରେ ବସି ପରିକ୍ରମା କରିବି!
ଯେଉଁଠି କାଠବାଘ ସ୍ଥାପନ ହୋଇନଥିବ
ସେଠାକୁ ସ୍ୱୟଂ ମହାରାଜ ବାଘ ଯିବେ
ତା’ପରେ ସେଇ ଅଞ୍ଚଳର ଅବସ୍ଥା କ’ଣ ହେବ
ଆପଣମାନେ ଭଲ ଭାବରେ ଜାଣନ୍ତି!
ଅବଶ୍ୟ ପ୍ରଜାମାନେ ଭୟଭୀତ ଥିଲେ, ମାତ୍ର ଚତୁରାନନ୍ଦକୁ ସମର୍ଥନ ଜଣାଇ ଏକସ୍ୱରରେ ଜୟ ଜୟ ଗାନକରି କହିଉଠିଲେ;
ମହାରାଜ କି ଜୟ!
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦ ଏମିତି କାଠବାଘମାନ ସ୍ଥାପନ କରିବାର ଭିତିରି ଉଦ୍ଦେଶ୍ୟ ଥିଲା ଭିନ୍ନ। ସେ ଭଲଭାବରେ ଜାଣେ;
ତା’ ଶାସନର ଭିତ୍ତିଭୂମି କେବଳ ଭୟ!
ମହାରାଜ ବ୍ୟାଘ୍ରଙ୍କ ଆତଙ୍କ ଓ ଭୟ!
ମହାରାଜ ବ୍ୟାଘ୍ର ଏବେ ବୃଦ୍ଧ ପୁଣି ଦୁର୍ବଳ
ତାଙ୍କର ଭୟ ପ୍ରଜାମାନଙ୍କ ମନରୁ ତୁଟିଗଲେ,
ପାୱାର ହାଉସ୍ ରଙ୍ଗ ଫିକା ପଡ଼ିଯିବ,
ପାୱାର ହାଉସ୍ ରଙ୍ଗ ଫିକା ପଡ଼ିଗଲେ
ତା’ ଦେହରେ ଲାଗିଥିବା
କ୍ଷମତାର ରଙ୍ଗ ବି ଫିକା ପଡ଼ିଯିବ!
ତା’ ଦେହର ରଙ୍ଗ ଫିକା ପଡ଼ିଗଲେ
ସବୁଖେଳ ସରିବା ଥୟ!
ଏଣୁ କଳେବଳେ କୌଶଳେ
ପ୍ରଜାମାନଙ୍କ ମନରେ ଭୟ ସୃଷ୍ଟିକରି
ତା’ ପାଇଁ ପାୱାର ହାଉସ୍‌ର
ରଙ୍ଗକୁ ଗାଢ଼ କରିବାକୁ ହେବ!
ଏଣୁ ସେ ଏଭଳି ଏକ ଅଭିନବ ଉପାୟ ବାହାର କରି ସାରା ବନାନୀରେ ଅବିକଳ ରାଜା ବାଘଙ୍କ ଭଳି କାଠବାଘମାନ ସ୍ଥାପନ କରିବାକୁ ଚାହେଁ। ମହାରାଜ ବ୍ୟାଘ୍ରଙ୍କ ଭୟ ବନାନୀର ପ୍ରତି ଗଳି କନ୍ଦିରେ ଥିବା ଛୋଟଠୁ ବଡ଼ ସମସ୍ତ ପ୍ରାଣୀଙ୍କ ମନରେ ସୃଷ୍ଟି କରିବାକୁ ଚାହେଁ।
ଠିକ୍ ଏକମାସ ପରେ ଚତୁରାନନ୍ଦ ହାତୀ ପିଠିରେ ବସି ରାଜକର୍ମଚାରୀଙ୍କ ସହ ବନାନୀ ଭ୍ରମଣରେ ବାହାରିଲା। ସବୁଠି ତାଙ୍କୁ ଅଧିକରୁ ଅଧିକ ଭବ୍ୟ ସମ୍ବର୍ଦ୍ଧନା ଦେଖିବାକୁ ମିଳିଲା। ସେ ସବୁଠି ବାଘ ମହାରାଜାଙ୍କ ଭଳି ଅବିକଳ ଭୟଙ୍କର କାଠବାଘମାନ ଦେଖି ଅତ୍ୟନ୍ତ ଖୁସି ହେଉଥିଲେ। ପୁଣି ସବୁ କାଠବାଘ ସହ ତା’ ଭଳି ମୁଚୁକୁନ୍ଦିଆ ହସ ମୁଖା ଅବିକଳ କାଠବିଲୁଆଟିଏ ସ୍ଥାପନ ହେବାର ଦେଖି ଆନନ୍ଦରେ ଗଦ୍ ଗଦ୍ ହେଉଥିଲା। ସବୁ ସ୍ଥାନରେ ଚତୁରାନନ୍ଦର ଜୟ ଜୟ ଗାନ। ପଶୁଗଣ ଏକ ସ୍ୱରରେ ତଣ୍ଟି ଫଟେଇ ଗର୍ଜୁଥାଆନ୍ତି;
ମହାରାଜ କି ଜୟ!
ଚତୁରାନନ୍ଦ କି ଜୟ!
ଚତୁରାନନ୍ଦଙ୍କ ଶାସନ ଆଗେଇ ଚାଲିଲା। କିଛି ବଳିଷ୍ଠ ଜୀବ ବଳି ପଡ଼ୁଥାନ୍ତି ତ କିଛି ବଳିଷ୍ଠ ଜୀବ ନିଜ ସୁଖ ସୁବିଧା ପାଇଁ ଭୃତ୍ୟ ପାଲଟି ଚାଟୁକାର ସାଜୁଥାଆନ୍ତି। ଦେଶୀ ବିଲୁଆଙ୍କ ମଧ୍ୟରୁ କିଛି ନିଜ ସ୍ୱାଭିମାନ ଓ ଅସ୍ମିତା ପାଇଁ ମୃତ୍ୟୁକୁ ବରଣ କରିନିଅନ୍ତି। ପୁଣି କିଛି ଚାଟୁକାର ସାଜି ରାଜକର୍ମଚାରୀଙ୍କ ମଧ୍ୟରେ ଥିବା ଶ୍ରେଷ୍ଠ ପଦବୀମାନ ହାତେଇ ନିଜକୁ ସର୍ବଶକ୍ତିମାନ୍ ଭାବନ୍ତି। ମାତ୍ର ବନାନୀର ସମସ୍ତ ପ୍ରଜା ଜାଣନ୍ତି; ଏଠି କେବଳ ପାୱାର ହାଉସ୍ ବିଲୁଆମାନେ ହିଁ ସର୍ବଶକ୍ତିମାନ୍‌!
ଚତୁରାନନ୍ଦ ଏମିତି ତାଙ୍କ ଶାସନ ଅବ୍ୟାହତ ରଖିଥାଏ। ମଝିରେ ମଝିରେ ଅନେକ ଅଭିନବ ଯୋଜନା ଓ ପରିକଳ୍ପନାମାନ ପ୍ରୟୋଗକରି ଦୁର୍ବଳ ଓ ଛୋଟ ଛୋଟ ଜୀବଗୁଡ଼ାଙ୍କୁ ଆପ୍ୟାୟିତ କରି ନିଜ ପକେଟରେ ପୂରାଏ। ସେଇ ଜୀବମାନଙ୍କ ମୁଖମଣ୍ଡଳରୁ ଚତୁରାନନ୍ଦର ଜୟ ଜୟ ଗାନର ସ୍ୱର ସାରା ବନାନୀକୁ ପ୍ରକମ୍ପିତ କରେ। ସେଇ ସ୍ୱର ଶୁଣି ଦେଶୀ ବିଲୁଆଠୁ ଆରମ୍ଭ କରି ସିଂହ ପର‌୍ୟ୍ୟନ୍ତ ସମସ୍ତ ବଳିଷ୍ଠ ପଶୁ ଆତଙ୍କିତ ହୁଅନ୍ତି ଏବଂ ତାଙ୍କର ବିରୋଧ କରିବା ପାଇଁ କେହି କେବେ ସାହସ ଜୁଟାଇ ପାରନ୍ତି ନାହିଁ।
ଏମିତିରେ ଅନେକ ବର୍ଷ ବିତିଯାଏ। ସବୁଦିନ ଚାରିପାଞ୍ଚ ହରିଣ, ଠେକୁଆ, ବ୍ୟାଘ୍ର ମହାରାଜାଙ୍କ ଖାଦ୍ୟ ପାଇଁ ପ୍ରେରଣ କରାଯାଏ। ସେଇ ସବୁ ଜୀବରୂପୀ ଖାଦ୍ୟମାନେ ଗୁମ୍ଫା ମଧ୍ୟକୁ ଯାଆନ୍ତି, ମାତ୍ର ଆଉ ଫେରନ୍ତି ନାହିଁ। ଏଥିରୁ ସ୍ପଷ୍ଟ ହୁଏ ଯେ ମହାରାଜ ବ୍ୟାଘ୍ର ଏବେବି ଜୀବିତ। ଏମିତିରେ ଗୁମ୍ଫାର ଚତୁଃପାଶ୍ୱର୍ରେ ଅସ୍ତ୍ରଶସ୍ତ୍ରଧାରୀ ଅନେକ ସୁରକ୍ଷାକର୍ମୀ ସାଜିଛନ୍ତି ସିଂହ, ବାଘ, ହାତୀ ଓ ଘୋଡ଼ା। କାହାର ବା ଜୀବନକୁ ଡର ନାହିଁ ଯେ ସେ ଗୁମ୍ଫା ଭିତରକୁ ନିରୀକ୍ଷଣ କରିବ। ପୁଣି ଗୁମ୍ଫା ସାମ୍ନାରେ ଭୟଙ୍କର ଦିଶୁଥିବା କାଠବାଘ! ସେଇ କାଠବାଘର ଆଁକୁ ଚାହିଁଲେ ଛାତିରେ ଛାନିଆ। ସାରା ବନାନୀର ଅବସ୍ଥା ଏକପ୍ରକାର, ଯେଉଁଠି ଦେଖିବ ସେଇଠି ଭୟଙ୍କର କାଠବାଘମାନ ଆଁ କରି ଠିଆ ହେଇଛନ୍ତି।
କିଛି ଦେଶୀ ବିଲୁଆଙ୍କୁ ଏସବୁ ଖୁବ୍ ବାଧିଲା। ସେମାନେ ମିଶି ମହାରାଜା ବାଘଙ୍କ ଗୁମ୍ଫାର ଖୁବ୍ ଦୂରରୁ ଗୋପନରେ ସୁଡ଼ଙ୍ଗଟିଏ ଖନନ କରିବା ଆରମ୍ଭ କଲେ। ବର୍ଷ ବର୍ଷ କଠିନ ପରିଶ୍ରମ କରି ଏବଂ ଅନ୍ୟ ଜଙ୍ଗଲର ପଶୁମାନଙ୍କ ସହାୟତା ନେଇ ପ୍ରାୟ ଗୋଟିଏ ଯୁଗ ପରେ ଗୁମ୍ଫା ମଧ୍ୟକୁ ଏକ ସୁଡ଼ଙ୍ଗ ଖନନ କରିବାରେ ସଫଳ ହେଲେ। ଦେଶୀ ବିଲୁଆମାନେ ସୁଡ଼ଙ୍ଗ ମଧ୍ୟରେ ପ୍ରବେଶ କରି ଦେଖିଲେ, ଗୁମ୍ଫାର ପ୍ରବେଶ ପଥରେ ଗୋଟିଏ କରତ ଲାଗିଛି। ଗୁମ୍ଫାକୁ ଯେଉଁ ଜୀବ ପ୍ରବେଶ କରେ ସେଇ କରତ ଅଟୋମ୍ୟାଟିକ୍ ତା’ ଗଣ୍ଡିମୁଣ୍ଡ ଅଲଗା କରିଦିଏ। ସେଇ ଜୀବସବୁକୁ ପ୍ରଥମେ ପାୱାର ହାଉସ୍ ବିଲୁଆମାନେ ଭକ୍ଷଣ କରନ୍ତି। ପୁଣି ସେଇ ଗୁମ୍ଫାରୁ ପଲାସା ଜଙ୍ଗଲକୁ ଏକ ବିରାଟ ସୁଡ଼ଙ୍ଗ ଖନନ ହୋଇଛି। ସେଇ ସୁଡ଼ଙ୍ଗ ଦେଇ ଖାଦ୍ୟ ଓ ଧନ ରତ୍ନ ଲୁଟ୍ ଚାଲିଛି। ତା’ପରେ ଗୁମ୍ଫା ଭିତରେ ଅଛି ଆଉ ଏକ ଭୟଙ୍କର ରୂପଧାରୀ କାଠବାଘ। ମହାରାଜା ବାଘଙ୍କର କେବେଠାରୁ ଯେ ମୃତ୍ୟୁ ଘଟିଲାଣି ତା’ର କିଛି ଠିକଣା ନାହିଁ। କେବଳ ପଡ଼ିରହିଛି ମହାରାଜା ବ୍ୟାଘ୍ରଙ୍କ କେଇ ଖଣ୍ଡ ଅସ୍ଥି ଓ କଙ୍କାଳର ଅବଶେଷ।
ଗୁମ୍ଫାର ଏଭଳି ଅବସ୍ଥା ଦେଖି ହୁକେ ହୋ ହୁକେ ହୋ ହୋଇ ଭୁକିଲେ ଦେଶୀ ବିଲୁଆଗଣ। ତାଙ୍କ ଭୁକିବା ଶବ୍ଦ ସାରା ବନାନୀକୁ ପ୍ରକମ୍ପିତ କଲା। ବନାନୀର ସକଳ ଜୀବ ଆସି ଗୁମ୍ଫା ସାମ୍ନାରେ ରୁଣ୍ଡ ହେଲେ। ମାତ୍ର ଆସିଲେ ନାହିଁ ଚତୁରାନନ୍ଦ ଓ ତାଙ୍କର ସାଥୀବୃନ୍ଦ। କାରଣ ସେମାନେ ତ ଆଉ ନୀଳବର୍ଣ୍ଣ ଶୃଗାଳ ନୁହନ୍ତି ଯେ ଦେଶୀ ବିଲୁଆଙ୍କ ହୁକେ ହୋ ଶବ୍ଦରେ ହୁକେ ହୋ କରି ଭୁକିବେ! ସେମାନେ ହେଉଛନ୍ତି ପାୱାର ହାଉସ୍ ବିଲୁଆ, ପୁଣି ଖୁବ୍ ଚତୁର। ସେମାନେ ଖନନ କରିଥିବା ସୁଡ଼ଙ୍ଗ ଦେଇ ନିଜର ପଲାସା ଜଙ୍ଗଲକୁ ପଳାୟନ କଲେ।
ଅଖଣ୍ଡ ବନାନୀ ଜଙ୍ଗଲର ସମସ୍ତ ପଶୁ ରାଗରେ ଜର୍ଜରିତ ହୋଇ କାଠବାଘକୁ ଭାଙ୍ଗି ଧ୍ୱଂସ କରିବାକୁ ଅଗ୍ରସର ହେଲେ। ଦୀର୍ଘଦିନ ଧରି ଦ୍ୱାରପାଳ ସାଜିଥିବା ସିଂହଟି ସମସ୍ତଙ୍କୁ ଅଟକାଇ ସମ୍ବୋଧନ ପୂର୍ବକ କହିଲା;
ବନ୍ଧୁଗଣ!
ଆପଣମାନେ କ’ଣ ଭାବୁଛନ୍ତି
ଆମମାନଙ୍କର ପରାଧୀନତା ପାଇଁ
ଆମମାନଙ୍କ ସ୍ୱାଭିମାନ
ଓ ଅସ୍ମିତାର ସଂକଟ ପାଇଁ
ଚତୁରାନନ୍ଦ ଭଳି ପାୱାର ହାଉସ୍‌ର ବିଲୁଆ ଦାୟୀ?
ଆଉ ଏଇ କାଠବାଘ ଦାୟୀ?
ନା!
ନା ବନ୍ଧୁଗଣ!
ଏଥିପାଇଁ କେବଳ ଆମମାନଙ୍କର ନିରବତା ହିଁ ଦାୟୀ!
ରାଷ୍ଟ୍ର ଖଳମାନଙ୍କ ଅତ୍ୟାଚାରରେ
ନଷ୍ଟ ହୁଏନା
ନଷ୍ଟ ହୁଏ ଭଲମାନଙ୍କ ନିରବତା ପାଇଁ!
ଆଜିଠାରୁ ଏଇ କାଠବାଘ ହିଁ
ଆମକୁ ଉଚିତ ଶିକ୍ଷା ଦେବ!
ଆମ ଭବିଷ୍ୟତ ପିଢ଼ିକୁ
ମାର୍ଗ ଦର୍ଶନ କରାଇବ!
ସମସ୍ତ ବନାନୀବାସୀ ଏକ ସ୍ୱରରେ କହିଉଠିଲେ;
କାଠବାଘ – ଜିନ୍ଦାବାଦ୍‌!
କାଠବାଘ – ଜିନ୍ଦାବାଦ୍‌!
——-=——=——

ଅଜୟ କୁମାର ମହାପାତ୍ର

୪୪, କୋଶାମ୍ବି ଭିଲ୍ଲା, ବୈରାଗୀନଗର,
ଝାରପଡ଼ା, ଭୁବନେଶ୍ୱର – ୭୫୧୦୦୬
ଫୋନ୍‌-୯୪୩୭୧୭୯୦୨୫

++++++++++++//++++++++++++

ଆଗରୁ କଣ ପଢିଥିଲେ? ଦେଖନ୍ତୁ…

// TATKAL STORY TELLER//

ଅଜୟ କୁମାର ମହାପାତ୍ରଙ୍କ ନିଚ୍ଛକ ଗପ -କାଠ ବାଘ -2

Leave A Reply

Your email address will not be published.