ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘କାଠ ବାଘ'(ଏକ)

0

++++++++++++++++++++++++++++++++++

କାଠ ବାଘ ଗୋଟିଏ ସତ୍ୟ ଆଧାରିତ ଏକ ‘କାଳ୍ପନିକ’କାହାଣୀ I ଚରିତ୍ରସବୁ ବି ସମ୍ପୂର୍ଣ୍ଣ କାଳ୍ପନିକ I ଯଦି କାହା ସହ କିଛି ଚରିତ୍ରର ସାମଞ୍ଜସ୍ୟ ରହେ, ନିଜ ଦେହକୁ ନେବେ ନାହିଁ I ତାହାଲେ..ଆସନ୍ତୁ ‘କ୍ରମଶଃ ଭାବେ’ ଚାରୋଟି କାହାଣୀ ପଢ଼ି ମଜା ନିଅନ୍ତୁ “- ସମ୍ପାଦିକା

+++++++++++++++++++++++++++++++++

କାଠବାଘଏକ

  • ଅଜୟ ମହାପାତ୍ର
    ବନାନୀ ନାମକ ଏକ ବିରାଟ ଜଙ୍ଗଲ ଥିଲା। ଜଙ୍ଗଲଟି ଅନେକ ପାହାଡ଼, ପର୍ବତ, ଝରଣା ଓ ଗଛଲତାରେ ପରିପୂର୍ଣ୍ଣ ଥିଲା। ଜଙ୍ଗଲଟିରେ ଅନେକ ଜାତି ପ୍ରଜାତିର ପଶୁପକ୍ଷୀ ବସବାସ କରୁଥିଲେ। ହରିଣ, ବିଲୁଆଠୁ ଆରମ୍ଭ କରି ହାତୀ, ଘୋଡ଼ା, ସିଂହ ପର୍ଯ୍ୟନ୍ତ ପଶୁମାନେ ଭରି ରହିଥିଲେ। ସେହି ଜଙ୍ଗଲରେ ଗୋଟିଏ ମାତ୍ର ମହାବଳ ବାଘ ଥିଲା।
  • ମହାବଳ ବାଘଟି ଦେଖିବାକୁ ଖୁବ୍ ହୃଷ୍ଟପୁଷ୍ଟ ଓ ଭୟଙ୍କର ଥିଲା। ମହାବଳ ବାଘକୁ ହରିଣଠୁ ସିଂହ ପର୍ଯ୍ୟନ୍ତ ସମସ୍ତ ପ୍ରାଣୀ ଦେଖିବା ମାତ୍ରେ ଭୟରେ ଥରୁଥିଲେ। ମହାବଳ ବାଘଟି ଅନ୍ୟ ପଶୁମାନଙ୍କୁ ଖୁବ୍ ନିର୍ମମ ଭାବରେ ମାରେ। ଖାଇବା ପାଇଁ ତା’ର ଆବଶ୍ୟକତା ଥାଉ ବା ନଥାଉ ସେ ପଶୁମାନଙ୍କୁ ଶିକାର କରିବାକୁ ଖୁବ୍ ଭଲପାଏ। ମହାବଳ ବାଘଟି ଥିଲା ସେହି ବନାନୀ ଜଙ୍ଗଲର ରାଜା। ସମସ୍ତ ପଶୁ ଡରରେ ତାକୁ ସମ୍ବୋଧନ କରନ୍ତି: ମହାରାଜା।
  • ବନାନୀ ଜଙ୍ଗଲକୁ ଲାଗି ଅନେକ ପଡ଼ୋଶୀ ରାଜ୍ୟର ଜଙ୍ଗଲମାନ ମଧ୍ୟ ଥିଲା। ପଡ଼ୋଶୀ ଜଙ୍ଗଲ ଭିତରୁ ପଲାସା ନାମକ ଏକ ଜଙ୍ଗଲ ଥିଲା ଅତି ନିକଟତର। ପଲାସା ଜଙ୍ଗଲରେ ଅନେକ ପାହାଡ଼ ପର୍ବତ ଥିଲେ ହେଁ ଘଞ୍ଚ ଜଙ୍ଗଲର ଖୁବ୍ ଅଭାବ ଥିଲା। ଏଣୁ ପଲାସା ଜଙ୍ଗଲରେ ଅନେକ ସମୟ ଖାଦ୍ୟର ଘୋର ଅଭାବ ପରିଲକ୍ଷିତ ହୁଏ। ବନାନୀ ଜଙ୍ଗଲଟି ପ୍ରାକୃତିକ ପରିବେଶ ଓ ଖାଦ୍ୟପେୟ ଦୃଷ୍ଟିରୁ ଖୁବ୍ ସମୃଦ୍ଧ ଥିବାରୁ ପଡ଼ୋଶୀ ପଶୁମାନେ ମଝିରେ ମଝିରେ ବନାନୀ ଜଙ୍ଗଲାଭିମୁଖୀ ହୋଇଥାଆନ୍ତି। ପଲାସା ଜଙ୍ଗଲର କେତୋଟି ଚତୁର ବିଲୁଆ ଖୁବ୍ ଚତୁରତାର ସହ ଲୁଚିଛପି ବନାନୀ ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ସେମାନେ ଖାଇପିଇ ଖୁବ୍ ଆନନ୍ଦରେ ବନାନୀ ଜଙ୍ଗଲରେ କାଳାତିପାତ କଲେ।
    ଚତୁର ବିଲୁଆଙ୍କ ମଧ୍ୟରୁ ଗୋଟିଏ ବିଲୁଆ ଅତ୍ୟନ୍ତ ଚତୁର ଥିଲା। ତା’ ନାଁ ଥିଲା ଚତୁରାନନ୍ଦ! ଚତୁରାନନ୍ଦକୁ ପଲାସାରୁ ଆସିଥିବା ଅନ୍ୟସମସ୍ତ ବିଲୁଆ ପ୍ରବଳ ଭକ୍ତି କରନ୍ତି ଓ ତା’ କଥାକୁ ଆଦେଶ ରୂପେ ମାନନ୍ତି। କାରଣ ସେମାନେ ଜାଣନ୍ତି ଚତୁରାନନ୍ଦ କେବଳ ଚତୁର ନୁହେଁ ଅତି ବିଚକ୍ଷଣ ମଧ୍ୟ! ସେମାନେ ଏହି ଚତୁରାନନ୍ଦ ଯୋଗୁଁ ହିଁ ବନାନୀ ଜଙ୍ଗଲ ମଧ୍ୟରେ ପ୍ରବେଶ କରିଛନ୍ତି ଓ ସୁସ୍ୱାଦୁ ବ୍ୟଞ୍ଜନ ଭୋଜନ କରି ଅତି ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି। ଏଣୁ ସେମାନେ ଏହି ଚତୁରାନନ୍ଦଙ୍କ ଅତ୍ୟନ୍ତ ଅନୁଗତ ହୋଇଥିଲେ।
    ଏମିତିରେ କିଛିଦିନ ଚାଲିଗଲା। ଚତୁରାନନ୍ଦ ଚିନ୍ତା କଲା ଛୋଟିଆ ମୋଟିଆ ଶିକାର କରି ଆଉ କେତେଦିନ ଖାଇବା, ଏଣିକି ବଡ଼ ଶିକାର କରିବାକୁ ହେବ। ସେ ଲକ୍ଷ୍ୟକଲା ଜଙ୍ଗଲର ବଡ଼ ଶିକାରୀ ହେଉଛି ସ୍ୱୟଂ ମହାବଳ ବାଘ। ସେ ସେହି ବାଘ ପାଖାପାଖି ରହିବା ଆରମ୍ଭ କଲା। ମହାବଳ ବାଘଟି ଶିକାର ପରେ ଯେତିକି ଇଚ୍ଛା ସେତିକି ଖାଏ, ବାକି ଛାଡ଼ିଦିଏ। ଚତୁରାନନ୍ଦ ମହାବଳ ବାଘ ଛାଡ଼ିଥିବା ବଳକା ମାଂସ ଓ ହାଡ଼ ଚାଟି ଚାଟି ଖାଏ। ପଲାସା ଜଙ୍ଗଲରୁ ଆସିଥିବା ଅନ୍ୟ ସମସ୍ତ ବିଲୁଆଙ୍କୁ ଚତୁରାନନ୍ଦ ଡକେଇଦେଲା। ସେମାନେ ମଧ୍ୟ ମହାବଳ ବାଘର ଉଚ୍ଛିଷ୍ଟ ଭୋଜନ କରି ଖୁବ୍ ଆତ୍ମସନ୍ତୋଷ ଲାଭ କଲେ। ମହାବଳ ବାଘ ପଛେପଛେ ଚତୁରାନନ୍ଦ ଘୂରି ବୁଲିଲା। ଜଙ୍ଗଲର ପଶୁମାନଙ୍କର ମହାରାଜା ବାଘଙ୍କୁ ପ୍ରାଣର ଡର, ମାତ୍ର ଚତୁରାନନ୍ଦ ନାମକ ଛାର ବିଲୁଆଟିଏ ତାଙ୍କ ସହ ଜଙ୍ଗଲରେ ଏତେ ଦିନ ଧରି ସୁରକ୍ଷିତ ବୁଲିବା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କଲା। ଏହି ଘଟଣା ବନାନୀ ଜଙ୍ଗଲରେ ଆସ୍ତେ ଆସ୍ତେ ଏକ ଚର୍ଚ୍ଚାର ବିଷୟ ପାଲଟିଗଲା। ମୂଷାଠୁ ଆରମ୍ଭ କରି ସିଂହ ପର‌୍ୟ୍ୟନ୍ତ ସମସ୍ତେ ଚତୁରାନନ୍ଦଙ୍କ ଦର୍ଶନ ଓ ସାକ୍ଷାତ ଅଭିଳାଷୀ ହେଲେ।
  • ସମସ୍ତେ କେବଳ ଚତୁରାନନ୍ଦଙ୍କ ଆଶୀର୍ବାଦ ଅପେକ୍ଷାରେ। କାରଣ ସେ ହିଁ ମହାରାଜା ବ୍ୟାଘ୍ରଙ୍କ ଏକମାତ୍ର ନିକଟତର ଓ ବିଶ୍ୱସ୍ତ ପଶୁ। ଏଣୁ ଚତୁରାନନ୍ଦଙ୍କର ଯାହା ଉପରେ ଆଶୀର୍ବାଦ ହେବ, ସେ ନିଶ୍ଚୟ ମହାରାଜା ବ୍ୟାଘ୍ରଙ୍କ ଶିକାରରୁ ନିସ୍ତାର ପାଇବ।
  • ଚତୁରାନନ୍ଦ ମହାଚତୁର! ସେ ରାଜା ବ୍ୟାଘ୍ରଙ୍କ ଉଚ୍ଛିଷ୍ଟ ଭୋଜନବେଳେ ତାଙ୍କର ଗୁଣଗାନ କରିବାକୁ ଆଦୌ କାର୍ପଣ୍ୟ କରେ ନାହିଁ। ମହାରାଜ ବ୍ୟାଘ୍ର ଦୀର୍ଘଦିନ ଚତୁରାନନ୍ଦଙ୍କଠାରୁ ନିଜର ପ୍ରଶଂସା ଶୁଣି ଶୁଣି ଅତ୍ୟନ୍ତ ପ୍ରୀତ ହୋଇ ଉଠନ୍ତି। ଚତୁରାନନ୍ଦ ଦିନେ ମହାରାଜ ବ୍ୟାଘ୍ରଙ୍କ ଗୁଣକୀର୍ତ୍ତନ କରି କହିଲା;
  • ବ୍ୟାଘ୍ର ମହାରାଜ!
  • ଆପଣ ଏ ଅଖଣ୍ଡ ବନାନୀ ଜଙ୍ଗଲର ଏକମାତ୍ର ଅପ୍ରତିଦ୍ୱନ୍ଦ୍ୱୀ ରାଜା!
  • ଆପଣଙ୍କ ସମକକ୍ଷ ହେବା ପାଇଁ ଏଯାବତ୍ ଏ ଜଙ୍ଗଲରେ କୌଣସି ଜୀବ ଜନ୍ମହୋଇ ନାହାନ୍ତି!
  • ଏ ବନାନୀ ଜଙ୍ଗଲର ସୃଷ୍ଟି ଆରମ୍ଭରୁ ଆପଣଙ୍କ ଭଳି ପରାକ୍ରମୀ ରାଜା କେବେ ବି ନଥିଲେ
  • ଆଉ ଭବିଷ୍ୟତରେ ଆସିବାର ନାହିଁ!
  • ମହାରାଜ!
  • ଜଣେ ଶାସକ ପାଇଁ ଯେଉଁ ଯେଉଁ ଗୁଣର ଆବଶ୍ୟକତା ଅଛି ସେ ସମସ୍ତ ଗୁଣ ଆପଣଙ୍କ ପାଖରେ ଭରପୂର ଅଛି!
  • ପ୍ରଥମତଃ:
  • ଆପଣଙ୍କ ମହାବଳ ରୂପ!
  • ଆପଣଙ୍କ ଭୟଙ୍କର ଠାଣି!
  • ଯେକୌଣସି ଜୀବ ଆପଣଙ୍କୁ ଦେଖିବା ମାତ୍ରେ ଭୟରେ ତା’ କଲିଜା ଥରିବ!
  • ଦ୍ୱିତୀୟତଃ:
  • ଚୁପ୍‌ଚାପ ଓ ଗମ୍ଭୀରତା!
  • ସମସ୍ତେ ଜାଣନ୍ତି ଗରଜିଲା ମେଘ ବରଷେ ନାହିଁ!
  • ଆମ ବିଲୁଆ ଜାତି ଭଳି ଭୁକିଲେ
  • ଧରାପଡ଼ିବା ସ୍ୱାଭାବିକ ମହାରାଜ!
  • ଯେମିତି ନୀଳବର୍ଣ୍ଣ ଶୃଗାଳ ଧରାପଡ଼ିଥିଲା!
  • ମାତ୍ର ଆପଣ;
  • ସର୍ବଦା ଗମ୍ଭୀର ଓ ଚୁପ୍‌ଚାପ
  • ଯେବେ ତୁଣ୍ଡ ଖୋଲନ୍ତି – ମୁଣ୍ଡ ଗଡ଼େ!
  • ଆପଣ ଗର୍ଜିଲେ ବନାନୀ ପ୍ରକମ୍ପିତ ହୁଏ!
  • ମହାରାଜ!
  • ଡର!
  • କେବଳ ଡର!
  • ଶାସନ ପ୍ରେମରେ ଚାଲେନି ମହାରାଜ,
  • ଶାସନ ଚାଲେ ଡରରେ!
  • ଶାସନ ଚାଲେ କେବଳ କ୍ଷମତାର ଡରରେ!
  • ଆପଣଙ୍କୁ ବନାନୀ ଜଙ୍ଗଲର
  • ପିମ୍ପୁଡ଼ିଠୁ ସିଂହ ପର୍ଯ୍ୟନ୍ତ ସମସ୍ତଙ୍କର କେବଳ ଡର ହିଁ ଡର!
  • ଏହି ଡର ହିଁ
  • ଆପଣଙ୍କୁ କରିଛି ନିଷ୍କଣ୍ଟକ ରାଜା!
  • ଏହି ଡର ହିଁ କରିଛି ଆପଣଙ୍କୁ ଅପ୍ରତିଦ୍ୱନ୍ଦ୍ୱୀ ଏକ ଛତ୍ରପତି ରାଜା!
  • ପୁଣି ଏହି ଡର ହିଁ
  • ଆପଣଙ୍କୁ କରିଛି ରାଜାରୁ ମହାରାଜା!
  • ଚତୁରାନନ୍ଦଙ୍କର ଚାଟୁକଥା ଶୁଣି ମହାରାଜା ବ୍ୟାଘ୍ର ଅତି ଆନନ୍ଦିତ ହେଉଥିଲେ। ଏତିକିବେଳେ ଚତୁରାନନ୍ଦ ମୁଣ୍ଡ ହଲେଇ ହଲେଇ କହିଉଠିଲା;
  • ମହାରାଜ!
  • ଆପଣ ଜଣେ ମହାନ୍ ରାଜା
  • ତଥାପି ଆପଣଙ୍କୁ ସାମାନ୍ୟ ଖାଦ୍ୟ ପାଇଁ
  • ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ୁଛି,
  • ଏଇ କଥାଟା ମୋତେ
  • ସଂପୂର୍ଣ୍ଣ ବିଚଳିତ କରୁଛି ମହାରାଜ!
  • ଏଇ ଅଖଣ୍ଡ ବନାନୀ ଆପଣଙ୍କର
  • ଏଇ ଜଙ୍ଗଲର ସକଳ ଜୀବ ଆପଣଙ୍କର
  • ଆପଣ ପୁଣି ପେଟ ପାଇଁ ଶ୍ରମ କରିବେ?
  • ଠିକ୍ ଏକ ସାଧାରଣ ମୂଲିଆଙ୍କ ଭଳି!
  • ନା!
  • ନା! ମହାରାଜ!
  • ଏସବୁ ଠିକ୍ ନୁହେଁ,
  • ଆଦୌ ଠିକ୍ ନୁହେଁ!
  • ଆମ ପଲାସା ଜଙ୍ଗଲରେ
  • ଏମିତି କଦାପି ହୁଏନା ମହାରାଜ!
  • ଏହା ମହାରାଜାଙ୍କ ପ୍ରତି ଅବମାନନା!
  • ବ୍ୟାଘ୍ର ମହାରାଜା ଆଶ୍ଚର‌୍ୟ୍ୟ ହୋଇ ଚତୁରାନନ୍ଦ ଆଡ଼କୁ ଚାହିଁଲେ। ସେ ଭାବୁଥିଲେ ବିନା ଶିକାରରେ ଖାଦ୍ୟ କେମିତି ମିଳିବ! ଖାଦ୍ୟ କ’ଣ ଆପେ ଆପେ ଖାଦକ ପାଟିରେ ପଶିପାରେ! ଚତୁରାନନ୍ଦ ମହାରାଜା ବ୍ୟାଘ୍ରଙ୍କ ମୁଖମଣ୍ଡଳରୁ ପଢ଼ି ନେଇ କହିଉଠିଲା;
  • ମହାରାଜ!
  • ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
  • ଆପଣ ଜଙ୍ଗଲର ରାଜା
  • ରାଜା ତ ନୁହଁ ମହାରାଜା!
  • ଆପଣ ଚାହିଁଲେ ଅଣ୍ଡାଦେବେ
  • ଆପଣ ଚାହିଁଲେ ଛୁଆ ବି ଜନ୍ମ କରିପାରିବେ,
  • ଆପଣଙ୍କ କ୍ଷେତ୍ରରେ ସବୁ ସମ୍ଭବ!
  • ଆପଣ ଗୁମ୍ଫାରେ ଶୋଇରହିଲେ ମଧ୍ୟ
  • ଖାଦ୍ୟ ଆପେ ଆପେ ଆପଣଙ୍କ ପାଟିରେ ପଶିବ!
  • ଏହା ହେଉଛି ରାଜା – ମହାରାଜା ହେବାର କରିସ୍ମା!
  • ଆମ ଜଙ୍ଗଲରେ ଏମିତି ହିଁ ଚାଲେ ମହାରାଜ।
  • ରାଜା ବାଘ ଚତୁରାନନ୍ଦଙ୍କ କଥା ଶୁଣି ଚକିତ ହୋଇ ପୁଣି ତାକୁ ଚାହିଁଲେ। ଭାବିଲେ, ଏମିତି କ’ଣ ସମ୍ଭବ! ତା’ପରେ ସେ ଏକ ସ୍ମିତ ହସଟିଏ ହସି ଚତୁରାନନ୍ଦଙ୍କୁ ପ୍ରଶ୍ନ କଲେ;
  • ତୁମ କଥା ମୋତେ
  • ଚକିତ କରିଛି ଚତୁରାନନ୍ଦ!
  • ଏସବୁ ମୋତେ କାହାଣୀ ଭଳି ଲାଗୁଛି।
  • ଅସଲରେ ଏମିତି କ’ଣ ସମ୍ଭବ?
  • ଚତୁରାନନ୍ଦ ତୁରନ୍ତ କୋମଳ କଣ୍ଠରେ ଉତ୍ତର ଦେଲେ;
  • କାହିଁକି ସମ୍ଭବ ନୁହେଁ ମହାରାଜ!
  • ଆପଣ ଚାହିଁଲେ ସବୁ ସମ୍ଭବ!
  • ମହାରାଜା ବାଘ ଚକିତର ସହ ପୁଣି ପ୍ରଶ୍ନ କଲେ;
  • କେମିତି?
  • କେମିତି ଏସବୁ ସମ୍ଭବ?
  • ମୋତେ ଖୋଲି କୁହ – ଚତୁରାନନ୍ଦ!
  • ଚତୁରାନନ୍ଦ ବାଘ ରାଜାଙ୍କୁ ତାର ଚତୁରାମିରେ କହିଉଠିଲା;
  • ମହାରାଜ!
  • ଏଥିପାଇଁ ଆପଣଙ୍କୁ ଆଦୌ ପରିଶ୍ରମ କରିବାକୁ ପଡ଼ିବନି!
  • ଆପଣ ସ୍ୱୟଂ ବନାନୀ ଜଙ୍ଗଲର ମହାରାଜା।
  • ଆପଣ କେବଳ ସର୍ବସମ୍ମୁଖରେ ମୋ ପିଠିରେ ଟିକିଏ ହାତ ଥାପୁଡ଼ି ଦେବେ
  • ମଝିରେ ମଝିରେ ମୋର ସାମାନ୍ୟ ତାରିଫ୍ କରିଦେବେ।
  • ତା’ପରେ ଦେଖିବେ ମ୍ୟାଜିକ୍‌!
  • ଆପଣ ଗୁମ୍ଫାରେ ଶୋଇଲେ ବି
  • ଆପଣଙ୍କ ପାଟିରେ ଆପେ ଆପେ
  • ହରିଣ, ଠେକୁଆ ପଶିବାକୁ ବାଧ୍ୟ!
  • ଆପଣ ଚାହିଁଲେ,
  • ଜଙ୍ଗଲର ସିଂହ ଆସି
  • ଆପଣଙ୍କ ସାମ୍ନାରେ ଲାଞ୍ଜ ହଲେଇବ।
  • ହାତୀ, ବାଘ ଓ ଘୋଡ଼ା ଆସି
  • ଆପଣଙ୍କ ଚରଣ ସେବା କରିବେ।
  • ଆପଣଙ୍କର ଯାହା ନିର୍ଦ୍ଦେଶ ହେବ
  • ତାହାହିଁ ଘଟିବ ମହାରାଜ!
  • ଏମିତି ଏକ ପ୍ରସ୍ତାବରେ ମହାରାଜା ବାଘ ଅତ୍ୟନ୍ତ ପ୍ରୀତ ହେଲେ। କୌତୂହଳ ପୂର୍ବକ ବନାନୀ ଜଙ୍ଗଲର ପଶୁପକ୍ଷୀମାନଙ୍କ ସାମ୍ନାରେ ମହାରାଜା ବାଘ ଥରେ ଚତୁରାନନ୍ଦ ପିଠିରେ ହାତ ଥାପୁଡ଼ି କହିଦେଲେ.. (କ୍ରମଶଃ )

Leave A Reply

Your email address will not be published.