ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଉଆଁସୀ କନ୍ୟା”
ଅଗଷ୍ଟ ମାସର ଗଳ୍ପ
*ଉଆଁସୀ କନ୍ୟା*
*****************
ମନୋଜ କୁମାର ମହାପାତ୍ର
****************
ଉର୍ମିଳା ଦେବୀ ନିଜ କକ୍ଷରେ ମିରର ଆଗରେ ଠିଆ ହେଇ ନିଜର ଚେହେରାକୁ ଖୁବ ନିଠେଇ ଦେଖୁଥିଲେ l ଦୁଇ ଦୁଇଟା ଗର୍ଭଧାରଣର ମିଠା-ଖଟା ଅନୁଭୂତିର ସ୍ୱାଦ ଚାଖି ସାରିବା ପରେ ଏଇ ତୃତୀୟ ଗର୍ଭଧାରଣ ପାଇଁ ଏତେ ଚିନ୍ତା ଓ ଆଶଙ୍କା କାହିଁକି ? ପ୍ରତି ମୁହୁର୍ତରେ ତାଙ୍କୁ ନୈରାଶ୍ୟ ଗଳଦଘମ କରୁଛି ? ଓହୋଃ କି ଯନ୍ତ୍ରଣା ସତେ ? ତଥାପି ପୁଅଟିଏ ଦରକାର, ନହେଲେ ପୁତ ନାମକ ରୌରବ ନର୍କରୁ କିଏ ଉଦ୍ଧାର କରିବ ? ପିଣ୍ଡ କିଏ ଦେବ ?
ତାଙ୍କର ଡାକ୍ତର ପତି ସୌମ୍ୟରଞ୍ଜନ ଶତପଥୀ ଚିଗୁଲେଇ ନିଆଁରେ ଘିଅ ଢାଳି କହନ୍ତି - ସତରେ ଉର୍ମିଳା ତୁମକୁ କେମିତି ଆମ ବିଶ୍ଵବିଦ୍ୟାଳୟ ଏମ. ଏସସି ଫିଜିକ୍ସରେ ଗୋଲଡ଼ ମେଡାଲ ଦେଲା ? କି ନର୍କ କି ଶ୍ରାଦ୍ଧ ହୋ ?
ଆଜିକାଲି ପରା ପ୍ରତିକ୍ଷେତ୍ରରେ ପୁଅଙ୍କ ଆଗରେ ଝିଅ l ବିଜ୍ଞାନର ଛାତ୍ରୀ ହେଇ କେମିତି ଏ ଗୁଡାକୁ ବିଶ୍ୱାସ କରୁଛ ? ତା’ବାଦେ ମୋ ସାନ ଭାଇର ଦୁଇଟା ପୁଅ l ସେ ଦୁହେଁ କଣ ତୁମକୁ ନର୍ଜରୁ ଉଦ୍ଧାର କରିବେନି ନା ଶ୍ରାଦ୍ଧ ଦେବେନି ନା ବଂଶ ରକ୍ଷା ହେବନି ? ଯଦିବା ନହେଲା ଆମ ଦୁଇଝିଅ କଣ ସେଇ ପୁଅର କାମ କରିପାରିବେନି ?
ଡାକ୍ତର ସୌମ୍ୟରଞ୍ଜନଙ୍କ ପରାମର୍ଶ କାଲ ଆଗରେ ମୁଳା ଚୋବାଇଲା ଭଳି ଉର୍ମିଳାଙ୍କୁ ଲାଗେ l କେମିତି ଲାଗିବନି ଯେ ? ସେଇ ବୁଢା କାଶିଆ ନାହାକ ଯାହା ତାଙ୍କ ମୁଣ୍ଡ ଭିତରେ ପୂରେଇଛି, ସେଟା ବାହାରିବ ନା ସେ ଆଉ କାହା ପରାମର୍ଶ ଶୁଣିବେ ? ସେଥିପାଇଁ ସ୍ୱାମୀ ବାଧ୍ୟ ହେଇ ଚୁପ ରହନ୍ତି l
ଡାକ୍ତର ଦେଇଥିବା ଡେଲିଭରୀ ତାରିଖଟା ଯେତେ ପାଖେଇ ଆସୁଥାଏ, ସେତେ ମିରର ଆଗରେ ଠିଆ ହେଇ ନିଜର ବର୍ଦ୍ଧିତ ଉଦରକୁ ବାରମ୍ବାର ଚାହାଁନ୍ତି l ଏବଂ ଗୁଣୁଗୁଣୁ ହେଇ ଗ୍ରାମଦେବତୀ କ୍ଷେତ୍ରପାଳଙ୍କୁ ସୁମରି କହନ୍ତି – ମା ଗୋ ଏଥର ପୁଅଟିଏ ଦେ, ଚଇତ ମାସର ପାଟୁଆ ଯାତ୍ରାରେ ନାଲି ଧଡିର ହଳଦିଆ ଶାଢ଼ୀ ଓ ସୁନା ଚିତା ସହିତ କୁମ୍ଭାର ପାଖରୁ ଭଲ ଘୋଡାଟିଏ ଗଢି ତତେ ଦେବି l ଠାକୁରାଣୀଙ୍କ ପାଖରେ ଏଭଳି ଆନ୍ତରିକ ଗୁହାରି ସତ୍ୱେ ଅନିଶ୍ଚିନ୍ତତାର ଉର୍ମିମାଳାରେ ଉଚ୍ଛନ୍ନ ହେବାର ବେଦନା କମୁନଥିଲା l
ମିରରକୁ ଅଶ୍ରୁପୂର୍ଣ୍ଣ ଚକ୍ଷୁରେ ଚାହିଁଥିବା ସମୟରେ ହଠାତ ଶୁଣିଲେ ଡେଣା ଝାଡ଼ିବାର ଫଡଫଡ ଶବ୍ଦ l କୋଠରୀ ଭିତରୁ ବାହାରି ଆସି ଯାହା ଦେଖିଲେ, ସେଥିରେ ସେ ମୂର୍ଛାପ୍ରାୟ ହେଇ ଦୁଲକିନା କାଠ ଚୌକିରେ ବସିପଡିଲେ l ସତେକି ଅଶୁଭ ସଂକେତର ପାହାଡ଼ ତାଙ୍କ ମୁଣ୍ଡ ଉପରେ ଅଜାଡି ପଡିଲା ! ମାଟିଘର ଚାଳଛପର ଘରଖଞ୍ଜାର ପିଢା ଉପରେ ବିଶାଳକାୟ ଫୁଲଶାଗୁଣାଟା ବସିଛି l
ଅଶୁଭ ଆଶଙ୍କା ତାଙ୍କୁ ମାଡି ବସିଲା l ଦେହ ତମାମ ଗମଗମ ଝାଳର ସୁଅ l କିନ୍ତୁ ତଣ୍ଟି ଓ ପାଟିରେ ଅଠା ଚରିଯିବାରୁ କାହାକୁ ଡାକି ନ ପାରି କେବଳ ଉଁ ଉଁ ହେଲେ l କିନ୍ତୁ ତାଙ୍କର ଦୁଇଟିଯାକ ଆଖି ସ୍ଥିର ହେଇ ଚାହିଁଥିଲା ପିଢାରେ ବସିଥିବା ଶାଗୁଣା ଆଡକୁ l
ଶାଶୂ ଦୌଡ଼ି ଆସି ତାଙ୍କ ମୁହଁରେ ପାଣି ଛାଟିବାରୁ ହୋସରେ ଆସି କହିଲେ – ମା ମା ହେଇ ଦେଖ ସେଟା ବସିଛି l ଶାଶୂ ବି ପିଢାରେ ବସିଥିବା ଶାଗୁଣାକୁ ଦେଖି ଚମକି ପଡି କହି ଉଠିଲେ – ହେ ମା ଠାକୁରାଣୀ, ଆଲୋ ଇୟେ ତ ବଡ଼ ଅଶୁଭ ସଂକେତ l ଆଜି ଅମାବାସ୍ୟା ପୁଣି ଶନିବାର !! ଏବେ କଣ ହେବ ଆମ ପରିବାରର ଦଶା ? ଇତ୍ୟବସରେ ଶାଗୁଣାଟା ଉଡି ପଳାଇଲା l
ଶାଶୁଙ୍କର ଏମନ୍ତ ଉଚ୍ଚାରଣ ଉର୍ମିଳାଙ୍କ କ୍ଷତରେ ଲୁଣ ବିଞ୍ଚିଦେଲା l ଯେଉଁ ଟିକକ ଅଶୁଭ ସଂକେତର ବୀଜ ଭାବନାରେ ଫୁଟି ଉଠିଥିଲା, ହଠାତ ଭୟାନକ ଭାବରେ ଶାଖା ପ୍ରଶାଖା ମେଲାଇବାକୁ ଲାଗିଲା l କଥାରେ ଅଛି ବିପର୍ଯ୍ୟୟ ଏକଲା ଆସେନି ସାଙ୍ଗରେ ଆଣେ ଆଉ ଗୋଟିଏ l ଅଶୁଭ ସଂକେତର ଭୟ ଏମିତି ତାଙ୍କୁ ଗୋଟାପଣେ ଗିଳିଲା ଯେ ପ୍ରସବ ବେଦନାରେ ସେ ଅକସ୍ମାତ ଛଟପଟ ହେବାକୁ ଲାଗିଲେ l
ଯାହାହେଉ ଆଶାଦିଦି ପ୍ରସବ କାମଟାକୁ ସହଜରେ ତୁଲାଇ ନେଲେ l ହସପିଟାଲ ନେବାକୁ ପଡିଲାନି l ସେଇ ଦିନ ରାତି ଅଧରେ ଝିଅଟିଏ ଭୂମିଷ୍ଟ ହେଲା l
ଛୁତିକାର ଅଶୁଦ୍ଧ କାଳ ଅତିକ୍ରାନ୍ତେ,ଶାଗୁଣା ପିଢାରେ ବସିଥିବାରୁ ଧାର୍ମିକ ପରମ୍ପରା ଅନୁଯାୟୀ କୁଳ ପୁରୋହିତଙ୍କୁ ଡାକି ରିଷ୍ଟ ଖଣ୍ଡନାର୍ଥେ ହୋମାଦି ପୂଜାକର୍ମ ଅନୁଷ୍ଠାନ କରାଗଲା ଓ ଘର ପିଢାକୁ ପୁରୋହିତ ମାର୍ଜନା କରାଇଲେ l ଘର ପାଖରୁ କିୟତ ଦୂରରେ ଯେଉଁ ତାଳଗଛଟିରେ ଶାଗୁଣା ବସା ବାନ୍ଧିଥିଲେ ତାକୁ ମୂଳରୁ କାଟି ଦିଆଗଲା l
ଯେହେତୁ ଉର୍ମିଳା ପରିବାରର ବଡ଼ବୋହୂ, ସେଥିପାଇଁ ଶାଶୂ,ଶ୍ୱଶୁର, ଯାଆ,ନଣନ୍ଦ,ଦିଅର ଏପରିକି ପିଲାମାନେ ତାଙ୍କୁ ବେଶ ଭଲ ପାଆନ୍ତି l ଝିଅଟିଏ ହେଲା ବୋଲି କାହା ମନରେ ଦୁଃଖ ନାହିଁ କି ଶାଗୁଣା ପିଢାରେ ବସିବାକୁ ନେଇ କାହା ମନରେ ଆଉ ଆଶଙ୍କା ନାହିଁ l କଥାରେ ଅଛି ଚେଇଁ ଶୋଇଥିବ ଯିଏ ତାକୁ ଉଠାଇବ କିଏ ? କିନ୍ତୁ ଉର୍ମିଳାଙ୍କ ମନ ବୁଝୁ ନାହିଁ l ଝିଅର ଜନ୍ମ ଓ ଶାଗୁଣା ପିଢାରେ ବସିବା ଦୁଇଟିଯାକ ଘଟଣା ଶନିବାର ଓ ଅମାବାସ୍ୟା ଥିଲା l ଝିଅଟା କେବଳ ଉଆଁସୀ କନ୍ୟା ନୁହେଁ ବରଂ ଶାଗୁଣାକୁ ନେଇ ଆସିଥିବାରୁ ସେ ପରିବାର ପାଇଁ ଅମଙ୍ଗଳ ହେବ l
ତାଙ୍କର ଏତାଦୃଶ୍ୟ ମନଗଢ଼ା ଚିନ୍ତାଧାରାକୁ ଲକ୍ଷ୍ୟ କରି ଶ୍ୱଶୁର ଯିଏକି ସେବାନିବୃତ୍ତ ହାଇସ୍କୁଲର ସଂସ୍କୃତ ପଣ୍ଡିତ ତଥା ସ୍ୱନାମଧନ୍ୟ ବେଦବିତ ବ୍ରାହ୍ମଣ ବୋହୂକୁ ପ୍ରାୟତଃ ବୁଝାସୁଝା କରି କହନ୍ତି – ଦେଖ ଉର୍ମି ଏ ସବୁ ଅଶାସ୍ତ୍ରୀୟ ଅନ୍ଧ ବିଶ୍ୱାସକୁ ମୁଣ୍ଡରେ ପୁରାଇ ତୁ କେବଳ କଲବଲ ହେବୁ ସିନା ହେଲେ କାହାର କିଛି କ୍ଷତି ହେବନି l ଶାଗୁଣା ତାଳଗଛରେ ବସା ବାନ୍ଧିଥିଲା, କାହଁକି ନା ପାଖରେ ମୂଳିତାଡି ଶ୍ମଶାନ, ସେଠାରେ ଗାଁଟା ଯାକ ମଲା ଗୋରୁ ଗାଈକୁ ଲୋକେ ଫୋପାଡ଼ି ଦିଅନ୍ତି l ଶାଗୁଣା,ବିଲୁଆ ସେଇ ଜାଗାରେ ପଲପଲ ବୁଲନ୍ତି l ଦୈବାତ ସେଠାରୁ ଶାଗୁଣାଟା ଉଡି ଆସି ଆମ ପିଢାରେ ବସିଗଲା,ବାସ ତାପରେ ଉଡ଼ିଗଲା l ସେଥିପାଇଁ ତ ହୋମ ପୂଜାର୍ଚନା କରି ଘରକୁ ମାର୍ଜନା କଲେ,ତାପରେ ପୁଣି ଚିନ୍ତା କାହିଁକି ?
ତା’ବାଦେ ଉଆଁସୀ କନ୍ୟାକୁ ନେଇ ତୋର ଏତେ ଚିନ୍ତା କାହିଁକି ? ତୁ ପରା ଏମ.ଏସସି ପାସ କରିଛୁ l ଉଆଁସ ମାନେ ଅମାବାସ୍ୟା l ଅମାବାସ୍ୟା ତିଥିରେ ଯେଉଁ ଝିଅ ଜନ୍ମ ହୁଏ ତାକୁ ଉଆଁସୀ କନ୍ୟା ଲୋକେ କହନ୍ତି l ସେଥିରେ ଅସୁବିଧା କଣ ? ଶୁଣ ଉର୍ମି,ଦେଖିବୁ ତୋର ତୃତୀୟ ଝିଅ ଏଇ ମୈତ୍ରେୟୀ ଦିନେ ତୋର ବଡ଼ ଝିଅ ଗାର୍ଗୀ ଓ ମଝିଆ ଝିଅ କାତ୍ୟାୟନୀ ଅପେକ୍ଷା ଆମ ବଂଶର ଟେକ ରଖିବ l ସେତେବେଳକୁ ଅବଶ୍ୟ ମୁଁ ନ ଥିବି l
ଗାଡିଆରୁ ବୁର ଆଡେଇ କୂଳରେ ଆଉଜେଇ ଦେଲେ ଯେମିତି ସଫା ଜଳ ଦେଖାଯାଏ, ସେପରି ଶ୍ୱଶୁରଙ୍କ ଯୁକ୍ତି ଦ୍ୱାରା ଉର୍ମି ଅବଶ୍ୟ ପ୍ରଭାବିତ ହେଇ ତାଙ୍କର ମନ ଆଶଙ୍କା-ରହିତ ସ୍ୱଛ ହେଇଯାଏ l କିନ୍ତୁ କୂଳରେ ଆଉଜେଇଥିବା ବୁରଭେଳାକୂ ପୁଣି କିଛି ଘଣ୍ଟା ପରେ ପବନ ସାରା ଗାଡିଆରେ ଖେଳେଇ ଦେଲା ଭଳି, ଉର୍ମିଙ୍କ ମନରେ କେଉଁ କୋଣରେ ଲୁଚିରହିଥିବା ବିତାଡିତ ଭୟ ଓ ଆଶଙ୍କାଟି ପୁଣି ମାଡି ଆସି ତାଙ୍କୁ କଲବଲ କରନ୍ତି l ଯଉଁ କଥାକୁ ସେଇ କଥା l ଏମନ୍ତ ଭୟ ଓ ଆଶଙ୍କାରେ ଛନ୍ଦି ହେଇ ଭାବନ୍ତି ଯେ ମୈତ୍ରେୟୀକୂ ସିନା ବାହା କଲେ ସେ ବିଧବା ହେବ, ମୂଳରୁ ବିବାହ ନ କଲେ ପରପୁଅଟା କାହିଁକି ତା ପାଇଁ ମରିବ ?
ଏଭଳି ଉଦ୍ଭଟ ଭାବନାକୁ ପରିହାସ କରି ତାଙ୍କର ଦିଅର କହନ୍ତି – ବୁଝିଲ ଭାଉଜ, ତୁମର ମସ୍ତିକଟା ସତରେ ଖାଲି ଫିଜିକ୍ସ ବିଦ୍ୟା ଓ ଜ୍ଞାନରେ ପ୍ରଜ୍ବଳିତ ଯେମିତି ସୂର୍ଯ୍ୟ କି ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ନିଷେଧର ପରମ୍ପରାର ଜ୍ଞାନ ଲୋକଙ୍କ ମନକୁ ଖୁବ ପ୍ରଜ୍ବଳିତ କରେ l ହେଇ ଦେଖ ଭାଉଜ, ଗ୍ରହଣବେଳେ ମୋ ଭଳି ଯିଏ ପେଟେ ଖାଇ ହାକୁଟି ମାରେ ତାର ଯେମିତି କିଛି ରୋଗ ବଇରାଗ ନାହିଁ ସେମିତି ଆମ ଝିଅ ମୈତ୍ରେୟୀ l ଦେଖିବ ସେ କେମିତି ସାବିତ୍ରୀ ଭଳି ଅଣ୍ଟା ଭିଡି ତାର ସ୍ୱାମୀକୁ ଯମ ମୁହଁରୁ ଟାଣି ଆଣିବ l
ଯିଏ ଯେତେ କହିଲେ ବି ଉର୍ମିଳାଙ୍କ ମନରୁ ଅଶୁଭ ଖିଆଲଟା ଯାଏନି l ଅଠା ଭଳି ଲାଗିଥାଏ l ଦିନେ ଅତ୍ୟନ୍ତ ଚାପଗ୍ରସ୍ତ ହେଇ ସ୍ୱାମୀଙ୍କୁ କହିଲେ – ଗୋଟେ ଭୟଙ୍କର ସ୍ୱପ୍ନ କାଲି ରାତିରେ ଦେଖିବା ଠାରୁ ମୋତେ କିଛି ଭଲ ଲାଗୁନି l ସାନ ଝିଅଟାକୁ ବି କୋଳରେ ବସାଇ ଟିକେ ଗେହ୍ଲ କରିବାକୁ ମନ ବଳୁନି l
ସ୍ୱାମୀ ସୌମ୍ୟରଞ୍ଜନ ବିରକ୍ତି କଣ୍ଠରେ କହିଲେ – ମଣିଷର ଭାବନା ଯେମିତି ସ୍ୱପ୍ନ ବି ସେମିତି ହେବ l କଣ ଦେଖିଲ କି ?
ଉର୍ମିଳା ଭୟଭୀତ କଣ୍ଠରେ କହିଲେ – କଣ କହିବି ତୁମକୁ ? ତୁମେ ପୁଣି ଥଟ୍ଟା କରିବ କେତେ l ଦେଖିଲି ଗୋଟେ ବଡ଼ ଫୁଲଶାଗୁଣା ପିଠିରେ କାଳୀ ଝିଅଟିଏ ବସି ସାରା ଆକାଶରେ ଚକ୍କର କାଟୁଛି l ଆମ ଦୋଳସାହି କାଳୀ ମେଢ଼ରେ ଯେମିତି ଯୋଗିନୀମାନେ ଭୟଙ୍କର ଦେଖାଯାଆନ୍ତି ସେମିତି ସେଇ ଝିଅଟାର ରକ୍ତ ମାଂସ ଖାଉଥିବାର ବିକଟାଳ ରୂପ l ହାଉଳି ଖାଇ ଉଠି ବସିବାରୁ ଦେଖିଲି ଯେ ମୋ ପାଖରେ ଶୋଇ କୁନି ଝିଅ ମୈତ୍ରେୟୀ ରାତି ଅଧରେ ଗୋଡ଼ ହାତ ଛାଟି ଖେଳୁଛି l
ସୌମ୍ୟରଞ୍ଜନ ହୋ ହୋ ହସିଉଠିଲେ l ଦେଖ ଉର୍ମି ତୁମ ମନ ଭିତରେ ଉଆଁସୀ କନ୍ୟା ଓ ଶାଗୁଣାକୁ ନେଇ ଯେଉଁ ଅମଙ୍ଗଳ ଭାବନା ଜମି ରହିଛି, ତାର ପ୍ରତିଫଳନ ହିଁ ତୁମର ବିକୃତ ସ୍ୱପ୍ନ l ଏହାର ପରିଣାମ ସ୍ୱରୂପ ତୁମେ ତ ଏବେ ମାନସିକ ରୋଗୀ ଭଳି ଭୋଗୁଛ, ଭବିଷ୍ୟତରେ ତମ ଅପେକ୍ଷା ବେଶୀ ଭୋଗିବ ମୈତ୍ରେୟୀ l ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋହିଯାଇଥିବ l ଆଉ ମୈତ୍ରେୟୀ ସତକୁ ସତ ପିତାଶୁଣୀ ହେଇ ରାସ୍ତା ଘାଟରେ ବୁଲୁଥିବ l ହଁ ତୁମକୁ ସତର୍କ କରିଦେଉଛି,ଯଦି ତୁମେ ମୈତ୍ରେୟୀକୁ ପ୍ରାଣ ଭରି ଭଲ ପାଇବ ତେବେ ତୁମର ବିକୃତ ମାନସିକତାର ଅନ୍ତ ଘଟିବ l ଆଉ ମୈତ୍ରେୟୀର ଜୀବନ ଭଲରେ ଗଢି ତୋଳିବ l ଏତକ କହି ସୌମ୍ୟରଞ୍ଜନ ରାଗରେ ତମତମ ହେଇ ଚାଲିଆସିଲେ l
ସୌମ୍ୟରଞ୍ଜନ ଚାଲିଗଲା ପରେ ରୁଗିନାନୀ ଯିଏ ଶିଳରେ ବଡି ପାରିବା ପାଇଁ ବିରି ବାଟୁଥିଲା,ସେ ତତକ୍ଷଣାତ ବିରିବଟା କାମ ଛାଡି କହିଲା – ସୌମ୍ୟରଞ୍ଜନ କଥାଟାକୁ ହେଜିଲୁ ତ ବୋହୂ ? କେଡେ ସୁନ୍ଦର ପରିବାର ତୁମର l ଶାଶୂ, ଶ୍ୱଶୁର, ଦିଅର,ଯାଆ, ନଣନ୍ଦଙ୍କର ସ୍ନେହ ମମତାରେ ତୋର ତିନୋଟି ସୁନାନାକି ଝିଅ ଓ ଦିଅରର ଦୁଇଟି ପୁଅ ହସ ଖୁସିରେ ଗୋଟିଏ ମା ପେଟର କଅଁଳିଆ ଫୁଲକଢି ଭଳି ବଢୁଛନ୍ତି l ଆହାଃ କି ବୈକୁଣ୍ଠ ସମାନ ପରିବାର !! ତଥାପି ମନ ଉଣା କରି ତୁ ଜୀବନ ବଞ୍ଚୁଛୁ? ଛି ଛି ଏଇଟା ତତେ ଶୋଭାପାଉନି l ଆଲୋ ମା କଥାରେ ଅଛି ଯାହା ତ କରିବେ ସାଇଁ ସେ ତ କାହାରି ମନରେ ନାହିଁ l ନଈ ନ ଦେଖୁଣୁ ଲଙ୍ଗଳା କାହିଁକି ?
ସମୟ ତା’ ବାଟରେ ଚାଲି ଯାଉଥାଏ କ୍ଷୀପ୍ର ଗତିରେ, ମଣିଷର ମନ ବି ବଦଳୁଥାଏ ତା’ ବାଟରେ l ପରିବର୍ତନ ସୁଅରେ ପୁରୁଣା ନୂଆ ପାଇଁ ବାଟ ଛାଡିଦେଇ ସୁଅରେ ମିଳେଇ ଯାଉଥାଏ, ନୂଆ ପୁଣି ପୁରୁଣା ହେଇଯାଉଥାଏ l ଶତପଥୀ ପରିବାରର ମୁଖିଆ ଶ୍ୱଶୁର ପଣ୍ଡିତ ମହାଶୟ ତାଙ୍କ ବାଟରେ ଚାଲୁଚାଲୁ ଚାଲିଗଲେ ଚିରଦିନ ପାଇଁ ,ତାଙ୍କ ପଛେ ପଛେ ତାଙ୍କ ପତ୍ନୀ l ଶାଶୂ ଶ୍ୱଶୁରଙ୍କ ଅନ୍ତେ ବଡ଼ ବୋହୂ ଉର୍ମିଳା ପରିବାରର ଓଜନଦାର ବୋଝ ମୁଣ୍ଡେଇ ଏବେ ଖୁବ ଚାଲୁଛନ୍ତି ତାଙ୍କ ବାଟରେ l ମୁଣ୍ଡ ଭିତରେ ବସା ବାନ୍ଧି ଥିବା ଉଆଁସୀ କନ୍ୟାଟା ଶାଗୁଣା ପିଠି ଉପରେ ଆରୋହଣ କରି ଫୁର କିନା କେଉଁ ବାଟରେ କେଉଁ କାଳରୁ ଉଡ଼ିଗଲାଣି l ଅନେଶତ ମହାବାତ୍ୟା ପରେ ଶାଗୁଣାମାନେ ନିଜ ନିଜ ଅଫେରେନ୍ତା ବାଟରେ ବାଟୋଇ ପାଲଟିଗଲେଣି l ଏକାନ୍ନବର୍ତ୍ତୀ ପରିବାରର ପାରସ୍ପରିକ ଅତ୍ମୀୟତା, ସହଯୋଗ,ସ୍ନେହ ଓ ମମତାର ସୁରକ୍ଷିତ ରଜ୍ଜୁ ଛିଡି ଛିଡି ଅଣୁ ପରିବାରରେ ଦ୍ରୁତଗତିରେ ତା’ ବାଟରେ ଲୀନ ହେବାରେ ଲାଗିଛି l ସାମାଜିକ କୁସଂସ୍କାର ଓ ଧାର୍ମିକ ଅନ୍ଧବିଶ୍ୱାସକୁ ଏକଦା ନିର୍ବଳ କରିଥିବା ଶିକ୍ଷା ପୁଣି ନୂଆ ରୂପରେ ତା’ବାଟରେ ଶିକ୍ଷା ଓ ଶିକ୍ଷିତଙ୍କୁ ବଳବାନ କରି ମୁକୁଟମଣ୍ଡିତ କରିବାରେ ଲାଗିଛି l
ଆଉ ଜେଜେ-ଜେଜେମାଙ୍କର ମମତାର ରଜ୍ଜୁ ଛିଡ଼ିଲା ବେଳକୁ ମୈତ୍ରେୟୀ ତା’ ବାଟରେ ଚାଲି ଚାଲି ପହଞ୍ଚିଲେଣି ନନ୍ଦନ କାନନରେ l ଉତ୍କଳ ବିଶ୍ଵବିଦ୍ୟାଳୟର ଏମ. ଏସସି ଜୁଲୋଜି ପରୀକ୍ଷାରେ ଟପର ହେଇ ନନ୍ଦନକାନନରେ ବିଲୁପ୍ତ ଶାଗୁଣା ବଂଶର ପୁନଃ ଉଦ୍ଧାର ପାଇଁ ଗବେଷଣାରେ ଲାଗିଛି l ଶାଗୁଣା ଅଣ୍ଡା ଫୁଟାଇ ପଞ୍ଝାଏ ଶାବକର ଜନ୍ମ କାହାଣୀ ରାଜ୍ୟ ଓ ଦେଶରେ ଚହଳ ପକାଇଛି l ମୈତ୍ରେୟୀ ସଫଳତାର ସିଡ଼ି ଚଢି ଚଢି ଭାରତ ସରକାରଙ୍କ ସ୍ୱନାମଧନ୍ୟ ଗବେଷଣାଗାର ସଂସ୍ଥାର ବୈଜ୍ଞାନିକ ପଦବୀରେ ବସି ପ୍ରଶଂସିତ ହେଲେଣି l
ଶେଷରେ ଡାକ୍ତର ସୌମ୍ୟରଞ୍ଜନ ଖୁସିରେ ଝିଅର ସଫଳତାରେ ଗର୍ବିତ ଓ ଆତ୍ମହରା ହେଇ ପତ୍ନୀ ଉର୍ମିଳାକୁ କହୁଛନ୍ତି – ହଇଏ ଶୁଣୁଛ ଗୋଟେ ଖୁସି ଖବର l
ଉର୍ମିଳା ରୋଷେଇଶାଳରୁ ବାହାରି, ଶାଢ଼ୀକାନିରେ କପାଳର ବିନ୍ଦୁ ବିନ୍ଦୁ ଝାଳ ପୋଛି କହିଲେ – କଣ ହେଲାକି ?
ଡାକ୍ତର ସୌମ୍ୟରଞ୍ଜନ ମୁରୁକି ହସି କହିଲେ – ଶାଗୁଣା ପିଠି ଉପରେ ବସି ଯେଉଁ ଝିଅ ତୁମ ସ୍ୱପ୍ନ ଆକାଶରେ ଏକଦା ଉଡୁଥିଲାନା, ସେଇ ଝିଅ ଏବେ ଆମ ଦେଶରେ ଜଣେ ଗୌରାବାନ୍ୱିତ ପ୍ରାଣୀ ବୈଜ୍ଞାନିକ l ବିଲୁପ୍ତ ଶାଗୁଣା ପ୍ରଜାତିର ବଂଶ ରକ୍ଷା ପାଇଁ ଗବେଷଣା କରୁଛି l ଆସନ୍ତା ମାସ ଦିଲ୍ଲୀ ଯାଉଛି ମୈତ୍ରେୟୀ l ରାଷ୍ଟ୍ରପତି ତାକୁ ସମ୍ମାନୀତ କରିବେ l
ବାପା ଓ କକାଙ୍କ ପଛରେ ଛୁପି ଠିଆ ହେଇଥିବା ମୈତ୍ରେୟୀ କହିଲା – ନାଇ ଲୋ ବୋଉ ଏକୁଟିଆ ଯିବିନି,ତତେ ସାଙ୍ଗରେ ନେଇ ଯିବି ପରା l
ଉର୍ମିଳା ନିଜକୁ ସମ୍ଭାଳି ନ ପାରି ଭୋ ଭୋ କାନ୍ଦି ଉଠିଲେ l ଏକା ନିଃଶ୍ୱାସେ ମୈତ୍ରେୟୀକୁ ଖୁବ ଜୋରରେ କୁଣ୍ଢାଇ କାନ୍ଦି କାନ୍ଦି କହିଲେ – ମୋ ସୁନାଝିଅକୁ କେତେଯେ ଅଣଦେଖା ନ କରିଛି ଲୋ ମା ପିଲାଦିନେ l
କଉଁଠିଥିଲା କେଜାଣି ରୁଗିନାନୀଟା, ଏତିକିବେଳେ ବାଡ଼ି ଠୁକୁ ଠୁକୁ କରି,ନଇଁ ନଇଁ ଆସି କହିଲା – ଏବେ ବୁଝିଲୁ ତ ବୋହୂ, ଡେରିରେ ହେଉପଛେ, ତୋ ମନରୁ ଉଆଁସୀ କନ୍ୟା ଓ ଶାଗୁଣାର ଅମଙ୍ଗଳ ଖିଆଲଟା ଉଡ଼ିଗଲା ଯୋଗୁ ଆଜି ଆମ ଝିଅ ମୈତ୍ରେୟୀ ଶାନ୍ତି ଓ ମୈତ୍ରୀର ଫୁଲମାଳ ସାଜିଛି ସାରା ଦେଶରେ l
——–00000——
© ମନୋଜ କୁମାର ମହାପାତ୍ର
08.08.2024