ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା

0


ଶ୍ରୀମନ୍ଦିର ପରମ୍ପରାରେ ବାର ମାସରେ ତେର ପର୍ବ ପାଳିତ ହୁଏ | ଲୀଳାମୟ ନୀଳାଦ୍ରୀଶଙ୍କ ସ୍ୱୟଂ ନିର୍ଦେଶ କ୍ରମେ ଏ ସମସ୍ତ ପର୍ବ ଓ ଯାତ୍ରା ଅନୁଷ୍ଠିତ ହୁଏ |

ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ଯାତ୍ରା ସବୁ ହେଲା ସ୍ନାନ ଯାତ୍ରା, ରଥ ଯାତ୍ରା, ଶୟନ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ପାର୍ଶ୍ଵ ପରିବର୍ତ୍ତନ, ଦେବ ଉଥାପନ , ପ୍ରାବରଣ ଷଷ୍ଠୀ, ପୁଷ୍ୟାଭିଷେକ, ଉତ୍ତରାୟଣ ଯାତ୍ରା, ଦୋଳ ଯାତ୍ରା, ଦୟଣା ଯାତ୍ରା, ଚନ୍ଦନ ଯାତ୍ରା (ଅକ୍ଷୟତୃତୀୟା )|
ଏହି ଦ୍ୱାଦଶ ଯାତ୍ରାକୁ ଛାଡି ଆଉ ଏକ ତ୍ରୟୋଦଶ ଯାତ୍ରା ରହିଅଛି |ତାହାହେଲା ନୀଳାଦ୍ରୀ ମହୋଦୟ |


ଏସବୁକୁ ଛାଡିଦେଲେ ଶ୍ରୀମନ୍ଦିରରେ ଆହୁରି ଅନେକ ପର୍ବ ପର୍ବାଣୀ ପାଳିତ ହୁଏ |ସେସବୁ ହେଲା ରୁକ୍ମଣୀ ହରଣ, ଚମ୍ପକ ଦ୍ୱାଦଶୀ, ଗରୁଡ଼ ଶୟନ, ଚିତାଲାଗି, ଝୁଲଣଯାତ୍ରା, ଗହ୍ମା ପୂର୍ଣ୍ଣମୀ, ରେଖା ପଞ୍ଚମୀ, ଜନ୍ମାଷ୍ଟମୀ, ଇନ୍ଦ୍ର ଗୋବିନ୍ଦ ପୂଜା, ଦଶହରା, କୁମାର ପୂର୍ଣ୍ଣିମା, ଦେବ ଦୀପାବଳି, ବକୁଳ ଅମାବାସ୍ୟା, ବସନ୍ତ ପଞ୍ଚମୀ,ଗଜ ଉଦ୍ଧାରଣ, ଅଶୋକାଷ୍ଟାମୀ, ମହାବିଷୁବ ସଂକ୍ରାନ୍ତି, ନୃସିଂହ ଜନ୍ମ, ଓ ଶୀତଳ ଷଷ୍ଠୀ ଇତ୍ୟାଦି |
ଶ୍ରୀମନ୍ଦିରରେ ଶ୍ରାବଣ ଅମାବାସ୍ୟା ଚିତାଲାଗି ଅମାବାସ୍ୟା ଭାବେ ପାଳିତ ହୁଏ |ଏହି ଦିନ ସକାଳ ଧୂପ ପୂଜା ବସିଥିବା ବେଳେ ଭଣ୍ଡାର ମେକାପ ମୁଦ ହୋଇଥିବା ହୀରା ଚିତା ତିନିଗୋଟି ଆଣି ବେହରଣ ଠାରେ ତଡଉ, ଦେଉଳ କରଣ ଓ ପ୍ରଶାସନିକ ଅଧିକାରୀଙ୍କ ମାର୍ଫତରେ ଦିଅନ୍ତି |ଶ୍ରୀମନ୍ଦିର ବଣିଆ ସେବକ ସେମାନଙ୍କ ଉପସ୍ଥିତିରେ ଚିତାମାନ ମାଜି ସଫା କରନ୍ତି |ସକାଳ ଧୂପ ଓ ଭୋଗ ମଣ୍ଡପ ପରେ ପୁଷ୍ପାଳକ ତିନି ବାଡ଼ରୁ “ଝୋବାକଣ୍ଠି “ଅଳଙ୍କାର ମଇଲମ କରି ପାଳିଆ ମେକାପଙ୍କୁ ଦିଅନ୍ତି |ସେ ଉକ୍ତ ଅଳଙ୍କାରକୁ ଭଣ୍ଡାର ମେକାପଙ୍କୁ ଦିଅନ୍ତି | ପୁଷ୍ପାଳକ ମାନେ ଲକ୍ଷ୍ମୀ ଓ ସରସ୍ବତୀ (ଶ୍ରୀଦେବୀ ଓ ଭୁଦେବୀ )ଙ୍କୁ ଖଟ ଶେଜ ଘରେ ବିଜେ କରାନ୍ତି |ଏହାପରେ ପାଳିଆ ଖୁଣ୍ଟିଆ ଦଇତାପତି ମାନଙ୍କୁ ଡାକନ୍ତି |ସେମାନଙ୍କ ସହିତ ପାଳିଆ ମେକାପ ଥା’ନ୍ତି |ବାଡ଼ଗ୍ରାହୀ ଦଇତା ଓ ପତି ତିନି ବାଡ଼ରେ ସିଂହାସନ ଉପରକୁ ଉଠି ଚିତାଲାଗି କରନ୍ତି | ଏଥିପାଇଁ ଅଣସର ସୁଧ ସୁଆର ଓଷୁଅ ଓ ପାଟରା ବିଶୋଇ ପାଟଡୋର ଯୋଗାନ୍ତି |ଚିତାଲାଗି ହେବାପରେ ପାଳିଆ ମେକାପ ସିଂହାସନ ଉପର ଧୁଅନ୍ତି |ସୁଧ ସୁଆର ମହାସ୍ନାନ ପୂଜା ଠା’କରନ୍ତି |ତିନିଜଣ ପୂଜାପଣ୍ଡା ଆସି ମହାସ୍ନାନ ପୂଜା କରନ୍ତି |ତା’ପରେ ଭିତରେ ପାଣିପଡ଼ି ଧୋପଖାଳ ହେବାପରେ ପୁଷ୍ପାଳକମାନେ ଆସି ମଇଲମ କରନ୍ତି |ସେମାନେ ଖଟ ଶେଜ ଘରେ ଥିବା ଶ୍ରୀଦେବୀ ଓ ଭୁଦେବୀଙ୍କୁ ନେଇ ସିଂହାସନରେ ବିଜେ କରାନ୍ତି |ମାଳ ଫୁଲ ଇତ୍ୟାଦି ଲାଗି ହେବାପରେ ଓ ବେଶ ବଢିବା ପରେ ଦିଅଁ ମାନେ ଛଅ ମୂର୍ତ୍ତି ଅଳଙ୍କାର ଲାଗି ହୁଅନ୍ତି |ଏହାପରେ ମଧ୍ୟାହ୍ନ ଧୂପ ହୁଏ | ତା’ ପରେ ପାଣି ପଡିଲା ପରେ ପୂଜାପଣ୍ଡା,ପତିମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି |ଏହିପରି ଭାବେ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ଵିଧି ପାଳିତ ହୁଏ |
ପ୍ରତ୍ୟେକ ପର୍ବ ପର୍ବାଣୀ ପଛରେ କିଛି ନା କିଛି କିମ୍ବଦନ୍ତି ରହିଅଛି । ।

      ଶାସ୍ତ୍ର ଓ ସ୍କନ୍ଦପୁରାଣ ମତରେ ,ଯବନ ମାନେ ଶ୍ରୀମନ୍ଦିର ଆକ୍ରମଣ କରୁଥିଲେ ।ସେ ସମୟର ରାଜା ସୋଭନ ଦେବ ,ଯବନ ମାନଙ୍କ ଆକ୍ରମଣରୁ ପ୍ରଭୁଙ୍କୁ ରକ୍ଷା କରିବା ପାଇଁ ସୋନପୁର ନେଇ ଯାଇଥିଲେ ।ଗୋଟିଏ ମଣ୍ଡପ ସ୍ଥାପନା କରି ତିନି ଦିଅଁଙ୍କୁ ରଖି ପୂଜା କରୁଥିଲେ ।କିଛି ଦିନପରେ ଶତ୍ରୁଙ୍କ ଭୟରେ ପ୍ରଭୁଙ୍କୁ ପାତାଳୀ କରି ରଖିଥିଲେ   ।ଶ୍ରୀଶଙ୍କରାଚାର୍ଯ୍ୟ ପୁରୀ ଧାମ ଆସିବା ସମୟରେ ,ବୈତରଣୀ ନଦୀ କୂଳ ବିରଜା ମନ୍ଦିରରେ କିଛି ଦିନ ଅବସ୍ଥାନ କଲେ ।ସେ ସମୟରେ ରାଜା ଯଯାତିକେଶରୀ

ରାଜୁତି କରୁଥିଲେ ।ରାଜା ବିରାଟ ଯଜ୍ଞ ଆୟୋଜନ କଲେ ।ସେହି ଯଜ୍ଞ ସ୍ଥାନକୁ ପାତାଳୀ ହୋଇଥିବା ମୂର୍ତ୍ତୀ ସୋନପୁରରୁ ଅଣାଯାଇଥିଲା ।ବହୁତ ବର୍ଷ ମୂର୍ତ୍ତୀ ଗୁଡିକ ପାତାଳୀ ହୋଇ ଥିବାରୁ ଶଙ୍କରାଚାର୍ଯ୍ୟ ଏହାଙ୍କୁ ପରୀକ୍ଷା ନୀରିକ୍ଷା କରିଥିଲେ ଓ ବ୍ରହ୍ମ ପରିବର୍ତ୍ତନ ଆବଶ୍ୟକ ବୋଲି କହିଥିଲେ ।ତାଙ୍କର ଜଣେ ଶିଷ୍ୟଙ୍କୁ ନେପାଳ ରାଜାଙ୍କ ନିକଟକୁ ପଠାଇ ଗଣ୍ଡୁକୀ ନଦୀରୁ ଏକ ଜୀବନ୍ତ ବ୍ରହ୍ମ ଶୀଳା ଆଣି ଦାରୁ ମୂର୍ତ୍ତୀରେ ପ୍ରତିଷ୍ଟା କରିଥିଲେ ।ଏହି ଦିନଟି ଶ୍ରାବଣ ମାସ ଅମାବାସ୍ୟା ଥିଲା ।ବହୁ ଆଡମ୍ବରରେ ଶଙ୍କରାଚାର୍ଯ୍ୟ ଶ୍ରୀକ୍ଷେତ୍ର ଶଙ୍ଖ ନାଭିମଣ୍ଡଳର ରତ୍ନସିଂହାସନରେ ପ୍ରଭୁଙ୍କୁ ବିଜେ କରାଇଥିଲେ ।ସେଦିନ ଥିଲା ଶ୍ରାବଣ ଅମାବାସ୍ୟା |ପ୍ରଭୁଙ୍କୁ ପଟ୍ଟାଭିଷେକ କରି ହୀରାର ଚିତା ଲାଗି କରାଯାଇ ଥିଲା ।ସେହି ସମୟରୁ ଶ୍ରାବଣ ମାସ ଅମାବାସ୍ୟା ତିଥିରେ ପ୍ରଭୁଙ୍କ ଚିତା ଲାଗି ଅମାବାସ୍ୟା ପାଳନ କରାଯାଉଛି ବୋଲି ବିଶ୍ୱାସ ରହିଛି ।

           ଶ୍ରାବଣ ମାସ ଅମାବାସ୍ୟାରେ ତିନି ଠାକୁର ଚିତା ଲାଗି ହୋଇଥାଆନ୍ତି ।ଏହାକୁ ଦଇତାପତି କରିଥାନ୍ତି ।ବଡ ଠାକୁରଙ୍କ ମଥାରେ ନୀଳା ଖଚିତ ଚିତା ,ପ୍ରଭୁ ଜଗନ୍ନାଥଙ୍କ ମଥାରେ ହୀରା ଖଚିତ ଚିତା ଓ ମାଆ ଶୁଭଦ୍ରାଙ୍କ ମଥାରେ ମାଣିକ୍ୟ ଖଚିତ ତିତା ଲାଗି କରାଯାଏ ।ଏହା ପ୍ରାୟ ୮୨୦ ଖ୍ରାଷ୍ଟାବ୍ଦରୁ ଆରମ୍ଭ ହୋଇଥିବା ଅନୁମାନ କରାଯାଏ ।ଶ୍ରୀଜଗନ୍ନାଥଙ୍କ ସସ୍କୃତି ପରମ୍ପରା ଅନୁସାରେ ଶ୍ରାବଣ ମାସ ଅମାବାସ୍ୟାରେ ପ୍ରତ୍ୟେକ ଘରେ ଚିତାଲାଗି ଅମାବାସ୍ୟା ପାଳନ ଜରାଯାଏ ।ନଡିଆ ,ଅରୁଆ ଚାଉଳକୁ ବାଟି ସେଥିରେ ଛେନା ଗୁଡ ପୁର ଦେଇ ଚିତଉ ପିଠା ପ୍ରସ୍ତୁତ କରାଯାଏ ।ପିଠାଟି ସ୍ବାଦିଷ୍ଟ ଲାଗେ ।ସନ୍ଧ୍ୟା ସମୟରେ ପ୍ରତ୍ୟେକ ଗୃହିଣୀ ଏହି ପିଠାକୁ ଠାକୁରଙ୍କ ନିକଟରେ ପୂଜା କରନ୍ତି ।ପୂଜା ପରେ ଗଡିଆ ପୋଖରୀରେ ଗେଣ୍ଡା କୋଚିଆଙ୍କୁ ଦେଇଥାନ୍ତି । ଆମ ଓଡିଶାର ଶ୍ରାବଣ ମାସର ମୁଖ୍ୟ ପର୍ବ ଚିତାଲାଗି ଅମାବାସ୍ୟା |

ଜୟ ଜଗନ୍ନାଥ 🙏🙏

ଶ୍ରୀକାନ୍ତ ଦାଶ,ସଭାପତି,’ଅବି ‘ଓ ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ,
ଦୂରଭାଷ :923830419

Leave A Reply

Your email address will not be published.