ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ -‘ଆଦିମ ବିଚାର’
ଏ ମାସର ଗଳ୍ପ
*ଆଦିମ ବିଚାର*
****************
ମନୋଜ କୁମାର ମହାପାତ୍ର
*****************
ଏବେ ଗାଁ ଛାଡି ସୁଇଜରଲ୍ୟାଣ୍ଡ ଚାଲିଆସିଛନ୍ତି ବୟାଶୀ ବର୍ଷୀୟ ବୃଦ୍ଧ ଚୌଧୁରୀ ଭାଗବତ ପ୍ରସାଦ l ପୁଅ ବୋହୂ ନାତି ନାତୁଣୀଙ୍କ ପାଖରେ ରହିବାକୁ ପଡିବ l ପୁଅର ଏକାନ୍ତ ଜିଦ ଯେ ସେ ଆଉ ଗାଁକୁ ଫେରିବେନି l ବୋଉ ଆରପାରିକୁ ଚାଲିଗଲା ପରେ ବାପାଙ୍କର କିଏ ଯତ୍ନ ନେବ ? ଅବଶ୍ୟ ପୁଅର ଯୁକ୍ତି ପାଖରେ ସେ ମୁଣ୍ଡ ନୁଆଁଇଲେ, ତଥାପି ଗାଁର ମୋହ ମମତା କଣ ଛାଡ଼ୁଛି ? ଜମିରେ ହଳ ହେଲାକି ନାହିଁ, ହିଡ଼ ଦିଆଗଲା କି ନାହିଁ ଭଳି ନାନା ଚାଷକାର୍ଯ୍ୟର କଥା ତାଙ୍କୁ ବାଇବିଛ କରୁଥାଏ l ଗାଁରୁ ସିନା ଚାଲିଆସିଲେ, ହେଲେ ସବୁତକ ସ୍ମୃତି ତାଙ୍କ ସହିତ ଏଠାକୁ ଚାଲିଆସିଛି l ଏତେ ବର୍ଷର ସ୍ୱାଧୀନ ଜୀବନଟା ଏବେ ପୁଅ ବୋହୂ ପାଖରେ ବନ୍ଧା ପଡିଗଲା ହୋ l
ନାତି ନାତୁଣୀ ବି ଜେଜେଙ୍କୁ ପାଖରେ ପାଇଁ ଖୁସ l ଏମିତି ଦିନେ ନାତି, ନାତୁଣୀ ତାଙ୍କ ସହିତ ଥଟ୍ଟା ମଜାରେ ଗପସପ କରୁଥିବା ସମୟରେ କଲେଜରେ ପଢ଼ୁଥିବା ନାତୁଣୀ ଇଲା ଠଉରେଇ ନେଲା ଯେ ଜେଜେ ଖୁସି ନାହାନ୍ତି l ଶୁଖିଲା ଶୁଖିଲା ମୁହଁରେ ସେ ପ୍ରାୟତଃ ଚିନ୍ତିତ l ଦୁଶ୍ଚିନ୍ତାରୁ ମୁକୁଳେଇବା ପାଇଁ ଇଲା ଦିନେ ପଚାରିଲା - ଜେଜେ ଗାଁରେ ଶୁଣିଥିବା ରୋମାଞକର ଗପଟିଏ ଆମକୁ କୁହନା l ଆମେ ତ ସୁଇଜରଲ୍ୟାଣ୍ଡ ସମେତ ସାରା ୟୁରୋପର ଅନେକ ପୁରାତନ ଗପ ଶୁଣିଛୁ କିନ୍ତୁ ଆମ ଗାଁର ଗପ କେବେ ଶୁଣିନୁ l ହଁ ଜେଜେ, ଗପଟି ଯେମିତି ଇଣ୍ଟରେଷ୍ଟିଙ୍ଗ ହେଇଥିବ l
ନାତୁଣୀର କଥାଟା ଭାଗବତ ପ୍ରସାଦଙ୍କ ମନଜୁ ବେଶ ପାଇଲା l ସତେ ତ ଗାଁରେ ଅନେକ ଗପ ରହିଛି l ପିଲାମାନଙ୍କୁ ଯଦି ନ କହିବି ତେବେ ସମୟ ସୁଅରେ ସେ ସବୁ ବିଲୁପ୍ତ ହେଇଯିବ l ପିଢ଼ି ପରେ ପିଢ଼ି ଅନେକ ଲୋକକଥା ଭାସି ଆସେ, ସେଥିରେ ବି ନୂଆ ନୂଆ କଥା ଯୋଡି ହେଇଯାଏ l
ସେ କହିଲେ - ଠିକ ଅଛି l ବହୁ ପୁରୁଣା ଗପଟିଏ l ମୋ ଆଈମା ପାଖରୁ ପିଲାଦିନେ ଶୁଣିଥିଲି l
ଭୂୟାଁରାଜା ବଳବନ୍ତ ରାୟ ଗୋଟିଏ ବିରାଟ ରାଜ୍ୟର ରାଜା ନ ହେଲେବି ଏକ ଛୋଟ ଇଲାକାର ରାଜା l ବ୍ରିଟିସର ଇଷ୍ଟ କମ୍ପାନୀ ଦ୍ୱାରା ଶାସିତ ଦେଶରେ ଆମର ଭୂମିପୁତ୍ର ରାଜାମାନେ ସିନା ରାଜାର ମୁକୁଟ ପିନ୍ଧି ନାମକୁ ମାତ୍ର ରାଜା ବୋଲାନ୍ତି କିନ୍ତୁ ହୁକୁମତ ଚାଲେ ବ୍ରିଟିସ ବଡ଼ଲାଟଙ୍କର l କିନ୍ତୁ ଭୂୟାଁରାଜା ଗଡ଼ଜାତ ରାଜାଙ୍କ ଭଳି ରାଜା ନୁହେଁ, ମାତ୍ର କେତେଖଣ୍ଡି ତାଲୁକରେ ସୀମିତ ତାଙ୍କର ଶାସନ l କୁହାଯାଇପାରେ ସେ ଜଣେ ସାମନ୍ତ ରାଜା ବା ଅତି ବେଶୀରେ ଜମିଦାର l
ରାଜାଙ୍କର ନିଜ ରାଜ୍ୟରେ ଯେତିକି ପ୍ରତିପତ୍ତି ନ ଥିଲା, ତା ଠାରୁ ବେଶୀ ଭୟଙ୍କର ଥିଲା ମନ୍ତ୍ରୀଙ୍କର l ପ୍ରଜାମାନେ ବଂଚୁଥିଲେ କାକୁସ୍ଥ ଜୀବନ l ରାଜାଙ୍କୁ ଡରି ନୁହେଁ, ବରଂ କାପାଳିକ ମନ୍ତ୍ରୀ ଜଗୁଲୁ ଆଚାର୍ଯ୍ୟ ପାଇଁ l ଅଥର୍ବବେଦୀ ବ୍ରାହ୍ମଣ ସାଙ୍ଗକୁ ଜଣେ ବଜ୍ରବାରାହୀ ଚାମୁଣ୍ଡା ଉପାସକ, ଦେହର ରଙ୍ଗ କୋଇଲା ଠୁଁ କଳା, ବାଁ କାନ୍ଧରେ ଝୁଲୁଥାଏ ଲଙ୍ଗଳ ଦଉଡି ଭଳି ନଅଖିଅ ଧୋବ ଫରଫର ପଇତା l ଥନ୍ତଲ ପେଟ, ଦୁଇ ବାହୁ ଓ ମଝି ଛାତିରେ ତିନିଟିକିଆ ଚନ୍ଦନଗାର ଓ କପାଳରେ ଲମ୍ବା ସିନ୍ଦୁର ଟିପା l ବେଦ ଉଚ୍ଚାରଣ ଶୁଭେ ତାଙ୍କ କଣ୍ଠରୁ ଗାଡ଼ିଆ କୁଳସ୍ଥ ବାହ୍ମୁଣିଆ ବେଙ୍ଗ ରଡି ଭଳି l ଆଖି ଦୁଇଟି ସର୍ବଦା ଆରକ୍ତ l ଧଳା ମଠା ଧୋତି ପିନ୍ଧି ଗେରୁଆ ଗାମୁଛା କାନ୍ଧରେ ପକାଇ ଧୂଳି ଧୂସରିତ ରାସ୍ତାରେ ଚାଲି ଯାଉଥିବା ବେଳେ ଅଚ୍ଛବ ଜାତିର ମଣିଷ କଥା ଛାଡ଼, ଗର୍ଭିଣୀ ଗାଈ ବି ଭୟରେ ବାଟ ଛାଡିଦିଏ l ସେ ପୁଣି ଭୂୟାଁରଜାଙ୍କର ମନ୍ତ୍ରୀ l
ଗୋଟିଏ ଦିନର ଘଟଣା l ପ୍ରଚଣ୍ଡ ଖରା ଦିନ l ବୈଶାଖୀ ଝାଂଜି ପବନ ବିଲ, ବଗିଚା ଓ ସାରା ଗାଁକୁ କରୁଥିଲା ଅସ୍ତବ୍ୟସ୍ତ l ଛଣଛପର ମାଟି ଘର ଖଞ୍ଜାରେ ପଡିଯାଏ ତାଟି କବାଟ l ଭୂୟାଁରଜା ନିଜ ଉଆସରେ ଝାଳରେ ଲଟପଟ ହେଇ ଏକ ଚୂନ ବାଲି ସୁଡୁକିରେ ତିଆରି ଏକ ଅନ୍ତରଙ୍ଗ କୋଠରୀ ଚଟାଣରେ ଗଡୁଥାନ୍ତି l ବିଚରା ଚାରିଜଣ ଜଙ୍ଘା ଅଙ୍ଗରକ୍ଷୀ କଟୁଆଳ ଜଳସିକ୍ତ ବେଣାଚେରରେ ନିର୍ମିତ ବଡ଼ ବଡ଼ ପଙ୍ଖାରେ ତାଙ୍କୁ ବିଞ୍ଚି ବିଞ୍ଚି ହାଲିଆ l ତଥାପି ରଜାଙ୍କ ଆଖିରେ ନିଦ ମାଡୁନଥିଲା l ଯାହାହେଉ କିଛି ସମୟ ଅତିକ୍ରାନ୍ତେ ରଜାଙ୍କ ଅଧାଖୋଲା ପାଟିରୁ ଘୁଙ୍ଗୁଡ଼ିର ଘଡଘଡି ଶବ୍ଦ ସାରା କୋଠରୀକୁ ପ୍ରକମ୍ପିତ କଲା l
ଚାରିଜଣ ଯାକ କଟୁଆଳ ନିଶବ୍ଦ ପାଦରେ ବାହାରି ଆସି ଉଆସ ଭିତରସ୍ଥ କାଳୁଆ ବାହାର ଦାଣ୍ଡପିଣ୍ଡାରେ ବସି ସାମାନ୍ୟ ଆଶ୍ବସ୍ତିକର ଥକ୍କା ମାରିଲେ, ଯେମିତି ପିଠିକୁ ଥାପୁଡ଼େଇ ଥାପୁଡ଼େଇ ମା-ମାନେ ଅଝଟ ପୁଅ-ଝିଅକୁ ଶୁଆଇ ପକାଇବା ପରେ କ୍ଲାନ୍ତିଶୂନ୍ୟ ହୁଅନ୍ତି l ପିଙ୍କା ଟାଣୁ ଟାଣୁ ଚାରିଜଣଙ୍କ ଆଖିରେ ନିଦ ଘୋଟି ଆସିଲା l ବିଚରା ଆଉ କଣ କରିବେ, ସେଇ ପିଣ୍ଡାରେ ନିଜ ନିଜ ଗାମୁଛା ପାରି ଶୋଇ ପଡିଲେ l
ଇତ୍ୟବସରେ କଉଁଠି ଥିଲା କେଜାଣି ଦଗାଦିଆ କଳାହାଣ୍ଡିଆ ମେଘଟା, ହଠାତ ଆକାଶଟାକୁ କେମିତି କିଟମିଟ କଳା କମ୍ବଳରେ ଘୋଡାଇ ପକାଇଲା ! ସେଇ କଳାହାଣ୍ଡିଆ କମ୍ବଳ ଭିତରୁ ଭୁସ କିନା ନିଆଁ ହୁଳା, ଆଖି ପିଛୁଳାକେ ଚଡ଼ ଚଡ଼ ହେଇ ନିଆଁରେ ଗାରେଇ ଦେଲା ସାରା ଆକାଶକୁ l ବାପରେ ବାପ କି ଭୟଙ୍କର ଆୱାଜ ! ଉଆସଟା ଥରି ଉଠିଲା l ରଜା ନିଦ ବାଉଳାରେ ଗର୍ଜି ଉଠି ଚିତ୍କାର କଲେ - ଆରେ ଶଳେ ତୁମେ ଚାରିଟା କୁଆଡେ ଗଲ ? ଉଆସ ଉପରେ କିଏ ତୋପ ମାଡ କଲାକି?
ଦାଣ୍ଡପିଣ୍ଡାରୁ ହାଉଳି ଖାଇ ଚାରି କଟୁଆଳ ରାଜାଙ୍କ ପାଖକୁ ନିମିଷକେ ଦୌଡ଼ି ଆସି କହିଲେ - ନା ନା ମଣିମା, ତୋପ ନୁହେଁ l ପ୍ରଚଣ୍ଡ ଘଡଘଡି l ହେଇ ଝରକା ବାଟେ ଦେଖୁନାହାନ୍ତି - କଚେରୀ ପାଖ ଡେଙ୍ଗା ନଡ଼ିଆ ଗଛଟା କେମିତି ବଜ୍ରପାତରେ ହୁ ହୁ ଜଳୁଛି l
ରଜାଙ୍କର ମଦ ନିଶା ସେତେବେଳକୁ ଓହ୍ଲାହି ଗଲାଣି l ସେ କହି ଉଠିଲେ - ହଁ ସତତ l ବାପରେ ବାପ କି ବର୍ଷା ସାଙ୍ଗକୁ କୁଆପଥର ମାଡ଼ !!!
କିଛି ପ୍ରହର ଅନ୍ତେ ଉଆସରେ ସଞ୍ଜ ନଇଁ ଆସିବା କ୍ଷଣି ଜଳି ଉଠିଲା କରଞ୍ଜ ତେଲ ଭରା ଦୀପ ଓ ଦିହୁଡି l ସବୁ ଦିନ ଭଳି ଅଗିରି ବାରିକର ପହଂଚିବା ଦେଖି ରଜା ଉଲ୍ଲସିତ ସ୍ୱରରେ କହିଉଠିଲେ - ଆରେ ବାରିକ ପୁଅ ଆଉ ଡେରି କାହିଁକି ? ରାତି ଘଡିଏ ହେଲେଣି l ଦେଖୁନ ଯେଉଁ ଟିକକ ଟୁପୁରୁ ଟୁପୁରୁ ବର୍ଷା ପଡୁଥିଲା ତାହା ଆଉ ନାହିଁ l ଅଗିରି ଅବିଳମ୍ବେ ରଜାଙ୍କ ପାଖେ ପାଖେ ତାଙ୍କ କୁଞ୍ଚକାନିକି ଧରି ଓ ଅନ୍ୟ ହାତରେ ଛତ୍ରିଟିଏ ଧରି ଆଗକୁ ଚାଲିଲା l ଅନ୍ତରଙ୍ଗ ଚାରିଜଣ କଟୁଆଳ କାଦୁଅ ପଚପଚ ରାସ୍ତାରେ ଗୋଟିଏ ଲେଖାଏଁ ପଖିଆ ଘୋଡ଼ି ରଜାଙ୍କୁ ଅନୁସରଣ କଲେ l
ଚାରିଜଣ କଟୁଆଳ ପରସ୍ପର ଭିତରେ ଫୁସଫୁସ କଥା ହେଉଥିଲେ - ଶଃ...ପୂର୍ଣମୀ ତିଥିରେ ଜହ୍ନ ଘଡିଏ ବିଳମ୍ବରେ ଉଇଁ ପାରେ,କିନ୍ତୁ ଆମ ରଜା ଅମୃତପୁର ଗାଁର ମଦଭାଟି ପାଖକୁ ରାତିରେ ଯିବାକୁ ଘଡିଏ ଡେରି କରିବେନି l ଦେଖିବୁ ଭାଇ ଇଏ ଯେମିତି ମଦରେ ନିତି ଗାଧୋଉଛନ୍ତି, ଆଉ ବେଶୀ ଦିନ ନୁହେଁରେ ପୁଅ l ତା ନ ହେଇଥିଲେ, କାଳିଆ ଭୁଆ ବିରାଡ଼ି ଜଗୁଲୁ ଆଚାର୍ଜି ତାର ସୁବିଧା ଉଠଉଥାନ୍ତା ?
ଭାଟି ମାଲିକ ମଙ୍ଗଳିଆ ଶିଅଳ ଓଳଗି ହେଲା ଓ କହିଲା - ଆସନ୍ତୁ ମଣିମା, ଏଇଠି ବସିବା ହେଉ l କାଠ ଚୌକିରେ ବସି ରଜା କହିଲେ - ଆଜି କଣ ? ମହୁଲି ନା ଚାଉଳି ?
ଆଜ୍ଞା ମହୁଲି କିନ୍ତୁ ସେଥିରେ ମିଶିଛି ଅଙ୍ଗୁର,ଡାଲଚିନ ଓ ଅଳେଇଚ ରସ l ଏତକ କହି ସେ ରଜାଙ୍କ ହାତକୁ ବଢ଼ାଇଦେଲା ମଦ ଭର୍ତି ମାଟି ଦନାଟି l ପାଖରେ ଅଗିରି ପତ୍ରଠୋଲାଟିଏ ଧରି ଠିଆ ହେଇଥିବା ବେଳେ, ଗରମ ଗରମ ଭଜା କାବୁଲି ବୁଟ ସେଥିରେ ମଙ୍ଗଳିଆ ଢାଳି ଦେଲା l
ମଦଭର୍ତି ଦନା ଯେତେ ଗୋଟିଏ ପରେ ଗୋଟିଏ ଶେଷ ହେଉଥିଲା, ରଜା ସେତେ ନିଶାରେ ଚୁର ହେଉଥିଲେ l ଇତ୍ୟବସରେ ରଜା ବୁଟ ପାଟିରେ ପକାଉଥିବା ସମୟରେ ଗୋଟିଏ ଢେଗା ବୁଟଟିଏ ପାଟିରୁ ଖସିଯାଇ ତଳେ ଗଡି ଗଡି ଯାଇ ଜମିଥିବା ପାଣିରେ ପଡିଲା l ରଜା ନିଶାରେ ଗର୍ଜନ କରି ଖନି ଲାଗୁଥିବା ସ୍ୱରରେ କହି ଉଠିଲେ - ଶାଲା..... ବୋଟ ପାଣିମେ ଡୁବ ଗିୟା l ଶାଲା..... ମେରା ବୋଟ ପାଣିମେ ଡୁବ ଗିୟା l
ଅବଶ୍ୟ ରଜାଙ୍କର ଏମନ୍ତ ପରିହାସ୍ୟରେ କଟୁଆଳମାନଙ୍କର ଓଠରେ ମୁରୁକି ହସ ଗଜିରି ଉଠିଲା l କାହିଁକି ନା, ବିଲାତିମାନେ ଓଡ଼ିଶାରେ ଶାସନ କରିବା ପରଠୁ ଅନେକ ବିଲାତି ଭାଷା ଲୋକେ ସେତେବେଳକୁ ଶିଖି ଗଲେଣି l ଏହାରି ଭିତରେ ବୋଇତ ବି ଲୋକଙ୍କ ଭାଷାରେ ବୋଟ ହେଲେଣି l
ତା ପର ଦିନ ଦି-ପ୍ରହର ବେଳକୁ ଉଆସରେ ଜଗୁଲୁ ଆଚାର୍ଜି ଟିପେ ନାଶ ଶୁଙ୍ଗି ରଜାଙ୍କ ପାଖରେ ପହଂଚି କହିଲା - ମଣିମା ଶୁଣିବା ହେଉ l ଆପଣ ଯେଉଁ କଞ୍ଚା ହଳଦୀ ବୋଝେଇ ବୋଇତ ଏଇ କେତେଦିନ ହେଲା ବଙ୍ଗଦେଶର ଚଟଗ୍ରାମକୁ ପଠାଇଥିଲ ସେଟା କଣ ସମୁଦ୍ର ମଝିରେ ଡୁବିଗଲା କି ?
ଏମନ୍ତ ଅପ୍ରତ୍ୟାଶିତ ଖବର ରଜାଙ୍କୁ ସ୍ତବ୍ଧ କରିଦେଲା l ସେ ଖୁବ ବିଚଳିତ ହେଇ କହି ଉଠିଲେ - କଣ କହୁଛ ହେ ଆଚାର୍ଜି ? ମୋ ଭେଳା ବୁଡ଼ିଲାନା କଣ ? କଣ କରିବି ଏଇନେ ହୋ l ଏଥର ବେପାରରେ ମୋତେ ଭଲ ପଇସା ଲାଭ ବାବଦରେ ମିଳିଥାନ୍ତା l
ରଜା କପାଳରେ ହାତ ମାରି ଖାଲି କଟମଟ ଚାହୁଁଥିଲେ l ସତେକି ସେ କଥା କହିବାକୁ ଅକ୍ଷମ l ରଜାଙ୍କର ମୁହଁ କ୍ରମଶଃ ଶୁଖି ଗିଲ ହେଇଗଲା l କଟୁଆଳମାନେ ଗୋଟିଏ ଲେଖାଏଁ ହାତରେ ବର୍ଚ୍ଛା ଧରି ନୀରବରେ ଠିଆ ହେଇଥିଲେ l
କିଛି ସମୟ ଉତ୍ତାରୁ ସାମାନ୍ୟ ପ୍ରକୃତିସ୍ଥ ହେଇ ରଜା ପଚାରିଲେ - ହଇଏ ଆଚାର୍ଜି, ତୁମେ ଏଇ ଖବର କେଉଁଠୁ ପାଇଲ ? ଚାନ୍ଦବାଲି ବନ୍ଦରରୁ କେହି ଖବର ଦେଇଛନ୍ତି କି ତୁମକୁ ?
ନା ନା ମଣିମା l ମୁଁ ଉଆସକୁ ଆସୁଥିବା ବାଟରେ ମୋର ରଜକ ବଙ୍କା ସହିତ ଦେଖା ହେଇଗଲା l ସେ କହିଲା - ଗୋସେଇଁ ଶୁଣିଲଣିନା,ରଜାଙ୍କ ବୋଇତ ପାଣିରେ ଡୁବି ଗଲା l ଆହାଃ....ଆମ ରଜା କେତେ ଦୁଃଖରେ ଏଇନେ ଭାଙ୍ଗି ପଡ଼ିଥିବେ ହେ l ଗୋସେଇଁ, କହିଲ ଭଲା କେତେ ଟଙ୍କା ବେପାରରେ କ୍ଷତି ହେଇଥିବ ରଜାଙ୍କର l
ରଜା ବିବ୍ରତ ହେଇ ପଚାରିଲେ - ବଙ୍କା ରଜକ କେମିତି ଜାଣିଲା ? ଏତକ କହି ରଜା ଗର୍ଜନ କରି କହିଲେ - ହଇଏ ଆଚାର୍ଜି କଟମଟ ହେଇ ଅନେଇଛ କଣ ? ବାନ୍ଧି ଆଣ ସେଇ ଶଳାକୁ l
ଦଫାଦାର ସିଂହଛୁଆ ଜେନାମଣି ହାତରେ ବର୍ଚ୍ଛା ଧରି ବୀରଦର୍ପରେ ଚାଲି ଆସିଲେ l ତାଙ୍କ ପଛେ ପଛେ ଦି-ଚାରିଟା ଚୌକିଦାର କୁହାଟ ମାରି ଛୁଟିଗଲେ l ସତେକି ଗୋଟେ ଗଡ଼ ଜୟ କରିବାକୁ ଯାଉଛନ୍ତି !!!
ଦୀପବାଡି ଗାଁରେ ଏବେ ଚହଳ ପଡିଛି l କଣନା ରଜାଙ୍କ ଦଫାଦାର ବିଚରା ବଙ୍କାଟାକୁ ଟାଣି ଟାଣି ଉଆସକୁ ନେଇଗଲେ l ହେଇ ଦେଖୁନ ବଙ୍କାର ବଢିଲା ଝିଅ ଦମୟନ୍ତୀ କେମିତି କାନ୍ଦି କାନ୍ଦି ବେହୋସ ହେଇ ଯାଉଛି ଘର ଅଗଣାରେ l
ଇଆଡ଼େ ଉଆସ କଚେରୀ ଦାଣ୍ଡରେ ଦାଣ୍ଡିଏ ଲୋକ l ଲୋକେ ଫୁସ ଫସ ହେଉଥିଲେ ବଙ୍କା ଭଳି ନିରୀହ ଲୋକ ଖଣ୍ଡ ମଣ୍ଡଳରେ ନାହାନ୍ତି l ସେ ଏମିତି କି ଅପରାଧ କଲା ଯେ ରଜା ତାକୁ ବାନ୍ଧି ଠିଆ କରାଇଛି ବିଚ ରାସ୍ତାରେ l
ରଜା ଅବଶ୍ୟ ବଙ୍କାକୁ ଭଲ ପାଆନ୍ତି l ରାଜ ଉଆସର ସବୁତକ ଲୁଗାପଟା ବଢିଆ ସଫା କରେ l ରଜାଙ୍କର ଭାରୀ ବିଶ୍ଵସ୍ତ l ବୋଟ ସମୁଦ୍ରରେ ବୁଡିଯିବା ଖବରଟି କିଏ ତାକୁ ଦେଲା ? ୟାକୁ ନେଇ ଗଭୀର ଚିନ୍ତା ରାଜାଙ୍କୁ ମାଡି ବସୁଥିଲା l
ଏମନ୍ତ ସମୟେ ଜଗୁଲୁ ଆଚାର୍ଜି ବିଦ୍ରୁପ ହସଟିଏ ହସି ପଚାରିଲେ - ଆରେ ବଙ୍କା ସତ କହିଲୁ, ମୋତେ ତୁ ରଜାଙ୍କ ବୋଟ ପାଣିରେ ବୁଡିଗଲା ବୋଲି କହି ନ ଥିଲୁ କି ?
ହଁ ପରା ଗୋସେଇଁ ମୁଁ କହିଥିଲି l
ତୁ କଉଁଠୁ ଜାଣିଲୁ ?
କାଲି ରାତିରେ ଉଆସରୁ ଫେରୁଥିବା ବାଟରେ ମୁଁ ନିଜେ ରଜା କହୁଥିବାର ଶୁଣୁଛି ମଙ୍ଗଳିଆ ମଦ ଭାଟିରେ - ମେରା ବୋଟ ପାଣିମେ ଡୁବଗିୟା l
ରଜାଙ୍କୁ ଆଉ କିଏ ସମ୍ଭାଳେ ! ବିରାଟ ଗଛର ଡାଳ ଭାଙ୍ଗିବାର ଶବ୍ଦ ତାଙ୍କର ଫାପୁଲା ପାଟିରୁ ଉତ୍ସାରିତ ହେବାକୁ ଲାଗିଲା l ଏକେତ ଡିମା ଡିମା ଆଖି, କ୍ରୋଧ ଯୋଗୁ ଆହୁରି ଚକା ନୟନ ହେଇଗଲା l ପତା ପଡିଲାନି l ଗର୍ଜି ଉଠିଲେ - ଦେଖୁଛ ତ ଆଚାର୍ଜେ ଏ ଶଳାଟା କେମିତି ମୋ ନାଁ ରେ,ପୁଣି ମୋ ସାମ୍ନାରେ ଏତେ ଲୋକଙ୍କ ଆଗରେ ମିଛ କହିପାରୁଛି ?
ମଳୁ ଖୋଜୁଥିଲା ଯାହା ବଇଦ ବତାଇଲା ତାହା ନ୍ୟାୟରେ ଜଗୁଲୁ ଆଚାର୍ଯ୍ୟ ଚିଗୁଲେଇ କହିଲେ - ନ କହିବ କାହିଁକି ମଣିମା l ତାକୁ ତ ଆପଣ ମୁଣ୍ଡରେ ବସାଇଛନ୍ତି l ଅନ୍ତତଃ ପଚାଶ ବେତ୍ରାଘାତରେ ତାର ସର୍ବାଙ୍ଗ ଦେହକୁ ସେକି ନ ଦେଲେ ସେ ବାଟକୁ ଆସିବନି ମଣିମା l ଶଃ... ଖୋଦ ରଜାଙ୍କ ନାଁରେ ମିଛ ?
ତାହା ହିଁ ହେଉ l ରଜା ଆଦେଶ ଜାରି କରେ l
ବଙ୍କା ଯୋଡ ହସ୍ତରେ କାକୁତି ମିନତି ହେଇ କଣ କହିବାକୁ ଉଦ୍ୟତ ହେଉଥିବା ସମୟରେ ଛାଟୋଇର ବେତ୍ରାଘାତ ବଙ୍କାର ଦେହ ସାରା ଗୋଟିଏ ପରେ ଗୋଟିଏ ଲୋଳା ବସେଇ ଦେଉଥିଲା l ଆର୍ତ୍ତନାଦ, ଚିତ୍କାର କରି ବଙ୍କା କେବଳ ତଳେ ଗଡି କାନ୍ଦିବା ଛଡା ତାର ବାଟ ନ ଥିଲା l ରାଜକର୍ମଚାରୀଙ୍କ ସମେତ ଦେଖଣାହାରି ନିରବ ଦ୍ରଷ୍ଟା ସାଜିଥିଲେ l
ଅନ୍ତରଙ୍ଗ ଚାରିଜଣ କଟୁଆଳଙ୍କ ପିଠିକୁ ଅଗିରି ବାରିକ ଖେଂଚି କହୁଥିଲା - ସତ କଥାଟା ଏଠାରେ ଖୁଲାସା କରିଦିଅନା, ନହେଲେ ବିଚରା ବଙ୍କାଟା ବେତ ପାହାର ଖାଇ ମରିଯିବଯେ l
"ତୁ କହୁନୁ.....ତୁ କହୁନୁ" ଏମିତି ଫୁସଫାସ ହେଇ ସମସ୍ତେ ଚୁପ ରହିଲେ l କିଏ ବା ଜଗୁଲୁ ଆଚାର୍ଜି କୋପରେ ପଡି ମରିବ ହେ l
ବେତ୍ରାଘାତର ଖବର ଶୁଣି ବଙ୍କା ଝିଅ ଦମୟନ୍ତୀ ଧଇଁ ସଇଁ ହେଇ ସେଠାରେ ପହଂଚି ଦେଖେତ ତା' ବାପା ହାଉଲମାଉଲ ହେଇ ତଳେ ଗଡୁଛି l ଚାହିଁଲା କଟମଟ ଆଖୁରେ ଜଗୁଲୁ ଆଚାର୍ଜିକୁ l ତାର ଚାହାଁଣିରେ ନିଆଁ ଜଳୁଥିଲା l ସତେକି ତାର ବଜ୍ର ବାରାହୀ ରୂପ l ମୂର୍ଚ୍ଛତ ବାପାକୁ ତଳୁ ଉଠାଇ ନିଜର ଛାତିରେ କୁଣ୍ଢାଇ କହୁଥିଲା - ରଜା ଶୁଣ l ବେଶୀ ଶୁଣ ବେ କାପାଳିକ ବାହ୍ମୁଣ, ତୋର କାଉଁରୀ କାଠିର ପେଡି ଖୋଲିବାର ସମୟ ଏବେ ଆସିଯାଇଛି l ତୁମ ଦୁହିଁଙ୍କୁ କେହି ବଞ୍ଚାଇପାରିବେନି l
ଆମ ଦେଶରେ କୁମ୍ପାନୀ ଶାସନ ଆଉ ଦିବର୍ଷ ହେଲା ନାହିଁ l ବିଲାତର ରାଣୀ ଭିକ୍ଟୋରିଆଙ୍କ ହାତରେ ଏବେ ଶାସନର ଡୋରି l ଯାଉଛି କାଲି ବାଲେଶ୍ୱର l କିଲିଟିରଙ୍କୁ ଭେଟିବି,ତୋର ଯେଉଁ ଆଦିମ ଶାସନର ବିଚାର ଏଠି ଚାଲିଛି ତାର ଅନ୍ତ ଘଟାଇବି l ମନେ ରଖ ମୁଁ ଦମୟନ୍ତୀ ନୁହେଁ, ମୁଁ ହେଉଛି ବଜ୍ରବାରାହୀ ଚାମୁଣ୍ଡା l
ଏତକ କହି ବାପାକୁ କାନ୍ଧରେ ପକାଇ ଘରକୁ ଫେରିଲା ଦମୟନ୍ତୀ l
ଚାରିଜଣ ଯାକ ଅନ୍ତରଙ୍ଗ କଟୁଆଳଙ୍କ ସମେତ ଅଗିରି ବାରିକ ଦେହ ଭିତର ସମସ୍ତ ଧମନୀରେ ନୂତନ ସୂର୍ଯ୍ୟୋଦୟର ଉଲ୍ଲାସ ପ୍ରବାହିତ ହେଉଥିଲା l ସେମାନେ ଅନୁ୍ଚ୍ଚ ସ୍ୱରରେ କହୁଥିଲେ - ଜୟ ମା ବଜ୍ରବାରାହୀ l ଅଗିରି କହିଲା - ଦମୟନ୍ତୀ ଉପରେ ଆମ ଗାଁ ଠାକୁରାଣୀ ବଜ୍ରବାରାହୀ ଏଇନେ ସବାର ହେଇଛନ୍ତି l ଦେଖୁନ କାଳିସୀ ପରି ତାର ଚାଲି ଓ ସ୍ୱର କେମିତି ହେଇଯାଇଛି l
ଏତକ କହି ଚୌଧୁରୀ ଭାଗବତ ପ୍ରସାଦ ଚୁପ ରହିଲେ l ତାଙ୍କୁ ଘେରି ବସିଥିବା ନାତି ନାତୁଣୀମାନେ ଭାବୁଥିଲେ - ଗପଟା ବୋଧେ ଏଠି ସରିଲା ନା ଆହୁରି ଅଛି ?
ନାତୁଣୀ ଇଲା ପଚାରିଲା - ଜେଜେ, ତୁମ ଗପଟା କମ୍ପ୍ଲିଟ ହେଲା ଭଳି ଲାଗୁନି l ଦମୟନ୍ତୀ ବାଲେଶ୍ୱର କଲେକ୍ଟରଙ୍କୁ ସାକ୍ଷାତ କଲା କି ନାହିଁ ? ଜଗୁଲୁ ଆଚାର୍ଜିର କାଉଁରୀ କାଠିର ବ୍ୟାପାରଟା କଣ ବୁଝି ହେଉନି l
ଜେଜେ ହସି ହସି କହିଲେ - ହଁ, ମୋ ଆଈମା ଠାରୁ ଯେତିକି ଶୁଣିଥିଲି ସେତିକି କହିଲି l ତାପରେ କଣ ଘଟିଲା କହିପାରିବିନି l ଜେଜେ ଚୁପ ରହିଲେ l
ଇଲା କହିଲା - ଜେଜେ ତେବେ ଶୁଣ,ତାପରେ କଣ ଘଟିଲା ମୁଁ କହିବି l
ଜେଜେ ବିସ୍ମିତ ସ୍ୱରରେ ପଚାରିଲେ - କେମିତି ?
ଏତକ କହି ଇଲା ଲାପଟପରେ ଇନଷ୍ଟାଲ କରିଥିବା ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟକୁ ପଚାରିଲା - ଏବେ କୁହ ମାଇଁ ଡ଼ିଅର ଏ. ଇ,ତାପରେ କଣ ଘଟିଲା ? ଜେଜେଙ୍କର ସମଗ୍ର ଭୟସ ସେତେବେଳକୁ ରେକର୍ଡ ହେଇ ସାରିଥିଲା ଲାପଟପରେ l
ଏ - ଆଇ କହିଲା - କଲେକ୍ଟରଙ୍କ ପାଖରେ ଦମୟନ୍ତୀର ଅଭିଯୋଗ ପରେ ବ୍ରିଟିଶ ସରକାର ଜଣେ ପଲିଟିଜାଲ ଏଜେଣ୍ଟଙ୍କର ତତ୍ୱାବଧାନରେ ଭୂୟାଁ ରାଜ୍ୟକୁ ସାମିଲ କରିଦେଲେ l ରଜାଙ୍କର ବିଚାର କରିବାର ଅଖଣ୍ଡ କ୍ଷମତା ରହିଲାନି l କେବଳ ସେତିକି ନୁହେଁ ମିଛଟାରେ ବଙ୍କାକୁ ବେତ୍ରାଘାତ କରିଥିବାରୁ ରଜାଙ୍କ ଠାରୁ ପାଞ୍ଚଶହ ଟଙ୍କା ଜୋରିମାନା ଆଦାୟ କଲେ ବ୍ରିଟିସ ସରକାର l
ପୁଣି ଏ. ଆଇ କହିଲା - ପାଞ୍ଚବର୍ଷ ପୂର୍ବେ ରଜାଙ୍କର ଗୋଟିଏ ବାରବର୍ଷର ଝିଅ ବାସନ୍ତୀର କାଳୀ ବସନ୍ତରେ ଅକାଳ ମୃତ୍ୟୁ ଘଟିଥିଲା l ସେହି ଝିଅଟିକୁ ପୋଖରୀ କୁଳସ୍ଥ ରାଜ-ଶ୍ମଶାନରେ ସମାଧି ଦିଆଯାଇଥିଲା l କିନ୍ତୁ ସମାଧି ଦେବାର ମାସେ ପରେ, ଏଇ ଜଗୁଲୁ ଆଚାର୍ଜି ଅମାବାସ୍ୟା ରାତିରେ ଏକୁଟିଆ ଶ୍ମଶାନକୁ ଯାଇଥିଲା l ମାଟି ଖୋଳି ସେଇ ଝିଅର ପଚା ଶବକୁ ବାହାର କରିଥିଲା l ଝିଅର ବାମ ହାତରୁ ଖଣ୍ଡିଏ ହାଡ଼ କାଟି ଗୋଟିଏ ସିଜୁପତ୍ର ଠୋଲାରେ ରଖିଲା l ରାତି ଅଧରେ ସେଇ ହାଡକୁ ତାର ଗୁହାଳ ପରସ୍ତ ଢେଂକିଶାଳରେ ଗୋଟିଏ ଖଟୁଲିରେ ରଖି ତନ୍ତ୍ର ସାଧନା କରିଥିଲା l ସେହି ସାଧନାରେ ସେ ସିଦ୍ଧ ଓ ବଳାଶାଳୀ ହେଇଥିଲା l ଅଭିଆଡ଼ି ଝିଅଙ୍କ ହାଡରେ କୁଆଁରୀ କାଠି ତିଆରି ହୁଏ l ଜଣେ ଲୋକ ଏହି କୁଆଁରୀ କାଠି ମାଧ୍ୟମରେ ସିଦ୍ଧ ତାନ୍ତ୍ରିକ ହୁଏ ଏବଂ ଅସାଧ୍ୟ ସାଧନ କରିପାରେ ବୋଲି ଲୋକେ ବିଶ୍ୱାସ କରନ୍ତି l
ଜଗୁଲୁ ଆଚାର୍ଜୀର ଏମନ୍ତ ନୃଶଂସ କାର୍ଯ୍ୟ ଖୋଦ ଦମୟନ୍ତୀ ଦୁଇ ବର୍ଷ ପୂର୍ବରୁ ଦେଖିଥିଲା l କାହିଁକି ନା ପୋଖରୀ କୁଳ ଆର ପଟେ ବଙ୍କାର ଘର l ଏମିତିକି ଦମୟନ୍ତୀ ତାର ବାପାକୁ କହିନଥିଲା, କାଳେ ଜଗୁଲୁ ଆଚାର୍ଜୀ ତା ବାପା ଉପରେ ଦାଉ ସାଧିବ !
ଦମୟନ୍ତୀ ସମସ୍ତ କାଉଁରୀ କାଠିର ପେଡି କଲେକ୍ଟରଙ୍କ ଆଗରେ ଖୋଲିଦେଲା ପରେ, ପୋଲିସ ଜଗୁଲି ଆଚାର୍ଜିକୁ ବାନ୍ଧି ଜେଲ ପଠାଇଦେଇଥିଲେ l
କୃତିମ ବୁଦ୍ଧିମତାର କଥା ଶୁଣି ଜେଜେ ଚୌଧୁରୀ ଭାଗବତ ପ୍ରସାଦ ସେତେବେଳକୁ ପ୍ରଯୁକ୍ତିବିଦ୍ୟାର କରାମତି ଦେଖି ତଟସ୍ଥ l ସେ ବିସ୍ମିତ ସ୍ୱରରେ ପଚାରିଲେ - ଆରେ ମା ଇଲା, କୃତିମ ବୁଦ୍ଧିମତା ଯାହା କହିଲା ତାହା କଣ ସତ୍ୟ ?
ଫେଁ କିନା ହସି ଇଲା କହିଲା - ଜେଜେ, ତୁମେ ଯେଉଁ ଗପଟି ଶୁଣେଇଲ, ତାହା କଣ ସତ୍ୟ ???
-------000--------
® ମନୋଜ କୁମାର ମହାପାତ୍ର
22.07.2024
- ସମ୍ପର୍କ :+919937297039