ସନ୍ତୋଷ କୁମାର ସେଠୀଙ୍କ ନିଚ୍ଛକ ଗଳ୍ପ -‘ଶଶୁରଙ୍କ ବାହାଘର’
//ଶଶୁରଙ୍କ ବାହାଘର//
- ସନ୍ତୋଷ କୁମାର ସେଠୀ
ଘରେ ପଶୁ ପଶୁ ତୁଳସୀର ଫଣ ଫଣ ମୁହଁ ଦେଖି ବ୍ୟସ୍ତ ହେଲା ଅନାମ।କଣ ହେଇପାରେ କାରଣ। ବାଥ୍ ରୁମ କୁ ଯାଉ ଯାଉ ଫୋନ୍ ରିଗଂ ହେଲା।
“ହଁ ନାନୀ। ଏଇ ବୟସରେ ଏଗୁଡା କରିବା କଣ ଦରକାର ଥିଲା। ଛିଃ ଲୋକ କଣ କହିବେ ଆମକୁ। ମତେ ତ ମରିଗଲା ଭଳି ଲାଗୁଛି। ସବୁ ର ଗୋଟାଏ ସୀମା ଥାଏନା।”
ସେପଟରୁ କଣ କଥା ଶୁଣି ପାରୁ ନ ଥିଲା ଅନାମ। କେବଳ ତୁଳସୀ ର କଥା ଶୁଣି ସେ ଜାଣୁଥିଲା ତା ବଡ଼ ଭଉଣୀ ସହ ସେ କଥା ହେଉଛି। ଆଉ ସେଇଟା ନିଶ୍ଚୟ ଗୁରୁତର। ଯେଉଁଥି ପାଇଁ ତା ମୁହଁ ଏମିତି ଧାନ ଉସା ହାଣ୍ଡି ଭଳି ହୋଇଛି। ଧୁଆ ଧୋଇ ହୋଇ ସେ ବସିଲା ଡ୍ରଇଂ ରୁମରେ ସବୁ ଦିନ ଭଳି। ଅଫିସ ରୁ ଫେରିବା ର ଏ ସମୟରେ ଚା ଟିକେ ଓ ହାଲକା ଜଳଖିଆ ଆଣିଦିଏ ତୁଳସୀ। କିନ୍ତୁ ଆଜି ର ଯାହା ପାଣିପାଗ ସେତକ ମିଳିବାର ଆଶା ଶୂନ୍ୟ। ପୁଅଟି ଟିଉସନ ଯାଇଛି, ଝିଅ ଆର ଘରେ ପଢୁଛି।
ସକାଳ ର ପେପର ଓଲଟେଇଲା ଅନାମ। ଫୋନ ସାରି ସେମିତି ଦୁମଦୁମ ପାଦରେ ତୁଳସୀ ଆସି ବସିଲା ପାଖରେ। ଟିପୟ ଉପରକୁ ଫୋପାଡିଲା କାର୍ଡ ଟେ।
“କଣ ଏଇଟା ?”
“ବାହାଘର କାର୍ଡ”
“ବାହାଘର କାର୍ଡ ! କାହାର ବାହାଘର ?”
“ଆଉ କାହାର ତମ ଶଶୁରଙ୍କ ର”
ତାତ୍ସଲ୍ୟ ସ୍ୱରରେ କହିଲା ତୁଳସୀ।
ଅନାମ ଶଶୁର ଯେ ତା’ର ବାପା ବୋଧହୁଏ ଏକଥା ରାଗରେ ସେ ଭୁଲି ଯାଇଥିଲା।
ଅନାମ କାର୍ଡଟି ପଢିଲା ଆଉ ଚାରି ଦିନ ପରେ ବିବାହ। ନୀଳକାନ୍ତ ଙ୍କ ସହ ସରଳା ଙ୍କ ର। ଶଶୁରଙ୍କ ବାସଭବନ ନିକଟ ମନ୍ଦିରରେ। ସମସ୍ତ ଙ୍କୁ ଆସିବାକୁ ଆମନ୍ତ୍ରଣ କରାଯାଇଛି। ଭୋଜି ମଧ୍ୟ ସେହିଦିନ।
କାର୍ଡ ଟି ପଢ଼ିବା ପରେ ବି ଅନାମ ର ଧିରସ୍ଥିର ବ୍ୟବହାର ଦେଖି ଉତକ୍ଷିପ୍ତ ହେଲା ତୁଳସୀ। ଆଉ ଦୁଇ ଭଉଣୀ ଓ ଗୋଟିଏ ବୋଲି ଭାଇ ଠାରୁ ଶୁଣିଥିଲା ସେମାନଙ୍କ ସ୍ୱାମୀ ଓ ସ୍ତ୍ରୀ କେମିତି କ୍ରୋଧ ରେ ନିଆଁ ହୋଇ ଯାଇଥିଲେ ସେହି କାର୍ଡ ଦେଖି। ସେ ମଧ୍ୟ ଆଶା କରୁଥିଲା ତା ସ୍ୱାମୀ ଅନୁରୂପ ବ୍ୟବହାର କରି ଶଶୁରଙ୍କ ସାତ ପୁରୁଷ ଉଝାଳିବ। ଏଇଟା ଗୋଟେ ନାକ କାଟିଲା ଭଳି କଥା। ଅଥଚ ଏ ଲୋକ ଏମିତି ଶାନ୍ତ ଶିଷ୍ଟ ହୋଇ ବସିଛି।
“ଏମିତି ଖୁଣ୍ଟଟା ଭଳି ବସିଛ କ’ଣ ବା ? ଏଇ କଥା ଦେଖିବାକୁ ପୁଣି ଥିଲା। ୭୫ ବର୍ଷ ର ବୁଢ଼ା ପୁଣି ବାହା ହେବ। ଘର ସଂସାର କରିବ। ଏ କଥା ଭାବି ଭାବି ମୋ ମୁଣ୍ଡ ବଥା କଲାଣି। ଅଥଚ ତମେ ବେଶ୍ ଶାନ୍ତି ରେ ବସିଛ ।”
“ଆଉ କ’ଣ କରିବା କୁହ। ଯଦି ତାଙ୍କର ଇଛା ହେଲା ଆମେ ମନା କରିବାକୁ କିଏ ?”
ଯେମିତି ନିଆଁ ଲାଗିଗଲା ତୁଳସୀ ଦେହରେ।
“ଆମେ କିଏ ? ଆମେ ପରା ତାଙ୍କ ରକ୍ତ। ତାଙ୍କ ପିଲାମାନେ। ଆମ ସମ୍ମାନ ଚିନ୍ତା ଟିକେ ରହିଲାନି ତାଙ୍କର ?”
ଫୋନ ଆସିଲା। ସବା ସାନ ହେଲେ ବି ଅନାମର ସହନଶୀଳତା, ବୁଦ୍ଧି ଓ ବୁଝାମଣା ମନୋଭାବ ପାଇଁ ସବୁ ବନ୍ଧୁ ବାନ୍ଧବ ତାକୁ ସମ୍ମାନ ଦିଅନ୍ତି। ସବୁ କଥାରେ ପରାମର୍ଶ କରନ୍ତି। ସଢୁ ଦୁଇ ଜଣ ଓ ଶଳା ଲାଗ ଲାଗ ଫୋନ୍ କରିଚାଲିଛନ୍ତି। ଅନାମ ବୁଝେଇଲା କାଲି ସକାଳୁ ଆମେ ଗାଁ କୁ ଯିବା। ସେଇଠି ସବୁ ଆଲୋଚନା କରିବା। ଅନାମ କିନ୍ତୁ ଜାଣିଛି ଗାଁ କୁ ଯିବା କଥା ରେ ସମସ୍ତେ ଅଗ ମୋଡ଼ି ହେବେ। ସମସ୍ତ ଙ୍କ ର ସେହି ଗୋଟିଏ ଉତ୍ତର ଫାଇନାନ୍ସିଆଲ୍ ଇୟରର ଶେଷ ସମୟ। ଏ ସମୟରେ ଛୁଟି ମିଳିବା କଷ୍ଟ। ତୁମେ ମ୍ୟାନେଜ କର।
ନୀଳକାନ୍ତ ବାବୁ ଙ୍କ ର ତିନୋଟି ଝିଅ, ଗୋଟିଏ ପୁଅ। ସମସ୍ତେ ଚାକିରିଆ। ନୀଳ ବାବୁ ଶିକ୍ଷା ବିଭାଗ ରୁ ଅବସର ପରେ ଗାଁ ରେ ରହୁଛନ୍ତି। ସ୍ତ୍ରୀ ଗତ ଚାରି ବର୍ଷ ତଳେ ମରିଗଲା ପରେ ତାଙ୍କ ଦାୟିତ୍ଵ କଥା ଉଠିଲା ବେଳକୁ ସମସ୍ତେ କରଛଡା ଦେଲେ। ନାଁ ତାଙ୍କୁ ନେଇ ନିଜ ପାଖରେ ରଖିହେବ ନାଁ ତାଙ୍କ ପାଖରେ ରହିହେବ। ମୁଖ୍ୟ କଥା ପୁଅ ବୋହୁ ଝିଅ ଜ୍ୱାଇଁ ଏଭଳି ଛୋଟ ପରିବାର ରେ ଅଭ୍ୟସ୍ତ ହୋଇ ଗଲେଣି ଯେ ତାଙ୍କ ପାଖରେ ଆଉ ଜଣେ କିଏ ନିଜର ହେଲେ ବି ରହିବା ତାଙ୍କ ପାଇଁ ଅସହ୍ୟ। ସେଥିପାଇଁ ଗୋଟେ ମେଡ୍ ସର୍ଭାଣ୍ଟ ଯୋଗାଡ଼ ହେଲା ଗାଁ ରେ।୫୦/୫୨ ବର୍ଷ ର ନିରାଶ୍ରୟା ମହିଳା ଟିଏ। ସେହି ହେଲା ନୀଳ ବାବୁ ଙ୍କ ର ସାହା ଭରସା। ଘର ଦ୍ୱାର ଜମି ବାଡ଼ି ସବୁ ସେ ବୁଝେ। ବୁଢ଼ା ଙ୍କ ପେନସନ ପଇସା ରେ ବେଶ ଚଳେ। ପିଲାଏ କେତେ ବେଳେ କୁଣିଆ ଭଳି ଆସି ବୁଲି ଯାଆନ୍ତି।
“କ’ଣ କରିବା ?” ଅଧର୍ଯ୍ୟ ହୋଇ ପଚାରିଲା ତୁଳସୀ।
“କାଲି ନ ହେଲେ ବାହାଘର ଦିନ ଯିବା। ବାପା ଜାଣି କି ରବିବାର ପକେଇଛନ୍ତି। ସୁବିଧା ହେବ ସମସ୍ତ ଙ୍କୁ।” ଅନାମ କଥା ରେ ଚିହିଁକି ଉଠିଲା ତୁଳସୀ।
“କ’ଣ ବାହାଘର ଭୋଜି ଖାଇବାକୁ ଯିବା ? ତମେ ପରା ମାମଲତକାର ବୋଲି ସମସ୍ତେ ତମକୁ ମୁଣ୍ଡାନ୍ତି। କ’ଣ ଏଇଟା ଠିକ୍ ସମସ୍ତ ଙ୍କ ପାଇଁ ?”
ଅନାମ ଜାଣିଛି ଏବେ ନିରାଟ ସତଟା କୁ ଅନୁଭବ କରିବାର କ୍ଷମତା ତୁଳସୀ ର ନାହିଁ। ଶଶୁରଙ୍କ ପଟ ହେଇ କହୁଛି ବୋଲି ଆହୁରି ଝାମେଲା କରିବ। ବରଂ ଥା ଥା ମା ମା କରି ବାହାଘର ଯାଏଁ ଏମିତି ନେବାକୁ ପଡିବ। ହଉ ଦେଖିବା ବୋଲି ହାଲକା ଭାବେ ସେ ଉତ୍ତର ଦେଲା।
“ଜାଣିଛ ବାପା ଙ୍କୁ ତ ବିରକ୍ତ ଓ ଲଜ୍ଜ୍ୟା ରେ କେହି କଥା ହେଲେନି। ମୁଁ ଲଗେଇଥିଲି। ସେ କହିଲେ ଯାହା ମୋ ପାଇଁ ଭଲ ହେବ ତା ମୁଁ କରୁଛି। ତମକୁ ଅସୁବିଧା କାହିଁକି ? ବୁଢ଼ା ର ମନ ତ ବାହା ହେବା ପାଇଁ ଖାଲି ଉଡୁଛି।” ତୁଳସୀ ର ରାଗକୁ ଶାନ୍ତ କରିବାର ଫର୍ମୁଲା ଅନାମକୁ ଜଣା। ସେ ଟିକେ ଗେଲ କରିଦେଲେ ସେ ତୁରନ୍ତ ଲାଜରେ ଖସିଯାଏ। ଆଉ ତାକୁ ଖସେଇ ଶଶୁରଙ୍କ ସହ କଥା ହେବା ଅତ୍ୟନ୍ତ ଜରୁରୀ ଥିଲା ଅନାମ ପାଇଁ । ତୁଳସୀ ରୋଷେଇ ପାଇଁ ଗଲା ପରେ ଅନାମ କଥା ହେଲା ଶଶୁରଙ୍କ ସହ। ପ୍ରସ୍ତୁତି କୁ ଚୁଡାନ୍ତ ସହ ଯେଭଳି ସବୁ ସୁବ୍ୟବସ୍ଥିତ ହେବ ତାହା ସମ୍ପର୍କରେ ମଧ୍ୟ ଚୁପି ଚୁପି କଥା ହେଲା। ମୋଟ ଉପରେ ଏ ପ୍ଲାନ୍ ଟିର ନିର୍ଦ୍ଦେଶକ ଯେ ଅନାମ ଏକଥା ଜାଣିଲେ ବିସ୍ଫୋରଣ ର ଆଶଙ୍କା ଥିବାରୁ ଯଥା ସମ୍ଭବ ସୁରକ୍ଷିତ କରିବାକୁ ଚାହୁଁଥିଲା ଅନାମ।
ରବିବାର ଦିନ ସମସ୍ତେ ଗାଁ ମନ୍ଦିର ରେ ପହଞ୍ଚିଲା ବେଳକୁ ସବୁ ରେଡି। ନୀଳ ବାବୁ ନୂଆ ଲୁଗା ପଟା ଓ ବାହା ଡ୍ରେସ୍ ରେ ଆଉ କୋଡ଼ିଏ ବର୍ଷ କମିଗଲା ଭଳି ଲାଗୁଛନ୍ତି। ସରଳା କୁ ବି ସଜା ହୋଇଛି ସୁନ୍ଦର କରି। ବେଶ୍ କିଛି ଗହଳି ଭିତରେ ପ୍ରେସ ବନ୍ଧୁ ମାନଙ୍କୁ ଦେଖି ଝିଅ, ଜ୍ୱାଇଁ,ପୁଅ, ବୋହୁ ଙ୍କ ର ଅକଲ ଗୁଡୁମ। ଏକ ଆଦର୍ଶ ବିବାହ ର ସାମାଜିକ ବାର୍ତ୍ତା ବହନ କରୁଥିବା ଏ କଥା ଟି ଯେ ନୂଆ ଦିଗନ୍ତ ସୃଷ୍ଟି କରିବାକୁ ଯାଉଛି ଏହାହିଁ ଗଣମାଧ୍ୟମ ପାଇଁ ବଡ଼ ଉପଲବ୍ଧି ଥିଲା। ପୂଜା ପାଠ ଓ ମାଳ ବଦଳ ପରେ ଏକ ଛୋଟ ମିଟିଂ ର ବ୍ୟବସ୍ଥା କରାଯାଇଥିଲା। ଅନାମ ବାବୁ ଏଥିରେ ପୈାରହିତ୍ୟ କରି ପିଲା ମାନେ ବାପାଙ୍କ ର ଏକଲା ପଣକୁ ସହି ନ ପାରି ଓ ତାଙ୍କର ଉପଯୁକ୍ତ ସେବା ପାଇଁ ଏଭଳି ଅଭିନବ ବ୍ୟବସ୍ଥା କରିଛନ୍ତି ବୋଲି କହିବା ସହ ସମସ୍ତ ଙ୍କୁ କୃତଜ୍ଞତା ଜଣେଇଲେ। ମନ ପୋଡିଯାଉଥିଲେ ମଧ୍ୟ ସମସ୍ତେ ମିଡିଆ ସମ୍ମୁଖରେ ସେହି କଥା ର ପୁନରାବୃତ୍ତି କଲେ।
ଭୋଜି ଭାତ ସରିବା ପରେ ଶଶୁରଙ୍କ ଘରେ କିନ୍ତୁ ଅସଲ ଡ୍ରାମାଟି ହେଲା।
ଅନାମକୁ ଛାଡି ସମସ୍ତେ ନିଜର ଅସନ୍ତୋଷ ଓ ନିନ୍ଦା କୁ ବୁଢ଼ା ଙ୍କ ଉପରେ ଢାଳି ଚାଲିଲେ। ମୁଣ୍ଡ ପୋତି ନୀଳ ବାବୁ ଚୁପ୍ ଚାପ୍ ସବୁ ଶୁଣୁଥାନ୍ତି। ପିଲା ମାନଙ୍କ ମଧ୍ୟରେ ତାଙ୍କ ପ୍ରତି ଏଭଳି ବ୍ୟବହାର ରେ ସେ ମର୍ମାହତ ଓ ଶଙ୍କାଗ୍ରାସ୍ତ ହୋଇ ଉଠୁଥିଲେ। ଅନାମ କୁ ଚାହିଁଲେ। ଅନାମ ଆଖି ରେ ଉତ୍ତର ଦେଲା ସବୁ ଠିକ ହୋଇଯିବ।
ହଠାତ୍ ଅନାମ ଆରମ୍ଭ କଲେ।
“ବାପା ଯାହା କରିଛନ୍ତି ଆମକୁ ଲାଜ ଲାଗିଲା ଭଳି। ଅଥଚ ସେ ଏଠାରେ ବୋଉ ମଲା ପରେ ଏକୁଟିଆ ଗାଁ ର ଅନ୍ୟ ମାନଙ୍କ ଆଶ୍ରାରେ ରହିବା ଟା ଆମ ମାନଙ୍କ ପାଇଁ ନିଶ୍ଚୟ ସମ୍ମାନ ଜନକ ଭଳି ! ଆଗରୁ ଦୁଇ ତିନି ଥର ଏ ବିଷୟରେ ମୁଁ ସମସ୍ତ ଙ୍କୁ ପଚାରିଛି, ବାପା ଙ୍କ ଦାୟିତ୍ଵ କିଏ ନେବ ? ମୋର ସ୍ତ୍ରୀ ର ଆଣ୍ଠୁ ଗଣ୍ଠି ସମସ୍ୟା, ମୋ ନିଜ ମା ସେ ଯୋଗୁ ଗାଁ ରେ। ତେଣୁ ସେତେବେଳେ ମୁଁ କହିଥିଲି ମୋର ବାପା ଙ୍କ ସମ୍ପତି ରେ ଲୋଭ ନାହିଁ କିମ୍ବା ସେବା ସବୁବେଳ ପାଇଁ ଦେବା ସମ୍ଭବ ନୁହେଁ। ଆପଣ ମାନେ ବି ଅନୁରୂପ କହିଥିଲେ। ମୋ ସ୍ତ୍ରୀ ର ସମସ୍ୟା ଭଳି ଅନ୍ୟ ମାନେ ମଧ୍ୟ ସମାନ ସମସ୍ୟା ରେ ଥିବା ମୁଁ ଅନୁଭବ କରିଛି। ଆମେ ଘରେ ବାପା, ମା ଛୁଆ ହୋଇ ଚାରି ଜଣ। ତୁଳସୀ ସବୁ କରେ। କିନ୍ତୁ ମୋ ବୋଉ ଆସିଲେ ସମସ୍ୟା ହୁଏ। ହୁଏତ ଏ କଥା ମୁଁ କହି ନ ଥାନ୍ତି, ମୁଁ ପ୍ରତି ସପ୍ତାହରେ ବୋଉ ପାଖକୁ ଯାଏ ତୁଳସୀ କୁ ନ ଜଣାଇ। ଆଉ ତୁଳସୀ ର ଅସୁସ୍ଥ କଥା କହି ବାଲାନ୍ଶ କରେ। ମୋ ବୋଉ ପାଖରେ ବି ସ୍ତ୍ରୀ ଲୋକ ଟି ଏ ଦେଖାଶୁଣା ପାଇଁ ଅଛି।” ତୁଳସୀ ସହ ଅନ୍ୟ ମାନଙ୍କ ମୁହଁ ଜଳିଯାଉଥିଲା ଲାଜରେ।
ଗଳା ଖଙ୍କାରି ନୀଳକାନ୍ତ ଆରମ୍ଭ କଲେ।
“ଆମେ ସମସ୍ତେ ସମ୍ମାନ କୁ ଦେଖୁଛନ୍ତି, ସମାଜ କଣ କହିବ ଭାବୁଛନ୍ତି। କେବେ ନିଜ ବିବେକ କୁ ଆମେ ପଚାରିଛନ୍ତି ତୁମ ମାନଂକ ବାପା,ମା,ଶାଶୁ,ଶଶୁର ଙ୍କ ସେବା କରୁନାହଁ ସମାଜ କ’ଣ କହିବ ?
ପଡୋଶୀ ମାନେ ଅସୁସ୍ଥ ବାପା ମା ଙ୍କୁ ତୁମ ଅନୁପସ୍ଥିତିରେ ଖାଇବାକୁ ଦେଉଛନ୍ତି, ସେବା କରୁଛନ୍ତି ସମାଜ କଣ କହିବ ?
ତୁମ ମାନଙ୍କୁ ଲାଜ ଲାଗିବ ପରିଣତ ବୟସ ରେ ବିବାହ। ଏ ବିବାହ କୁ ତମେ ମାନେ କ’ଣ ଭାବ !
ଶାରୀରିକ ସୁଖ ପାଇଁ ?
ପରିବାର ବଢେଇବା ପାଇଁ ?
ନିଜ ଆନନ୍ଦ ପାଇଁ ?
ମୁଁ ଭାବେ ଏହା ଏକ ବାଧ୍ୟବାଧକତା । ପରିଣତ ବୟସ ର ବିବାହ ଆବଶ୍ୟକତା ପୂରଣ ପାଇଁ, ଏକଲା ପଣରୁ ବଂଚିବା ପାଇଁ, ମରିବା ପର୍ଯ୍ୟନ୍ତ ସାହାରା ଟିଏ ପାଇଁ। ତମେ ତ କଲନି କିଛି ବି ସେବା ତମ ବାପା ମା ଙ୍କ ର। ତମ ପିଲା ଶିଖିଲା ନାହିଁ,ସ୍ନେହ,ପ୍ରେମ,ମମତା, ଆଦର। ବୁଝିଲା ନାହିଁ ତା’ର ବରିଷ୍ଠ, ବୟସ୍କ ଙ୍କ ପ୍ରତି ଦାୟିତ୍ଵ,କର୍ତ୍ତବ୍ୟ। ଅଥଚ ତମେ ବୁଢ଼ା ବୁଢ଼ୀ ହେବା ପରେ ତାଙ୍କୁ ଗାଳି ଦେବ ଦୋଷ ଦେବ ପିଲା ଆମର କିଛି କଲା ନାହିଁ ବୋଲି !
ସତୀ ଦାହ ପ୍ରଥା ଉଠି ଯାଇଛି ବୋଲି ଆମେ ପଢ଼ୁଛୁ। ସତୀ କେବଳ ନାରୀ ଟି ଏ ସ୍ୱାମୀ କୁ ହରେଇଲେ ହୁଏ ବୋଲି ଜାଣିଛୁ। କିନ୍ତୁ ଏବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟ ରୁ ଜଣେ ଆଗ ଚାଲିଗଲେ ଅନ୍ୟ ଜଣକ ତିଳ ତିଳ ହୋଇ ଯନ୍ତ୍ରଣା ର ଜୁଇରେ ଜଳୁଛି। ଏହା ହିଁ ତ ଦାହ, ଅହରହ। ଏହା କ’ଣ ଏକ ପ୍ରକାର ସତୀଦାହ ନୁହେଁ। ତା ଠାରୁ ଭଲ ଜଣେ ମଲେ ଅନ୍ୟ ଜଣକ ଆପଣା ଛାଏଁ ମରିଯିବା । ଅନ୍ତତଃ ନିସଂଗତା ତ ନ ଥିବ ବାକି ଜୀବନ ପାଇଁ।
ପଡିଶା ଙ୍କ ଠାରୁ ଫୋନ ଗଲେ ମନରେ ଆଶା ବୁଢ଼ା ଚାଲିଗଲା କି ! ତା ପରେ ଶବ ସତ୍କାର ଠାରୁ ଆରମ୍ଭ କରି ଶୁଦ୍ଧି କ୍ରିୟା ଶେଷ ପର୍ଯ୍ୟନ୍ତ ପ୍ରତିଯୋଗିତା । କେତେ ଲୋକ ଙ୍କୁ କେତେ ପ୍ରକାର ଖାଦ୍ୟ ପରଶା ଯାଇପାରିବ। ଲୋକେ କହିବେ ଅମକ ମଲା ଭୋଜି ସମସ୍ତ ଙ୍କ ଠାରୁ ବଢିଆ ହୋଇଥିଲା।ପିଲା ହାତ ଖୋଲି ଖର୍ଚ୍ଚ କଲେ। କାରଣ ଏହା ଆଜିର ଆଡ଼ମ୍ବର ଓ ଆଭିଜାତ୍ୟର ପ୍ରତୀକ। ଜୀବନ ର ଶେଷ ପର୍ଯ୍ୟାୟରେ ବୁଢ଼ା ବା ବୁଢ଼ୀ ଟି କୁ ସାହାରା ମିଳିଲାନି, ଏତେ ଲୋକ ଙ୍କୁ ଖୋଇବାରେ ତା ଆତ୍ମା ଶାନ୍ତି ପାଇଯିବ ?
ଛାଡ଼ ବହୁତ କହିଲିଣି। ଏ ସମସ୍ତ ସମସ୍ୟାର ମୂଳ ମୁଁ । ସରଳା ଯେଉଁ ସେବା ଦେଇ ଆସୁଥିଲା ତା ଭବିଷ୍ୟତ ପାଇଁ ସନ୍ଦିହାନ ହୋଇ ସେ ଚାହିଁଲା ଏକ ସୁରକ୍ଷିତ ବ୍ୟବସ୍ଥା। କାରଣ ଆଜିର ସମାଜ ରେ ବଂଚି ଥାଉ ଥାଉ ଯେଉଁଠି ରକ୍ତ ପଚାରୁ ନାହାନ୍ତି ସେଠି ସରଳା ର ଭବିଷ୍ୟତ କ’ଣ ? ମୋ ପରେ ତୁମେ ମାନେ ତାକୁ ଗଳା ଧକ୍କା ଦେଇ ବାହାର ନ କରି ଦେବ ବୋଲି କିଏ କହିବ ? ଏ ପରିଣତ ବୟସରେ ସେ କୋଉଠି ସାହାରା ନେବ। ଏ ସବୁ ଦେଖି ସେ ପୁରରେ ତା ଆଖି ଲୁହ ମୋତେ କଷ୍ଟ ଦେବ। ମୋ ନିଷ୍ପତ୍ତି ଅନୁସାରେ ମୁଁ ମଲା ପରେ ମୋ ସ୍ତ୍ରୀ ହିସାବରେ ସରଳା ମଲା ଯାଏ ପେନସନ ଉପଭୋଗ କରିବ। ତାଙ୍କୁ ଗୋଟିଏ ଘର ଓ କିଛି ଜମି ଦିଆଯିବ ଯାହା ତାଙ୍କ ମୃତ୍ୟୁ ପରେ ଫେରି ଆସିବ।
ମୁଁ ଦେଖୁଛି ଏ ସମସ୍ୟା ବର୍ତ୍ତମାନ ସାର୍ବଜନୀନ। ତେଣୁ ଏଇ ଘରେ ବୟସ୍କ ଲୋକଙ୍କର ଅନୁରୂପ କଷ୍ଟ ରୁ ମୁକ୍ତି ପାଇଁ ଜରାନିବାସ ଟି ଏ କରିବାକୁ ଉଦ୍ୟମ ଆରମ୍ଭ କରିଛି ମୁଁ। ସରକାର ଙ୍କ ସହ ଯୋଗାଯୋଗ କରିଛି । ମୁଁ ଚାହେଁନା ମୁଁ ପାଉଥିବା କଷ୍ଟ ପରି ଅନ୍ୟ ମାନେ ପାଆନ୍ତୁ। ଜରାନିବାସ ହିଁ ଆଗାମୀ କାଲି ର ସଂକଳ୍ପ ଓ ସ୍ଥାୟୀ ବ୍ୟବସ୍ଥା । ବାପା ମା ଙ୍କ ର ପିଲା ମାନଙ୍କ ପ୍ରତି ଏ ଆଉ ଏକ କର୍ତ୍ତବ୍ୟ। ଆସନ୍ତା କାଲି ତୁମେ ମାନେ ତ ଏଇ ଯାଗାକୁ ଆସିବ ନା !! ସେଥିପାଇଁ ବାପା ହିସାବରେ ମୋର ହେବ ତୁମକୁ ତୁମ ଭବିଷ୍ୟତ ର ଭେଟି ଏହି ଜରାନିବାସ।
ପିଲାମାନେ ଯେହେତୁ ସକ୍ଷମ ଓ ବେଶ୍ ଭଲରେ ଅଛନ୍ତି ମୋର ଏହି ପ୍ରସ୍ତାବ କୁ ଗ୍ରହଣ କରିବେ ବୋଲି ଆଶା । ତେଣୁ ସମାଜ ପାଇଁ ଏଇ ଅବଦାନ କୁ ସ୍ୱାଗତ କରିବ ବୋଲି ଭାବୁଛି।”
ସମସ୍ତେ ନୀରବରେ ଅଶ୍ରୁ ବିସର୍ଜନ କରୁଥିଲେ। ଆଉ ସନ୍ଦିହାନ ହୋଇ ଉଠୁଥିଲେ ନିଜ ନିଜ ର ଭବିଷ୍ୟତ କୁ ନେଇ !!!
- @ସନ୍ତୋଷ କୁମାର ସେଠୀ,ଯାଜପୁର