ପ୍ରାଜ୍ଞପୁରୁଷ ସାତକଡ଼ି ହୋତାଙ୍କୁ ସୃଜନୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି
- ଚେନ୍ନାଇ//TATKAL ODISHA//
ସୃଜନୀ ପରିବାର,ଚେନ୍ନାଇ ଆନୁକୂଲ୍ୟରେ ଓଡିଆ ଭାଷା ସାହିତ୍ୟର ପ୍ରତିବଦ୍ଧତାଧର୍ମୀ ବିଶେଷଜ୍ଞ, ବହୁମୁଖି ପ୍ରତିଭାଦୀପ୍ତ ଯଶସ୍ୱୀ ସମ୍ପାଦକ ,ସାରସ୍ୱତ ସାଧକ ତଥା ବିଶିଷ୍ଟ ପ୍ରଶାସକ ସାତକଡ଼ି ହୋତାଙ୍କୁ ସମର୍ପିତ ସ୍ମୃତି-ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ବରେଣ୍ୟ ଅତିଥି ତଥା ଆଲୋଚକଙ୍କ ଉପସ୍ଥିତିରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି I
- ସାହିତ୍ୟିକ,ଗୀତିକାର ତଥା ଭାରତୀୟ ପ୍ରଶାସନିକ ସେବାନିବୃତ୍ତ ଅଧିକାରୀ ଡ଼କ୍ଟର ଅଲେଖ ଚନ୍ଦ୍ର ପଢ଼ିଆରୀ, ବରିଷ୍ଠ ସାହିତ୍ୟିକ ଓ ସଂସ୍କୃତି ଗବେଷକ ଡ଼କ୍ଟର ପୀତବାସ ରାଉତରାୟ ,ସମ୍ପାଦକ,ସାହିତ୍ୟିକ ତଥା ସାରଳା ସାହିତ୍ୟ ଗବେଷକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ବିଶ୍ୱାଳ,ଅବସରପ୍ରାପ୍ତ -ପ୍ରାଧ୍ୟାପିକା ,ସାହିତ୍ୟିକା ଡ଼. ପ୍ରେମଲତା ଦେବୀ,ପ୍ରାକ୍ତନ ଅଧ୍ୟକ୍ଷା-ଓଡିଶା ମହିଳା କମିଶନ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତି,ସାମ୍ବାଦିକ ( ନନ୍ଦିଘୋଷ ଟି ଭି ) ତଥା ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ପଣ୍ଡା ଆଦି ସ୍ମୃତି – ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ରହି ପ୍ରାଜ୍ଞପୁରୁଷ ସାତକଡ଼ି ହୋତାଙ୍କ ଜୀବନ ଯାତ୍ରା ,ସାରସ୍ୱତ ଯାତ୍ରା, ଓ ଓଡ଼ିଶାର ବହୁ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସହିତ ଜଡିତ ହୋଇ ବହୁ ଉଲଖ୍ୟନୀୟ କାର୍ଯ୍ୟ କରିଛନ୍ତି ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ସ୍ମୃତି -ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ I ସାହିତ୍ୟ ସାଧକ ତଥା ସଂଗଠକ ସାତକଡ଼ି ହୋତା ଓଡିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ ଓଡ଼ିଆ ସାହିତ୍ୟର ସମୃଦ୍ଧି ଓ ବିକାଶ ନିମନ୍ତେ ବହୁ ବିକାଶମୂଳକ କରିଥିବା ସହ ଓଡ଼ିଆ ସାହିତ୍ୟର ନବଦିଗନ୍ତ ପାଇଁ ସେ ପ୍ରତେହ ଚେଷ୍ଟିତ ଥିଲେ I ଓଡ଼ିଆ ଲେଖକ ସାମ୍ମୁଖ୍ୟର ସଭାପତି,ଭୁବନେଶ୍ୱର ପୁସ୍ତକମେଳା ସଭାପତି ,ଓଡିଶା ଲେଖକ ସମବାୟ ସମିତିର ସଭାପତି ,କେନ୍ଦ୍ରସାହିତ୍ୟ ଏକାଡେମୀର ପରାମର୍ଶଦାତା ପରିଷଦ ସଭ୍ୟ ,ଉତ୍କଳ ବିଶ୍ୱବିଦ୍ୟାଳୟ ସିନେଟ ସଭ୍ୟ ଏପରି ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ମହୋଦୟ ହୋତା ଜଡିତ ରହି ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ I
ଉକ୍ତ ଆଭାସୀ ସଭାରେ ହୋତା ମହୋଦୟଙ୍କ ପରିବାରରୁ ଓଡ଼ିଆ ସାହିତ୍ୟ ପତ୍ରିକା “ଅମୃତାୟନ” ର ସମ୍ପାଦିକା ତଥା ବରିଷ୍ଟ କନ୍ୟା ଶ୍ରୀମତୀ ସୌମ୍ୟା ରଥ ,ବରିଷ୍ଟ ବୈଜ୍ଞାନିକ-ଅବସରପ୍ରାପ୍ତ (ISRO ) ପ୍ରଫେସର୍ ଡ଼. ଅଶୋକ କୁମାର ରଥ,ଶ୍ରୀମତୀ ମିତାଲି ହୋତା,ଶ୍ରୀମାନ ରାଜୀବ ହୋତା ଓ ଅନ୍ୟାନ ବନ୍ଧୁ ପରିଷଦ ଆଦି ଉପସ୍ଥିତ ରହି ଦିବଂଗତ ହୋତାଙ୍କ ଉଦ୍ଦେଷରେ ନିଜର ସ୍ମୃତି -ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I
ସାହିତ୍ୟ ସାଧକ ସାତକଡ଼ି ହୋତା ଥିଲେ ଜଣେ ମାନବ ପ୍ରେମୀ ମଣିଷ ଯାହାକି ତାଙ୍କ ସାରସ୍ୱତ ସୃଷ୍ଟିରେ ତାଙ୍କୁ ମାନବବାଦ ସ୍ରଷ୍ଟା ରୂପେ ଖ୍ୟାତି ଦେଇପାରିଛି I ସାହିତ୍ୟିକ ତଥା ଶିକ୍ଷାବିତ୍ ଡ଼ଃ କମଳାକୃଷ୍ଣ ତ୍ରିପାଠୀ,ଓଡ଼ିଆ ପତ୍ରିକା “ଗୋଧୂଳି “ର ସମ୍ପାଦିକା ଶ୍ରୀମତୀ ବିମଳା ସିଂହ,ସାମ୍ବାଦିକ ତଥା ସାହିତ୍ୟିକ ଶ୍ରୀଯୁକ୍ତ ଜିତେନ୍ଦ୍ର ପଟ୍ଟନାୟକ ଏବଂ ଲେଖକ ସାମ୍ମୁଖ୍ୟର ସଂଗଠକ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ର ଆଦି ସଭାରେ ଉପସ୍ଥିତ ରହି ହୋତାଙ୍କ ଜୀବନ ଯାତ୍ରାରେ ସାହିତ୍ୟ ସହ ସମାଜ ପ୍ରତି ଥିବା ଏକନିଷ୍ଠତା ,ଅଙ୍ଗିକାରବଦ୍ଧତା କୁ ପ୍ରସଙ୍ଗ କରି ଆଲୋଚନା କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ପ୍ରଥିତଯଶା ସାହିତ୍ୟିକ ସାତକଡ଼ି ହୋତା ତାଙ୍କ ସାହିତ୍ୟ କୃତି ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ,ସାରଳା ପୁରସ୍କାର ,ସାହିତ୍ୟ ଭାରତୀ ସମ୍ମାନ ,ଉତ୍କଳ ସାହିତ୍ୟ ସମାଜ ସମ୍ମାନ ଆଦି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ମଧ୍ୟ ସେ ଥିଲେ ସମସ୍ତ ସମ୍ମାନର ଉର୍ଦ୍ଧରେ ଏହି ବିଷୟରେ ସୃଜନୀ ପରିବାରର ଉପଦେଷ୍ଟା ସାହିତ୍ୟ ସାଧିକା ଡକ୍ଟର ବାସନ୍ତୀ ମହାନ୍ତି ,କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିଘ୍ନେଶ୍ଵର ସାହୁ ନିଜ ନିଜ ମତ ପ୍ରଦାନ କରିବା ସହ କିପରି ହୋତାଙ୍କ ଅମର ସାହିତ୍ୟ କୃତିକୁ ସୁରକ୍ଷା ଦେଇ ହେବ ସେ ବିଷୟରେ ଆଲୋକପାତ କରିଥିଲେ I
- ସୃଜନୀ ପରିବାରର ସଂପାଦକ ଅଶୋକ କୁମାର ସାମନ୍ତ ଅତିଥି ପରିଚୟ ପ୍ରଦାନ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।ସୃଜନୀ ପରିବାରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଆଶୁତୋଷ ସାମନ୍ତସିଂହାର (ଆଇ ଏଫ୍ ଏସ୍ – ଅବସରପ୍ରାପ୍ତ), ଏବଂ ଉପଦେଷ୍ଟା ପ୍ରଫେସର୍ ଗୋଦାବରୀଶ ମିଶ୍ରଙ୍କ ସହ ସୁଦୂର ଆମେରିକାରେ ଅବସ୍ଥାପିତ କରୁଥିବା ଶ୍ରୀଯୁକ୍ତ ପ୍ରଶାନ୍ତ ଭୂୟାଁ ,ଶ୍ରୀମତୀ ଚନ୍ଦ୍ରା ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ସୁଧୀ ତଥା ବିଦ୍ୱାନଙ୍କ ଭବ୍ୟ ଉପସ୍ଥିତି ସଭାକୁ ମହିମା ମଣ୍ଡିତ କରିଥିଲା I ପ୍ରସାରଭାରତୀର କଣ୍ଠଶିଳ୍ପୀ ଶ୍ରୀମତୀ ବିଦ୍ୟୁତପ୍ରଭା ପଟ୍ଟନାୟକ , କଣ୍ଠଶିଳ୍ପୀ ଶ୍ରୀମତୀ ମହାଶ୍ୱେତା ପଟ୍ଟନାୟକ ଙ୍କ ସଂଗୀତ ପରିବେଷଣରେ ସଭା ସଂଗୀତମୟ କରିବା ସହ ଉଭୟ କଣ୍ଠଶିଳ୍ପୀ ହୋତା ମହୋଦୟଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ସୃଜନୀର ସମ୍ପାଦକ ଶ୍ରୀ ଅଶୋକ ସାମନ୍ତଙ୍କ ଧନ୍ୟବାଦାର୍ପଣ ବକ୍ତବ୍ୟରେ ସାତକଡ଼ି ହୋତାଙ୍କ ଅବର୍ତ୍ତମାନରେ ଆମେ କିପରି ତାଙ୍କୁ ଯଶୋଦେହରେ ବଂଚେଇ ରଖିପାରିବ ଏହି ମତ ସହ ସଭା ସାଙ୍ଗ ହୋଇଥିଲା I