ଅରବିନ୍ଦ ଦାସଙ୍କ ନିଆରା ଗପ-‘ଶାମ୍ବଦଶମୀ ଟ୍ୱିଷ୍ଟ’
★★★★★★★
// TATKAL ODISHA//
//ଅରବିନ୍ଦ ଦାସ//
ଆସନ୍ତାକାଲି ଶାମ୍ବଦଶମୀ ପଡୁଛି ବୋଲି
ସୁଜାତା, ସହରରେ ରହୁଥିବା ପୁଅ ବୋହୁଙ୍କ ପାଖକୁ ଯିବାକୁ ନିଜ ବ୍ୟାଗ ସଜାଡି, ବୋହୁ ରୋଜିକୁ ଫୋନ ଲଗାଇ ଶାମ୍ବଦଶମୀ କଥା କହିବାକୁ ମନେ ମନେ ଚିନ୍ତା କଲାବେଳେ, ସକାଳୁ ସକାଳୁ ପଡିଶା ବିନିଖୁଡୀଙ୍କୁ ,ଘର ଭିତରକୁ ପଶି ଆସିବାର ଦେଖି ଟିକେ ଆଶ୍ଚର୍ଯ୍ୟ ହୋଇଗଲେ।
ବିନି ଖୁଡୀ ପିଣ୍ଡାରେ ବସୁବସୁ, ଅଧା ସଜଡ଼ା ବ୍ୟାଗ ଦେଖି କହିଲେ,
- ନାତି ଟୋକାର ପ୍ରଥମ ଶାମ୍ୱଦଶମୀ ବୋଲି ଆଜିଠୁ ପୁଅ ବୋହୁଙ୍କ ପାଖକୁ ବାହାରିଛ ନା କଣ ?”
ବ୍ୟାଗଟା ବନ୍ଦ କରୁକରୁ ସୁଜାତା କହିଲେ, - ଆଜି ନୁହେଁ, ଆସନ୍ତାକାଲି ସକାଳେ ଯିବି ଖୁଡୀ।”
- ନାତି ପାଇଁ ମାନସିକ କରି କଣ ବାଢ଼ିବାକୁ ବୋହୂକୁ କହିଛ ? କେତେ ପ୍ରକାର ପିଠା ମିଠା ?”
ହସିଦେଇ ସୁଜାତା କହିଲେ, - ଖାଲି ଗୋଟେ ପରମ୍ପରା ଅଛି ବୋଲି ଆମେ ଏସବୁ କରୁଛେ।ଆଜିକାଲିକା ପିଲାଙ୍କୁ ସେସବୁ ବୁଝାଇବା ଅଥବା ବାଧ୍ୟ କରି କରାଇବା ସମ୍ଭବ ନୁହେଁ।ତେଣୁ ବୋହୂକୁ ମୁଁ କହି ଦେଇଛି,ତାର ଯାହା ଖୁସି ସେଇଆ ବାଢ଼ିବ।”
ଦୀର୍ଘନିଶ୍ଵାସ ଛାଡି ଵିନି ଖୁଡୀ କହିଲେ, - ଭଲ କଥା ଟେ କହିଲ। ଗତ ବର୍ଷ ମୋ ବୋହୁକୁ ଶାମ୍ବ ଦଶମୀରେ ଗାଁକୁ ଡକାଇଥିଲି।ଏଇ ବଢ଼ାବଢି ବାହାନାରେ, ତାରି ହାତରେ କିଛି ପିଠାପଣା ତିଆରି କରାଇବା ପାଇଁ ମନେମନେ ଭାବି ତାକୁ କହିଥିଲି,” ବୋହୁ ,ମୁଁ ପ୍ରତିବର୍ଷ ତୋ ସ୍ଵାମୀ, ଦୁଇଦେଢ଼ଶୁର,ଦିଅର,ଦୁଇନଣନ୍ଦ ଓ ତୋ ଶଶୁର ଇତ୍ୟାଦିଙ୍କ ପାଇଁ ସାତ ରକମ ର ପିଠାପଣା ବାଢେ।ଆମ ଘରେ ରୀତି ନିୟମ ଅଛି,ବାହାହୋଇ ଘରକୁ ଆସିଥିବା ନୂଆବୋହୁ ପ୍ରଥମ ବର୍ଷ ଶାମ୍ବଦଶମୀରେ ନିଜ ଇଚ୍ଛାରେ ସବୁ ଘର ଲୋକଙ୍କ ପାଇଁ କିଛି ବାଢିବ।ତେଣୁ ତୁ ସମସ୍ତଙ୍କ ପାଇଁ କଣକଣ ବାଢ଼ିବୁ ତା ଚିନ୍ତା କର।”
ଆଶ୍ଚର୍ଯ୍ୟ ହୋଇ ସୁଜାତା ପଚାରିଲେ, - ବୋହୁ ପରିଶ୍ରମ କରି କଣ କଣ ସବୁ ବାଢ଼ିଲା?”
ଚିଡିଲା ସ୍ବରରେ ବିନି ଖୁଡୀ କହିଲେ, - ଆଲୋ କି ପରିଶ୍ରମ !ସେଦିନ ସକାଳୁ ଗୋଟେ ବଡ ଡାଳିମ୍ବ ଛଡାଇ ମୁଁ ନାଗି ଦେବା ପାଇଁ ବଢ଼ିଥିବା ସମସ୍ତ ଜାଗାରେ ମୁଠାଏ ମୁଠାଏ ଡାଳିମ୍ବ ମଞ୍ଜି ଥୋଇ ଦେଇ କହିଲା,’ବୋଉ ମୁଁ ବଢ଼ା ବଢ଼ି ରେ ପାତର ଅନ୍ତର ନକରି ସମସ୍ତ୍ନଙ୍କ ପାଇଁ ସମାନ ତଥା ସ୍ୱାସ୍ଥ୍ୟକର ଜିନିଷ ବାଢ଼ିଛି।”
ନିଜକୁ ସମ୍ଭାଳି ନପାରି ଫେଏଁ କିନା ହସି ପକାଇଲେ ସୁଜାତା ଓ କହିଲେ , - ତା ହେଲେ ବୋହୁ ଏକଦମ ଶାମ୍ବଦଶମୀ ଟ୍ୱିଷ୍ଟ କରିଦେଲା ?”
- ହଁ ଲୋ,ଆଜିକାଲିକା ବୋହୁ ସବୁ ଟ୍ୱିଷ୍ଟରେ ଧୁରନ୍ଧର।ଦେଖ ତୁମ ବୋହୁ କଣ କରୁଛି। “
ବିନିଖୁଡୀ ଚାଲିଯିବା ପରେ ସୁଜାତା ରୋଜି କୁ ଫୋନ ଲଗାଇ କହିଲେ, - ମା ରେ,କାଲି ଶାମ୍ବଦଶମୀ ବୋଲି ତୋତେ ମନେ ପକାଇ ଦେବାକୁ ଫୋନ କଲି।ମୋ ନାତି ଟୋକାର ପ୍ରଥମ ଶାମ୍ବ ଦଶମୀ।ତୋର ଯାହା ଖୁସି ତା ବାଢ଼ି ଦେବୁ।ଚାହିଁଲେ ଫଳ ବା ମିଠା କିଣି ଆଣି ବାଢ଼ି ଦେବୁ। ତେବେ ତୁ କଣ ବାଢିବୁ ବୋଲି ଭାବିଛୁ କହିଲୁ ?”
ସେପଟୁ ରୋଜି କହିଲା, - ମମି,ସେଇଟା ସରପ୍ରାଇଜ।କାଲି ଆପଣ ଆସି ନିଜେ ଦେଖିବେ ଓ ଖାଇବେ।”
ଚମକି ପଡିଲେ ସୁଜାତା ।କି ସରପ୍ରାଇଜ ଦେବ ବୋହୁ ?ବିନି ଖୁଡୀ ଙ୍କ କଥା ମନେ ପଡିଗଲା।”ଆଜିକାଲିକା ବୋହୁ ସବୁ ଟ୍ୱିଷ୍ଟରେ ଧୁରନ୍ଧର।ଦେଖ ତୁମ ବୋହୁ କଣ କରୁଛି”।
ପରଦିନ ପୁଅର ଫ୍ଲାଟରେ ପହଞ୍ଚିଲା ପରେ ବୋହୁ ରୋଜିକୁ ଆଗେ ପଚାରିଲେ, - ପିଣ୍ଟୁ ପାଇଁ କଣ ବାଢ଼ିଛୁ?”
ଗୋଟାଏ ପ୍ଲେଟରେ ବରା ଓ ଆଉ ଗୋଟାଏ ପ୍ଲେଟରେ ଦହିବରା ଆଣି ସାମ୍ନାରେ ଥୋଇ ଦେଲା ରୋଜି।ମନଟା ଖୁସି ହୋଇଗଲା ସୁଜାତାଙ୍କର।ଆଖିକୁ ବଢିଆ ଦିଶୁ ଥିଲା, ସୁଆଦ କେମିତି ହୋଇଛି ବୋଲି ଚାଖିବାକୁ ଗଲାବେଳେ ପଡିଶାଘର ମହାନ୍ତି ବାବୁଙ୍କ ମା ଘର ଭିତରକୁ ଆସିବାର ଦେଖି ସୁଜାତା ବୋହୁକୁ କହିଲେ, - ରୋଜି, ଆଉ ଗୋଟେ ପ୍ଲେଟରେ ମାଉସୀଙ୍କ ପାଇଁ ବରା ଓ ଦହିବରା ଦେ।”
ସୋଫାରେ ବସୁ ବସୁ ମିସେସ ମହାନ୍ତି କହିଲେ, - ନା ,ନା ଏସବୁ ଜିନିଷ ବେଶୀ ଖାଇଲେ ଆଉ କଣ ହଜମ ହେଉଛି ?”
ସୁଜାତା ହସିଦେଇ କହିଲେ, - ମୋ ବୋହୂ ନିଜ ହାତରେ ବନେଇଛି। ଆରେ ମା ରୋଜି, ଗୋଟେ ପ୍ଲେଟରେ ବରା, ଦହିବରା ନେଇ ମାଉସୀଙ୍କ ଘରେ ଦେଇ ଆସେ।ଖାଲି ତାଙ୍କ ଘରେ କାହିଁକି, ଅନ୍ୟ ପଡିଶାଙ୍କ ଘରେ ବି ଦେ।ଆମ ଓଡ଼ିଆ ପର୍ବ ପର୍ବାଣୀରେ ହେଉଥିବା ପିଠାପଣାକୁ ଘରେ ଘରେ ବାଣ୍ଟିବାର ପରମ୍ପରା ପରା ରହିଛି।ବାଣ୍ଟିଲେ ସ୍ନେହ,ଶ୍ରଦ୍ଧା ,ନିଜପଣ ବଢେ।”
ମିସେସ ମହାନ୍ତି କହିଲେ, - ମୁଁ ମୋ ନାତି ପାଇଁ କାକରା,ମଣ୍ଡା ବାଢ଼ି ବାକୁ ମୋ ବୋହୂ କୁ କହିଥିଲି।ହେଲେ , ଏସବୁ ପିଠାପଣା ପାଇଁ ପରିଶ୍ରମ ପଡ଼ିବ ବୋଲି ବରା ଛାଣି,ସେଇଆକୁ ଦହି ରେ ପକାଇ ଦହି ବରା କରି ଦେବା ସହଜ ବୋଲି ମୋ ବୋହୂ ବି ଏଇ ସମାନ ଜିନିଷ ବାଢିଛି।ଆଜି କାଲିକା ବୋହୁ ଗୁଡ଼ାକ କର୍ମକୋଢ଼ୀ,ଅଳସୁଆ।”
ପାଖରେ ଠିଆ ହୋଇଥିବା ରୋଜି କହିଲା, - ମାଉସୀ ଅଳସୁଆ ଆମେ ନୁହେଁ, ବରଂ।ସବୁ ଦୋଷ ପୁଷ୍ପା’ର ।”
ଚମକିପଡ଼ି ସୁଜାତା ପଚାରିଲେ, - ଏ ପୁଷ୍ପା କିଏ ?”
ସହଜଢଙ୍ଗରେ ରୋଜି କହିଲା, - ଫ୍ଲାଟ୍ ନମ୍ବର ୩୦୩ ରେ ରହୁଥିବା ପୁଷ୍ପା, ରୋଷେଇ ଏକ୍ସପର୍ଟ ବୋଲି ନିଜକୁ କୁହେ ଓ ତାର ଗୋଟେ ଫୁଡ୍ ବ୍ଲଗ ବି ଅଛି।ଶାମ୍ବଦଶମୀ ପାଇଁ ଭଲ ଜିନିଷ ତାଠୁ ଅର୍ଡର କଲା ବେଳେ ସେ ଫୁଲେଇ ପୁଷ୍ପା ପରା କହିଲା କି ଏଇ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ତାର ୧୬ ଟା ଫ୍ଲାଟ୍ ରୁ ଶାମ୍ବଦଶମୀ ଅର୍ଡର ଅଛି ଓ ସେ ବିଜି ବୋଲି କେବଳ ବରା ଓ ଦହି ବରା ହିଁ ଵନାଉଛି।ଏଇ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ରହୁଥିବା ସବୁ ଓଡ଼ିଆଙ୍କ ଘରେ ଆଜି ବରା ଓ ଦହିବରା ନାଗି ହୋଇଛି।ତେଣୁ ପଡିଶାଙ୍କ ଘରେ ସେଇ ସମାନ ଜିନିଷ ବାଣ୍ଟିବା ଦରକାର ନାହିଁ।”
ଟିକେ ରହି ରୋଜି ପୁଣି କହିଲା, - ସେଇ ପୁଷ୍ପା ନିଜ ଝିଅ ପାଇଁ କାଳେ ବରା ଓ ପୁଅ ପାଇଁ ଦହିବରା ବାଢ଼େ।ହେଲେ ଅନ୍ୟମାନଙ୍କ ପାଇଁ ତ କିଛି ଅଲଗା ଜିନିଷ ତିଆରି କରିପାରନ୍ତା।ଏକଦମ ଅଳସୁଆ ସେଇ ପୁଷ୍ପା।”
ସୁଜାତା’ଙ୍କ ପାଟିରୁ ଅଧାଖିଆ ବରାଟା ତଳେ ଖସିପଡିଲା।
(©️ଅରବିନ୍ଦଦାସ)