ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ,ନର ଦେହେ ଥିବ ଯାବତ ହୃଦୟ

0

*ଉତ୍କଳମାତାର ଯୋଗ୍ୟତମସୁତ
(ପଠାଣି ସାମନ୍ତଙ୍କୁ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି )

  • ଶ୍ରୀକାନ୍ତ ଦାଶ
  • //TATKAL ODISHA//

ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତଙ୍କ ପୁଣ୍ୟ ଜନ୍ମଦିବସରେ ତାଙ୍କ ସ୍ମୃତି ଚାରଣ ନ କଲେ ତାଙ୍କର ଅମର୍ଯ୍ୟାଦା ହେବ | ସେ ସାଧାରଣ ଭାବେ ପଠାଣି ସାମନ୍ତ ଭାବେ ପରିଚିତ |

1835 ମସିହା ପୂର୍ଣ୍ଣିମାନ୍ତ ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ସେ ଖଣ୍ଡପଡାରେ ଜନ୍ମ ଗ୍ରହଣ କରିଥିଲେ |ତାଙ୍କ ମାତାଙ୍କ ନାମ ଥିଲା ବିଷ୍ଣୁମାଳି ଦେବୀ, ଓ ପିତାଙ୍କ ନାମ ଥିଲା ଶ୍ୟାମବନ୍ଧୁ ସିଂହସାମନ୍ତ |
ପିଲାଦିନରୁ ସେ ଖୁଵ ଜିଜ୍ଞାସୁ ଥିଲେ |

ରାତି ଆକାଶରେ ତାରକାମାନଙ୍କୁ ଦେଖି ସେ ଖୁଵ ଭାବୁକ ହୋଇ ପଡୁଥିଲେ | ରାତ୍ରି ଆକାଶରେ ଗ୍ରହ, ନକ୍ଷତ୍ରଙ୍କ ଗତିକୁ ଲକ୍ଷ୍ୟ କରୁଥିଲେ |ଚାଟଶାଳୀରେ ଅବଧାନଙ୍କ ପାଖରେ ଓଡ଼ିଆ ପାଠ ସାରି ସଂସ୍କୃତକାବ୍ୟ, ନାଟକ, ପୁରାଣ, ବେଦ ଆଦି ପୋଥି ପଢି ଜ୍ଞାନ ଆହରଣ କରିଥିଲେ |

ପନ୍ଦର ବର୍ଷ ବୟସ ବେଳକୁ ସେ ଜ୍ୟୋତିଷ ଶାସ୍ତ୍ରରେ ବ୍ୟୁତ୍ପତ୍ତି ହାସଲ କରିଥିଲେ | ସେ ପୃଥିବୀରେ ପ୍ରଥମ ଜ୍ୟୋତିଷ ଯିଏ କି ବାଉଁଶ ନଳୀ ସାହାଯ୍ୟରେ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତା ମାପ କରିପାରିଥିଲେ |ଏମିତି କି ସେ ବ୍ରିଟିଶ ଅଧିକାରୀଙ୍କ ସମ୍ମୁଖରେ ଦୂର ପାହାଡ଼ର ଉଚ୍ଚତା ସଠିକ ମାପ କରି ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ |ତାଙ୍କ ଜ୍ୟୋତିଷ ଜ୍ଞାନ ଓ ଗଣିତ ଜ୍ଞାନରେ ମୁଗ୍ଧ ହୋଇ ବ୍ରିଟିଶ ସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରିଥିଲେ |ସେ କେବେ ଦୂର ବିକ୍ଷଣ ଯନ୍ତ୍ର ବ୍ୟବହାର କରି ନ ଥିଲେ |

  • ବାଉଁଶ ଓ ତାଳପତ୍ର ବ୍ୟବହାର କରି ନିଜସ୍ୱ ଉପକରଣ ତିଆରି କରିଥିଲେ |ତାଙ୍କ ତିଆରି ଉପକରଣ ହେଲା”ଗୋଲଯନ୍ତ୍ର’ ସୂର୍ଯ୍ୟଘଡି’, ଶଙ୍କୁଦଣ୍ଡ,’ଉଲମ୍ବୀ ଚକ୍ର,’ଓ ମାନଯନ୍ତ୍ର |

ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଉପରେ ଗବେଷଣା କରି ସେ ରଚନା କରି ଯାଇଛନ୍ତି “ସିଦ୍ଧାନ୍ତ ଦର୍ପଣ “ତାଙ୍କ ଦୀର୍ଘ କୋଡିଏ ବର୍ଷ ତପସ୍ୟା ଓ ଗବେଷଣାର ଫଳ ହେଉଛି ଏହି ଗ୍ରନ୍ଥ |ଏହା 1899ରେ ପ୍ରକାଶପାଇଥିଲା |ପ୍ରଚଳିତ ଓଡ଼ିଆ ପଞ୍ଜିରେ ଥିବା ଭୁଲ ସବୁକୁ ସଂଶୋଧନ କରି ସେ ନିର୍ଭୁଲ ଓଡ଼ିଆ ପାଞ୍ଜି ପ୍ରଚଳନ କରିଥିଲେ |

କବିବର ରାଧାନାଥ ରାୟ ତାଙ୍କ ପ୍ରତିଭାକୁ ଲକ୍ଷ୍ୟକରି ଲେଖିଥିଲେ

ଉତ୍କଳମାତାର ଯୋଗ୍ୟତମ ସୁତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୁତ |
ସିଦ୍ଧାନ୍ତ ଦର୍ପଣ ହେବନାହିଁ ଲୟ,
ନର ଦେହେ ଥିବ ଯାବତ ହୃଦୟ |

ଏଭଳି ଜଣେ ପ୍ରଚଣ୍ଡ ପ୍ରତିଭାଦୀପ୍ତ ଗଣିତଜ୍ଞ ଓ ଜ୍ୟୋତିର୍ବିଦଙ୍କର ଦେହାନ୍ତ ହୋଇଥିଲା 1904 ମସିହା ଜୁନ 11 ତାରିଖରେ |

  • ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି’ ଓ ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,
    ଦୂରଭାଷ :,9238304919

Leave A Reply

Your email address will not be published.