ମନେ ପଡ଼ନ୍ତି ଲକ୍ଷ୍ମୀକାନ୍ତ

0

କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ ୧୩୬ତମ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି


  • ****************
  • ଗୁରୂକଲ୍ୟାଣ ମହାପାତ୍ର
  • *****************

ଲକ୍ଷ୍ମୀକାନ୍ତ ମହାପାତ୍ର ଆପଣା କୃତି ବଳରେ ନିଜେ ଅତି ପ୍ରସିଦ୍ଧ କବି।ସେ ଯେତେବେଳେ ରବୀନ୍ଦ୍ରନାଥଙ୍କଠାରୁ ଭାବ ଗ୍ରହଣ କରୁଥିଲେ,ସେତେବେଳେ ତାଙ୍କୁ ଆପଣାର କବି ପ୍ରତିଭା ବଳରେ ପରିଚ୍ଛେଦରେ ଭୁଷିତ କରୁଥିଲେ।

ତାଙ୍କ ସଂଗୀତାବଳି,ଭାରତର ସ୍ଵାଧୀନତା ପାଇଁ ରଚିତ ହୋଇଥିବା ତାଙ୍କର ନାନା ପଦ୍ୟ ଓ ଅନ୍ୟାନ୍ୟ କବିତାରେ ତାଙ୍କର ଶ୍ଲେଷ ଓ ବ୍ୟଙ୍ଗ ଓଡ଼ିଆ ସାହିତ୍ୟର ଅତି ଆଦରର ଅମୂଲ୍ୟ ସମ୍ପଦ ହୋଇ ଯୁଗ ଯୁଗକୁ ରହିଥିବ।ତାଙ୍କର ଗଭୀର ଧ୍ୟାନ ଓ ସୂକ୍ଷ୍ମ କଲଗ୍ରାହୀ ଭଙ୍ଗୀ ଥିଲା।ତେଣୁ ସେ ରବୀନ୍ଦ୍ରନାଥଙ୍କର ଆଧ୍ୟାତ୍ମ୍ୟ କବିତାମାନଙ୍କର ଆତ୍ମାକୁ ଗ୍ରହଣ କରି ପାରିଲେ; କିନ୍ତୃ ଯେଉଁ ମାନେ ରବୀନ୍ଦ୍ରନାଥଙ୍କର ନାଁ ପଡୁଥିବା ଅନୁସରଣିଆ,ସେମାନେ ତା ‘ କରିପାରିଲେ ନାହିଁ।'(‘ରବୀନ୍ଦ୍ରନାଥ ‘ :ଗୋପୀନାଥ ମହାନ୍ତି)

୧୯୬୧ରେ ରବୀନ୍ଦ୍ର ନାଥ ଠାକୁରଙ୍କ ଜନ୍ମ ଶତ ବାର୍ଷିକ ଉପଲକ୍ଷେ ଶାନ୍ତି ନିକେତନ(ପଶ୍ଚିମ ବଙ୍ଗ) ରେ ଅନୁଷ୍ଠିତ ‘ଭାରତୀୟ ଭାଷା ସାହିତ୍ୟ ସମାରୋହ’ରେ ବିଶିଷ୍ଟ ସାହିତ୍ୟିକ ଓ ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଓଡ଼ିଆ ଲେଖକ ସ୍ୱର୍ଗୀୟ ଗୋପୀନାଥ ମହାନ୍ତିଙ୍କ ପ୍ରଦତ୍ତ ବକ୍ତୃତାରୁ ଏହି କେତେକ ଅଂଶ ପାଠ କଲେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସୃଷ୍ଟିର ମୂଲ୍ୟାୟନ ସହଜରେ କରିହୁଏ।
ଉଭୟ ଭକ୍ତି ଓ ଦେଶ ଭକ୍ତି ଉପରେ ଆଧାରିତ ତାଙ୍କ ସଙ୍ଗୀତ ଓ କବିତା ସବୁ ଅତ୍ୟନ୍ତ ମର୍ମସ୍ପର୍ଶୀ।ବ୍ୟାସକବି ଫକୀରମୋହନଙ୍କ ଉତ୍ତର କାଳରେ ତାଙ୍କର ଗଦ୍ୟ ସାହିତ୍ୟ ମଧ୍ୟ ବେଶ୍ ପ୍ରଭାବଶାଳୀ।ସେ ଏକମାତ୍ର ଉପନ୍ୟାସ ‘ କଣା ମାମୁ’ ହେଉ ବା କ୍ଷୁଦ୍ରଗଳ୍ପ ‘ବୁଢ଼ା ସଂଖାରୀ ‘ ହେଉ ବା ନାଟକ ‘ଲକ୍ଷ୍ମୀ ଚଣ୍ଡାଳୁଣୀ’ ହେଉ ସେ ସବୁ ବେଶ୍ ଜନପ୍ରିୟ।
ତାଙ୍କ ପ୍ରବନ୍ଧଗୁଡିକ ମଧ୍ୟ ଉଚକୋଟିର ।

‘ ଅଶ୍ରୁ’ ପ୍ରବନ୍ଧରେ କବି ଉଲ୍ଲେଖ କରିଛନ୍ତି – ଶୋକରେ ମୁହ୍ୟମାନ ହେଉଛ? ସନ୍ତାପରେ ଦଗ୍ଧ ହୋଇ ଯାଉଛ? କାନ୍ଦ,କାନ୍ଦ ତେବେ, କାନ୍ଦି କାନ୍ଦି ବକ୍ଷ ଭସାଇ ଦିଅ, ଆଶ୍ରୁ ପ୍ରବାହରେ ଧରଣୀ ପରିସିକ୍ତ କର।ସବୁ ଜ୍ଵଳା ଶୀତଳ ହୋଇଯିବ। ଅଶ୍ରୁରୂପୀ ଜାହ୍ନବୀର ସଂଜୀବନୀଧାରା ସ୍ପର୍ଶରେ ତୁମ୍ଭର ମୃତ,ଭସ୍ମୀଭୂତ ଅନ୍ତର ପଲ୍ଲବିତ,ମୁଞ୍ଜରିତ ହୋଇଉଠିବ।ତୁମ୍ଭେ ନବ ଜୀବନ ଲାଭ କରିବ । ଅଶ୍ରୁ ଜର୍ଜରିତ ସନ୍ତପ୍ତ ପ୍ରାଣର ପରମ ଶାନ୍ତି – ସ୍ରାବ ।’

କାନ୍ତକବି ଜନ୍ମ ହୋଇଥିଲେ ୧୮୮୮ ଡିସେମ୍ବର ୯ ତାରିଖରେ। କଟକରେ।ତାଙ୍କର ଦେହାନ୍ତ ହୋଇଥିଲା ୧୯୫୩ ଫେବୃଆରୀ ୨୪ ତାରିଖରେ।ଭଦ୍ରକରେ।ତାଙ୍କ ସ୍ଵଗ୍ରାମ ତାଳପଦାରେ ତାଙ୍କର ସମାଧିପୀଠ ରହିଛି।ତାଙ୍କ ମୃତ୍ୟୁର ୬୭ ବର୍ଷ ପରେ ରାଜ୍ୟର ନବୀନ ସରକାର ତାଙ୍କ ରଚିତ ‘ ବନ୍ଦେ ଉତ୍କଳ ଜନନୀ ‘ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମର୍ଯ୍ୟାଦା ଦେବାରୁ ଓଡ଼ିଆମାନେ ଆନନ୍ଦିତ ହୋଇଥିଲେ।

  • ଗୁରୁ କଲ୍ୟାଣ ମହାପାତ୍ର
  • ଭୁବନେଶ୍ୱର,ଫୋନ:୯୪୩୭୦ ୧୨୧୨୩

Leave A Reply

Your email address will not be published.