ଅରବିନ୍ଦ ଦାସଙ୍କ ନୂଆ ଗପ : ଗାଜାପଟିରେ ଜଣେ ସୈନ୍ୟର କାହାଣୀ

0

//TATKAL ODISHA//

★★★★★★★★★★★★★★★

ଅରବିନ୍ଦ ଦାସ

ଯୁଦ୍ଧର ଅସଲ କାହାଣୀ କେବଳ ପ୍ରତ୍ୟକ୍ଷ ଯୁଦ୍ଧରେ ଭାଗ ନେଇଥବା ଜଣେ ସୈନିକ ହିଁ କହିପାରେ….
ଯୁଦ୍ଧରେ ଭାଗ ନେଇଥିବା ପ୍ରତ୍ୟେକ ସୈନ୍ୟ ପାଖରେ ନିଜର କିଛି ଚମକପ୍ରଦ କାହାଣୀ ଥାଏ।

(ଯୁଦ୍ଧ ଭୂମିରୁ ଜୀବିତ ଫେରନ୍ତା ସୈନ୍ୟ ଅନ୍ୟଲୋକଙ୍କୁ କାହାଣୀ ଶୁଣାଏ,ଆଉ ଯଦି ସୈନିକ ମୃତ୍ୟୁ ବରଣ କରେ,ତେବେ ତା କାହାଣୀ ଅନ୍ୟମାନେ ବଖାଣନ୍ତି।)

ସାରା ବିଶ୍ୱ ଟିଭିରେ ଦେଖୁଥିଲା ଇସ୍ରାଏଲ ଓ ହମାସ ମଧ୍ୟରେ ଭୟଙ୍କର ଯୁଦ୍ଧର ପରିଣାମ।
କୁଢ଼ କୁଢ଼ ଶବ,ଭୁଶୁଡି ପଡିଥିବା ଉଚ୍ଚ ଅଟ୍ଟାଳିକା ଓ ଜଳିଯାଇଥିବା ଯାନବାହାନ ଓ ମୃତବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କ ଆକୁଳକ୍ରନ୍ଦନ ତଥା ବାସହରା ଆତଙ୍କିତ ସାଧାରଣ ଜନତାଙ୍କ ଅସହାୟ ଚେହେରା।
ଇସ୍ରାଏଲ’ର ପ୍ରତି ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ,ପାଲେଷ୍ଟାଇନ’ର ଗାଜାପଟିର ଦକ୍ଷିଣ ଇଲାକାକୁ, ରାତି ଅଧରେ ଇସ୍ରାଏଲ ସେନାବାହିନୀ ଘେରାଉ କରି,ଉଗ୍ରପନ୍ଥୀଦଳ ହମାସ ଦ୍ୱାରା ଅପହୃତ ନିଜ ନାଗରିକମାନଙ୍କୁ ଉଦ୍ଧାର କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା।ହମାସ ଉପରେ ପ୍ରତିଶୋଧ ତଥା ପଣବନ୍ଦୀଙ୍କୁ ଛଡ଼ାଇବା ପାଇଁ ଇସ୍ରାଏଲର ତିନି ମୁଖ୍ୟ ଇଣ୍ଟେଲିଜେନ୍ସ ବିଭାଗ ମୋସାଦ, ଶିନବିଟ ଓ ଅମାନ ଦ୍ୱାରା ସ୍ୱତନ୍ତ୍ର ପ୍ଲାନ ପ୍ରସ୍ତୁତ ହୋଇଥିଲା।


ଇସ୍ରାଏଲ ଦ୍ୱାରା ବିଜୁଳି,ପାଣି ଓ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରି ଦିଆଯାଇଥିବା ଯୋଗୁଁ ଅନ୍ଧାରରେ ବୁଡିଥିବା ସେଇ ଇଲାକା ଜନମାନବଶୁନ୍ୟ ଭଳି ପ୍ରତ୍ୟୟମାନ ହେଉଥିଲା।
ଛୋଟ ଛୋଟ ଗ୍ରୁପରେ ସୈନ୍ୟବାହିନୀଙ୍କୁ ବିଭକ୍ତ କରି ପ୍ରତି ଘରେ ଏପରିକି ଧ୍ୱଂସସ୍ତୁପ ପାଲଟିଥିବା ଘରେ ବି ସର୍ଚ୍ଚକରି, ହମାସ ବା ଅପହୃତ ପଣବନ୍ଦୀଙ୍କୁ ଖୋଜିବା ଦାୟିତ୍ୱ ଦେଇଥିଲେ ଅପରେସନର ମୁଖ୍ୟ।କାମଟା ବହୁତ ରିସ୍କି ଯଦିଓ ଥିଲା ତେବେ ସୈନ୍ୟମାନଙ୍କ ପାଇଁ ଏହା ଥିଲା ଏକ ଚ୍ୟାଲେଞ୍ଜ।
ସେନାବାହିନୀରେ କାମ କରୁଥିବା ମୋଶେ ଏବଂ ବେଞ୍ଜାମିନ ,ଦୁହେଁ ଆଜି ଗୋଟିଏ ଗ୍ରୁପରେ ଥିଲେ।ଦୁଇଜଣ ପୂର୍ବରୁ ପରିଚିତ ନଥିଲେ।ତେଲଆଭିବରୁ ଆଜି ଏକାଠି ହେଲିକପ୍ଟର ରେ ଆସିଲା ବେଳେ ଯାହା ପରିଚୟ।
ଉଭୟଙ୍କ କାନ୍ଧରେ ସ୍ୱୟଂଚାଳିତ ଲେଜରଗନ ସହ ଅତ୍ୟାଧୁନିକ ମାରଣାସ୍ତ୍ର,ମୁଣ୍ଡରେ ବନ୍ଧା ସର୍ଚ୍ଚଲାଇଟ ,ଅଣ୍ଟାରେ ବନ୍ଧା ଚମଡା ଥଳିରେ ପାଣି।
ଗଳି ଭିତରେ ଥିବା ତିନିଟା ଭଙ୍ଗା ଘରକୁ ତନ୍ନ ତନ୍ନ କରି ଖୋଜିଲେ ଦୁହେଁ,ହେଲେ କେହି ନଥିଲେ।
ସତର୍କତା ସହିତ ଅନ୍ଧାର ଭିତରେ ଦୁହେଁ ଆଗକୁ ବଢ଼ିଲା ବେଳେ ଧୀର ସ୍ୱରରେ ମୋଶେ କହିଲେ,
-ସତରେ କଣ ଏଇ ଧ୍ୱଂସସ୍ତୁପରେ କିଏ ଆଉ ବଞ୍ଚିଥିବ?ତାଛଡା ପୁନଶ୍ଚ ଆକ୍ରମଣ, ବୋମାମାଡ଼ ଭୟରେ ଅନ୍ୟ ସମସ୍ତେ ଏଜାଗା ଛାଡି ନିଶ୍ଚେ ଦୂରକୁ ପଳାଇ ଆତ୍ମଗୋପନ କରିଥିବେ।”
ମୁହଁରେ ଏକ କୁଟିଳ ହସ ଖେଳାଇ ବେଞ୍ଜାମିନ କହିଲେ,
-ଶତ୍ରୁଙ୍କୁ କେବେ ହାଲକା ଭାବେ ନେବନି,ଆମେ ଚିନ୍ତା କରି ପାରୁନଥିବା ଜାଗାରେ ବି ସେମାନେ ଲୁଚି,ଭୋକ ଉପାସରେ ଗରିଲା ଯୁଦ୍ଧ କରନ୍ତି।
ଶଳା ହମାସ,ଆମ ଦେଶ ସହ ଖେଳିବ ଆଉ ଆମ ଦେଶ ଛାଡ଼ିଦେବ ?ଶକ୍ତିଶାଳୀ ବୋମାରେ ଲୋପ ପାଇଥିବେ ଦୁଷ୍ଟମାନେ।ପାଇଲେ ଏଇନା ପାନେ,ତେବେ ଆମ ଦେଶର ଅନେକ ନିରୀହଙ୍କ ପ୍ରାଣ ଚାଲିଗଲା।”
ମୋଶେ ଗୋଟେ ଭଙ୍ଗାକାନ୍ଥ ପାଖରେ ଅଟକି କହିଲେ,

  • ବୋମା ମାଡ଼ରେ କେବଳ କଣ ହମାସ ଲୋକ ମରିଛନ୍ତି ?ସତକଥା ହେଲା,ହମାସ ଆକ୍ରମଣରେ ଆମ ଦେଶର ନିରୀହ ଲୋକ ଯେମିତି ମରିଛନ୍ତି,ଠିକ ସେମିତି ଆମ ଦେଶର ପ୍ରତି ଆକ୍ରମଣରେ ପାଲେଷ୍ଟାଇନର ଅନେକ ନିରୀହ ଲୋକ ବି ମରିଥିବେ।ଯୁଦ୍ଧ ଯିଏ ବି କରୁ,କାହାର ମଙ୍ଗଳ ହୁଏନା।ମୁଁ ଭାବେ,ହମାସ ଭଳି ଉଗ୍ରପନ୍ଥୀମାନଙ୍କୁ ଯେମିତି ଦଣ୍ଡ ମିଳିବା ଉଚିତ,ଠିକ ସେମିତି ନିଜ ଅପାରଗତା ଲୁଚାଇବା ତଥା ନିର୍ବାଚନରେ ଜିତିବା ପାଇଁ ଯେଉଁ ନେତା ଅଯଥାରେ ଯୁଦ୍ଧ କରି ନିରୀହ ଲୋକଙ୍କୁ ମାରନ୍ତି,ସେମାନଙ୍କର ବି ଯୁଦ୍ଧ ଅପରାଧୀ ଭାବେ ଆନ୍ତର୍ଜାତୀୟ କୋର୍ଟରେ ବିଚାର ହୋଇ ଦଣ୍ଡ ମିଳିବା ଉଚିତ।କାରଣ ଯୁଦ୍ଧ ଆରମ୍ଭ କରିଥିବା ନେତା ନିଜକୁ ସୁପରହିରୋ,ଦେଶପ୍ରେମୀ ବୋଲି ଚିତ୍ରଣ କରେ।”
    ଟିକେ ଚିଡିଲା ସ୍ୱରରେ ବେଞ୍ଜାମିନ କହିଲେ,
    -ଆମେ ସୈନ୍ୟ,କେବଳ ଯୁଦ୍ଧ କରିବା,ନେତାଙ୍କ ଭଳି ରାଜନୀତି ବିଷୟରେ ଆଲୋଚନା କରିବା ଠିକ ନୁହେଁ।ମୁଁ ତ ଭାବିଛି ଏଇ ଅପରେସନରେ ଆଜି ଯେତିକି ଲୋକଙ୍କୁ ମାରିବି,ଘରକୁ ଫେରି ନିଜ ବୀରତାର କାହାଣୀ ହିସାବରେ ସେସବୁ ବଖାଣିବି।ଯୁଦ୍ଧ ବିଷୟରେ ଆମଠୁ ଅଧିକ ଭଲକାହାଣୀ ଆଉ କିଏ ଶୁଣାଇପାରିବ ?ହିରୋ ବନିବା ଆମେ।”
    ଏଇ ସମୟରେ ଗୋଟେ ଭଙ୍ଗା ଘର ଭିତରେ ପଶିଲା ବେଳେ ଗୋଟେ କଣରୁ କିଛି ଶବ୍ଦ ଶୁଣି ମୋଶେ ସର୍ଚ୍ଚ ଲାଇଟ ପକାଇ ଚମକିପଡିଲେ।ଭଙ୍ଗାରୁଜା ଜିନିଷ ସନ୍ଧିରେ ଦୁଇଜଣ ଛୋଟ ପିଲା ;ଜଣେ ପୁଅ ଅନ୍ୟଟି ଝିଅ।ଦୁହିଁଙ୍କ ବୟସ ଦଶରୁ ବାର ବର୍ଷ ଭିତରେ ହେବ ବୋଧେ।ପୁଅ ସାନ ଓ ଝିଅଟି ବଡ଼ ଭଳି ଲାଗୁଥିଲେ।ପିଲା ଦୁଇଟା ଭୟରେ ଥରୁଥିଲେ।ଝିଅ ହାତରେ ଗୋଟେ ଛୋଟ ପ୍ୟାକେଟ ଥିଲା।ଦୁଇ ଭାଇ ଭଉଣୀ ହୋଇଥିବେ।ହୁଏତ ପରିବାର ଠୁ ବିଛିନ୍ନ ହୋଇ ଏଇଠି ଆଶ୍ରୟ ନେଇଛନ୍ତି ବୋଲି ମୋଶେ ଭାବୁଥିଲେ।
    ବେଞ୍ଜାମିନ ବଡ଼ ପାଟିରେ କହିଲେ,
    -ଏଇ,ଚୁପଚାପ ନିଜର ଦୁଇ ହାତ ଉପରକୁ ଉଠାଇ ସାମ୍ନାକୁ ଆସ।କିଛି ବଦମାସୀ କଲେ ଗୁଳି ମାରିଦେବି।ଏଇଠି ଆଉ କେହି ଲୁଚିଛନ୍ତି ?ଏଇ ପାଲେଷ୍ଟାନୀୟଙ୍କୁ କିଛି ବି ବିଶ୍ବାସ ନାହିଁ।”
    ମୋଶେ ଦେଖିଲା,ପୁଅ ପିଲାଟି ଝିଅଟି ହାତରୁ ସେଇ ପ୍ୟାକେଟଟିକୁ ଆଣି ନିଜ ହାତରେ ଧରିଲା ଓ ଝିଅକୁ
    ନିଜ ପଛ ପଟରେ ରଖି,ଅନ୍ୟ ହାତରେ ଧରିଥିବା ଗୋଟେ ଛୋଟ ଲୁହାରଡକୁ ସେମାନଙ୍କ ଆଡ଼କୁ ଉଞ୍ଚାଉଥିଲା ସେମାନଙ୍କ ଆତ୍ମରକ୍ଷା ପାଇଁ।
    ନିଜ ସ୍ୱରକୁ ଯଥା ସମ୍ଭବ କୋମଳ କରି ମୋଶେ କହିଲେ,
    -ତୁମେ ଦୁହେଁ ଜମାରୁ ଡରନା।ଆମେ ତୁମ ଦୁହିଁଙ୍କର କିଛି ବି କ୍ଷତି କରିବୁନି।ଖାଲି ଏତିକି ଆମକୁ କୁହ,ଏଠି ତୁମ ସହ ଆଉ କିଏ କିଏ ଅଛନ୍ତି ?ଅସ୍ତ୍ରଶସ୍ତ୍ର ଧରି କେହି ପଣବନ୍ଦୀ ଲୋକଙ୍କୁ ଧରି ଏଠି ଲୁଚିଥିବାର ତମେ ଦେଖିଛ?”
    ଭୀତତ୍ରସ୍ତ ବୋଲି ସ୍ପଷ୍ଟ ଜଣା ପଡୁଥିଲେବି ପୁଅ ଟି ଦମ୍ଭ ଦେଖାଇ ସେମିତି ଠିଆ ହୋଇଥିଲା।ଝିଅଟି ମୁଣ୍ଡ ହଲାଇ ଇସାରାରେ ସେଠି ଆଉ କେହି ନାହାନ୍ତି ବୋଲି ମନା କରୁଥିଲା।
    ରୁମ ଭିତରେ ଭଲକରି ଚାରିଆଡେ ତନ୍ନ ତନ୍ନ କରି ଖୋଜି ଅନ୍ୟକାହାକୁ ନପାଇ ବେଞ୍ଜାମିନ କହିଲେ,
    -ଏ ପିଲା ଦୁହେଁ ନିଶ୍ଚେ ହମାସ’ର ଗୁପ୍ତଚର।ଛୋଟ ଛୋଟ ଛୁଆଙ୍କୁ ବି ସେମାନେ ନିଜ ଦଳରେ ସାମିଲ କରୁଛନ୍ତି।ମୋତେ ଲାଗୁଛି ସେ ଟୋକା ପ୍ୟାକେଟରେ
    ବମ ରଖିଛି କିମ୍ବା ବ୍ଲାଷ୍ଟ ପାଇଁ ରିମୋଟବଟନ।ୟାକୁ ଆଗେ ଗୁଳି କରିବା ଦରକାର।”
    ପିଲା ଦୁହିଁଙ୍କୁ ଆଉ ଥରେ ଚାହିଁ, ମୋଶେ କହିଲେ,
    -ତୁମେ କେମିତି ଜାଣିଲ ସେଥିରେ ବମ ଅଛି ବୋଲି ?ପ୍ଲିଜ,ସେମାନଙ୍କୁ ଗୁଳି କରନା,ନହେଲେ ମୋ ଭଳି ସାରାଜୀବନ ଅନୁତାପର ନିଆଁରେ ଜଳିବ।ତୁମେ କହୁଥିଲ ନା,ଯୁଦ୍ଧବେଳେ ସବୁ ସୈନ୍ୟ କିଛି କିଛି କାହାଣୀକୁ ସ୍ୱୟଂ ଭେଟନ୍ତି ବୋଲି ?କିଛି ବର୍ଷ ତଳେ ହୋଇଥିବା ଯୁଦ୍ଧରେ ମୁଁ ଭାଗନେଇ ଏମିତି ଏକ ରାତିରେ ସର୍ଚ୍ଚ ଅପରେସନ କଲାବେଳେ ଗୋଟେ ଛୋଟ ପୁଅକୁ ଭେଟିଥିଲି।ସେ ନିଜ ସାନ ଭଉଣୀକୁ ରକ୍ଷା କରିବାକୁ ଚେଷ୍ଟା କରୁଥିଲା ବୋଧେ।ତା ହାତରେ ଧରିଥିବା ଏକ ବନ୍ଧୁକକୁ ଦେଖି ମୋତେ ଲାଗିଥିଲା ସେ ହୁଏତ ଗୁଳି କରିପାରେ ମୋତେ।ଆଗପଛ ବିଚାର ନକରି ଧମାଧମ ଗୁଳି ଚଳାଇ ଥିଲି ମୁଁ ଓ ସେ ପୁଅଟି ତଳେ ଟଳି ପଡିଥିଲା।ପରେ ପାଖକୁ ଯାଇ ଆବିଷ୍କାର କରିଥିଲି ସତ୍ୟତାକୁ; ପ୍ଲାଷ୍ଟିକ ଖେଳଣା ବନ୍ଧୁକ ଥିଲା ସେଇଟି।ନିରୀହ ଶିଶୁହତ୍ୟା ଭଳି ଜୀବନରେ ଏତେ ବଡ଼ ଭୁଲ,ପାପ କାମ ମୁଁ କେବେ କରିନଥିଲି।ଆଜି ସେଇ କଥା ମନେ ପଡିଲେ ……..
    ତାଙ୍କ କଥାକୁ ଅଧାରେ ରଖି ବେଞ୍ଜାମିନ କହିଲେ,
    -ଯୁଦ୍ଧଭୂମିରେ ଭାବପ୍ରବଣତା ସୈନିକକୁ ଶୋଭା ଦିଏନା।ହମାସ ଭଳି ପାଲେଷ୍ଟାନୀୟ ମାନେ ବି ଆମ ଶତ୍ରୁ।ଛୋଟ ସାପର ବେଶୀ ବିଷ, ଏମାନଙ୍କୁ କିଛି ଦଣ୍ଡ ନଦେଇ ସେମିତି ଛାଡ଼ିଦେଲେ ଭବିଷ୍ୟତରେ ଏମାନେ ଆତଙ୍କବାଦୀ ବନି ଆମ ଦେଶକୁ ଆକ୍ରମଣ କରିବେ।”କହି ବେଞ୍ଜାମିନ ବନ୍ଧୁକ ବନେଟ ରେ ସାମ୍ନାରେ ଠିଆ ହୋଇଥିବା ପୁଅ ମୁଣ୍ଡରେ ପାହାରେ ପକାଇଲେ।ବେହୋସ ହୋଇ ତଳେ ପଡିଗଲା ସେ ପିଲା।
    ତା ପରେ ମୁହଁରେ ଏକ ପୈଶାଚିକ ହସ ଖେଳାଇ ବେଞ୍ଜାମିନ କହିଲେ,
    -ଏ ଝିଅଟା ବହୁତ ସୁନ୍ଦର ହୋଇଛି।ୟାକୁ ଆଜି ଆମେ ଦୁହେଁ ଉପଭୋଗ କଲେ ସେ ଅନୁଭବ କରିବ ଇସ୍ରାଏଲୀ ଶକ୍ତି।ଇସ୍ରାଏଲୀ ସନ୍ତାନ ର ମା ବନୁ ସେ।”କହି ସେ ଝିଅକୁ ଦୁଇ ହାତରେ ଟାଣି ଆଣି ବେଞ୍ଜାମିନ ତା ଦେହରୁ ପୋଷାକକୁ ଛିଣ୍ଡାଇ ଉଲଗ୍ନ କରି ତଳେ ପକାଇ, ନିଜ ପ୍ୟାଣ୍ଟ କୁ ଖୋଲି ବାକୁ ଗଲାବେଳେ ପଛପଟୁ ମୋଶେ ପାଟି କରି କହିଲେ,
    -ବେଞ୍ଜା ମିନ ,ତୁମେ ଏକଣ କରୁଛ ?ହୋସ ରେ ଅଛ ତ?ଆମ ଝିଅ ବୟସର ସେ ପିଲା।ପ୍ଲିଜ ତାକୁ ଛାଡି ଦିଅ।ନହେଲେ….
    ଫେଁ କିନା ହସି ବେଞ୍ଜା ମିନ କହିଲେ,
    -ନହେଲେ କଣ ମୋତେ ଗୁଳି କରିବେବୁ ?ଆବେ ତୁ ନପୁନଶକ ଟା କି ?ଯୁଦ୍ଧରେ ଏଭଳି ସୁଯୋଗ କିଏ ଛାଡେ ?ଯୁଦ୍ଧର ଏଇ କାହାଣୀ ଅନ୍ୟକୁ କହିବା।”
    ସେ ଝିଅର ମୁହଁକୁ ଗୋଟେ ହାତରେ ଚାପି ଅନ୍ୟ ହାତରେ ତା ଦୁଇ ଗୋଡ଼କୁ ଧରିଥିଲା ବେଞ୍ଜାମିନ।ନିଜକୁ ବଞ୍ଚାଇବାର ସମସ୍ତ ଚେଷ୍ଟା ବିଫଳ ହୋଇଥିଲା ସେ ଝିଅର।ହଠାତ ବେଞ୍ଜାମିନ ତଳେ ଲୋଟି ପଡିଲା।ତା ମୁଣ୍ଡରୁ ବୋହି ଯାଉଥିଲା ରକ୍ତ’ର ଧାରା।
    ମୋଶେ ପାଖକୁ ଆସି ନିଜ ଗୋଡ଼ରେ ବେଞ୍ଜାମିନ ର ନିଥର ଶରୀରକୁ ଟିକେ ଦୂରକୁ ଗଡାଇ ଦେଲେ।
    ଆଶ୍ଚର୍ଯ୍ୟଚକିତ ହୋଇ ସେ ଝିଅଟି ଦେଖିଲା ତଳେ ପଡିଥିବା ପୋଷାକକୁ ତା ହାତକୁ ବଢ଼ାଇ ଦେଇ ମୋଶେ କହିଲେ,
    -ନିଜ ଶରୀରକୁ ଘୋଡାଇ ନିଅ।ଇୟେ ତୁମ ଭାଇ?”ଝିଅଟି ବର୍ତ୍ତମାନ ଅନାଉଥିଲା କିଛି ଦୂରରେ ପଡିଥିବା ସେଇ ପୁଅକୁ।
    ନିଜ ପୋଷାକରେ ଥିବା ପାଣି ବୋତଲ ରୁ କିଛି ପାଣି ସେ ପୁଅ ମୁହଁରେ ଛିଞ୍ଚି ବା ପରେ ହୋସ ଆସିଗଲା ସେ ପୁଅକୁ।ପାଖରେ ପଡିଥିବା ବେଞ୍ଜାମିନର ରକ୍ତାକ୍ତ ମୃତ ଶରୀରକୁ ଦେଖି ଚମକି ପଡିଲା ସେ।ତାକୁ ଦୁଇ ଢ଼ୋକ ପାଣି ପିଆଇ ମୋଶେ କହିଲେ,
    -ତୁମ ଭଉଣୀ ଏକଦମ ସୁରକ୍ଷିତ ଅଛି।ତୁମ ପରିବାର ଲୋକ କାହାନ୍ତି?”
    ଝିଅଟି କହିଲା,
    -ମୋ ସାନ ଭାଇ କଥା କହି ପାରେନା।ବୋମା ମାଡ଼ରେ ଆମ ଦୁହିଁଙ୍କ ଛଡା ଆମ ପରିବାର ର ଅନ୍ୟ ସମସ୍ତେ ପ୍ରାଣ ହରାଇଛନ୍ତି।ତେବେ ଆପଣ ଇସ୍ରାଏଲୀ ସୈନିକ ହୋଇ ଆମକୁ କାହିଁକି ରକ୍ଷା କଲେ ?”
    ଗମ୍ଭୀର ସ୍ୱରରେ ମୋଶେ କହିଲେ,
  • ସବୁ ଇସ୍ରାଏଲୀ ସୈନ୍ୟ ସମାନ ନୁହଁନ୍ତି।ଯୁଦ୍ଧରେ ଶତ୍ରୁ ସୈନ୍ୟ ତଥା ଆତଙ୍କ ବାଦୀ ଙ୍କୁ ମାରିବା ଯେମିତି ସୈନ୍ୟର କର୍ତ୍ତବ୍ୟ,ଠିକ ସେମିତି ନିରୀହ ଲୋକଙ୍କ ଜୀବନ ରକ୍ଷା କରିବା ବି ସୈନ୍ୟ ର ଦାୟିତ୍ୱ।ଯୁଦ୍ଧକାହାଣୀ ଶୁଣାଇବା ପାଇଁ,ନିଜେ ହିରୋ ବନିବା ପାଇଁ ନିରୀହ ଶିଶୁକୁ ମାରିବା,କୋମଳ ମତି ଶିଶୁ,ମହିଳାଙ୍କୁ ବଳତ୍କାର କରିବା କଣ ନିହାତି ଦରକାର ?”
    ପୋଷାକ ପିନ୍ଧି ନିଜ ଭାଇକୁ କୁଣ୍ଢାଇ ଧରି ସେ ଝିଅ ଏଥର ପଚାରିଲା,
    -ଆପଣ କଣ ସତରେ ଖେଳନା ବନ୍ଧୁକ ଧରିଥିବା ଗୋଟେ ପିଲାକୁ ଯୁଦ୍ଧରେ ମାରି ଦେଇଥିଲେ ?”
    ଦୀର୍ଘନିଶ୍ବାସ ଛାଡି ମୋଶେ କହିଲେ,
    -କେବଳ ମୋ ସାଙ୍ଗକୁ ଆଜି ତୁମ ଦୁହିଁଙ୍କୁ ହତ୍ୟା ନକରିବା ପାଇଁ ମିଛ ମନଗଢା କାହାଣୀ କହିଥିଲି।
    ତୁମରି ବୟସର ଝିଅଟିଏ ମୋର ଅଛି।
    ତୁମେ ଦୁହେଁ ଏଇଠି ନିରାପଦ ରେ ଥାଅ।ମୋ ସାଂଗର ମୃତ ଦେହକୁ ମୁଁ କାନ୍ଧେଇ ନେଇ ଯାଉଛି ଓ କହିବି ହମାସ ଗୁଳି ରେ ତା ପ୍ରାଣ ଯାଇଛି ବୋଲି।”
    ଝିଅଟି ଏଥର ତା ଭାଇ ହାତରେ ଥିବା ସେଇ ପ୍ୟାକେଟ ଟି ଖୋଲି ତା ଭିତରେ ଥିବା ଗୋଟେ ପାଉଁରୁଟି ମୋଶେଙ୍କ ଆଡ଼କୁ ବଢ଼ାଇ ଦେଇ କହିଲା,
    -ଆପଣଙ୍କୁ ଭୋକ ଲାଗୁଥିବ ।ଆଛା ଏ ଯୁଦ୍ଧ କେବେ ସରିବ ?”
    ସେଇ ପୁଅ,ଝିଅ ଦୁହିଙ୍କ ସରଳ ନିଷ୍ପାପ ଚେହେରା ଉପରେ ଆଖି ବୁଲାଇ ଆଣି ,ବେଞ୍ଜାମିନ ପୋଷାକରେ ଥିବା ଚମଡାର ପାଣି ବୋତଲ ଓ ଡ୍ରାଏଫ୍ରୁଟ ପ୍ୟାକେଟକୁ ସେ ଝିଅ ହାତକୁ ବଢ଼ାଇ କହିଲେ,
    -ଯୁଦ୍ଧ କେବେ ସରିବ ମୁଁ ଜାଣିନି।ତେବେ ଶୀଘ୍ର ସରିବ ବୋଲି ଆଶା।ଏ ପାଉଁରୁଟି,ଡ୍ରାଏଫ୍ରୁଟ ,ପାଣି ମୋ ଅପେକ୍ଷା ତୁମ ଦୁହିଁଙ୍କ ର ଅଧିକ ଦରକାର। ଦୁଇ ଦେଶ ଭିତରେ ଯୁଦ୍ଧ ହେଲେବି,ଆମେମାନେ ମାନବିକତା ଭୁଲିବା ଉଚିତ ନୁହେଁ।ଆଉ ହଁ,ତୁମେ ଦୁହେଁ ବଡ଼ ହୋଇ କୋୖଣସି ଆତଙ୍କବାଦୀ ସଂଗଠନରେ ଯୋଗ ଦେବନି।ଶାନ୍ତିରେ ସମସ୍ତେ ରହିବା ଉଚିତ।”
    ବେଞ୍ଜାମିନ’ର ମୃତ ଶରୀର କୁ ନିଜ କାନ୍ଧରେ ପକାଇ ମୋଶେ ଚାଲିଗଲା ବେଳେ ସେଇ ଝିଅଟି ଦୌଡ଼ି ଆସି ମୋଶେଙ୍କ ହାତକୁ କୃତଜ୍ଞତା ସ୍ୱରୂପ ଚାପି ଧରି କହିଲା,
    -ଆପଣଙ୍କ ଭଳି ଦୟାଳୁ, ଅସଲ ବୀର ଇସ୍ରାଏଲୀ ସୈନିକ’ର କାହାଣୀ ମୁଁ ସମସ୍ତଙ୍କୁ ଶୁଣାଇବି।”
  • ©ଅରବିନ୍ଦ ଦାସ

Leave A Reply

Your email address will not be published.