ଗବେଷଣା ସହ ଜନ ସେବାରେ ବ୍ରତୀ ଏଫଏମୟୁ
- ବାଲେଶ୍ୱର//TATKAL ODISHA//
ଦେଶ ବିଦେଶରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ କେବଳ ଗବେଷଣା ଓ ଶିକ୍ଷାଦାନ ଉପରେ ଫୋକସ କରିଥାନ୍ତି I ହେଲେ ବାଲେଶ୍ୱର ଜିଲ୍ଲାରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ ) ଆଉ ଏକ ପାଦ ଆଗକୁ ଅଗ୍ରସର ହୋଇ ‘ଜନସେବା’ରେ ନିଜକୁ ବ୍ରତୀ କରିଛି I ଏଥିରେ ସ୍ଥାନୀୟ ବରିଷ୍ଠ ନାଗରିକ ଓ ସାଧାରଣ ଲୋକଙ୍କ ସହଯୋଗ ବି ନେଇଛି I
TATKAL ODISHA ପକ୍ଷରୁ ଏନେଇ ବାସ୍ତବ ସ୍ଥିତି ପରଖା ଯାଇଥିଲା I ଏଫଏମୟୂର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀଙ୍କ ବ୍ୟକ୍ତିଗତ ପ୍ରଚେଷ୍ଟା ଯୋଗୁଁ ଏସବୁ ସମ୍ଭବ ହୋଇଛି I ତାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟଟି ରେମୁଣା ବ୍ଲକ ଅନ୍ତର୍ଗତ ନୂଆପାଢୀ ଗାଁରେ ପ୍ରତିଷ୍ଠା ହୋଇଛି I ଏହି ଗାଁ ଏକ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ଗାଁ I ଗାଁର ଅନତି ଦୂରରେ ସୋନ ନଈ ଓ ଗାଁ ସଂଲଗ୍ନ ରହିଛି ଏକ ବିରାଟ ପୁଷ୍କରିଣୀ I ଏହାର ଆୟତନ ପ୍ରାୟ 26 ଏକରରୁ ଅଧିକ ହେବ I ଏବେ ଦଳ ଓ ଘାସରେ ପରିପୂର୍ଣ୍ଣ I ତେଣୁ ଯୁଦ୍ଧ କାଳୀନ ଭିତ୍ତିରେ ଏହି ପୁଷ୍କରିଣୀକୁ ପରିଷ୍କାର- ପରିଚ୍ଛନ୍ନ କରି ନୌବିହାରର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି I ଏଥିସହ ନୂଆପାଢୀ ଗାଁ ସହ ନାୟିକାଣୀ, ମିତ୍ରପୁର ଓ ଚତୁଃପାର୍ଶ୍ୱ ଗାଁରେ ରାସ୍ତା ସଫା ସୁତୁରା ରଖିବା, ବୃକ୍ଷ ରୋପଣ କରିବା, କମ୍ୟୁନିଟି ସେଣ୍ଟର ଓ ପାଠାଗାର ପ୍ରତିଷ୍ଠା କରିବା ଉପରେ କାର୍ଯ୍ୟାରମ୍ଭ ହୋଇଛି I
ନୂଆପାଢୀ ଗାଁର ବରିଷ୍ଠ ନାଗରିକ ଯତୀନ ଦାସ କହିଛନ୍ତି ଯେ, ଏଫଏମୟୂ ଯୋଗୁଁ ଆମ ଗାଁ ସହ ଏହି ଅଞ୍ଚଳର ଗୁରୁତ୍ୱ ବଢ଼ିଛି I ବିଶ୍ୱ ବିଦ୍ୟାଳୟ ନିଜ କାର୍ଯ୍ୟ ବ୍ୟତୀତ ଜନସେବାକୁ ଗୁରୁତ୍ୱ ଦେଇଥିବାରୁ ଆମେ ଏହି ପଦକ୍ଷେପକୁ ସ୍ୱାଗତ କରୁଛୁ I ବିଶେଷକରି କୁଳପତିଙ୍କ କାର୍ଯ୍ୟ ଦକ୍ଷତାକୁ ଯେତେ ପ୍ରଶଂସା କଲେ ବି କମ ହେବ ବୋଲି ସେ ପ୍ରକାଶ କରିଛନ୍ତି I
ବୃକ୍ଷ ରୋପଣ କରୁଛନ୍ତି କୁଳପତି ଓ ଅନ୍ୟମାନେ…