ଅରବିନ୍ଦ ଦାସଙ୍କ ନୂଆ ଗପ : ମାଉସୀଙ୍କ ଜନ୍ମଦିନ
ମାଉସୀଙ୍କ ଜନ୍ମଦିନ
★★★★★★★
ଅରବିନ୍ଦ ଦାସ
ତଳ ମହଲାରେ ଥିବା ଘରମାଲିକ ପ୍ରଭାକର ମଉସାଙ୍କୁ, ଘରଭଡ଼ା ବଢ଼ାଇଦେଲାବେଳେ, ସେ ମୋତେ ଟିକେ ପାଖକୁ ଡାକି କହିଲେ ,
-“ନବୀନ,ଏଇ ହ୍ବାଟ୍ସଅପରେ ଗୀତ,ଭିଡିଓ କେମିତି ପଠାଇବ ଟିକେ କହିଦେଲ।ଚୋପାଛଡା ଏଇ ସ୍ମାର୍ଟଫୋନ ଯେତିକି ଭଲ ସେତିକି ଝାମେଲା।”
ହସିଦେଇ ପଚାରିଲି,
-“ମଉସା କାହାକୁ ଭିଡ଼ିଓ ପଠାଇବେ ?”
-“ତୋ ମାଉସୀ ର ଆଜି ଜନ୍ମଦିନ।କାଲି ପାର୍କରେ ଜଣେ ସାଙ୍ଗ ମୋତେ ଏଇ ଆଇଡ଼ିଆ ଦେଇଥିଲା।ହେଲେ ମୁଁ ଯାହା ପଠାଇଥିଲି ବୁଢ଼ୀ ମୋବାଇଲ କୁ ଯାଉନି।ଭଲ କରି ମୋ ଆଖିକି ଦୁଶୁନି,କାନକୁ ଠିକ୍ କରି ଶୁଭୁନି।ସକାଳୁ ଖୁଣ୍ଟା ଶୁଣି ଶୁଣି ବିରକ୍ତ ଲାଗୁଛି।
ଭଲ ହେଲା ତମେ
ଦେଖାହୋଇଗଲ।”
ହସିଦେଇ ମାଉସାଙ୍କ ହାତରୁ ମୋବାଇଲ ନେଇ ସବୁ ଚେକ୍ କରି କହିଲି,
-“ମଉସା ଆପଣ ଡାଟା ଅନ୍ କରିନାହାନ୍ତି ବୋଲି ମେସେଜ୍ ଯାଇନି।କେଉଁ ଗୀତ ପଠାଇବେ ?”
-“ହାପିବାର୍ଥଡ଼େ ଗୀତ ଟେ ପଠାଇଦେ।ବୁଢ଼ୀ ଜାଣୁ ମୋତେ ବି ଆସେ।”
-“ଆଛା,ଆଜି ତାହାଲେ ପାର୍ଟି ଫାର୍ଟି ହେଉଛି ?ଆପଣଙ୍କ ପୁଅ ତ ଫରେନ ରେ ରହୁଛନ୍ତି।ଗିଫ୍ଟ ,କେକ୍ ସବୁ ପଠାଇଥିବେ ବୋଧେ।”
ଶୁଖିଲା କଣ୍ଠରେ ମଉସା କହିଲେ, -କେଜାଣି ସେମାନଙ୍କର ମନେ ଅଛି କି ନାହିଁ।ଗତ ବର୍ଷ ଦେବ ଓ ବୋହୁ ଫୋନ୍ କରି କହିଥିଲେ ,ଫୁଲ ଓ କେକ୍ ପଠାଇଛି ବୋଲି।ପୋଷ୍ଟ ପିଅନ ଓ କୋରିଅରବାଲା ଚୋରୀ କରି ଖାଇଦେଲେ ବୋଲି ଭାବି ସେମାନଙ୍କୁ ଗାଳି ଦେଲି ଓ ଦେବକୁ ଫୋନ୍ କରି ପଚାରିବାରୁ ସେ କହିଲା, ବାପା ସତସତିକା କେକ୍,ଫୁଲ ନୁହଁ ; ସ୍ମାର୍ଟଫୋନ ରେ ମେସେଜ୍ ,ଫଟ ପଠାଇଛି।ନିଜକୁ ଲାଜ ଲାଗିଲା।ମୁଁ ନିଜେ ଭାବିଥିଲି କେକ୍ ଆଣିବା ପାଇଁ।ତୋ ଜିଦିଆ ମାଉସୀ ନିଜ ରାଣ ପକାଇ ମୋତେ ବାରଣ କରିଥିଲା।ଛାଡ଼ ଏ ବୟସରେ ଆଉ ଏ ପିଲାଙ୍କ ଭଳି କେକ୍ କଟାକଟି କଣ ସୁହାଇବ ?”
ମାଉସୀ ହାଠାତ୍ ବାହାରକୁ ଆସିଲେ।ଭାରି ସ୍ନେହୀ ମଣିଷ।ଦେଖିଦେଲେ ଭକ୍ତି,ସ୍ନେହରେ ମୁଣ୍ଡ ତଳକୁ ହୋଇଯାଏ।
-“କିହୋ ତମେ ମନ୍ଦିର ନଯାଇ, ନବୀନ ସହ ଗପୁଛ ?”
ନମସ୍କାର କରି କହିଲି,
-“ହାପି ବାର୍ଥଡେ ମାଉସୀ।”
- ତୋ ମାଉସାଙ୍କ ପେଟରେ କିଛି ରହିବନି।ଏ ବୁଢ଼ୀ ଦିନରେ ବାର୍ଥଡ଼େ କଣ ? ଦିନ ଖାଲି ଗଣିବା କଥା।”
ମାଉସୀ ଭିତରକୁ ଚାଲିଗଲେ।ମାଉସାଙ୍କ ଉଦ୍ଦେଶ୍ୟରେ ମୁଁ କହିଲି,
-“ମୋତେ ଲାଗୁଛି ଏବର୍ଷ ଆପଣଙ୍କ ପୁଅ, ମାଉସୀଙ୍କ ଜନ୍ମଦିନ ମନେରଖିଥିବ।”
ଆଶ୍ଚର୍ଯ୍ୟ ହୋଇ ମଉସା ପଚାରିଲେ ,
-” ତମେ କେମିତି ଜାଣିଲ ?” - ମୋ ମାଙ୍କ ଜନ୍ମଦିନ ମୁଁ କେବେ ଭୁଲେନା।
- ମାଙ୍କୁ ପାଖକୁ ନେଇ ଆସୁନ ।”
- ଉପରକୁ ହାତ ଦେଖାଇ କହିଲି,
-” ସେ ଏବେ ଆକାଶରେ।”
ସନ୍ଧ୍ୟାବେଳକୁ ଅଫିସରୁ ଫେରି ଗେଟ ଖୋଲି ଭିତରକୁ ପଶିଲା ବେଳେ, ଦାଣ୍ଡ ବାରଣ୍ଡାରେ ବସିଥିବା ମଉସା ଦୌଡ଼ି ଆସି କହିଲେ, - “ତୁମ ଭବିଷ୍ୟତବାଣୀ ଏକଦମ ସତ।ଅଯଥାରେ ମୁଁ ଦେବୁ ଉପରେ ସନ୍ଦେହ କରୁଥିଲି।ଫୋନ୍ ନକରି ଏଥର ସତସତିକା ,କେକ୍, ଫୁଲ ଓ ଶାଢ଼ୀ ବି ପଠେଇଛି।ଆରବର୍ଷ ଗାଳି ଦେଇଥିଲି ବୋଲି,କୋରିଅର ବାଲା ଚୁପଚାପ ସବୁ ଦେଇଛି। ତମେ ଧୁଆଧୁଇ ହୋଇ ତଳକୁ ଆସିଲେ କେକ୍ କଟାହେବ ବୋଲି ମାଉସୀ କହିଛି।ଆଜି ରାତି ଖାଇବା ଆମ ସହ।ପିଠା ,ଖିରୀ ବନେଇଛି ତମ ମାଉସୀ।ତା ହାତ ଚାଉଳ କ୍ଷୀରି ଭାରି ସୁଆଦିଆ।ଖାଣ୍ଟି କ୍ଷୀର ଓ ସର ଦେଇ ବନାଏ।ପୁଅଠୁ ଗିଫ୍ଟ ପାଇ ବୁଢ଼ୀ ଖୁସ୍।”
ମଉସାଙ୍କ ମୁହଁରେ ଖୁସି ର ଚମକ ଦେଖି ମନ ଭରିଗଲା।ଗାଧେଇପଡି ତଳକୁ ଆସିଲି।
କେକ୍ କାଟିଲେ ମାଉସୀ।ହାପି ବାର୍ଥଡ଼େ ଗୀତ ଗାଇ ଫଟ ଓ ଭିଡିଓ ଉଠାଇବାକୁ ଯାଉଥିଲି ମୁଁ।ମାଉସୀ ମନାକଲେ।
-“ଆରେ ଏଇ ଭିଡିଓ ଦେବୁ ପାଖକୁ ଆମେରିକା ପଠାଇବା।” - “କିଛି ଦରକାର ନାହିଁ।ଜିନିଷ ତ ସିଏ ପଠାଇଛି।ତାକୁ ପୁଣି କଣ ଅଧିକ ଦେଖାଇବ ?” ପ୍ରତିଭା ମାଉସୀ କହିଲେ।
ସମସ୍ତେ କେକ୍ ଖାଇଲୁ।କାକରା,ଚକୁଳି,ଖିରୀ,ତରକାରୀ ବାଢ଼ିଦେଲେ ମାଉସୀ। ଖାଇ ମନ ଭରିଗଲା। - ମୋ ମା ବି ଏମିତି ସୁଆଦିଆ ପିଠା ବନାଉଥିଲା।”
- ତମେ ବି ତମ ବୋଉଙ୍କ ଭଳି ସ୍ନେହୀ ହୋଇଛ।ଭଗବାନ ତୁମକୁ କୋଟିପରମାୟୁ ଦେଇଥାନ୍ତୁ।”
ସିଡିରେ ଚଢି ଉପରମହଲାକୁ ଗଲାବେଳେ ପଛପଟୁ ପ୍ରତିଭା ମାଉସୀଙ୍କ ଡାକ ଶୁଣି ବୁଲିପଡିଲି।
-“ଏଇ ଟିଫିନରେ କିଛି ପିଠା,ଖିରୀ ଅଛି।କାଲିକି ଖାଇବ।” - “ଆପଣ ମୋତେ ରୁଣୀ କରିଦେବେ।ଆପଣଙ୍କୁ ଏଇ ସବୁଜ ରଙ୍ଗର ନୂଆ ଶାଢ଼ୀଟା ବେଶ ମାନୁଛି।”
- “ତୋ ଚଏସ ବି ଭାରି ଭଲ ବାପା।ତୋ ମାଆଙ୍କ ଚଏସ ର ରଙ୍ଗ ନିଶ୍ଚେ।ମୋ ପାଇଁ ଆଜି ଏସବୁ କରି ତୁ ମୋତେ ରୁଣୀ କରିଦେଲୁ ବାପା। ଧନ୍ୟବାଦ।”
- କିନ୍ତୁ ଏସବୁ ତ ଦେବୁ ଭାଇ ଆମେରିକାରୁ…..
ମୋ କଥାକୁ ଅଧାରେ ରଖି ମାଉସୀ କହିଲେ,
-” କୋରିଅର ପଠେଇଥିବା ଲୋକ ଜାଗାରେ ଦେବୁ ର ନାଁ ଥିଲା;
ମୋ ଦୁଇ ହାତ ପାପୁଲିକୁ ଆବେଗରେ ସାଉଁଳୋଇଦେଇ ମାଉସୀ ପୁଣି କହିଲେ -“ହେଲେ ପ୍ରେରକ, ମୋବାଇଲ ନମ୍ବର ତୋର ଥିଲା ପୁଅ।”
(©ଅରବିନ୍ଦ ଦାସ)
[ମା,ଭଗବାନଙ୍କ ଅନ୍ୟରୁପ।ଭଗବାନ ନିଜ ପାଖକୁ ମା କୁ ନେଇଗଲେ,ପିଲାଙ୍କୁ ମା ରୂପରେ ମାଉସୀଙ୍କୁ ଦିଅନ୍ତି।
ଆଜି ପୁଣ୍ୟପ୍ରଭା ମାଉସୀଙ୍କ ୮୫ ତମ ଜନ୍ମଦିନ।ହେଲେ ଆଜି ମାଉସୀ ସ୍ଵର୍ଗରେ।ମୋ ପାଖରେ କିଛି ପରୁଣା ଫଟ,ସ୍ମୃତି।ଆପଣାର ମଣିଷଟିଏ ପାଖରେ ନଥିଲେ ତାର ସ୍ମୃତି ହିଁ ଆମର ପାଥେୟ ହୁଏ ଓ ସେଇ ସ୍ମୃତି ଆମକୁ ଘାଣ୍ଟେ,କ୍ଷତାକ୍ତ କରେ।ପ୍ରତି ମୁହୂର୍ତ୍ତରେ ମୁଁ ମାଉସୀଙ୍କୁ ନିଜ ପାଖରେ ଅନୁଭବ କରେ।ପୁଣ୍ୟପ୍ରଭାଙ୍କ ଭଳି ଅମୃତମୟୀ,ସ୍ନେହମୟୀ ମଣିଷ କଣ କେବେ ମରିପାରନ୍ତି ?ହୁଏତ ଆମେ ସେମାନଙ୍କୁ ଦେଖିବାକୁ ଅସମର୍ଥ ହେଉ।ଆପଣ ଯେଉଁଠି ବି ଥାଆନ୍ତୁ,ଭଲରେ ଥାଆନ୍ତୁ।Happy Birthday Mousi❤️🎉]