କ୍ଷୀରୋଦ ପରିଡ଼ାଙ୍କୁ ମର୍ଯ୍ୟାଦାଜନକ ଜାତୀୟ ‘ଶରତ ଅନୁବାଦ ପୁରସ୍କାର’

0

ଭୁବନେଶ୍ୱର//TATKAL ODISHA//

ବଙ୍ଗଳା ଭାଷାର କାଳଜୟୀ କଥାଶିଳ୍ପୀ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ସ୍ମୃତିରେ ଅର୍ଦ୍ଧଶତାବ୍ଦୀ ଧରି ପ୍ରଦତ୍ତ ହୋଇଆସୁଥିବା ମର୍ଯ୍ୟାଦାଜନକ ଜାତୀୟ ଶରତ ଅନୁବାଦ ପୁରସ୍କାର ପାଇବାକୁ ବିଶିଷ୍ଟ ଓଡ଼ିଆ ଲେଖକ କ୍ଷୀରୋଦ ପରିଡ଼ା ମନୋନୀତ ହୋଇଛନ୍ତି I

କୋଲକାତାସ୍ଥିତ ଶରତ ସମିତି ତରଫରୁ ଏହା ଘୋଷିତ ହୋଇଛି।

‘କାଳଜୟୀ ଭାରତୀୟ କଥାଶିଳ୍ପୀ ଶରତଚନ୍ଦ୍ରଙ୍କ ବହୁ ଖ୍ୟାତ ”ଦେବଦାସ ” ଉପନ୍ୟାସକୁ ଅନୁବାଦ କରିଛନ୍ତି କ୍ଷୀରୋଦ’

ଏହି ପୁରସ୍କାର ଶରତଚନ୍ଦ୍ରଙ୍କ ୧୪୮ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ବିଜଡ଼ିତ କଲିକତା ମହାନଗରୀର ରାସବିହାରୀ ଏଭିନ୍ୟୁ ସ୍ଥିତ
ଶରତ ସ୍ମୃତି ସଦନରେ ଆସନ୍ତା ୧୭ ତାରିଖ ସନ୍ଧ୍ୟାରେ ଏକ ଆୟୋଜିତ ଉତ୍ସବରେ ଅର୍ପଣ କରାଯିବ । ପୁରସ୍କାର ବାବଦରେ ତାଙ୍କୁ ଅର୍ଥରାଶି, ଉପଢୌକନ, ପ୍ରଶସ୍ତିପତ୍ର ଓ ଶରତ ସ୍ମାରକୀ ଫଳକ ପ୍ରଦାନ କରାଯିବ।

ମୌଳିକ କବିତା ସଙ୍କଳନ ସହ ଫିଚର୍, ଆଲୋଚନା, ଗଳ୍ପ , ଉପନ୍ୟାସ ଓ ସମକାଳୀନ ଭାରତୀୟ ସାହିତ୍ୟ ଅନୁବାଦ କ୍ଷେତ୍ରରେ ତାଙ୍କର ତିରିଶ ଖଣ୍ଡରୁ ଅଧିକ ପୁସ୍ତକ ପ୍ରକାଶିତ ଓ ପ୍ରଶଂସିତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗର ସିନିୟର୍ ଫେଲୋସିପ ସହ ବହୁ ସ୍ୱନାମଧନ୍ୟ ଅନୁଷ୍ଠାନ ତରଫରୁ ସେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି।

ସଂପ୍ରତି ସେ ପ୍ରାଚୀନ ଓଡ଼ିଆ ସାହିତ୍ୟ ଉପରେ ନିଷ୍ଠାପୂର୍ଣ୍ଣ ଗବେଷଣା କରିବା ସହ ଏହାର ମୁଗ୍ଧପାଠ ରଚନାରେ ସକ୍ରିୟ ଅଛନ୍ତି। ଏଥି ମଧ୍ୟରେ ରୁଦ୍ରସୁଧାନିଧି ଉପରେ ରଚିତ ତାଙ୍କ ଉପନ୍ୟାସ “ଅଭିନବ ଚୈତନ୍ୟ” ଓ “ସମକାଳରେ ଚର୍ଯ୍ୟାପଦ” ବେଶ୍ ଉଲ୍ଲେଖନୀୟ।

କାଳଜୟୀ ଭାରତୀୟ କଥାଶିଳ୍ପୀ ଶରତଚନ୍ଦ୍ରଙ୍କ ବହୁ ଖ୍ୟାତ ” ଦେବଦାସ ” ଉପନ୍ୟାସ ଅନୁବାଦ ପାଇଁ ସର୍ବଭାରତୀୟସ୍ଥରରେ ସେ ଏହି ମର୍ଯ୍ୟାଦାଜନକ ଓ ଐତିହ୍ୟବାହୀ ଶରତ ଅନୁବାଦ ପୁରସ୍କାର ପାଇବେ।

Leave A Reply

Your email address will not be published.