ଅରବିନ୍ଦ ଦାସଙ୍କ ନିଆରା ଗପ -‘ଜହ୍ନମାମୁଁ’
//Tatkal Odisha//
★★★★★★★★★★★
ଅରବିନ୍ଦ ଦାସ
★★★★★★★★★★
ଚନ୍ଦ୍ରାୟାନ – ୩ ସୁରୁଖୁରୁରେ ଜହ୍ନରେ
ଅବତରଣ କଲା ପରେ ସାରା ଦେଶରେ ଖୁସିର ଲହର।
“ଜହ୍ନ ଏବେ ଆମର” ସ୍ଲୋଗାନରେ କମ୍ପୁଥିଲା ଟିଭି ସ୍କ୍ରିନ।
କିଶୋର ବି ବହୁତ ଖୁସି ଥିଲା ଟିଭିରେ ସବୁ ଦୃଶ୍ୟ ଲାଇଭ ଦେଖି।
ହେଲେ ସ୍ଲୋଗାନ ଶୁଣି ସେ ଟିକେ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା, ଜହ୍ନ କଣ ଆଗରୁ ଆମର ନଥିଲା ?
ଭାଵନା ରାଜ୍ୟରେ ବୁଡି ଯାଉଥିଲା ସେ।
“ଜହ୍ନ ପରା ସମସ୍ତଙ୍କ ମାମୁଁ;ଯାହାର ମାମୁଁ ନଥାନ୍ତି ତାଙ୍କ ପାଇଁ ଜହ୍ନମାମୁଁ।ହେଇ ଦେଖ, ତୋଫା ରଙ୍ଗରେ ଆକାଶରେ କେମିତି ଚିକ ଚିକ କରୁଛି।”
ରାତିରେ ଛାତ ଉପରେ ଠିଆ ହୋଇ, ଆକାଶକୁ ଆଙ୍ଗୁଳି ଇସାରାରେ ଜହ୍ନକୁ ଦେଖାଇଲା ବେଳେ,ବୋଉ କୋଳରେ ବସି ଖୁସିରେ ଆତ୍ମହରା ହେଉଥିଲା କିଶୋର।
ହାତ ବଢ଼ାଏ ସେ ଜହ୍ନ କୁ ଧରିବା ପାଇଁ।ଦୁଧ ଭାତ ଚକଟି ତା ପାଟିରେ ଦେଉ ଦେଉ ବୋଉ ଗୀତ ବୋଲେ,
“ଆ ଜହ୍ନ ମାମୁଁ ଶରଗଶଶୀ
ମୋ କୁନା ହାତରେ ପଡ ତୁ ଖସି;
ତୋତେ ଦେଖି କୁନା ହୋଇବ ଖୁସି
ଦୁଧ ଭାତ ଦେବି ଖାଇବୁ ବସି।”
ଜହ୍ନ କୁ ଅନାଉ ଅନାଉ ସବୁ ଖାଇଦିଏ କିଶୋର।ବେଳେବେଳେ ଆକାଶରେ ମେଘ ଆସି ଜହ୍ନ ଘୋଡାଇ ହୋଇଗଲେ କିମ୍ବା ବର୍ଷା ଯୋଗୁଁ ଜହ୍ନ ନଦିଶିଲେ,ବ୍ୟସ୍ତ ହୋଇ ବୋଉକୁ ପଚାରେ,
- ଜହ୍ନମାମୁଁ କୁଆଡେ ଗଲା ?”
ହସିଡେଇ ବୋଉ କୁହେ, - ଜହ୍ନମାମୁଁ କବାଟ ବନ୍ଦ କରି ଆଜି ଶୋଇ ପଡିଛି।ତୁ ବି ଜଲଦି ଖାଇକି ଶୋଇପଡ।”
-ଜହ୍ନ ଭିତରେ କିଏ ରହେ ? - ଶଶା;ଠେକୁଆ ରହେ।ହେଇ ,ଭଲକି ଦେଖେ,ଗୋଟେ ଠେକୁଆ ଚିତ୍ର ଦିଶିବ ତୋତେ।ଜହ୍ନ କୁ ବୁଲିବାକୁ ଯାଇ ସେଇଠି ରହି ଯାଇଛି।ଆଉ ଆସିପାରୁନି।”
କିଶୋର ଜିଦି କରେ ଜହ୍ନକୁ ଦେଖିବାକୁ,ତା ପାଖକୁ ଯିବାକୁ।ବାପାଙ୍କ ପାଖକୁ ଯାଇ ଅଳି କରେ, - ବାପା,ମୁଁ ଜହ୍ନମାମୁଁ ପାଖକୁ ଯିବି।ଠେକୁଆ ସହ ଖେଳିବି।”
ତାକୁ ସ୍ନେହରେ କୋଳକୁ ନେଇ ଯାଇ ଅଖିଳ
କୁହନ୍ତି, - ଜହ୍ନମାମୁଁ ପାଖକୁ ଯିବା ପାଇଁ ରକେଟ ଦରକାର।ତୁ ବହୁତ ପାଠ ପଢିଲେ ମହାକାଶଚାରୀ ହୋଇ ରକେଟରେ ବସି ଯିବୁ।ଠେକୁଆ ତ ଆମେ ଦୋକାନରୁ କିଣିକି ଆଣି ଘରେ ରଖି ପାରିବା।”
- ମୋ ପାଇଁ ମାର୍କେଟରୁ ଗୋଟେ ରକେଟ ଆଣିଦେବ।ଆମେ ସମସ୍ତେ ମିଶି ଜହ୍ନମାମୁଁ ଘରକୁ ଯିବା।ମୁଁ ସେ ଜହ୍ନ ଭିତରେ ଥିବା ଠେକୁଆକୁ ଭେଟି ବାକୁ ଚାହୁଁଛି।”
- ଠେକୁଆ ଗୋଟେ ଡରୁଆ ପ୍ରାଣୀ।ତୋତେ ଓ ରକେଟ କୁ ଦେଖି ଡରିଯିବ।କାନ୍ଦିବ।”
କିଶୋର ଦେଖେ ବାପା,ବୋଉ ଫେଁ ଫେଁ ହୋଇ ହସନ୍ତି।ରେଡିଓରେ ଗୀତ ବାଜେ”ଚାନ୍ଦ ମେରା ଦିଲ…ଚାନ୍ଦିନୀ ହୋ ତୁମ…..” କିମ୍ବା ” ଜହ୍ନ ଆମକୁ ଦେଖି ହସୁଛି….”…..ଜହ୍ନକୁ ନେଇ ଅନେକ ଗୀତ।ସମସ୍ତେ ଭାବପ୍ରବଣ ହୁଅନ୍ତି ଜହ୍ନକୁ ଦେଖି।
କିଶୋର’ର ସାଙ୍ଗ ବୁବୁଲା କାଗଜରେ ବନାଇଥିଲା ରକେଟ।ତା ଠାରୁ ରକେଟ ବନାଇବା କୌଶଳ ଶିଖି କିଶୋର, ଗୋଟେ ରକେଟ ତିଆରି କରି ଘରେ ଉଡାଇ ଥିଲା ଓ ବାପାଙ୍କୁ ଦେଖାଇ କହିଥିଲା - ଏଇ ରକେଟ ରେ ଆମେ ଜହ୍ନ ମାମୁଁ ପାଖକୁ ଯିବା।”
- ତୋ ବୋଉକୁ ନେଇ ଆଗେଯାଇ ମାମୁଁ କୁ ଦେଖିଆସେ,ପରେ ମୋତେ ନେବୁ।”
ଦୌଡ଼ି ଯାଇ ବୋଉ କୁ ସବୁ କହିଲା, ଓ ରକେଟ ଦେଖାଇ କିଶୋର ନିଜେ ବସିପଡ଼ିଲା ରକେଟ ଉପରେ ,ହସି ହସି ଗଡ଼ିଗଲା ବୋଉ।କିଶୋର ଜାଣି ପାରୁ ନଥିଲା ତା ଭୁଲ କେଉଁଠି।
ପିଲାବେଳେ ସାଙ୍ଗମାନେ ଏକାଠି ମିଶି ଖେଳନ୍ତି, ଦୁଇ ହାତ ମେଲାଇ ଗୋଲାକାରରେ ଘୁରି ଘୁରି ବୋଲନ୍ତି
“ଚକା ଚକା ଭଉଁରୀ
ମାମୁଁ ଘର ଚଉଁରୀ,
ମାମୁଁ ମୋତେ ମାଇଲେ
କେତେ କଥା କହିଲେ
ବୁଝେଇ ସୁଝେଇ ପୁଣି
ଦୁଧ ଭାତ ଖୋଇଲେ।”
କିଶୋରର ମନେପଡେ ବୋଉ ହାତରୁ ଦୁଧ ଭାତ ଖାଇବା କଥା।
ତାଙ୍କ ପଡିଶା ଘରେ ଥିବା ବାନାର୍ଜୀ ମାଉସୀ ବି ତାଙ୍କ ଝିଅ ରିଙ୍କିକୁ ଗାଧେଇ ଦେଇ ସକାଳେ ସନ୍ଧ୍ୟାରେ କଜ୍ବଳ ଟିପା ଲଗାଇଦେଲା ବେଳେ ଗୀତ ବୋଲନ୍ତି, - ଆଇ ଚାନ୍ଦ ମାମା,ଆଇ ଚାନ୍ଦ ମାମା
ଟିପ ଦିଏ ଯା,
ରିଙ୍କି ରୋ କପାଲେ ,ଚାନ୍ଦ ଟିପ ଦିଏ ଯା।”
ଥରେ ସେ ଜାଣିଲା ଯେ ମାମା ଅର୍ଥ ମାମୁଁ।ରିଙ୍କିର ବି ଜହ୍ନମାମୁଁ !
ଘରକୁ ଦୌଡ଼ି ଯାଇ କିଶୋର ଅଭିଯୋଗ କରିଥିଲା, - ବୋଉ,ଜହ୍ନମାମୁଁ ତ ମୋ ମାମୁଁ, ରିଙ୍କିର ସେ ମାମୁଁ କେମିତି ହେବେ ?”
- ଜହ୍ନ ସମସ୍ତଙ୍କ ମାମୁଁ।”
ଟିକେ ବଡ଼ ହେଲାପରେ କିଶୋର ମନରେ ଗୋଟେ ପ୍ରଶ୍ନ ଉଙ୍କିମାରୁଥିଲା। ସେଦିନ
ବୋଉକୁ ପଚାରିଲା, - ରିଙ୍କର ତ ମାମୁଁ ଅଛନ୍ତି।କଲିକତା ରୁ ଆସନ୍ତି।ମୋ ସାଙ୍ଗ ବୁବୁଲା,ଜିତୁ,
କାଳିଆ ସମସ୍ତଙ୍କର ମାମୁଁ ଅଛନ୍ତି।କିନ୍ତୁ ମୋ ମାମୁଁ କାହାନ୍ତି ?”
ବୋଉ ଚମକି ପଡିଲା।ଆଖି ପୋଛି କହିଲା, - ତୋ ମାମୁଁ ପରା ଜହ୍ନମାମୁଁ।”
- ତୁ ମିଛ କହୁଛୁ।ଅନ୍ୟ ପିଲାଙ୍କ ମାମୁଁ ଘର ଅଛି,ଅଜା ଆଇ ଅଛନ୍ତି,ମାମୁଁ ବି ଅଛନ୍ତି।ମୋ-ମାମୁଁ କାହାନ୍ତି ?ଆମେ ମାମୁଁଘର କାହିଁକି ଯାଉନେ ?”ବୋଉ ଲୁଗା କାନି ଧରି ଅଳି କରିଥିଲା କିଶୋର।
ତା ଗାଲକୁ ଠୋ କିନା ଚଟକଣି ମାରି ବେଡ଼ ରୁମ କବାଟ ବନ୍ଦ କରିଦେଇ ଥିଲା ବୋଉ।
କାନ୍ଦି କାନ୍ଦି କିଶୋର ବାପାଙ୍କୁ ପଚାରିଥିଲା,
-ମୋ ମାମୁଁ କେଉଁଠି ଅଛନ୍ତି ?” - ଅନେକ ଦିନ ହେଲାଣି ଗୋଟେ ଆକ୍ସିଡେଣ୍ଟରେ ତୋ ମାମୁଁଘର ଲୋକସବୁ ମରି ଯାଇଛନ୍ତି।”
ଆଶ୍ଚର୍ଯ୍ୟ ହୋଇ ଅନାଇଥିଲା କିଶୋର।ବହୁତ ଦିନ ପରେ ସେ ଜାଣିଲା ସେଇ ଆକ୍ସିଡେଣ୍ଟର କାରଣ।ବାପା ଓ ବୋଉଙ୍କ ପ୍ରେମ ବିବାହ ହିଁ ସେଇ ଆକ୍ସିଡେଣ୍ଟ ଥିଲା। ଦୁହିଙ୍କ ଜାତି ଭିନ୍ନ ଥିବାରୁ ବୋଉଙ୍କ ଘରେ କାଳେ ଜମା ରାଜି ନଥିଲେ।ବୋଉର ଏକମାତ୍ର ଭାଇ କାଳେ ବାପାଙ୍କୁ ମାରଧର ଓ ଧମକ ଚମକ ଦେଇଥିଲେ।ପୋଲିସ କେସ, କୋର୍ଟ କଚେରୀ, ଝିଅ ଉପରେ ରାଗି ଅଜାଙ୍କର ଶୁଦ୍ଧି ହୋଇଯିବା ଯାଏଁ କଥା ଯାଇଥିଲା। ଅନେକ ଝଡ଼ଝଞ୍ଜା ପରେ ଦୁହେଁ କୋର୍ଟ ମ୍ୟାରେଜ କରି ନିଜ ସଂସାର ବସାଇଥିଲେ।ମାମୁଁ ଘର ସହ ସମ୍ପୂର୍ଣ୍ଣ ସମ୍ପର୍କ ବିଚ୍ଛେଦ ହୋଇଥିଲା।
ରାକ୍ଷୀପୂର୍ଣ୍ଣିମା ଦିନ ବୋଉ ସବୁବେଳେ ଅନ୍ୟମନସ୍କ ହୁଏ,କାନ୍ଦେ।କିଶୋର ଦେଖେ ବୋଉ ପ୍ରତିବର୍ଷ ଗୋଟେ ରାକ୍ଷୀ, ଆଲମାରୀରେ ସାଇତିକି ରଖେ।
କିଶୋର ଭାବେ,କାହାପାଇଁ ସେ ରାକ୍ଷୀ ରଖୁଛି ବୋଉ!
କିଶୋର ଦେଖେ,ବାପା ନଥିଲା ବେଳେ,ବୋଉ ଚୁପ କିନା ଆଲମାରୀରୁ କିଛି କାଢି ଦେଖେ ଓ କାନ୍ଦେ।ବୋଉ ଥରେ ଗାଧେଇଲା ବେଳେ,ଆଲମାରୀ ଖୋଲିଥିଲା କିଶୋର।ପୋଷ୍ଟ ହୋଇ ନଥିବା ଲଫାପା ଭିତରେ ପଶିଥିବା ଅନେକ ରାକ୍ଷୀ।ନିଶ୍ଚେ ମାମୁଁ ଙ୍କ ପାଇଁ।
ଶାଢ଼ୀ ସନ୍ଧିରୁ ଫଟ ଦୁଇଟା ବାହାର କରିଥିଲା କିଶୋର।ଜଣେ ଯୁବକଙ୍କ ସହ ବୋଉର ଫଟ ଓ ଅନ୍ୟଟି ଫ୍ୟାମିଲି ଫଟ।ଇୟେ ନିଶ୍ଚେ ମାମୁଁ ଘର ଫଟ।ଅଜା,ଆଈ, ମାମୁଁ ଓ ବୋଉ….
ପଛପଟେ କେତେବେଳେ ବୋଉ ଆସି ପହଞ୍ଚି ଯାଇଛି ତା ଜାଣି ପାରିନଥିଲା କିଶୋର।ଫଟ ଦୁଇଟା ଗଳି ପଡିଥିଲା କିଶୋର ହାତରୁ।
-ଏହା ଅଜା,ଆଈ, ମାମୁଁ ଙ୍କ ଫଟ ନିଶ୍ଚେ। ଏବେ ସମସ୍ତେ କେଉଁଠି ବୋଉ ?ବାପା କହୁଥିଲେ ମାମୁଁଘର କେହି ଏ ଦୁନିଆରେ ନାହାନ୍ତି ବୋଲି। “
ଫଟ ଦୁଇଟା ତଳୁ ଉଠାଇ ବୋଉ ଆଲମାରୀ ରେ ରଖୁ ରଖୁ ଧୀର ସ୍ୱରରେ କହିଲା, - ଅଜା,ଆଈ ଦୁହେଁ ଏ ଦୁନିଆରେ ନାହାନ୍ତି।”
- ଆଉ ମାମୁଁ ?ମାମୁଁ କେଉଁଠି ?ତାଙ୍କ ନାଁ କଣ ?ତମେ ମାମୁଁ ଙ୍କ ପାଖକୁ କାହିଁକି ଯାଉନ ?କଥା ବି ହେଉନ ?”
-ଥରେ ଯାଇଥିଲି। ସେ ମୁହଁ ଚାହିଁବେନି ବୋଲି ପ୍ରତିଜ୍ଞା କରିଛନ୍ତି ବୋଲି କହିଲେ।ମୁଁ ସେମାନଙ୍କ ଇଛା ବିରୁଦ୍ଧରେ ବାହା ହେଲି ବୋଲି କାଳେ ତୋ ଆଈର ହାର୍ଟଆଟାକ ହେଲା ଓ ପରେ ପରେ ତୋ ଅଜା।ବାସ ,ଅଭିମାନରେ ତୋ ମାମୁଁ ମୋ ଠାରୁ ନିଜକୁ ଦୁରେଇ ନେଇଛନ୍ତି।” - କିନ୍ତୁ ତମେ ମାମୁଁ ଙ୍କୁ କାହିଁକି ଭୁଲିନ ?ରାକ୍ଷୀ ସବୁ ଏଇଠି କାହିଁକି ରଖିଛ ?”
ଆଖି ପୋଛି ବୋଉ କହିଲା, - ଭାଇ ଭଉଣୀ କଣ କେବେ ପରସ୍ପର କୁ ଭୁଲି ପାରନ୍ତି ?ତୋ ମାମୁଁ ଉପରକୁ ଯେତେ ରାଗ ଦେଖାଇଲେ ବି ଭିତରେ ଭିତରେ ମୋତେ ମନେପକାଉଥିବେ।
ନିଶ୍ଚେ ଦିନେ ନା ଦିନେ ଆସିବେ ।” - କେବେ ?”କିଶୋର ପାଟିରୁ ବାହାରି ପଡିଲା।
ବୋଉ ତାକୁ କୁଣ୍ଢାଇ ପକାଇ କହିଥିଲା, - ହୁଏତ ମୁଁ ମରିଗଲେ……
ଅନେକ ଦିନ ବିତିଯାଇଥିଲା।ଜହ୍ନ କୁ ଦେଖି କିଶୋର ସବୁବେଳେ କାହିଁକି କେଜାଣି ମନେ ପକାଏ ମାମୁଁଙ୍କ ଫଟ କୁ।ସତରେ କଣ ସେମାନଙ୍କୁ ଦେଖିବାକୁ,ତାକୁ ଭେଟିବାକୁ ମାମୁଁ ଙ୍କର ଇଛା ହେଉନି ?
ସେଦିନ ବାରଘଣ୍ଟା କାର ଚଳାଇ କିଶୋର ପହଞ୍ଚିଥିଲା ଗୋଟେ ଆଡ୍ରେସ ରେ।ଗେଟ ରେ ଲାଗିଥିବା ନାମଫଳକ ରେ ଲେଖା ହୋଇଥିଲା “ଚନ୍ଦ୍ରକାନ୍ତ ମିଶ୍ର”।
କବାଟ ଖୋଲିଥିବା ବ୍ୟକ୍ତି କିଶୋର କୁ ଦେଖି ପଚାରିଥିଲେ, - କାହାକୁ ଖୋଜୁଛନ୍ତି ?”
ଅନ୍ୟମନସ୍କ ଭାବେ କିଛି ଶବ୍ଦ କିଶୋର ପାଟିରୁ ବାହାରିଗଲା।
ଆଶ୍ଚର୍ୟ୍ଯ ହୋଇ ସେ ଭଦ୍ରବ୍ୟକ୍ତି ଅନାଇ କହିଲେ, - ହ୍ଵାଟ ?କେଉଁ ମାମୁଁଙ୍କୁ ଖୋଜୁଛ ?”
ପ୍ରକୃସ୍ଥିତ ହୋଇ କିଶୋର ନିଜ ପକେଟ ରୁ ଗୋଟେ ଫଟ ବାହାର କରି ତାଙ୍କୁ ଦେଖାଇ କହିଲା, - ଇୟେ ମୋ ବୋଉ।ଡାକ୍ତର କହି ସାରିଲେଣି ଆଉ ମାତ୍ର ଅଳ୍ପଦିନ ତା ହାତରେ ।ଅଠେଇଶ ବର୍ଷ ହେଲାଣି ସେ ଆପଣଙ୍କ ବାଟକୁ ଅନାଇ ବସିଛି।ମରିବା ପୂର୍ବରୁ ବୋଧେ ସେ ଥରେ ତା ଭାଈ କୁ ଦେଖିବାକୁ ଚାହେଁ।”
ଗୋଟେ ପ୍ୟାକେଟରୁ ପୁରୁଣା ରାକ୍ଷୀ ସବୁ ଦେଖାଇ କହିଲା, - ଆପଣଙ୍କ ପାଇଁ ପ୍ରତିବର୍ଷ ରାକ୍ଷୀ କିଣେ ବୋଉ।ସବୁ ସାଇତି ରଖିଛି ସେ,ସ୍ମୃତି ଭଳି।ଯଦି ଆପଣ ଙ୍କ ମନରୁ ପୁରୁଣା ରାଗ,ଅଭିମାନ ଚାଲିଯାଇ ଥିବ,ତେବେ ମାତ୍ର ଗୋଟିଏ ଥର।ଆଜିଯାଏଁ ଆପଣଙ୍କ କଥା ଶୁଣି ଆସୁଥିଲି,ଆଜି ପ୍ରଥମ ଥର ଦେଖୁଛି।ମୁଁ କଣ ଦୋଷ କରିଥିଲି ମାମୁଁ ?ଆପଣଙ୍କୁ ମାମୁଁ ବୋଲି ଡାକି ପାରିବି ତ ?”
ଆବାକାବା ହୋଇ ଚନ୍ଦ୍ରକାନ୍ତ ବାବୁ ଦେଖୁଥିଲେ କିଶୋରକୁ। ଘର ଭିତରକୁ ଡାକିଲେ।ତାକୁ ଧରି ବହୁତ କାନ୍ଦିଲେ।ଏତେ ବର୍ଷର ଅଭିମାନ ସବୁ ପାଣି ଫୋଟକା ଭଳି ମିଳାଉ ଯାଉଥିଲା।
କିଶୋର ଦେଖୁଥିଲା ବୋଉ ର ବର୍ଣ୍ଣିତ ଜହ୍ନମାମୁଁ ଭିତରେ ଲୁଚିଥିବା ଠେକୁଆକୁ।
ଘରକୁ ଫେରୁଥିଲା କିଶୋର।ମନେ ମନେ ବହୁତ ଖୁସିଥିଲା ସେ।ତା ପାଖରେ ବସିଥିଲେ ଚନ୍ଦ୍ରକାନ୍ତ ବାବୁଙ୍କ ପରିବାର।ମାମୁଁ,ମାଇଁ।
କବାଟ ଖୋଲି ଆଶ୍ଚର୍ଯ୍ୟ ହୋଇଗଲା ବୋଉ।ଏତେ ବର୍ଷ ପରେ ଭାଇ କୁ ଦେଖି କୋହ ସମ୍ଭାଳି ପାରିଲାନି ,ଭେଁ ଭେଁ ହୋଇ କାନ୍ଦୁଥିଲା।
ଭାଇ,ଭଉଣୀ ଅନେକ ଗପିଲେ।ଅଖିଳ ବାବୁ ଙ୍କ ପାଇଁ ସରପ୍ରାଇଜ ଥିଲା।ଭୁଲ ମଗା, କ୍ଷମା ପର୍ବ ସରିଗଲା।ସମସ୍ତେ ଖୁସିଥିଲେ।
ହଠାତ ଚନ୍ଦ୍ରକାନ୍ତ ବାବୁ କହିଲେ,
- ଏ ଟୋକାଟା ଏଡ଼େ ମିଛୁଆ ?ତୋ ଦେହ ସିରିଅସ ଓ ମଲା ପୂର୍ବରୁ ମୋତେ ଥରେ ଦେଖିବାକୁ ଚାହୁଁ ବୋଲି କହି ଗାଡ଼ିରେ ବସାଇ ନେଇ ଆସିଲା।”
ଅଭିମାନ ଭରା କଣ୍ଠରେ ବୋଉ କହୁଥିଲା,
-ମିଛ କଣ କହିଲା ସେ ?ଏତେ ବର୍ଷ ହେଲାଣି …..ବୋଉ ପୁଣି କାନ୍ଦିଲା।
ଚନ୍ଦ୍ରକାନ୍ତ ବାବୁ ବୋଉ ଆଖିରୁ ଲୁହ ପୋଛି ଦେଉ ଦେଉ କହିଲେ, - ମୁଁ ଯେତେବେଳେ କବାଟ ଖୋଲି ଭଣଜା ଟୋକା କୁ ପଚାରିଲି ,କାହାକୁ ଖୋଜୁଛ ବୋଲି,ତା ପାଟିରୁ କଣ ବାହାରିଲା ଜାଣିଛୁ ?”
ବୋଉ କହିଲା , - ଜହ୍ନମାମୁଁ ?
ଆବାକାବା ହୋଇ ଚନ୍ଦ୍ରକାନ୍ତ ବାବୁ କହିଲେ, - ତୁ କେମିତି ଜାଣିଲୁ ?
ବୋଉ ହସୁଥିଲା।ନିଜ ଆଖି ପୋଛି ଆକାଶରେ ଚିକ ଚିକ କରୁଥିବା ପୁନେଇଁ ଜହ୍ନକୁ ଅନାଇ କିଶୋର ଭାବୁଥିଲା,
“ସବୁ ପିଲାଙ୍କ ମାମୁଁଘର ଥାଏ :ମାମୁଁ ବି ଥାଆନ୍ତି।ଆଉ ଯାହାର ମାମୁଁ ନଥାନ୍ତି,ତା ପାଇଁ…….. ଜହ୍ନମାମୁଁ।”
(©️ଅରବିନ୍ଦଦାସ)