ସ୍ଵରାଜ୍ୟ ଓ ଗାନ୍ଧିଜୀ

0


ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇଥିବା ମହାତ୍ମା ଗାନ୍ଧି କେବଳ ଭାରତ ପାଇଁ ସଂଗ୍ରାମ କରୁଥିଲେ ତାହା ନୁହେଁ, ପୃଥିବୀର କୋଣ ଅନୁକୋଣରେ ଯେଉଁଠି ସାଧାରଣ ମଣିଷ କୁସଂସ୍କାର, ଅନ୍ଧ ବିଶ୍ୱାସ ପ୍ରପୀଡ଼ିତ, ନିଷ୍ପେସିତ ସେଠି ସେ ପହଞ୍ଚାଉଥିଲେ ତାଙ୍କର ଦ୍ରୁପ୍ତ ମନ୍ତ୍ର, ଅହିଂସାର ବାଣୀ |

ଆଜି ଆମେ 76 ତମ ସ୍ୱାଧୀନତା ଦିବସ ପାଳନ କରୁଛେ, ମାତ୍ର ସ୍ୱାଧୀନତାର ପ୍ରକୃତ ମୂଲ୍ୟ ଆମେ ଅନୁଭବ କରିନେ |ଅନୁଭବ ହୁଏ ଆମେ ଏବେ ବି ପରାଧୀନ | ଗାନ୍ଧିଜୀଙ୍କର ସ୍ଵରାଜ୍ୟର ଭାଷା ଆମେ ବୁଝିଥିଲେ ଆଜି ଏ ଅବସ୍ଥା ନ ଥାନ୍ତା |

ସ୍ଵରାଜ୍ୟ ସମ୍ପର୍କରେ ଏ ଲେଖ 1908 ମସିହାରେ ମହାତ୍ମାଗାନ୍ଧୀ ଲଣ୍ଡନରୁ ଦକ୍ଷିଣ ଆଫ୍ରିକା ଜଳ ଜାହାଜରେ ଫେରୁଥିବାବେଳେ ଆପଣାର ମାତୃଭାଷା ଗୁଜୁରାଟୀରେ “Hind swaraj or Indian Home Rule ନାମକ ପୁସ୍ତିକାଟି ଲେଖିଥିଲେ |ପରବର୍ତ୍ତୀ ସମୟରେ ଏହା ଦକ୍ଷିଣ ଆଫ୍ରିକାରୁ ପ୍ରକାଶିତ,”Indian opinion ‘ନାମକ ସମ୍ବାଦପତ୍ରରେ ଧାରାବାହିକ ରୂପେ ଏକ ସ୍ତମ୍ଭରେ ପ୍ରକାଶିତ ହୋଇଥିଲା |

  • ପରେ ଏହା ପୁସ୍ତିକା ରୂପେ ଗୁଜୁରାଟୀ ଭାଷାରେ ପ୍ରକାଶିତ ହୋଇଥିଲା ଓ ଏହା ଉପରେ ତତ୍କାଳୀନ ବମ୍ବେ ସରକାର ନିଷେଧଜ୍ଞା ଜାରି କରିଥିଲେ | ଏହାକୁ ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟରତ ଆପଣାର ହୃଦୟର ବନ୍ଧୁ ଓ ସହଯୋଗୀ ହର୍ମାନ କାଲେନ୍ ବାକ୍ ଙ୍କ ପାଇଁ ଇଂରାଜୀ ଭାଷାରେ ଅନୁବାଦ କରିଥିଲେ |

1909ମସିହାରେ ଗାନ୍ଧୀଙ୍କର ଏହି ଇଂରାଜୀ ଅନୁବାଦ ପ୍ରକାଶିତ ହୋଇଥିଲା ଯାହା ପରେ ଦକ୍ଷିଣ ଆଫ୍ରିକା, ଭାରତ ବର୍ଷ ଓ ସମଗ୍ର ପୃଥିବୀରେ ଚହଳ ପକାଇଥିଲା |ଏହି ପୁସ୍ତିକା ସମ୍ପର୍କରେ ଚିତ୍ତରଞ୍ଜନ ଯାହା କହିଛନ୍ତି ତାହା ଆମର ପ୍ରଣିଧାନ ଯୋଗ୍ୟ |
“ସେତେବେଳକୁ ମହାତ୍ମା ଗାନ୍ଧୀ ମହାତ୍ମା ହୋଇନଥାନ୍ତି |

1910ର ଆହୁରି ପୂର୍ବର ଘଟଣା |ଦକ୍ଷିଣ ଆଫ୍ରିକାରେ ମାର୍ଗଟିର ସର୍ବ ପ୍ରଥମ ପ୍ରୟୋଗ କରି ସାରିବା ପରେ ସିଏ ସମ୍ଭବତଃ ଭାରତବର୍ଷ କଥା ଚିନ୍ତା କରୁଥାନ୍ତି | ‘ହିନ୍ଦ ସ୍ୱରାଜ୍ୟ’ନାମକ ପୁସ୍ତକଟି ସେ ସେତିକି ବେଳେ ଲେଖିଥିଲେ |

ଏଇଟି ହେଉଛି ତାଙ୍କର ଏକମାତ୍ର ପୁସ୍ତକ, ଯାହାକୁ ଗାନ୍ଧୀ ଏକ ପୁସ୍ତକର ଯୋଜନା କରି ସେଇ ଅନୁସାରେ ଲେଖିଛନ୍ତି |ଆଉ ଯାହା କିଛିକୁ ଆମେ ଗାନ୍ଧୀଜୀଙ୍କର ରଚିତ ପୁସ୍ତକ ରୂପେ ଏବେ ପାଉଛୁ, ସେଗୁଡିକୁ ସେ ଧାରାବାହିକ ଭାବରେ ନିଜ ଦ୍ୱାରା ସମ୍ପାଦିତ ସାପ୍ତାହିକ ପତ୍ରିକା ଗୁଡିକରେ ଲେଖିଛନ୍ତି |ଏପରିକି ତାଙ୍କ ଆତ୍ମଜୀବନୀଟିକୁ ମଧ୍ୟ ସେ ସେହିପରି ଧାରାବାହିକ ଭାବେ ଲେଖିଛନ୍ତି |ହଁ,’ହିନ୍ଦ ସ୍ଵରାଜ୍ୟ’ହେଉଛି ଏକ ମିନି ବହି, ଏକ ଚଟି ବହି |ଭାରତବର୍ଷକୁ ଯେଉଁସବୁ ଜୀଵନ ମୂଲ୍ୟ ଭିତ୍ତିଉପରେ ସେ ନିର୍ମାଣ କରିବାକୁ ଇଚ୍ଛା କରିଛନ୍ତି,, ବହିଟିରେ ତାର ଏକ ସମ୍ୟକ ଝଲକ ହିଁ ଦିଆଯାଇଛି |

ନ୍ୟାୟତଃ କହିବାକୁ ଗଲେ, କେବଳ ଭାରତବର୍ଷ ନୁହେଁ ସମଗ୍ର ପୃଥିବୀର ଆଗାମୀ ମନୁଷ୍ୟ ସଂହତି ଯେଉଁ ସବୁ ମୂଳ ମୂଲ୍ୟର ମୂଳଦୁଆ ଉପରେ ଗଢ଼ାହେବା ଉଚିତ, ବହିଟିରେ ମହାତ୍ମାଗାନ୍ଧୀ ଆଗକୁ ତାର ସୂଚନା ଦେଇଛନ୍ତି |
ବକଟେ ଆକାରର ଏହି ବହିଟିର ଯାହା ଅବିଛିନ୍ନ ଭାବରେ ଚର୍ଚ୍ଚା କରାଯାଇଛି ଏବଂ ସାରା ପୃଥିବୀର ବହୁସଂଖ୍ୟକ ଗୁଣୀ, ମନୀଷୀ, ଏବଂ ବିଚାରକ ତାହାର ସଦର ମଫସଲକୁ ତଉଲି ଦେଖିବାକୁ ଉଦ୍ୟମ କରିଛନ୍ତି |କେତେ ତ ପୁରା ଫିଡ଼ିକି ଯାଇଛନ୍ତି |ଇଂଲଣ୍ଡସ୍ଥ ସେତେବେଳର ଜଣେ କଳ୍ପନାପ୍ରିୟ ସମାଜବାଦୀ ନାଟ୍ୟକାର ଶ୍ରୀଯୁକ୍ତ ବର୍ଣ୍ଣାଡ଼ ଶ’ ଗୋଟାଏ ପୁରା ନାଟକ ଲେଖି ଏହି ବିଷୟରେ ପୃଥିବୀବାସୀଙ୍କୁ ସାବଧାନ କରି ଦେଇଛନ୍ତି |ବହିଟିର ଭାଷା ଓ ବକ୍ତବ୍ୟ ଭାରି ସିଧା, ମାତ୍ର କୌଣସି ଅର୍ଥରେ ଆଦୌ ଅସୂୟାଯୁକ୍ତ ନୁହେଁ |
ଏହି ପୁସ୍ତକର ମୁଖବନ୍ଧରେ ଗାନ୍ଧିଜୀ ଲେଖିଛନ୍ତି ଯେ ଏହା ସେତେବେଳେ ଭାରତବର୍ଷ ଓ ଦକ୍ଷିଣ ଆଫ୍ରିକାରେ ସ୍ୱାଧୀନତା ସଂଗ୍ରାମ ପାଇଁ ଓ ଭାରତୀୟ ମର୍ଯ୍ୟାଦା ପାଇଁ ଗଢି ଉଠୁଥିବା ହିଂସା ବିରୁଦ୍ଧରେ ଲେଖା ହୋଇଥିଲା | ବ୍ରିଟିଶ ଔପନିବେଶବାଦରୁ ଭାରତର ମୁକ୍ତି ପାଇଁ ସେତେବେଳେ ଅନେକ ବ୍ୟକ୍ତି ଓ ଆନ୍ଦୋଳନ ହିଂସ୍ର ସଂଗ୍ରାମରେ ବିଶ୍ୱାସ କରୁଥିଲେ |ଯେମିତି ଲଣ୍ଡନରେ ଥିବା ମଦନଲାଲ ଧୀଙ୍ଗ୍ରା ଓ ଭାରତବର୍ଷରେ ସଂଗ୍ରାମରତ ଶ୍ରୀଅରବିନ୍ଦ | ଦକ୍ଷିଣ ଆଫ୍ରିକାରେ ମଧ୍ୟ ବ୍ରିଟିଶ ଔପନିବେଶବାଦୀ ମାନଙ୍କର ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଅନେକ ହିଂସାକୁ ମାଧ୍ୟମକରି ଲଢ଼ିବା ସପକ୍ଷରେ ଥିଲେ | ଆପଣାର ‘ହିନ୍ଦ ସ୍ୱରାଜ୍ୟ’ପୁସ୍ତକରେ ଗାନ୍ଧୀଜୀ ହିଂସା ସ୍ଥାନରେ ଅହିଂସା ସମ୍ପର୍କରେ ଆଲୋଚନା କରିଛନ୍ତି ଘୃଣା ସ୍ଥାନରେ ପ୍ରେମ ଓ ପାଶବିକ ବଳ ସ୍ଥାନରେ ସତ୍ୟର ବଳ ସମ୍ପର୍କରେ ସଂଳାପ କରିଛନ୍ତି |

ଏହି ସଂଳାପ ଓ ସାଧନା ରେ ଗାନ୍ଧିଜୀ କେବଳ ଔପନିବେଶବାଦରୁ ଭାରତରରେ ମୁକ୍ତି ସମ୍ପର୍କରେ ଯେ ଆଲୋଚନା କରିଛନ୍ତି ତାହା ନୁହେଁ ସେ ଆଧୁନିକ ସଭ୍ୟତାର ଗଭୀର ସମାଲୋଚନା କରିଛନ୍ତି ଯଥା ଆଧୁନିକ ସମାଜରେ କେବଳ ବାହ୍ୟ ସମ୍ଭୋଗ ଯଥା କ୍ଷମତା, ଅର୍ଥ, ଓ କାମନାର ଚରିତାର୍ଥେ ସମସ୍ତେ ଧାଇଁଛନ୍ତି ଓ ଏଥିରେ ଧନ ଓ ସଦାଚାର ପାଇଁ ବ୍ୟାକୁଳତା ଓ ଅଙ୍ଗିକାର ନାହିଁ |ଏଠାରେ ସ୍ମରଣୀୟ ଯେ ଏହି ପୁସ୍ତକରେ ଆଉ ଏକ ସଂଳାପମୟ ପତ୍ର ବିନିମୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି | ତାହା ହେଉଛି ଲୀଓ ଟଲଷ୍ଟୟଙ୍କର ତାରକନାଥ ଦାସ ନାମକ ଜଣେ ବ୍ୟକ୍ତିଙ୍କୁ ଲିଖିତ ଏକ ଜୀଵନ ପତ୍ର,’letter to a hindoo’ |ତାରକନାଥ ମଧ୍ୟ ବ୍ରିଟିଶମାନଙ୍କୁ ଭାରତ ବର୍ଷରୁ ହଟେଇବା ପାଇଁ ହିଂସ୍ର ସଂଗ୍ରାମରେ ବିଶ୍ୱାସ କରୁଥିଲେ | ଏହି ପତ୍ରରେ ଟଲଷ୍ଟୟ ତାରକନାଥଙ୍କୁ ହିଂସାର ସୀମିତତା ଓ ଧ୍ବଂସକାରି ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ସହିତ ଭାରତବର୍ଷ ର ଅନ୍ୟ ମୂଳଭୂତ ସମସ୍ୟା ତଥା ଜାତିପ୍ରଥା ସମ୍ପର୍କରେ ଚେତାବନୀ ଦେଇଛନ୍ତି |ବ୍ରିଟିଶ ଔପନିବେଶିକ ସରକାର ଭାରତୀୟ ମାନଙ୍କୁ ଯେମିତି ଶୋଷଣ କରୁଛି,ଭାରତବର୍ଷ ରେ ଜାତିପ୍ରଥା ଭାରତୀୟ ମାନଙ୍କୁ ବିଶେଷକରି ଜାତିପ୍ରଥା ତଳେଥିବା ଲୋକଙ୍କୁ ସେମିତି ଶୋଷଣ କରୁଛି |

  • ଏହି ପୁସ୍ତକରେ ଗାନ୍ଧିଜୀ ଆଧୁନିକ ସଭ୍ୟତାର ହିଂସା ସମ୍ପର୍କରେ ଆଲୋଚନା କରିଥିବା ବେଳେ ଭାରତୀୟ ଜାତିପ୍ରଥାର ହିଂସା ସମ୍ପର୍କରେ ଆଲୋଚନା କରିନାହାନ୍ତି, ଯଦିଓ ଆପଣାର ପରବର୍ତ୍ତୀ ଜୀବନରେ ଗାନ୍ଧିଜୀ ଏହାକୁ ସ୍ଵରାଜ୍ୟ ପଥରେ ଏକ ମୂଳ ଆହ୍ୱାନ ରୂପେ ଗ୍ରହଣ କରିଛନ୍ତି | ସ୍ୱାଧୀନତା ସଂଗ୍ରାମ…, ସ୍ଵରାଜ୍ୟର ସଂଗ୍ରାମରେ ଗାନ୍ଧିଜୀ ତିନୋଟି କାର୍ଯ୍ୟକୁ ମୁଖ୍ୟ ସ୍ଥାନ ଦେଇଛନ୍ତି — ସ୍ବଦେଶୀ, ଅସ୍ପୃଶ୍ୟତାର ନିବାରଣ ଓ ହିନ୍ଦୁ -ମୁସଲମାନ ଐକ୍ୟ |ମାତ୍ର ହିନ୍ଦ ସ୍ଵରାଜ୍ୟ ପୁସ୍ତକରେ ଗାନ୍ଧିଜୀ ଭାରତୀୟ ସଭ୍ୟତାର ଉତ୍କର୍ଷ ସମ୍ବନ୍ଧରେ ଆଲୋଚନା କଲାବେଳେ ଜାତି ପ୍ରଥାର ବର୍ବରତାର ଆଲୋଚନା କରିନାହାନ୍ତି |
    ଆପଣାର ହିନ୍ଦ ସ୍ଵରାଜ୍ୟ ପୁସ୍ତକରେ ଗାନ୍ଧିଜୀ ଭାରତ ବର୍ଷର ସ୍ଵରାଜ୍ୟ ସଂଗ୍ରାମ ଓ ଏହାର ବିଭିନ୍ନ ଦିଗନ୍ତ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି | ସେ ସବୁ ଅନୁସାରେ ଆମେ କାର୍ଯ୍ୟ କଲେ ଆମେ ନିଜକୁ ସ୍ୱାଧୀନ ବୋଲି ଅନୁଭବ କରିବା |ଭାରତ ସମ୍ମୁଖୀନ ହେଉଥିବା ଅନେକ ସମସ୍ୟା ଅଚିରେ ସମାଧାନ ହୋଇଯିବ |


(ବର୍ତ୍ତିକା -ଦଶହରା ବିଶେଷାଙ୍କ 2013 ରେ ପ୍ରକାଶିତ ପ୍ରବନ୍ଧ “ସ୍ଵରାଜ୍ୟ ଓ ସହ -ପ୍ରସ୍ଫୁଟନ “ରୁ ଉଦ୍ଧୃତ )

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |

Leave A Reply

Your email address will not be published.