ଅରବିନ୍ଦ ଦାସଙ୍କ ନୂଆ ଗପ-‘ଚଢ଼େଇ ବସା’

0

★★★★★★★★★

ଅରବିନ୍ଦ ଦାସ

ଝରକା ବାଟେ ଫ୍ଲାଟ ପାଖ ଗଛରେ ଥିବା ଚଢ଼େଇ ବସାକୁ ଅନେଇଥିଲେ ବନ୍ଦନା ଓ ପୂର୍ଣ୍ଣଚନ୍ଦ୍ର ବାବୁ।ଚାହା କପ ସେମାନଙ୍କ ହାତକୁ ବଢ଼ାଇ ଦେଇ ବୋହୁ ରିତିକା କହିଲା,
-ବାପା,ବୋଉ ଆପଣ ଦୁଇଜଣ ଏବେ ଓଡିଶା ଛାଡି ସବୁଦିନ ପାଇଁ ଆମ ପାଖକୁ ଏଇଠିକୁ ରହିବାକୁ ଚାଲିଆସନ୍ତୁ।ଏଇ ବୟସରେ ସେଠି ରହୁଥିବାରୁ ଆପଣ ଦୁହିଁଙ୍କ ଦେହପା ଟିକେ ଖରାପ ହେଲେ ଆମକୁ ଚିନ୍ତାରେ ନିଦ ହେଉନି,ବ୍ୟସ୍ତ ଲାଗୁଛି।ପାଖରେ ଥିଲେ ଆମର କିଛି ଚିନ୍ତା ରହିବନି।ଆକାଶ ଓ ମୁଁ କେବେଠୁ ଏ ବିଷୟରେ ଭାବୁଥିଲୁ।ତା ଛଡା ଆପଣମାନଙ୍କୁ ସବୁଦିନ ଏଇଠି ପାଖରେ ପାଇଁ ରକି ବି ବହୁତ ଖୁସି ହେବ।”
ଅଣଓଡିଆବୋହୁ ରିତିକା ମୁହଁରେ ସକାଳୁ ସକାଳୁ ହିନ୍ଦୀ ଓ ଓଡ଼ିଆ ମିଶା ସ୍ନେହବୋଳା ଏଇ ଅନୁରୋଧପୂର୍ଣ୍ଣ କଥା ପଦକ ଶୁଣି ଭାବାବେଗରେ ଆପ୍ଳୁତ ହୋଇଗଲେ ବନ୍ଦନା।ଗତକାଲି ହିଁ ସେମାନେ ପୁଅ,ବୋହୁଙ୍କ ପାଖକୁ ବୁଲିବାକୁ ଆସି ବରୋଦାରେ ପହଁଚିଛନ୍ତି।
ବୟସ ହୋଇଗଲେ ସବୁ ବାପା ମା ଚାହାନ୍ତି ପିଲାଙ୍କ ପାଖରେ ରହିବା ପାଇଁ।ମା ହିସାବରେ, ପୁଅ,ବୋହୁ ନାତି ସହ ସବୁଦିନ କାଟିବାର ସ୍ୱପ୍ନ ତ ଅନେକ ଦିନ ହେଲାଣି ସେ ଦେଖୁଥିଲେ।ଏମିତିରେ ଆକାଶ ତାଙ୍କର ଏକମାତ୍ର ଗେହ୍ଲା ପୁଅ।ନାତି ଟୋକାଟା ଏତେ ସୁନ୍ଦର ଗୁଲୁଗୁଲିଆ ହୋଇଛି ଯେ ତାକୁ ଦଣ୍ଡେ ଛାଡିବାକୁ ଇଛା ହେଉନି।ତାଙ୍କରି ଶାଢ଼ୀ କାନି ଧରି ନାନୀମା,ଜେଜେମା ବୋଲି ଚବର ଚବର ହେଉଛି ଓ ସେମାନଙ୍କ ପାଖରେ ଶୋଉଛି ।ନାତି ନାତୁଣୀଙ୍କ ସହ ବନ୍ଧନ ତ ଭଗବାନ ବାନ୍ଧି ଦିଅନ୍ତି।
ହେଲେ ସେମାନେ ଯଦି ଏଠିକୁ ଆସି ରହିବେ ,ତେବେ ଭୁବନେଶ୍ୱର ଘର କଣ ହେବ ?ଜିନିଷ ପତ୍ର ଖୁନ୍ଦି ହୋଇଥିବା ଘରକୁ କାହାକୁ ଭଡାରେ ବି ଦେଇ ହେବନି।ତାଛଡା ଭଡାଟିଆ କଣ ଘର ର ଯତ୍ନ ଠିକ କରି ନେବେ ?ସପ୍ତାହେ କି ପନ୍ଦର ଦିନ ପୁଅ ବୋହୁଙ୍କ ପାଖକୁ ବୁଲିଆସିଲେ ,ଘର ଜଗିବାକୁ ବଗିଚାରେ ତଥା ଫୁଲ କୁଣ୍ଡରେ ପାଣି ଦେବାକୁ ଲୋକ ଯୋଗାଡ଼ କରି ଆସନ୍ତି ସେ।ପିଲେ ବଡ଼ ହୋଇ ବାହାରେ ରହିଲେ ଏଇ ଅସୁବିଧା ଭୋଗନ୍ତି ସବୁ ବାପା ମା।
ଚାକିରୀ କରି ଓଡିଶା ବାହାରେ ରହିଲା ଆକାଶ ଓ ରିତିକା କୁ ଭଲ ପାଇ ବାହାହେଲା।ଅଣଓଡ଼ିଆ ବୋହୁ ବୋଲି ବାହାଘର ପୁର୍ବରୁ ଅବଶ୍ୟ ଟିକେ ଅଭିମାନ କରିଥିଲେ ବନ୍ଦନା।ପୁଅକୁ କହିଥିଲେ,
-ଆରେ,ସେ ଝିଅ କଣ ଆମ ଓଡ଼ିଆ କଥା ବୁଝିବ ?ତାଛଡା ଓଡ଼ିଆ ଝିଅ ହୋଇଥିଲେ ଛୁଟିରେ ତମେ ଦୁହେଁ କେବଳ ଓଡିଶା ବୁଲିବାକୁ ଆସିପାରିବ।ନହେଲେ ସେ ତ ତାଙ୍କ ରାଜ୍ୟକୁ ଯିବ।”
ହସିଦେଇ ତାଙ୍କୁ ସେଦିନ ଆକାଶ କହିଥିଲା,
-ତୋତେ ଓ ବାପାଙ୍କୁ ଛାଡି ମୁଁ କଣ ରହି ପାରିବି ?ଝିଅ ହିସାବରେ ରିତିକାର ବାପଘର ଯେଉଁଠି ହେଉ, ବାହାଘର ପରେ ଶଶୁର ଘର ହିଁ ତାର ବସାଘର ଠିକଣା।ତୁ ବ୍ୟସ୍ତ ହଅନା।ଯେଉଁଠି ବି ରହୁ ଆମେ, ଆମର ଓଡ଼ିଶାର ଏଇ ଘର ହିଁ ଆମ ଠିକଣା।”
ସେଦିନ ଗର୍ବରେ ଛାତି ଫୁଲି ଉଠିଥିଲା ବନ୍ଦନାଙ୍କର।
ନିଜ ଘରକୁ ସେଦିନ ଅନେଇ ମନେମନେ ଭାବିଥିଲେ,ପୁଅ ବୋହୂ ବି ସେମାନଙ୍କ ସହ ଏଇଠି ରହିବେ।କେତେ ଯତ୍ନ ଆଦରରେ, ଭୁବନେଶ୍ବରରେ ଏ ଘର ପୂର୍ଣ୍ଣବାବୁ ଓ ସେ ଦୁହେଁ ତିଆରି କରିଥିଲେ।
ହେଲେ ଆକାଶ ଫ୍ଲାଟ କିଣିଲା ବରୋଦାରେ।ଏଇ ସହରରେ ତା ଶଶୁର ଘର।
-ବୋଉ,ବାପା ,ରିତିକା ଠିକ କହିଛି,ତମେ ଦୁହେଁ ବି ବରୋଦା ଚାଲିଆସ।”
ହଠାତ ସାମ୍ନାରେ ପୁଅ ଆକାଶର କଥା ଶୁଣି ଭାବନା ରାଜ୍ୟରୁ ଫେରିଆସି ବନ୍ଦନା,ପୁଅ ବୋହୁଙ୍କୁ କହିଲେ,
-ଆରେ ଆମେ ଦୁହେଁ ଏଇଠି ଆସି ତୁମ ଦୁହିଁଙ୍କ ସାଙ୍ଗରେ ରହିଲେ,ସେଠି ଭୁବନେଶ୍ୱର ଘର କଣ ହେବ ?ଭଡାଟିଆ କଣ ଯତ୍ନ ନେବେ ଆମ ଘରର ?ତାଛଡା ବୋହୁ ବି ଅଯଥାରେ ହଇରାଣ ହେବ।ଏମିତି ରେ ମୋ ହାତ ଗୋଡ଼ ତ ଚଳୁଛି।”
ଟିକେ ରହି ଆକାଶ କହିଲା,
-ରିତିକା କାହିଁକି ହଇରାଣ ହେବ ?ତମେ ଦୁହେଁ ଆମ ସହ ନୁହେଁ,ବରଂ ଏଇ ଆପାର୍ଟମେଣ୍ଟରେ ଆଉ ଗୋଟେ ଫ୍ଲାଟ କିଣି ଏଠିକୁ ଶିଫ୍ଟ ହୋଇଯିବ।ପାଖାପାଖି ରହିଲେ ସମସ୍ତେ ଟେନ୍ସନ ଫ୍ରି। ଭୁବନେଶ୍ୱର ଘର ବିକିଦେବା।”
ପୁଅ କଥା ଶୁଣି ଚା କପଟା, ବନ୍ଦନାଙ୍କ ହାତରୁ ତଳେ ପଡୁ ପଡୁ ରହିଗଲା।ତାଙ୍କୁ ଲାଗିଲା ସେ ଭୁଲ ଶୁଣିଛନ୍ତି।ଛେପ ଢ଼ୋକି ସେ ପଚାରିଲେ,
-ଏଇଠି ଆଉ ଗୋଟେ ଫ୍ଲାଟ କିଣି ରହିବୁ ଆମେ !କିନ୍ତୁ କାହିଁକି ?”
-ଓହୋ ବୋଉ,ନିଜ ନିଜର ପ୍ରାଇଭେସି ରହିବ।ଯେତେବେଳେ ତୁ ଓ ବାପା ଚାହିଁବ ଆମ ଫ୍ଲାଟକୁ ଆସିବ ଓ ଆମର ଯେତେବେଳେ ମନ ତମ ପାଖକୁ ଯିବୁ।ତୁ କାମକୁ ନପାରିଲେ ଲୋକ ରଖିଦେବୁ।ଆମେ ତ ଏଇଠି ଅଛୁ।ଯେବେ ଇଛା ଏକାଠି ଚା, ଟିଫିନ,ଲଞ୍ଚ ଡିନର କରି ପାରିବା।”
ରିତିକା ପଛପଟୁ କହିଲା,
-ହଁ ମମି,ବହୁତ ଭଲ ହେବ।ତା ଛଡା ଓଡିଶା ଅପେକ୍ଷା ଏଠି ରିଅଲଇଷ୍ଟେଟ ମୂଲ୍ୟ ଅଧିକ।ତେଣୁଭୁବନେଶ୍ୱର ଘର ବିକିଦେଇ ଆମର ଏଇ କମ୍ପ୍ଲେକ୍ସ ରେ ଗୋଟେ ବଡ଼ ଫ୍ଲାଟ କିଣି ଦିଅନ୍ତୁ।ମେଣ୍ଟେନାନ୍ସ ପାଇଁ ଚିନ୍ତାକରିବେନି,
କାରଣ ଆମେ ତ ପାଖରେ ରହିବୁ।”
ମୁଣ୍ଡଟା ବୁଲେଇ ଦେଲାଭଳି ଲାଗିଲା ବନ୍ଦନାଙ୍କୁ।ପୁଅ ବୋହୂ ସେମାନଙ୍କୁ ନିଜ ଘରେ ନରଖି ଅଲଗା ଘରେ ରହିବାକୁ କହୁଛନ୍ତି !!ପାଖ ରେ ରହିବାର ଅଭିନୟ,ଅଥଚ ଅଲଗା ରହିବେ।
ଆକାଶ ନିଜଆଡୁ କହିଲା,
-ବୁଝିଲୁ ବୋଉ,ଏଇ ସୋସାଇଟି କମ୍ପ୍ଲେକ୍ସ ରେ ବି କିଛି ପ୍ୟାରେଣ୍ଟସ ଅଲଗା ଫ୍ଲାଟ କିଣି ରହୁଛନ୍ତି।ଆଜିକାଲିର ନୂଆ ଟ୍ରେଣ୍ଡ।”
ବନ୍ଦନା ଥରେ ଅନାଇଲେ ପୁଅ ମୁହଁକୁ।ନିର୍ଲଜ ଭଳି କେମିତି ଏସବୁ କହୁଛି ଆକାଶ !ଏଇ ଶିକ୍ଷା,ସଂସ୍କାର ପାଇଛନ୍ତି ପିଲେ ?ବନ୍ଦନାଙ୍କୁ ଇଛା ହେଉଥିଲା ଦୁଇ ଚଟକଣା ପକାନ୍ତେ ପୁଅକୁ।
ସ୍ତ୍ରୀ ଙ୍କ ମନର ଅବସ୍ଥା ବୁଝିପାରି ପରିସ୍ଥିତିକୁ ସମ୍ଭାଳିବାକୁ ଯାଇ ପୂର୍ଣ୍ଣଚନ୍ଦ୍ର ବାବୁ କହିଲେ,
-ଠିକ ଅଛି,ଏ ବିଷୟରେ ଆମେ ପରେ ଆଲୋଚନା କରିବା।ତୋର ଅଫିସ ଟାଇମ ବି ହୋଇଯିବ।”
ପୁଅ ବୋହୂ ରୁମରୁ ଚାଲିଗଲା ପରେ କବାଟ ବନ୍ଦକରି ଗୁମ ମାରି ବସିଗଲେ ବନ୍ଦନା ଓ ଧୀର ସ୍ୱରରେ ସ୍ୱାମୀ’ଙ୍କ ଉଦ୍ଦେଶ୍ୟରେ କହିଲେ,
-ମୋତେ ଲାଗୁଛି ଏସବୁ ବୋହୂର ପ୍ଲାନ।ତା ବାପଘର ଏଇ ସହରରେ ବୋଲି ସେ ଓଡିଶା ନଆସି ଏଇଠି ସେଟେଲ ହେବାକୁ ଚାଉଁଛି।ଏଇଥି ପାଇଁ କହୁଥିଲି ଅଣ ଓଡ଼ିଆ ବୋହୁ ନକରିବାକୁ।”
ପୂର୍ଣ୍ଣ ବାବୁ କହିଲେ,
-ବୋହୁକୁ କାହିଁକି ଦୋଷ ଦେଉଛ ?ତୁମ ପୁଅ କଣ ଛୋଟ ଛୁଆ ହୋଇଛି ?
ଅଣ ଓଡ଼ିଆ,ଓଡ଼ିଆ ଭିତରେ ଫରକ କିଛି ନଥାଏ,ଫରକ ଥାଏ ନିଜ ଚିନ୍ତାଧାରା ରେ।ତୁମ ପୁଅ ତ ଖାଣ୍ଟି ଓଡ଼ିଆ।ଛାଡ଼ ସେକଥା,ଜୀବନରେ ଏମିତି ଅନେକ ଅପ୍ରୀତିକର ଜିନିଷର ସମ୍ମୁଖୀନ ହେବାକୁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ।”
ବ୍ରେକଫାଷ୍ଟ ସମୟରେ ରିତିକାର ବାପା,ମା ଅର୍ଥାତ ସମୁଦି ସମୁଦୁଣୀ ଆସି ପହଁଚି ଥିଲେ।ସେମାନେ ବି କହିଲେ,
-ଆପଣ ଦୁହେଁ ଏଇଠିକୁ ଶିଫ୍ଟ କରି ଯାଆନ୍ତୁ। ନୂଆ ଫ୍ଲାଟ ହେଉ କି ସେକେଣ୍ଡ ହ୍ୟାଣ୍ଡ ଫ୍ଲାଟ ମିଳିଯିବ।ଆମର ବହୁତ ଚିହ୍ନା ଲୋକ ଅଛନ୍ତି,ସବୁ ବ୍ୟବସ୍ଥା ହୋଇଯିବ।ତାଛଡା ପିଲାଙ୍କ ପକ୍ଷରେ ଭୁବନେଶ୍ବର ରେ ପ୍ରପର୍ଟି ଦେଖାଶୁଣା କରିବା ଅପେକ୍ଷା ଏଇଠି ଥିବା ପ୍ରପର୍ଟି ର ଯତ୍ନ ନେବା ସୁବିଧା ହେବ।ଭବିଷ୍ୟତରେ ହୁଏତ ଆପଣଙ୍କ ନାତି ବାହା ହୋଇ ସେଇ ଘରେ ରହିବ।”
ବନ୍ଦନାଙ୍କର ଇଛା ହେଉଥିଲା କହିଦେବା ପାଇଁ,ହଁ ପୁରା ପ୍ଲାନ ବନେଇ ଦେଇଛ ଓ ବେପାରୀ ବୁଦ୍ଧି ଖଟାଇଛ।ପୁଅର ବାପା ମା ମରିଗଲେ ଏଇଠି ଫ୍ଲାଟକୁ ଭଡାରେ ଲଗାଇବା ଅଥବା ନିଜ ଶାଶୁ ଶଶୁର ଅଥବା ସେମାନଙ୍କ ପରିବାର ଲୋକଙ୍କୁ ଆଣି ରଖିବା ସହଜ ହେବ।
ଅଫିସ ବାହାରିବା ପୂର୍ବରୁ ଆକାଶ,ବାପାଙ୍କୁ ଏକୁଟିଆ ପାଇ ଧୀର ସ୍ୱରରେ କହିଲା,
-ମୁଁ ଜାଣିଛି ଆପଣଙ୍କୁ ଓ ବୋଉକୁ ଏଇଠି ଅଲଗା ଫ୍ଲାଟ କିଣି ରହିବାର କଥାଟା ଆଖାଡୁଆ ଲାଗିଥିବ ଓ ମୋତେ ମନେମନେ ଗାଳିଦେଉଥିବେ।
ତେବେ ସତ କଥା ହେଲା ବାପା,ଆମେ ଜୀବନରେ ପ୍ରାକ୍ଟିକାଲ ହେବା ନିହାତି ଜରୁରୀ।ଗୋଟିଏ ଘରେ ବୋଉ ଓ ରିତିକା ସବୁଦିନ ରହିଲେ ସେମାନଙ୍କ ଭିତରେ ଝଗଡା,ମନାନ୍ତର ହେବ ଓ ସମ୍ଭନ୍ଧରେ ଫାଟ ସୃଷ୍ଟି ହେବ।ଦୁହିଙ୍କ ନେଚର ସମାନ,ଅର୍ଥାତ ରିତିକା ଓ ବୋଉ ଦୁହେଁ ବହୁତ ଜିଦିଆ, ହେଡ ଷ୍ଟ୍ରଙ୍ଗ।ବୋଉ ବି ପ୍ରତି କଥାରେ ରିତିକାର ଖୁଣ ବାହାର କରେ ଓ ଭୁବନେଶ୍ୱର ଗଲେ ସେ ଘର ତାର ବୋଲି ଗର୍ବ ଦେଖାଇ କହିବା ସହ ମନଇଛା କଟକଣା,ରୀତି ନିୟମ ରିତିକା କୁ ଦେଖାଏ।ତେଣୁ ଏଇଠି ପଖାପାଖି କିନ୍ତୁ ଅଲଗା ଘରେ ରହିଲେ ନିଜର ଇଣ୍ଡିପେଂଡେନ୍ସି ତଥା ପ୍ରାଇଭେସି ରହିବ।ନହେଲେ କିଏ କାହା ବିଷୟ ରେ କଣକହିଲା,
ସେଇ ଛୋଟଛୋଟ କଥା ନେଇ ଝଗଡା ହେବ ।”
ଗମ୍ଭୀର ହୋଇ ପୂର୍ଣ୍ଣଚନ୍ଦ୍ର କହିଲେ,
-ପରିବାର ଭିତରେ ଛୋଟ ମୋଟ ଝଗଡା,ମତାନ୍ତରସାଧାରଣ ଜିନିଷ , ତଥାପି ସମସ୍ତେ ମିଳିମିଶି ଏକାଠି ରହିବାକୁ ଚେଷ୍ଟା କରନ୍ତି।ପାଞ୍ଚ ଆଙ୍ଗୁଳି ଅସମାନ ହେଲେ ବି ଗୋଟିଏ ପାପୁଲି ରେ ଅଛନ୍ତି ନା ନାହିଁ ?ତେବେ ତୋ କଥା ବି ଠିକ।ବଦଳୁଥିବା ସମୟ ଅନୁସାରେ ସମସ୍ତଙ୍କୁ ତାଳ ଦେଇ ଆଗକୁ ବଢିବାକୁ ହୁଏ।ତୋ ବୋଉକୁ ଓ ମୋତେ ଟିକିଏ ସମୟ ଲାଗିବ ଏସବୁ ସହିତ ଖାପ ଖୁଆଇବାକୁ।ତେବେ ଏଇଠି ନୂଆ ଫ୍ଲାଟ ନକିଣି ଆମେ ଫ୍ଲାଟ ଭଡା ନେଇ ବି ରହି ପାରିବୁ।ସେଠି ହେଉ କି ଏଠି ଲୋକ ରଖିଲେ ସେମାନେ ଆମା କାମ କରିଦେବେ ଓ ଆମେ କାହା ଉପରେ ବୋଝ ହେବୁନି।ମୋ ପେନସନ ତଥା ବ୍ୟାଙ୍କ ଇଣ୍ଟରେଷ୍ଟ ଟଙ୍କାରେ ଚଳିବାକୁ କିଛି ଅସୁବିଧା ହେବନି।ଏଠି, ଗୋଟିଏ ଜାଗାରେ ଆମେ ଅଲଗା ହୋଇ ରହିବା କଥା।ତୋ ଫ୍ଲାଟ ରୁ ଅନ୍ୟ ଫ୍ଲାଟ ହେଉ କି ଭୁବନେଶ୍ୱର ଘର ,ଦୂରତା ତ ରହିବ।ତେବେ
ମୁଁ ତୋ ବୋଉକୁ ବୁଝାଇଦେବି।”
ଚୁପକିନା ବାପାଙ୍କୁ ଅନାଇଥିଲା ଆକାଶ।
ବନ୍ଦନାଙ୍କ ମନଟା ବହୁତ ଖରାପ ଲାଗୁଥିଲା।ତକିଆରେ ମୁହଁ ମାଡି ସେ କାନ୍ଦୁଥିଲେ।କେମିତି ବା ନକାନ୍ଦିବେ ?ବନ୍ଧୁବାନ୍ଧବ ଯିଏ ଏକଥା ଶୁଣିବ ସେ ହସିବ ଓ ଦେଖେଇ ଦେଖେଇ ଟାହି ଟାପରା କରି ଅନେକ କଥା ଶୁଣାଇବେ।କହିବେ,ଏତେ ଗେଲବସର କରି ପୁଅକୁ ଏଇଦିନ ଦେଖିବାକୁ ବଡ଼ କରିଥିଲ ?ସମସ୍ତଙ୍କୁ ସେ ନିଜଆଡୁ କହୁଥିଲେ, ପୁଅ ବୋହୂ ସେମାନଙ୍କୁ ବାଧ୍ୟ କରୁଛନ୍ତି ସେମାନଙ୍କ ପାଖକୁ ଯିବାକୁ ହେଲେ ନିଜ ଘର ମୋହ ଛାଡି ପାରୁ ନାହାନ୍ତି ବୋଲି ଯାଇ ପାରୁ ନାହାନ୍ତି।
ପୂର୍ଣ୍ଣଚନ୍ଦ୍ର ବାବୁଙ୍କୁ ରୁମ ଭିତରକୁ ଆସିବାର ଦେଖି ନିଜ କୋହ ସମ୍ଭାଳି ନପାରି ବନ୍ଦନା କହିଲେ,
-ଏଠି ଆଉ କ୍ଷଣେ ମୁଁ ରହିବିନି।ଚାଲ ଆଜି ଆମେ ଓଡିଶା ଫେରିଯିବା।ହେଲେ ମୋତେ ଡର ମାଡୁଛି ଆମ ବନ୍ଧୁବାନ୍ଧବ ଏକଥା ଶୁଣିଲେ କଣ କହିବେ ?ଆମେ ତ କାହାକୁ ମୁହଁ ଦେଖାଇ ପାରିବାନି।”
ମୃଦୁହସି ପୂର୍ଣ୍ଣଚନ୍ଦ୍ର ବାବୁ କହିଲେ,
-ଆମ ପରିବାର କଥା ଆମ ବନ୍ଧୁ ବାନ୍ଧବ ଏକଥା କେମିତି ଜାଣିବେ ?ଲାଉଡ଼ସ୍ପିକର ଲଗାଇ ତୁମେ ମୋବାଇଲରେ ସମସ୍ତଙ୍କୁ ଜଣାଇବା କଣ ନିହାତି ଜରୁରୀ ?ଅନ୍ୟମାନଙ୍କ ଘରେ କଣ ହେଉଛି ଆମେ ଜାଣୁଛେ ?”
-ଆଛା,ତା ବୋଲି ଏତେ ବଡ଼ କଥା ମୁଁ ମୋ ନିଜ ଲୋକଙ୍କଠୁ ଲୁଚେଇକି ରଖିବି ?”
-ଡିଣ୍ଡିମ ପିଟି କହିଲେ,ତୁମ ନିଜ ଲୋକମାନେ ତୁମ ପିଠିରେ ପଡିବେ ?କାମଧନ୍ଦା ନଥିଲା ଭଳି ସବୁଦିନ ନିଜ ଘର,ଅନ୍ୟ ଘର କଥା ଫୁସୁରୁ ଫାସର ହୋଇ କି ଲାଭ ମିଳେ କିହୋ,ଫାଲତୁ ସମବେଦନା ଜଣାଇବା ଛଡା କୌଣସି ନିଜଲୋକ ଆମ ପିଠିରେ ପଡିବ ?ବୁଢାବୁଢ଼ୀ ବୟସରେ କିଏ
ଆମ ଦାୟିତ୍ୱ ନେବେ ?ଅପ୍ରିୟ ସତ୍ୟ ହେଲା ନିଜ ହାତଗୋଡ଼ ଚଳୁଥିବା ଯାଏଁ ନିଜ କାମ କରିବ ନହେଲେ କାମ କରିବାକୁ ଲୋକ ରଖିବ।ପୁଅ ବୋହୁଙ୍କ ନାଁରେ ୟା ତା ଆଗରେ ଗପିଲେ କିଛି ଲାଭ ମିଳିବ ? ଆମକୁ ବି ସମୟ ସହ ଆଗେଇବାକୁ ପଡିବ।ପରିଣତ ବୟସରେ କେବଳ କିଛି ଭାଗ୍ୟବାନ ବାପା ମା ହିଁ ନିଜ ପିଲାଙ୍କ ସହିତ ଏକାଠି ରହିବାର ସୁଯୋଗ ପାଆନ୍ତି।”
ନାତି ରକି ରୁମକୁ ଆସିଯିବାରୁ ତାକୁ ଧରି ଗେଲ କରି କରି ବାଲକୋନିକୁ ଚାଲିଗଲେ ପୂର୍ଣ୍ଣଚନ୍ଦ୍ର।ନିଜ ଲୁହ ପୋଛି,ଶାଢ଼ୀକୁ ସଜାଡି ବନ୍ଦନା ବାଲକୋନିକୁ ଆସି ସ୍ବାମୀଙ୍କ କାନ୍ଧରେ ହାତ ରଖି କହିଲେ,
-ମୋ ରାଣ ଖାଇ କହିଲ,ଏଇ ଅଲଗା ଫ୍ଲାଟ କିଣି ଏଇଠି ରହିବା କଥା ଶୁଣି ତୁମ ମନ ଦୁଃଖ ହୋଇନି ?ସତରେ ତୁମେ ଭୁବନେଶ୍ୱର ଘର ବିକିଦେଇ ଏଇଠିକୁ ଆସିବ ବୋଲି ଭାବୁଛ ?”
ସ୍ତ୍ରୀଙ୍କୁ ମୁଣ୍ଡରେ ନିଜ ହାତ ରଖି ପୂର୍ଣ୍ଣଚନ୍ଦ୍ର କହିଲେ,
-ଜୀବନରେ ଅନେକ ଆଶ୍ଚର୍ଯ୍ୟ ଦେଖି ଦେଖି ବୟସର ଏ ଅପରାହ୍ନରେ ଆଉ ବେଶୀ ଆଶ୍ଚର୍ଯ୍ୟ ହୁଏନି ମଣିଷ।ଧୀରେ ଧୀରେ ଦେହସୁହା ହୋଇଯାଏ କିଛି ଜିନିଷ।ଏଇ ସେ ଗଛରେ ଚଢ଼େଇ ବସା ଦେଖୁଛ ?”
ଟିକେ ଦୂରରେ ଥିବା ଗଛଟିକୁ ଅନେଇଲେ ବନ୍ଦନା।
ଦୁଇଟା ଚଢ଼େଇ ନିଜ ବସା ବାନ୍ଧୁଛନ୍ତି।
ପୂର୍ଣ୍ଣବାବୁ ପୁଣି କହିଲେ,
-ଚଢ଼େଇ ଭଳି ମଣିଷ ବି ନିଜ ବସା ଗଢେ।ଚଢ଼େଇ ଛୁଆଙ୍କ ଭଳି ମଣିଷ ଛୁଆ ବି ବଡ଼ ହୋଇଗଲେ ଫୁର କିନା ଉଡି ଯାଆନ୍ତି ଓ ଧୀରେ ଧୀରେ ନିଜର ଅଲଗା ବସା ତିଆରି କରନ୍ତି।ଏହାହିଁ ଦୁନିଆର ନିୟମ।ତେବେ କେବେ କୌଣସି ବାପା, ମା ଚଢ଼େଇକୁ ନିଜ ଛୁଆଙ୍କ ବସାରେ ରହିବାର ଦେଖିଛ ?
ଚଢେଇ ଭ ଳି ମଣିଷ ଆତ୍ମ ନିର୍ଭର ହେବାକୁ ଭୁଲିଯାଏ।ଅନ୍ୟ ଉପରେ ନିର୍ଭରଶୀଳ ହେବା ଯୋଗୁଁ ମଣିଷ କଷ୍ଟ ପାଏ।”
ଆଶ୍ଚର୍ଯ୍ୟ ହୋଇ ଅନେଇଲେ ବନ୍ଦନା।
ମୃଦୁହସି ପୂର୍ଣ୍ଣଚନ୍ଦ୍ର କହିଲେ,
-ଭୁବନେଶ୍ୱର ରେ ଆମର ନିଜ ବସାଘର ଥାଉ ଥାଉ ତୁମେ ଏତେ ବ୍ୟସ୍ତ କାହିଁକି ?ପିଲେ ଆମକୁ ନିଜ ଘରେ ସେମାନଙ୍କ ସହିତ ନୁହେଁ,ବରଂ ଘର ପାଖରେ ଆମକୁ ରଖିବାକୁ ଚାହାନ୍ତି।ଆମପାଇଁ ଟିକେ ଚିନ୍ତା କରୁଛନ୍ତି ତ।ତାଙ୍କୁ ଆମେ ଦୋଷ ଦେବାନି।ସମ୍ପର୍କର ସମୀକରଣ ସମୟ ସହ ବଦଳେ।ଓଡ଼ିଶାରେ ବି ଆମେ ଲୋକ ରଖି ଆରାମରେ ଚଳି ପାରିବା।ବନ୍ଧୁବାନ୍ଧବ ,ସାହି ପଡିଶା ଦରକାର ବେଳେ ଆସିବେ।ପିଲାଙ୍କର ଯେବେ ସୁବିଧା ବୁଲିବାକୁ ଆମପାଖକୁ ଆସିବେ କିମ୍ବା ଆମେ ବୁଲିବାକୁ ଏଇଠିକୁ ଆସିବା।ଆଉ ହଁ ଆମ ଦୁହିଁଙ୍କ ଭିତରୁ ଜଣେ ଯଦି ଏକୁଟିଆ ଦୁନିଆରେ ରୁହେ,ତେବେ ଇଛା ହେଲେ ସେଇ ଘରେ ନହେଲେ ବୃଦ୍ଧାଶ୍ରମରେ ଅବା ପିଲାଙ୍କ ପାଖରେ ଚାହିଁଲେ ରହିପାରିବ।କାହା ଉପରେ ବୋଝ ହେବାନି ଆମେ।”
ଗୋଟେ ଦୀର୍ଘନିଃଶ୍ବାସ ଛାଡି ପୂର୍ଣ୍ଣଚନ୍ଦ୍ରବାବୁ ପୁଣି କହିଲେ,
-ଚଢ଼େଇ ଭଳି ଆମର ବି ସବୁ ଝଡଝଞ୍ଜାକୁ ସହିଲା ଭଳି ଚଢ଼େଇବସା ଓ ସ୍ୱାଭିମାନ ଅଛି।ଆମ ଚଢ଼େଇବସା ଜିନ୍ଦାବାଦ।ତମ ପାଇଁ ମୁଁ ଓ ମୋ ପାଇଁ ତମେ ଅଛ।ହେଲେ ଚଢେଇଙ୍କ ଭଳି ଆମେ ନିଜ ପିଲା,ନାତିନାତୁଣୀଙ୍କ ମୋହ ଛାଡି ପାରୁନା।ବାପା,ମା ପରା ଆମେ।”
ସ୍ବାମୀଙ୍କ ଛାତିରେ ମୁହଁ ଗୁଞ୍ଜିଲା ବେଳେ ବନ୍ଦନାଙ୍କ ମୁହଁରେ ଫୁଟିଉଠୁଥିଲା ଏକ ଦୃଢ଼ ଆତ୍ମବିଶ୍ବାସ।
(©️ଅରବିନ୍ଦଦାସ)

Leave A Reply

Your email address will not be published.