ମାୟାଧର ମିଜାଇଲ-20: ‘ଫୁଲ ହୁଅନା, ଝୁଲ ହୁଅ’

0

//TATKAL ODISHA//

  • ଫୁଲ ହୁଅନା, ଝୁଲ ହୁଅ
  • ମାୟାଧର ନାୟକ

ଦିନେ ଗୋଟିଏ ବଡ କଲେଜର ଛାତ୍ରୀ ନିବସାର ବିଶେଷ ଉତ୍ସବରେ ମୁଖ୍ୟଅତିଥି ହୋଇ ଯାଇଥିଲି । ପ୍ରବେଶ ଦ୍ୱାରରେ ପହଞ୍ôଚବା କ୍ଷଣି ଝିଅମାନେ ବନ୍ଦାପନାକରି ପୁଷ୍ପବୃଷ୍ଟି କଲେ ଏବଂ ଗୋଟିଏ ଗୋଲାପଫୁଲ ଉପହାର ଦେଇ ପାଛୋଟିନେଲେ । ଫୁଲଟି ଧରି ମଞ୍ଚାସୀନ ହେଲି । ଯାତ୍ରା ସିନେମାରେ ଯେପରି ବିଜୁଳି ଆଲୁଅର ଚମତ୍କାର ଖେଳ ଦେଖାଯାଏ, ଝିଅମାନଙ୍କ ଉତ୍ସବରେ ବିଜୁଳି ଚମକ କୋଉ ଗୁଲରେ କମ୍‍ ନଥିଲା । ପ୍ରାୟ ପାଞ୍ଚଶହ ଝିଅ, ବୟସ ସତରଅଠରରୁ କୋଡିଏଏକୋଇଶ ଭିତରେ– ସମସ୍ତେ ଚମତ୍କାର ଶାଢୀ ପିନ୍ଧିଥିଲେ । ଡ୍ରେସ୍‍ କୋଡ୍‍ ମାନି ଯେଉଁ ଝିଅମାନେ କଲେଜ ପୋଷାକ ପିନ୍ଧନ୍ତି, ପ୍ରାୟ ସମସ୍ତେ ଏକାଭଳି ଦେଖାଯାଆନ୍ତି – ଫଙ୍କ୍‍ସନ୍‍ରେ ଶାଢୀ ପିନ୍ଧିଥିବାରୁ ସମସ୍ତେ ଭାରି ସୁନ୍ଦର ଓ ଚମତ୍କାର ଦେଖାଯାଉଥିଲେ ।

ବର୍ଷବର୍ଷଧରି ଚାଲିଆସିଥିବା ପୁରୁଣା ପଦ୍ଧତିରେ ଉତ୍ସବର ଅୟମାରମ୍ଭ । ‘ଜଗନ୍ନାଥ‘ଙ୍କ ଫଟୋରେ ଧୂପଦୀପ ଲଗାଇ ଯଥାରୀତି ସଭା ଆରମ୍ଭ କରାଗଲା । ଛାତ୍ରୀ ନିବାସର ଅଧ୍ୟକ୍ଷା ସଭା ପରିଚାଳନା କଲେ । ସ୍ୱାଗତ ସଙ୍ଗୀତରେ ଉତ୍ସବସ୍ଥଳ ଆଖପାଖ ବଜାର ପ୍ରକମ୍ପିତ ହେଲା । କିଛି ଝିଅ ଘରୁ ଟିପିଆଣିଥିବା ଇଂରାଜୀରେ ଭାଷଣଦେଲେ, ଆଉ କିଛି ଝିଅ ମନରୁ କହିଲେ । ଏଥର ମୋ ପାଳି ।

ଉଦ୍‍ବୋଧନ ଦେବାକୁ ଠିଆହୋଇ ଟିକେ ମୁରୁକି ମୁରୁକି ହସିଲି । ଉତ୍ସବରେ କଲେଜର ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା, ୱାର୍ଡେନଙ୍କ ସମେତ ଝିଅମାନଙ୍କ ଭିଡ ଥିଲା । ସେଦିନ ବୋଧେ ‘ଭାଲେଣ୍ଟାଇନ୍‍ ଡେ’ ବା ‘ପ୍ରେମ ଦିବସ’ ଥିଲା । ମଞ୍ଚ ଏବଂ ଶ୍ରୋତୃବର୍ଗଙ୍କୁ ଯଥାମାନ୍ୟଦେଇ ଗୋଲାପ ଫୁଲଟି ସମସ୍ତଙ୍କୁ ଦେଖାଇ ସେଇ ମୁଲାୟମ ମୁରୁକି ହସକୁ ଜାରିରଖି କହିଲି – ‘ଯେତେ ଝିଅ ଏଠି ବସିଛନ୍ତି, ସବୁ ପ୍ରାୟ ମୋ ନାତୁଣୀ ବୟସର । ଝିଅମାନେ ଆଉ ଫୁଲ ହୁଅନା, ଏଣିକି ଝୁଲ ହୁଅ । ନିଆଁର ଝୁଲ – ଅଗ୍ନିକନ୍ୟା ହୁଅ । ଅବଳା ଭୂମିକାରେ ଅବତୀର୍ଣ୍ଣ ହୁଅନା । ଲାଜକୁଳୀ ଫୁଲ ନହୋଇ ନିଆଁର ନିଆଳୀ ହୁଅ ।’ ଏଇ କେଇପଦ କଥାରେ ଉତ୍ସବସ୍ଥଳରେ ସମସ୍ତେ ନିରବରେ ମତେ ଚାହିଁରହିଲେ । ଏତେ ନିରବତା ଯେ ସଭା ମଧ୍ୟରେ ସୋରିଷ ପଡିଲେ ଶୁଣାଯିବ । ସଭା ପରିଚାଳନା କରୁଥିବା ମ୍ୟାଡାମ୍‍ଙ୍କୁ ପଚାରିଲି –‘କେତେ ସମୟ କହିବି ?’ ସଭା ମଧ୍ୟରୁ ଶୁଣାଗଲା- ‘ଆପଣ ଯେତେ ସମୟ କହିପାରିବେ, କୁହନ୍ତୁ !’ କହିଲି- ‘ନା ନା, ମୁଁ ମାତ୍ର ଦଶ ମିନିଟ୍‍ କହିବି । ତା’ପରେ ଝିଅମାନଙ୍କ ସାଂସ୍କୃତିକ ସଂଧ୍ୟାକୁ ଉପଭୋଗ କରିବି ।

  • ମଣିଷର ଦୁଃଖକୁ ଲିଭାଇ ସୁଖର ସନ୍ଧାନ କିପରି ପାଇବ ! ଯଦି ତୁମ ପାଖରେ ଧନସମ୍ପତି ଭରପୁର ଅଛି, ତା’ହେଲେ ତୁମର ଦୁଃଖ ମାତ୍ର ପାଞ୍ଚ ପର୍ସେଣ୍ଟ୍‍ କମିବ । ଆଉ ଯଦି କିଏ କିମିଆକରି ସାରାବିଶ୍ୱରେ ଅମାପମାପ ଐଶ୍ୱର୍ଯ୍ୟ ଭର୍ତ୍ତି କରିଦେଲା, ତା’ହେଲେ ମଣିଷର ଦୁଃଖ କୋଡିଏ ପର୍ସେଣ୍ଟ୍‍ କମିବ । ବାକି ପଞ୍ଚସ୍ତରୀ ପର୍ସେଣ୍ଟ୍‍ ଦୁଃଖ ରହିଯିବ । ଏ ଦୁଃଖ କେମିତି ଯିବ ? ଯଦି ଜୀବନରେ କେହି ଜଣେ ଭଲ ବନ୍ଧୁ ମିଳିଯିବ, ତା’ହେଲେ ସବୁ ଦୁଃଖ କଟିଯିବ । ଆଜିକାଲି ଭଲ ବନ୍ଧୁ, ଭଲ ପ୍ରେମିକ, ଭଲ ପ୍ରେମିକା, ଭଲ ମଣିଷ ଖୋଜିପାଇବା କାଠିକର ପାଠ । ଏଥିପାଇଁ ସକ୍ରେଟିସ୍‍ ଦିନରେ ଦୀପ ଲଗାଇ ବୁଲୁଥିଲେ । ତାଙ୍କୁ ପଚରାଯିବାରୁ ସେ କହିଲେ – ‘ଭଲ ମଣିଷ ଖୋଜୁଛି ।’ ତେଣୁ ଜୀବନରେ ଭଲ ମଣିଷଟିଏ ପାଇଗଲେ, ସବୁ ଦୁଃଖ ଉଭେଇ ଯିବ । ଜୀବନରେ ଦୁଃଖକୁ କେବେ ବିଜ୍ଞାପନଟିଏ କରି ଦିଅନି ।

ଜଣେ ଝିଅ ଉଠି କହିଲା – ଆଜ୍ଞା ! ପ୍ରେମ ସଂପର୍କରେ ଦି’ପଦ କୁହନ୍ତୁ । ପୁଣି ମୁରୁକି ହସିଲି – କହିଲି – ଶୁଣିବ ! ସମସ୍ତେ ବଡପାଟିରେ କହିଲେ – ହଁ ! ତେବେ ଶୁଣ । ଯେତେ ମନ – ସେତେ ମନ୍ଥନ, ଯେତେ ପ୍ରାଣ – ସେତେ ସ୍ପନ୍ଦନ, ଯେତେ ହୃଦୟ – ସେତେ ହୁତାଶନ । ଏଇସବୁ ଅନୁଭବ ଏକାଠି ହୋଇଥାଏ ଗୋଟିଏ ବକ୍ରରେଖାର ବଳୟିତ ବନ୍ଧନୀରେ । ସେ ବକ୍ରରେଖା – ଜୀବନରେଖା । ସେ ବଳୟ – ଭାବବଳୟ । ସେ ବନ୍ଧନୀ – ପ୍ରେମବନ୍ଧନୀ ।
କିଏ ପ୍ରେମ ନ କରେ ପୃଥିବୀରେ ? କିଏ ପ୍ରେମ କରେ ଦୂରେଦୂରେ, କିଏ ନଈକୂଳେ, କିଏ ମୌନଲଜ୍ଜାରେ, କିଏ ଶୂନ୍ୟଶଯ୍ୟାରେ, କିଏ ଲୁଚିଲୁଚିକା ତ କିଏ ପୁଣି ମିଛିମିଛିକା । ଲୁଚିଲୁଚିକା ପ୍ରେମ ଏ ପୃଥିବୀର ଲାଜକୁଳୀ ଫୁଲ । ମିଛିମିଛିକା ପ୍ରେମ ଏ ଜୀବନର ପ୍ଲାଷ୍ଟିକ୍‍ ପାଖୁଡା ।

ଯେଉଁମାନଙ୍କ ମନପ୍ରାଣହୃଦୟରେ ପ୍ରଥମ ପ୍ରେମର ସ୍ମୃତି ଏବେ ବି ସତେଜ ଓ ସୁବାସିତ ସ୍ତରରେ ରହିଛି, ସେମାନେ ନିଜେ ନିର୍ଣ୍ଣୟ କରିନିଅନ୍ତୁ, ଦିନେ ଅଂଗେ ନିଭାଇଥିବା ଅନୁରାଗର ଅନୁଭୂତିକୁ ଏବେ କେଉଁ ପର୍ଯ୍ୟାୟଭୁକ୍ତ କରିପାରିବେ । ତରୁଣ ବୟସର ତୃଷ୍ଣା ଦେହ ଓ ସ୍ନେହର ଦ୍ୱନ୍ଦ୍ୱ ମଧ୍ୟରେ ଦୋଳାୟମାନ ହେବାଟା ସ୍ୱାଭାବିକ । କ୍ୱଚିତ୍‍ ସେ ତୃଷ୍ଣାକୁ ଅତିକ୍ରମକରି କେହି କେହି ଉତ୍ତୀର୍ଣ୍ଣତାର ଉପକଣ୍ଠରେ ଉନ୍ନୀତ ହୋଇଥାନ୍ତି ।

  • ପ୍ରେମରେ ଯୌବନ ଭୁଲିଯାଏ ପଥ, ଜୀବନ ପାସୋରିଯାଏ ଶପଥ । ପ୍ରଥମ ପ୍ରେମ ନୁହେଁ ପୌଷର ପତ୍ରଝଡା, ମାଘର ମେଘମେଲାଣି, ଫଗୁଣର ଫତୁଆ, ଚୈତ୍ରର ଚୋରାଚାହାଣି, ବୈଶାଖର ବିଳାପ, ଜ୍ୟୈଷ୍ଠର ଜ୍ୱାଳା, ଆଷାଢର ଅନୁତାପ, ଶ୍ରାବଣର ଶାନ୍ତିଭଙ୍ଗ, ଭୋଦୁଅର ଭସାମେଘ, ଅଶିଣର ଆଶା, କାର୍ତ୍ତିକର କୋହ କି ମଗୁଶିରର ମାଗୁଣି… ପ୍ରଥମ ପ୍ରେମ – ଶେଷଦିନଯାଏଁ ସେି ସୁନେଲି ସ୍ମୃତିର ସତୀଦାହ ! ଯିଏ ଭୁଲିଯାଇଚି – ସିଏ ଭଲ୍‍ଗା, ଯିଏ ଭଲପାଇଚି – ସିଏ ଗଙ୍ଗା । ଜୀବନରେ ପ୍ରେମ କେତେବେଳେ ନାୟକର ନିଭୃତ ସ୍ମୃତିରେ ରାତ୍ରିର ରଜନୀଗନ୍ଧା ତ ଆଉକେତେବେଳେ ଗାୟକର ଗୁଣୁଗୁଣୁ ଗୀତିରେ ବୟସର କୃଷ୍ଣଚୂଡା … ପ୍ରଥମ ପ୍ରେମ କିନ୍ତୁ ସବୁଦିନେ ଯେମିତି ସଜଡା ସ୍ୱପ୍ନର ସଜପାଖୁଡା !

ଟିକେ ବିରତିଦେଇ କହିଲି – ଆଉ ଶୁଣିବ – ନା… ନା… ନା… ଆଜି ଏତିକି ଥାଉ । ତୁମମାନଙ୍କର ବୟସ ହୋଇଗଲେ ଆଜିର କଥା ସବୁ ମନେପଡିଯିବ । ଏଇ ସମୟରେ କଲେଜ ପ୍ରିନ୍‍ସିପାଲ୍‍ ଅନୁରୋଧ କଲେ–‘ଆପଣଙ୍କ ନୂଆନୂଆ ବିକଳ୍ପ ତତ୍ତ୍ୱ ଓ ସାହିତ୍ୟ ସମ୍ପର୍କରେ କିଛି କୁହନ୍ତୁ ।” ଅନୁରୋଧର ଉତ୍ତରରେ କହିଲି – ‘ହଉ ! ଆଜି ତତ୍ତ୍ୱ ଆଲୋଚନା ବେଶି କରିବିନାହିଁ । ସାରା ବିଶ୍ୱବାସୀଙ୍କୁ ଯେଉଁ ତିନୋଟି ତତ୍ତ୍ୱ ଦେଇଛି – ‘ଜମି ବିକନା, ଭଡା ଦିଅ’, ‘ଅର୍ଥନୈତିକ ଆତଙ୍କବାଦ’, ‘ଯୁଦ୍ଧକ୍ଷେତ୍ରକୁ ଶସ୍ୟକ୍ଷେତ୍ରରେ ପରିଣତ କର’, ସେସବୁ ବିକଳ୍ପ ଏବେ ସାରାବିଶ୍ୱରେ ଚର୍ଚ୍ଚାର ଚୌହଦୀକୁ ଆସିଛି । ଝିଅମାନେ, ଆଉ କିଛିବର୍ଷ ଭଲଭାବେ ପଢାପଢିକରି ଏସବୁ ତତ୍ତ୍ୱର ଗୁରୁତ୍ୱ ଅନୁଭବ କରିବ ।

ଏବେ ସାହିତ୍ୟ କଥା କହୁଛି । ସମୟ ଥିଲେ ସାହିତ୍ୟ ହୁଏନା; ଲୟ ଥିଲେ ଲେଖା ହୁଏ । ଯେତେ ଜୀବନ, ସେତେ ଗଳ୍ପ, ଉପନ୍ୟାସ । ପ୍ରତ୍ୟେକ ମଣିଷ ଜୀବନରେ ଗୁଣୁଗୁଣୁ ହୋଇ ଗୀତ ନିଶ୍ଚୟ ଗାଉଥିବେ । ଝିଅମାନେ, ତୁମେମାନେ ମଧ୍ୟ ଲେଖାଲେଖି କରିପାରିବ । ବହିପଢା କଥା ନକହି ନିଜ ଜୀବନର କଥା କହିବାକୁ ସାହାସ କର । ପିଲାବେଳୁ ଯାହାସବୁ ଘଟିଯାଇଛି ଏବଂ ଆଗକୁ ଘଟିବାକୁ ଯାଉଛି, ସେସବୁ ଲେଖିବସିଲେ ଗଳ୍ପ, ଉପନ୍ୟାସ ହୋଇଯିବ । ଅସାଧାରଣ ସାହିତ୍ୟକାର ହୋଇ କେହି ଜନ୍ମ ହୋଇନଥାନ୍ତି । ଏହି ସାଧାରଣଙ୍କ ଭିତରୁ ଅସାଧାରଣ ସୃଷ୍ଟି ହୁଅନ୍ତି, ଯେଉଁମାନେ ଦେଶ ଦୁନିଆରେ ନାଁ ରଖିଯାଆନ୍ତି । ତୁମେମାନେ ମଧ୍ୟ ପାରିବ !

ବିଶ୍ୱକବି ରବୀନ୍ଦ୍ରନାଥ, ଉପନ୍ୟାସ ସମ୍ରାଟ ଶରତଚନ୍ଦ୍ରଙ୍କ କଥା କହୁଛି । ବର୍ଷାର ଦୃଶ୍ୟ ଉଭୟେ ବର୍ଣ୍ଣନା କରିଛନ୍ତି । ଜଣେ ଘର ଭିତର ଝରକାରେ ବର୍ଷାର ଦୃଶ୍ୟ ଦେଖୁଛନ୍ତି; ଆଉଜଣେ ବର୍ଷାରେ ଭିଜିଭିଜି ବର୍ଷାର ଦୃଶ୍ୟ ବର୍ଣ୍ଣନା କରୁଛନ୍ତି । ଲେଖାପାଇଁ ଚରିତ୍ର ତଥା ନାୟକନାୟିକାମାନଙ୍କୁ ଖୋଜିବାକୁ ହୁଏନା । ଆମ ଚାରିପାଖରେ ଅଜସ୍ର ନାୟକନାୟିକା ଘୁରିବୁଲୁଛନ୍ତି । ଆମେ ତାଙ୍କୁ ଚିହ୍ନିପାରୁନା । ଏଇ ଯେମିତି ମୋର ଗଳ୍ପ, ଉପନ୍ୟାସର ଚରିତ୍ରମାନଙ୍କ ସହ ବସି ଚା’ ପିଇଥାଏ ମୁଁ । ମୋ ଉପନ୍ୟାସ, ଗଳ୍ପର ଚରିତ୍ରମାନେ ମାମୁଲି ମଣିଷ – ମାଟି ମା’ର ପୁଅ ଝିଅ । ସେଇମାନଙ୍କୁ ନେଇ ସାହିତ୍ୟ ରଚନା କରିହୁଏ । ଇଚ୍ଛାଥିଲେ ଉପାୟ ଆପେ ଆପେ ଆସେ । ଶରତଚନ୍ଦ୍ର କହୁଥିଲେ- ‘ବୋତଲେ ରକ୍ତରେ ସ୍ୱାକ୍ଷର କରିହେବ କିମ୍ବା ଦି’ଧାଡି ଲେଖିହେବ, କିନ୍ତୁ ବୋତଲେ କାଳି, କଲମ, କାଗଜ ଦେଲେ କେହି କ’ଣ ଲେଖିଦେଇପାରେ !’ ତେଣୁ ଲେଖିବାପାଇଁ ବାସ୍ତବ ଅଭିଜ୍ଞତା, ସମାଜ, ମଣିଷ ପ୍ରତି ଭଲପାଇବା ମୂଳକଥା । ଝିଅମାନେ, ଭଲ ବନ୍ଧୁ ଖୋଜ, ଲେଖାଲେଖି କର । ଭଲଭାବେ ପଢାପଢି କର । ତୁମେମାନେ ମଧ୍ୟ ଭବିଷ୍ୟତରେ ବଡ ମଣିଷ, ଭଲ ମଣିଷ ହୋଇ ପରିବାର, ଗାଁ, ଦେଶର ନାଁ ରଖିବ ।

ଭିଏତ୍‍ନାମ୍‍, ଅଫାଗାନିସ୍ଥାନ, ବଙ୍ଗଳାଦେଶର ଝିଅମାନଙ୍କ ବୀରତ୍ୱ କାହାଣୀ ବଖାଣିଲି । ଠିକ୍‍ ଅଧଘଣ୍ଟାଏ ହେଲାବେଳକୁ ଏଇଠି ବନ୍ଦ କରୁଛିବୋଲି କହିବାରୁ ଶ୍ରୋତାମାନେ ଆହୁରି କୁହନ୍ତୁ ବୋଲି କହିଉଠିଲେ । ହସିହସି କହିଲି – ହଉ! ହଉ! ଆଉ କେବେ କହିବି । ଶେଷରେ କହିଲି – ‘ଏଇ ବୟସରେ ବି ମୁଁ ସେଇ ୨୭ବର୍ଷର ସ୍ପୁଲିଙ୍ଗର ଉତ୍ତାପ ଅନୁଭବ କରୁଛି । ପାଉଁଶ ତଳର ନିଆଁପରି ସ୍ମୃତିସବୁ । ଅତୀତକୁ ମୁଁ ଅଙ୍ଗାରଗଦା ତଳେ ଛାଡିଆସିନି – ଅନ୍ତତଃ ଏତିକି ମୋ ପାଇଁ ଆମ ସମୟର ଆହ୍ୱାନ । ଶେଷରେ ଗୋଟିଏ କଥା ମନେରଖ – ସମୟ ଏବଂ ଜୁଆର କାହାକୁ ଅପେକ୍ଷା କରେନା । ତୁମେମାନେ ସମୟ ଓ ଜୁଆର ସହିତ ତାଳଦେଇ ଚାଲ । କଷ୍ଟ କିମ୍ବା ମୃତ୍ୟୁକୁ ଭୟ କରନା । ତୁମେ ସବୁ ହେବ ଜଗତଜିତା ।’ ବିଦାୟ ନେଲାବେଳକୁ ବହୁ ଝିଅଆସି ପାଦଛୁଇଁ ଆଶୀର୍ବାଦ ଭିକ୍ଷା କଲେ । କହିଲେ – ‘ଆପଣଙ୍କ କଥା ଆଜିଠୁ ମନେରଖି ମାନିବୁ । ଫୁଲ ନହୋଇ ଝୁଲ ହେବୁ ।’

  • ଯାଜପୁର ରୋଡ, ଯାଜପୁର
    ମୋ : 9861034163

Leave A Reply

Your email address will not be published.