ଗୁହାରି’ କାର୍ଯ୍ୟକ୍ରମର ଉଦ୍ଯାପନୀ ସଂଧ୍ୟାରେ ଶ୍ରୀ ଜଗନ୍ନାଥଙ୍କୁ ଭକ୍ତିପୁତ ସଙ୍ଗୀତର ନୈବେଦ୍ୟ
ଭୁବନେଶ୍ୱର,//TATKAL ODISHA//
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥଙ୍କ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି’ର ଆଜି ଥିଲା ଉଦ୍ଯାପନୀ ସଂଧ୍ୟା ।
ରଥଯାତ୍ରା ସମୟରେ ଭକ୍ତ ଗୁହାରି କରି ଡ଼ାକୁଛି ହେ ପ୍ରଭୁ ମତେ ରକ୍ଷା କର । ଏଠି ରଥ, ପଥ ସର୍ବେ ଏକାକାର । ଦେବତା କହିଲେ ଜଗନ୍ନାଥ । ଧର୍ମ କହିଲେ ଜଗନ୍ନାଥ ଧର୍ମ । ମାନବିକ ମୂଲ୍ୟବୋଧରେ ତାଙ୍କୁ ଅନୁଭବ କରିହୁଏ । ନବଦିନ ଯାତ୍ରା ପରେ ଏହି ମାର୍ଗ ଦେଇ ପୁନଃ ପ୍ରତ୍ୟାବର୍ତ୍ତନ ।
ଶ୍ରୀ ମନ୍ଦିରରୁ ତିନି ଗୋଟି ରଥ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଓ ଶ୍ରୀ ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ଯାତ୍ରା ଅତୀବ ରହସ୍ୟମୟ । ଅଗଣିତ ବିଶ୍ୱବାସୀଙ୍କ ଆଶା ଓ ଆକାଂକ୍ଷା ଏବଂ ଉଦ୍ଦୀପନାର ଏ ଯାତ୍ରା, କିଏ କହେ ଘୋଷ ଯାତ୍ରା, କିଏବା କହେ ନବଦିନାତ୍ମକ ଯାତ୍ରା । କେହିବା କହନ୍ତି ଜନ୍ମ ବେଦୀକୁ ଚତୁର୍ଦ୍ଧାମୂତ୍ତିଙ୍କର ଯାତ୍ରା ।
ଉଦ୍ଯାପନୀ ସଂଧ୍ୟାର ପ୍ରଥମ କଣ୍ଠଶିଳ୍ପୀ ଥିଲେ ତୃପ୍ତି ଦାସ, ସେ ପରିବେଷଣ କରିଥିଲେ ମଧୁରାଷ୍ଟକମ୍ ଓ ଓଲଟ ବୃକ୍ଷେ ଖେଳୁଛି ରାଧା ମାଧବ । ପରେ ପରେ ପ୍ରଶାନ୍ତ ପାଢୀଙ୍କ ଦ୍ୱାରା ଦୀନବନ୍ଧୁ ମୋ ଦୁଃଖ ନଗଲା ଯେ.. ଓ ମନରେ ହରି ଭଜନ… ପରିବେସିତ ହୋଇଥିଲା । ପରବର୍ତ୍ତୀ ଗାୟକ ଥିଲେ ବିରଜା ରଥ, ସେ ପରିବେଷଣ କରିଥିଲେ ଶ୍ରୀକ୍ଷେତ୍ରରେ ରହି ତୁମେ.. ଓ ଜଗା କାଳିଆରେ.. ।
ପରବର୍ତ୍ତୀ କଣ୍ଠଶିଳ୍ପୀ ଥିଲେ ଗୌରୀ ଶଙ୍କର ଆଚାର୍ଯ୍ୟ୍, ସେ ପତିତପାବନ ବିନା ଆଉ କେତେ ବେଳକୁ ଓ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ.. ଗାୟନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ପରେ ପରେ ବୈଷ୍ଣବୀ ଘୋଷ ଗାୟନ କରିଥିଲେ ଭୂଜ ତଳେ ମୋତେ ରଖ ମହାବାହୁ ଓ ଧୀରେ ଧୀରେ ଚଢ ବାଇଶି ପାହାଚ । ତାଙ୍କ ପରେ ଚନ୍ଦନ ଗନ୍ତାୟତ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନି ଶୁଣି ଓ ଜଗମନ୍ଧୁ ଦୟାଳୁ ଆଉ ମନ କାହିଁ ପାଇଁ ଭାବୁରେ ଗାୟନ କରିଥିଲେ । ପରେ ପରେ ଅଞ୍ଜଳୀ ମିଶ୍ର ଆହେ ନୀଳଗିରି.. ଓ ଶୋଭା ବଡ଼ ସଂହାର ବେଶ.., ଜଗନ୍ନାଥ ତ୍ରୀପାଠୀ ତୋ ଲାଗି ଧରି ଝୁଲା.. ଓ ଆଖିରେ ସାଇତି ରଖିବାକୁ ତତେ.., ପଦ୍ମଶ୍ରୀ ଖଟେଇ ଘନ କାଳିଆ ବ୍ରଜଧୁଳିଆ ବନମାଳିଆ ଓ କଳା କୋଇଲିର କୁହୁ ମିଠା ମିଠା ଏବଂ ଶେଷରେ କାର୍ତ୍ତିକ ଚନ୍ଦ୍ର ସାହୁ ଡ଼ାକେ ଦୁଃଖ ଯୋଡ଼ି ହାତ.. ଓ ଶ୍ରୀ ଜଗନ୍ନାଥ ଷୋଳକଳା ଇତ୍ୟାଦି ଶ୍ରୀ ଜଗନ୍ନାଥଙ୍କ ଉପରେ ସଙ୍ଗୀତ ପରିବେଷଣ କରି ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ ।
ସେମାନଙ୍କୁ ତବଲାରେ ଶରତ ପାଣି, ମର୍ଦ୍ଦଳରେ ମୂରଲୀଧର ସ୍ୱାଇଁ, ବଂଶୀରେ ଅଭିରାମ ନନ୍ଦ, ଅକ୍ଟୋପ୍ୟାଡ଼ରେ ଆଲୋକ ପୃଷ୍ଟି, କିବୋର୍ଡ଼ରେ ବିଭୁପ୍ରସାଦ ତ୍ରିପାଠୀ ଏବଂ ହାମୋନିୟମ୍ରେ ବସନ୍ତ କୁମାର ମିଶ୍ର ସହଯୋଗ କରିଥିଲେ ।
ଉଦ୍ଯାପନୀ ଉତ୍ସବଟିକୁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦିଲୀପ ରାଉତରାଏ; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାସ; ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ବିଭାଗୀୟ ମୁଖ୍ୟ (ସଙ୍ଗୀତ) ଗୁରୁ କେଶବ ଚନ୍ଦ୍ର ରାଉତ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମର୍ଦ୍ଦଳ ପ୍ରଶିକ୍ଷକ ଗୁରୁ ସଚ୍ଚିଦାନନ୍ଦ ଦାସ; ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଡ଼ଃ. ମୃତ୍ୟୁଞ୍ଜୟ ରଥ ।