କାଳିଆର ଡୋରି
//TATKAL ODISHA//
★★★★★★★★★★★★★★★★★★
ଅରବିନ୍ଦ ଦାସ
★★★★★★★★★★★
“କାଳିଆର ଡୋରି ନଲାଗିଲେ କଣ ତା ଦର୍ଶନ କରିହୁଏ ନା ପୁରୀ ରଥଯାତ୍ରାରେ ତା ରଥ ଟାଣିହୁଏ ?”
ପିଲାବେଳୁ ବୋଉର ଏଇ କଥାପଦକ ଅନେକ ଥର ଶୁଣିଛି ପୁରୁଷୋତ୍ତମ।
ନିଜ ନାଁ ପୁରୁଷୋତ୍ତମ ଉଚ୍ଚାରଣ କରିବାକୁ ଛୋଟବେଳେ ଟିକେ କଷ୍ଟ ହେଉଥିଲା ଓ ସାଙ୍ଗମାନେ ପୁରୁଷ, ପୁରୁଷ ବୋଲି ଚିଡାଉଥିଲେ ବୋଲି ଅଭିମାନରେ ତାଙ୍କ ନାଁ ବଦଳାଇବା ପାଇଁ ଯେବେ ବି ବୋଉକୁ ଅଭିଯୋଗ ସେ କରୁଥିଲେ,ତାଙ୍କୁ ଗେଲ କରି ଓ ବେଳେବେଳେ ଟିକେ ଆକଟ କଲାଭଳି ସ୍ୱରରେ ବୋଉ କୁହେ,
-ଛିଃ ସେମିତିକା ଅମଙ୍ଗଳିଆ କଥା ଆଉ ମୁହଁରେ ଧରିବୁନି।ପୁରୁଷୋତ୍ତମ ପରା କାଳିଆ ଠାକୁରଙ୍କ ନାଁ।ତୋତେ ଡାକିଲା ବେଳେ ମୋର ଠାକୁରଙ୍କୁ ଡାକିବା କାମଟା ବି ହୋଇଯାଏ।ତୁ ପାଠ ପଢି ବଡ଼ ଅଫିସର ହୋଇଯା, ମୋତେ ପୁରୁସ୍ତମ ନେଇ ରଥରେ ତିନି ଠାକୁରଙ୍କୁ ଦର୍ଶନ କରାଇବୁ ଓ ଜୀବନରେ ଥରେ ହେଲେ ପୁରୀରେ ଗୁଣ୍ଡିଚା ଦିନ ନନ୍ଦିଘୋଷ ରଥ ଟାଣିବାକୁ ନେଇଯିବୁ।”
ଅଗଣାରେ ଠିଆ ହୋଇ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ବୋଉ ମୁଣ୍ଡିଆ ମାରିଲାବେଳେ ପଛପଟୁ ମୁରୁକି ହସି ବାପା କୁହନ୍ତି,
-ପୁରୀ ମନ୍ଦିରର ଓଲଟା ଦିଗକୁ ତୁମେ ମୁଣ୍ଡିଆ ମାରୁଛ,ତେଣୁ ପୁରୀ ନେବାକୁ ଠାକୁର କେମିତି ତୁମ ଗୁହାରୀ ଶୁଣିବେ ?”
ପୁରୁଷୋତ୍ତମ ଦେଖେ,ବୋଉ ରାଗିଯାଇ କୁହେ,
–ଯେଉଁଠି ଥାଅ ପଛେ,ଅନ୍ତର ର ସହ ଭକ୍ତି ଓ ବିଶ୍ବାସରେ ଡାକିଲେ,ଠାକୁର ଡାକ ଶୁଣନ୍ତି।ତୁମକୁ ତ କହି କହି ଶୁଣିଲନି, ମୋ ଉତ୍ତମ ମୋତେ ପୁରୀ ନେଇ ରଥ ଟଣାଇବ।”
ପୁରୀ ଯାଇ ଠାକୁରଙ୍କୁ ଯଦିଓ ଅନେକ ଥର ସପରିବାରେ ଦର୍ଶନ କରିଛନ୍ତି ଉର୍ମିଳା,ହେଲେ ଶ୍ରୀଗୁଣ୍ଡିଚା ଦିନ ପୁରୀ ଯାଇ ରଥ ଟାଣି ପାରି ନାହାନ୍ତି ବୋଲି ମନରେ ଗୋଟେ ବଡ଼ ଅବଶୋଷ ରହିଯାଇଛି ଆଜିଯାଏଁ।
ବାପା ସବୁଥର ଚିଡିକି କୁହନ୍ତି,
-ସେ ଭିଡ଼ ମିଡରେ ପଶି ରଥ ଟାଣିବା ନିହାତି ଜରୁରୀ ନୁହେଁ।ଭିଡରେ ଦଳା ଚକଟା ରେ ଯଦି କିଛି ଅଘଟଣ ଘଟେ ?ବାପାଙ୍କ କଥା….”
କଥା ଅଧାରେ ବାପା ଚୁପ ହୋଇ ଯାଆନ୍ତି।
ବୋଉ ବି ନରମିଯାଏ।କାରଣ ଅନେକ ବର୍ଷ ତଳେ ଜେଜେ ପୁରୀ ଯାଇ ରଥ ଭିଡ଼ିଲାବେଳେ ଠେଲା ପେଲା ଯୋଗୁଁ ତଳେ ପଡିଯାଇ ଗୁରୁତର ଆହତ ହୋଇଥିଲେ।ଦୁଇ ଗୋଡ଼ କାଳେ ତାଙ୍କର ଭାଙ୍ଗିଯାଇଥିଲା ଓ ଅବଶିଷ୍ଟ ଜୀବନ ଛୋଟେଇ ଛୋଟେଇ ଚାଲୁଥିଲେ।ଜେଜେ,ଜେଜେମାଙ୍କର ସ୍ୱର୍ଗବାସ ହେଲାଣି,ତଥାପି ରଥରେ ବାପା ପୁରୀ ଯିବାକୁ ରାଜି ହୁଅନ୍ତିନି।
ଗାଁ ପାଖରେ ହେଉଥିବା ରଥଯାତ୍ରାକୁ ପ୍ରତିବର୍ଷ ଉର୍ମିଳା ଯାଆନ୍ତି ଓ ମନେମନେ ଠାକୁରଙ୍କୁ ସେଇ ପୁରୁଣା ଗୁହାରୀ ଜଣାନ୍ତି।
ପୁରୁଷୋତ୍ତମ ପାଠପଢ଼ାସାରି ଚାକିରୀ କଲାପରେ ଓଡିଶା ବାହାରେ ହିଁ ତାଙ୍କ ପୋଷ୍ଟିଂଗ ହୋଇଥିଲା।
ବାହାଘର ପରେ ଏବର୍ଷ ଓଡ଼ିଶାରେ ଆସି ଜଏନ କରିଛନ୍ତି।ସସ୍ତ୍ରୀକ ଗୋଟେ ପସନ୍ଦ ଆସିଥିବା ନୂଆ ଭଡାଘରେ ରହିବାର ଦୁଇଦିନ ପରେ, ହଠାତ ଉର୍ମିଳା ଗାଁରୁ ଏକୁଟିଆ ଆସି ନୂଆ ଘରେ, ପୁଅ ବୋହୁଙ୍କ ପାଖରେ ପହଁଚି ଯିବାରୁ ପୁରୁଷୋତ୍ତମ ଓ ନିହାରିକା ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ।
-ବୋଉ,ତୁ ଏମିତି ହଠାତ ?ବାପା କାହାନ୍ତି ?ମୋତେ କହିଥିଲେ,ମୁଁ ଗାଁକୁ ଯାଇ ତୋତେ ନେଇ ଆସିଥାନ୍ତି।”
ପୁଅ ବୋହୁଙ୍କ ପାଇଁ ଗାଁରୁ ଆଣିଥିବା ଜିନିଷ ସବୁ
ବ୍ୟାଗରୁ ବାହାର କରୁ କରୁ ଉର୍ମିଳା କହିଲେ,
-ପଦୁ,କାଲି ପା ଗୁଣ୍ଡିଚା,ପୁରୀ ରଥ ଟାଣିବାକୁ ଏଥର ମୋ ମନ।ସବୁଥର ଭଳି ତୋ ବାପାଙ୍କର ନା,ନା।ତେଣୁ ଗାଁରେ ରହିଲେ।ଆଗରୁ ସିନା ତୁ ଓଡିଶା ବାହାରେ ରହୁଥିଲୁ।ଏଥର କରୋନା ଫରୋନା ବି ନାହିଁ।ମୋ ଧନ, ମୋତେ ଟିକେ ପୁରସ୍ତମ ନେଇଯିବୁ।କାଳିଆ କୁ ଦେଖିବି ଓ ତା ରଥ ଟାଣିବି।କଥାରେ ପରା ଅଛି, ରଥେ ତୁ ବାମନଂ ଦୃଷ୍ଟ୍ଵା ପୁନର୍ଜନ୍ମ ନ ବିଦ୍ୟତେ।ଏ ଜନ୍ମରୁ ମୁକ୍ତି ପାଇଁ ଥରେ ସେ ଯୋଗ ହିଁ ଯଥେଷ୍ଟ।”
ବୋଉକୁ କୁଣ୍ଢାଇ ପୁରୁଷୋତ୍ତମ କହିଲେ,
-ମୁକ୍ତି ଫୁକ୍ତି କିଛି ଦରକାର ନାହିଁ।ସେ ଭିଡିକୁ କିଏ ଯିବ।ତୁ ଟିଭିରେ ରଥଯାତ୍ରା ଦେଖିବୁ।ଗୁଣ୍ଡିଚା ଦିନ ପୁରୀ ଯିବାକଥା ମୁହଁରେ ଧରନା।ଗାଡି ମଟର ସବୁ ଏବେ ବହୁତ ଦୂରରେ ପାର୍କିଂଗ କରିବାକୁ ପଡୁଛି।ତୋ ଆଣ୍ଠୁ ଗଣ୍ଠି ଦରଜ ଯୋଗୁଁ ଗୁଡାଏ ବାଟ ତୁ ଭିଡରେ ଚାଲିପାରିବୁନି।”
ଦୀର୍ଘନିଶ୍ବାସ ଛାଡି ଉର୍ମିଳା କହିଲେ,
-ତୋର ଚିହ୍ନା ପରିଚୟ କେହି ନାହାନ୍ତି ?ବୁଢାବୁଢ଼ୀଙ୍କ ପାଇଁ ପାସ ତ ମିଳୁଥିବ।”
-ଦୁଇଦିନ ହେଲା ମୁଁ ଏଠିକି ଆସିଛି।ଚିହ୍ନା ପରିଚୟ ମୋର ଏଠି କିଏ ଅଛି ?ଶ୍ରୀଗୁଣ୍ଡିଚା ନୁହେଁ ବରଂ ବାହୁଡା ପୂର୍ବରୁ ତୋତେ ଦିନେ ସୁବିଧା ଦେଖି ପୁରୀ ନେଇ ଗୁଣ୍ଡିଚା ମନ୍ଦିରରେ ଦର୍ଶନ କରାଇ ଆଡ଼ପ ଅଭଡ଼ା ଖୁଆଇବି।”
ଉର୍ମିଳାଙ୍କ ପାଟିରୁ ବାହାରି ପଡ଼ିଲା,
-ପରେ ଯାଇ କି ଲାଭ ?ଠାକୁରଙ୍କ ଡୋରୀ ନଲାଗିଲା ଯାଏଁ କିଏ କଣ ପୁରୀ ଯାଇ ରଥଯାତ୍ରା ଦେଖିପାରେ ନା ଶ୍ରୀଗୁଣ୍ଡିଚାରେ କାଳିଆର ନନ୍ଦିଘୋଷ କୁ ଟାଣିପାରେ ?”
ମୁହଁ ଶୁଖାଇ ବୋହୁ ନିହାରିକା ଉଦ୍ଦେଶ୍ୟରେ ଉର୍ମିଳା ଏଥର କହିଲେ,
-ମା ରେ,ଠାକୁର ଘର କେଉଁଠି ?ମୁଁ ଯାଏଁ ଗାଧେଇକି ଠାକୁର ପୂଜା କରିଦିଏ।ଆଜି ନବ ଯୌବନ ଦର୍ଶନ।ତୁଳସୀ ଚଉରା କେଉଁଠି ଅଛି ?ଗାଧେଇକି ତୁଳସୀ ପାଇବି।”
ମୁଣ୍ଡ ତଳକୁ କରି ନିହାରିକା କହିଲା,
-କିଛି ଫୁଲ କୁଣ୍ଡ ସହ ତୁଳସୀ ଚଉରାକୁ ପ୍ୟାକର ବାଲା ଆଣିନି।ସୁବିଧା ଦେଖି ମାର୍କେଟ ଯାଇ ଚଉରା ଓ ତୁଳସୀ ଗଛ ନେଇ ଆସିବି।”
ଉର୍ମିଳା ଗାଧୁଆ ଘରକୁ ପଶିଗଲା ପରେ ପୁରୁଷୋତ୍ତମ ଧୀର ସ୍ୱରରେ ନିହାରିକାକୁ କହିଲେ,
-ବୋଉ କୁ ଘରମାଲିକଙ୍କ ଘରକୁ ଯିବାକୁ ଦେବନି।ପଚାରିଲେ କିଛି ବାହାନା ଦେଖାଇ ଆଡେଇ ଦେବ।ଯା ହେଲେବି ପୁରୁଣା କାଳିଆ ରକ୍ଷଣଶୀଳ ମନୋଭାବଵାଲା ମଣିଷ ଏମାନେ।ଆମକୁ ଟିକେ ହୁସିଆର ହୋଇ ଏବେ ରହିବାକୁ ପଡିବ।”
ଗାଧେଇ ସାରି ଉର୍ମିଳା ସୂର୍ଯ୍ୟଙ୍କୁ ଦେଖି ମୁଣ୍ଡିଆ ମାରିବା ପାଇଁ ତଳ ମହଲାରେ ଥିବା ବଗିଚାକୁ ଚାଲିଗଲେ।
ସେଠାରେ ଘର ପାଚେରୀ କଡ଼ରେ ଥିବା କନିଅର, ମନ୍ଦାର ତଥା ବଗିଚା ଭିତରେ ଫୁଟିଥିବା ତରାଟ,ସୁଗନ୍ଧରାଜ,ଅପରାଜିତା ଇତ୍ୟାଦି ଫୁଲକୁ ଦେଖି ତାଙ୍କ ମନ ଯେତିକି ଖୁସି ନହେଲା,ତା ଠୁ ଅଧିକ ମନ ଖୁସି ହୋଇଗଲା ଗୋଟେ କଡ଼ରେ ଥିବା ଜାଗାରେ ଥିବା ମେଞ୍ଚାଏ କଳା ତୁଳସୀ ଗଛ ଦେଖି।
ଆଃ,ସତେ ଯେମିତି ଭଗବାନ ତାଙ୍କ ଡାକ ଶୁଣିଲେ।
ଠାକୁର ପୂଜା ପାଇଁ କିଛି ଫୁଲ ତୋଳି,ସେଇ ତୁଳସୀ ଗଛ ବୁଦା ପାଖକୁ ଆସି,ମୁଣ୍ଡରେ ଓଢଣା ଦେଇ,ଶାଢ଼ୀ କାନି କୁ ବେକ ପାଖରେ ଗୁଡାଇ,ଦୁଇଟି ତୁଳସୀ ପତ୍ର ଗଛରୁ ଛିଣ୍ଡାଇ ଠାକୁରଙ୍କ ଉଦ୍ଦେଶ୍ୟରେ ଜୋଡ ହସ୍ତ ହୋଇ, ସୂର୍ଯ୍ୟ ଦେବତାଙ୍କୁ ଚାହିଁ,ତଳେ ମୁଣ୍ଡିଆ ମାରି ତୁଳସୀ ପତ୍ର ପାଟିରେ ପକାଇ ଉଠିଲା ବେଳକୁ ଉର୍ମିଳା ଦେଖିଲେ ତଳ ମହଲାର ପିଣ୍ଡା ବାହାରେ ଠିଆ ହୋଇ ଜଣେ ହୃଷ୍ଟପୃଷ୍ଟ ଯୁବକ ତାଙ୍କୁ ଆମୋଦିତ ଚାହାଣୀ ରେ ଅନାଇଛି।ତଳ ଘର ଲୋକ ମାନେ ଘର ମାଲିକ ବା ତାଙ୍କ ପରିବାରର କିଏ ହୋଇଥିବ।
ଟିକେ ଅପ୍ରସ୍ତୁତ ହୋଇ ଉର୍ମିଳା କହିଲେ,
-ଠାକୁର ପୂଜା ପାଇଁ ଫୁଲ ଦୁଇଟା ନେଉଥିଲି ପୁଅ।ପୁରୁଷୋତ୍ତମ, ଉପର ଘରେ ଯିଏ ନୂଆରେ ଭଡାରେ ଆସି ରହିଛି,ମୁଁ ତା ମା।”
ଉକ୍ତ ଯୁବକ ଜଣଙ୍କ କିଛି ନକହି ପୁଣି ଟିକେ ହସିଦେଲେ।
ଉର୍ମିଳା ପୁଣି କହିଲେ,
-ଘରେ ତୁମର ଠାକୁର ପୂଜା ପାଇଁ ଏଇ ଫୁଲ ତୋଳିକି ନେଉନ କି? ବାସି ଫୁଲ ସବୁ ଝଡ଼ିକି ସବୁ ଗଛ ମୂଳେ ବଗିଚା ସାରା ପଡିଛି।ଆଛା,ପୁଅ ମୁଁ ଗୋଟେ ତୁଳସୀ ଗଛ ନେଇ ପାରିବି କି ?ଚଉରା ରେ ପୋତିବା ପାଇଁ ?”
ଯୁବକ ଜଣଙ୍କ ଧୀର ସ୍ୱରରେ କହିଲେ,
-ତୁଳସୀ ଗଛ ଯେତେଟା ନେବା କଥା ନେଇ ପାରନ୍ତି।
ଆମେ ମୁସଲମାନ ବୋଲି,ଆପଣଙ୍କ ଭଳି ଆମର ଠାକୁର ପୂଜା ହୁଏନା।”
ଟିକେ ଆଶ୍ଚର୍ଯ୍ୟ ହୋଇ ଅନାଇଲେ ଉର୍ମିଳା।ସେ ଯୁବକ ପୁଣି କହିଲେ,
- ଏଇ ଆଖପାଖ ଲୋକେ ବି ଆମ ବାରିରୁ ଫୁଲ ନିଅନ୍ତିନି।ହୁଏତ ସେଣ୍ଟିମେଣ୍ଟ।ଆମ ଘରୁ ଫୁଲ ନେଇ ପୂଜା କଲେ ଆପଣଙ୍କ ଠାକୁର ମାରା ହୋଇଯିବେନି ତ ?”
ମୃଦୁହସି ଉର୍ମିଳା କହିଲେ,
-ଧର୍ମ ଜାତି ଏସବୁ ଆମେ ସୃଷ୍ଟି କରିଛେ ଓ ଲୋକଙ୍କ ଭିତରେ ଭେଦଭାଦ ବି ଆମେ ଉସୁକାଉଛେ।ମଣିଷ ଧର୍ମ ତ ଗୋଟାଏ।ପିଲାବେଳେ ପାଖ ଗାଁରେ ମୋର ଗୋଟିଏ ସାଙ୍ଗ ଥିଲା, ଜରିନା ।ବହୁତ ନିବିଡ ବନ୍ଧୁତା ଥିଲା ଆମର।ସେ ଆମ ଘରେ ଓ ମୁଁ ତାଙ୍କ ଘରେ ଖିଆପିଆ ଉଠାବସା କରୁଥିଲୁ।ଦୁହେଁ ମିଶି ପୀର ବାବାଙ୍କ ପିଠ ରେ ଚଦର ଚଢ଼ାଉ ଥିଲୁ ଓ ଗାଁ ପାଖରେ ହେଉଥିବା ରଥଯାତ୍ରା ଦେଖୁଥିଲୁ।ଜରିନା ବହୁତ ଜଗନ୍ନାଥ ପ୍ରେମୀ ଥିଲା। ତା ବାପା ଅବଦୁଲ ଚାଚା ବହୁତ ସ୍ନେହୀ ଥିଲେ।ପିଲାବେଳ ସାଙ୍ଗସାଥୀ ସବୁ କିଏ କୁଆଡେ ଗଲେଣି।”
ଏକ ଦୀର୍ଘନିଶ୍ବାସ ଛାଡି ଉର୍ମିଳା ପୁଣି କହିଲେ,
-ଫୁଲ,ପତ୍ରରେ କଣ ଧର୍ମ ଜାତି ଭେଦଭାବ ଥାଏ ?ପଶୁ,ପକ୍ଷୀ ବି ଆମଠୁ ଢେର ଭଲ।ଏସବୁ ବାଛ ବିଚାର ନାହିଁ।ଏ ବୁଢ଼ୀ ମା କଣ ତୁମେ ମା ବା ମାଉସୀ ଠୁ ଭିନ୍ନ !ତୁମ ନାଁ କଣ ପୁଅ ?”
ଟିକେ ଲଜ୍ଜିତ ହୋଇ ସେ ଯୁବକ କହିଲେ,
-ମୋତେ କ୍ଷମା କରିବେ ମାଉସୀ।ଦୁନିଆରେ ଆପଣଙ୍କ ଭଳି ଉଚ୍ଚ ବିଚାର ଲୋକ ଅଛନ୍ତି ବୋଲି ହୁଏତ ଶାନ୍ତି ଅଛି।…..ବହୁତ ଖୁସି ଲାଗିଲା ଆପଣଙ୍କୁ ଭେଟି।ମୋ ନାଁ କମଲ, କମଲ ପାଶା।ମୋ ଅମ୍ମି ଙ୍କ ଦେହ ଭଲ ନାହିଁ ବୋଲି ଟିକେ ଦେଖିବାକୁ ଆସିଛି।ମୋର ବି ଜଗନ୍ନାଥଙ୍କ ପ୍ରତି ଦୁର୍ବଳତା ଅଛି।”
ହସିଦେଇ ଉର୍ମିଳା କହିଲେ,
-କମଲ ମାନେ ପଦ୍ମ ଫୁଲ।ପବିତ୍ର ସେ ଫୁଲ।କମଳ ନୟନ,ପଦ୍ମନାଭ ଇତ୍ୟାଦି ଆମ ଠାକୁରଙ୍କ ନାଁ।ଆଜି ପ୍ରଭୁ ଜଗନ୍ନାଥଙ୍କ ବ୍ୟସ୍ତ ହୁଅନା,ଠାକୁର ପୂଜା ସାରି,ଛଡା ତୁଳସୀ ଆଣି ମୁଁ ତୁମ ଅମ୍ମୀଙ୍କ ମୁଣ୍ଡରେ ଛୁଆଇଁ ଦେବି।ତୁମର ଯେମିତି ମକ୍କାମଦିନାର ଜମଜମ ପାଣିକୁ ପବିତ୍ର ବୋଲି ମାନ, ଆମର ସେମିତି ଗଙ୍ଗାଜଳ ଓ ତୁଳସୀ ପତ୍ରକୁ ମାନୁ।”
ଉପର ମହଲାରୁ ନିହାରିକା ସବୁ ଦେଖୁଥିଲା ଆଶ୍ଚର୍ଯ୍ୟ ହୋଇ।ପୁରୁଷୋତ୍ତମ ଓ ନିହାରିକାଙ୍କ ବାରଣ ସତ୍ତ୍ୱେ ଉର୍ମିଳା ନିଜ ଜିଦିରେ ଅଟଳ ରହି,ଜଗନ୍ନାଥଙ୍କ ଫଟରେ ଲଗାଇ କଳା ତୁଳସୀ କିଛି ଧରି ତଳ ମହଲାକୁ ଗଲେ।
ଚିଡିଯାଇ ପୁରୁଷୋତ୍ତମ କହୁଥିଲେ,
-ବୋଉମାନେ ନିଜ ଜିଦିରେ ଏଭଳି କାମ କରି ଆମକୁ ଅସୁବିଧାରେ ପକାଇବେ।ହୁଏତ ଆମକୁ ଘର ଖାଲି କରିବା ପାଇଁ ଘର ମାଲିକ କହି ପାରନ୍ତି।କଣ ଦରକାର ତୁଳସୀ ନେଇ ତାଙ୍କ ଘରକୁ ଯିବା ?”
ନିହାରିକା କହିଲା,
-ତୁମେ ବ୍ୟସ୍ତ ହୁଅନା।ବୋଉ ବୟସ୍କ ମଣିଷ ଓ ଭଗବତ ବିଶ୍ବାସୀ।ତେବେ ଠାକୁର କଣ ସବୁଠି ଭକ୍ତଙ୍କ ରକ୍ଷା କରନ୍ତି ?ଦେଖିବ,ସେଇ ତୁଳସୀ ଧରି ଫେରିକି ଆସିବେ।ସେମାନେ କଣ ତୁଳସୀ ପାଇବେ?”
ଅନେକ ସମୟ ବିତିଗଲା।ଉର୍ମିଳାଙ୍କ ଦେଖା ନଥିଲା।ବ୍ୟସ୍ତ ହୋଇ ପୁରୁଷୋତ୍ତମ ସାଙ୍ଗରେ ନିହାରିକାକୁ ଧରି ତଳ ମହଲାକୁ ଯାଇ କଲିଙ୍ଗ ବେଲ ମାରିଲା।
ଘରେ କାମ କରୁଥିବା ସ୍ତ୍ରୀ ଲୋକଟି କବାଟ ଖୋଲିଲା।ଘର ଭିତରକୁ ପଶି,ବେଡ଼ ରୁମରେ ଶୋଇଥିବା ଘର ମାଲିକଙ୍କ ସ୍ତ୍ରୀ ଙ୍କ ପାଖରେ ବସିଥିବା ଉର୍ମିଳାଙ୍କୁ ହସିହସି ଗପୁ ଥିବାର ଦେଖି ଆବାକାବା ହୋଇଗଲେ ପୁରୁଷୋତ୍ତମ ଓ ନିହାରିକା।
ପୁଅ ବୋହୁଙ୍କୁ ଦେଖି ଉର୍ମିଳା କହିଲେ,
-ହେଇ ଦେଖ,ମୋ ପିଲାଦିନ ସାଙ୍ଗ ଜରିନା ଆଉ ଇୟେ ତାଙ୍କ ସ୍ୱାମୀ ଅସରଫ ଭାଇ।କେତେ ବର୍ଷ ପରେ ଆମ ଦୁହିଁଙ୍କ ଦେଖା।ତାରି ଘରେ ତୁମେ ଭଡାରେ ରହିଛ ବୋଲି ଭେଟ ହେଲା ଆମର।ସବୁ ସେଇ କାଳିଆ ସାଆନ୍ତ ଙ୍କ ବରାଦ। ମୋତେ ଦେଖି ଜରିନା ଦେହ ଅଧା ଭଲ ହୋଇଗଲାଣି।ମୋତେ ଗପସପ ପାଇଁ ଲୋକ ମିଳିଗଲା।”
କମଲ କହିଲେ,
-ସତରେ ମାଉସୀଙ୍କ କଥା ଓ ତାଙ୍କ ହାତ ତୁଳସୀ ପାଇ ଅମ୍ମି କେତେ ସତେଜ ଦିଶିଲାଣି।”
ଧୀର ସ୍ୱରର ଜରିନା କହିଲେ,
-ପୁରୀ ଯାଇ ଶ୍ରୀ ଗୁଣ୍ଡିଚା ରେ ଜଗନ୍ନାଥଙ୍କୁ ଦେଖିବ ବୋଲି ମନ କରିଥିଲା ତୁମ ବୋଉ।ମୁଁ ଠିକ ଥିଲେ ଆମେ ଦୁହେଁ ମିଶି ପୁରୀ ଯାଇଥାନ୍ତୁ।ତେବେ
ମୋ ପୁଅ କମଲ ତାକୁ କାଲି ପୁରୀ ନେଇଯିବ ଓ ସବୁ ବ୍ୟବସ୍ଥା କରିଦେବ ବୋଲି ମୁଁ କଥା ଦେଇଛି ମୋ ସାଙ୍ଗକୁ।”
ଆବାକାବା ହୋଇ ଅନେଇଥିଲେ ପୁରୁଷୋତ୍ତମ ଓ ନିହାରିକା।
ଉର୍ମିଳା ପୁଅବୋହୁଙ୍କ ଆଡ଼କୁ ଅନାଇ କହିଲେ,
-କମଲ ପରା ପୋଲିସ ଡିପାର୍ଟମେଣ୍ଟରେ ଗୋଟେ ବଡ଼ ଅଫିସର।ରଥଯାତ୍ରାରେ ତା ଡ୍ୟୁଟି ପଡିଛି।ଦେଖ ଭଗବାନ କେମିତି ମୋ ଡାକ ଶୁଣିଲେ।କଥାରେ ପରା ଅଛି,ଯେପର୍ଯ୍ୟନ୍ତ କାଳିଆ ର ଡୋରି ନଲାଗିଛି,ସେଯାଏଁ ତମେ ତା ଦର୍ଶନ ବା ତା ରଥ ଭିଡି ପାରିବ ନାହିଁ।”
କିଛି ସମୟ ପରେ ସେମାନଙ୍କୁ ଛାଡିବାକୁ ଘର କବାଟ ପାଖକୁ ଆସି କମଲ,ଉର୍ମିଳାଙ୍କୁ କହିଲେ,
-ଆପଣ ଠିକ କହୁଥିଲେ ମାଉସୀ, ଜଗନ୍ନାଥ ଡୋରି ଲାଗିଲେ ହିଁ ଭକ୍ତ ତାଙ୍କ ଦର୍ଶନ ପାଆନ୍ତି।ପିଲାବେଳେ ଅମ୍ମି ପାଖରୁ ଭକ୍ତ ସାଲବେଗଙ୍କ କଥା ଶୁଣି ଜଗନ୍ନାଥଙ୍କ ପ୍ରତି ଏକ ଦୁର୍ବାର ଆକର୍ଷଣ ସୃଷ୍ଟି ହୋଇଥିଲା।ମନ୍ଦିର ଭିତରକୁ ପ୍ରବେଶ କରି ପାରେନା ବୋଲି ଏଇ ରଥଯାତ୍ରା କୁ ଅନେଇ ଥାଏ।ସେଇଥିପାଇଁ ମୋର ପୋଷ୍ଟିଂଗ ଯେଉଁଠି ହୋଇଥିଲେ ବି ରଥଯାତ୍ରା ସମୟରେ ଉପର ହାକିମଙ୍କୁ ଅନୁରୋଧ କରି ପୁରୀରେ ସ୍ପେଶାଲ ଡ୍ୟୁଟି ପକାଇ ରଥ ଉପରେ ମନଭରି ଦେଖେ ଜଗନ୍ନାଥଙ୍କୁ।”
କମଲଙ୍କୁ କୁଣ୍ଢାଇ ପକାଇ ଏକ ଆବେଗ ଓ ମମତାଭରା ସ୍ୱରରେ ଉର୍ମିଳା କହିଲେ,
-ଭକ୍ତର ଭଗବାନ ସେ।ଜାତି ବା ଧର୍ମ ନୁହେଁ,ବରଂ କାଳିଆ ଉପରେ ବିଶ୍ବାସ ଥିଲେ ସେ ଡୋରି ଲଗାଇଦିଏ।” - (©️ଅରବିନ୍ଦଦାସ)