ରଥରେ ମହାପ୍ରଭୁଙ୍କ ଦର୍ଶନ କରନ୍ତୁ..ମୋକ୍ଷପ୍ରାପ୍ତି ନିଶ୍ଚିତ

0
  • ଶ୍ରୀକାନ୍ତ ଦାଶ
  • ***********
  • //TATKAL ODISHA//
  • //ରଥଯାତ୍ରା//


ଶ୍ରୀମନ୍ଦିରରେ ବର୍ଷ ସାରା ଅନେକ ଯାନିଯାତ୍ରା, ପର୍ବ ପର୍ବାଣି ପାଳିତ ହୁଏ | ମୁଖ୍ୟତଃ ବାରଟି ଯାତ୍ରାର ପ୍ରାଧାନ୍ୟ ସମ୍ପର୍କରେ ଏକ ସୁନ୍ଦର ଶ୍ଳୋକ ରହିଛି :-  
 "ମଞ୍ଚ ସ୍ନାନଂ ରଥ ବରଗତିଃ ଶାୟନେ ଚାୟନେ ତ୍ୱେ, ପାର୍ଶ୍ଵ ବୃତ୍ତି8, ଶୟନ ନିବୃତ୍ତି8 ପାବୃତ୍ତ୍ୟେୟୀ8 ପୁଷ୍ୟ ପୂଜା, ଦୋଳଯାତ୍ରା ଦମନକ ମହୋତାକ୍ଷପୂଜା ତୃତୀୟା,ଚୈକ°ଯାତ୍ରା ଵିଧିନିଗଦିତା ଦ୍ୱାଦଶୈତା ନରେନ୍ଦ୍ର |"  

ଉଲ୍ଲିଖିତ ଶ୍ଳୋକ ବର୍ଣ୍ଣିତ ଦ୍ୱାଦଶ ଯାତ୍ରା ହେଲା ‘ସ୍ନାନଯାତ୍ରା, ରଥଯାତ୍ରା, ଶୟନ, ଦକ୍ଷିଣାୟନ, ପାର୍ଶ୍ଵ ପରିବର୍ତ୍ତନ, ଉତ୍ଥାପନ, ପ୍ରାବରଣ ଷଷ୍ଠୀ, ପୁଷ୍ୟପୂଜା, ଉତ୍ତରାୟଣ, ଦୋଳ, ଦମନକ ଚତୁର୍ଦଶୀ, ଅକ୍ଷୟ ତୃତୀୟା |
କଥାରେ ଅଛି ବାର ମାସରେ ତେର ପର୍ବ |ପ୍ରକୃତରେ କହିବାକୁ ଗଲେ ବାହାର ଯାତ୍ରୀ ସମାଗମ ଓ ଗୁରୁତ୍ୱ ଦୃଷ୍ଟିରୁ ସ୍ନାନଯାତ୍ରା, ରଥଯାତ୍ରା, ଦୋଳ ଯାତ୍ରା ଓ ଅକ୍ଷୟ ତୃତୀୟା ତଥା ଚନ୍ଦନ ଯାତ୍ରାର ପ୍ରାଧାନ୍ୟ ବେଶି |ଓଡିଶା କାହିଁକି ସାରା ବିଶ୍ୱରେ ରଥଯାତ୍ରାର ମହତ୍ତ୍ୱ ରହିଛି |
ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରେ ଆରମ୍ଭ ହୁଏ |

ଏହି ଯାତ୍ରାର ଅବଧି ପ୍ରକୃତରେ ବାର ଦିନ |ଆଷାଢ଼ ଶୁକ୍ଳ ଦ୍ଵିତୀୟାଠାରୁ ଆଷାଢ଼ ଶୁକ୍ଳ ତ୍ରୟୋଦଶୀ (ନୀଳାଦ୍ରିବିଜେ)ପର୍ଯ୍ୟନ୍ତ |ଏହି ଯାତ୍ରାର ଅନ୍ୟାନ୍ୟ ନାମ ହେଲା -ଘୋଷ ଯାତ୍ରା, ଆଡପ ମଣ୍ଡପ , ନବଦିନାତ୍ମକ ଯାତ୍ରା, ଦଶବତାର ଯାତ୍ରା, ମହାଦେବୀ ମହୋତ୍ସବ, ଅନ୍ତର୍ବେଦୀ ମହୋତ୍ସବ, ଉତ୍ତରାଭିମୁଖି ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ପତିତପାବନ ଯାତ୍ରା ଇତ୍ୟାଦି |ଶ୍ରୀଗୁଣ୍ଡିଚା ଓ ବାହୁଡା଼କୁ ଏକ ଉତ୍ସବ ଅର୍ଥାତ ଏକ ରଥୋତ୍ସବ ବିବେଚନା କରାଯାଏ |

ବିଶିଷ୍ଟ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତରେ 1223ଖ୍ରୀଷ୍ଟାବ୍ଦ ପରେ ରଥଯାତ୍ରା ଆରମ୍ଭ ହେଲା |ବ୍ରାହ୍ମଣ୍ୟ ଓ ଶବର ପରମ୍ପରାର ଅପୂର୍ବ ସମନ୍ୱୟରେ ଶ୍ରୀଜଗନ୍ନାଥ ଦାରୁରେ ନିର୍ମିତ ହେଲାପରେ ଏହି ଯାତ୍ରା ଅନୁଷ୍ଠିତ ହେଲା |ଅନଙ୍ଗଭୀମ ଦେବଙ୍କ ପାଟରାଣୀ ଗୁଣ୍ଡିଚୋଳଙ୍କ ଦ୍ରାକ୍ଷାରାମ ଅଭିଲେଖରୁ ଜଣାଯାଏ ଯେ ରଥଯାତ୍ରା ସମ୍ଭବତଃ 1228ଖ୍ରୀଷ୍ଟାବ୍ଦରୁ ଆରମ୍ଭ ହୋଇଛି |

ପ୍ରଥମେ ଛଅଟି ରଥ ହେଉଥିଲା |ତେଵେ 1270ଖ୍ରୀଷ୍ଟାବ୍ଦରେ ମାଧବାଚାର୍ଯ୍ୟ ଶ୍ରୀକ୍ଷେତ୍ର ଆଗମନ କରି ଛଅଟି ରଥ ଶାସ୍ତ୍ର ସମ୍ମତ ନୁହେଁ ବୋଲି ମତ ଦେଇଥିଲେ | ତା ପରେ ଅନଙ୍ଗ ଭୀମ ଦେବଙ୍କ ପୁତ୍ର ପ୍ରଥମ ଭାନୁଦେବ ମାଳିନୀ ନଦୀକୁ ପୋତି ଛଅଟି ରଥ ବଦଳରେ ତିନୋଟି ରଥର ବ୍ୟବସ୍ଥା କଲେ | ଅନ୍ୟ କେତେକ ଗବେଷକ ଓ ଐତିହାସିକ ମତ ଦିଅନ୍ତି ଯେ ପ୍ରଥମ ନରସିଂହଦେବ 1278ଖ୍ରୀଷ୍ଟାବ୍ଦରେ ତିନି ରଥର ପ୍ରଚଳନ କରିଥିଲେ |ତେବେ ଏପର୍ଯ୍ୟନ୍ତ ତିନି ରଥରେ ଦିଅଁମାନେ ବିଜେ ହୋଇ ରଥଯାତ୍ରାରେ ବଡଦାଣ୍ଡକୁ ଆସି ଭକ୍ତଜନଙ୍କୁ ଦର୍ଶନ ଦେଉଛନ୍ତି |
ରଥଯାତ୍ରାରେ ଛଅଟି ପ୍ରଧାନ କାର୍ଯ୍ୟ କରାଯାଇଥାଏ |ସେସବୁ ହେଲା ସ୍ନାନଯାତ୍ରା, ଅନବସର, ଶ୍ରୀଗୁଣ୍ଡିଚା, ଆଡପ ପର୍ବ, ବାହୁଡା଼, ଓ ନୀଳାଦ୍ରିବିଜେ |

ରଥଯାତ୍ରାଦିନ ପ୍ରଭାତରୁ ମଙ୍ଗଳ ଆଳତି, ମଇଲମ(ବେଶ ବାହାର)ତଡପ(ସ୍ୱତନ୍ତ୍ର ବସ୍ତ୍ର)ଲାଗି, ରୋଷହୋମ,ଅବକାଶ(ଦନ୍ତ ମାର୍ଜନ ଓ ସ୍ନାନ), ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଳଭ, ଓ ସକାଳ ଧୂପ(ଖେଚୁଡ଼ି ଭୋଗ)ପରେ ସ୍ନାନବେଦୀ ନିକଟ ଚାହାଣି ମଣ୍ଡପରେ ତିନି ରଥର ପ୍ରତିଷ୍ଠା ହୋମ ହୁଏ | ତାପରେ ରଥ ସଂସ୍କାର କାର୍ଯ୍ୟ ପରେ କୋଠଭୋଗ (ଖେଚୁଡ଼ି ଭୋଗ )ହୁଏ |
ରଥଯାତ୍ରା ସମୟରେ ପ୍ରଭୁଙ୍କର ଶରୀର, ବାହୁ , କଟି ଓ ହସ୍ତପଦର ସୁରକ୍ଷା ପାଇଁ ଦୃଢ ଆବରଣର ଆବଶ୍ୟକ ପଡେ | ତେଣୁ ଜୀଉମାନେ ବକୁଳ କାଠର ବର୍ମ ଲାଗି ହୋଇଥାନ୍ତି |ଏହା ଉତ୍କଳୀୟ ସାମରିକ ପରମ୍ପରା ଯାହା ସେନାପଟା ନାମରେ ବିଦିତ |ସେନାପଟା ପରେ ବହୁ ପ୍ରତିକ୍ଷୀତ ପହଣ୍ଡି ବିଜେ ଆରମ୍ଭ ହୁଏ |ଘଣ୍ଟା, କାହାଳି, ତେଲିଙ୍ଗି ବାଜା, ଆଲଟ, ଚାମର, ହରିବୋଲ, ହୁଳହୁଳି ଧ୍ୱନିରେ ଗଗନ ପବନ ମୁଖରିତ ହୁଏ |

ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନଙ୍କର ପହଣ୍ଡି ଆରମ୍ଭ ହୁଏ |ସୁଦର୍ଶନ ସାତ ପାହାଚ ପାଖରେ ପହଞ୍ଚିଲେ ବଳଭଦ୍ରଙ୍କର ପହଣ୍ଡି ହୁଏ |ସାତ ପାହାଚରେ ଠାକୁର ମାନଙ୍କୁ ଟାହିଆ ଲାଗି ହୁଏ |ବାଉଁଶକାଠି, ସୋଲ, ଜରି, ଫୁଲ, ମୁକୁଟର ସମାହାରରେ ପ୍ରସ୍ତୁତ ଟାହିଆ ଅତ୍ୟନ୍ତ ରମଣୀୟ ଓ ଆକର୍ଷଣୀୟ ହୋଇଥାଏ |ଏହାକୁ ରାଘବ ଦାସ ମଠ ତରଫରୁ ପ୍ରସ୍ତୁତ କରାଯାଇ ସାତ ପାହାଚ ଠାରେ ଜୀଉ ମାନଙ୍କ ଠାରେ ଲାଗି କରାଯାଏ |ଟାହିଆ ହଲିଲେ ପ୍ରଭୁଙ୍କର ଆସିବା ଜଣାପଡେ |

ତାଳଧ୍ଵଜ ରଥରେ ରାମ,କୃଷ୍ଣ ଓ ବଳଭଦ୍ର ରଥାସୀନ ହୁଅନ୍ତି |ଦେବ ଦଳନ ରଥରେ ଜୟଦୁର୍ଗା, ସୁଦର୍ଶନ ଓ ମା’କାମ୍ପିଲ୍ୟବାସିନୀ ସୁଭଦ୍ରା ବିଜେ ହୁଅନ୍ତି | ନନ୍ଦିଘୋଷ ରଥରେ ମଦନମୋହନ, ବାସୁଦେବ ଓ ଶ୍ରୀଜଗନ୍ନାଥ ରଥାରୁଢ ହୁଅନ୍ତି | ତାପରେ ଗଜପତି ମହାରାଜ ଛେରାପହଁରା କରନ୍ତି ଛେରା ପହଁରା ପରେ ସାରଥୀ ମାନଙ୍କୁ ରଥ ଉପରକୁ ନିଆଯାଏ |ରଥର ଚାରମାଳ ଫିଟାଯାଇ ଅଶ୍ୱ ସଂଯୁକ୍ତ କରାଯାଏ |ତାପରେ ହରିବୋଲ, ହୁଳହୁଳି ଧ୍ଵନି, ଘଣ୍ଟ ଘଣ୍ଟା ଶବ୍ଦ ଓ କୀର୍ତ୍ତନର ଅପୂର୍ବ ଉଲ୍ଲାସରେ ରଥଟଣା ଆରମ୍ଭ ହୁଏ |ରଥକୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ଯାଏଁ ଟାଣିନିଅନ୍ତି |

ରଥରେ ମହାପ୍ରଭୁଙ୍କର ଦର୍ଶନ କଲେ ମୋକ୍ଷପ୍ରାପ୍ତି ହୁଏ ବୋଲି ସାଧାରଣରେ ଅତୁଟ ବିଶ୍ୱାସ ରହିଛି | ଏ ସମ୍ବନ୍ଧରେ ଏକ ଶ୍ଳୋକ ରହିଛି :-
ଦୋଳେ ଚ ଦୋଳ ଗୋବିନ୍ଦ° ରଥେ ଚ ମଧୁସୂଦନ°, ରଥେ ଚ ବାମନମ୍ ଦୃଷ୍ଟୱା, ପୁନର୍ଜନ୍ମ ନ ବିଦ୍ୟତେ ||

ଲକ୍ଷ ଲକ୍ଷ ଭକ୍ତ ପ୍ରଭୁପ୍ରେମରେ ମତ୍ତ ହୋଇ ରଥ ଦଉଡି ଧରି ତିନି ରଥକୁ ଗୁଣ୍ଡିଚା ଘର ସମ୍ମୁଖକୁ ଟାଣି ନିଅନ୍ତି |ଭାବ ବିନୋଦିଆ କୋଟି କବଲ୍ୟନାଥ ରାଜାଧିରାଜ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ଭକ୍ତ ଭାବରେ ଭିଜି ଭିଜି ମହାନନ୍ଦରେ ଯାତ୍ରା କରନ୍ତି | ତିନି ରଥ ଘୋର ଘର୍ଘର ନାଦରେ ଆଗେଇ ଚାଲେ |

ରଥଯାତ୍ରା କେବଳ ଏକ ଉତ୍ସବ ନୁହେଁ, ଏହା ଆମ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ |ମହାପ୍ରଭୁ ବଡ଼ ଦେଉଳର ରତ୍ନ ସିଂହାସନ ଛାଡି ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ‘ରଥଯାତ୍ରା’🙏

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ,ଓଡ଼ିଆ ଜାତୀୟ ସମ୍ମିଳନୀ,
    ଦୂରଭାଷ :9238304919

Leave A Reply

Your email address will not be published.