ମାୟାଧର ମିଜାଇଲ-16: “ବିଶ୍ୱକବିଙ୍କ ବିଶେଷକଥା”
//TATKAL ODISHA//
- ବିଶ୍ୱକବିଙ୍କ ବିଶେଷକଥା
- ମାୟାଧର ନାୟକ
ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢୁଥିଲାବେଳେ ବିଶ୍ୱକବି ରବିନ୍ଦ୍ରନାଥ ଠାକୁରଙ୍କ ଅମରଗଳ୍ପ ‘କାବୁଲିୱାଲା’ ଏକାଙ୍କିକାରେ କାବୁଲିୱାଲା ଭୂମିକାରେ ଅଭିନୟ କରୁଥିଲି । ସେହିଦିନଠାରୁ ରବି ଠାକୁରଙ୍କ ସଂପର୍କରେ ଜାଣିବାପାଇଁ ଇଛା ଜାଗ୍ରତ ହୋଇଥିଲା । ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବିଙ୍କ ‘ଗୀତାଞ୍ଜଳି’ ଠାରୁ ଆରମ୍ଭକରି ସମସ୍ତ ପୁସ୍ତକ/ପୁସ୍ତିକା ସଂଗ୍ରହ କରି ପଢିଲି । ତାଙ୍କ ଅଗାଧ ଜ୍ଞାନର ଭଣ୍ଡାରରୁ ଏ ପର୍ଯ୍ୟନ୍ତ କାଣିଚାଏ ମଧ୍ୟ ପାଇନାହିଁ । ପ୍ରତିବର୍ଷ ବୈଶାଖ ମାସ ବିଶ୍ୱକବି ରବିନ୍ଦ୍ରନାଥଙ୍କ ମାସ । ମାସେ ବ୍ୟାପି ଭାରତରେ ବିଶେଷକରି ପଶ୍ଚିମବଙ୍ଗରେ ରବି ଠାକୁରଙ୍କ ୨୫ ବୈଶାଖ, ମେ’୭ରେ ଜନ୍ମଜୟନ୍ତୀ ପାଳନ ହୋଇଥାଏ । ତାଙ୍କର ଅମରଗାଥାକୁ ଶିଳ୍ପୀ, ସଂଗୀତଜ୍ଞ, କଳାକାର, କବି, ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନୈତିକ ନେତାମାନେ ସ୍ମରଣକରି ବିଭିନ୍ନ ଅନୁଷ୍ଠାନରେ ପାଳନ କରାଯାଇଥାଏ ।
ରବି ଟାଗୋର ସବୁଗୁଣରେ ପାରଙ୍ଗମ ଥିଲେ । ଏପରିକି ପ୍ରେମରେ ମଧ୍ୟ । ସେ ଜଣେ ମହାନ୍ ପ୍ରେମିକ । ତାଙ୍କ କବିତାର ଛତ୍ରେଛତ୍ରେ ପ୍ରେମ ଭରପୁର । କେବଳ ପ୍ରେମ ନୁହେଁ – ଶିକ୍ଷା, ଆଦର୍ଶ, ପଥ ପ୍ରଦର୍ଶକ ମଧ୍ୟ । ବିପ୍ଲବୀମାନଙ୍କ ଉଦ୍ଦେଶ୍ୟରେ ସେ ଲେଖିଥିଲେ – ଯଦି କେଉ ସାଥେ ନ ଆସେ – ତବେ ଏକଲା ଚଲୋ – ଏକଲା ଚଲୋରେ । ସେ ନାରୀ ମୁକ୍ତିପାଇଁ ଅନେକ ନାଟକ, ଏକାଙ୍କିକା, ଗଳ୍ପ, ପ୍ରବନ୍ଧ ଲେଖିଛନ୍ତି । ସେ କେବଳ ଜଣେ ସାହିତ୍ୟକାର ନଥିଲେ ସେ ଜଣେ ପଥପ୍ରଦର୍ଶକ ଥିଲେ । ବଙ୍ଗାଳୀମାନେ ମାଛ ଓ ମିଠାପ୍ରିୟ । ବଂଗଳାଭାଷା ସେଥିପାଇଁ ମିଠା । ବିଶେଷକରି ବେଙ୍ଗଲିମାନେ ପ୍ରେମିକ/ପ୍ରେମିକା । ସେମାନଙ୍କ ଗଠନ ଏବଂ ପରିପାଟି ସୁନ୍ଦର । ଯେତେ ଗରୀବ ହେଲେ ବି ସେମାନେ ତାଙ୍କ ସଂସ୍କୃତିକୁ ଜାବୁଡି ଧରିଥାନ୍ତି । ସେଥିପାଇଁ ବଂଗାଳୀମାନେ ବିଶ୍ୱରେ ଯେଉଁଠି ଥାଆନ୍ତୁନା କାହିଁକି ସେମାନେ ରବି ଟାଗୋର, ସୁବାଷବୋଷ, ଶରତ ଚନ୍ଦ୍ରଙ୍କ କଥା ଓ ଗାଥା ନିଶ୍ଚୟ ବଖାଣିବେ ।
୧୯୭୧ ମସିହାରେ ପାକିସ୍ଥାନ – ପୂର୍ବବଂଗ ଯୁଦ୍ଧରେ ରକ୍ତମେଘର ବଂଗଳାଦେଶ ସୃଷ୍ଟି । ଫାଳେ ପୂର୍ବବଂଗ ଗୋଟିଏ ଦେଶଭାବେ ଜନ୍ମନେଲା । ସେତେବେଳେ ଯୁଦ୍ଧ ପରେପରେ ଜଣେ ସାମ୍ବାଦିକ ଭାବେ ନୂତନ ବଂଗଳାଦେଶକୁ ଯାଇ ୨୭ ଦିନ କାଳ ରହଣିଭିତରେ ପୁରା ବଂଗଳାଦେଶକୁ ତନ୍ନତନ୍ନକରି ପଢିଛି-ଦେଖିଛି-ମିଶିଛି ମଧ୍ୟ । ସେଠାରେ ମୁସଲମାନ ଅଧିବାସୀମାନେ ବଂଗଳାଭାଷା କୁହନ୍ତି । ମୋର ଭାବ ଦିଆନିଆରେ କିଛି ଅସୁବିଧା ହୋଇନଥିଲା । ଅବଶ୍ୟ ସେମାନେ ତାଙ୍କ ଜାତୀୟକବି ଭାବେ କାଜି ନଜରୁଲ୍ ଇସ୍ଲାମ୍କୁ ସ୍ମରଣ କରନ୍ତି । କିନ୍ତୁ ପଶ୍ଚିମବଙ୍ଗର ମହାମନୁଷୀମାନଙ୍କୁ ତାଙ୍କରି ଦାୟାଦ ବୋଲି ଗର୍ବ କରନ୍ତି । ସେମାନେ ରବି ଟାଗୋରଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ କବିବୋଲି ଗଣନା କରନ୍ତି । ଆଜିର ବଂଗଳାଦେଶ ସେତେବେଳେ ପୂର୍ବବଂଗ ଥିଲା । ଏପାଖେ ପଶ୍ଚିମବଂଗ । ସବୁମିଶି ବଂଗଳା ରାଜ୍ୟ ।
ନୋବେଲ ପୁରଷ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଧର୍ମ, ଜାତୀ, ବର୍ଣ୍ଣ ମଧ୍ୟରେ ହସ୍ତକ୍ଷେପ କରୁନଥିଲେ । ସେ ମଣିଷଧର୍ମକୁ ଗୁରୁତ୍ୱ ଦେଉଥିଲେ । ଈଶ୍ୱରଙ୍କ ସୃଷ୍ଟିରେ ସବୁ ମଣିଷ ସମାନ । ସେ ଜଣେ ଶ୍ରେଷ୍ଠ ମାନବତାବାଦୀ ଥିଲେ । ତାଙ୍କ ଆଦର୍ଶକୁ କିଂଚିତ୍ ଗ୍ରହଣ କରିଥିଲି । ବଂଗଳାଦେଶ ଢାକାରେ ଯେତେବେଳେ ଜାତିରପିତା ଶେଖ୍ ମୁଜିବୁର ରହେମାନ୍ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଉଥିଲା – ସେଠାରେ ଦେଶବିଦେଶରୁ ଗଣମାଧ୍ୟମ ଉପସ୍ଥିତ ଥିଲେ । ମୁଁ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ । ଶେଷରେ ଜଣେ ବଙ୍ଗଳାଦେଶୀ ସାମ୍ବାଦିକଙ୍କ ସହ ପରିଚୟ ହେଲା । ସେ ପଚାରିଲେ – ଆପଣ କ’ଣ ହିନ୍ଦୁ ? ମୁଁ ନା କହିଲି । ପୁଣି ପଚାରିଲେ – ମୁସଲମାନ ? ନା ! ଖ୍ରୀଷ୍ଟିୟାନ୍ ? ନା ! ବୌଦ୍ଧ ? ନା ! ଜୈନ ? ନା ! ତେବେ ଆପଣ କେଉଁ ଧର୍ମର ? ମୁଁ ମାନବଧର୍ମର । ଓ ବଜ୍ଞ ବ ଷଙ୍କଜ୍ଞବଦ୍ଭ ଭରସଦ୍ଭଶ, ଲସଶଷଗ୍ଧସଦ୍ଭଶ ଲକ୍ଟକ୍ସ ଷଙ୍କଜ୍ଞବଦ୍ଭ ମବଙ୍କଗ୍ଦର. ମୁଁ ଜଣେ ମାନବତାବାଦୀ । ମାନବ ସମାଜର ମୁକ୍ତିପାଇଁ ଲଢୁଛି । ସେ ମୋତେ କୁଣ୍ଢେଇପକାଇ ଧନ୍ୟ, ଧନ୍ୟ ବୋଲି କହି ତାଙ୍କ ଢାକାସ୍ଥିତ ବାସଭବନକୁ ମଧ୍ୟାହ୍ନଭୋଜନ ପାଇଁ ନେଇଗଲେ । ସେଦିନର ଦୃଶ୍ୟ ଏବେ ବି ମୋ ମାନସପଟରେ ନାଚିଯାଉଛି ।
ରବୀନ୍ଦ୍ରନାଥ ଟାଗୋର ୧୮୬୧ ମସିହା ମଇ ୭ ତାରିଖରେ ଜନ୍ମଗ୍ରହଣ କରି ୧୯୪୧ରେ ମୃତ୍ୟୁବରଣ କରିଥିଲେ । ବୈଚିତ୍ର୍ୟମୟ ଜୀବନର ୮୦ବର୍ଷ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ମହାମନୁଷୀ ମଧ୍ୟରୁ ଅନ୍ୟତମ । ୧୯୧୩ ମସିହାରେ ଏସିଆ ମହାଦେଶର ପ୍ରଥମ ‘ନୋବେଲ’ ପୁରଷ୍କାରପ୍ରାପ୍ତ । ଶାନ୍ତିନିକେତନରେ ରବୀନ୍ଦ୍ରଭାରତୀ ବିଶ୍ୱବିଦ୍ୟାଳୟ, ଟାଗୋର ରିସର୍ଚ୍ଚ ୟୁନିଭରସିଟି ପ୍ରମୁଖ ତାଙ୍କର ଶ୍ରେଷ୍ଠ ଅବଦାନ । ତାଙ୍କ ନାମରେ ସାରାଦେଶ ଓ ବିଦେଶରେ ବହୁ ଅନୁଷ୍ଠାନ ଗଢିଉଠିଛି ।
- ଓଡିଶାରେ ବିଶେଷକରି ପୁରୀରେ ରବି ଟାଗୋର ବହୁସମୟ ବିତାଇଛନ୍ତି । ପ୍ରାତଃକାଳରେ ବଂଗୋପସାର ପୁରୀ ସମୁଦ୍ରବେଳାରେ ସେଇ ଛ’ଫୁଟିଆ ମଣିଷଟା ଭ୍ରମଣ କରୁଥିବାବେଳେ ସାଧାରଣ ଲୋକଙ୍କ ଆଖି ଲାଖିରହେ । ସେ ପାଥର ପୁରୀରେ ରହୁଥିଲେ । ତାଙ୍କର ସେଇ ସ୍ୱପ୍ନର ପାଥରପୁରୀ ଏବେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଛାତ୍ରାବାସ । ସେ ହଷ୍ଟେଲରେ ଏକ ରାତ୍ରୀ ବିତାଇବାର ଭାଗ୍ୟରେ ଏ ଅଧମର ଥିଲା । ଝରକାରୁ ସମୁଦ୍ରର ସୌନ୍ଦର୍ଯ୍ୟ, ଢେଉ ଉପଭୋଗ କରିଛି । ଜନଦାରୀସୂତରେ ହେଉ କି ବସବାସ କରିବାକୁ ହେଉ ବେଙ୍ଗଲୀମାନେ, ବିଭିନ୍ନ ରାଜ୍ୟ, ଦେଶବିଦେଶରେ ଛାଇହୋଇଯାଇଛନ୍ତି ।
- ଆଲୋଚିତ ପୁଣି ଅଣାଲୋଚିତ ତାଙ୍କ ଜୀବନର ପ୍ରେମକାହାଣୀ । କାହାଣୀ ନୁହେଁ ତ ପ୍ରେମଗାଥା । ଗାଥା ନୁହେଁ ତ ଜୀବନ କଥା । କବି, ଲେଖକ, ସାହିତ୍ୟକାରମାନେ ହିଁ ରସିକଶ୍ରେୀଣୀଭୂକ୍ତ । ସେମାନେ ପ୍ରେମରେ ଉବୁଟୁବୁ ନହେଲେ, ନୀଳସାଗରରେ ସନ୍ତରଣ ନକଲେ – ହୃଦୟରୁ ଶଦ୍ଦସବୁ ବାହାରେ ନାହିଁ । ଯେଉଁମାନେ ସଚ୍ଚାପ୍ରେମିକ, ସେମାନେ ହିଁ ସମାଜକୁ ପରିବର୍ତ୍ତନ କରିବାରେ ବାହକ ହୋଇଥାନ୍ତି । ରବି ଠାକୁରଙ୍କ ପୁତ୍ର ରଥୀନଙ୍କ ପତ୍ନୀ ଅପୂର୍ବସୁନ୍ଦରୀ ପ୍ରତିମା ଦେବୀ । ଏହି ପ୍ରତିମାଦେବୀ ଜୋଡାଶଂଖର ଠାକୁରବାଡି ଝିଅ । ତା’ର ଦୁଇ ମାମୁଁଙ୍କ କକା ହେଲେ ରବିନ୍ଦ୍ରନାଥ । ପ୍ରତିମାର ବିବାହ ନୀଳାନାଥ ମୁଖାର୍ଜିଙ୍କ ସହ ହୋଇଥିଲା । ବିବାହର ଅଳ୍ପଦିନପରେ ନୀଳାନାଥ ଗଙ୍ଗାରେ ବୁଡିମରିଗଲେ । ରବିନ୍ଦ୍ରନାଥଙ୍କ ଇଛାରେ ୧୬ବର୍ଷର ପ୍ରତିମା ନିଜପୁତ୍ର ରଥୀନ ସହ ୧୯୧୦ ମସିହାର ବିବାହ ହୋଇଥିଲା । ରବିନ୍ଦ୍ରନାଥ ବିଦ୍ୟାସାଗରଙ୍କ ଭଳି ବିଧବା ବିବାହ କରାଇଥିଲେ । ପ୍ରତିମାର ଲେଖାପଢା, ସାହିତ୍ୟଚର୍ଚ୍ଚା ସବୁ ଦାୟିତ୍ୱ ରବିନ୍ଦ୍ରନାଥ ନେଇଥିଲେ । ହିମାଳୟ ଭଳି ବିପୁଳ ପ୍ରତିଭା, ପ୍ରବଳ ବ୍ୟକ୍ତିତ୍ୱ ଦୃର୍ବାର ବ୍ୟକ୍ତିତ୍ୱ ପ୍ରତିମାକୁ ଆଛନ୍ନ କରିଥିଲା । ରବିନ୍ଦ୍ରନାଥଙ୍କ ଆନ୍ତର୍ଜାତିକ ଖ୍ୟାତି ଓ ବ୍ୟସ୍ତତାରେ ତାଙ୍କୁ ଦେଶବିଦେଶ ଯିବାକୁ ହୁଏ – ସେ ଯୁଆଡେ ଯାଆନ୍ତି ପ୍ରତିମା ତାଙ୍କ ପାଖେପାଖେ ରହି ସେବାଶୁଶୃଷା କରୁଥାନ୍ତି । ଏଣେ ପୁତ୍ର ରଥୀନ ପତ୍ନୀ ପ୍ରତିମା ପାଇଁ ପାଗଳ । ଚିଠି ଲେଖିଲେଖି ନୟାନ୍ତ । ୟାଡେ ପ୍ରତିମା ଚିଠି ଲେଖି ସ୍ୱାମୀକୁ ସାନ୍ତନା – ତୁମକୁ ଆହୁରି ଉଚ୍ଚକୁ ଉଠିବାକୁ ହେବ । ନିଷ୍କାମ ପ୍ରେମ ହିଁ ଏକମାତ୍ର ରାସ୍ତା । ଏସବୁ ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟିହୋଇଥିଲା । ଦୂରତ୍ୱ ମଧ୍ୟ ବଢିଯାଇଥିଲା । ରଥୀନର ଆର୍ତ୍ତଚିତ୍କାର ଓ ଅସହାୟତା ବଢିଯାଇଥିଲା ।
ରବୀନ୍ଦ୍ରପୁତ୍ର ରଥୀନ୍ଦ୍ର ପତ୍ନୀ ପ୍ରତିମାର ଉଦାସିନତାକୁ ସହ୍ୟ କରିନପାରି ଭାଙ୍ଗିପଡିଥିଲେ । ଦେଶ ସ୍ୱାଧୀନ ହେବାପରେ ୧୯୫୧ ମସିହାରେ ବିଶ୍ୱଭାରତୀକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରାଗଲା । ସେତେବେଳକୁ ରବିନ୍ଦ୍ରନାଥଙ୍କର ଆବର୍ତ୍ତମାନରେ ରଥୀନ୍ଦ୍ରନାଥକୁ ଉପାଚାର୍ଯ୍ୟ ପଦରେ ଭୂଷିତ କରାଗଲା । ସେଇ ରଥୀନ୍ଦ୍ର ଇସ୍ତଫାପତ୍ର ଆଚାର୍ଯ୍ୟ ଜବାହରଲାଲ ନେହେରୁଙ୍କ ପାଖକୁ ପଠାଇଦେଲେ । ରଥୀନ୍ଦ୍ର ସମସ୍ତଙ୍କୁ ଜଣାଇ ଅନ୍ୟଜଣକ ପତ୍ନୀ ମିରାଦେବୀଙ୍କୁ ନେଇ ଚାଲିଗଲେ ବହୁଦୂରକୁ ।
ଅର୍ଥାଭାବ ରବି ଠାକୁରଙ୍କୁ ବ୍ୟଥା ଓ ବେଦନା ଦେଇଛି । ଶାନ୍ତିନିକେତନ ସ୍କୁଲ, ବିଶ୍ୱବିଦ୍ୟାଳୟରେ ଶିକ୍ଷକମାନଙ୍କ ଦରମା, ହଷ୍ଟେଲରେ ପିଲାମାନଙ୍କ ଖାଦ୍ୟଯୋଗାଡ କରିବାରେ ବ୍ୟସ୍ତ ରହୁଥିଲେ । ସେଭଳି ସାହାଯ୍ୟସହଯୋଗ ପାଉନଥିଲେ । ଶେଷରେ ପୁଅଝିଅ ଜନ୍ମହେଲେ ସେମାନଙ୍କ ନାମକରଣ ପାଇଁ ଲୋକେ ବିଶ୍ୱକବିଙ୍କ ପାଖକୁ ଆସୁଥିଲେ । ନାମକରଣ କରି ଟଙ୍କା ନେଉଥିଲେ । ଦରମା ଦେଇପାରୁନଥିବାରୁ ବହୁ ଶିକ୍ଷକକର୍ମଚାରୀ ଶାନ୍ତିନିକେତନରୁ ପଳାଇଯାଉଥିଲେ । ରବି ଠାକୁର ସେମାନଙ୍କୁ ଅଟକାଉ ନଥିଲେ । ଯେଉଁମାନେ ସଚ୍ଚା ରବିନ୍ଦ୍ରଭକ୍ତ – ସେଇମାନେ ପଡିରହୁଥିଲେ । ଧିରେ ଧିରେ ଶାନ୍ତିନିକେତନ ସାରାବିଶ୍ୱରେ ସୁନାମଅର୍ଜନ କରିଛି । ବିଶ୍ୱବିଖ୍ୟାତ ବୈଜ୍ଞାନିକ ସମାଜବାଦର ପଥପ୍ରଦର୍ଶକ, ମାର୍କସବାଦୀ ଚିନ୍ତାନାୟକ କାର୍ଲ ମାର୍କସଙ୍କର ଖାଡୁଏ ଛୁଆପିଲା । ସେମାନଙ୍କୁ ଖାଦ୍ୟ ଦେଇପାରୁନଥିଲେ । ଛୋଟପିଲା ମା’ କ୍ଷୀର ପାଇଁ ସ୍ତନକୁ କାମୁଡିଥିଲେ ମଧ୍ୟ ରକ୍ତ ବି ବାହାରୁନଥିଲା । ଏଣେ କାର୍ଲମାର୍କସ୍ ଲାଇବ୍ରେରୀରେ ବହି ପରେ ବହି ପଢୁଛନ୍ତି – ପିଲାମାନଙ୍କୁ ଖଣ୍ଡେ ରୁଟି ଦେବାପାଇଁ ସାଥୀ ଏଙ୍ଗେଲସ୍କୁ ତାଙ୍କ ସମ୍ପାଦିତ ପତ୍ରିକା ବିକିବାକୁ ପଠାଉଥିଲେ । ବିଶ୍ୱରେ ଆଜି ଯେଉଁମାନେ ମହାନ୍ ସେମାନଙ୍କ ପରିବାର – ବ୍ୟକ୍ତିଗତ କାହାଣୀ ଅତ୍ୟନ୍ତ ପିଡାଦାୟକ ଓ ଦୁଃଖମୟ ।
ଆଜି ଯଦି ବଂଗାଳୀମାନେ ଗର୍ବ କରନ୍ତି – ତା’ ମୂଳରେ ବିଶ୍ୱକବି ନୋବେଲ ପୁରସ୍କାରପ୍ରାପ୍ତ ରବୀନ୍ଦ୍ରନାଥ ଠାକୁର, ବିଦ୍ୟାସାଗର, ସ୍ୱାମୀ ବିବେକାନନ୍ଦ, ରାମକୃଷ୍ଣ ପରମହଂସ, ଔପନ୍ୟାସିକ ସମ୍ରାଟ ଶରତ ଚନ୍ଦ୍ର, କାଜି ନଜରୁଲ୍ ଇସ୍ଲାମ୍, ବିଶ୍ୱବିଖ୍ୟାତ ସଂଗ୍ରାମୀ ମହାନାୟକ ମହାନେତାଜୀ ସୁବାସ ବୋଷ, ରାହାସ ଚନ୍ଦ୍ର ବୋଷ, ସତ୍ୟଜିତ୍ ରାୟ, ଜ୍ୟୋତି ବସୁ, ଅମର୍ତ୍ତ ସେନ୍, ଡା. ବିଧନା ଚନ୍ଦ୍ର ରାୟ, ଶିବଦାସ ଘୋଷ, ଉତ୍ତମ କୁମାର ପ୍ରମୁଖ ମହାମନୁଷୀମାନେ ଥିଲେ । ଆହୁରି ଅନେକ ପ୍ରଥିତଯଶା କବି, ସାହିତ୍ୟିକ, ସଙ୍ଗୀତଜ୍ଞ, ଲେଖକ, କଳାକାର, ରାଜନେତା ଅଛନ୍ତି – ସେମାନଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ । ଏ ସମସ୍ତଙ୍କର ଗୁରୁଥିଲେ ବିଶ୍ୱକବି ରବୀନ୍ଦ୍ରନାଥ । ସେହି ରବୀନ୍ଦ୍ରନାଥଙ୍କ ଜୀବନ ବୈଚିତ୍ର୍ୟମୟ । ପ୍ରତିମୂହୁର୍ତ୍ତ ତାଙ୍କର ବିଶ୍ୱବାସୀଙ୍କ କଲ୍ୟାଣରେ ସମର୍ପିତ । ତାଙ୍କଦ୍ୱାରା ରଚିତ ଜାତୀୟ ସଂଗୀତ ‘ଜନଗଣମନ ଅଧିନାୟକ’ ଆଜି ଭାରତୀୟଙ୍କ କଣ୍ଠେ କଣ୍ଠେ ଗୁଞ୍ଜରିତ । ହିମାଦ୍ରୀ ଶିଖରେ, ଦିଗଦିଗନ୍ତରେ ଭାରତର ପ୍ରାଣବୀଣା ବଜାଉଥିଲେ । ଜ୍ଞାନଭକ୍ତିଯୋଗରେ ମୁକ୍ତିମନ୍ତ୍ର ଗାଇଥିଲେ । ହେ-ବିଶ୍ୱକବି ତୁମକୁ ଜଣାଏ କୋଟିକୋଟି ନମସ୍କାର ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩