୧୫ ବର୍ଷରୁ କମ୍ ୫୦୦୦ରୁ ଅଧିକ ଖେଳାଳୀଙ୍କୁ ହକି ଷ୍ଟିକ୍, କ୍ରୀଡ଼ା ଉପକରଣ ବାଣ୍ଟିଲେ ନବୀନ ଓ ସାଲୁ ଜିନ୍ଦଲ
- ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
- ଜେଏସ୍ପି ଫାଉଣ୍ଡେସନ, ଡିଟିଏସ୍ଆର୍ଡିଏଫ୍ ମିଳିତ ହୋଇ କାର୍ଯ୍ୟ କରିବେ
- ହକିର ଭବିଷ୍ୟତ ଗଠନ ପାଇଁ ଏହି ପଦକ୍ଷେପକୁ ରୂପାନ୍ତର କରିବ : ଜେଏସପି ଫାଉଣ୍ଡେସନ
- ଭୁବନେଶ୍ୱର,ରାଉରକେଲା,//TATKAL ODISHA//
ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମ୍ରେ ମେଗା କାର୍ଯ୍ୟକ୍ରମ ‘ଗୋଟିଏ ପାଦ ଆଗକୁ’ ଭର୍ଚୁଆଲ ମୋଡ୍ରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକI ତୃଣମୁଳ ସ୍ତରରେ ଜେଏସ୍ପି ଫାଉଣ୍ଡେସନ, ଦିଲୀପ୍ ତିର୍କି ସ୍ପୋର୍ଟସ୍ ରିସର୍ଚ୍ଚ ଆଣ୍ଡ୍ ଡେଭେଲ୍ପମେଣ୍ଟ ବା ଡିଟିଏସ୍ଆର୍ଡିଏଫ୍ ମିଳିତ ହୋଇ କାର୍ଯ୍ୟ କରିବେ । ଏହି କାର୍ଯ୍ୟକ୍ରମରେ ୨୧୫ଟି ଗାଁରୁ ୧୫ ବର୍ଷରୁ କମ୍ ୫୦୦୦ରୁ ଅଧିକ ଖେଳାଳୀ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ସେହି ଖେଳାଳୀଙ୍କୁ ହକି ଷ୍ଟିକ୍, ଆନୁସଙ୍ଗିକ କ୍ରୀଡ଼ା ଉପକରଣ ବଣ୍ଟନ କରିଛନ୍ତି ଜେସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲ ଓ ଜେଏସପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ I
ଶୁକ୍ରବାର ମେଗା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶା ସରକାର ହକି ସହ ବିଭିନ୍ନ ଖେଳକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ଉତ୍ସାହୀ ଯୁବକ ଯୁବତୀ ଅନୁପ୍ରାଣିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ ଲକ୍ଷ୍ୟ ନେଇ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ମେଗା କାର୍ଯ୍ୟକ୍ରମ ‘ଗୋଟିଏ ପାଦ ଆଗକୁ’ ତା’ଭିତରୁ ଗୋଟିଏ । ଏଥିଯୋଗୁଁ ତୃଣମୂଳ ସ୍ତରରେ ହକିକୁ ଆହୁରି ମଜବୁତ୍ କରିବ । କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ହକି ପ୍ରତିଭା ଅନ୍ୱେଷଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଉଭୟ ସଂସ୍ଥାକୁ ପ୍ରଶଂସା କରିଛନ୍ତି I
ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ଦକ୍ଷତା ବିକାଶ ଓବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଂଜନ ଘଡାଇ ଏବଂ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଡିଟିଏସ୍ଆରଡିଏଫ୍ ପଦ୍ମଶ୍ରୀ ଅଧ୍ୟକ୍ଷ ଡକ୍ଟର ଦିଲିପ୍ ତିର୍କୀ ରାଉରକେଲା ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଜିନ୍ଦଲ୍ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲ୍ ତୃଣମୂଳ ହକିକୁ ସମର୍ଥନ କରିବା ଓ ହକିର ଭବିଷ୍ୟତ ଗଠନ ପାଇଁ ଏହି ପଦକ୍ଷେପକୁ ରୂପାନ୍ତର କରିବା ପାଇଁ ସେମାନଙ୍କ ବାର୍ତ୍ତାରେ କହିଛନ୍ତି ।
ଅପର ପକ୍ଷରେ ଜେଏସ୍ପି ଫାଉଣ୍ଡେସନର ଚେୟାରମ୍ୟାନ୍ ଶାଲୁ ଜିନ୍ଦଲ୍ ଶାଲୁ ଜିନ୍ଦଲ କହିଛନ୍ତି ଯେ, ‘ଯଦି ପିଲାମାନଙ୍କୁ ସଠିକ୍ ବୟସରେ ଖେଳିବା ପାଇଁ ଉପଯୁକ୍ତ ତାଲିମ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଶିକ୍ଷଣ ପରିବେଶ ଯୋଗାଇ ଦିଆଯାଏ, ତହାଲେ ଓଡ଼ିିଶା ହକି ବହୁତ ଆଗକୁ ଯାଇପାରିବ । ଆମେ ଗାଁରେ ଯୁବ ହକି ପ୍ରତିଭା ଅନ୍ୱେଷଣ ଓ ପୋଷଣ ପାଇଁ ପ୍ରତିବଦ୍ଧ । ଜେଏସ୍ପି ଫାଉଣ୍ଡେସନ୍ ଓ ଡିଟିଏସଆରଡିଏଫ୍ର ମିଳିତ ପ୍ରୟାସରେ ଆମେ ରାଜ୍ୟରେ ତୃଣମୂଳ ସ୍ତରର ହକିର ଗୁଣବତ୍ତା ପରିବର୍ତ୍ତନ କରିବୁ । ଏହା ମୋ ପାଇଁ ଏକ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଆନ୍ଦୋଳନ, ହକି କ୍ଷେତ୍ରରେ ଏକ ବୃହତ୍ତ ପରିବର୍ତ୍ତନର ଆରମ୍ଭ । ଏହି ପଦକ୍ଷେପ ଗ୍ରାମୀଣ ଓଡ଼ିିଶାରୁ ଜାତୀୟ ତଥା ଆନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ନବୀନ ଜିନ୍ଦଲ କହିଛନ୍ତି ଯେ, କେବଳ ଓଡିଶାରେ ନୁହେଁ ସମଗ୍ର ଦେଶରେ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହକି ପ୍ରତି ରହିଛି ପ୍ରତିବଦ୍ଧତା । ଓଡ଼ିଶାର ସରକାରଙ୍କ ଉଦ୍ୟମ ସହିତ ଜେଏସ୍ପି ହକିର ପ୍ରୋତ୍ସାହନ ତଥା ଅଧିକ ଗ୍ରାମୀଣ ପ୍ରତିଭାର ବିକାଶ ତଥା ଭାରତରେ ହକିର ଭବିଷ୍ୟତ ଗଠନ ତଥା ବଞ୍ଚାଇ ରଖିବା ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ ।
ପଦ୍ମଶ୍ରୀ ଡକ୍ଟର ଦିଲିପ ତିର୍କୀ କହିଛନ୍ତି ଯେ, ତୃଣମୂଳ ସ୍ତରରେ ହକି ହେଉଛି ଭିତ୍ତିପ୍ରସ୍ତର, ଯଦି ଆମେ ଏହାକୁ ମଜବୁତ୍ କରିବା, ତେବେ ଆମେ କେବେ ପଛକୁ ଫେରି ଚାହିଁବୁ ନାହିଁ । ଆମର ପ୍ରଥମ ଦାୟିତ୍ୱ ସଠିକ୍ ପ୍ରତିଭା ଖୋଜିବା ଏବଂ ସେମାନଙ୍କୁ ସଠିକ୍ ଭାବେ ତାଲିମ ଦେବା, ଯାହାଦ୍ୱାରା କୌଣସି ଭଲ ଖେଳାଳିଙ୍କୁ ଛାଡ଼ି ଦିଆଯିବ ନାହିଁ । ତୃଣମୂଳ ହକିକୁ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ସୁନ୍ଦରଗଡ଼ର ପ୍ରତ୍ୟେକ ରାଜସ୍ୱ ବ୍ଲକ୍ରେ ଆଷ୍ଟ୍ରୋଟର୍ଫ୍ ନିର୍ମାଣ କରିଛନ୍ତି । ଡିଟିଏସଆରଡିଏଫ୍ ତୃଣମୂଳ ସ୍ତରରେ ପ୍ରତିଭାମାନଙ୍କୁ ଏକତ୍ର କରି ଚିହ୍ନଟ କରିଥିବା ବେଳେ ଜେଏସ୍ପି ଫାଉଣ୍ଡେସନ ଜିଲ୍ଲାର ୧୦ଟି ରାଜସ୍ୱ ବ୍ଲକ୍ରେ ୫୦୦୦ ଉଦୀୟମାନ ହକି ଖେଳାଳିଙ୍କୁ ହକି କିଟ୍, ହକି ଷ୍ଟିକ୍ସ, ବଲ୍ ଏବଂ ଜର୍ସି ପ୍ରଦାନ କରିଥିଲେ ।
ବିଧାୟକ ସୁବ୍ରତ ତରାଇ, ସୁନ୍ଦଗଡ଼ ଏସ୍ଡିସି ଚେୟାରମ୍ୟାନ୍ ବିନୟ ଟପ୍ପୋ, ପୂର୍ବତନ ମନ୍ତ୍ରୀ ମଙ୍ଗଳା କିସାନ, ଅଲିମ୍ପିଆନ ତଥା ହକି କିମ୍ବଦନ୍ତୀ ଅଶୋକ କୁମାର, ବିରେନ୍ଦ୍ର ଲାକ୍ରା, ଇଗ୍ନେଶ ତିର୍କି, ପୂର୍ବତନ ହକି ପ୍ରଶିକ୍ଷକ ଦ୍ରୋଣାଚାର୍ଯ୍ୟ ଅଜୟ ବଂଶଲ, ମହିଳା ହକି ତାରକା ସୁଭଦ୍ରା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ୧୩ ଜଣ ଆନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଚି କରିଥିବା ଡୋମିନିକ୍ ଟପ୍ପୋଙ୍କୁ ହକି ପ୍ରତି ତାଙ୍କର ଆଜୀବନ ଯୋଗଦାନ ପାଇଁ ଜେଏସ୍ପି ଫାଉଣ୍ଡେସନ ପକ୍ଷରୁ ୨୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।