ଓଡ଼ିଆ ପରମ୍ପରାର ନିଛକ ଗଳ୍ପ : ‘ରଜ ଖିଲିପାନ’
//TATKAL ODISHA//
ରଜ ଖିଲିପାନ
★★★★
ଅରବିନ୍ଦ ଦାସ
ଶେଷରଜ ଓ ଖିଲିପାନ……ରଜପାନରେ କିଛି କୁହୁକ ଥାଏ……
“ଆଲୋ ହୁଣ୍ଡି,
ପଇସାକେ ପାନ କେତେ ଖଣ୍ଡି,
ମହରଗ କାଳେ ଅମଳ କରିଛୁ,
ପୁରା ଚଉଷଠି ମସଲା ଗୁଣ୍ଡି……”
ଖୋକା ଭାଇଙ୍କ ସେଇ ଚିରସବୁଜ ଗୀତ ବାରମ୍ବାର ଗୌରବ କାନରେ ପ୍ରତିଧ୍ବନିତ ହେଉଥିଲା।
ଆଜି ସକାଳେ ଗୌରବ ଗୋଟେ ଜରୁରୀ କାମରେ ବାହାରକୁ ବାହାରିଲା ବେଳେ ,ମନସ୍ୱିନୀ ହାତରେ ଗୋଟେ ପାନ ଧରି ଦୌଡ଼ି ଆସି ପଚାରିଥିଲା,
–ଆଜି ରଜ, ଛୁଟିଦିନରେରେ କୁଆଡେ ବାହାରିଲ ?ଆଁ କର,ରଜ ପାନ।
ଟିକେ ଗମ୍ଭୀର ହୋଇ ଗୌରବ କହିଥିଲା,
-ଅଫିସ କାମ ଅଛି।ଫେରିଲା ବେଳକୁ ଡେରି ହୋଇପାରେ।ପାନ ମୋତେ ଭଲ ଲାଗେନା ବୋଲି ତମେ କଣ ଜାଣିନ ?”
-ଆଜି ରଜରେ ଖଣ୍ଡେ ପାନ ମୋ ହାତରୁ ଖାଇଦେଲେ ଏମିତି କେଉଁ ମହାଭାରତ ଅଶୁଦ୍ଧ ହୋଇଯିବ ?
ଅରବିନ୍ଦ ଦାସ
କେତେ ଖୁସିରେ ମୁଁ ଅନଲାଇନରେ ମଗେଇ ଥିଲି।ସତରେ ତମେ ଜଣେ ବିଲକୁଲ ଅନରୋମାଣ୍ଟିକ ମଣିଷ।ତମେ କଣ ସତରେ ଜୀବନରେ କେବେ ପାନ ଖାଇନ ?”
- ପାନ ଖାଇଲେ ପାଟି,ଦାନ୍ତ ନାଲିଆ ହୋଇ ଅସନା ହୁଏ।ତା ଛଡା ଏଇ କିଣା ପାନରେ କଣ ସୁଆଦ ଥାଏ ?” କହି ଘର ଭିତରୁ ବାହାରି ଅଫିସ ଗାଡ଼ିରେ ବସି,ଡ୍ରାଇଭରକୁ ଗନ୍ତବ୍ୟସ୍ଥଳର ଠିକଣା ବିତାଇ ଦେଇ ଗୌରବ ଭାବୁଥିଲା ସତରେ କଣ ସେ ପାନ କେବେ ଖାଇନି ?ପାନ ତ ତାର ବହୁତ ପ୍ରିୟ ଥିଲା।କେବେଠୁ ଛାଡିଲା ପାନଖିଆ ?
ବାଣୀବିହାର କଥା ମନେ ପଡୁଥିଲା।ବନ୍ଧୁ ସରୋଜ ଥରେ ଛକ ଖଟିରେ କହିଥିଲା, - ଦୁନିଆରେ ଏମିତି କୌଣସି ପୁରୁଷ ନାହିଁ,ଯିଏ ପ୍ରେମିକା ହାତ’ର କିଛି ଜିନିଷ ଖାଇବାକୁ ମନାକରିପାରିବ।ଆଉ ଯଦି ପ୍ରେମିକା ହାତର ରଜଖିଲିପାନ ହୁଏ,ତେବେ…. -ରଜପାନର ମଜା ଏକଦମ ନିଆରା,ଯିଏ ଖାଇଛି ସିଏ ଜାଣିଛି।”
ପାଖରେ ଠିଆ ହୋଇଥିବା ସାଙ୍ଗ ବ୍ରଜ ସେଦିନ କହିଥିଲା,
-ସବୁ ପ୍ରେମିକା ପାନ କୁ ପସନ୍ଦ କରନ୍ତି ନାହିଁ।ମୋ ପ୍ରେମିକା ତ ମୋ ନାଲିଆ ଓଠ ଦେଖିଲେ,ତମ୍ପ ସାପ ପରି ଫଁ ଫଁ ହୁଏ।ମୋତେ ଧମକାଉଛି,ମୁଁ ପାନ ଖାଇବା ଓ ବଜାରୀ ଟୋକାଙ୍କ ସହ ଖଟି ମାରିବା ନଛାଡିଲେ,ସେ ମୋତେ ଛାଡ଼ିଦେଵ।”
ଗୌରବ କଟାକ୍ଷ କଲା ଭଳି କହିଥିଲା,
-ଆବେ ଶଳା,ତୋ ପ୍ରେମିକା ଆମକୁ ବଜାରୀ କହୁଛି ଆଉ ତୁ ଚୁପ କିନା ଶୁଣୁଛୁ ?”
ଫେଁ କିନା ହସିଦେଇ ସରୋଜ କହିଥିଲା,
-ଶୁଣୁ,ଥରେ ରଜରେ ଜବରଦସ୍ତି ତୋ ପ୍ରେମିକାକୁ ନିଜ ରାଣ ଦେଇ ଖଣ୍ଡେ ପାନ ଖୁଆଇଦେ।ପ୍ରେମିକ,ପ୍ରେମିକା ଦୁହେଁ କେହି ବି ରଜରେ ପାନ ଖାଇବାକୁ ମନା କରିପାରନ୍ତିନି।ମୋ କଥା ଯଦି ମିଛ ଭାବୁଛୁ ତେବେ ଆମ ଏଇ ଖଟିର ପାନଦେବତା ଅର୍ଥାତ ଏଇ ପାନ ଦୋକାନ ମାଲିକ ରବିଭାଇନାଙ୍କୁ ପଚାର ।ସେ କହିବେ ତାଙ୍କ ଷ୍ଟୁଲୁରୀ ଉପଖ୍ୟାନ ଆଉ କାହିଁକି ଏଇ ପାନ ଦୋକାନ କରିଛନ୍ତି।”
ସମସ୍ତେ ଉତ୍ସୁକତାର ସହ ଅନାଇଲେ ପାନ ଦୋକାନୀ ରବି ଭାଇଙ୍କ ଆଡ଼କୁ।ନିଜ ଦୋକାନ ଟେପ ରେକର୍ଡ଼ରେ ଖୋକା ଭାଇଙ୍କ ସେଇ ଅମର ଗୀତ”ଆଲୋ ହୁଣ୍ଡି,ପଇସାରେ ପାନ କେତେ ଖଣ୍ଡି…ଗୀତକୁ ଲଗାଇ ପାନ ଭାଙ୍ଗୁ ଭାଙ୍ଗୁ ରବି ମୁରୁକି ହସି କହିଲା,
-ପାନ କଣ ଖାଲି ଗୋଟେ ପତର ?ପାନକୁ ସାମାନ୍ୟ ବୋଲି ମଣିବନି।ପାନ ହେଉଛି ପ୍ରେମ ପତର।ଆମ ଜେଜେ,ଗୋସପା ଅମଳରେ ଏଇ ପାନରେ ହିଁ ଭାବ ପୀରତି ଆଦାନ ପ୍ରଦାନ ହେଉଥିଲା।ସ୍ତ୍ରୀ ହାତ ଭଙ୍ଗା ସାଦା କି ଗୁଣ୍ଡି ପାନ ସ୍ୱାମୀମାନଙ୍କର ଅମଳି ହୋଇଥାଏ।ଆଉ ଗାଁ ରେ ତ ଏଇ ରଜରେ କମ୍ପିଟେସନ ହୁଏ କି ନିଜ ପ୍ରେମିକା ହାତରୁ କେଉଁ ଛଟକରେ ପାନ କେମିତି ଖାଇବ।ଆଉ ଶାଳୀ ହାତ ମିଠା ପାନ ତ ଆହୁରି ବଢିଆ।ଖୋକା ଭାଇଙ୍କ ସେ ଗୀତ ଶୁଣିନ ?ଖିଲିପାନେ ଦେଲା,ନିଦର ଔଷଧ, ସାନ ଭଉଣୀ ଟି ତୋର…….
ବ୍ରଜ ବ୍ୟସ୍ତ ହୋଇ କହିଥିଲା,
–ଓହୋ ରବି ଭାଇ,ସେସବୁ ଦାର୍ଶନିକ କଥା ଛାଡ଼।ଆଗେ କୁହ କିଏ ସେ ଷ୍ଟୁଲୁରୀ ?ଆଉ ତମ ପ୍ରେମ କାହାଣୀ।”
ଦୀର୍ଘ ନିଶ୍ଵାସ ଛାଡି ରବି କହିଥିଲା,
-ଆମ ସାଙ୍ଗରେ ସ୍କୁଲରେ ପଢୁଥିଲା ସେ ଝିଅ।ତାରି ଡାକ ନାଁ,ହଗୁରୀ ବୋଲି ଡାକିଲେ ସେ ଭାରି ଚିଡୁଥିଲା।ହଗକୁ ଇଂରାଜୀରେ ଷ୍ଟୁଲ କୁହନ୍ତି ବୋଲି,ମଜାରେ ତାକୁ ମୁଁ ଷ୍ଟୁଲୁରୀ ବୋଲି ଡାକୁଥିଲି।”
ସମସ୍ତେ ଆଉ ସମ୍ଭାଳି ନପାରି ହୋ ହୋ ହୋଇ ହସିଥିଲେ ।ଗୌରବ ପଚାରିଥିଲା,
-ଷ୍ଟୁଲୁରୀ ସହ ପାନ ଦୋକାନ’ର ସମ୍ପର୍କ କଣ ?”
ମୁରୁକି ହସି ରବି କହିଥିଲା,
-ଏଇ ରଜରେ ଆମେ ଦୁହେଁ ପାନ ଖୁଆ ଖୁଇ ହୋଇ ଆମ୍ବ ଗଛ ଡାଳରେ ବସିଥିଲୁ।ହଠାତ ସେ ମୋତେ ସାଇକେଲ ଚଳାଇ ଆସୁଥିବା ରାମ ସାରଙ୍କୁ ଦେଖାଇ କହିଥିଲା,
-ଏଇ ପୋଡାମୁହାଁ ମାଷ୍ଟ୍ର ଯୋଗୁଁ ଏବର୍ଷ, ମୁଁ ଓ ତୁ ଦୁହେଁ ଫେଲ ହୋଇଛେ ।ରଜ ବୋଲି କେମିତି ପିନ ପିନ ମାର୍କା ଧୋତି ପଞ୍ଜାବୀ ପିନ୍ଧି ଶଶୁର ଘରକୁ ଯାଉଛି।ପାନ ଛେପ ପକାଇ ପାରିବୁ ତା ଉପରକୁ ?
ବାସ,ପ୍ରେମିକା କଥାରେ ଭାସିଯାଇ ମାଷ୍ଟ୍ର ଉପରକୁ ପକାଇଥିଲି ପାନ ଛେପ।ଆଉ ତା ପରେ ସେ ମାଷ୍ଟ୍ର ହାତ ରୁ ଓ ପରେ ବାପାଙ୍କ ଠାରୁ କାଠ ଫାଳିଆ ରେ ମାଡ଼ ଖାଇ ଗାଁ ଛାଡି ଚାଲି ଆସିଥିଲି ଭୁବନେଶ୍ୱର।ବାସ ପାଠପଢାରେ ଡୋରି ବନ୍ଧା ହୋଇଥିଲା ଓ କିଛି ବର୍ଷ ଇଆଡୁ ସିଆଡୁ କାମ କରି,ଶେଷରେ ଏଇ ପାନ ଦୋକାନ।”
-ଆଉ ଷ୍ଟୁଲୁରୀ ?”
ପାନ ଖଣ୍ଡେ ଚୋବାଇ ରବି ଭାଇ କହିଲା, - ସେ ମୋ ଘରଣୀ,ଭଲ ନାଁ ତାର ହରିପ୍ରିୟା।ପାନ ଦୋକାନ ନାଁ ପରା,ହରିପ୍ରିୟା ସୁବାସିତ ଖିଲିପାନ।”
ସେଦିନ ସରୋଜ ଗୌରବ କୁ ପଚାରିଥିଲା,
-ଆରେ ,ତୋ ପ୍ରେମିକା ମାଧବୀ କାଳେ ଏବର୍ଷ କଲେଜ ଇଲେକ୍ସନ ପ୍ରେସିଡେଣ୍ଟ ପୋଷ୍ଟ ପାଇଁ ଠିଆ ହେବ ବୋଲି ଶୁଣୁଛୁ।ଆମ ସାଙ୍ଗ ଅଂଶୁମାନ ସହ କଣ୍ଟେଷ୍ଟ ନକରିବା ପାଇଁ ତାକୁ ଟିକେ ବୁଝାଉନୁ।”
ଚୁପ ରହିଥିଲା ଥିଲା ଗୌରବ।
ଦିନେ ମାଧବୀକୁ ସାଙ୍ଗରେ ନେଇ ସିନେମା ଯାଇଥିଲା ଓ ମ୍ୟାଟିନି ଶୋ ଦେଖି ଫେରିଲା ବେଳେ ପାନ ଖୁଆ ଖୁଇ ହୋଇଥିଲେ ଦୁହେଁ।ଗୌରବ ଜିଦି କରିଥିଲା ମାଧବୀ ନିଜ ଓଠରେ କାମୁଡି ଧରିଥିବା ପାନରୁ ଫାଳେ ନିଜ ଦାନ୍ତରେ ଛିଣ୍ଡାଇ ନେଇ ଖାଇବ ବୋଲି।ରୋମାଣ୍ଟିକ ପୋଜ।ପାର୍କର ଚାରି ଆଡକୁ ଅନାଇ ଶେଷରେ ରାଜି ହୋଇଥିଲା ମାଧବୀ।ପାନ ନେଉ ନେଉ ଚୁମ୍ବନ, ଲିପ ଟୁ ଲିପ ମିଠାପାନ ଖିଆ ମିଠା କିସିଂ।।ହେଲେ କିଏ ଗୋଟେ ବଦମାସ ସେଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟ ଉଠାଇ ଦେଇଥିଲା।କଲେଜ ଇଲେକ୍ସନର ଭୋଟ ଦେବା ଦୁଇ ଦିନ ପୂର୍ବରୁ ସେଇ ଫଟର ପୋଷ୍ଟର କଲେଜ ସାରା ମରା ହୋଇଥିଲା।ମାଧବୀ ନିଜ ନାଁ ଇଲେକ୍ସନ ରୁ ଉଇଥଡ୍ର କରିନେଇଥିଲା ଆଉ ଗୌରବ ସହ ସମ୍ପର୍କ ବି ଛିନ୍ନ କରିଥିଲା।
ଆଜି ପୁରୁଣା କଥା ସବୁ ମନେ ପଡୁଥିଲା ଗୌରବର।
ଡ୍ରାଇଭର କଥାରେ ଭାବନା ରାଜ୍ୟରୁ ଫେରି ଆସିଲା,
-ସାର,ସେଇ ଜାଗା ଆସିଗଲା।ଆମ ଅଫିସ ଷ୍ଟାଫ ବି ଠିଆ ହୋଇଛନ୍ତି।”
ପ୍ରକୃସ୍ଥିତ ହୋଇ ଗୌରବ ସାମ୍ନା କୁ ଚାହିଁଲା।ଗୋବିନ୍ଦପୁର ଗାଁ ଆସିଯାଇଥିଲା। ଏଇ ଗାଁ ଖାଲି କରିବାକୁ ଲୋକଙ୍କୁ ବୁଝାଇବାକୁ ସରକାରଙ୍କ ତରଫରୁ ସେ ପ୍ରତିନିଧି ହୋଇ ଆସିଛି।ଗୋଟେ ଇସ୍ପାତ କାରଖାନା ପାଇଁ ଜମି ଦରକାର।
ଆଗରୁ କାଳେ ବହୁତ ଗଣ୍ଡଗୋଳ,ଫାଇରିଂ ହୋଇଥିଲା।ଏଇ ପନ୍ଦର ଦିନ ତଳେ ଏଇ ଡିପାର୍ଟମେଣ୍ଟ କୁ ବଦଳି ହୋଇ ଆସିଛି ଗୌରବ।ତାରି କାନ୍ଧରେ ଗୁରୁ ଦାୟିତ୍ୱ।
ଜଣେ ଅଫିସ କର୍ମୀ ପାଖକୁ ଆସି କହିଲେ, - ଲୋକ ଗୁଡାକ ଭାରି ଜିଦିଆ।ଗାଁ ଓ ସେମାନଙ୍କ ଘର ତଥା ପାନ ବରଜ ଛାଡିବାକୁ ବିଲକୁଲ ନାରାଜ।ସେମାନଙ୍କ ଲିଡ଼ର ଯେଉଁ ମହିଳା,ତାଙ୍କ ସ୍ବାମୀ ଗତବର୍ଷ ଏଇ କମ୍ପାନୀ ଅଫିସ ବାଉଣ୍ଡରୀ ତିଆରି ବେଳେ ଗାଁ ଲୋକ ଗଣ୍ଡଗୋଳ କଲାବେଳେ ହୋଇଥିବା ଫାୟରିଂ ରେ ମରିଥିଲେ।ହେଇ ସେଇଠି ସାମ୍ନାରେ ଠିଆ ହୋଇଛନ୍ତି।”
ଗୌରବ ସାମ୍ନା କୁ ଦେଖି ଚମକି ପଡିଲା।ମାଧବୀ !!!
ଏତେ ବର୍ଷ ପରେ ?ଏଇଠି ?
ଗାଁ ଲୋକଙ୍କ ସହ କଥା ହେଲା ଓ ପରେ ମାଧବୀ ସହ।ମାଧବୀ ର ସ୍ୱାମୀ ତେବେ ଗୁଳିମାଡ଼ରେ ?ଆହା,ବିଚାରୀ।ମାଧବୀ ତାକୁ ନଚିହ୍ନିଲା ଭଳି ବ୍ୟବହାର କରୁଥିଲା।
-ଶୁଣ ନ୍ତୁ,ଆମେ ଗାଁଵାଲା ଆମ ଭିଟାମାଟି,ପାନ ବରଜ ଛାଡ଼ିବୁ ନାହିଁ।କମ୍ପାନୀ’ର ଦଲାଲ ହୋଇ,ତା ଠୁ ଟଙ୍କା ଖାଇ ଆମକୁ ହଟାଇ ବାକୁ ଆସିଛ ?ଯଦି ଦମ ଅଛି,ତେବେ ସେ କମ୍ପାନୀ କୁ ଅନ୍ୟ ଆଡେ ଯିବାକୁ କୁହ।ଯେଉଁ ଜାଗାରେ ଲୋକ ରହୁ ନାହାନ୍ତି,ସେଇଥି ସେ କାରଖାନା କରୁ।ପାନ ବରଜ ଆମ ଜୀବନ।”
ସମସ୍ତଙ୍କୁ ବୁଝାଇଥିଲା ଗୌରବ।ମାଧବୀ ପୁଣି କହିଥିଲା, - ନିଜ ଘର ,ନିଜ ପରିବାର ଲୋକଙ୍କୁ ଏମିତି ଖାଲି କରାଇ ପାରିବ ?କେବେ କେଉଁ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଙ୍କ ଘର,ସେମାନଙ୍କ ଗାଁ କୌଣସି କାରଖାନା ପାଇଁ ଭଙ୍ଗା ହୋଇଛି ?”
ଚୁପ ରହିଥିଲା ଗୌରବ।ଚାରିଆଡ଼ ବୁଲି ସେ ଦେଖିଥିଲା।ଅନେକ ଆଲୋଚନା, କଥାବାର୍ତ୍ତା କଲା ପରେ ସେ କହିଥିଲା,
-ଆପଣମାନେ ମୋ ଉପରେ ଭରସା ଓ ବିଶ୍ବାସ ରଖନ୍ତୁ।ଏ ପାନ ବରଜ ଏମିତି ରହିବାକୁ,ଆପଣମାନେ ଯେମିତି ବିସ୍ଥାପିତ ନହୁଅନ୍ତି ସେ ରିପୋର୍ଟ ମୁଁ ଦେବି।”
ଫେରିଲା ବେଳକୁ ମାଧବୀ ତା କାର ପାଖକୁ ଆସି କହିଥିଲା,
-ଧନ୍ୟବାଦ ଗୌରବ।ମୋ ସ୍ବାମୀଙ୍କ ଏଇ ଜାଗା ଛାଡି ନଯିବା ପାଇଁ ପ୍ରତିଜ୍ଞା କରିଥିଲି।ଆଶା ତମେ ତମ କଥା ରଖିବ।ଆମ ବାରି ପାନ ବରଜ’ର ପାନ।”
ଦୀର୍ଘ ନିଶ୍ଵାସ ଛାଡି ଗୌରବ କହିଲା,
-ମୁଁ ପାନ ଖାଇବା ଛାଡି ଦେଇଛି,ସେଇ ଦିନରୁ..
ମୁରୁକି ହସି ମାଧବୀ କହିଲା,
-ଆଜି ଶେଷ ରଜ।ଖାଅ କି ନଖାଅ ମୋ ହାତ ଭଙ୍ଗା ପାନକୁ ମନା କରନା।ସ୍ନେହରେ ଦେଉଛି।ଗଲାବେଳେ ବରଂ ଫୋପାଡ଼ି ଦେବ।”
ଜୁଳୁ ଜୁଳୁ କରି ଅନାଇଥିଲା ଗୌରବ।
ଘରେ ପହଞ୍ଚିଲା ପରେ ତାକୁ ଅନାଇ ଆବାକାବା ହୋଇ ମନସ୍ୱିନୀ କହିଲା,
-ତମ ଓଠ ଲାଲ କେମିତି ହୋଇଛି ? ତମେ ପାନ ଖାଇଛ !କିଏ ଦେଲା ?”
ଚମକି ପଡି ଦର୍ପଣରେ ନିଜ ଓଠ ଓ ନାଲିଆ ଜିଭକୁ ଦେଖୁଥିଲା ଗୌରବ ଆଉ ଭାବୁଥିଲା,ଦୁନିଆରେ ଏମିତି କୌଣସି ପୁରୁଷ ଅଛି,ଯିଏ ପ୍ରେମିକା ହାତ’ର କିଛି ଜିନିଷ ଖାଇବାକୁ ମନାକରିପାରିବ?ଆଉ ଯଦି ପ୍ରେମିକା ହାତର ରଜଖିଲିପାନ ହୁଏ,ତେବେ….
ଆଜି ଶେଷ ରଜ।ମାଧବୀ ଗାଁ କୁ କିଛି ହେବାକୁ ଦେବନି ସେ।
ଗୌରବ ଓଠରେ ଖେଳିଗଲା ଧାରେ ହସ।ତା କାନରେ ଗୁଞ୍ଜରିତ ହେଉଥିଲା,ଖୋକା ଭାଇଙ୍କ ସେଇ ଚିରସବୁଜ ଗୀତ
“ଆଲୋ ହୁଣ୍ଡି,
ପଇସାକେ ପାନ କେତେ ଖଣ୍ଡି,
ମହରଗ କାଳେ ଅମଳ କରିଛୁ,
ପୁରା ଚଉଷଠି ମସଲା ଗୁଣ୍ଡି……”
(©ଅରବିନ୍ଦଦାସ)