ଅରବିନ୍ଦ ଦାସଙ୍କ ଆଉ ଏକ ହୃଦୟସ୍ପର୍ଶୀ ଗପ: ‘ଲାସ ଚିହ୍ନଟ’
Tatkal Odisha
★★★★★★★★★★★★★★★
ଅରବିନ୍ଦ ଦାସ
ଦୁନିଆର ସବୁଠୁ କଷ୍ଟଦାୟକ କାମ ବୋଧେ ନିଜ ମୃତ ସମ୍ପର୍କୀୟଙ୍କ ଲାସକୁ ଚିହ୍ନିବା, ସନାକ୍ତ କରିବା …….
ବିବାହର ତିରିଶ ବର୍ଷ ପରେ ଆଜି,ହସପିଟାଲ ଶବାଗାରରେ ସ୍ୱାମୀ ସୁଧାଂଶୁଙ୍କ ଶବକୁ
ଚିହ୍ନଟ କରିବାକୁ ହେବ ମିନତିଙ୍କୁ !!!!
ଦୁଇ ପୁଅ ବିନୁ ଓ ଚିନୁ ଙ୍କ ସହିତ, ହସ୍ପିଟାଲ ଉଦ୍ଦେଶ୍ୟରେ ଘରୁ କାରରେ ବାହାରିଲା ବେଳେ ବି କାନ୍ଦ ଓ ଆଖିରୁ ଲୁହ ଶୁଖିବା ବନ୍ଦ ହେଉନଥିଲା ମିନତିଙ୍କର।
କାର କାଚ ବାଟେ ବାହାରକୁ ଅନାଉଥିଲେ ମିନତି।ସହର ଟା ଯେମିତି ସମ୍ପୂର୍ଣ୍ଣ ବଦଳି ଯାଇଥିଲା ତାଙ୍କ ପାଇଁ।
-ମମି,ଟିକେ ପାଣି ପିଇବ ?”ଗାଡି ଡ୍ରାଇଭ କରୁଥିବା ବଡ଼ ପୁଅ ବିନୁ ପଚାରିଲା।
ସାନ ପୁଅ ଚିନୁର ଛାତି ଉପରେ ମୁଣ୍ଡ ରଖି ମିନତି
ପଛ ସିଟରେ ଜୁଳୁଜୁଳୁ କରି ଅନେଇଥିଲେ।ମୁଣ୍ଡକୁ ଧୀରେ ହଲାଇ ମନା କଲେ।ଭୋକ,ଶୋଷ ସବୁତ ବନ୍ଦ ହୋଇଯାଇଛି ତାଙ୍କର।
କିଛି ଘଣ୍ଟା ତଳ କଥା ମନେ ପକାଉଥିଲେ ମିନତି।
ଟିଭିରେ ରେଳ ଦୁର୍ଘଟଣାର ଖବର ଶୁଣି ମିନତିଙ୍କ ହାତଗୋଡ଼ କମ୍ପିବାକୁ ଆରମ୍ଭ କରିବା ସହ ହୃତସ୍ପନ୍ଦନ ବଢିଯାଇଥିଲା।
ସୁଧାଂଶୁ ତ ଏଇ ଟ୍ରେନ ରେ ଥିଲେ।ତିନିଦିନ ତଳେ କିଛି କାମରେ ସୁଧାଂଶୁ କଲିକତା ଯାଇଥିଲେ।ଟ୍ରେନରେ ଫେରିଲା ବେଳେ ଏ ଦୁର୍ଘଟଣା!ହେ ଭଗବାନ !!
ସବୁ ଠାକୁରଙ୍କୁ ପ୍ରାର୍ଥନା କରି ସ୍ୱାମୀଙ୍କୁ ଫୋନ ଲଗାଇଲେ ମିନତି।ଅନ୍ୟପଟୁ କିଛି ଉତ୍ତର ମିଳୁ ନଥିଲା।
ବ୍ୟସ୍ତ ହୋଇ ଆହୁରି ଅନେକ ଥର ଫୋନ ଲଗାଇଲେ ମିନତି।ଫୋନ ରିଙ୍ଗ ହେଉଥିଲା,ଅଥଚ ସୁଧାଂଶୁ ଉତ୍ତର ଦେଉ ନଥିଲେ।ଦୁଇ ପୁଅ ବି ଫୋନ ଲଗାଇଲେ।ଭୟ ଆଶଙ୍କାରେ ଭରି ଯାଉଥିଲା ମନ।
କିଛି ସମୟ ପରେ ଟିଭିରେ ପ୍ରସାରିତ ହେଉଥିବା ଆକ୍ସିଡେଣ୍ଟ ସ୍ଥଳର ଭୟାଭୟ ଦୃଶ୍ୟ,ଆହତ ମୃତ ଯାତ୍ରୀଙ୍କ ରକ୍ତାତ ଶରୀର,ଯନ୍ତ୍ର ଣା ରେ ଛଟପଟ ହୋଇ ବୁହା ହେଉଥିବା ଯାତ୍ରୀ, ବ୍ୟସ୍ତ ହୋଇ ନିଜ ସହ ଯାତ୍ରା କରୁଥିବା ଆତ୍ମୀୟ ସ୍ୱଜନଙ୍କୁ ବିକଳ ହୋଇ ଖୋଜୁଥିବା ମଣିଷ ତଥା ନିଜ ଅତି ଆପଣାକୁ ହରାଇଥିବା ଲୋକ ଛାତି ଫଟା କ୍ରନ୍ଦନ ଦୃଶ୍ୟ ଦେଖି ବେହୋସ ହୋଇ ଯାଇଥିଲେ ମିନତି।
ଠାକୁର ଘରେ ପଶି ସେ ଖାଲି ପ୍ରାର୍ଥନା କରୁଥାନ୍ତି,ତାଙ୍କ ସୁଧାଂଶୁ ଯେମିତି ବଞ୍ଚି ଥାଆନ୍ତୁ।
ଦୁଇ ପୁଅ ତାଙ୍କୁ ଆଶ୍ୱସନା ଦେଇ କହୁଥାନ୍ତି,
-ମମି,ତୁମେ ବ୍ୟସ୍ତ ହୁଅନା।ହୁଏତ ଡ୍ୟାଡି ଙ୍କ ଫୋନ କେଉଁଠି ଗଳି ପଡିଥିବ।କିଛି ସମୟ ପରେ ଅନ୍ୟ କେଉଁଠୁ ଫୋନ କରିବେ।ଡ୍ୟାଡ଼ିଙ୍କ ଖବର ମିଳିଯିବ।”
ଶେଷରେ ଖବର ମିଳିଥିଲା…..ସୁଧାଂଶୁଙ୍କ ମୋବାଇଲ ଅନ୍ୟ ଜଣେ କିଏ ଉଠାଇ କହିଥିଲା,
-ଏ ମୋବାଇଲ ଯାହା ପକେଟରେ ଥିଲା,ସିଏ ଆଉ ଏ ଦୁନିଆରେ ନାହାନ୍ତି।ନୀଳ ରଙ୍ଗର ଟି ସାର୍ଟ ଓ କଳା ରଙ୍ଗର ପ୍ୟାଣ୍ଟ ଏ ବାବୁଙ୍କ ଦେହରେ ଅଛି।ଆପଣ ଶୀଘ୍ର ଆସି ଲାସ ସନାକ୍ତ କରନ୍ତୁ।”
ମିନତି ଙ୍କ ହାତରୁ ମୋବାଇଲ ତଳେ ଖସି ପଡ଼ିଥିଲା।
ହସ୍ପିଟାଲ ସାମ୍ନାରେ ପହଞ୍ଚିଲା ବେଳକୁ ବାହାରେ ଆହତ,ମୃତ ଯାତ୍ରୀଙ୍କଆତ୍ମୀୟସ୍ୱଜନ,ପୋଲିସ,
ପ୍ରଶାସନ,ମିଡିଆଵାଲା,ବିଭିନ୍ନ ରାଜନୈତିକ ଦଳର
କର୍ମକର୍ତ୍ତା ତଥା ସ୍ଥାନୀୟ ଦେଖେଣାହାରୀଙ୍କ ପ୍ରବଳ ଭିଡ।
ଭିଡ଼କୁ ଆଡେଇ ଦୁଇ ପୁଅଙ୍କ କାନ୍ଧରେ ହାତ ଭରା ଦେଇ ମିନତି ଆଗେଇ ,ପ୍ରଶାସନ ତରଫରୁ ସ୍ଥାପନ କରାଯାଇଥିବା କାଉଣ୍ଟର ରେ ପହଞ୍ଚି ,ସେଠାରେ ସୁଧାଂଶୁଙ୍କ ଫଟ ଦେଖାଇଲା ପରେ, ହସ୍ପିଟାଲର ଜଣେ କର୍ମଚାରୀ ଙ୍କ ସହ ସେମାନଙ୍କୁ ଯାଇ ସୁଧାଂଶୁ ଙ୍କ ଲାସ ସନାକ୍ତ କରିବାକୁ କୁହାଗଲା।
ଲାସ ରଖା ଯାଇଥିବା ହଲ ରଚଟାଣ ରେ ଥୁଆ ହୋଇଥିବା ସୁଧାଂଶୁଙ୍କ ନିଥର ଶରୀରକୁ ଦେଖି ନିଜକୁ ସମ୍ଭାଳି ପାରି ନଥିଲେ ମିନତି।
ଗାଳ୍ପିକ ଅରବିନ୍ଦ ଦାସ
ହେଲେ ସେମାନଙ୍କ ସହିତ ଯାଇଥିବା ଲୋକର କଥା ଶୁଣି ସେମାନେ ଆବାକାବା ହୋଇଯାଇଥିଲେ।
-ଏ ଲାସ ତ କିଛି ସମୟ ଆଗରୁ ଚିହ୍ନଟ ହୋଇ ଯାଇଛି।ହେଇ ଦେଖୁ ନାହାନ୍ତି ସେଇ ବଡି ଉପରେ ଘୋଡା ଯାଇଥିବା ଚଦରରେ ଲେଖା ଯାଇଥିବା ୨୭ ନମ୍ବର ଉପରେ ମୁଁ ପରା ନିଜେ ଗୋଲ ବନେଇଛି।ଆପଣମାନେ ବୋଧେ ଭୁଲ ବଡିକୁ ନିଜ ଲୋକର ବଡି ବୋଲି କହୁଛନ୍ତି।ଅନ୍ୟ ବଡି ଦେଖନ୍ତୁ।”
ଦୁଇ ପୁଅ ଓ ମିନତି କାନ୍ଦିବା ବନ୍ଦ କରି, ଚମକିପଡି ଆଶ୍ଚର୍ଯ୍ୟହୋଇ ଏକାସାଙ୍ଗରେ ପଚାରିଲେ,
-କିଏ ଚିହ୍ନଟ କରିଛି ଏ ବଡିକୁ ?”
-ଏଇ ବାବୁଙ୍କ ସ୍ତ୍ରୀ।ସାଙ୍ଗରେ ଦୁଇ ଝିଅ ବି ଥିଲେ।”
ରାଗିଯାଇ ଚିନୁ କହିଲା,
-ୟାଙ୍କ ସ୍ତ୍ରୀ ତ ଆମ ମମି।ଇୟେ ହିଁ ଆମ ଡ୍ୟାଡି।ଆମର ଚିହ୍ନିବାରେ କିଛି ଭୁଲ ହେବନି।ହେଇ ଦେଖ ଆମ ଡ୍ୟାଡ଼ିଙ୍କ ଫଟ।ଭୁଲରେ ଅନ୍ୟ କେହି ହୁଏତ ଆମ ଡ୍ୟାଡିଙ୍କୁ….
-ଦେଖନ୍ତୁ ଆଜ୍ଞା,ମୋ ସହିତ ଯୁକ୍ତି କରି କିଛି ଲାଭ ନାହିଁ।ଆପଣମାନେ ସେଇ କାଉଣ୍ଟରରେ ଶୀଘ୍ର କମ୍ପ୍ଲେନ କରନ୍ତୁ।ନହେଲେ ଅନ୍ୟ କିଏ ଏ ବଡି ନେଇଯିବ।ଆକ୍ସିଡେଣ୍ଟ ରେ ମରିଥିବା ଲୋକଙ୍କ ପରିବାରକୁ ଯେଉଁ କ୍ଷତିପୂରଣ ଟଙ୍କା ରାଜ୍ୟ ସରକାର, ରେଳବାଇ ଓ କେନ୍ଦ୍ର ସରକାର ଘୋଷଣା କରିଛନ୍ତି,ସେଇ ଟଙ୍କା ଲୋଭରେ କିଛି ବଦମାସ ଲୋକ ଏଭଳି ବି କରୁଛନ୍ତି।ଅନ୍ୟ ଏକ ଲାସ କୁ ବି ଜଣେ ସ୍ତ୍ରୀ ଲୋକ ନିଜ ସ୍ୱାମୀ ବୋଲି ଦାବି କରୁଥିଲା,ହେଲେ ପରେ ତା ମିଛ ଧରା ପଡିଲା।”
ବିନୁ କହିଲା,
-ହୁଏତ ସେ ମହିଳା ଭୁଲରେ ଆମ ଡ୍ୟାଡ଼ିଙ୍କୁ…
ମିନତି ଙ୍କ ମୁଣ୍ଡ ଟା ଟିକଟିକ ହୋଇ ବିନ୍ଧିବା ଆରମ୍ଭ କରିଦେଇଥିଲା।
ଜୀବନର ସବୁଠୁ ଦୁଃଖଦ,ଶୋକାପ୍ଲାବିତ ଅତ୍ୟନ୍ତ ଭାଵପ୍ରବଣ ମୁହୂର୍ତ୍ତରେ ଯେ ଏଭଳି ଝଟକା ମିଳିବ ତାହା ସ୍ୱପ୍ନ ରେ ଭାବି ନଥିଲେ ମିନତି।ସାମାନ୍ୟକିଛି
ଟଙ୍କା ଲୋଭରେ ଜଣେ ଏତେ ତଳକୁ ଖସି ଯାଇପାରେ ???
କାଉଣ୍ଟର କୁ ଆସି ସବୁ କଥା କହିଲା ପରେ ସେଠାରେ ବସିଥିବା ଜଣେ ବାବୁ କହିଲେ,
-ହେଇ ଦେଖନ୍ତୁ,ସେ ବେଞ୍ଚରେ ଦୁଇ ଛୋଟ ଝିଅଙ୍କ ସହ ବସିଥିବା ମହିଳା ଜଣଙ୍କ କିଛି ସମୟ ଆଗରୁ ଏଇ ୨୭ ନମ୍ବର ଲାସ କୁ ନିଜ ସ୍ୱାମୀ ବୋଲି କହି ପ୍ରମାଣ ବି ଦେଖାଇଛନ୍ତି।ଆପଣ ଜାଣିଛନ୍ତି ତାଙ୍କୁ ?”
ମିନତି ଆଖି ଲୁହ ପୋଛି, ଚଟକିନା ବୁଲିପଡ଼ି ଦେଖୁଥିଲେ ଵେଞ୍ଚ ରେ ବସି କାନ୍ଦୁଥିବା ଜଣେ ମହିଳାଙ୍କୁ।ପାଖରେ ଦୁଇ ଝିଅ।ଆଶ୍ଚର୍ଯ୍ୟ ହୋଇ ମିନତି ଭାବୁଥିଲେ କିଏ ଏଇ ସ୍ତ୍ରୀ ଲୋକ ! କେବେ ତ ୟାକୁ ସେ ଦେଖି ନାହାନ୍ତି।
ଲୋକ ପଠାଇ ସେଇ ମହିଳାଙ୍କୁ ପାଖକୁ ଡକାଇଲେ ପ୍ରଶାସନିକ ଅଧିକାରୀ।
ସବୁ ଶୁଣି ନିର୍ବିକାର ଭାବେ ସେ ମହିଳା କହିଲେ,
-ସୁଧାଂଶୁ ହିଁ ମୋ ସ୍ୱାମୀ,ଏଇ ଦୁଇ ଝିଅ ଆମ ଦୁହିଁଙ୍କର।ଏଇ ଦେଖନ୍ତୁ ଆମ ବାହାଘର ଫଟ।
ତିନି ଦିନ ହେଲାଣି ସେ ମୋ ସହିତ ମୋ ଘରେ ଥିଲେ ଓ ଘରୁ ବାହାରି ସେ ଟ୍ରେନ ଧରିଥିଲେ।ମୋ ଦୁଇ ଝିଅଙ୍କ ବାର୍ଥ ସାର୍ଟିଫିକେଟ ଓ ସ୍କୁଲ ସାର୍ଟିଫିକେଟ ରେ ବି ବାପାଙ୍କ ନାଁରେ ସୁଧାଂଶୁଙ୍କ ନାଁ ଅଛି।”
ବିନୁ ଓ ଚିନୁ ରାଗିଯାଇ ପାଟି କରି ଗାଳି ଦେଉଥିଲେ
ସେ ମହିଳାଙ୍କୁ।ମିନତି ବି ବିରକ୍ତ ହୋଇ କହିଲେ,
-ଦେଖ,ତୁମକୁ ଆଉ କେହି ମିଳିଲେନି ମିଛ ଦାବି ପାଇଁ ? ଟଙ୍କା ଲୋଭରେ ଏସବୁ ତୁମେ କରୁଛ ?ସୁଧାଂଶୁ ଓ ମୁଁ ତିରିଶ ବର୍ଷ ହେଲା ବିବାହିତ।ମୋ ଦୁଇ ପୁଅ ଙ୍କୁ ଦେଖ।ହୁଏତ ତୁମ ସ୍ୱାମୀ ସୁଧାଂଶୁଙ୍କ ଭଳି ଅବିକଳ ଦେଖିବାକୁ ହୋଇଥିବେ।”
-ମୁଁ ମିଛ କହୁନି।ମୋ ନାଁ ଅଳକା।ପନ୍ଦର ବର୍ଷ ହେଲାଣି ସୁଧାଂଶୁଙ୍କ ସହ ମୋର ବିବାହ।ସବୁ ପ୍ରମାଣ,ଫଟ ମୋ ପାଖରେ ବି ଅଛି।”
ଅଧିକାରୀ ଜଣଙ୍କ ସମସ୍ତଙ୍କୁ ଚୁପ ରହିବାକୁ ଅନୁରୋଧ କରି କହିଲେ,
-ଲାସ ପକେଟରୁ ମିଳିଥିବା ମୋବାଇଲ ରୁ ଅନେକ ପ୍ରମାଣ ମିଳିଯିବ।”
ଗୋଟେ ପ୍ୟାକେଟ ଭିତରୁ ଏକ ମୋବାଇଲ ବାହାର କରି ଲକ ଖୋଲିବାକୁ ଚେଷ୍ଟା କରି ସେ ଅଧିକାରୀ କହିଲେ,
-ୟାର ପାସ ୱାର୍ଡ ଜାଣିଛନ୍ତି ?”
ବିନୁ ଚଟକିନା କହିଲା,
-ଏଇଟା ଆମ ଡ୍ୟାଡ଼ିଙ୍କ ମୋବାଇଲ।ମମି,ତମେ ଡ୍ୟାଡ଼ିଙ୍କ ମୋବାଇଲ ପାସୱାର୍ଡ ଜାଣିଛ ?”
ମିନତି ଚମକି ପଡି ଭାବିଲେ,ସୁଧାଂଶୁ ନିଜ ମୋବାଇଲ କାହାକୁ ଛୁଇଁବାକୁ ଦିଅନ୍ତିନି।ତାଛଡା ତାଙ୍କ ମୋବାଇଲ ର ଲକ,ପାସ ୱାର୍ଡ ଜାଣିବାକୁ ସେ ନିଜେ କେବେ ଇଛା କରି ନାହାନ୍ତି ତଥା ଆବଶ୍ୟକତା ବି ପଡିନି।
ଅଳକା କହିଲା,
-ସାର ମୋତେ ଫୋନ ଦିଅନ୍ତୁ।ମୁଁ ଜାଣେ ପାସୱାର୍ଡ।”
ସତ କୁ ସତ ମୋବାଇଲ ଅନଲକ ହୋଇଗଲା।ନିଜ ଫୋନ ରୁ କଲ କଲା ଅଳକା।ଡାର୍ଲିଂଗ ଅଳକା ବୋଲି ସେଭ ହୋଇଥିବା ନମ୍ବର ବାଜିଲା।ମୋବାଇଲରେ ସେଭ ହୋଇଥିବା ଏକ ଫୋଲଡରରେ ଅଳକା ନିଜ ଦୁଇ ଝିଅଙ୍କ ସହ ସୁଧାଂଶୁଙ୍କ ବିଭିନ୍ନ ସ୍ଥାନରେ ଉଠାଇଥିବା ଫଟ,ଭିଡିଓ ସବୁ ବି ଦେଖାଇଲା।
-ମୋର ଦୁଇ ଦୁଇଟା ଛୋଟ ଝିଅ।ପ୍ରତିମାସ ସୁଧାଂଶୁ ଆମ ସହ ଦୁଇ ତିନି ଦିନ ବିତାନ୍ତି।ଗୋଟେ ପ୍ରାଇଭେଟ କମ୍ପାନୀରେ କାମ କରୁଛି ମୁଁ।ମୋ ଦୁଇ ଝିଅଙ୍କ ଡି ଏନ ଏ ଟେଷ୍ଟ କରାନ୍ତୁ।ଏଇନା ତ ମୋର ଓ ମୋ ପିଲାଙ୍କ ଭବିଷ୍ୟତ ଅନ୍ଧାର।ଯେହେତୁ ସେ ମୋ ସ୍ୱାମୀ,ତାଙ୍କ ବଡି ଓ କ୍ଷତିପୂରଣ ଟଙ୍କା ଉପରେ ମୋର ଓ ପିଲାଙ୍କର ହକ ଅଛି।”
ଆଶ୍ଚର୍ଯ୍ୟ ହୋଇ ସବୁ ଦେଖୁଥିଲେ ମିନତି।
ବିନୁ ରାଗିଯାଇ ନିଜ ମୋବାଇଲରେ ଥିବା ଫ୍ୟାମିଲି ଫଟ ସବୁ ଦେଖାଇ କହିଲା,
-ଏଇ ଦେଖନ୍ତୁ ସାର, ଡ୍ୟାଡ଼ିଙ୍କ ସହ ଆମର ଫଟ।ଏଇ ବଦମାସ ସ୍ତ୍ରୀ ଲୋକ ବୋଧେ ଫଟସପ କରିଛି।ଆମ ଡ୍ୟାଡି ଙ୍କ ବଡି କୁ ଅନ୍ୟ ଜଣେ କେମିତି କ୍ଲେମ କରିବ ?ମମି ତୁମେ କିଛି କାହିଁକି କହୁନ ?”
ଚେଆରରେ ବସି ମିନତି ଭାବୁଥିଲେ ସୁଧାଂଶୁ ପ୍ରତିମାସ ବିଜିନେସ,କ୍ଲାଏଣ୍ଟ ମିଟିଙ୍ଗ ବାହାନାରେ ଦୁଇ ତିନିଦିନ ବାହାରକୁ ଯେମିତି ହେଉ ଯାଆନ୍ତି।ବେଳେବେଳେ ଅଧିକ ଦିନ ବି।କେବେ ମିନତି ସ୍ବାମୀଙ୍କ ଉପରେ ସନ୍ଦେହ କରି ନାହାନ୍ତି।ହେଲେ ଏ ଫଟ ଓ ଭିଡିଓ ତଥା ଦୁଇ ଝିଅ !!ଏତେ କପଟୀ ସୁଧାଂଶୁ !!ନିଜ ଦୁଇପୁଅ,ସ୍ତ୍ରୀ ଥାଉ ଥାଉ……
ମିନତି ଙ୍କ ପାଖରେ ଏମିତି କଣ କମ ଥିଲା ଯେ,ଅନ୍ୟ ଗୋଟେ ସ୍ତ୍ରୀ ସହ ସମ୍ପର୍କ ରଖିଥିଲେ ସୁଧାଂଶୁ !!ତା ପୁଣି ଏତେବର୍ଷ ହେଲାଣି ????
ମିନତି ପୁଣି ଦେଖୁଥିଲେ ତୋଫା ଗୌରବର୍ଣ୍ଣା ସୁନ୍ଦରୀ
ସେ ସ୍ତ୍ରୀ ଲୋକକୁ।ଫିଲ୍ମ ହିରୋଇନ ଭଳି ଚେହେରା।
ମିନତି ଙ୍କ ମେଦବହୁଳ ସ୍ୱାସ୍ଥ ଓ ଶ୍ୟାମଳବର୍ଣ୍ଣ ରଙ୍ଗ ଅଳକା ଆଗରେ ଫିକା ଲାଗୁଥିଲା।
ରୂପରେ ଭୋଳ ହୋଇ ସୁଧାଂଶୁ ଏଭଳି …କାନ୍ଦ ମାଡୁଥିଲା ମିନତି ଙ୍କୁ।
ଦୀର୍ଘ ତିରିଶ ବର୍ଷର ବିଶ୍ବାସ,ଭରସା କ୍ଷଣିକ ଭିତରେ ଏମିତି ମିଳାଇ ଯାଏ ??ଏତେ ଛଳନା !
ସ୍ବାମୀଙ୍କ ଉପରେ ଅଭିମାନ, କ୍ଷୋଭ ବଦଳରେ ଘୃଣା ଆସୁଥିଲା।
ବିନୁ ଓ ଚିନୁ ,ମିନତି ଙ୍କୁ ଟିକେ ଦୂରକୁ ନେଇ ଯାଇ କହିଲେ,
-ମମି,ତୁମେ ବ୍ୟସ୍ତ ହୁଅନା।ବ୍ଲାକମେଲ କରି ଏ ସ୍ତ୍ରୀ ଲୋକ ବୋଧେ ଡ୍ୟାଡିଙ୍କୁ ଫସେଇ ଥିବ।ଆମେ ଯାହା ହେଲେ ବି ଛାଡ଼ିବାନି।ଡ୍ୟାଡ଼ିଙ୍କ ଲାସ ଆମେ ନେବା।”
ଅସହାୟ ସ୍ୱରରେ ମିନତି କହିଲେ,
-ତୁମ ଡ୍ୟାଡି କଣ ଛୋଟ ପିଲା ଥିଲେ ଯେ ସେ ତାଙ୍କୁ ଫସାଇଦେଲା ?ଏତେ ବର୍ଷ ହେଲାଣି ଆମେ ଟିକେ ସୁରାକ ବି ପାଇନେ ?”
ଧୀର ପାଦରେ କାଉଣ୍ଟର ଆଡ଼କୁ ଆଗେଇ ଯାଇ ମିନତି ଥରେ ସେ ସ୍ତ୍ରୀ ଲୋକ ଓ ଆଉଥରେ ସେଇ ଦୁଇ ଝିଅଙ୍କ ଆଡ଼କୁ ଅନାଇ,ଅଧିକାରୀଙ୍କୁ କହିଲେ,
-ସରି,ସେ ବଡି ମୋ ସ୍ୱାମୀଙ୍କର ନୁହେଁ।ଲାସ ସନାକ୍ତ କରିବାରେ ଆମର ଭୁଲ ହୋଇଯାଇଛି।କ୍ଷତିପୂରଣ ଟଙ୍କା ଓ ବଡି ଆପଣ ସେଇ ମହିଳାଙ୍କୁ ଦେଇ ପାରନ୍ତି।”
ଆବାକାବା ହୋଇ ଅନେଇଥିଲେ ବିନୁ ଓ ଚିନୁ।
ବାହାରକୁ ଯାଉ ଯାଉ ବିନୁ ଚିଡିଲା ସ୍ୱରରେ କହିଲା,
-ତୁମ ମୁଣ୍ଡ ବୋଧେ ଠିକ ନାହିଁ ମମି।ଡ୍ୟାଡି ଙ୍କ ଲାସ କୁ ସତ୍କାର କରିବା ବଦଳରେ ତୁମେ ଅନ୍ୟ ଲୋକକୁ ଦେଇ ଦେଉଛ ?”
ଚିନୁ କହିଲା,
-ମମି,ଆଉଥରେ ଭଲକରି ଚିନ୍ତାକର।ଆମେ ଏଇନା ବିନା ଲାସ ସତ୍କାରର ଦଶ କର୍ମ ,ଶୁଦ୍ଧିକ୍ରିୟା କେମିତି କରିବା ?ତା ଛଡା ଡ୍ୟାଡ଼ିଙ୍କ କ୍ଷତିପୂରଣ ଟଙ୍କାର ଅସଲ ହକଦାର ତ ତମେ।”
ଆଖି ଲୁହ ପୋଛି ମିନତି କହିଲେ,
-ମୋ ଦୁଃଖ,ଯନ୍ତ୍ରଣାକୁ କଣ ସେ କ୍ଷତିପୂରଣ ଟଙ୍କା ଭରଣ କରି ପାରିବ ?ବରଂ ସେଇ ଟଙ୍କା ଆଣିଲେ ମୋତେ ଲାଗିବ ସୁଧାଂଶୁ ନିଜ ଭୁଲ ପାଇଁ ମୋତେ ଯେମିତି କିଛି ପାରିତୋଷିକ ଦେଇଗଲେ।ସୁଧାଂଶୁ ଙ୍କୁ ମୁଁ କେବେ କ୍ଷମା କରି ପାରିବିନି।ସେ ସ୍ତ୍ରୀ ଲୋକ ଓ ଦୁଇ ସାନ ଝିଅଙ୍କ ବେଶୀ କାମରେ ଲାଗିବ ସେ କ୍ଷତିପୂରଣ ଟଙ୍କା।ନିଅନ୍ତୁ ସେମାନେ।ଭଗବାନ ଆମକୁ ବହୁତ ଦେଇଛନ୍ତି।”
ଆକାଶକୁ ଅନାଇ ଦୀର୍ଘନିଶ୍ବାସ ଛାଡି ମିନତି ପୁଣି କହିଲେ,
- ଶ୍ରାଦ୍ଧ କର୍ମ ପାଇଁ ଲାସ ର ଆବଶ୍ୟକତା ନଥାଏ,ବରଂ ଶ୍ରଦ୍ଧାରେ ଶ୍ରାଦ୍ଧ କରାଯାଏ।ମୁଁ ଭାବୁଛି ଏ ଲାସ ସିନା ଆମେ ଆଜି ଦେଖୁଛେ,ହେଲେ ଅସଲରେ ପନ୍ଦରବର୍ଷ ତଳୁ ଆମକୁ ଅନ୍ଧାରରେ ରଖି ଅନ୍ୟ ସ୍ତ୍ରୀଲୋକ ସହ ସମ୍ପର୍କ ରଖି ଆଉ ଗୋଟେ ସଂସାର ଗଢି ଆମକୁ ଧୋକା ଦେଇଥିବା ସେ ଲୋକଟା ତ ଆମ ପାଇଁ ପନ୍ଦର ବର୍ଷ ତଳୁ ମରି ଯାଇଛି।ସତରେ ମଣିଷକୁ ଚିହ୍ନି ହୁଏନା,କେବଳ ଲାସକୁ ଚିହ୍ନଟ କରିହୁଏ।”
(©️ଅରବିନ୍ଦଦାସ)