ଆଉ ଏକ ନିଆରା ଗଳ୍ପ-‘ସମାନ୍ତର’

0

– ଅରବିନ୍ଦ ଦାସ

★★★★★★★★★★★★

ରେଳଧାରଣା ସବୁବେଳେ ସମାନ୍ତର….
ଟ୍ରେନରେ ନିଜ ବର୍ଥରେ ବସିସାରି,ରୋମା ସାମ୍ନାସିଟରେ ବସିଥିବା ଲୋକଟାକୁ ଦେଖି ଚମକି ପଡିଲା।
ଅତନୁ !! ଏଇଠି !
ମୋବାଇଲ ଦେଖିବାରେ ବ୍ୟସ୍ତଥିଲା ଅତନୁ।ରୋମାକୁ ଦେଖିନି ସେ।
ଟ୍ରେନ ପ୍ଲାଟଫର୍ମ ଛାଡି ଚାଲିବା ଆରମ୍ଭ କରିବା ବେଳେ ଅତନୁ ମୋବାଇଲ ବନ୍ଦ କରି ସାମ୍ନାକୁ ଅନାଇ ରୋମାକୁ ଦେଖି ଯଦିଓ ଆଶ୍ଚର୍ଯ୍ୟ ହୋଇଗଲା,ତଥାପି ନିଜକୁ ସମ୍ଭାଳି ସ୍ମିତ ହସଟିଏ ମୁହଁରେ ଖେଳାଇ ପଚାରିଲା,
କେମିତି ଅଛ ?”
-ଭଲ ।”ସଂକ୍ଷିପ୍ତ ଉତ୍ତର ଦେଇ ନିଜ ବ୍ୟାଗରୁ ଗୋଟେ ମ୍ୟାଗାଜିନ କାଢି ମୁହଁ ସାମ୍ନାରେ ମେଲାଇ ଧରିଲା,ଯେମିତିକି ଅତନୁ ତା ମୁହଁ ଦେଖି ନପାରୁ।
ରୋମାକୁ କାହିଁକି କେଜାଣି ଅସହଜ ବୋଧ ହେଉଥିଲା ।
ହେ ଭଗବାନ! ତାକୁ ନିଜ ବର୍ଥ ଟିଟିଇଙ୍କୁ ଅନୁରୋଧ କରି ବଦଳାଇବାକୁ ପଡିବ।
ଖିଡିକି ବାଟେ ଏଥର ରୋମା ଅନ୍ୟମନସ୍କ ଭାବେ ଅନାଉଥିଲା ଅନ୍ୟପଟ ରେଳୱେ ଟ୍ରାକକୁ।
ଟ୍ରେନ ଟ୍ରାକ’ର ଦୁଇ ଲୁହାଧାରଣା ଭଳି,ବେଳେବେଳେ ଦୁଇଜୀବନ ବି ସମାନ୍ତର ଭାବେ ଗତି କରନ୍ତି।
ଠିକ ଯେମିତି ସେ ଓ ଅତନୁ।ଯଦିଓ ଅଗ୍ନିକୁ ସାକ୍ଷୀ ରଖି ପରସ୍ପରର ହାତଧରି ଦୁହେଁ ବାହାହୋଇ ସାତଜନ୍ମ ଏକାଠି ରହିବାର ପ୍ରତିଜ୍ଞା କରିଥିଲେ;
ହେଲେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଆସିଥିଲା ଝଡ଼।ବିବାହ ବିଚ୍ଛେଦ ପାଇଁ କୋର୍ଟରେ କେସ ଚାଲିଛି।ଫ୍ୟାମିଲି କୋର୍ଟ ସେମାନଙ୍କ କେସର ଶୁଣାଣି କରି ଛଅମାସର ସମୟ ଦେଇଥିଲା,କାଳେ ଯଦି ଅଲଗା ହେବାର ନିଷ୍ପତ୍ତି ପରିବର୍ତ୍ତନ କରି ଦୁହେଁ ପୁଣି ଏକାଠି ରହିବାର ଫଇସଲା କରନ୍ତି….
ବିବାହ ବିଚ୍ଛେଦ ନିଷ୍ପତ୍ତି ଥରେ ନେଇଗଲା ପରେ କିଏ ଆଉ ଚାହିଁବ ପୁଣିଥରେ ଏକାଠି ହେବାପାଇଁ ?

ବୋହିଯାଇଥିବା ପାଣି,ବନ୍ଧୁକ ଫୁଟି ବାହାରି ଯାଇଥିବା ଗୁଳି କଣ କେବେ ଫେରେ !
ରୋମା ଅଣନିଶ୍ବାସୀ ହୋଇ ପଡିଥିଲା ନିଜ ଦାମ୍ପତ୍ୟ ଜୀବନରେ।ସ୍ୱାମୀ ହିସାବରେ ଅତନୁ ଯଦିଓ ସରଳ ଓ ସ୍ନେହୀ,କିନ୍ତୁ ଅତି ମାତ୍ରାରେ ପୁରୁଣାକାଳିଆ ଢଙ୍ଗରଙ୍ଗ ଵାଲା ପୁରୁଷ ଓ ଜିଦିଆ ବି।ସ୍ତ୍ରୀ ଅପେକ୍ଷା ନିଜ ବାପା,ମା ଅତନୁ ପାଇଁ ଅଧିକ ମହତ୍ୱବାନ।
ରୋମା ମଡ଼ର୍ଣ୍ଣ ଖିଆଲି ଵାଲା ଝିଅ।ସେ ଚାହୁଁଥିଲା ବିବାହ ପରେ ନିଜର ଏକ ସ୍ୱପ୍ନର ଘର ତୋଳିବ,ନିଜ ଇଚ୍ଛାରେ ସଜାଇବ।
ହେଲେ ନିଜ ପୁରୁଣା ପୈତୃକ ଘର ଓ ବାପା ମାଙ୍କୁ ଛାଡି,ରୋମା ସହ ନୂଆ ଫ୍ଲାଟ/ଘରକୁ ଶିଫ୍ଟ ହେବାକୁ ରୋକ ଠୋକ ମନା କରିଦେଇଥିଲା ଅତନୁ।
ସେଇଥିପାଇଁ ଦୁହିଁଙ୍କ ଭିତରେ ଅନେକ ଝଗଡା।
ରୋମା ଥରେ ପଚାରିଥିଲା,
-ତୁମ ପାଇଁ କିଏ ଆଗେ ?ମୁଁ ଅଥବା ତୁମ ବାପା,ମା ?”
ଡିପ୍ଲୋମାଟିକ ଉତ୍ତର ଦେଇଥିଲା ଅତନୁ,
-ସମସ୍ତେ ମୋ ପାଇଁ ମୂଲ୍ୟବାନ।ସମସ୍ତଙ୍କୁ ନେଇ ଆମ ସଂସାର।”
ରୋମାକୁ ଲାଗିଥିଲା, ଏଭଳି ମଣିଷ ସହ ସାରାଜୀବନ ସେ କଦାପି ବିତାଇ ପାରିବନି ଯିଏ ନିଜ ସ୍ତ୍ରୀକୁ ଗୁରୁତ୍ୱ ଦିଏନା,ପ୍ରାଥମିକତା ଦିଏନା।
ବାସ,ବିବାହ ବିଛେଦର ମୂଳଦୁଆ ସେଇଠୁ।
ଅବଶ୍ୟ ଅତନୁ ତାକୁ ବହୁତ ନେହୁରା ହୋଇଛି,ଫୋନ କରିଛି,ଏକାଠି ମିଶି ରହି ପୁଣିଥରେ ଘର ସଂସାର କରିବାକୁ।ହେଲେ ରୋମା ରାଜି ହୋଇନି।ସେ ବି ଚାକିରୀ କରିଛି,ଇଣ୍ଡିପେଣ୍ଡେଣ୍ଟ ମହିଳା।ସେ ଚାହିଁଲେ,ଅନେକ ପୁରୁଷ ଆଗେଇ ଆସିବେ ତା ହାତ ଧରିବା ପାଇଁ।ଅତନୁ ବି ଆଉ କେଉଁ ଝିଅକୁ ବାହାହୋଇଯିବ।ସେମାନେ ସମାନ୍ତର ହୋଇ ଗତି କରିବେ।
ରୋମାର ଶାଶୁ,ଶଶୁର,ବାପା,ବୋଉ ବି ଅନେକ ବୁଝାଇଥିଲେ ।ହେଲେ ରୋମା ଅଚଳ ମେରୁ ଭଳି ଅଟଳ ଥିଲା ନିଜ ନିଷ୍ପତ୍ତି ରେ।
ଆସନ୍ତାକାଲି ବିବାହ ବିଛେଦର ନିଷ୍ପତ୍ତି ହୋଇଯିବ।ସରକାରୀ ଭାବେ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଯିବେ।
-ଚା ପିଇବ ରୋମା ?” ଅତନୁ କଥାରେ ଭାବନାରାଜ୍ୟରୁ ଫେରିଆସି ଦୀର୍ଘନିଶ୍ବାସଟିଏ ଛାତି ଭିତରୁ ବାହାରି ଆସିଲା ରୋମା’ର।
-ନା।”
ଆସନ୍ତାକାଲି ଠାରୁ ତମେ ସ୍ୱାଧୀନ,ଯାହା ତମେ ଚାହୁଁଥିଲ।ଭଗବାନଙ୍କ ବରାଦ ଦେଖ,ଆଜି ଆମ ଦୁହିଁଙ୍କୁ ଏକାଠି କରିଛି।ସ୍ୱାମୀ ସ୍ତ୍ରୀ ହିସାବରେ ଏହା ଆମର ଶେଷ ରେଳ ଯାତ୍ରା।ଟ୍ରେନ ଜର୍ଣ୍ଣି ତୁମକୁ ବହୁତ ଭଲ ଲାଗେ।
ତମର ମନେ ଅଛି ?ହନିମୁନ ପାଇଁ ଉଟି,କୋଡାଇ କେନାଲ ଗଲାବେଳେ ଝରକା ପାଖ ସିଟରେ ବସି ତମେ କେତେ ରୋମାଣ୍ଟିକ ଗପ କଥା ସବୁ କହୁଥିଲ ଆଉ ମୁଁ ଏସି କୋଚର ଥଣ୍ଡା ପରିବେଶ ପାଇଁ ଢୋଲାଉ ଥିଲି ବୋଲି ତୁମେ ମୋ ଉପରେକେତେ ରାଗୁଥିଲ ?ଜାଣିଛ,ଆଜି ମୁଁ ଷ୍ଟେସନ ବାହାରିବା ପୂର୍ବରୁ ବୋଉ ଠାକୁରଙ୍କ ପାଖରେ ମାନସିକ କରି ଘିଅ ଦୀପ ବସାଉଥିଲା।ବୋଉ ଟା ସତରେ ବୋକୀ, ସେ ଭାବୁଛି ତା ଡାକ ଶୁଣି ଭଗବାନ ଆମ ଦୁହିଁଙ୍କ ଡାଇଭର୍ସ କେସ ବନ୍ଦ କରିଦେବେ।”
ଧୀର ସ୍ୱରରେ ରୋମା କହିଲା,
-ଗୋଟେ ତାଳି ପକା ସମ୍ପର୍କ କୁ କେତେଦିନ ଆଗେଇ ନେଇ ହେବ।ଜୀବନରେ ଆମେ ଦୁହେଁ ଅଲଗା ଅଲଗା ହୋଇ ଆଗେଇବା,ଠିକ ଏଇ ରେଲ ଧାରଣା ଭଳି।”
ଚଟକିନା ଅତନୁ କହିଲା,
ତେବେ ଆମେ ଅଲଗା ହେଲେ ବି ଭଲ ବନ୍ଧୁ ହୋଇ ରହିବା।ବି ଇନ ଟଚ।”
ହାତ ଘଣ୍ଟା ଦେଖିଲା ରୋମା,ସନ୍ଧ୍ୟା ଛଅଟା ବାଜିବ।
ବାଥରୁମ ଆଡ଼କୁ ଉଠିଗଲା ବେଳେ ମନେ ପକାଉଥିଲା,ତା ବୋଉ ବି ଆଜି ଠିକ ସେଇ ସମାନ କଥା କହୁଥିଲେ,

-ମା ରେ,ଡାଇଭର୍ସ କଣ ନିହାତି ଜରୁରୀ ?ଅତନୁ ଭଲ ପିଲା। ପୁଣିଥରେ ଏକାଠି ହୋଇଯାଅ ଦୁହେଁ।”
ଟିଟିଙ୍କୁ ଦେଖି ନିଜ ବର୍ଥ ବଦଳାଇବାକୁ ଅନୁରୋଧ କଲା ରୋମା।
ତା ଟିକେଟ ଓ ନିଜ ପାଖରେ ଥିବା ଚାର୍ଟ ଦେଖି ଟିଟି ଇ କହିଲେ,
-ଟ୍ରେନ ପୁରା ଫୁଲ ଅଛି,ଗୋଟେ ବି ସିଟ ଭ୍ୟାକାଣ୍ଟ ନାହିଁ । ଆଉ ଅଢେ଼ଇ/ତିନିଘଣ୍ଟା ପରେ ଆପଣ ତ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯିବେ।ତା ଛଡା ଆପଣଙ୍କର ତ ତଳ ବର୍ଥ।ଅସୁବିଧା କେଉଁଠି ?”
ବାଧ୍ୟ ହୋଇ ନିଜ ବର୍ଥକୁ ଫେରି ଆସିଲା ରୋମା।
ଅତନୁ ପୁଣି କହିଲା,
-ରୋମା,ପ୍ଲିଜ ,ଆଜି ରାତି ଭିତରେ ଆଉଥରେ ଚିନ୍ତା
କର।ତମେ ଚାହିଁଲେ ଆମେ ଦୁହେଁ ପୁଣିଥରେ ଏକାଠି…..
-ଆଜି ରାତିକ ଭିତରେ କଣ ଏମିତି ହୋଇଯିବ ଯେ…
ହଠାତ କିଛି ଜୋରରେ ଶବ୍ଦ;ଧୂମ ଧାମ,ଭୁସ ଭାସ।ଲୋକଙ୍କ ଆକୁଳ ଚିତ୍କାର।ଟ୍ରେନ ଆକ୍ସିଡେଣ୍ଟ ହୋଇ ବଗି ଗୁଡିକ ଓଲଟି ପଡିଥିଲା।ରୋମା ମୁଣ୍ଡରେ ଆଘାତ ଲାଗି ସେ ବେହୋସ ହୋଇଯାଇଥିଲା।।ଲାଇନ କଟିଯାଇ ଚାରିଆଡ଼ ଅନ୍ଧାର।
ରୋମାର ହୋସ ଫେରିବା ବେଳକୁ ଅନ୍ଧାର ଭିତରେ ସେ ଆବିଷ୍କାର କଲା ତା ଅଣ୍ଟା ପାଖରୁ ଗୋଡ଼ ଯାଏଁ ସିଟ ଭିତରେ ଚାପି ହୋଇଯାଇଥିଲା।ଦେହରେ ପ୍ରବଳ ଯନ୍ତ୍ରଣା।ଚାରିଆଡେ ହୋହାଲ୍ଲା ର ଶବ୍ଦ।
ରୋମାକୁ ଲାଗିଲା ଏମିତି ଅବସ୍ଥାରେ ରହିଲେ ସେ ମରିଯିବ।ଅତନୁ କୁଆଡେ ଗଲା !!ନିଜ ଜୀବନ ବଞ୍ଚାଇ ପଳାଇ ଥିବ।ରୋମା କଥା ସେ କାହିଁକି ଭାବିବ ?
-ରୋମା,ରୋମା,କେଉଁଠି ଅଛ ?ମୋ କଥା ଶୁଣି ପାରୁଛ ?ପ୍ଲିଜ ମୋ ହାତ ଧରି ଏଇ ଖିଡିକି ବାଟେ ବାହାରକୁ ଚାଲିଆସ।ଟ୍ରେନ ଆକ୍ସିଡେଣ୍ଟ ଯୋଗୁଁ ଆମ ବଗିରେ ନିଆଁ ବି ଲାଗିଯାଇଛି।ତମେ ଶୀଘ୍ର ବାହାରି ଆସ।”
ରୋମା ଦେଖୁଥିଲା ମୋବାଇଲ ଟର୍ଚ୍ଚ ପକାଇ ଅତନୁ ,ଓଲଟି ପଡିଥିବା କମ୍ପାର୍ଟ ମେଣ୍ଟ ଉପରେ ଠିଆ ହୋଇ ଭଙ୍ଗା ଯାଇଥିବା ଝରକା ବାଟେ ସହାୟତାର ହାତ ବଢ଼ାଇଛି।
ରୋମା କୁ ବହୁତ କଷ୍ଟ ହେଉଥିଲା।ଡାହାଣ ଗୋଡ଼ରେ ତାର ପ୍ରବଳ ଯନ୍ତ୍ରଣା।
ଅତନୁ,ମୁଁ ବାହାରି ପାରୁନି।”
ରୋମା ଦେଖୁଥିଲା ସେଇ ଅନ୍ଧାର ଭିତରେ ଝରକା ବାଟେ ଅତନୁ ବଗି ଭିତରକୁ ଆସି,ତା ଉପରେ ପଡିଥିବା ବିଭିନ୍ନ ଜିନିଷ କାଢ଼ିଲା ଓ ପ୍ରାୟ କୋଡିଏ ମିନିଟ ପରେ ତାକୁ ସିଟ ଭିତରୁ ବାହାର କରି,ନିଜ ଦୁଇ ହାତରେ ଝରକା ଆଡ଼କୁ ଟେକିଲା ବେଳେ ଝାପସା ଆଲୁଅରେ ରୋମା ଦେଖୁଥିଲା ପାଖରେ ଝୁଲିଥିବା କିଛି ରକ୍ତାକ୍ତ ନିର୍ଜୀବ ଶରୀର।ଭୟରେ ତା ଲୋମ ଟାଙ୍କୁରି ଉଠିଲା।ସେ ନିଜର ଡାହାଣ ପାଦ ପକାଇ ପାରୁ ନଥିଲା।ସମସ୍ତ ବଳ ସଞ୍ଚୟ କରି ଖିଡିକିକୁ ଧରି ଓହଳି ରହିଲା।ଅତନୁ ନିଜର ଶକ୍ତି ଖର୍ଚ୍ଚ କରି ଉପରକୁ ଟେକୁଥିଲା।ଶେଷରେ ଅତନୁ ନିଜେ ପାଖ ଝରକା ବାଟେ ବଗି ଉପରକୁ ଚଢି ରୋମାକୁ ଟାଣି ବାହାର କଲା।ବଗି ଉପରେ ବସିଲା ପରେ ରୋମାକୁ ଲାଗିଲା ସେ ପୁନର୍ଜନ୍ମ ପାଇଛି।
ଅନ୍ୟ ଲୋକଙ୍କ ସହାୟତାରେ ରୋମା ବଗି ତଳକୁ ଓଲ୍ହାଇ ରେଳ ଧାରଣାରେ ବସିଲା।
ସେମାନଙ୍କ କୋଚ ଓ ପାଖ କୋଚରେ ନିଆଁ ତୀବ୍ର ହେବାରୁ ସମସ୍ତେ ଦୌଡ଼ିବାକୁ ଲାଗିଲେ।ଅତନୁ ବ୍ୟସ୍ତ ହୋଇ କହିଲା,
-ରୋମା,ଜଲଦି ଚାଲ,କିଛି ଦୂରରେ ଷ୍ଟେସନ।ଆମେ ସେଇଠିକି ପଳାଇଲେ,ହସ୍ପିଟାଲ ଯିବାପାଇଁ ସୁବିଧା ହେବ।”
ହେଲେ ଦୌଡ଼ିବା ତ ଦୂରର କଥା,ଚାଲିବା ପାଇଁ ସକ୍ଷମ ନଥିଲା ରୋମା।କାନ୍ଦ କାନ୍ଦ ସ୍ୱରରେ ରୋମା କହିଲା,
-ମୁଁ ଠିଆ ହୋଇ ପାରୁନି ଅତନୁ।ବୋଧେ ମୋ ଅଣ୍ଟା ଓ ଗୋଡ଼ରେ ଜୋରରେ ଆଘାତ ଲାଗିଛି।”
ନିଜ ଦୁଇ ହାତରେ ରୋମାକୁ ଟେକି ଆଗେଇବାକୁ ଲାଗିଲା ଅତନୁ।ରୋମା ସେଇ ଅନ୍ଧାରରେ ଦେଖୁଥିଲା ଅତନୁ କୁ।ଅତନୁ କପାଳ, ଗାଲ ଓ ହାତରେ ଖଣ୍ଡିଆ ହୋଇ ରକ୍ତ ବାହାରୁଥିଲା।ନିଜ କଷ୍ଟ କୁ ଭୁଲି ତା ଜୀବନ ବଞ୍ଚାଉଛି ଅତନୁ ?
ଏଇ ଲୋକକୁ ସେ ଆସନ୍ତାକାଲି ଛାଡ଼ିଦେଵ ?ରୋମାର ଆଖି ବୁଜି ହୋଇ ଆସୁଥିଲା।
ହୋସ ଆସିଲାବେଳେ ନିଜକୁ ଆବିଷ୍କାର କଲା ଆମ୍ବୁଲାନ୍ସ ଭିତରେ ।ପାଖରେ ବସିଥିଲା ଅତନୁ।
ନିଜ ଫୋନରେ ଅତନୁ ,ଉଭୟଙ୍କ ଘର ଲୋକଙ୍କୁ ସେମାନେ ସୁରକ୍ଷିତ ଅଛନ୍ତି ବୋଲି ଜଣାଉଥିଲା।
-ଯା ହେଉ ତୁମ ହୋସ ଆସିଗଲା।ମୁଁ ତ ଡରି ଯାଇଥିଲି।”
ଏତେ କଷ୍ଟ ସତ୍ତ୍ୱେ ରୋମା ମୁହଁରେ ଖେଳିଗଲା ଧାରେ ହସ।ଧୀର ସ୍ୱରରେ କହିଲା,
-ନିଜର ବ୍ୟାଣ୍ଡେଜ କରାଇ ନିଅ।”

ହସ୍ପିଟାଲରେ ରୋମାର ଗୋଡ଼ ହାଡ଼ ଭାଙ୍ଗି ଯାଇଥିବାରୁ ପ୍ଲାଷ୍ଟର ହୋଇଥିଲା ଓ ଅତନୁ ର କ୍ଷତ ସ୍ଥାନ ସବୁ ଷ୍ଟିଚ ପଡି ବ୍ୟାଣ୍ଡେଜ ହୋଇଥିଲା।ଦୁହେଁ ଗୋଟିଏ ରୁମରେ ରହିଥିଲେ।
ସେଇ ରାତିରେ ଦୁହିଁଙ୍କ ବାପା,ବୋଉ ଆସି ପହଁଚିଥିଲେ ହସ୍ପିଟାଲରେ।ପିଲା ଦୁହେଁ ସୁରକ୍ଷିତ ଅଛନ୍ତି ବୋଲି ସମସ୍ତେ ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ।
ପରଦିନ ସକାଳେ ଅତନୁ ର ବୋଉ କହୁଥିଲେ,
-ଭଗବାନ ଙ୍କ ମାୟା ଦେଖ,ଦୁହିଁଙ୍କୁ ପୁଣି ଏକାଠି କରିଦେଲେ।ସେ ନିଆଁଲଗା ଡାଇଭର୍ସ କେସ ଉଠାଇ ଦିଅ।ବହୁତ ହୋଇଗଲା ଏ ଫାଲତୁ ଜିନିଷ।ଆଜି ପା ଦେଟ ଥିଲା। “
ରୋମାର ବୋଉ କହିଲେ,
-ଠିକ କହିଛନ୍ତି ସମୁଦୁଣୀ।ଆଜିକାଲିକା ପିଲା ଠିକିଲେ ଶିଖନ୍ତି।ଜୋଇଁ ଆମର ଥିଲେ ବୋଲି ରୋମା ବଞ୍ଚିଲା। “
ଧୀର ସ୍ୱରରେ ଅତନୁ କହିଲା,
-ମୁଁ କେବଳ ମାନବିକ ତା ଦୃଷ୍ଟିରୁ ମୋ କର୍ତ୍ତବ୍ୟ କରିଛି।ହୁଏତ ମୋ ଜାଗାରେ ଆଉ କିଏ ରୋମାକୁ ବଞ୍ଚାଇଥାନ୍ତା।ତେବେ ରୋମା ନିଷ୍ପତ୍ତି ନେଇ ସାରିଛି କି ସେ ଅଲଗା ହୋଇ ନିଜ ଜୀବନ କାଟିବ।ଆମ ଦୁହିଁଙ୍କ ଜୀବନ ଟ୍ରେନ ଲାଇନ ଭଳି ସମାନ୍ତର।ଦୁଇ ରେଳ ଧାରଣା କଣ କେବେ ଯୋଡି ହୁଏ ?ମୁଁ ଫୋନ କରି ଓକିଲକୁ ଅଲଗା ତାରିଖ ପାଇଁ ବରଂ କହିଦେବି।ରୋମାକୁ ବାଧ୍ୟ କରିବା ଉଚିତ ନୁହେଁ।ହୁଏତ ସେ ଅନ୍ୟ କେଉଁଠି ଖୁସିରେ ରହିବ।”
ଚମକି ପଡିଲା ରୋମା।ଠିକ ଏଇ ସମାନ ବାକ୍ୟ ସେ ନିଜ ଶଶୁରଙ୍କୁ ଘର ଛାଡିବା ଦିନ କହିଥିଲା।
ଅତନୁ ର ବାପା ଗମ୍ଭୀର ସ୍ୱରରେ କହିଲେ,
-ତମେ ଦୁହେଁ ଅବୁଝା ପିଲାଲୋକ।ଦୁନିଆଦାରି ବିଷୟରେ କେତେ ଜ୍ଞାନ ତୁମର ? ରେଲ ଟ୍ରାକ ର ଦୁଇ ଲୁହା ଧାରଣାର ଟ୍ରେନର ଦୁଇପଟ ଚକ ରହି ଭାରସାମ୍ୟ ରଖି ଗତି କରେ।ଦାମ୍ପତ୍ୟ ଜୀବନ ବି ଠିକ ଗୋଟେ ରେଳଗାଡି ଭଳି , ଆଉ ସ୍ୱାମୀ ସ୍ତ୍ରୀ ହେଉଛନ୍ତି ଦୁଇ ପାଖ ରେଳ ଧାରଣା।ନିଜ ଭିତର ରାଗ,ରୁଷା,ଅଭିମାନ କୁ ଭୁଲି,ଜୀବନ ରୂପୀ ଟ୍ରେନ କୁ ସାବଧାନତା ର ସହ ଗଡାଇବାକୁ ହୁଏ।ଅହମିକା,ଅଯଥା ଝଗଡା ଦାମ୍ପତ୍ୟ ରେଳ ଗାଡିକୁ ଦୁର୍ଘଟଣା ଘଟାଇ ଲାଇନ ଚ୍ୟୁତ କରେ,ଠିକ ଆଜିର ଟ୍ରେନ ଆକ୍ସିଡେଣ୍ଟ ଭଳି।”
ରୋମାର ବାପା ଝିଅ ମୁଣ୍ଡରେ ହାତ ବୁଲାଇଆଣି କହିଲେ,
-ସମସ୍ତଙ୍କୁ ନେଇ ଘର,ପରିବାର ହୁଏ ମା।ଚାକିରୀ କରୁଛେ ବୋଲି,ଏକୁଟିଆ ଆମେ ଆରାମରେ ରହିପାରିବୁ ବୋଲି ନିଷ୍ପତ୍ତି ଠିକ ନୁହେଁ।ରେଳ ଧାରଣା ଦେଖିବାକୁ ଗଲେ ସବୁବେଳେ ସମାନାନ୍ତର,ହେଲେ ମଝିରେ ମଝିରେ ଲୁପ ଲାଇନ ସେଇ ଦୁଇ ଧାରଣା କୁ ଯୋଡ଼େ,ଟ୍ରେନ ଗତିପଥ ବଦଳାଇଦିଏ।ଆପୋଷ ବୁଝାମଣା ହିଁ ଜୀବନର ଲୁପ ଲାଇନ।ବିବାହ ବିଚ୍ଛେଦ ଏକ ସମାଧାନ ନୁହେଁ,ବରଂ ଦମ୍ପତ୍ତି ଦୁହେଁ ସେଇ ନିଷ୍ପତ୍ତି ର ପୁନର୍ବିଚାର କରିବା ନିହାତି ଜରୁରୀ।ଏଇ ଆକ୍ସିଡେଣ୍ଟ ତୋ ପାଇଁ ଏକ ଭଗବତ ସୂଚନା,ନିର୍ଦ୍ଦେଶ ବୋଲି ଭାବେ।”
ଅତନୁ ଅନାଉଥିଲା ରୋମା ମୁହଁକୁ।
ଅତନୁ ର ବାପା କହିଲେ,
ତୁ ଘରକୁ ଫେରିଆ ମା,ଆମେ ବୁଢା ବୁଢ଼ୀ ଦୁହେଁ ଗାଁ ଘରକୁ ପଳାଇବୁ।”
କାନ୍ଦ କାନ୍ଦ ସ୍ୱରରେ ରୋମା କହିଲା,
-ମୋତେ ଆଉ ଲଜ୍ଜିତ କରନ୍ତୁନି ବାପା।ମୋ ଭୁଲ ପାଇଁ ଭଗବାନ ମୋତେ ଶିକ୍ଷା ଦେଇଛନ୍ତି।ଆମେ ସମସ୍ତେ ଏକାଠି ମିଶିକି ରହିବା।ଏ ମୂର୍ଖ ଝିଅକୁ ଆପଣ କ୍ଷମା କରି ଦିଅନ୍ତୁ।”
ସମସ୍ତେ ଖୁସି ହୋଇ ନିଜ ନିଜ ଆଖି ପୋଛୁଥିଲେ।
ଡାକ୍ତର ଓ ନର୍ସ ରୁମକୁ ଆସି,ଅନ୍ୟ ସମସ୍ତଙ୍କୁ ବାହାରି ଯିବାକୁ କହିଲେ।ଚେକ ଅପ ସାରି ସେମାନେ ଯିବାପରେ ରୋମା,ଅତନୁର ହାତ ଧରି କହିଲା,

  • ମୋତେ କ୍ଷମା କରିବନି ?ଆଛା ତମେ ମୋତେ କାହିଁକି ବଞ୍ଚାଉଥିଲ ?ହି ମ୍ୟାନ ଭଳି ମୋତେ ନିଜ ହାତରେ ଟେକି ଟେକି କେମିତି ନେଇ ଆସିଲ ?”
    ଅତନୁ ହସିଦେଇ କହିଲା,
    -ଏପର୍ଯ୍ୟନ୍ତ ପରା ଆମେ ସ୍ୱାମୀ ସ୍ତ୍ରୀ,ତେଣୁ ସ୍ତ୍ରୀକୁ ସୁରକ୍ଷା ଦେବା ମୋ ଦାୟିତ୍ୱ ଓ କର୍ତ୍ତବ୍ୟ।ଆଉ ହଁ,ବେଳେବେଳେ କିଛି ଆକ୍ସିଡେଣ୍ଟ ଜୀବନର ଗତିପଥକୁ ବଦଳାଇ, ସମାନ୍ତର ରୁ ଅସମାନ୍ତର କରି ହାପି ଏଣ୍ଡିଙ୍ଗ ଅର୍ଥାତ ସୁଖଦ ସମାପ୍ତି ଆଣିଥାଏ।”
    ସ୍ୱାମୀ କୋଳରେ ମୁଣ୍ଡ ଗୁଞ୍ଜି ରୋମା ଦେଖୁଥିଲା ଭବିଷ୍ୟତର ଅନେକ ସୁନେଲି ସ୍ୱପ୍ନ।
    (©ଅରବିନ୍ଦଦାସ)

Leave A Reply

Your email address will not be published.