ବାହୁନୁଛି ବାହାନଗା : କରମଣ୍ଡଳ ନା’ କ୍ରୁରମଣ୍ଡଳ

0

ବାହୁନୁଛି ବାହାନଗା : କରମଣ୍ଡଳ ନା କ୍ରୁରମଣ୍ଡଳ

  • **************
  • ମାୟାଧର ନାୟକ
  • **************

ଭାରତରେ ଶତାଦ୍ଦୀର ମହାପ୍ରଳୟଙ୍କର ରେଳଦୁର୍ଘଟଣା – ମୃତ୍ୟୁର ବିଭୀଷିକା ଅତ୍ୟନ୍ତ ହୃଦୟବିଦାରକ । ଏ କରମଣ୍ଡଳର କ୍ରୁରମଣ୍ଡଳରେ ଶବ ପାଲଟିଯାଇଥିବା ଓ ହାତଗୋଡହରା ଭୟଙ୍କର ଶରୀରରେ କ୍ଷତିଗ୍ରସ୍ତ ହୋଇଥିବା ହତଭାଗ୍ୟ ଯାତ୍ରୀମାନଙ୍କ ପାଇଁ ଦାୟୀ କିଏ, ଦୋଷୀ କିଏ, ଏସବୁ ସିବିଆଇ ତଦନ୍ତକରି ଦୋଷୀମାନଙ୍କୁ ଚିହ୍ନଟକରିବା ପୂର୍ବରୁ ଆଉ ଯେ କେତେ ଅଘଟଣ ନଘଟିବ କିଏ କହିପାରିବ । ଏବେ ଏବେ ବିହାରରେ ୧୭୦୦ କୋଟି ଟଙ୍କାର ନିର୍ମାଣଧୀନ ଗଙ୍ଗାପୋଲ ଗଳିପଡିଲା । ପ୍ରତିଦିନ ଯେତେ ଦୁର୍ଘଟଣା ଘଟୁଛି, ଲୋକ ମରୁଛନ୍ତି, ତା’ର ହିସାବ ରଖୁଛି କିଏ ?

ଆଜି ବାହୁନୁଛି ବାହାନଗା – ତମାମ୍‍ ଓଡିଶା ଅସ୍ତବ୍ୟସ୍ତ – ପାରୁପର୍ଯ୍ୟନ୍ତ ସେବାରେ ବ୍ୟସ୍ତ – ନିଜ ରକ୍ତ ନିଗାଡି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଦେଉଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‍, ଅଫିସର, କର୍ମଚାରୀ, ସ୍ୱେଛାସେବୀ ସମସ୍ତେ ପାରୁପର୍ଯ୍ୟନ୍ତ କାର୍ଯ୍ୟକରିଚାଲୁଛନ୍ତି । ବାହାର ପ୍ରଦେଶର ଲୋକଙ୍କୁ ନିଜ ଘରେ ଛାଡିବାପାଇଁ ମୁଖ୍ୟମନ୍ତ୍ରୀ ସବୁ ବ୍ୟବସ୍ଥା କରିବା ସଂଗେ ସଂଗେ କ୍ଷତିପୂରଣ ଟଙ୍କା ମଧ୍ୟ ଘୋଷଣା କରିଛନ୍ତି । ଏଇ ମାନବିୟ ବିଫଳତା – ମନୁଷ୍ୟକୃତ ଦୁର୍ଘଟଣା ପାଇଁ ଦାୟୀ କିଏ ? କେନ୍ଦ୍ରସରକାର, ରେଳବିଭାଗ ଅପରାଧୀ ନୁହଁନ୍ତି କି ? ଅପରାଧୀ କ’ଣ ଦୋଷୀକୁ ଧରିବ ? ବନ୍ଦେ ଭାରତ ରେଳ, ବୁଲେଟ୍‍ ଟ୍ରେନ୍‍ ପ୍ରକଳ୍ପରେ ବିଜ୍ଞାପନର ପଟୁଆର ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚକରିବା – ବାଲି ଉପରେ କୋଠା ତିଆରି ସଦୃଶ୍ୟ ।

ଏହି ମହାବିପର୍ଯ୍ୟୟର ମୃତ୍ୟୁବଳୟରେ ଶୁଭୁଥିଲା ଜୀବନର ଜୟଜୟ । ମର୍ମନ୍ତୁଦ ରେଳଦୁର୍ଘଟଣାରେ ରକ୍ତଜୁଡୁବୁଡୁ ବାହାନଗା ଭୂଇଁ ଭରିଯାଇଥିଲା । ବହୁ ବିପର୍ଯ୍ୟସ୍ତ ପ୍ରାଣଶୂନ୍ୟ ପିଣ୍ଡ ତଥା ଖଣ୍ଡବିଖଣ୍ଡିତ କାୟାଂଶରେ । ସେସବୁ ସମତେ ପୁଣି ମୃତାହତ ବହୁ ଯାତ୍ରୀ/ଯାତ୍ରିଣୀଙ୍କ ଛିନ୍ନଭିନ୍ନ ପରିଧାନ, ବିଛିନ୍ନ ବିଭିନ୍ନ ରଙ୍ଗର ବ୍ୟାଗ୍‍, ବିସ୍କିଟ୍‍ ପ୍ୟାକେଟ୍‍, ଖାଦ୍ୟଡିବା ଓ ଯାତ୍ରାକାଳୀନ ନାନାବ୍ୟବହାର୍ଯ୍ୟ ସାମଗ୍ରୀ । ଏସବୁ ମର୍ମବିଦାରକ ଦୃଶ୍ୟ ବ୍ୟତୀତ ଯେଉଁ ଜିନିଷଟି ସେଠି ହାଜର ଥିବା ଉଦ୍ଧାରକାରୀକର୍ମୀମାନଙ୍କର ନଜର ଆକର୍ଷଣ ଆଣିଥିଲା – ତାହା ହେଲା ଗୋଟିଏ ନୋଟ୍‍ବୁକର ଯୋଡିଏମାତ୍ର ପୃଷ୍ଠା । ଖୋଲାହୋଇପଡିଥିବା ସେ ନୋଟ୍‍ବୁକଟିର ଯୋଡିକଯାକ ପୃଷ୍ଠାରୁ ଫୁଟିଦିଶୁଥିଲା ସୁନ୍ଦର ସୁଗୋଲ ହାତଲେଖା ଅକ୍ଷରପୁଞ୍ଜ । ହଁ, ସେ ଆକର୍ଷଣୀୟ ଅକ୍ଷରପୁଞ୍ଜ ଥିଲା ଯୋଡିଏ କବିତାର କରୁଣ କେଇଟି ପଂକ୍ତି । ପରିଚ୍ଛନ୍ନ ବଙ୍ଗଳାଲିପିର ସେ କାବ୍ୟିକ ପଂକ୍ତିଗୁଚ୍ଛରେ ପୁଣି ମଧ୍ୟେ ମଧ୍ୟେ ଶୋଭାପାଉଥିଲା ହାତଅଙ୍କା ଛୋଟଛୋଟ ଛବି । ଏହି ସାଜସଜ୍ଜାସବୁ ସୂଚାଉଥିଲା କବିତା ଲେଖିଥିବା ଚରିତ୍ରଟିର ଲିପିବଦ୍ଧ ବର୍ଣ୍ଣମାଳା ସହିତ ନିଘନ ନିଗୃଢ ସୂକ୍ଷ୍ମସମ୍ବନ୍ଧଟିକୁ । ଓଡିଆରେ ଅନୁବାଦ କଲେ ହୁଏତ ଏହିଭଳି ରୂପ ନେଇପାରେ କିଛି କିଛି ଧାଡି । ‘ଅଳ୍ପଅଳ୍ପ ବାଦଲରୁ ହାଲ୍‍କାହାଲ୍‍କା ବୃଷ୍ଟି, ଛୋଟଛୋଟ କାହାଣୀରୁ ପ୍ରେମର ହିଁ ସୃଷ୍ଟି ।’

ମନେହୁଏ, ଏ କାବ୍ୟିକ ଉଚ୍ଛ୍ୱାସମୟ ପାଦପୁଞ୍ଜ ରଚନା କରିଥାଇପାରେ ଜଣେ ପ୍ରେମୀ ହିଁ କେବଳ । ଅଚାନକ୍‍ ହୃଦବିଦାରୀ ଏହି ଦାରୁଣ ଦୁର୍ଘଟଣା ଘଟିବାବେଳକୁ ହୁଏତ ଟ୍ରେନ୍‍ବଗିରେ ଉପବିଷ୍ଟା ସୁଦୂର ଦକ୍ଷିଣଭାରତଗାମିନୀ କୌଣସି ପ୍ରେମିକା ନିଜର ପ୍ରେମିକ-କବିଟି ତା’ପାଇଁ ଲେଖି ଉପହାର ପଠାଇଥିବା ଯୋଡିଏ କବିତାର ପଦସବୁ ପଢୁପଢୁ ବୈଶାଖବିଧୁର ଅପରାହ୍ନଟା ବିତାଇବାରେ ପ୍ରାସିନୀ ଥିବ । କିମ୍ବା କେଉଁ ସଦ୍ୟଭାବବିଭୋର କବିତରୁଣଟି ସ୍ୱରଚିତ ସୁକୁମାର କବିତା ପଢି ଆପଣା ଆଦ୍ୟପ୍ରେମର ସ୍ମୃତିରୋମନ୍ଥନରତ ଥିବ ।
ମାତ୍ର ଏବଯାଏଁ ସେ ପ୍ରେମିକକବି ବା ପ୍ରେମିକାକବୟିତ୍ରୀଙ୍କର ଖୋଜଖବର ମିଳିପାରିନି କିଛି - ଅଧିକନ୍ତୁ ନିଦାରୁଣ ନିୟତି ତାଙ୍କୁ ଏବେ ୟେ ମହରଗରୁ ନେଇ କେଉଁ କାନ୍ତାରରେ ପକାଇଛି, ଏହା ମଧ୍ୟ ଅଜଣା ଏଯାଏଁ । ଏ ରହସ୍ୟ ଉନ୍ମୋଚିତ ହେବାକୁ ସମୟ ଲାଗିପାରେ, ମାତ୍ର ଏଇ ଅନୁଭବଟି ନିଶ୍ଚୟ ତାତ୍ପର୍ଯ୍ୟପୂର୍ଣ୍ଣ ଯେ ଜୀବନ-ମୃତ୍ୟୁର ଅନିଶ୍ଚିତତା ମଧ୍ୟରେ ବି ପ୍ରେମ ଓ ସର୍ଜନା ଭଳି କେଇଟି ସୂକ୍ଷ୍ମମୂଲ୍ୟବୋଧ ମଣିଷକୁ ବରାବର ବରାଭୟ ବିଶ୍ୱାସ ଓ ଭରସାର ବାଟ ବତାଇଚାଲୁଥିବ - ଫି ବିଷାଦବେଦନାବାହୀ ବିପର୍ଯ୍ୟୟର କାରୁଣ୍ୟ ଭିତରେ ବି ଗୁଞ୍ଜିଉଠୁଥିବ ଜୀବନର ଜୟଜୟ ଏବଂ ଏହି ମରମୀ ପଦପୁଞ୍ଜରେ ପୁଣି କବିହୃଦଟିଏ ଘୋଷଣା କରିଛି :- ‘ଭଲପାଏ ଏହି ମନ, ତୋତେ ଚାହେଁ ପ୍ରତିକ୍ଷଣ - ପାଶେ ଥାଆ ସକାଳେ ସଞ୍ଜେ ତୁ ମୋର ପ୍ରାଣର ସ୍ପନ୍ଦନ, କହ ମୋତେ, ପାସୋରିବ କେମିତି ଏ ମନ, କେବଳ ତୁ ହିଁ ଯେ ମୋର ଅସଲ ଜୀବନ ।’

ଏମିତି ୟେ ଧାଡିସବୁ କିଏ ଲେଖିଛି କି କାହା ଉଦ୍ଦେଶ୍ୟରେ ଲେଖିଛି, ମାଲୁମ୍‍ ନାହିଁ ବିନ୍ଦୁବିସର୍ଗ କାହାରିକୁ – ମାତ୍ର ମୃତ୍ୟୁର ଉପତ୍ୟକାରୁ ଉପଲବ୍ଧ ଏଇ କେଇଟି ଆବେଗମୟ ପଦ ଯେମିତି ଆଜି ବି ଆମର ଶୋକବିଧୁର ସମାଜଜୀବନକୁ ପ୍ରଦାନ କରିବାକୁ ପ୍ରସ୍ତୁତ ଏକ କୋମଳ ଆଶ୍ୱାସନାର କିଶଳୟ - ଯାହାକୁ ମଉଳାଇ ନପାରେ ଏଠି କୌଣସି ଅକାଳମୃତ୍ୟୁର ମର୍ମନ୍ତୁଦତା ଅଥବା ଦାରୁଣ ଦୁର୍ଘଟଣାର ଦୁର୍ବିସହତା ।

ଏଇଭଳି ମୃତ ଓ ଜୀବିତ ମଣିଷଙ୍କ ମନରେ କେତେ କଥା କେତେ ବ୍ୟଥା ରହିଗଲା – ସେସବୁ ପ୍ରକାଶ କରିବାକୁ ଶଦ୍ଦ ଅଭାବ ରହିବ । ଏଇ ଯେମିତି ଗଦାଗଦା ଶବ ଭିତରୁ ଜିଅନ୍ତା ମଣିଷର ଆର୍ବିଭାବ । ହୁଏତ କବି/କବୟତ୍ରୀ/ଲେଖକ/ଲେଖିକାମାନେ ବହୁ ଗଳ୍ପ, ଉପନ୍ୟାସ ଲେଖିବେ - ସେଇସବୁ ମୃତ ଓ ଜୀବିତ ହତଭାଗ୍ୟମାନଙ୍କ କଥା ଓ ବ୍ୟଥାକୁ ନେଇ । ଏବେ ବିଭିନ୍ନ ସରକାର, ରେଳବିଭାଗ ମୃତ-ଆଘାତପ୍ରାପ୍ତମାନଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଜୀବନର ମୂଲ୍ୟ କ’ଣ ପାଞ୍ଚଦଶ ଲକ୍ଷ ଟଙ୍କା ! ଏଠି କ’ଣ ମଣିଷର ମୂଲ୍ୟ ଏତେ ଶସ୍ତା ? ଅସଂଖ୍ୟ ଯାତ୍ରୀଙ୍କ ପୃଥିବୀ ଓଲଟପାଲଟ ହେଇଗଲା କ୍ଷଣିକ ମଧ୍ୟରେ

– ରହିଗଲା କାରୁଣ୍ୟର ଛାତିଫଟା ଲୁହ ଓ କୋହ । ଯେଉଁମାନେ ବଞ୍ଚିଗଲେ ହାତଗୋଡ ହରାଇ, ଦୁଃଖକଷ୍ଟଯନ୍ତ୍ରଣା ସାରା ଜୀବନ ପାଇବେ । ସେମାନଙ୍କ ଆଖିର ଲୁହ ପୋଛିପାରିବ କି ମୋଦି ସରକାର ?

 ଏ ମନୁଷ୍ୟକୃତ ଦୁର୍ଘଟଣାପାଇଁ ଯେଉଁମାନେ ଦାୟୀ – ସେମାନଙ୍କ ନାଁରେ ଭାରତୀୟ ପିଙ୍ଗଳ କୋର୍ଡର ୩୦୨ ଦଫା ଲଗାଇ ସେମାନଙ୍କୁ କାରାଗାରେ ଠୁଙ୍କିବେ କି ସିବିଆଇ ?

ଏସବୁ ସିବିଆଇ କରିପାରିବନାହିଁ – ତା’ହେଲେ ଅଯଥା ରାଜକୋଷରୁ ଟଙ୍କା କାହିଁକି ଖର୍ଚ୍ଚ ହେବ ?

ସିବିଆଇ କ’ଣ ମୃତ,ବଞ୍ଚିଥିବା ମଣିଷ ଓ ସେମାନଙ୍କ ପରିବାର ଲୋକଙ୍କ ଆଖିରୁ ଲୁହ ପୋଛିପାରିବ ?

ସବୁଥିରେ ସିବିଆଇକୁ ଭଗବାନ ସ୍ଥାନରେ ରଖନ୍ତୁନାହିଁ । ସେମାନେ ରକ୍ତମାଂସଧାରୀ ମଣିଷ । ସେମାନଙ୍କର ପରିବାର ଅଛି, ସ୍ୱାର୍ଥ ଅଛି, ଚାକିରୀରେ ଅବସର ମଧ୍ୟ ଅଛି, ଦେଶପ୍ରେମରେ ସବୁକିଛି ଭୂଲି କାମକରିବେ ଏହା ସମ୍ଭବ ନୁହେଁ ।

ସିବିଆଇ ତଦନ୍ତ କେବଳ ଅସଲ ସତ୍ୟକୁ ଲୋକ ଆଢୁଆଳରୁ ଦୂରେଇ ରଖିବାର ଚକ୍ରାନ୍ତ । ସିବିଆଇ ଦେବଦୂତ୍ତ ନୁହେଁ । ସେମାନେ ଯେକୌଣସି ଦୁର୍ଘଟଣା ଘଟିଲେ ସବୁର ତଦନ୍ତ ଦାୟିତ୍ୱ ନେଉଛନ୍ତି – ସେସବୁ ଅଧିକାଂଶ ଫସର ଫାଟିଯାଉଛି । କେନ୍ଦ୍ରସରକାରଙ୍କ ଗୃହବିଭାଗ ଅଧିନରେ ସିବିଆଇ । ଏମାନେ ଦକ୍ଷ ପୋଲିସ ବୋଲି ସେମାନଙ୍କୁ ସିବିଆଇ ମାର୍କା ପୋଲିସ୍‍ କୁହାଯାଏ । ସେମାନେ ଯେଉଁ ତଦନ୍ତ କରନ୍ତି – ପାଗ ଭିଡୁ ଭିଡୁ କଚେରୀ ବରଖାସ୍ତ । ତାଙ୍କ ତଦନ୍ତ ପ୍ରଥମେ ହଟଚମଟ ସୃଷ୍ଟିକରି ପରେ ଘୋର ନିଦ୍ରାରେ ଘୁଙ୍ଗୁଡି ମାରନ୍ତି । ନିଦ ଭାଙ୍ଗିଲାବେଳକୁ ନିର୍ଦ୍ଦେଶିତ କାହା ମୁଣ୍ଡରେ ଅଠା ବୋଳିଦିଅନ୍ତି । ଏଇ ସିବିଆଇ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ତଦନ୍ତ କରୁଥିଲେ । ଅଢେଇବର୍ଷରେ କୋଟି କୋଟି ଟଙ୍କା ରାଜକୋଷରୁ ଖର୍ଚ୍ଚକରି ଯାହା ଫଳ ମିଳିଲା ତାହା କାହାକୁ ଅଜଣା ନାହିଁ । ଆମ ଓଡିଶାରେ ସୁକିନ୍ଦା ଖଣି ଅଞ୍ଚଳରେ ଶ୍ରମିକନେତା ଶ୍ୟାମାପଦ ରାଉତଙ୍କୁ ଅତି ଅମାନୁଷିକ ଭାବେ ଜନଗହଳିପୂର୍ଣ୍ଣ ଟାଟା ବଜାରରେ ହତ୍ୟା କରାଗଲା । ଓଡିଶା ପୋଲିସ୍‍ ଆଖିବୁଜିଦେଇ ବର୍ଷକପରେ ରିପୋର୍ଟ ଦେଲା – ଶ୍ୟାମାପଦ ନିଖୋଜ ।

ଆମେ ସୁପ୍ରିମ୍‍କୋର୍ଟର ଦ୍ୱାରସ୍ଥ ହେଲୁ । ସିବିଆଇ ତଦନ୍ତ ଆଦେଶ ହେଲା । ହତ୍ୟାକାଣ୍ଡର ଦୁଇବର୍ଷପରେ ସିବିଆଇ ସୁକିନ୍ଦାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତଦନ୍ତକରି କେତେକଙ୍କୁ ଗିରଫ କଲେ । ରାଜସାକ୍ଷୀ ଗୋପାଳ ବେହେରାଙ୍କୁ ଭୁବନେଶ୍ୱର ସିବିଆଇ ହାଜତ୍‍ରେ ରଖିଲେ । ରାତିରେ ତା’ର ମୃତ୍ୟୁ ହେଲା । ତା’ର ତଦନ୍ତ କ’ଣ ସିବିଆଇ କଲା ? ଶ୍ୟାମାପଦ ହତ୍ୟାକାଣ୍ଡ ତଦନ୍ତରେ ନୂଆ ରାଜସାକ୍ଷୀ, ଡାକ୍ତର, ଅଫିସରଙ୍କୁ ଏପର୍ଯ୍ୟନ୍ତ ଜେରା କରାଯାଇନି । ହତ୍ୟାକାଣ୍ଡକୁ ୩୦ବର୍ଷ ପୁରିବ । ଏବେବି ସିବିଆଇ କାନରେ ଜଡାତେଲ ଦେଇ ଶୋଇଛି । କେବଳ ଶ୍ୟାମାପଦ ହତ୍ୟାକାଣ୍ଡ ନୁହେଁ – ଏଇଭଳି ଭାବେ ସମଗ୍ର ଭାରତରେ ବହୁ ଘଟଣାରେ ସିବିଆଇକୁ ତଦନ୍ତ କରିବାକୁ ଦିଆଯାଉଛି । ସେମାନେ ଆଉ ଖଟିପାରୁନାହାଁନ୍ତି । କେବଳ କ୍ଷମତାସୀନ ଦଳନେତାଙ୍କ କଥାରେ ନାଚୁଛନ୍ତି । ସେମାନଙ୍କ ବିଳମ୍ବିତ ତଦନ୍ତ କୋଉ କାମକୁ ନୁହେଁ ।

ମହାଭାରତର କୃଷ୍ଣ ହେବାକୁ ଇଛାକରି ମୋଦିଜୀ ସଂସଦକୁ କୃଷ୍ଣମୟ କରିଦେଲ । ରେଳବାଇରେ ସୁରକ୍ଷାଯନ୍ତ୍ରକୁ ‘କର୍ଣ୍ଣଙ୍କ କବଚ’ ଶଦ୍ଦକୁ ଧାର ଆଣି ‘କବଚ’ ଆଖ୍ୟା ଦେଲ । ରେଲ୍‍ ବଜେଟ୍‍ରେ ସୁରକ୍ଷା ପାଇଁ ୨୦ହଜାର କୋଟିଟଙ୍କା ବରାଦ୍‍ କରି ସେଥିରୁ ୧୫ହଜାର କୋଟିଟଙ୍କା କାଢି ଅନ୍ୟ ଯୋଜନାରେ ପୂରାଇଦେଲ । ଏବେବି ରେଳବାଇରେ ୩ଲକ୍ଷ ୧୨ହଜାର ପଦବୀ ଖାଲିପଡିଛି । ବହୁ ଉଚ୍ଚ ଅଫିସର ଦିନକୁ ୧୨ଘଣ୍ଟା କାମକରି କ୍ଲାନ୍ତହୋଇପଡି ସ୍ୱେଚ୍ଛାକୃତ ଅବସର ନେଇଗଲେଣି । ‘କବଚ’ ଲଗାଇବା ପାଇଁ ରେଳବିଭାଗ ଭୂଲିଗଲେକି ।

୧୦ବର୍ଷ ହେଲା ଘୋଷଣା କରି ‘କବଚ’ ଲଗାଇବାରେ ଅସୁବିଧା କେଉଁଠି ? ଏହା ରେଳ ବିଭାଗର ଚରମ ଅବହେଳା ନୁହେଁ କି ? ପୂର୍ବରୁ ରେଳ ଦୁର୍ଘଟଣାରେ ରେଳମନ୍ତ୍ରୀ ଥିବା ୧୯୫୬ରେ ଲାଲାବାହାଦୁର ଶାସ୍ତ୍ରୀ, ୧୯୯୯ରେ ନୀତିଶ କୁମାର, ୨୦୦୦ରେ ମମତା ବାନାର୍ଜୀ, ୨୦୧୭ରେ ସୁରେଶ ପ୍ରଭୂ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଥିଲେ । ଏବେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ରେଳ ଦୁର୍ଘଟଣାର ସବୁ ଠିକ୍‍ଠାକ୍‍ କଲାପରେ ଇସ୍ତଫା ଦେଲେ ଚଳିବ ! ବନ୍ଦେ ଭାରତ ରେଳ ଚଳାଚଳ, ନୂଆ ରେଳଷ୍ଟେସନ୍‍ ନିର୍ମାଣରେ କୋଟିକୋଟି ଟଙ୍କା ବ୍ୟୟବରାଦ ପାଣିରେ ପଡିବ କି ? ଏ ଦୁର୍ଘଟଣା ପ୍ରାକୃତିକ ହୋଇଥିଲେ ମୋଦିଜୀ, ବୈଷ୍ଣବଜୀଙ୍କୁ ଦୋଷ ଦେଇନଥାନ୍ତୁ – ଏ ଦୁର୍ଘଟଣା ସଂପୂର୍ଣ୍ଣ ମନୁଷ୍ୟକୃତ । ସରକାର ଓ ରେଳବିଭାଗ ସଂପୂର୍ଣ୍ଣ ଦାୟୀ । ଏଥିପାଇଁ କି ଦଣ୍ଡ କିଏ କାହାକୁ ଦେବ ? ରେଳବାଇର ଚରମ ଅବହେଳା ପାଇଁ ଦୁର୍ଘଟଣା ଘଟିବ ନାହିଁ ତ ଆଉ କ’ଣ ସାଇକେଲ ଦୁର୍ଘଟଣା ଘଟିବ ? ପ୍ରତିରକ୍ଷା ବିଭାଗ ଭଳି ରେଳବିଭାଗର କାରବାର ସବୁବେଳେ ନିବୁଜ କୋଠରୀରେ ହୋଇଥାଏ । ଏବେ ନିବୁଜ କୋଠରୀର କାରନାମା ହାଟରେ ପଡି ଦାଣ୍ଡରେ ଗଡଗଡ ହେଉଛି । ମୋଦିଜୀ ଘଟଣାସ୍ଥଳା ପରିଦର୍ଶନକରି ଦୋଷୀକୁ କଠୋର ଶାସ୍ତି ଦିଆଯିବବୋଲି ଗଣମାଧ୍ୟମ ଆଗରେ ଘୋଷଣା କଲେ । ଏବେ ନିଜେ, ରେଳମନ୍ତ୍ରୀ ରେଳବିଭାଗର ଉଚ୍ଚକର୍ତ୍ତୃପକ୍ଷ ଦୋଷୀ ହେଲେ ସ୍ୱ-ଇଚ୍ଛାରେ ୩୦୨ ଦଫାରେ ଜେଲ୍‍ ଖଟିବେ କି ? ସିବିଆଇ ଅତିବେଶିରେ ତଳତଳିଆ ରେଳକର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତକରି ଫାଇଲ୍‍ରେ ଫିତା ବାନ୍ଧିଦେବେ । ସାରାବିଶ୍ୱ ଅନେଇଛି – ଭାରତରେ କ’ଣ ସବୁ ଘଟୁଛି – ଆମେ ଆଉ ବିଶ୍ୱଗୁରୁ ହୋଇପାରିବ ତ !

ବାହାନଗାରେ କରମଣ୍ଡଳ ସିନା ରେଳଧାରଣାରୁ ଖସିପଡିଲା – ମୋଦିବାବୁ ଯେ କେତେବେଳେ କ୍ଷମତାରୁ ଖସିଯିବେ ତାହା କିଏ କହିବ ? ଏକମାତ୍ର ପନ୍ଥା – ଜନଅଦାଲତ – ଯାହାର ସମ୍ଭାବନାର ବୀଜକୁ ବୌଦ୍ଧିକବିଷପ୍ରକ୍ରିୟା ଜରିଆରେ ବାରମ୍ବାର ବିଧ୍ୱସ୍ତ କରାଯିବାର ଦୃଷ୍ଟାନ୍ତ ଏ ଭାରତବର୍ଷରେ ଜନଗଣଙ୍କୁ ଜଣା ।

  • Mayadhar NAYAK
  • ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.