ମନୋଜ କୁମାର ମହାପାତ୍ରଙ୍କ ନୂଆ ଗପ : ‘ଅଖିମୁଠି’

0
  • ଗଳ୍ପ
   *ଅଖିମୁଠି* 
ମନୋଜ କୁମାର ମହାପାତ୍ର
******************

      ଘରପିଣ୍ଡାରେ ଗୋଡ ଲମ୍ବେଇ ବସି ରସିକମା ବୁଢ଼ୀ ଗୋଟିଏ ହାତରେ ମାଳି ଗଡ଼ଉଥିଲାତ ଅନ୍ୟ ହାତରେ ଧରିଥିଲା ବରଡ଼ା ପଙ୍ଖାଟିଏ l ବୈଶାଖ ମାସ ଗୁଳୁଗୁଳି ଯୋଗୁ ତାର ଝାଳୁଆ ଦେହଟା ଚିଡ଼ଚିଡ଼ ଲାଗୁଥିଲା l ଆଖି ସିନା ମୁଦିଛି, କିନ୍ତୁ ଘରପଛ ଟୁବରେ ଚେଙ୍ଗ, ଗଡ଼ିଶା ଖେଳିଲା ପରି ମନଟା ଖାଲି ଚହଲୁଥାଏ l କେମିତି କାଲି ବଡି ସକାଳୁ ଉଠି ବିଲକୁ ଯିବ ଏବଂ ଅଖିମୁଠି ଅନୁକୂଳ  କରି ଟାଣ ଖରା ଆଗରୁ ଘରକୁ ଫେରିବ l
     ବୁଢ଼ା ଥିଲା, ତାର ଚିନ୍ତା ନ ଥିଲା l ପ୍ରତିବର୍ଷ ବୁଢ଼ା ବୁଢ଼ୀ ଦୁହେଁ ସାଙ୍ଗ ହେଇ ବିଲକୁ ଯାଉଥିଲେ କିନ୍ତୁ ବର୍ଷେ ହେଲା ବୁଢ଼ା ଆରପାରିର ପଥିକ ସାଜିବା ପରେ ସେ ଏବେ ନିଃସଙ୍ଗ l ତଥାପି ପିଣ୍ଡରେ ପ୍ରାଣ ଥିବା ଯାଏ ଏଇ ପରମ୍ପରାକୁ ପାଳିବାକୁ ହେବ, ଯେତେହେଲେ ସେ  ଚାଷୀ ଘରର ଝିଅ l କଥାରେ ଅଛି ପରା " ଚାଷ ଅଛି ଯାର ଭୋକ ନାହିଁ ତାର" l
    ସକାଳୁ ସକାଳୁ ବୁଢ଼ୀ ସାମାନ୍ୟ  କାକସ୍ନାନ କରି, କାନ୍ଧରେ କୋଦାଳ ପକାଇ, ଗୋଟିଏ ଝୁଲାରେ ଧାନଛିଞ୍ଛା, ଉଖୁଡା, ଫୁଲ, ସିନ୍ଦୁର ଭରି, ବାଡ଼ି ଠୁକୁ ଠୁକୁ କରି ଚାଲିଲା ବିଲ ଆଡ଼େ l ମାତ୍ର ପାଞ୍ଚ ଗୁଣ୍ଠ ଜମି l କୋଦାଳରେ ମାଟିକୁ ଅଳ୍ପେ ଉଖାଡ଼ି ସେଥିରେ ଧାନ ଛିଞ୍ଛାରୁ କିଛି ଧାନ ବୁଣି, ମାଟିକୁ ଫୁଲ ସିନ୍ଦୁରରେ ସଜାଇଲା ଏବଂ ଉଖୁଡା ଭୋଗ ଲଗାଇଲା l ମାଟିକୁ ଜୁହାର ହେଇ କହିଲା - ହେ ମାଟି ମା ଏ ବର୍ଷ ଧନଧାନ୍ୟରେ ପୁରି ଉଠୁ ମହିମଣ୍ଡଳ l
    ରସିକମା ଆକାଶକୁ ଚାହିଁଲା l ଖରା କ୍ରମଶଃ ଟାଣ ହେଉଥିଲା l ବାଡ଼ି ଠୁକୁ ଠୁକୁ କରି, ଆଗକୁ ଚାଲିଲା l ବିଲ ମଝିରେ ଗଛବୃକ୍ଷ ଭରା ହଳଦିଢିଅ ଏକ ଓଏସିସ ଭଳି କେଉଁ ଆବହମ କାଳରୁ ଠିଆ ହେଇଛି l ଚାଷୀ ଅଖିମୁଠି ଅନୁକୂଳ କରିସାରିବା ପରେ ହଳଦିଢ଼ିଅର ଶୀତଳ ଛାୟା ବେଷ୍ଟିତ ଗୋଟିଏ  ଭଙ୍ଗା ଛୋଟ ମନ୍ଦିରରେ ସ୍ଥାପିତ ଠାକୁରାଣୀଙ୍କୁ ପୂଜନ୍ତି l ଵିଧି ରକ୍ଷା କରିବାକୁ ହେବ l ରସିକବାପ ଏ ସନ ନାହିଁ ବୋଲିକି କଣ ଵିଧିଟା ଉଜୁଡି ଯିବ ! ଠାକୁରାଣୀଙ୍କୁ ପୂଜା ନ କରି ସେ କଣ ଘରକୁ ଫେରିଯିବ !
   ଏମିତି ଭାବୁ ଭାବୁ କିଛି ସମୟ ଅତିକ୍ରାନ୍ତେ ହଳଦିଢିଅରେ ପହଂଚିବା କ୍ଷଣି ପଛକୁ ଚାହିଁ ଦେଖେତ ମାଳ ମାଳ ଲୋକ ଗୋଟିଏ ବଡ ଜମିର ଚାରି ପାଖ ହିଡରେ ଠିଆ ହେଇଛନ୍ତି ଏବଂ ଢୋଲ ମହୁରୀ ଶଙ୍ଖ ବାଜାରେ  ଫାଟି ପଡୁଛି ସାରା ବିଲ ଇଲାକା l ଦୁଇଟି ବଳଦ ଯୋଚା ଜୁଆଳି ସଂଲଗ୍ନ ଲଙ୍ଗଳକୁ ଧରି ଜଣେ ଧୋବ ଫର ଫର ପାଇଜାମା ପରିହିତ ମଣିଷ ବେକରେ ଫୁଲମାଳ ପକାଇ ହଳ କରୁଛି ଓ ଅଖିମୁଠି ଜମିରେ ବିଞ୍ଚୁଛି l ଲୋକଙ୍କର ତାଳିମାଡ ଓ ଜୟକାର ଧ୍ଵନିରେ ମୁଖରିତ ବିଲର ଇଲାକା l ରସିକମା ଏ ଦୃଶ୍ୟରେ ବିସ୍ମୟବିମୁଢ଼ ହେଲା ସିନା କିନ୍ତୁ ଘଟଣାର ରହସ୍ୟ ବୁଝି ପାରିଲାନି l
       ଏ କଥା ସେ କାହାକୁ ପଚାରିବ ? ଆଜି ସକାଳୁ ଅଖିମୁଠି ଅନୁକୂଳ ପାଇଁ ଘରୁ ବାହାରିବା ଠାରୁ ବାଟରେ ଯାହାକୁ ଦେଖିଲା ସେ ମୁହଁ ମୋଡି ଚାଲିଯାଉଥାଏ l କଣ ନା ଏଇ ଆଣ୍ଠୁକୁଡି ବୁଢ଼ୀଟାର ମୁହଁକୁ ଚାହିଁଲେ ଶୁଭ କାମରେ ବିଘଟଣ ଘଟିବ l ଆଜିକାଲି ଆଣ୍ଠୁକୁଡି ଶବ୍ଦଟା ଶୁଣି ଶୁଣି ତାର ଦେହସୁହା ହେଇଗଲାଣି l
    ସେ ସଅଳ ପାଦରେ ଆଗେଇ ଯାଇ ଭଙ୍ଗା ମନ୍ଦିରର ଠାକୁରାଣୀ ଆଗରେ ଗମ ଗମ ଝାଳ ବହୁଥିବା ଦେହରେ ଦୁମକିନା ବସିପଡ଼ିଲା l ଝୁଲାରେ ରଖିଥିବା ବଳକା ଫୁଲ ସିନ୍ଦୁର ବାହାର କରି ସଜାଇଲା ଠାକୁରାଣୀଙ୍କୁ, ଉଖୁଡା ଭୋଗ ଲଗାଇ ଆଖି ବୁଜି ଗୁଣୁ ଗୁଣୁ କଣ କହିଲା l ସେତେବେଳକୁ ସେ କ୍ଲାନ୍ତ l ବାହାରେ ଝାଂଜି ଖରା ପିଟୁଥାଏ ଦେଖି ମନ୍ଦିର ପାଖ ଏକ ବୃହତ ଅଶ୍ୱସ୍ତ ଗଛ ମୂଳ ଛାଇରେ ବସି ପଡିଲା l ଚାରିଆଡେ ଆମ୍ବ, ବର, ତେନ୍ତୁଳି ଭଳି କେତେ ରକମର ଗଛ l ତା ସହିତ କେତେ ରକମର ପକ୍ଷୀଙ୍କର ଚେଁ ଚେଁ ଖିଚିରି ମିଚିରି ରାବରେ ସାରା ବୃକ୍ଷଭରା ଢିଅଟି ଶବ୍ଦମୟ l ଶୀତଳତା କରୁଛି ରାଜତ୍ୱ l ଝୁଲାରୁ ଭୋଗ ଉଖୁଡା ଗଣ୍ଡିଏ ପାଟିରେ ପକାଇ ସାଙ୍ଗରେ ଆଣିଥିବା ଠେକିରୁ ପାଣି ମୁନ୍ଦାଏ ପିଇଲା l
    କେଉଁଠି ଥିଲା କେଜାଣି ହଳଦିବସନ୍ତଟିଏ ଏହି ସମୟେ ଉଡି ଆସି ଆମ୍ବ ଡାଳରେ ବସି ରାବିବାକୁ ଲାଗିଲା l ଅନେଶତ ବାତ୍ୟା ପରଠୁ ହଳଦିବସନ୍ତଙ୍କର ଦେଖା ମିଳୁନଥିଲା l ଏତେବର୍ଷ ପରେ ଆଜି ହଳଦିବସନ୍ତର ଉପସ୍ଥିତି ବୁଢ଼ୀ ମନରେ ଭରିଦେଲା ଖୁସିର ଝଲକାଏ  ପବନ l ହଳଦିବସନ୍ତକୁ ଏକ ଲୟରେ ଚାହୁଁ ଚାହୁଁ ତାର ଆଖି କେତେବେଳେ ଲାଖି ଯାଇଛି ତାକୁ ଜଣା ନାହିଁ l
    ନୂଆବୋହୂଟିଏ ହେଇ ଶାଶୁଘରକୁ ଆସିବାର ଛମାସ ପରେ  ଅଖିମୁଠି ଅନୁକୂଳ ପାଇଁ ଆସିଥିଲା ବିଲକୁ ପ୍ରଥମେ ତା ଗେରସ୍ତ ସହିତ l ବିଲରେ ଅଖିମୁଠି ପୂଜାକର୍ମାଣୀ ସାରି ସେ ଦୁହେଁ ଏଇଠି ପୂଜା କରିଥିଲେ ଠାକୁରାଣୀଙ୍କୁ l ଏଇ ଅଶ୍ୱସ୍ତ ଗଛ ମୂଳରେ ବସି ଦୁହେଁ ହସଖୁସି ହେଉଥିବା ବେଳେ ଦେଖିଥିଲେ ଏ ଡାଳରୁ ସେ ଡାଳ ଡେଉଁଥିବା ଦୁଇଟି କୌତୁକିଆ ହଳଦିବସନ୍ତକୁ l ଅପଲକ ନୟନରେ ସେତେବେଳର ଭୂଆସୁଣୀ ବୋହୂ ରସିକମା କ୍ରୀଡାରତ ଦୁଇଟି ହଳଦିବସନ୍ତଙ୍କୁ ଚାହିଁଥିବାବେଳେ, ସେ କ୍ରମଶଃ ଅନୁଭବ କରୁଥିଲା ଗେରସ୍ତର ବାହୁବନ୍ଧନ ଭିତରେ ହଜି ଯାଉଛି l ସତେକି ଅକ୍ଷର 'ଓ'ର ସେ ଚନ୍ଦ୍ରବିନ୍ଦୁ ପାଲଟି ଦୁହେଁ ଲାବଣ୍ୟ ଶୃଙ୍ଗାର ରସର ଓଁ କାର ହେଇ ଯାଉଛନ୍ତି !!!
    ରସିକମା ବାର୍ଦ୍ଧକ୍ୟର ଲୋଚାକୁଚା ଓ ଚମ ଧୁଡୁଧୁଡୁ ଦେହରେ ବିଗତ ଯୌବନର ଲହରୀତ ପୁଲକ ପ୍ରବାହକୁ ଛାଈ ନିଦର ସ୍ମୃତି ଗର୍ଭରେ କିଛି ସମୟ ଅନୁଭୋଗ କରୁଥିବା ସମୟରେ ଚାଏଁ କିନା ତାର କ୍ଷଣିକ ସ୍ୱପ୍ନ ଅପସାରିତ ହେଲା l ସେ ଦେଖିଲା ହଳଦିବସନ୍ତ ଆଉ ଡାଳକୁ ଡାଳ ଡେଉଁ ନାହିଁ ବରଂ ନିଶ୍ଚଳ ହେଇ ଢୋଳଉଛି l ଆହାଃ... ବିଚରା ବୋଧେ ମୋ ପରି ଯୋଡି-ଚ୍ୟୁତ ହେଇଛି l
    ସେତେବେଳକୁ ଟାଣ ଖରା କମି ଗଲାଣି, ସେ ଘର ଅଭିମୁଖେ ଯିବା ପାଇଁ ଉଦ୍ୟତ ହେଉଥିବାବେଳେ କାହାର ଠାକୁମା ଠାକୁମା ଡାକ ଶୁଣି ଚାରିଆଡକୁ ଅନାଇଲା l ଦେଖିଲା ଯେ ଜଣେ ପ୍ୟାଣ୍ଟ ସାର୍ଟ ପରିହିତ ଅଚିହ୍ନା ବ୍ୟକ୍ତି ଆଗରେ ଠିଆ ହେଇ ହସୁଛି ଓ କହୁଛି - ଠାକୁମା ମୋତେ ଚିହ୍ନି ପାରୁନ କି ? ମୁଁ ପରା କାଠିଆ, ତୁମ ପୁଅ ରସିକର ସାଙ୍ଗ l
    ତଥାପି ଚିହ୍ନି ନ ପାରି ସେ ଅକାବକା ହେଇ କେବଳ ଆଗନ୍ତୁକ ମୁହଁକୁ ଚାହିଁଥିଲା l ଆଗନ୍ତୁକ ବୁଝିଗଲେ, ସେ ବୁଢୀକୁ କୁଣ୍ଢେଇ ପକାଇ କହିଲେ - ଠାକୁମା ! ମୁଁ ପରା ନିଧି ବଢ଼େଇ ପୁଅ କାଠିଆ l
     ବୁଢ଼ୀ ମୁହଁରେ ଖେଳିଗଲା ଏକ ହସର ଜୁଆର l ସେ କାଠିଆର ମୁଣ୍ଡକୁ ଆଉଁସି ଦେଇ ସ୍ନେହପୂର୍ଣ କଣ୍ଠରେ କହିଲା - ମୁଁ ମରି ଯାଉଥାଏ ଲୋ ମା l ମୋ ଛୁଆ ଆଜି କେଡେ ବଡ଼ ମଣିଷ ହେଇଛି l ହଁ ଲୋ ତୋ ମା କହୁଥିଲା ଯେ ତୁ ପରା ବିଲାତରେ ରହୁଛୁ l ତୁ କେବେ ଗାଁକୁ ଆସିଲୁ ?
    ମୁଁ ଏଇ ଦି'ଦିନ ହେଲା ଗାଁକୁ ଆସିଛି l ମୁଁ ଆଜି ତମ ଘରକୁ ଯାଇଥାନ୍ତି ଯେ କିନ୍ତୁ ବିଲକୁ ଦାଦାଙ୍କ ସହିତ ଚାଲି ଆସିଲି ଅଖିମୁଠି ଅନୁକୂଳ ପାଇଁ l
     ଆରେ କାଠିଆ ତୋ ଦାଦା ପରା ଏବେ ମନ୍ତ୍ରୀ ହେଇଛି l ସେ ତ ତାର ପିଲାପିଲି ସହିତ ଭୁବନେଶ୍ୱରରେ ରହୁଛି, କେବେ ତ ଦେଖିନି ତାକୁ ଅଖି ତୁତୀୟା ଦିନ ଗାଁକୁ ଆସିବାରେ ?
   ଏ ସବୁ ରାଜନୀତି ଠାକୁମା l ଦେଖା ନାହିଁ ଶୁଣା ନାହିଁ ଗହ୍ମା ପୁନେଇଁରେ ମାଇଁ ନ୍ୟାୟରେ ଆଜିକାଲି ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ପରା ବାଜା ଫାଜା ବଜାଇ ମହା ଆଡମ୍ବରରେ ଅଖିମୁଠି ଅନୁକୂଳ ପାଇଁ ଗାଁକୁ ଧାଉଁଛନ୍ତି l ଇଏ ଗୋଟେ ଭୋଟ ଗୋଟେଇବାର ଫାନ୍ଦ, ବୁଝିଲୁ ଠାକୁମା l 
   ବୁଢ଼ୀର ପାକୁଆ ପାଟିଟା ଉଛୁଳା ହସରେ ଆଁ ହେଇଗଲା l ଓହୋ.... ସେଇଥିପାଇଁ ଆଜି ବିଲରେ ଏତେ ଲୋକଙ୍କର ଭିଡ଼ ଜମିଥିଲା, ବାଜା ବାଜୁଥିଲା, ଶଙ୍ଖ ହୁଳୁହୁଳିରେ ବିଲ ଇଲାକା ଫାତିପଡୁଥିଲା l ଏବେ ବୁଝିଲି l
    ବୁଢ଼ୀ ଟିକିଏ ନିଃଶ୍ୱାସ ମାରି କହିଲା - ତୁତ ଜାଣିଥିବୁ ମୋ ଦିଅରର ପୁଅ ରସିକକୁ ପୁଅ କରି ଆମେ ପାଳିଥିଲୁ, ବୁଢ଼ାବୁଢ଼ୀ  ସମୟରେ ଆମ ମୁହଁରେ ପାଣି ଠୋପେ ଦେଇଥାନ୍ତା l କିନ୍ତୁ ପାଞ୍ଚବର୍ଷ ତଳେ ଜମି ମଝିରେ ହଳ କରୁଥିବା ସମୟରେ ମାତ୍ର କୋଡିଏ ବର୍ଷ ବୟସରେ ଦୁଇଟି ବଳଦ ସହିତ ବଜ୍ରପାତ୍ରରେ ତାର ମରଣ ହେଲା l 

ଆମ ସଂସାର ସେଇ ଦିନରୁ ଉଜୁଡିଗଲାରେ ପୁଅ l
କାଠିଆ ମୁଣ୍ଡ ଟୁଙ୍ଗାରି କହିଲେ – ହଁ ମୁଁ ଜାଣିଛି l
ବୁଢ଼ୀ ବାଷ୍ପରୁଦ୍ଧ ସ୍ୱରରେ କହିଲେ – ତୋ ଠାକୁବା ପୁଅ ରସିକ ମରଣରେ ଏମିତି ଭାଙ୍ଗି ପଡିଲେ ଯେ ସେ ବି ଗଲା ସନ ଇହ ସଂସାରରୁ ବିଦାୟ ନେଲେ l ଆଉ ଏ ବୁଢ଼ୀଟା ଆଣ୍ଠୁକୁଡି ଅପବାଦକୁ ମୁଣ୍ଡେଇ ଜିଇଁ ଥାଉ ଥାଉ ନିତି ମରୁଛି l ବୁଢ଼ୀ ଶୁଁ ଶୁଁ ହେଇ କାନିରେ ନାକ ଓ କାନ ପୋଛି କହିଲା – ଆରେ କାଠିଆ, ତୁମ ବିଲାତରେ ମୋ ଭଳି ଆଣ୍ଠୁକୋଡ଼ିମାନଙ୍କୁ କଥା କଥାରେ ଲୋକେ ଅପଦସ୍ତ କରନ୍ତିନା ?
କାଠିଆ ଓରଫ ଅକ୍ସଫୋର୍ଡ ୟୁନିଭର୍ସିଟିର ମନୋବିଜ୍ଞାନ ପ୍ରଫେସର ଯଯାତି ଦାସ ଠାକୁମା’ର ଅନ୍ତର୍ବେଦନାର ଆତିଶୟତାକୁ ବୁଝିପାରି ତାଙ୍କୁ ନିବିଡ଼ ଭାବେ ଆଲିଙ୍ଗନ କରି କହିଲେ – ଠାକୁମା ଅକିକାଲି ବିଦେଶରେ ପୁଅ ଝିଅମାନେ ବାହା ନ ହେଇ ସ୍ୱାମୀ ସ୍ତ୍ରୀ ଭାବେ ଏକାଠି ରହନ୍ତି, ପିଲାଛୁଆ କରିବା ତ ଦୂରର କଥା l ପୁଣି ବିବାହିତ ସ୍ୱାମୀ ସ୍ତ୍ରୀମାନେ ସନ୍ତାନ ପ୍ରସବ କରିବାକୁ ଚାହନ୍ତିନି l ବିଦେଶ କାହିଁକି ଆମ ଦେଶରେ ସେଇ ଅପସଂସ୍କୃତି ଆଜି କାୟା ମେଲାଇ ଚାଲିଛି l ଯିଏ ଯାହା କହୁ ପଛେ ଆଣ୍ଠୁକୁଡା ନିଜକୁ ଭାବି ମନ ଖରାପ କରନା l କାହିଁକି ନା ଆଜି କିଛି ମଣିଷ ସ୍ୱ ଇଛାରେ ଚାହାଁନ୍ତି ଆଣ୍ଠୁକୁଡା ହେବାକୁ l
ଏତକ ଆଶ୍ୱାସନା ଦେଇ ବୁଢ଼ୀର ହାତ ଧରି କାଠିଆ ଧୀରେ ଧୀରେ ଗାଁକୁ ଆସିଲେ lସେତବେଳକୁ ଅପରାହ୍ନ ଚାରିଟା l ରସିକମାର ଘରେ ପହଂଚି,ବେଗରୁ ଚକଲେଟ, ଜୁସ ଓ ପିଜା ବାହାର କରି ବୁଢୀକୁ ଅତି ସରାଗରେ ଖୁଆଇଲେ l ଆଉ କିଛି ବି ସାଇତି ରଖିବାକୁ ଦେଲେ l ପିଲାଦିନର କାଠିଆ ଭଳି ଯଯାତିବାବୁ ବୁଢ଼ୀ ପାଖରେ ବସିଥିବା ବେଳେ ତାଙ୍କର ହଠାତ ଭାବାନ୍ତର ହେଲା l ସେ ଭାବୁଥିଲେ – ରସିକମା ତ ଆମ ସମୟର କାହାଣୀ ପେଡି l କେତେ ମଜା ଗପ ଆମେ ପିଲାଦିନେ ତାଙ୍କ ପାଖରୁ ନ ଶୁଣିଛୁ ସତେ !!”
ପିଲାଦିନେ ଏଇ ଅକ୍ଷୟ ତୃତୀୟ ରାତିରେ ଶୁଣିଥିବା ଶିଆଳ ଓ ବରକୋଳି ଗପଟା ତାଙ୍କ ମନରେ ହଠାତ ଚେଇଁ ଉଠିଲା l ସେଇ ଗାଉଁଲି ଗପଟିକୁ ଯେତେବେଳେ ପିଲାଙ୍କ ମେଗାଜିନରେ ଇଂରାଜୀରେ ପୁନର୍ଲିଖନ କରି ପ୍ରକାଶିତ କଲେ, ଅନେକ ଶୁଭେଚ୍ଛାର ସୁଅ ତାଙ୍କ ପାଖକୁ ଦିନେ ଛୁଟିଥିଲା l ଗପର ଲେଖକ କାହାକୁ ଜଣା ନାହିଁ ସେ କିନ୍ତୁ ପାଇଲେ ଅନେକ ଶୁଭେଚ୍ଛା l
ରସିକ ମା ଯଯାତି ବାବୁଙ୍କ କପାଳକୁ ଆଉଁସି ଦେଉ ଦେଉ କହୁଥିଲେ ‘ ମୋ ନାତିଟା ଏଇନେ ଏଡ଼େ ବଡ଼ ଲୋକ, ଦେଖୁନ ଗାଁକୁ ଭୁଲିନି କି ଏଇ ବୁଢ଼ୀଟାକୁ ବି ପାସୋରିନି l ବିଲକୁ ପୁଣି ଡହ ଡହ ଖରାରେ ଯାଇଥିଲା ଅଖିମୁଠି ଅନୁକୂଳ କରିବାକୁ l ଯେତେହେଲେ ଚାଷୀ ଘର ପିଲାତ !!
ଏକ ଭାବାବେଗରେ ବଶବର୍ତ୍ତୀ ହେଇ, ଗେଲ୍ହେଇ ହେଇ କହିଲେ ଯଯାତିବାବୁ – ଠାକୁମା, ତୋ ପାଖରୁ ପିଲାଦିନେ ଶୁଣିଥିବା ଶିଆଳ ଓ ବରକୋଳି ଗପକୁ ବିଲାତର ପିଲାମାନଙ୍କୁ କେତେଥର କହିଛି, ସେମାନେ ଗପ ଶୁଣି ହସି ହସି ଗଡିଯାଆନ୍ତି l ଆଜି ଟିକେ ସେଇ ମଜାଦାର ଗପଟି ମୋତେ ଶୁଣାଅନା
ରସିକମା ଗୋଡ଼ ଲମ୍ବେଇ ତାର ଚିରାଚରିତ ଠାଣିରେ କହିଲା -” ଶୁଣ ରେ ପୁଅ l ବହୁ ବର୍ଷ ତଳେ ଏକଦା ଗାଁ ମୁଣ୍ଡରେ ଜଣେ ବାହ୍ମଁଣି ବୁଢ଼ୀ ଚାଳିଆଟିଏ କରି ରହୁଥିଲା l ଚାଳିଆକୁ ଲାଗି ବିରାଟ ଆମ୍ବ ବଗିଚାଟିଏ l ତାର ଘର ଅଗଣାରେ ଥିଲା ବରକୋଳି ଗଛଟିଏ l ଶୀତଋତୁ ପରେ ପ୍ରତିବର୍ଷ ବରକୋଳି ପାଚି ତଳେ ବିଛେଇ ଯାଏ l ବୁଢ଼ୀ ଶୋଇଗଲା ପରେ, ଶିଆଳଟିଏ ବଗିଚାର କିଆବୁଦା ଭିତରୁ ବାହାରି ଆସେ ଓ ପେଟେ ବରକୋଳି ଖାଇ, ସେଇ ଗଛ ପାଖରେ ମଳତ୍ୟାଗ କରି, ବୁଢ଼ୀ ପିଣ୍ଡାରେ ତାର ପିଚାକୁ ଘସିଦିଏ l
ବୁଢ଼ୀ ସକାଳୁ ଉଠି ଦେଖେତ ତାର ପିଣ୍ଡା ଅସନା ହେଇ ଦୁର୍ଗନ୍ଧ କରୁଛି l ବିଚରା ଆଉ କଣ କରିବ l ଶିଆଳକୁ ବହେ ଗାଳି ଦିଏ ଏବଂ ପିଣ୍ଡାକୁ ପରିଷ୍କାର କରି ଗୋବରରେ ଲିପେ l କେତେଦିନ ଆଉ ଏମିତି ହଇରାଣ ହେବ ବୁଢ଼ୀ l ଶିଆଳକୁ ପାନେ ଚଖାଇବା ପାଇଁ ଗୋଟିଏ ଅଭିନଵ ଉପାୟ ପାଞ୍ଚିଲା l
ଦିନେ ସଞ୍ଜ ବେଳେ ଛୋଟ ଛୋଟ କାନକୋଳି କଣ୍ଟାକୁ ପିଣ୍ଡା ସାରା ବିଞ୍ଚିଦେଲା ଓ ଗୋଟିଏ ଛେଲୁଆରେ କିଛି ପାଣି ଭରି ସେଥିରେ ଦଳିଦେଲା କଞ୍ଚା ଲଙ୍କା l ସେଇ ଛେଲୁଆଟିକୁ ପିଣ୍ଡା ତଳେ ରଖିଦେଇ ଆରାମରେ ବୁଢ଼ୀ ତା ଘରେ ଶୋଇଲା l
ଶିଆଳ ପ୍ରତିଦିନ ଭଳି ରାତି ଅଧରେ ପହଂଚି ତଳେ ପଡ଼ିଥିବା କୋଳି ପେଟେ ଖାଇଲା ଓ ଗଛ ମୂଳରେ ମଳତ୍ୟାଗ କଲା l ତାପରେ ପିଣ୍ଡା ଉପରେ ପିଚା ଯେମିତି ଘଷିଛି କାନକୋଳି କଣ୍ଟା ତାର ପିଚାରେ ଫୋଡି ଯିବାରୁ ହାଉଲମାଉଲ ହେଇ ତଳେ ଖାଲି ଗଡ଼ିଲା l ଏପରି ଜ୍ୱଳନରୁ ବର୍ତ୍ତିବା ପାଇଁ ଛେଲୁଆରେ ଥିବା ପାଣିରେ ପିଚା ବୁଡାଇ ଦେବାରୁ ଯନ୍ତ୍ରଣାରେ ବେଶୀ ଛଟପଟ ହେଇ ଶିଆଳ ନାଚି ନାଚି ବିକଳରେ ହୁକେ ହୋ ହେଇ ଭୁକିବାକୁ ଲାଗିଲା ଓ ଯନ୍ତ୍ରଣାରେ ଛଟପଟ ହେଇ କହୁଥିଲା – ରାଣ୍ଡ ବାହ୍ମଁଣୀ ଲୋ ରାଣ୍ଡ ବାହ୍ମଁଣୀ – ତୋ କୋଳି ଫୋଳି ପୋଡି ଯାଉ ମୋ ଟେରିକି ନାଚିଲା…..l ଶିଆଳ ବଗିଚା ଭିତରକୁ ପଳାଇଲା l ସେଇ ଦିନରୁ ଶିଆଳ କେବେ ବି ବୁଢ଼ୀର ବରକୋଳି ଖାଇବାକୁ ଆସିନି ” l
ଗପ ଶେଷରେ ବୁଢ଼ୀ ଓ ଯଯାତିବାବୁ ହସ ସୁଅରେ ଭାସୁ ଥିବା ସମୟରେ ଯଯାତିବାବୁ ସାମାନ୍ୟ ଅନ୍ୟମନସ୍କ ହେଇ ନିରବ ହେଇଗଲେ l ସେ ଭାବୁଥିଲେ – ରସିକମା ଭଳି ଠାକୁମା’ମାନେ ହେଉଛନ୍ତି ଆମ ସମୟର ଜଣେ ଲେଖାଏଁ ଜୀବନ୍ତ କଥାକୁହା ଗପ ପେଡି, ଆଜି ସେମାନଙ୍କ ଭିତରୁ ପ୍ରାୟ ଇହ ସଂସାରରୁ ବିଦାୟ ନେଲେଣି, ରସିକମା ଆଉ ଆସନ୍ତା ଅଖିମୁଠି ଅନୁକୂଳ ବେଳକୁ ବୋଧେ ନ ଥିବେ l ଏତକ ଭାବି ଦୀର୍ଘ ନିଃଶ୍ୱାସଟିଏ ମାରିଲେ ଯଯାତି ବାବୁ l
ତାର ଲେଖାଯୋଖା ଅଲିଅଳ କାଠିଆର ନୀରବତା ଲକ୍ଷ୍ୟ କରି ରସିକମା କଣ ବୁଝିଲା କେଜାଣି,ସେ ହସହସ ମୁହଁରେ କହିଲା- ମୋର କେଉଁ କାଳର ଗପ ଯେତେବେଳେ ତୋର ମନେ ଅଛି, ମୁଁ ଭାବୁଛି ଯେ ମୋ ଅନ୍ତେ ବି ତୋ ସ୍ମୃତିରେ ମୁଁ ବଞ୍ଚିବିରେ କାଠିଆ l
ଯଯାତିବାବୁ କୋହ ସମ୍ଭାଳି ନ ପାରି ରସିକମା ପାଦ ଦୁଇଟିକୁ ଧରି କହୁଥିଲେ – ତୁ ବଂଚିବୁ ଲୋ ଠାକୁମା, ତୁ ବଂଚିବୁ ମୋ ସ୍ମୃତିରେ, ସବୁ ଅଖିମୁଠି ତିଥିମାନଙ୍କରେ l
——–00000——
© ମନୋଜ କୁମାର ମହାପାତ୍ର

Leave A Reply

Your email address will not be published.