ଅରବିନ୍ଦ ଦାସଙ୍କ ନୂଆ ଗପ : ‘ସାବିତ୍ରୀ ପ୍ୟାକେଜ’

0

//Tatkal Odisha//

★★★★★★★★★★★★

ଅରବିନ୍ଦ ଦାସ

ସାବିତ୍ରୀ ଓଷାରେ ଏବର୍ଷ ସାବିତ୍ରୀ ପ୍ୟାକେଜ!!!
ଗୋଟିଏ ରାଜନୈତିକ ଦଳ ପକ୍ଷରୁ ଛପା ହୋଇ
ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ତଥା ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ପ୍ରଚାରପତ୍ର ଦେଖି ତଥା
ଘୋଷଣାଟି ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପ୍ରଚାର ପତ୍ରରେ ଲେଖାଥିଲା,
-ଏବର୍ଷ ସାବିତ୍ରୀବ୍ରତ ପାଇଁ ପ୍ରତ୍ୟେକ ବିବାହିତା ମହିଳାଙ୍କୁ ଆମ ଦଳ ତରଫରୁ “ସାବିତ୍ରୀ ପ୍ୟାକେଜ” ମାଗଣାରେ ଉପହାର ଭାବେ ଯୋଗାଇ ଦିଆଯିବ।ଏଥିରେ ଶାଢ଼ୀ,ଶଙ୍ଖା,ସିନ୍ଦୁର,ବ୍ରତ ସହିତ ଫଳମୂଳ ଯୋଗାଇ ଦିଆଯିବ।”

ଜଣେ ବ୍ୟକ୍ତି ମନଦୁଃଖ କରି କହୁଥିଲା,
-ସାବିତ୍ରୀ ମାନଙ୍କୁ ଖୁସି କରିବାକୁ ସେମାନଙ୍କ ଡିମାଣ୍ଡ ଅନୁସାରେ ଏସବୁ ଜିନିଷ ଦେଉଛ ।ହେଲେ ସତ୍ୟବାନଙ୍କ ଡିମାଣ୍ଡ ଜିନିଷ କାହିଁକି ଦେଉନ ?”
ତୋତେ କି ଜିନିଷ ଦରକାର ?“ଅନ୍ୟ ଜଣେ ପଚାରିଲା।
-ପ୍ରାୟ ସବୁ ସତ୍ୟବାନଙ୍କ ଯେଉଁଟାରେ ଲୋଭ, ମଦ ବୋତଲ।”
ହଠାତ ପଛପଟୁ ସେ ଲୋକର ସ୍ତ୍ରୀ ବାହାରି ଝାଡୁ ପାହାର ଦେଇ ପାଟି କରି କହୁଥିଲା,
-ତୋରି ଭଳି ଲୋକଙ୍କ ପାଇଁ ମୁଁ ବ୍ରତ କରୁଛି,ତୋ ଲମ୍ବା ଜୀବନ ପାଇଁ ପ୍ରାର୍ଥନା କରୁଛି, ଆଉ ତୁ ଅଳପେଇଷା ମଦ ପିଇବାକୁ ମନ କରୁଛୁ ?”


ପାଖରେ ଥିବା ଲୋକମାନେ ଟୁପୁରୁ ଟାପର ହୋଇ କହୁଥିଲେ,
ସାବିତ୍ରୀଙ୍କ ପେଟେଣ୍ଟ ମେଡ଼ିସିନ।”
ତେବେ ସାବିତ୍ରୀ ପ୍ୟାକେଜ ଘୋଷଣା ଶୁଣି,
କିଛି ଲୋକଙ୍କ ମନରେ ଖୁସିର ଲହର ଖେଳିଯାଉଥିଲା ବେଳେ ଅନ୍ୟକିଛି ଲୋକେ ଏହାକୁ ଆଗାମୀ ନିର୍ବାଚନ ପାଇଁ ଏକ ମିଛ ପ୍ରଚାରର ଧୂଆଁବାଣ ବୋଲି କହୁଥିଲେ।ତେବେ ଅଧିକାଂଶ ଲୋକେ ଖୁସି ହୋଇ କହୁଥିଲେ,
-ଏ ମହରଗ ଯୁଗରେ ବ୍ରତ ପୂଜାପାଇଁ ଏସବୁ ଜିନିଷ ମାଗଣାରେ ମିଳିବା ଏକ ବରଦାନ।ମହିଳା ଭୋଟ ହାତେଇବା ପାଇଁ ଏହି ଦଳ ବଢିଆ ପ୍ଲାନ କରିଛି।ଅନ୍ୟଦଳ ବି ହୁଏତ ଏଭଳି ଉପହାର ଦେବେ।”
କିଛି ଲୋଭୀ ମହିଳା କୁହାକୁହି ହେଉଥିଲେ,
-ଖାଲି ଶାଢ଼ୀ ଦେଉଛନ୍ତି,ସାଙ୍ଗରେ ବ୍ଳାଉଜ,ଶାୟା ଦିଅନ୍ତେନି ?ତାକୁ ତ ପୁଣି ଆମକୁ କିଣିବାକୁ ପଡିବ।
ସିଲେଇ ମଜୁରୀ ପୁଣି ଅଲଗା।ଅନ୍ୟ ଦଳ ହେଲେ ସବୁ ଜିନିଷ ଦିଅନ୍ତା।”
ସତକୁ ସତ ପରଦିନ ଅନ୍ୟ ଏକ ରାଜନୈତିକ ଦଳ ତରଫରୁ ଘୋଷଣା କରାଗଲା କି ସେମାନଙ୍କ ଦଳ ତରଫରୁ ବି ଏବର୍ଷ “ସାବିତ୍ରୀ ପ୍ୟାକେଜ ଭେଟି” ଦିଆଯିବ।ଭେଟି ହିସାବରେ ଶାଢ଼ୀ,ଫଳମୂଳ,ବ୍ରତ,ଶଙ୍ଖା ସିନ୍ଦୁର ସହିତ ଶାୟା,ବ୍ଳାଉଜ ବି ମହିଳା ମାନଙ୍କୁ ଦିଆଯିବ।”
ମାଗଣାରେ ସାବିତ୍ରୀ ପ୍ୟାକେଜ ଜିନିଷ କେଉଁଠି ବଣ୍ଟା ଯିବ ସେ ଜାଗା ବି ଘୋଷଣା କରାଯାଇଥିଲା।ଉତ୍ସାହିତ ମହିଳା ମାନଙ୍କର ଲମ୍ବା ଲାଇନ ଲାଗିଥିଲା।
ବିଜୁଳି ଭଳି ଚାରିଆଡେ ଖବର ବ୍ୟାପି ଯାଇଥିଲା।
ଅଶୋକ ବାବୁ ଅଫିସରୁ ଆସି ବଡ଼ ପାଟିରେ ସ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଲେ,
ଏବର୍ଷ ତ ମାଗଣାରେ ସବୁ ମିଳିବ।ତେଣୁ ସାବିତ୍ରୀ ପାଇଁ ମାର୍କେଟ ଯିବା ଦରକାର ନାହିଁ।ତମେ ବି ଯାଇ ସାବିତ୍ରୀ ପ୍ୟାକେଜ ନେଇଆସ।”
ଚିଡିଯାଇ ଧର୍ମପତ୍ନୀ ଭାର୍ଗବୀ ଦେବୀ କହିଲେ,
-ଏତେ ଖୁସି ହେବା ଦରକାର ନାହିଁ।କାରଣ ସେ ଦୁଇଦଳ ତରଫରୁ ଯେଉଁ ପୋଷ୍ଟର ଛପା ହୋଇଛି,ତାକୁ ଟିକେ ଭଲକି ପଢ଼। ପୋଷ୍ଟରର ତଳ ଭାଗରେ ଅତି ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଛି ଯେ ଏ ସାବିତ୍ରୀ ପ୍ୟାକେଜ କେବଳ ବିପିଏଲ କାର୍ଡଧାରୀ ପରିବାରର ମହିଳାଙ୍କୁ ହିଁ ମିଳିବ।କୌଣସି ରାଜନୈତିକ ଦଳ ଦେଶର
ମଧ୍ୟବିତ୍ତ ପରିବାରକୁ, ଭାଷଣ ତଥା ମିଥ୍ୟ ପ୍ରତିଶ୍ରୁତି ଛଡା କେବେ ମାଗଣାରେ କିଛି ଦେଇଛି ? ଆମକୁ ସବୁ ଜିନିଷ ଅଧିକ ଦାମ ଦେଇ କିଣିବାକୁ ହିଁ ପଡିବ।”
ଚମକି ପଡିଲେ ଅଶୋକ ବାବୁ।ହେ ଭଗବାନ,ସରକାର ଏତେ ଯୋଜନାରେ ବିଭିନ୍ନ ଜିନିଷ ମାଗଣାରେ ବାଣ୍ଟୁଛନ୍ତି।ଅଥଚ ତାଙ୍କ ଭଳି ମଧ୍ୟବିତ୍ତ,ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ କିଛି ମାଗଣା ଯୋଜନା ନାହିଁ।

ଅରବିନ୍ଦ ଦାସ


ଏଇ ସମୟରେ କାମବାଲୀ ଝୁନୁ ଘର ଭିତରକୁ ଆସି ମୁଣ୍ଡର ଝାଳ ସବୁକୁ ଶାଢ଼ୀ କାନିରେ ପୋଛି କହିଲା,
-ମା,ମୋତେ ହଜାରେ ଟଙ୍କା ଆଡ଼ଭାନ୍ସ ଦିଅ, ସାବିତ୍ରୀ ପାଇଁ କିଣାକିଣି କରିବି।”
ଭାର୍ଗବୀ ଦେବୀ ହସିଦେଇ କହିଲେ,

  • ଆଡ଼ଭାନ୍ସ ଟଙ୍କା କାହିଁକି ନେବୁ ?ତୋର ତ ଏବର୍ଷ କଚେପବାର।ସାବିତ୍ରୀ ପ୍ୟାକେଜ ମାଗଣାରେ ସବୁ ଜିନିଷ ତ ପାଇଥିବୁ,କିଛି କିଣିବାକୁ ପଡିବନି। “
    ଦୀର୍ଘନିଶ୍ବାସ ଛାଡି ଝୁନୁ କହିଲା,
    -ବାହାର ଲୋକ ଦେଇଥିବା ମାଗଣା ଜିନିଷରେ କିଏ କଣ ଏ ପୂଜା କରେ ମା?ସାବିତ୍ରୀ ବ୍ରତ ପାଇଁ ନିଜ ବାପଘରୁ ଆସିଥିବା ଜିନିଷ ନହେଲେ ସ୍ୱାମୀ ଅଥବା ନିଜ ଟଙ୍କାରେ ସବୁ କିଣି ପୂଜାକରି ନିଜ ସ୍ୱାମୀ ତଥା ପରିବାର ଲୋକଙ୍କ ଶୁଭ ମନାସିଯାଏ।ସେଥିରେ ପୁଣି ଦୁଇ ଦଳ ଯେଉଁ ଶସ୍ତା ଶାଢ଼ୀ ଦେଇଛନ୍ତି,ତାହା ସେ ଦୁଇ ଦଳଙ୍କ ଦଳୀୟ ପତକା ରଙ୍ଗର ଓ ଶାଢ଼ୀ କାନିରେ ସେ ଦୁଇ ଦଳ ମୁଖିଆଙ୍କ ଫଟ ସହ ପାର୍ଟି ଚିହ୍ନ ବି ରହିଛି।ଛିଃ, ସେ ଶାଢ଼ୀ କିଏ ପିନ୍ଧି ସାବିତ୍ରୀ ଓଷା କରିବ ?ପାପ ଲାଗିବ।ଗରିବ ହେଲେ ବି ଆମର ବି ମାନ ସନମାନ ଅଛି ମା।”
    ଆବାକାବା ହୋଇ ଭାର୍ଗବୀ ପଚାରିଲେ,
    -ତାହେଲେ ସେ ସାବିତ୍ରୀ ପ୍ୟାକେଜର ଶାଢ଼ୀ,ଫଳ,ପୂଜା ଜିନିଷ କଣ କରିବୁ ?”
    ମୁରୁକିହସି ଝୁନୁ କହିଲା,
    -ଫଳମୂଳ ବୋଲି ଗୋଟେ ଛୋଟ ନଡ଼ିଆ ଓ ଦୁଇ ତିନିଟା ଚୋପା କଳା ପଡିଯାଇଥିବା କଦଳୀ ଓ ଗୋଟେ ଆମ୍ବକୁ ଛୁଆ ଖାଇଦେଲେ।ଶାଢ଼ୀ ଦୁଇଟା ସେଇ ଦୁଇ ଦଳ ଙ୍କ ରାଲି ରେ ଗଲାବେଳେ ପିନ୍ଧିବି।ନହେଲେ ଭାବୁଛି ଗୋଟାଏ ଶାଢ଼ୀ ଦୋଳି କରି ମୋ ସାନ ଛୁଆକୁ ଶୋଇ ପକେଇବି,ଅନ୍ୟଟାକୁ ଭାବିଛି କାଟିକି ତା ଘୁଅମୁତ କନା କରିବି।”
    ପାଖରେ ଠିଆହୋଇ ଥିବା ଅଶୋକ ବାବୁ ପଚାରିଲେ,
    -ସେ ଦଳ ଵାଲା ଯଦି ଜାଣିବେ ଏକଥା ?”
    ହସିଦେଇ ଝୁନୁ ପୁଣି କହିଲା,
    -ଭୋଟ ପାଇଁ ସେମାନେ ଯାହା ମାଗଣାରେ ଯାହା ବାଣ୍ଟିବେ,ତାକୁ ବ୍ୟବହାର କରିବାକୁ କଣ ଆମେ ବାଧ୍ୟ ?ଗରିବ ମଣିଷ ବୋଲି ସେ ଜିନିଷ ଆଣୁ।ହେଲେ କୋଢ଼ିଆ ମଣିଷ ନୁହେଁ ଏ ଝୁନୁ।ହାତ ଗୋଡ଼ ଚଳାଇ ପରିଶ୍ରମ କରି ମୋ ଭଳି କାମ କରି ଦୁଇ ପଇସା ରୋଜଗାର କରୁଥିବା ମଣିଷ,ନିଜେ ସାବିତ୍ରୀ ବ୍ରତ ପାଇଁ ସବୁ ଯୋଗାଡ଼ କରି ପାରିବ।ତମେ ନିଜେ କୁହ ମା,ଓଷା ବ୍ରତରେ କେଉଁ ଓଡ଼ିଆଣୀ ମାଗଣାରେ ମିଳିଥିବା ବ୍ରତ,ଶଙ୍ଖା,ସିନ୍ଦୁର ବ୍ୟବହାର କରେ ?”
    ଝୁନୁକୁ ଲେମ୍ବୁ ସର୍ବତ ଗିଲାସେ ବଢ଼ାଇ ଦେଇ ତା କାନ୍ଧରେ ହାତ ରଖି ଏକ ଗର୍ବିତ ହସ ମୁହଁରେ ଖେଳାଇ ଭାର୍ଗବୀ ଦେବୀ କହିଲେ,
    -ସାବାସ ଝୁନୁ।ନିଜ ଅସ୍ମିତା ବିଷୟରେ ସଚେତନ ନାରୀ ସବୁବେଳେ ଅନ୍ୟ ପାଇଁ ଉଦାହରଣ ହୁଏ।ନିଜ ସ୍ୱାମୀର ଜୀବନ ପାଇଁ ଯମ ସହିତ ଲଢ଼ିବାକୁ ଡରି ନଥିବା ସାବିତ୍ରୀକୁ ସ୍ୱୟଂ ଧର୍ମଦେଵତା ବି ବିଭିନ୍ନ ବର ଦେବା ଆଳରେ ପ୍ୟାକେଜ ଲୋଭ ଦେଖାଇଥିଲେ।ହେଲେ ନିଜ ବୁଦ୍ଧିମତା ତଥା ପତିବ୍ରତା ଗୁଣରେ ଦୀପ୍ତିମୟୀ ସାବିତ୍ରୀ ଖୋଦ ଯମ ଙ୍କୁ ଭୁଆଁ ବୁଲାଇଲା ଭଳି,ଆଜିକା ସାବିତ୍ରୀ ବି ସାବିତ୍ରୀ ପ୍ୟାକେଜ ମୋହରେ ପଡି,ନିଜ ଆତ୍ମସମ୍ମାନକୁ କେବେ ଭୁଲିବନି।”
  • (©ଅରବିନ୍ଦ ଦାସ)

Leave A Reply

Your email address will not be published.