ମାୟାଧର ମିଜାଇଲ-7:ଭାଇ ବେଶରେ ଭଗାରିଏ : ବନ୍ଧୁ-ବନ୍ଧୁକ-ବର୍ତ୍ତେ କିଏ ?
ମାୟାଧର ନାୟକ
ମଣିଷ ଯେତେବେଳେ ଉନ୍ନତିର ପାହାଚ ପାହାଚ ଆଗକୁ ମାଡିଚାଲେ ସେତେବେଳେ ମଧ୍ୟ ଶତ୍ରୁମାନେ କେବେ ହରାଇପାରନ୍ତିନାହିଁ । ମଣିଷ ଯଦି ହାରେ – ନିଜ ଲୋକଙ୍କ ପାଇଁ । ଗୋଟିଏ ସୁଗ୍ରିବ ମିଳିଲେ ବାଳି ବଦ୍ଧ । ଗୋଟିଏ ବିଭୀଷଣ ମିଳିଲେ ରାବଣ ବଦ୍ଧ । ଗୋଟିଏ ଭଣଜା କୃଷ୍ଣ ମିଳିଲେ କଂସ ବଦ୍ଧ – କୌରବକୂଳ ନିପାତ । ଗୋଟିଏ ବନ୍ଧୁ ମିଳିଲେ ଯୁଦ୍ଧ ଶେଷ । ବନ୍ଧୁ ବେଶରେ ଅବନ୍ଧୁ ମିଳିଲେ ନିଜେ ନିପାତ । ମୁଁ ବନ୍ଧୁତ୍ୱକୁ ନିନ୍ଦା କରୁନି, କିନ୍ତୁ ନିନ୍ଦା କରୁଛି – ବନ୍ଧୁବେଶୀ ସେହି ଭୟଙ୍କର ଶତ୍ରୁକୁ ଲଜ୍ୟା ଦେଉଥିବା ଚଞ୍ଚକଚରିତ୍ରମାନଙ୍କୁ ।
ବନ୍ଧୁ ସହଜରେ ମିଳନ୍ତି ନାହିଁ । ପଟୁଆରରେ ମାଳମାଳ ମଣିଷ ମିଳନ୍ତି – ବାହାଘର ଭୋଜିଭାତରେ ନିମନ୍ତ୍ରଣର କାହିଁ କେତେଗୁଣ ବର୍ଦ୍ଧିତ ସଂଖ୍ୟାର ଖାଦ୍ୟପ୍ରେମିକ ମିଳନ୍ତି ଏବଂ ଜୁଆଖେଳରେ ବସିପଡିଲେ ବି ଜୁଟିଯାଆନ୍ତି – ଅଜଣାଅଚିହ୍ନା କାହିଁ କେତେଦୂରର ବାଟୋଇ, ହେଲେ ଜୀବନର ଶୂନ୍ଶାନ୍ ସଂକଟ ସମୟରେ ତଥାକଥିତ ବନ୍ଧୁଏ ଆଉ ଚିହ୍ନିପାରନ୍ତିନାହିଁ । ଉପରେ ଅନାଇଥାଏ, ଆଁ କରା ଆକାଶ, ଆଉ ତଳେ ମାଟି ଭିତରୁ ଯେତେବେଳେ ଅନୁଭୂତ ହେଉଥାଏ – ଆସନ୍ନ ଭୂମିକମ୍ପ – ସେତେବେଳେ ଯୋଉ ଦୁଆରେ ଛିଡାହେଲେ ବି ଆଖିଆଗେ ଝୁଲୁଥାଏ ମସ୍ତବଡ କୋଲପ ।
ବେଳେବେଳେ ଭାଇ, ବନ୍ଧୁ ଅତ୍ୟନ୍ତ ବିଶ୍ୱାସୀ ବେଶରେ ଭଗାରୀ ସାଜି ବନ୍ଧୁକ ଧରି ଆମ ସାମ୍ନାରେ ଠିଆ ହୋଇଯାଆନ୍ତି । ତାଙ୍କ କବଳରୁ ବର୍ତ୍ତେ କିଏ ? ଯୀଶୁଖ୍ରୀଷ୍ଟଙ୍କୁ ଲୋଭରେ ପଡି ତାଙ୍କରି ଶିଷ୍ୟମାନେ କ୍ରୁଶବିଦ୍ଧ କରିଥିଲେ । ଜୁଲିଅସ୍ ସିଜନଙ୍କୁ ତାଙ୍କର ଅତ୍ୟନ୍ତ ପ୍ରିୟ ବୁଟାସ୍ ଛୁରିକାଘାତ କରିଥିଲେ । ମହାତ୍ମାଗାନ୍ଧୀଙ୍କୁ ନାଥୁରାମ ଗଡ୍ସେ ଗୁଳିବିଦ୍ଧ କରିଥିଲେ । ନେତାଜୀ ସୁଭାଷବୋଷଙ୍କୁ ଷଡଯନ୍ତ୍ର କରି ସେ ଆସୁଥିବା ବିମାନକୁ ଜାଳିଦେଇଥିଲେ । ଇନ୍ଦିରାଗାନ୍ଧୀଙ୍କୁ ଘେରିରହିଥିବା ସ୍ୱିକ୍ୟୁରିଟି ହତ୍ୟାକରିଥିଲେ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟ ଲଳିତାଙ୍କୁ ତାଙ୍କ ବାନ୍ଧବୀ ଶଶିକଳା କ୍ଷମତାମୋହରେ ଦୂରେଇ ଦେଇଥିଲେ । ଏହିଭଳି ସମଗ୍ର ବିଶ୍ୱରେ ହଜାର ହଜାର ଘଟଣା ଘଟିଯାଇଛି ।
ଏ ଧରାପୃଷ୍ଠରେ ଯେଉଁ ସବୁ ଜୀବନ ଜନ୍ମନିଏ ତା’ର ମୃତ୍ୟୁ ଅବଶ୍ୟମ୍ଭାବୀ । ଜନ୍ମମୃତ୍ୟୁର ମଧ୍ୟବର୍ତୀ ସମୟରେ ଆମେ ଠକିଠକି ନୟାନ୍ତ । ଅଶାନ୍ତି, ଅସନ୍ତୋଷ, ହତାଶା, କ୍ରୋଧ, ଆଶା, ଆକାଂକ୍ଷାରେ ଆମ ଦିନ କଟୁଛି । ସମାଜରେ ଆମେ ଆମ ଦାୟିତ୍ୱ ପାଳନ କରୁନାହାଁନ୍ତି । ଯେଉଁ ସମାଜ ପାଇଁ ଆମେ ତିଷ୍ଠି ରହିଛେ – ତା\’ ପ୍ରତି ଆମର କର୍ତବ୍ୟ ନାହିଁ । ସମାଜ ଭାସିଗଲା କେତେ ରହିଲା କେତେ ସେଥିପ୍ରତି ଆମର ନଜର ନାହିଁ । କେବଳ ଆମ ସ୍ୱାର୍ଥ ପୂରଣ ହେଲା କି ନାହିଁ – ଆମର ସବୁଠୁ ବଡ଼ ଚିନ୍ତା ।
ସମାଜ ସୃଷ୍ଟି ହେଲା ଦିନଠୁ, ସାମାଜିକ ବ୍ୟବସ୍ଥା ଅହରହ ପରିବର୍ତନ ହେବାରେ ଲାଗିଛି । କେବଳ ଜଣେ ଚାହିଁଲେ ସମାଜ ପରିବର୍ତନ ହୁଏନା – ଏଥିପାଇଁ ପୂରା ସମାଜର ଲୋକେ ଯେତେବେଳେ ଚାହିଁବେ – ପରିବର୍ତନ ହେବାକୁ ବାଧ୍ୟ । ସାମାଜିକ ବ୍ୟବସ୍ଥାର ପରିବର୍ତନ ପାଇଁ କେଉଁଠି ଶହଶହ ବର୍ଷ ଏପରିକି ହଜାରହଜାର ବର୍ଷ ଲାଗିଯାଏ । ଆମେ ପଛକୁ ନଯାଇ ଏବକାର ସାମାଜିକ ବ୍ୟବସ୍ଥା କଥା ଚିନ୍ତା କଲେ ଜାଣିପାରିବା ଯେ – ସାମ୍ପ୍ରତିକ ସମାଜ ବ୍ୟବସ୍ଥା ଏକ ପଚାପୂତିଗନ୍ଧମୟ ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ବ୍ୟବସ୍ଥା । ଏହି ବ୍ୟବସ୍ଥାକୁ ବଦଳାଇବାକୁ ହେଲେ ଦୁଇ ଭୟଙ୍କର ଶକ୍ତି ବିରୋଧରେ ତୁମୁଳ ସଂଘର୍ଷ କରିବାକୁ ହେବ । ଏଥିପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱବୋଧ ରହିଛି । ଆମେ ସବୁ ଭଲ ଆଶା କରିବା, କିନ୍ତୁ ଭଲ ପାଇଁ କିଛି କରିବା ନାହିଁ । ଏଭଳି ହେଲେ ଏ ସାମାଜିକ ବ୍ୟବସ୍ଥା ପରିବର୍ତନ ପାଇଁ ଆଉ କେତେ ବର୍ଷ ଲାଗିବ କହି ହେବନି ।
ଆମେ ଆମ ସଂସାର-ପରିବାରରେ ମଧ୍ୟ ଦାୟିତ୍ୱ ନିଭାଇ ପାରୁନେ । ପରିବାରର ଛୋଟବଡ଼ ସବୁ ସଦସ୍ୟ ଆମେ ଆଗେ ଆତ୍ମସ୍ୱାର୍ଥକୁ ବଡ଼ କରି ଦେଖୁଛେ । ପରିବାର ପାଇଁ ଯାହାକିଛି କରୁଛେ – ବାଧ୍ୟବାଧକତାରେ । ଯେଉଁ ପୁଅଝିଅଙ୍କୁ ଏତେ କଷ୍ଟକରି ବଡ଼ କଲେ – ସେମାନେ ବାପ ମା\’ଙ୍କୁ ଭୁଲି ନିଜ ସ୍ୱାର୍ଥରେ ମାତିଲେ । ଅବଶ୍ୟ ହଜାରେକେ ଗୋଟାଏ ଦି\’ଟା ନିଆରା । ପରିବାରରେ ରକ୍ତର ସମ୍ପର୍କ ଥିଲେ ବି ଆମେ ତୋ\’ର, ମୋ\’ର ନୀତି ଅବଲମ୍ବନ କରୁଛେ । ଯାହା ଫଳରେ ସଂସାର ଓ ସାଂସାରିକ ଜୀବନ ଭାଙ୍ଗି ଚୂରମାର ହେଇଯାଉଛି ।
ଆମେ ସବୁ ବସ୍ତୁବାଦୀ । ଆମର ସମ୍ପର୍କ ବସ୍ତୁକୁ ନେଇ । ଆମେ ସବୁବେଳେ ଲାଭ ପଛରେ ଗୋଡ଼ାଇ ଗୋଡ଼ାଇ ହତାଶପଙ୍କରେ ପଡ଼ିଛେ । ଆମ ଆଖିରେ ଲାଭ କଥା ବିଚାର କରି ଶୂଳିରେ ମଲେ ଲାଭ କି ଫାଶୀରେ ମଲେ ଲାଭ – ଚିନ୍ତା କରୁଛେ । ପୂର୍ବଭଳି ମଣିଷ ମଣିଷ ଭିତରେ ସମ୍ପର୍କର ସେତୁ ଭାଙ୍ଗିଗଲାଣି । ଏବକାର ସମ୍ପର୍କ ସମ୍ପୂର୍ଣ୍ଣ ସ୍ୱାର୍ଥରେ ଭରପୂର । ଏ ସମ୍ପର୍କ କାଳଜୟୀ ନୁହେଁ । ସମ୍ପର୍କରେ ମଧ୍ୟ ଆମେ ଠକୁଛେ ।
ଆଉ ବନ୍ଧୁତ୍ୱ ! ଆଜି ଯେ ବନ୍ଧୁ କାଲି ସେ ଶତ୍ରୁ ପାଲଟିଯାଉଛି । କ୍ଷମତା-ଅର୍ଥ-ସ୍ୱାର୍ଥ-ମୋହ-ମାୟାରେ ଆମେ ବନ୍ଧୁଙ୍କୁ ବି ଛୁରା ମାରିବାରେ ପଛଉନାହିଁ । ଆଜିବି ଶହ ଶହ ଜୁଲିଅସ୍ ସିଜର – ବ୍ରୁଟାଶ୍ ଏ ସମାଜରେ ଘୂରି ବୁଲୁଛନ୍ତି । ରକ୍ତର ସମ୍ପର୍କ ନ ଥିଲେ ବି ବନ୍ଧୁତ୍ୱ ଭଳି ପବିତ୍ର ଶବ୍ଦକୁ ଆମେ ଅବମାନନା କରୁଛୁ । ଝଗଡା ପରେ ଯିଏ ପ୍ରଥମେ କଥା ହୁଏ – ସେଇ ବନ୍ଧୁ ହିଁ ସଂପର୍କର ମୂଲ୍ୟ ବୁଝିଥାଏ । ବନ୍ଧୁ ପାଇଁ ବନ୍ଧୁ ଜୀବନ ଦେବା ଭଳି ଉଦାହରଣ କ୍ୱଚିତ୍ ମିଳେ ।
ଆମେ ସବୁ ପୁଅ ହେଉ କି ଝିଅ ହେଉ – ଫଟାରସିକ, ରସିକିଆଣୀ । ଆମେ ପ୍ରେମରେ ବି ଠକିବାରେ ପାରଙ୍ଗମ । ପ୍ରେମ କରିବା ଜଣକୁ, ବିଭାହେବା ଅନ୍ୟ ଜଣକୁ । ଏଭଳି ବିଫଳ ପ୍ରେମରେ ଉଭୟେ କ୍ଷତିଗ୍ରସ୍ତ । ଜୀବନସାରା ହତାଶ । ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍ କମ୍ ଦେଖାଯାଏ । ଆମେ ଅଧିକାଂଶ ସମୟରେ ସୌନ୍ଦର୍ଯ୍ୟ, ଧନ ସମ୍ପତି, ବଂଶ ପରମ୍ପରାକୁ ଅଗ୍ରାଧିକାର ଦେଉ । ଯାହା ଫଳରେ ଦୁଇଟି ଅମେଳ ମନକୁ ଜବରଦସ୍ତ ମିଳାଯାଏ । ଫଳରେ ସାଂସାରିକ ଜୀବନ ଏପରିକି ଯୌନଜୀବନ ମଧ୍ୟ ସଫଳ ହୁଏନା । ଯିଏ କହିବ – ମୁଁ ପ୍ରେମରେ କାହାକୁ ଠକିନି, ତାକୁ କି ଉପାଧି ଦେବାକଥା ଆପଣମାନେ ଦିଅନ୍ତୁ ।
ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର କହିଥିଲେ – \”\”ଯିଏ ପାପ କରେ ସେ ପାପୀ, ଯେଉଁମାନେ ଜାଣତରେ ହେଉ କିମ୍ବା ଅଜାଣତରେ ପାପକୁ ସମର୍ଥନ କରନ୍ତି କିମ୍ବା ସହ୍ୟ କରନ୍ତି – ସେମାନେ ମହାପାପୀ ।” ଆମେସବୁ କେହି ପାପୀ ନୁହଁନ୍ତି – ଜଣେ ଜଣେ ମହାପାପୀ । ଆମେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ଠକି ଚାଲିଛୁ । ଆମେ କେଉଁଥିରେ ନ ଠକିଛେ – ପ୍ରେମରେ, ବନ୍ଧୁତ୍ୱରେ, ସମ୍ପର୍କରେ, ସଂସାରରେ, ସମାଜରେ ସବୁଥିରେ ଠକିଛୁ । ଏବେ ଦୁର୍ନୀତି, ଭ୍ରଷ୍ଟାଚାର ସମଗ୍ର ବିଶ୍ୱକୁ ଗ୍ରାସ କରିଯାଇଛି । କିଏ କେଉଁଭଳି ଦୁର୍ନୀତି, ଭ୍ରଷ୍ଟାଚାର, ଲୁଟ୍ତରାଜରେ ଲିପ୍ତ, ତାହା କେବଳ ୧୦୦ ଭାଗ ତାକୁ ହିଁ ଜଣା । ଯାହାବି ପ୍ରକାଶ ପାଉଛି ସେ ସବୁ ଅର୍ଦ୍ଧସତ୍ୟ ।
ଆସନ୍ତୁ – ଆମେ କେବଳ ଆମ ଦେଶ କଥା ବିଚାର କରିବା । ଦେଶ ଭିତରେ ଆମ ରାଜ୍ୟ ଓଡ଼ିଶା । ୧୯୪୭ ମସିହା ଦେଶ ସ୍ୱାଧୀନ ହେଲା ଦିନଠୁଁ ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଦୁର୍ନୀତିର ହିସାବଫର୍ଦ୍ଦରେ ଆଖି ବୁଲାଇଲେ କି ଶୁଣିଲେ ଅବଶ୍ୟ ମୁଣ୍ଡ ଚକ୍କର ଖାଇଯିବ । ଯେଉଁମାନେ ରାଜକୋଷ ଲୁଟ୍ କରି ମରିଗଲେ, ସେମାନେ ତାଙ୍କ ପରିବାର ପାଇଁ ଲୁଟ୍ ମାଲ ରଖିଯାଇଛନ୍ତି । ସେମାନେ ଭୋଗ କରୁଛନ୍ତି । ସେଥିରେ ଦେଶର ଭାଗ ନାହିଁ । ପୁଣି ଆମେ ଏତେ ଅଭାଗା, ସେଇ ରାଜକୋଷ ଲୁଟେରାମାନଙ୍କ ପ୍ରତିମୂର୍ତି ଗଢ଼ି ତାଙ୍କ ଜନ୍ମ କିମ୍ବା ଶ୍ରାଦ୍ଧଦିବସରେ ଫୁଲମାଳ ଦେଇ ଜୟଗାନ କରୁଛେ । ସେଇ ପରିବାର ଲୋକଙ୍କୁ ଭୋଟ୍ ଦେଇ ପୁଣି ଶାସନକ୍ଷମତାର ଡୋରି ଛାଡ଼ିଦେଉଛେ । ଏ ମହାପାପର କେବେ ପ୍ରାୟଶ୍ଚିତ କରିବା କେଜାଣି ! ଆମେ ଯୁକ୍ତି କରୁଛେ – ପେଟପାଟଣା ପାଇଁ ବଂଚିବା ପାଇଁ ପାପୀଙ୍କୁ ମୁଣ୍ଡିଆ ମାରିବାକୁ ବାଧ୍ୟ ହେଉଛେ । କିଏ ଆମକୁ ବଂଚିବାକୁ ବାଧ୍ୟ କରୁଛି କି ? ମଣିଷ ଜୀବନଟା ଏତେ ସ୍ୱାର୍ଥପର – ମଲା ବେଳକୁ ଆଉ ଟିକେ ବଂଚନ୍ତି କି ବୋଲି ଡହଳବିକଳ ହୁଏ ।
ମୋର କହିବାର କଥା – ଆମେ ସବୁ, ପ୍ରେମରେ, ବନ୍ଧୁତ୍ୱରେ, ସମ୍ପର୍କରେ, ସଂସାରରେ, ସର୍ବୋପରି ସମାଜରେ ଠକିଚାଲିଛେ । ଏସବୁ ଠକାମି ଯେ ପୂରାପୂରି ବନ୍ଦ ହୋଇଯିବ – ସେକଥା ମୁଁ ହଲପ କରି କହୁନି । ଠକାମିକୁ ଟିକେ ନିମ୍ନମୁଖୀ କରିଦେଲେ – ଆହାଃ! ଜୀବନଟା କି ଆନନ୍ଦମୟ ହୋଇଯାଆନ୍ତା !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩