ଅପ୍ରେଲ ୧୫ରୁ ଜୁନ ୧୪: ସମୁଦ୍ରରେ ମାଛଧରା ମନା

0

  • ଭୁବନେଶ୍ୱର,//TATKAL ODISHA//


ପ୍ରଜନନ ସମୟରେ ସମୁଦ୍ରରେ ମାଛ ଧରିବା ମନା । ଏହା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ନିମନ୍ତେ ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ଲାଗୁ ହୋଇଛି । ଏଥିରେ ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୃଷିଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଓଡ଼ିଶା ଉପକୂଳରେ ଅନ୍ୟ ରାଜ୍ୟର ମାଛଧରା ଡଙ୍ଗାମାନେ ବେଆଇନ ଭାବେ ମାଛଧରିବାକୁ ରୋକିବା ପାଇଁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ସାମୁଦ୍ରିକ ଥାନାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା । କଳକାରଖାନାର ବର୍ଜ୍ୟବସ୍ତୁ ସମୁଦ୍ରରେ ଛାଡ଼ିବା ଦ୍ୱାରା ମାଛମାନେ ବହୁଳ ଭାବେ ପ୍ରଭାବିତ ହେଉଥିବା ଦୃଷ୍ଟିରୁ ଖିଲାପୀ ଶିଳ୍ପ ଏବଂ କାରଖାନାଗୁଡ଼ିକ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ମାଛଧରା ଜାଲର ମେସ୍ ସାଇଜ୍‌ରେ ଆବଶ୍ୟକ ପରିବର୍ତ୍ତନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ବିଭିନ୍ନ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଏଥିରେ ଯୋଗଦେଇ ମାଛଧରା ନିଷେଧାଜ୍ଞାର ବିଭିନ୍ନ ଦିଗ ସଂପର୍କରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ସମୁଦ୍ରରେ ବିଭିନ୍ନ ପ୍ରଜାତିର ମାଛ ସଂରକ୍ଷଣ ଓ ଏହାର ବଂଶବୃଦ୍ଧି କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ତେବେ ସଂଘର ପ୍ରତିନିଧିମାନେ ଯନ୍ତ୍ରଚାଳିତ ମାଛଧାରା ଡଙ୍ଗା ଉପରେ କଟକଣା ଜାରି କରିବା ପାଇଁ କହିଥିବାବେଳେ ପାରମ୍ପରିକ ଡଙ୍ଗାରେ ଯେଉଁମାନେ ସମୁଦ୍ରରେ ମାଛ ଧରୁଛନ୍ତି ସେମାନଙ୍କୁ ଏଥିରୁ ଛାଡ଼ କରିବା ପାଇଁ ଅନୁରୋଧ କରିିଥିଲେ । ଏଥି ସହିତ ନିଷେଧାଜ୍ଞା ସମୟରେ ପ୍ରଭାବିତ ମତ୍ସ୍ୟଜୀବୀଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଦାବି କରିଥିଲେ ।

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.