ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ: ଜନ୍ମଦିନରେ ସ୍ମରଣ କରନ୍ତୁ

0
  • //TATKAL ODISHA//
  • ଶ୍ରୀକାନ୍ତ ଦାଶ

++++++++++++++++++++

  • ରାମ ନବମୀର ଅନୁଚିନ୍ତା

++++++++++++++++++++


ରାମ° ଲକ୍ଷ୍ମଣ° ପୂର୍ବଜ° ରଘୁବର°ସୀତାପତି ସୁନ୍ଦର°, କାକୁସ୍ଥ°କରୁଣାକର° ଗୁଣନିଧି°ବିପ୍ର ପ୍ରିୟ° ଧାର୍ମିକ°, ରାଜେନ୍ଦ୍ର° ସତ୍ୟସନ୍ଧ° ଦଶରଥ ତନୟ°
ଶ୍ୟାମଳ° ଶାନ୍ତମୂର୍ତ୍ତି°, ବନ୍ଦେ ଲୋକାଭିରାମ° ରଘୁକୁଳ ତିଳକଂ ରାଘବ° ରାବଣାରି |
ଧ୍ୟାୟେ ଆଜାନୁବାହୁ ଧୃତଶର ଧନୁଷ° ବଦ୍ଧପଦ୍ମାସନସ୍ଥ°, ପିତ°ଵାସୋ ବସାନ° ନବକମଳ ଦଳ ସ୍ପର୍ଦ୍ଦିନେତ୍ର°ପ୍ରପନ୍ନ°, ବାମାଙ୍କାରୁଢ଼ ସୀତା ମୁଖକମଳ ଲସତ ଲୋଚନ° ନୀରଦାଭ°, ନାନାଳଙ୍କାରଦୀପ୍ତ° ଦଧତ ମୁରୁଜଟା ମଣ୍ଡଳ° ରାମଚନ୍ଦ୍ର |

ପବିତ୍ର ରାମନବମୀ ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ ଭାବରେ ସ୍ୱୀକୃତ |ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଭାରତୀୟ ଜନ ଜୀଵନରେ ଜଣେ ଆଦର୍ଶ ପୁରୁଷ | ବାଲ୍ମୀକି ରାମାୟଣ ଶ୍ରୀରାମଙ୍କୁ ସାଧାରଣ ମନୁଷ୍ୟରୂପେ ସ୍ୱୀକାର କରିଥିଲାବେଳେ ଅଧ୍ୟାତ୍ମ ରାମାୟଣ ଶ୍ରୀରାମଙ୍କୁ ସ୍ୱୟଂ ବିଷ୍ଣୁଙ୍କ ଅବତାର ପରମବ୍ରହ୍ମ ରୂପେ ଗ୍ରହଣ କରିଛି |

ବୈଷ୍ଣବ କବି ଶ୍ରୀଜୟଦେବ ଶ୍ରୀରାମଙ୍କୁ ବିଷ୍ଣୁଙ୍କର ସପ୍ତମ ଅବତାର ଭାବେ ଗ୍ରହଣ କରିଛନ୍ତି | ତେଵେ କହିବାକୁ ଗଲେ ଶ୍ରୀରାମଙ୍କ ଜୀବନ ଭାରତୀୟ ଶିକ୍ଷା, ସଂସ୍କୃତି, ଆଦର୍ଶ ତଥା ସମସ୍ତ ଦିବ୍ୟଗୁଣର ବଳିଷ୍ଠ ଉଦାହରଣ | ସେ ଆମ ପାଇଁ ଉଭୟ ଆଧ୍ୟାତ୍ମିକ ଓ ଓ ସାଂସ୍କୃତିକ ଅନୁଭବ |

ଅନ୍ୟ ଅର୍ଥରେ କହିବାକୁ ଗଲେ ରାମ ହେଉଛନ୍ତି ଭଲ ରାଜା, ଭଲ ସ୍ୱାମୀ, ଭଲ ପ୍ରେମିକ, ଭଲ ପ୍ରଭୁ, ଏବଂ ସକଳ ଗୁଣ ଯଥା :- ତ୍ୟାଗ, ଦୟା, ବୀରତ୍ୱ, ବିଦ୍ୟା, ପରାକ୍ରମ, ଓ ଧର୍ମର ସମାହାର | ସେ କେବେ ମର୍ଯ୍ୟାଦା ଉଲଂଘନ କରିନାହାନ୍ତି | ସେଥିପାଇଁ ସେ ମର୍ଯ୍ୟାଦା ପୁରୁଷୋତ୍ତମ |

ରାମ ଅବାହମାନ କାଳରୁ ଆମ ସାମାଜିକ,ରାଜନୈତିକ ସାଂସ୍କୃତିକଓ ଧର୍ମୀୟ ଚେତନାକୁ ସମାଛନ୍ନ କରି ରଖିଛନ୍ତି | ତାଙ୍କୁ ନେଇ ଅନେକ ରାମାୟଣ ରଚିତ ହୋଇଛି | ଆମେ ଦେଖୁ ଆମ ମତରେ ମହର୍ଷି ବାଲ୍ମୀକି ଯେଉଁ ରାମାୟଣ ଲେଖିଥିଲେ ସେହି ରାମାୟଣକୁ ଛାଡି ହଜାର ହଜାର ବାଲ୍ମୀକି ଓ ହଜାର ହଜାର ରାମାୟଣ ପ୍ରାୟ ଅଢେଇ ହଜାରରୁ ଅଧିକ ଭାରତ ବର୍ଷ ଓ ଭାରତ ବାହାରେ ବିଶେଷ କରି ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶରେ ଲେଖା ହୋଇ ଚାଲିଛି |

ସମୟ କ୍ରମେ ଯେଉଁ କବିମାନେ ଆସିଛନ୍ତି, ଯେଉଁ ଧର୍ମ ସମ୍ପ୍ରଦାୟଗୁଡିକ ଜନ୍ମ ହୋଇଛନ୍ତି, ଯେଉଁ ଶାସକମାନେ ଶାସନ ଡୋରି ଧରିଛନ୍ତି, କେହି ରାମ ଚେତନାରୁ ମୁକ୍ତ ନୁହନ୍ତି |ଅର୍ଥାତ ରାମ ଏକ ସର୍ବକାଳୀକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାରେ ରୂପାନ୍ତରିତ ହୋଇଯାଇଛନ୍ତି | ଏହା ଦ୍ୱାରା ରାମ କଥାକୁ ନେଇ ବିଭିନ୍ନ ଧର୍ମଗ୍ରନ୍ଥ ସୃଷ୍ଟି ହୋଇଛି | ଜୈନମାନଙ୍କ ଜୈନ ରାମାୟଣରେ ତେଷଠି ଜଣ ଶଳାକାପୁରୁଷ (ମହାନ ବ୍ୟକ୍ତି )ଙ୍କ ମଧ୍ୟରେ ରାମ ଅନ୍ୟତମ ଚରିତ୍ର ଭାବେ ପ୍ରତିଷ୍ଠିତ ହୋଇଛନ୍ତି | ବୌଦ୍ଧ ଧର୍ମର ଥେରବାଦ ଓ ଦଶରଥ ଜାତକରେ ମଧ୍ୟ ରାମ ଅଛନ୍ତି | ମହାଭାରତ ଓ ବିଭିନ୍ନ ପୁରାଣରେ ବି ରାମ ରହିଛନ୍ତି |

ଯୋଗବାଶିଷ୍ଠ ରାମାୟଣ, ଅଧ୍ୟାତ୍ମ ରାମାୟଣ, ଦେଵୀଭାଗବତ, ଅଦ୍ଭୁତ ରାମାୟଣ — ସବୁଠି ରାମ | ସେ ବୈଷ୍ଣବ, ଶାକ୍ତ, ସୌର ଗୋଷ୍ଠୀର ବିଚାରରେ ଜୀବନ୍ତ |ତେଣୁ ସେ ସନାତନ |
ଆଚାର୍ଯ୍ୟ ରମାନନ୍ଦ ସ୍ୱରଚିତ “ବୈଷ୍ଣବମତାବ୍ଜଭାସ୍କର”ରେ ଉଲ୍ଲେଖ କରିଛନ୍ତି ଯେ,”ଜଗତପ୍ରଭୁ ଶ୍ରୀରାମଙ୍କ ପାଦପଦ୍ମରେ ସମର୍ଥ, ଅସମର୍ଥ, ପ୍ରତ୍ୟେକ ପ୍ରପତ୍ତିର ଅଧିକାରୀ ଅଟନ୍ତି |

ସେଥିରେ କୂଳ, ପରାକ୍ରମ, କାଳବିଶେଷ ଏବଂ ଶୁଦ୍ଧତାର ଅପେକ୍ଷା ନ ଥାଏ “
ଗୋସ୍ୱାମୀ ତୁଳସୀ ଦାସଙ୍କ ମତରେ, “ଜୋଇ ରାମ ସୋଇ ଜଗଦିସା, ତିନହିଁ କେ ଅନ୍ତ ନ ପାୱ ଅହୀସା |”
ଯିଏ ରାମ ସେ ଜଗଦିଶ ଜଗନ୍ନାଥ |ତାଙ୍କ ଲୀଳାର ଅନ୍ତ ଅହିରାଜ ଅନନ୍ତ ମଧ୍ୟ ପାଆନ୍ତି ନାହିଁ |”ସେହି ରାମଙ୍କୁ ହୃଦୟରେ ଧାରଣ କରି ସେ ରଚନା କଲେ “ରାମଚରିତ ମାନସ “

ସାହିତ୍ୟ ଜଗତରେ ରାମ କାବ୍ୟ ଧାରାରେ ବଳରାମ ଦାସଙ୍କ “ଜଗମୋହନ ରାମାୟଣ ଏକ ଅମୁଲ୍ୟ ଗ୍ରନ୍ଥ |ଉକ୍ତ ଧାରା ଅନୁସରଣରେ ରଚିତ କେଶବ ରାମାୟଣ, ଅଧ୍ୟାତ୍ମ ରାମାୟଣ, ବିଶି ରାମାୟଣ, ରସ ରାମାୟଣ, ଶ୍ରୀରାମଚନ୍ଦ୍ର ଦାସଙ୍କ ସରଳ ରାମାୟଣ, କବି ବନମାଳୀଙ୍କ ସୂଚିତ୍ର ରାମାୟଣ, କବି ରାଧାଚରଣ ନାୟକଙ୍କ ରସରାମାୟଣ ମଞ୍ଜରୀ ଆଦି ବହୁ ଗ୍ରନ୍ଥ ଏବଂ ଅର୍ଜୁନ ଦାସଙ୍କ “ରାମବିଭା ‘ଭଳି କାବ୍ୟାଦି ରାମ ଉପାସନାର ସଂକେତ ପ୍ରଦାନ କରନ୍ତି |

ଧନଞ୍ଜୟ ଭଞ୍ଜଙ୍କ “ରଘୁନାଥ ବିଳାସ,”କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ “ବୈଦେହୀଶ ବିଳାସ “ଆଦି ରାମ କାବ୍ୟର ପ୍ରକୃଷ୍ଟ ଉଦାହରଣ |
ଓଡିଶାରେ ରାମ ଉପାସନାର ଧାରା କେବଳ କାବ୍ୟରେ ନୁହେଁ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟରେ ମଧ୍ୟ ପ୍ରତିଫଳିତ ହୋଇଛି | ଗଞ୍ଜାମରେ ଓଡ଼ଗାଁ ର ରଘୁନାଥ ମନ୍ଦିରରେ ଦାରୁ ନିର୍ମିତ ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ ପୂଜିତ ହୁଅନ୍ତି |ବୁଗୁଡ଼ାର ବିରଞ୍ଚି ନାରାୟଣ ମନ୍ଦିର, ନୟାଗଡସ୍ଥ ପୁରୁଣା ସହରରେ ଦୁଇଟି ମଠରେ ଶ୍ରୀରାମଙ୍କ ପୂଜା ଉପାସନା ପ୍ରଚଳିତ ଅଛି |

ଶ୍ରୀମନ୍ଦିରରେ ମଧ୍ୟ ଶ୍ରୀରାମଙ୍କ ପୂଜା ବିଧାନ ରହିଛି |ମାର୍ଗଶିର କୃଷ୍ଣ ଚତୁର୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତିନି ଦିନ ଧରି ଶ୍ୱେତ ଶ୍ରାଦ୍ଧ ବେଶ ପରିଧାନ କରି ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ ଓ ପିତୃଶ୍ରାଦ୍ଧ ପ୍ରଦାନ କରିବା ଅବସରରେ ତ୍ରେତୟାର ପିତା ମାତା ଦଶରଥ ଓ କୌଶଲ୍ୟାଙ୍କୁ ସ୍ମରଣ ଜରିଥାନ୍ତି |

ଚୈତ୍ର ଶୁକ୍ଳ ନବମୀ ଠାରୁ ଶ୍ରୀମନ୍ଦିରରେ ଓ ଶ୍ରୀକ୍ଷେତ୍ରରେ ମହାସମାରୋହରେ ପ୍ରଭୁ ଶ୍ରୀରାମଙ୍କ ଲୀଳା ଉତ୍ସବ ଅନୁଷ୍ଠିତ ହୁଏ |ଶ୍ରୀରାମଙ୍କ ଜନ୍ମ ଅଵ୍ୟବହିତ ପୂର୍ବରୁ ମହାପ୍ରଭୁଙ୍କୁ କୌଶଲ୍ୟା ଜ୍ଞାନ କରି ତାଙ୍କ ଗର୍ଭକଷ୍ଟ ଲାଘବ ଏବଂ ଗର୍ଭଉଦୟ ପାଇଁ ‘ଜେଉଡ଼ “ଭୋଗ ଓ ଏକ ବିଶେଷ ବନ୍ଦାପନା କରାଯାଏ |”ତ୍ବମେବ ମାତା ଚ ପିତା ତ୍ବମେବ…”ରୀତିରେ ଶ୍ରୀଜଗନ୍ନାଥଙ୍କୁ କୋଶଲ୍ୟା ରୂପେ କଳ୍ପନା କରି ତାଙ୍କୁ ବିବିଧ ସ୍ୱାଦିଷ୍ଟ ବ୍ୟଞ୍ଜନରେ ପରିତୃପ୍ତ କରାଯାଏ |

“ନୀଳାଦ୍ରି ମହୋଦୟ “ଗ୍ରନ୍ଥରେ ଏହାର ବିଶେଷ ବର୍ଣ୍ଣନା ରହିଛି |
ତେବେ ଗୋଟିଏ କଥା ସ୍ପଷ୍ଟ ଯେ ମର୍ଯ୍ୟାଦା ପୁରୁଷ ଶ୍ରୀରାମ ଆମର ଆଦର୍ଶ ଓ ବିପରୀତ ପରିସ୍ଥିତିରେ କିଭଳି ସମ୍ମାନର ସହ ବଞ୍ଚିହେବ, ତାହା ତାଙ୍କ ଜୀବନରୁ ଆମେ ଶିଖୁ |

ଆଜିର ଦିନକୁ ଆମେ ଗତାନୁଗତିକ ଧାରାରେ ପାଳନ କରୁଛୁ, ସତ ମାତ୍ର ଶ୍ରୀରାମଙ୍କ ପରି ମର୍ଯ୍ୟାଦାବନ୍ତ ହୋଇ ପାରିନୁ |ରାମାୟଣର ଏମିତି କିଛି ଛଳ ଚରିତ୍ର ରହିଛନ୍ତି, ଯେଉଁମାନେ ଆମର ଆଦର୍ଶ | କାରଣ ସେ ଚରିତ୍ର ମାନେ ଯାହା ଦେଖା ଯାନ୍ତି, ପ୍ରକୃତରେ ସେୟା ନୁହନ୍ତି | ଏଇ ଯେମିତି ଯତିର ଛଦ୍ମ ବେଶ ତଳେ ଜଣେ ରାକ୍ଷସ ଥିଲା, ଯତି ବେଶରେ ରାକ୍ଷସ ରାବଣ ହି ଥିଲା | ହରିଣ ବେଶରେ ରାକ୍ଷସ ମାରିଚ ହି ଥିଲା | ସୁନ୍ଦରୀ ନାରୀ ଯେ ରାମଙ୍କୁ ସୌନ୍ଦର୍ଯ୍ୟରେ ଆକର୍ଷିତା ହୋଇ ଶେଷରେ ଲକ୍ଷ୍ମଣଙ୍କ ନିକଟରେ ପ୍ରେମ ନିବେଦନ କରି ତାଙ୍କ ଠାରୁ ପରାଭବ ପାଇଥିଲା ସେ ରାବଣ ଭଉଣୀ ସୂର୍ପଣଖା ଥିଲା | ଏମିତି ଅନେଜ ଚରିତ୍ରମାନଙ୍କୁ ନେଇ ରାମାୟଣର କାହାଣୀ ଗତିଶୀଳ |
ଭାଲୁ, ବାନର ପରି ପଶୁଙ୍କ ଅନ୍ତରରେ ମାନବୀୟ ଦିବ୍ୟଗୁଣ ସବୁକୁ ଶ୍ରୀରାମ ହି ସଞ୍ଜିବିତ କରିପାରିଥିଲେ |

ଆମକୁ ରାମ ରାଜ୍ୟର କଳ୍ପନା ନ କରି କେମିତି କାର୍ଯ୍ୟମାଧ୍ୟମରେ ଆମେ ସ୍ବପରିଚୟ ସୃଷ୍ଟି କରିବା, ତାହା ଆମର ଧ୍ୟାନ ହେବା ଉଚିତ | ସଦା ସତ୍ୟାଶ୍ରୟୀ ହେବା ଏହା ଶ୍ରୀରାମଙ୍କ ଚରିତ୍ରର ଅନ୍ୟତମ ବୈଶିଷ୍ଟ୍ୟ |

ପବିତ୍ର ରାମ ନବମୀରେ ଆମକୁ ଶପଥ ନେବାକୁ ହେବ ଯେ ଆମେ ସଂକୀର୍ଣ୍ଣ ଚିନ୍ତାଧାରାରୁ ଉର୍ଦ୍ଧରେ ରହି ଦେଶ ତଥା ରାଜ୍ୟର ଗଠନ ଦିଗରେ ଆଗେଇଯିବା |
ଜୟ ଶ୍ରୀରାମ 🙏

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.