ମାୟାଧର ମିଜାଇଲ୍‍-୫: ‘ଧର୍ମଘଟକୁ ଧମକ’

0


ମାୟାଧର ନାୟକ

ଧର୍ମଘଟ, ଅନଶନ, ଧାରଣା, ବିକ୍ଷୋଭ, ଘେରାଉ, ବନ୍ଦ ଯାହା କଲେ ବି ମାଲିକ ଶ୍ରେଣୀ- ସରକାର ଆଉ ଖାତିର କରୁନାହାନ୍ତି । ପ୍ରତିବାଦରେ ଯୋଗ ଦେଉଥିବା ଶ୍ରମଜୀବୀ ଶ୍ରେଣୀ, ରାଜନୈତିକ ଦଳ ଏବଂ ପରିଚାଳନା କରୁଥିବା ନେତାମାନଙ୍କର ସତ୍ୟ, ନ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢିବାର ମନୋବୃତ୍ତିରେ ପ୍ରଚଣ୍ଡ ଦୁର୍ବଳତା ଦେଖାଦେଇଛି । ପ୍ରଥମେ ଯେଉଁ ଗର୍ଜନ ଚର୍ଜନରେ ଆରମ୍ଭ ହୁଏ, ସାମାନ୍ୟ ଧକ୍କାରେ ତାହା ଭାଙ୍ଗି ଚୁରମାର୍ ହୋଇଯାଏ । ଏଭଳି ଘଟଣା ଅହରହ ଘଟିଚାଲିଛି । ଯାହା ଫଳରେ ଆନ୍ଦୋଳନକାରୀଙ୍କ ମଧ୍ୟରେ ହତାଶା ବୃଦ୍ଧି ପାଉଛି । ମାନ୍ୟବର ସୁପ୍ରିମକୋର୍ଟ ଧର୍ମଘଟକୁ ମଧ୍ୟ ଧମକ ଦେଇଛନ୍ତି । ଏହାଦ୍ୱାରା ସମଗ୍ର ଦେଶରେ ଚହଳ ସୃଷ୍ଟି ହୋଇଛି । ଏହା ଗଣତାନ୍ତ୍ରିକ ଅଧିକାର ବିରୋଧରେ ପ୍ରଚଣ୍ଡ କୁଠାରଘାତ । ଏହି ରାୟ କେତେକଙ୍କ ପାଇଁ ପୁଷମାସ ହୋଇଥିଲାବେଳେ ଶ୍ରମଜୀବୀଶ୍ରେଣୀଙ୍କ ପାଇଁ ସର୍ବନାଶ । ସପକ୍ଷବିପକ୍ଷରେ ବିଭିନ୍ନ ଯୁକ୍ତିତର୍କ ଚାଲିଛି ଚାଲିବ ମଧ୍ୟ ।

ସଂକଳ୍ପ ଓ ସଂଘର୍ଷ ମଧ୍ୟରେ ଶତ ସହସ୍ର ସଂଗ୍ରାମୀଙ୍କ ବିନିମୟରେ ଯେଉଁ ଗଣତାନ୍ତ୍ରିକ ଅଧିକାର ହାସଲ କରି ଜନଗଣ ନୂତନ ସମାଜର ମୂଳଦୁଆ ପକେଇ ଆଗେଇ ଯିବାର ଥିଲା- ତାହା ଆଜି ମୁକ୍ତ ପୁଞ୍ଜିବାଦର କୁଚ୍ଛବାହକ ମୁନାଫାଖୋର ମାଲିକଶ୍ରେଣୀର ଷଡଯନ୍ତ୍ରରେ ପଣ୍ଡ ହୋଇଯାଇଛି । ମାଲିକଶ୍ରେଣୀ କବଳିତ କରିଛି ରାଷ୍ଟ୍ରଯନ୍ତ୍ର, ଧାରଣ କରିଛି ଦମନର ନୂଆ ନୂଆ ଶକ୍ତିଶାଳୀ ହତିଆର । ସେହି ତୁଳନାରେ ଜନଗଣଙ୍କ ପ୍ରତିରୋଧର ଅସ୍ତ୍ର ପୁରୁଣା ହୋଇଯାଇଛି । ସଂଗ୍ରାମର ନୂତନ ପର୍ଯ୍ୟାୟରେ ସେ ଅସ୍ତ୍ର ଆଜି ଅଚଳ ଅକାମୀ । ସେଥିପାଇଁ ଆଜିର ଚତୁର ମାଲିକଶ୍ରେଣୀ ଓ ସରକାରଙ୍କୁ ମୁକାବିଲା କରିବାରେ ପଛେଇ ଯାଇଛି ଜନବିପ୍ଳବର ଧାରା, ଶ୍ରମଜୀବି ଶ୍ରେଣୀର ବିକ୍ଷୁବ୍ଧ ଆନ୍ଦୋଳନ । ଏ ପର୍ଯ୍ୟନ୍ତ କୌଣସି ସଂଗଠନ, ନେତା କିମ୍ବା ବୁଦ୍ଧିଜୀବୀ ଶ୍ରମିକ ଶ୍ରେଣୀର ନୂତନ ଅସ୍ତ୍ର ଉଦ୍‌ଘାଟନ କରିପାରି ନାହାନ୍ତି । ଶ୍ରମିକ ସଂଗଠନ-ରାଜନୈତିକ ଦଳଗୁଡିକ ଶ୍ରମିକମାନଙ୍କୁ ଗୋଡାଣିଆ-ଅର୍ଥନୈତିକ ସୁବିଧାବାଦୀ ରାସ୍ତାରେ ଟାଣି ନେଇଛନ୍ତି । ଶ୍ରମିକଶ୍ରେଣୀର ନୈତିକ ମେରୁଦଣ୍ଡକୁ ଭାଙ୍ଗିଦିଆଯାଇଛି । ଶ୍ରମଜୀବୀ ଶ୍ରେଣୀକୁ ସଚେତନ କରିବା ଜ୍ଞାନ ଅସ୍ତ୍ରରେ ସଜ୍ଜିତ କରିବା ଅତ୍ୟନ୍ତ ପ୍ରୟୋଜନୀୟ କାର୍ଯ୍ୟଟି କେହି କରୁନାହାନ୍ତି । ଦେଶର ପ୍ରଚଳିତ ପଚା-ପୁତ୍ତି ଗନ୍ଧମୟ ସମାଜବ୍ୟବସ୍ଥାର ବିକଳ୍ପ ଏ ପର୍ଯ୍ୟନ୍ତ ସୃଷ୍ଟି ହୋଇପାରିନି- ଯାହା ଅତ୍ୟନ୍ତ ଜରୁରୀ ।

ଭାରତବର୍ଷର ଜନଗଣ ସାଂପ୍ରଦାୟିକ ଫାସିବାଦର ନାଗଫାସ ବନ୍ଧନରେ ଛନ୍ଦି ହୋଇଯାଉଛନ୍ତି । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାରତବର୍ଷ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ବୋଲି ସମ୍ବିଧାନରେ ଲେଖାଅଛି । ପ୍ରତି ମୁହୂର୍ତ୍ତରେ ଆମେ ସମ୍ବିଧାନକୁ ଗୋଇଠା ମାରି ଦଳି ଚାଲିଛେ । ଏଥିପାଇଁ କାହାରିକୁ ଦଣ୍ଡ ନାହିଁ । ଖୋଲାଖୋଲି ଭାବେ ଧର୍ମ ନାଁରେ ରାଜନୀତି, ଜାତି, ବର୍ଣ୍ଣ ନାଁରେ ରାଜନୀତି କରି ଶାସନ କ୍ଷମତା ଦଖଲ କରୁଛେ । ପ୍ରତି ମୁହୂର୍ତ୍ତରେ ପ୍ରଚଳିତ ଆଇନ୍ ଭଙ୍ଗ କରୁଛେ- ଏହା କେବଳ ଆମ ଦେଶରେ ନୁହେଁ, ବିଶ୍ୱର ସବୁ ରାଷ୍ଟ୍ରରେ ବେଆଇନ କାର୍ଯ୍ୟକଳାପକୁ ଜବରଦସ୍ତ ସାବ୍ୟସ୍ତ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି । ବିଶ୍ୱବାସୀ ଏକ ଭୟଙ୍କର ବିପଦ ଆଡକୁ ଟାଣିହୋଇଯାଉଛନ୍ତି ।

ବିଚାର ବିଭାଗ ହୁଅନ୍ତୁ କି ସରକାର ହୁଅନ୍ତୁ- କୌଣସି ପ୍ରଥାକୁ ବାତିଲ ଘୋଷଣା କଲେ ତାହା ବାତିଲ ହୋଇଯାଏନା । ଧର୍ମଘଟକୁ ବାତିଲ କଲେ ତାହା ଅନ୍ୟ ଏକ ଭୟଙ୍କର ରୂପରେ ଅନ୍ୟ ଶଦ୍ଦରେ ଦେଖାଦେବ । ଶ୍ରମଜୀବୀମାନେ ଯେତେବେଳେ ଦାବୀ ହାସଲ ପାଇଁ ସୁଯୋଗ ପାଇବେ ନାହିଁ ସେତେବେଳେ ସେମାନଙ୍କ ପେଟପାଟଣା ଦାଉରେ ଅଶାନ୍ତି ଅସନ୍ତୋଷର ନିଆଁ କୁହୁଳି କୁହୁଳି ହେବ ବିସ୍ଫୋରଣ । ଚରମପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବେ । ଏହା ଧର୍ମଘଟଠାରୁ ଆହୁରି ମାରାତ୍ମକ ରୂପ ଧାରଣ କରିବ । ଶାସନକ୍ଷମତାରେ ଥିବା ରାଜନେତାମାନେ ପ୍ରତି ମୁହୂର୍ତ୍ତରେ ସାମ୍ପ୍ରଦାୟିକ ବିଦ୍ୱେଶ-ଘୃଣା ସୃଷ୍ଟି କରି ଦଙ୍ଗା ଲଗାଇବାରେ ସଫଳ ହେଉଛନ୍ତି । ସେହି ସବୁ ସାମ୍ପ୍ରଦାୟିକ ଶକ୍ତି ଦଳକୁ ସୁପ୍ରିମକୋର୍ଟ ବାତିଲ କରିଦେଇ ପାରିବେ କି ? ଅଧିକାଂଶ ବିଚାରପତିଙ୍କର ବିଚାର ପକ୍ଷପାତ ହେବା ବହୁ ନଜିର ରହିଛି । ବିଚାରପତିମାନେ ଅବସର ନେଲାପରେ କିଏ ରାଜ୍ୟସଭା ସଦସ୍ୟ ହେବ, କିଏ କେଉଁ ତଦନ୍ତ କମିଶନର ମୁଖ୍ୟ ହେବେ କିମ୍ବା ସେମାନଙ୍କ ପରିବାରରୁ କିଏ ସୁବିଧାସୁଯୋଗ ପାଇବେ- ଏଇ ମନୋଭାବ ଚାକିରି କଲାବେଳେ ରହିଥିବାରୁ ସେମାନେ ପକ୍ଷପାତ ବିଚାର କରିବାର ସମ୍ଭାବନା ସମ୍ପୂର୍ଣ୍ଣ ସନ୍ଦେହମୁକ୍ତ ନୁହେଁ ।

ସାଧାରଣ ଜନତାର ସ୍ୱର ସମ୍ବଳିତ ଦାବୀକୁ ଦବାଇବାର କି ଦୁଃଖଦାୟକ ମସୁଧା । ଅଧର୍ମ ଚିତଧର୍ମୀ ଅପସଂସ୍କୃତିର ଯେଉଁ କୁତ୍ସିତ କୀଟାଣୁ ଭାରତବର୍ଷର କଲିଜାକୁ ଖତମ କରିବାର ଜଘନ୍ୟ ଅଭିଯାନ ଆରମ୍ଭ କରିସାରିଛି ତାହାର ଭଲା ଅନ୍ତ ଘଟାଇବାର ଉଦ୍ୟମ ମାନ୍ୟବର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁଭୂତ ହୁଅନ୍ତା କି? ଦୁଃଖ ଲାଗେ- ୨୦୦ ବର୍ଷର ରାଜ କରିଆସିଥିବା ସାହେବ ସରକାର ଦେଶୀ ଆନ୍ଦୋଳନକୁ ନିଷିଦ୍ଧ ଘୋଷଣା କରି ନଥିଲା- ଅଥଚ ଆମ ଦେଶୀ ଶାସନରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ଜନଜାଗୃତିର ପ୍ରତୀକସ୍ୱରୂପ ଜନଗଣଙ୍କର ଧର୍ମଘଟଗୁଡିକୁ ରଦ୍ଦ କରିବାର ଯେଉଁ ଦଣ୍ଡାଦେଶ ଶୁଣାଇଛନ୍ତି ତାହା ଘୋର ପରିତାପର ବିଷୟ । ଏହା ଦେଶକୁ ଲଜ୍ଜା – ଜାତିକୁ ଲଜ୍ଜା – ଉôଳଟତମ ଲଜ୍ଜା ମଧ୍ୟ ଆମ ଭବିଷ୍ୟତ ପିଢୀର ଉତ୍ତରଦାୟଦମାନଙ୍କ ପାଇଁ ।

ବର୍ତ୍ତମାନର ଭସ୍ମୀଭୂତ ଭାରତବର୍ଷ ଓ ସଂତ୍ରସ୍ତ ସମାଜ ବ୍ୟବସ୍ଥା ପାଇଁ ପରିତ୍ରାଣର ପନ୍ଥା ଖୋଜା ଚାଲିଛି ବିଭିନ୍ନ ସ୍ତରରେ । ଭସ୍ମସ୍ତୂପ ମଧ୍ୟରୁ ଭବିଷ୍ୟତକୁ ଉଦ୍ଧାର କରିବା ଏବଂ ଭଗ୍ନସ୍ତୂପ ମଧ୍ୟରୁ ଜନଜୀବନକୁ ରକ୍ଷା କରିବା ନିମନ୍ତେ ଆଜି ଯେଉଁ ଅଙ୍ଗୀକାରବଦ୍ଧ ଆନ୍ଦୋଳନ ଓ ଗଣସଂଗ୍ରାମ ଏକାନ୍ତ ପ୍ରୟୋଜନ, ସେଥି ନିମନ୍ତେ ଆମ ସମସ୍ତଙ୍କର ସମ୍ମିଳିତ ସଂକଳ୍ପ ଅପରିହାର୍ଯ୍ୟ ।

  • ମାୟାଧର ନାୟକ, ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.