ମାୟାଧର ମିଜାଇଲ-୨ : ‘ଗଣଆନ୍ଦୋଳନର ମାର୍ଗଦର୍ଶନ’
//TATKAL ODISHA//ନିୟମିତ ସ୍ତମ୍ଭ//
- ମାୟାଧର ନାୟକ
ବର୍ଷବର୍ଷ ଧରି ଅନେକ ଆନ୍ଦୋଳନ ସତ୍ୱେ କାହିଁକି ବିପ୍ଳବର ବ୍ୟର୍ଥତା, କାହିଁକି ଆନ୍ଦୋଳନଗୁଡ଼ିକର ମରୀଚିକା ଆଡ଼କୁ ମହାଯାତ୍ରା, କାହିଁକି ଅନ୍ଧାରୀ ଶାସନକୁ ମୁକାବିଲା କରି ହେଉନି ? ଏଇସବୁ ପ୍ରଶ୍ନ ଏବେବି ମନରେ ଖେଳିବୁଲୁଛି ।
ଆନ୍ଦୋଳନ ଭିତରୁ ମୋର ଜନ୍ମ । ଛାତ୍ରାବସ୍ଥାରୁ ଆଜିପର୍ଯ୍ୟନ୍ତ ଅନେକ ଆନ୍ଦୋଳନ କରିଛି ଏବଂ ଅନ୍ୟମାନଙ୍କ ଆନ୍ଦୋଳନରେ ଯୋଗଦେଇଛି । ଗଣଆନ୍ଦୋଳନ ସଂପର୍କରେ ଏକ ତିକ୍ତ ଅଭିଜ୍ଞତା ମଧ୍ୟ ରହିଛି । ଛାତ୍ରଆନ୍ଦୋଳନଠାରୁ ଆରମ୍ଭ କରି, ଶ୍ରମିକ, କୃଷକ, କ୍ଷେତମୂଲିଆ, ବିସ୍ଥାପିତ, ଶିକ୍ଷକ, କର୍ମଚାରୀ ବିକ୍ଷୋଭ ସମାବେଶ ଗୁଡ଼ିକୁ ଅନୁଧ୍ୟାନ କରିଛି- ତାପରେ ସମାଜ, ଦେଶ, ପ୍ରଦେଶ, ପରିବେଶ, ଶେଷରେ ସାହିତ୍ୟାନ୍ଦୋଳନ ଏବଂ ସର୍ବୋପରି ବିକଳ୍ପ ତତ୍ୱର ସନ୍ଧାନ ଆନ୍ଦୋଳନ ଭିତରେ ଅଛି ।
ଏବେ ବୁଝୁଛି- ତାଲିମ ପାଇ ନଥିବା ସିପାହିକୁ ବଂଧୁକ ଧରାଇଦେଲେ- ସେ ନିଜେ ମରିବ କିମ୍ବା ଛତ୍ରଭଂଗ ଦେବ । ସ୍ୱାର୍ଥପର ଲୋକମାନେ ଆନ୍ଦୋଳନରେ ଯୋଗଦେଲେ ବିଶ୍ୱାସଘାତକ ନହେଲେ ଗୃହଶତ୍ରୁ ହେବେ । ଓଡ଼ିଶାରେ ବିଭିନ୍ନ ଦଳ ଓ ସଂଗଠନମାନେ ବିଭିନ୍ନ ସମସ୍ୟାକୁ ନେଇ ପ୍ରତିବର୍ଷ ଆନ୍ଦୋଳନକୁ ଓହ୍ଲାଉଛନ୍ତି- ହେଲେ ଦାବୀ ପୂରଣ ହେବା ଦୂରର କଥା, କିଛି ସମୟ କିଛି ଦିନର ହୋ ହାଲ୍ଲା ଭିତରେ ଆନ୍ଦୋଳନରୁ ଓହରି ଆସିଛନ୍ତି ।
୧୦୦ବର୍ଷ ପୂର୍ବେ ଯଦୁମଣି କହିଥିଲେ- “ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ।” ବୋଧେ ଓଡ଼ିଶାରେ ତଥାକଥିତ ବିପ୍ଳବୀଙ୍କ ଗଛ ଉଧେଇ ପାରୁନି । ସମାଜର ଦୁଃଖବେଦନାକୁ ଆନ୍ଦୋଳନକାରୀମାନେ ଲୋକଙ୍କ ପାଖରେ ପହଂଚେଇ ପାରୁନାହାଁନ୍ତି ନା ନିଜେ ମୂଳ ସମସ୍ୟା ପାଖରେ ପହଂଚିପାରୁ ନାହାଁନ୍ତି ଏହା ମଧ୍ୟ ବିବେଚନାର ବିଷୟ । ଏତେ ଛୋଟବଡ଼ ଆନ୍ଦୋଳନ– ଅଥଚ ତା’ର ମିଶାଣଫଳ କ’ଣ ?
ମୂଳ କଥା- ଆନ୍ଦୋଳନର ଦିଗ୍ଦର୍ଶନ ଯଦି ଭୁଲ ଗୁଳାରେ ଯାଏ, ତା’ହେଲେ ଲକ୍ଷ୍ୟ ହାସଲ ହୁଏନା । ପୁନଶ୍ଚ ଆନ୍ଦୋଳନର ଦିଗ୍ଦର୍ଶକମାନେ ଭୁଲ ରାସ୍ତାରେ ଗଲେ ଆନ୍ଦୋଳନ ଫସର ଫାଟିଯାଏ । ଏହା କେବଳ ଓଡ଼ିଶାରେ ଘଟୁଛି- ତାହା ନୁହେଁ, ସାରା ଦେଶରେ ଓ ସାରା ବିଶ୍ୱରେ ଏବେ ଆନ୍ଦୋଳନଗୁଡ଼ିକ ଦାନା ଧରିପାରୁନି । ପୂର୍ବରୁ ଯେତେ ବିପ୍ଳବ ସଂଘଟିତ ହୋଇଛି- ତାହା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଆଦର୍ଶରେ ପରିଚାଳିତ ହେଉଥିବାରୁ ସଫଳ ହୋଇଛି ।
ଆମେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ସ୍ୱାଧୀନତା ଆନ୍ଦୋଳନକୁ ଲକ୍ଷ୍ୟ କଲେ ଅନେକ ଶିକ୍ଷା ମିଳିବ । ସେତେବେଳେ ସ୍ୱାଧୀନତା ଆନ୍ଦୋଳନର ଜନକ ମହାତ୍ମା ଗାନ୍ଧୀ ଥିଲାବେଳେ ସ୍ୱାଧୀନତାସଂଗ୍ରାମର ଜନକ ଥିଲେ ନେତାଜୀ ସୁଭାଷଚନ୍ଦ୍ର ବୋଷ । ଲକ୍ଷ୍ୟ ଥିଲା ଏକ, କିନ୍ତୁ ରାସ୍ତା ଦୁଇଟି । ଧାରା ଦୁଇଟି । ବାପୁଜୀ ଚାହୁଁଥିଲେ ଅହିଂସାପଥରେ, ନେତାଜୀ ଚାହୁଁଥିଲେ ଲଢ଼େଇ ବାଟରେ । ଏଥିପାଇଁ ସ୍ୱାଧୀନତାକାମୀମାନେ ଅଡ଼ୁଆ ପରିସ୍ଥିତିରେ ପଡ଼ିଯାଉଥିଲେ । କେଉଁପଥରେ ଯିବେ, ଏହାକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ୍ୱସଂଘାତ ଜାତ ହେଉଥିଲା । ଦୁଇଟି ଗୋଷ୍ଠୀ ମଧ ସୃଷ୍ଟି ହୋଇଯାଇଥିଲା । ଯେହେତୁ ବାପୁଜୀ ସର୍ବମାନ୍ୟ ନେତା ଥିଲେ- ବହୁ ନେତା ଏବଂ ଜନସାଧାରଣ ଗାନ୍ଧୀଙ୍କ ଅହିଂସାନୀତିକୁ ଆପଣେଇନେଇଥିଲେ, ଯାହା ଇଂରେଜମାନଙ୍କୁ ବେଶ୍ ସୁହାଉଥିଲା ।
ନେତାଜୀଙ୍କୁ ବ୍ରିଟିଶ୍ମାନଙ୍କର ପ୍ରାଣରେ ଭୟ ଥିଲା । ନେତାଜୀ ବ୍ୟଥା ଓ ବେଦନାରେ କଂଗ୍ରେସ ଦଳ ତ୍ୟାଗ କରି ଆଜାଦ୍ହିନ୍ଦ୍ ଫଉଜ ଗଠନ କରି ସ୍ୱାଧୀନତା ପାଇଁ ଯୁଦ୍ଧ ଆରମ୍ଭ କରି ଦେଇଥିଲେ । ବାସ୍ତବରେ ସ୍ୱାଧୀନତା ଆନ୍ଦୋଳନ ଅହିଂସା ରାସ୍ତାରେ ଗଲେ ବି ଇଂରେଜମାନଙ୍କ ପ୍ରଚଣ୍ଡ ଆକ୍ରମଣର ମୁକାବିଲା ପାଇଁ ହିଂସାର ବାଟ ବରଣ କରିବାକୁ ମଧ୍ୟ ଲୋକେ ପଛେଇ ନ ଥିଲେ । ଶେଷରେ ମହାତ୍ମା ଗାନ୍ଧୀ ବାଧ୍ୟହୋଇ ୧୯୪୨ ଅଗଷ୍ଟ ୯ରେ ଭାରତଛାଡ଼ ଆନ୍ଦୋଳନର ଡାକରା ଦେଇଥିଲେ । ୫ବର୍ଷ ଘମାଘୋଟ ବିଦ୍ରୋହ ଅସହଯୋଗ ଫଳରେ ଇଂରେଜ ଶାସକ ପ୍ରମାଦ ଗଣିଲେ । ଶେଷରେ ବୁଝାମଣାରେ ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେଲା । ୭୫ବର୍ଷ ଅତିବାହିତ ହୋଇଗଲାଣି । ଆଜିବି ଜନମାନସରେ ଯନ୍ତ୍ରଣାକାତର ଅଭିଜ୍ଞତା, ମର୍ମବେଦନା, ବିରକ୍ତି, ବିଷାଦ ଓ ହାହାକାରର ଅସତ୍ୟ-ଅର୍ଦ୍ଧସତ୍ୟ ଓ ଅର୍ଥହୀନ ଘଟଣା ଘୂରିବୁଲୁଛି । ଆଜିବି ଆମେ ବିଦେଶୀ ଗୋରା ହାବୁଡ଼ରୁ ମୁକୁଳି ଦେଶୀ କଳାଶାସନର ନାଗଫାଶ ବନ୍ଧନରୁ ମୁକ୍ତ ନୋହୁଁ ।
ଆମ ସ୍ୱାଧୀନତା ବୃଦ୍ଧାବସ୍ଥାରେ । ୭୫ବର୍ଷ ହେଲା ପ୍ରକୃତ ସ୍ୱାଧୀନତାକୁ ଅନେଇ ଅନେଇ ଆଖିରୁ ପାଣି ମଲାଣି । ଯେଉଁମାନେ ବ୍ରିଟିଶ ବିରୋଧରେ ଲଢ଼ିଥିଲେ, ଆଜାଦ ହିନ୍ଦ ଫଉଜର ସୈନିକ ଥିଲେ, ସେମାନଙ୍କ ଭିତରୁ ପ୍ରାୟ ନବେଭାଗ ମରିହଜି ଗଲେଣି । ବାକି ଦଶଭାଗଙ୍କ ବୟସ ଅଶି ନବେ ଉପରକୁ । ଏମାନେ ଆଜିି କାନ୍ଦୁଛନ୍ତି ।
ସ୍ୱାଧୀନତାର ପ୍ରାକ୍ କାଳରେ ଦେଶ ଗଠନ ପାଇଁ ସମସ୍ତେ ଲାଗିଯାଇଥିଲେ । ଆଉ ଦଳେ କ୍ଷମତାରେ ରହି ଲୁଚିଲୁଚି ଧନ ଅର୍ଜିବାରେ ମସ୍ତ ଥିଲେ । ଯେଉଁମାନେ ମସ୍ତ ଥିଲେ ସେମାନେ ଆଜି, କୋଟିପତି, ଅର୍ବୁଦପତି । ରାଜକୋଷଲୁଟ ନକଲେ, ଲୋକଙ୍କୁ ନ ଠକିଲେ କେହି କୋଟିପତି କିମ୍ବା ନେତା ମନ୍ତ୍ରୀ ହେବା ସମ୍ଭବ ନୁହେଁ । ୭୫ବର୍ଷ ପରେ ମଧ୍ୟ ସେଇ ରାଜକୋଷ ଲୁଟେରାମାନେ କ୍ଷମତାକୁ ଜାବୁଡ଼ି ଧରିଛନ୍ତି । ଆଜିବି କୋଟିକୋଟି ଭାରତୀୟ ଦାରିଦ୍ର୍ୟର କଷାଘାତରେ ଜର୍ଜ୍ଜରିତ ।
ସ୍ୱାଧୀନତା ପରେ ପ୍ରାୟ ଅଶିଦଶକ ପର୍ଯ୍ୟନ୍ତ ଏ ଦେଶରେ ଓ ଏ ରାଜ୍ୟରେ ଅନେକ ଗଣଆନ୍ଦୋଳନ ଚାପରେ ମାଲିକ ଶ୍ରେଣୀ କିଛିକିଛି କରୁଥିଲେ । ଗଣଆନ୍ଦୋଳନରେ ନେତାମାନେ ମଧ୍ୟ କିଛିଟା ସାଧୁ ସଚ୍ଚୋଟ ହେବା ସହିତ ସଂଗ୍ରାମୀ ସଂଗଠନର ଛାମୁଆମାନେ ସଂକଳ୍ପବଦ୍ଧ ସାଧକ ଥିଲେ । ମାଲିକଶ୍ରେଣୀ ଯେଉଁଭଳି ସରକାର ପ୍ରଶାସନକୁ ନିଜ ଅକ୍ତିଆରକୁ ନେଇଥିଲେ- ସେଇଭଳି ବିପ୍ଳବୀ- ଅବିପ୍ଳବୀ ନେତାମାନଙ୍କୁ ପୋଷିବାରେ ଲାଗିଲେ । ଫଳରେ ଗଣ ଆନ୍ଦୋଳନର ନେତାମାନଙ୍କର ନୈତିକ ମେରୁଦଣ୍ଡ ବଙ୍କିଗଲା । ସେମାନେ ଜନଆନ୍ଦୋଳନକୁ ସଠିକ୍ ନେତୃତ୍ୱ ଦେବାରେ ଅପାରଗ ହୋଇ ପଡ଼ିଲେ । କିଂତୁ ନିଜର ଆଧିପତ୍ୟ, ସ୍ୱାର୍ଥ, ଅର୍ଥ ପାଇଁ ଲୋକଙ୍କୁ ମିଛକହି ମତାଇଲେ-ୟାଡ଼େ ଯାହା ବିରୋଧରେ ଆନ୍ଦୋଳନ କରୁଥିଲେ କିମ୍ବା କରୁଛନ୍ତି- ରାତ୍ରି ହେଲେ ତା’ଘରେ କିମ୍ବା ହୋଟେଲରେ ରାତ୍ରିଭୋଜନ ପାନୀୟରେ ମସ୍ତ ରହି ଅର୍ଥମୁଣି ଉପହାର ଆଣୁଥିଲେ ।
ଏବେ ଦେଶର ବିଭିନ୍ନ ସ୍ଥାନରେ ଅହରହ ଲାଗିରହିଥିବା କୌଣସି ନା କୌଣସି ଆନ୍ଦୋଳନକୁ ଦେଖିଲେ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି । ଆନ୍ଦୋଳନର ଦାବୀ ଯଥାର୍ଥ; କିଂତୁ ଆନ୍ଦୋଳନକାରୀମାନେ ନକଲି- ନେତା ମଧ୍ୟ ନକଲି । ବ୍ୟାପକ ଟିଭିଚାନେଲ, ସଂବାଦପତ୍ର ହାଉଯାଉ ହେଉଥିବା ବେଳେ ସେମାନଙ୍କର ୨୪ଘଂଟା ଘଟଣା-ଅଘଟଣ ଦେଖାଇବାର ଲେଖିବାର ଅଛି । ଟିଭି ଖୋଲିଲେ ସେଇ ନକଲି ମଣିଷର କଣ୍ଠସ୍ୱର, ଅସ୍ୱାଭାବିକ ଭାବଭଂଗିମା, ବିଚିତ୍ର ପୋଷାକ ଦେଖିବାକୁ ମିଳେ- ପୁଣି ସକାଳୁ ସଂବାଦପତ୍ର ପୃଷ୍ଠା ଓଲଟାଇଲ ସେହି ଦେଶଦ୍ରୋହୀ-ନକଲି ନେତା-ଚୋରଙ୍କର ଫଟୋ ଭାଷଣରେ ଭର୍ତିହୋଇଯାଇଥାଏ । ଏମାନେ ଗୋଓବଲଙ୍କ ବଡ଼ବାପା । ହିଟଲରଙ୍କ ପ୍ରଚାର ମନ୍ତ୍ରୀ ଗୋଓବଲଙ୍କ ଥିଓରୀ ହେଲା- ଦଶ ତୁଣ୍ଡରେ ଛେଳି କୁକୁର । ଅର୍ଥାତ ଗୋଟିଏ ମିଥ୍ୟାକୁ ବହୁ ଲୋକଙ୍କ ମୁହଁରେ କୁହାଇଲେ ମିଛଟା ସତ ବୋଲି ଜଣାପଡ଼େ ।
ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନରେ ବାମ, ଦକ୍ଷିଣ, କେନ୍ଦ୍ର ଦଳମାନେ ସହଯୋଗ କରୁଥିଲେ । ୬ଦଳ ମିଶିଲେ । କ୍ଷମତାକୁ ଆସିଲେ- ପୁଣି ୧୨ଦଳରେ ବିଭକ୍ତ ହେଲେ । ସଂପୂର୍ଣ୍ଣ କ୍ରାନ୍ତି କୁଆଡ଼େ ଗଲା ? ପୁଣି ଏବେ ଅନ୍ନା, ରାମଦେବ ଗଭୀର ସମୁଦ୍ରରେ ବୁଡ଼ିରହିଥିବା ଜନଲୋକପାଳବିଲ, କଳାଧନକୁ ନେଇ ଆନ୍ଦୋଳନ କରୁଛନ୍ତି । ଏ ଆନ୍ଦୋଳନ ଲଗାତର ନୁହେଁ । ମଝିରେ ମଝିରେ ଅନଶନ, ବିକ୍ଷୋଭରେ ଶେଷ । ଯାହାଫଳରେ ଆନ୍ଦୋଳନର ସୁଦୂରପ୍ରସାରୀ ଆଭିମୁଖ୍ୟ ରହୁନଥିବାରୁ ସାମୟିକ ଭାବେ ଏସବୁ ଚାଲିଛି । ସରକାର, ଶିଳ୍ପପତିଙ୍କ ଉପରେ ବ୍ୟାପକ ପ୍ରଭାବ ପଡ଼ୁନି । ଏମାନେ କେହି ସଠିକ ଗଣଆନ୍ଦୋଳନର ଦିଗ୍ଦର୍ଶନ ଦେବାକୁ ସକ୍ଷମ ହୋଇ ପାରୁନାହାଁନ୍ତି । କିମ୍ବା ସଠିକ୍ କର୍ମୀ ମିଳୁନାହାଁନ୍ତି । ନେତା ଓ କର୍ମୀମାନଙକ ମଧ୍ୟରେ ଦ୍ୱନ୍ଦ୍ୱ ଏବଂ ସାଂଗଠନିକ ଅନ୍ତଦ୍ୱର୍ନ୍ଦ୍ୱ ବିପ୍ଳବକୁ ବିଫଳ ବିସ୍ଫୋରଣରେ ପରିଣତ କରୁଛି !
ଭାତହାଣ୍ଡିରୁ ଗୋଟିଏ ଚାଉଳ ଚିପିଲେ ଚାଉଳ ସିଝିଲା କି ନାହିଁ ଯେପରି ଜଣାପଡ଼େ ସେଇଭଳି ଏକ ଛୋଟ ଉଦାହରଣ ଦେଉଛି । ଜଣେ ବାମପନ୍ଥୀ ବଂଧୁଙ୍କୁ ସେଦିନ କହିଲି- ଯାହାହେଉ, ଜନଜୀବନ ସମସ୍ୟାନେଇ ଆପଣମାନେ ଚଟାପଟ ରାସ୍ତାକୁ ଓହ୍ଲାଇ ଆସୁଛନ୍ତି । ଟିଭି, ଖବର କାଗଜରେ ସଂଗେସଂଗେ ସଂବାଦ ପରିବେଷଣ ହେଉଛି । ସେ ସତ କଥା କହିପକାଇଲେ- ଆପଣ ଯେତେ ଚଟାପଟ ଆନ୍ଦୋଳନ ବିକ୍ଷୋଭ ଦେଖୁଛନ୍ତି- ସବୁ ଜଣକା ଟିଫିନ ପ୍ୟାକେଟ, ଶହେଟଙ୍କା ନ ଦେଲେ ଲୋକ ମିଳୁ ନାହାଁନ୍ତି ।
ଏ କଥା ଶୁଣି ପଚାରିଲି- ତା’ହେଲେ ଆନ୍ଦୋଳନକାରୀମାନେ ନକଲି ? ସେ କହିଲେ- ଆମେ ନେତା ଚାରିପାଂଚ ଜଣ ପାଖ ସାହିର ଥରେ ଦି’ଥର ଲୋକଙ୍କୁ ଡାକିଲୁ- ଆସିଲେ; କିଂତୁ ୩ୟଥରକୁ କହିଲେ- ତୁମେ ନେତା ହେବ, ତୁମ ପତିଆରା ବଢ଼ିବ, ଚାନ୍ଦା ଆଦାୟ କରିବ । ଆମେ କାହିଁକି ମାହାଳିଆ ଯିବୁ ? ଦି, ତିନିଘଂଟା ପାଇଁ ଶହେଟଙ୍କା ନେବୁ, ଟିଫିନ ପ୍ୟାକେଟ ନେବୁ । ଆମେ ବାଧ୍ୟ ହେଲୁ- ନହେଲେ ଦଳ ଅଛି ବୋଲି- କେହି ଜାଣିବେନାହିଁ ।
ଏ ହେଲା ଗୋଟିଏ ଘଟଣା । ଆଉ ଏକ ଘଟଣା ରାଜଧାନୀରେ ଅହରହ ଘଟୁଚି । ଯେଉଁମାନେ ୟୁନିୟନ କିମ୍ବା ସଂଘ ଗଢ଼ିଛନ୍ତି- ତାଙ୍କ ଗରଜରେ ଆସି ଆନ୍ଦୋଳନ କରୁଛନ୍ତି; କିନ୍ତୁ ଯେତେ ନେତା ବହୁତ ଲୋକଙ୍କୁ ସଭାରେ ରୁଣ୍ଡ କରି ମୁଣ୍ଡମାଳ ଦେଖାଇବାକୁ ଚାହୁଁଛନ୍ତି- ସେମାନେ ଦଲାଲର ଆଶ୍ରା ନେଉଛନ୍ତି । ଜଣକା ଦୁଇଶହ ଟଙ୍କାରେ ଯାହାର ଯେତେ ଲୋକ ଦରକାର- ହଜାରେ ହେଉ କି ଦଶହଜାର ହେଉ- ମିଳିଯିବେ । ସେହି ଏକାଲୋକ ଯିଏ ଡାକିବ- ମଜୁରି ନେଇ ସେଇ ସଂଗଠନ ପତାକା, ପେଂଷ୍ଟୁନଧରି ଚଢ଼ା ଗଳାରେ ସ୍ଲୋଗାନ ଦେବେ । ଏଭଳି ଅବସ୍ଥା କେବଳ ଓଡ଼ିଶାରେ ନୁହେଁ- ସାରା ଦେଶରେ ଚାଲିଛି । ମନେରଖନ୍ତୁ- ମେଡ଼ିଆ କୌଣସି ଦିନ ଜନଗଣଙ୍କ ବାସ୍ତବ ସମସ୍ୟା ଭିତରେ ପଶେନା । ସାଧାରଣଲୋକଙ୍କ ତ୍ୟାଗ, ଲଢ଼େଇ କଥା କୁହେନା । କାରଣ- ମେଡ଼ିଆ ହାଉସ କୌଣସି ନା କୌଣସି ଥିଲାବାଲାଙ୍କ କଂଟ୍ରୋଲରେ । ସେମାନଙ୍କ ଲୋଭ ଲାଭ ପାଖରେ । ସେମାନେ ସମାଜକୁ ବଦଳାଇଲେ ସିଂହଭାଗ ନେବେନି ।
ଏଇସବୁ ତଥାକଥିତ ଦଳ, ସଂଗଠନମାନେ ଯେଉ ଢଂଗରେ ଆନ୍ଦୋଳନ କରୁଛନ୍ତି- ସେଥିରେ ସରକାର କିମ୍ବା ମାଲିକଶ୍ରେଣୀ ଭୟଭୀତ ହେଉନାହାଁନ୍ତି, ବରଂ ନେତାମାନଙ୍କୁ ଭିତିରିଆ ଟଙ୍କା ଦେଇ ଏଇ ଧାରା ବଜାୟ ରଖିବାକୁ ଉତ୍ସାହିତ କରୁଛନ୍ତି । ଫଳରେ ଗଣ ଆନ୍ଦୋଳନ ବିପଥଗାମୀ ହେଉଛି । ଲୋକଙ୍କ ଦାବୀ ପୂରଣ ହେଉନି- ଅଯଥା କଣ୍ଠସ୍ୱର ଅପଚୟ ହେଉଛି । ଏହା ସମଗ୍ର ଜନଗଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ।
ସାରାଦେଶର ଜନଗଣ ଅଭାବଅନଟନ, ଶୋଷଣ, କଷଣ, ଦୁର୍ନୀତି, ଅନ୍ୟାୟ ଅତ୍ୟାଚାରରେ ପେଷି ହୋଇଗଲେଣି । ଅଶାନ୍ତି ଅସନ୍ତୋଷର ନିଆଁ ଜଳିବାରେ ଲାଗିଛି । ଠାଁଏ ଠାଁଏ ଆନ୍ଦୋଳନ ବିକ୍ଷୋଭ ପୋଡ଼ାଜଳା, ମାଡ଼ପିଟାପିଟି କରୁଛନ୍ତି । ସରକାରୀ ଦମନ ଯନ୍ତ୍ରରେ ବଳିପଡ଼ୁଛନ୍ତି । ଆମ ଲୋକମାନେ ଅତ୍ୟନ୍ତ ସୁବିଧାବାଦୀ ହୋଇଯାଇଛନ୍ତି । ଲକ୍ଷ୍ୟ, ନୀତି, ଆଦର୍ଶ, ସାଧୁତାକୁ ଭୁଲିଯାଇ ତତ୍କ୍ଷଣାତ କେଉଁଠି, କିଏ ସୁବିଧା କରିଦେବ- ସେଠିକୁ ଦଉଡ଼ିଛନ୍ତି । ଆମ ନେତାମାନେ ମଧ୍ୟ ପ୍ରଚଣ୍ଡ ସୁବିଧାବାଦୀ- ପୁଣି ଅର୍ଥନୈତିକ ସୁବିଧାବାଦୀ । ଲୋକଙ୍କୁ ସ୍ୱର୍ଗରୁ ପାରିଜାତ ଆଣିଦେବାକୁ କହି କ୍ଷଣିକ ପାଇଁ ମୋହଗ୍ରସ୍ତ କରିପକାନ୍ତି । ଭୋଟ ସରିଲା ପରେ କି କାମ ହାସଲ ହେଲା ପରେ ଆଉ ନେତାଙ୍କ ପ୍ରତିଶ୍ରୁତି ପୂରଣ ହୁଏନା । ଲୋକେ ହତାଶାପଙ୍କରେ ପଡ଼ି ଛଟପଟ ହୁଅନ୍ତି- ଏବଂ ହେଉଛନ୍ତି ।
ଏଇ ପୃଥିବୀରେ ଅନେକ ମହାମାନବ ସଠିକ ମାର୍ଗଦର୍ଶନ ଦେଇ ଯାଇଛନ୍ତି- ଯାହାକୁ ଏବେ ମଧ୍ୟ ଆମେ ପୁଂଜିକରି ଚାଲିଛୁ । କିନ୍ତୁ ସମୟ ଅବସ୍ଥା, ବ୍ୟବସ୍ଥାର ପରିବର୍ତନ ଘଟୁଛି । ତା ସଂଗେ ତାଳଦେଇ ଚାଲିବା- ମାର୍ଗଦର୍ଶନ ଦେବା ଆଉ ଦେଖାଯାଉନି । ଏ ଅବସ୍ଥା କେବଳ ଆମ ଓଡ଼ିଶା କିମ୍ବା ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଦେଖାଦେଇଛି । ଆଉ ଯୋଗ୍ୟନେତା ବାହାରୁ ନାହାଁନ୍ତି । ତା’ହେଲେ ଜନଗଣ କ’ଣ ସବୁଦିନ ପାଇ ଏଇମିତି ଠକି ହେଉଥିବେ ? ଉତର- ନା । ଆଜି ନ ହେଲେ କାଲି କେହିନା କେହି ନେତା ବାହାରିବେ- ସେ ଦିଲ୍ଲୀ, ୱାସିଂଟନ, ଲଣ୍ଡନ, ରୋମ, ମସ୍କୋ ପ୍ରମୁଖ ସହରରୁ ବାହାରି ନ ପାରନ୍ତି- ପାହାଡ଼ ଜଂଗଲ, ଖଣିଖାଦନ, କ୍ଷେତଖମାର ଗାଁ ଗଣ୍ଡାରୁ ମଧ୍ୟ ବାହାରିପାରନ୍ତି । ଗଣ ଆନ୍ଦୋଳନର ସଠିକ ମାର୍ଗଦର୍ଶନ ନିଶ୍ଚିତ ରୂପେ ନିର୍ଦ୍ଧାରିତ ହେବ ।
ଗଣ ଆନ୍ଦୋଳନ ପରିଚାଳନାକାରୀ ଓ ଯୋଗଦାନକାରୀମାନଙ୍କୁ ପ୍ରଥମେ ମନେରଖିବାକୁ ହେବ- କାହା ବିରୋଧରେ ଆନ୍ଦୋଳନ । ସାମାଜିକ ବ୍ୟବସ୍ଥା-ଅବସ୍ଥା । ଯଦି ଭାବନ୍ତ- ଆମ ସମାଜ ଏକ ପୁଂଜିବାଦୀ-ସାମ୍ରାଜ୍ୟବାଦୀ- ତା’ହେଲେ ପୁଂଜିବାଦର ଅସଲ ଚରିତ୍ରକୁ ଜାଣିବାକୁ ହେବ, ଲଢ଼ିବାପାଇଁ ରଣକୌଶଳ ଠିକଭାବେ ଅନୁସରଣ କରିବାକୁ ହେବ ।
ବର୍ତମାନ ପୂତିଗନ୍ଧମୟ ମରଣମୁଖୀ ପୁଂଜିବାଦୀ ବ୍ୟବସ୍ଥାକୁ ବଦଳାଇବାକୁ ହେଲେ ପ୍ରଥମେ ନିଜକୁ ବଦଳାଇବାକୁ ହେବ- ନିଜ ଭିତରେ ଯେଉଁ ଶତ୍ରୁକୁ ଲାଳନପାଳନ କରି ରଖିଛନ୍ତି, ତାକୁ ହତ୍ୟା କରିବାକୁ ହେବ । ସେ ଶତ୍ରୁ- ପୁଂଜିବାଦର ରକ୍ଷକ । ସେ ଶତ୍ରୁ ହେଉଛି-ଗର୍ବ, ଅହଂକାର, ସ୍ୱାର୍ଥ, ମୋହ, ଅନ୍ଧବିଶ୍ୱାସ । ଏତେ ସହଜରେ ଏମାନେ ମନଭିତରୁ ଯିବେନି । ଅହରହ ସଂଗ୍ରାମ ସହିତ ସଠିକ ନେତୃତ୍ୱ ଅପରିହାର୍ଯ୍ୟ । ଘରଛାଡ଼ି ରାସ୍ତାକୁ ବାହାରିଆସିଲେ ଧୀରେ ଧୀରେ ଏ ଭୟଙ୍କର ଶତ୍ରୁ ଦମନ ହୋଇଯିବେ । ଭୁଲ ରାସ୍ତାରେ ଗଲେ- ଏ ଶତ୍ରୁ ପୂରା ପୂରି ରାଜ କରିବେ ।
- ମାୟାଧର ନାୟକ
- ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩