ମାୟାଧର ମିଜାଇଲ-1:’ସତ୍ୟ ହିଁ ସାହିତ୍ୟର ଷଠୀଘର’

0
  • //TATKAL ODISHA//
  • View Point
  • ମାୟାଧର ନାୟକ

ସତ୍ୟ ହିଁ ସାହିତ୍ୟର ଷଠୀଘର । ସାହିତ୍ୟ ଏବେ ଯେଉଁଠି ମନର କଥା ଆଉ ମୁହଁର କଥା ମଧ୍ୟରେ ତାଳମେଳ ନରଖି କେବଳ ମଖମଲୀ ମୁଖାର କଥା ପାଲଟିଯାଇଛି, ସେଠି ପ୍ରଶ୍ନର ଓକାଲତ୍‌ନାମା ରଦ୍ଦ ଏବଂ ଉତ୍ତରଗୁଡ଼ାକ କାଠଗଡ଼ା ଡେଇଁ ଫେରାର୍ ଆସାମୀ! ଛାତିରେ ହାତ ଦେଇ ଆଜି କେତେଜଣ କହିବେ – ଆମେ ଲେଖୁଛୁ ଟୁକୁରାଟୁକୁରା ଭଙ୍ଗାସ୍ୱପ୍ନର ମାଆମାନଙ୍କ ପାଇଁ? ବାପମାଆଙ୍କ ରାଣଖାଇ କେତେଜଣ ଲେଖିକା ବି କହିବେ – ଆମେ ଲେଖୁଛୁ ଅମର୍ଯ୍ୟାଦାରେ ଭୂଲୁଣ୍ଠିତା ସେଇ ଭାଷାହୀନା ନ୍ୟାୟପ୍ରତୀକ୍ଷିତା ମହିଳାମାନଙ୍କ ପାଇଁ? ଦେଶର ନାରୀ ପାଇଁ ସାହିତ୍ୟରେ ଯଦି ସମ୍ମାନଜନକ ନାରା ନ ଶୁଭେ, ସେସବୁ ସାହିତ୍ୟନାଆଁରେ ଲେଖାଲେଖିଟା ତେବେ କାହାପାଇଁ ଆଉ କେତେଦିନ?

ଆମର ସାହିତ୍ୟ ଏବେ ନୂଆ ପରିଭାଷାରେ ନାମିତ । ଆମେ ଆଉ ସାହିତ୍ୟ ନ କହି ସବୁଠି କହିଲୁଣି ଲେଖାଲେଖି । ଦୁଇଟାଯାକ ଏକାକଥା ନୁହେଁ ବୋଲି ମୋର ବିନମ୍ର ମତ । ସାହିତ୍ୟ କହିଲେ ଗୋଟିଏ ଯୋଗ, ଗୋଟିଏ ଜୀବନମାର୍ଗ, ଗୋଟିଏ ଏକାନ୍ନଭୋଜୀ ଅଭିବାଞ୍ଛନାଶ୍ରିତ ଅଭିବ୍ୟକ୍ତି – ଯାହା ବ୍ୟକ୍ତିକୁ ଲେଖକରେ ପରିଣତ କରୁକରୁ ପରିଶେଷରେ କରାଏ ସମୂହର ସଂବେଦନଶୀଳ ଅଂଶ – ବିଚ୍ଛିନ୍ନ ଏକକ ନୁହେଁ ମୋଟେ । ଯିଏ ଅସଲ ଲେଖକ ସେ କେଭେ ଲେଖେନାହିଁ କାହାପାଇଁ – କାରଣ ସେ ଯାହା ଲେଖେ ସେଥିରେ ସ୍ୱୟଂ ସମୟ ହିଁ ଲେଖିଚାଲୁଥାଏ ନିଜସ୍ୱକଥନ, ଅସମାପ୍ତ ଆତ୍ମଚରିତର ସୂକ୍ଷ୍ମ ଶ୍ରୁତଲିଖନ ।

ପୁତ୍ର ତଥା ଓଡ଼ିଆ ଫିଲ୍ମ ତାରକା ଆକାଶ ଦାସ ନାୟକ ଓ ଅନ୍ୟମାନଙ୍କ ସହ…

ଲେଖାଲେଖି କଥାଟା ସାହିତ୍ୟର ସଚ୍ଚା ନାମାନ୍ତର ନୁହେଁ । ଏଥିରେ ସାହିତ୍ୟଗତ ଦାୟିତ୍ୱ ଯେତେ ନାହିଁ, ସେତେ ଅଛି ଏକ ବ୍ୟକ୍ତିଗତ ସ୍ପୃହାର ଶାବ୍ଦିକ ସମରାଭ୍ୟାସ ମାତ୍ର । ଯୁଦ୍ଧ ନାହିଁ, ଶିବିର ନାହିଁ, ସାମ୍ମୁଖ୍ୟ ନାହିଁ, ଆହ୍ୱାନ ନାହିଁ – ଅଥଚ ଅଂଗୀକାରହୀନ ଏକ ଅଭ୍ୟାସର ଅଂଗଚାଳନା – ଆକାଶକୁ ଅସ୍ତ୍ରଉତ୍ତୋଳନ – ଶୂନ୍ୟତାକୁ ବଦ୍ଧମୁଷ୍ଟିପ୍ରଦର୍ଶନ । ସାହିତ୍ୟବୋଧ ଅପେକ୍ଷା ଏ ଧାରାରେ ଏବେ ଅନୁପ୍ରବେଶ କରିଛି ଅରୁଚିକର ଅନେକପ୍ରକାର ଆଭିମୁଖ୍ୟ – ଯେମିତି ମଞ୍ଚଦଖଲ, ପୁରସ୍କାରହାସଲ, ପ୍ରଶଂସାପତ୍ର/ମାନପତ୍ର ଆଦାୟର ନୟାନ୍ତ ନକଲ । ଏଇଭଳି ସ୍ଥୂଳ, ନ୍ୟସ୍ତସ୍ୱାର୍ଥ, ଇତର ପର୍ଯ୍ୟାୟକୁ ଆସି ସାହିତ୍ୟ ଯଦି ନିଜପାଇଁ ଏ ନୂତନ ନାମକରଣ ଏହି ଲେଖାଲେଖି ରୂପକ ବଜାରବୁଲା ବେଶପଟା ମଡ଼ାଇ କ୍ରମେ ଦେଖାଦେଖି, ଟେକାଟେକି ଆଦତ୍ ଆଦରିବସେ ଏବଂ ଭିତର ଫମ୍ପା ଥାଇ କେବଳ ବାହାରଟା ଚମ୍ପାରଙ୍ଗ ବୋଳି ବିକୃତିପୂର୍ଣ କୃତିପ୍ରକାଶର ପ୍ରକ୍ରିୟା ବଜାୟ ରଖେ ।

ଆମର ଆଉ ଗୋପବନ୍ଧୁ, ଫକିରମୋହନ, ପ୍ରେମଚଂଦ, ଶରତ୍‌ଚନ୍ଦ୍ର, ନଜରୁଲ, ସଚ୍ଚି ରାଉତରା ଦରକାର ନାହିଁ – ଦରକାର ନିର୍ଧୂମ୍ ହାସ୍ୟରସର ଧୁମ୍‌ଧାମ୍ ସାହିତ୍ୟକାର । ହସର ସାହିତ୍ୟ ବଜାର, ହସର ହାଟ ବସାଅ ଗ୍ରାହକ ପାଠକବର୍ଗ ପାଇଁ । ହସ ହିଁ ଅସଲ ରସ । ହସିବାକୁ ଇଚ୍ଛା ହୁଏ ଖୁବ୍ । ହେଲେ ହସିପାରେନା ମୋଟେ । ବସିବସି ଭାବେ ଗୋଟିଏ କାନ୍ଦୁରା ମଣିଷର କଥା, ଯିଏ ନିଜେ ବି ନିଜର ପଚାଶ ପୂରୁପୂରୁ ଦିନେ ସାରା ଓଡ଼ିଆ ଜାତିକୁ କନ୍ଦାଇ କନ୍ଦାଇ ଚାଲିଗଲେ ଚୁପ୍‌ଚାପ୍ । କୌଣସି ବ୍ୟକ୍ତିଗତ ମାଲିକାନାର ମୋହ ନଥିଲା ତାଙ୍କର । ମଣିଷଗଢ଼ା କାରଖାନା ଗଢ଼ିଥିଲେ ସତ୍ୟବାଦୀରେ, ନଥିଲେ କିନ୍ତୁ ଶିଳ୍ପପତି । ସ୍ୱାଧୀନତାର ସତ୍ୟବଦ୍ଧସ୍ୱର ଶୁଣାଇବାକୁ ନିଅଁ ପକାଇଥିଲେ ନିଆରା ସାମ୍ବାଦିକତାର, ହେବାକୁ ଚାହିଁନଥିଲେ କିନ୍ତୁ କସ୍ମିନ୍‌କାଳେ ମାଲିକ । ଗଲା ଆଗରୁ ଟ୍ରଷ୍ଟ୍ ହାତରେ ଟେକିଦେଇଗଲେ ଖବରକାଗଜ “ସମାଜ” । ସର୍ବସ୍ୱାନ୍ତ ମଣିଷର ସାଥୀ ସେ, ଦୀନଦୁର୍ଗତର ବନ୍ଧୁ । କାରାରେ ଥାଇ ଲେଖିଥିଲେ କାରାକବିତା, ବନ୍ୟାଧାରାରେ ନାଆ ବାହି ବାଣ୍ଟିଥିଲେ ବଞ୍ଚିବାର ଚୁଡ଼ାଚାଉଳ, ସାରା ଓଡ଼ିଆଜାତିର ଆତ୍ମା, ହୃଦୟ, ବିବେକକୁ ମଣିଷହେବାର ମନ୍ତ୍ରପାଠରେ କରିଥିଲେ ଆନ୍ଦୋଳିତ । ‘ଲେଖାଲେଖି କାହାପାଇଁ’ ପ୍ରଶ୍ନ ଯଦି ତାକୁ ପଚରାଯାଇଥାନ୍ତା, ଉତ୍ତରଟା ତାଙ୍କୁ ଦେବାକୁ ପଡ଼ିନଥାନ୍ତା କଦାପି । ତାଙ୍କ ତରଫରୁ ଉତ୍ତର ଦେଇଥାନ୍ତେ ଓଡ଼ିଶାର ବନ୍ୟା, ବାତ୍ୟା, ମରୁଡି ପ୍ରପୀଡିତ ଏବଂ ଚିଲିକାଚଢେଇଠୁ ଆରମ୍ଭକରି ମୂଲଲାଗୁଥିବା ମାଟିର ମଣିଷ, ଫଟାମାଟିର ଚାଷୀ, ଜେନାପୁରବାସୀ ପର୍ଯ୍ୟନ୍ତ କେତେ କିଏ । ଯାହାଯାହା ପାଇଁ ସେ କାନ୍ଦୁଥିଲେ, ସ୍ୱପ୍ନର ଖସଡ଼ା ତିଆରି କରୁଥିଲେ, ଓଡ଼ିଶା ଓ ଓଡ଼ିଆକୁ ଗୋଟିଏ ନାବରେ ବସାଇବାକୁ ଅନୁରୋଧ କରିଚାଲୁଥିଲେ, ସେଇମାନେ ହିଁ ତାଙ୍କ ଲେଖାଲେଖି କାହାପାଇଁ ପ୍ରଶ୍ନର ଉତ୍ତରଦାୟୀ । ସେହି ମହାପୁରୁଷ ହେଉଛନ୍ତି ଚିରନମସ୍ୟ, ନବଜାଗୃତିର ବାର୍ତ୍ତାବହ, ଆଧୁନିକ ଓଡିଶାର ଅଗ୍ରଦୂତ, ସାମାଜିକ ଓ ଅର୍ଥନୈତିକ କୃଷ୍ଟି ଓ ଦୃଷ୍ଟିରେ ପ୍ରବୀଣ, କାଳଜୟୀ ଶିକ୍ଷା-ଦାର୍ଶନିକ, ଜନଜୀବନ ଓ ସମସାମୟିକତାର ଜୀବନ୍ତ ରୂପକାର, ସାମ୍ବାଦିକ ଓ ଓଡିଶା ସ୍ତମ୍ଭ ସାହିତ୍ୟର ଜନକ, ଓଡିଶା କାବ୍ୟ ପରମ୍ପରାର ଦଧିଚି, କବିପ୍ରାଣ, ସ୍ୱାଧୀନତା ସଂଗ୍ରାମର ଭଗୀରଥ, ଶ୍ରମଜୀବୀମାନଙ୍କ ବନ୍ଧୁ, ନିଶା-ମୁକ୍ତି ସମାଜ ଗଠନର ଦୀଗ୍‍ଦର୍ଶକ, ମୃତ୍ୟୁବିଜୟୀ ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସ । ତାଙ୍କୁ ସିନା ଆମେ ଓଡିଆଏ ଉତ୍କଳମଣୀ ବୋଲି ଜାଣୁଛେ – ସେ ବାସ୍ତବରେ ଭାରତମଣୀ ।

ରୁଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରାଭିତରେ ସେଦିନଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବାପାଇଁ ପ୍ରେରଣାଦାୟକ ପ୍ରଚାରପତ୍ରସବୁ । ପୁଅ ସାମିଲ୍ ହୋଇଥିବା ଦୂରାନ୍ତରର ବିପ୍ଳବୀ ସଂଗଠନକୁ ହସ୍ତାନ୍ତର କରିଦେବା ଉଦ୍ଦେଶ୍ୟରେ ନିଜ ପସରାର ଗୁଡ଼ିଏ ଜିନିଷପତ୍ର ତଳେ ମାଆଟି ଛୁପାଇରଖୁଥିଲା ସେସବୁ ଗୁପ୍ତପ୍ରଚାରପତ୍ର । ଗୁଇନ୍ଦାପୁଲିସର ଆଖି ଆଉ ପ୍ରତିକ୍ରିୟାଶୀଳ ଶାସକଦଳର ଚର-ଅନୁଚରମାନଙ୍କ ନଜରକୁ ଫାଙ୍କିଦେଇ ନିୟମିତ ସେସବୁ ବୈପ୍ଳବିକ କାର୍ଯ୍ୟକ୍ରମର ନିର୍ଦ୍ଦେଶନାମା ମାଆ ମାର୍ଫତ୍‌ରେ ପହଞ୍ଚାଉଥିଲା ଠିକଣାଜାଗାରେ । ମୁଣ୍ଡଉପରର ପସରା ଭିତରେ ଲୁଚାଇରଖିଥିବା ସେ ଅଗ୍ନିଗର୍ଭ ପ୍ରଚାରପତ୍ରକୁ କ’ଣ ମାଆ ପଢୁଥିଲା କେବେ? ସମକାଳର ଲେଖକ/ଲେଖିକା ବିରାଦରମାନଙ୍କୁ ଗର୍କୀଙ୍କର ସେଇ ‘ମଦର୍‌’ର ମୁହଁକୁ ଏତେବର୍ଷ ପରେ ଆଉଥରେ ଫେରିଚାହାଁନ୍ତୁ ।

ଆଗ ପରି ଏବେ ଆଉ ଉପନ୍ୟାସ ଲେଖାହେଉନାହିଁ । ଚରିତ୍ରମାନେ କ’ଣ କୁଆଡ଼େ ଛୁଟିଦିନ କଟାଇବାରେ ବ୍ୟସ୍ତ ନା ଘଟଣାସବୁ ଗର୍‌ହାଜିର୍ ? ହଁ, ପରିବେଶରେ ଅବଶ୍ୟ ଅନେକଟା ଅଦଳବଦଳ । ମେସିନ୍ ବିସ୍ଥାପିତ କରିଛି ମଣିଷକୁ – ତା’ ନିଜ ମନ-ପ୍ରାଣ-ଆତ୍ମାର ଏକଦା-ଅନ୍ତରଙ୍ଗ ଇଲାକାରୁ । ଶିଳ୍ପପ୍ରସାଧିତ ସଭ୍ୟତା ଆଜି କଳାକନା ବୁଲାଇସାରିଛି କୃଷିଭିତିକ ସଂସ୍କୃତି ଓ ମୂଲ୍ୟବୋଧର ଯୌଥ ଜୀବନକ୍ଷେତ୍ରରେ । ବହିଃପ୍ରକୃତିର ବିକୃତୀକରଣ ପାଛୋଟିଆଣିଛି ପ୍ରଦୂଷଣ, ଯାହାର ପ୍ରତୀକ କଳାଧୂଆଁ – ଅନ୍ତଃପ୍ରକୃତିର ଉଚ୍ଛେଦୀକରଣ ଡାକିଆଣିଚି ବିସ୍ଫୋରିତ ସାମାଜିକ ବ୍ୟବଧାନ, ଯାହାର ସଂକେତ କଳାଧନ । ବ୍ୟବସ୍ଥାକୁ ବଦଳାଇବାର ଆସ୍ଥା ଯେଉଁମାନଙ୍କ ଉପରେ, ସେଇ ଯୁବପିଢ଼ି ଆଜି ଚକ୍ରବ୍ୟୂହସ୍ଥ ଅଭିମନ୍ୟୁର ଦଳ – ମତଲବୀ ମହାରଥୀମାନଙ୍କ ମଇଦାନ ମଝିରେ ! ଯେତେବେଳେ କୁରୁକ୍ଷେତ୍ର ପାଲଟିଯାଇଥିଲା ଯୁଦ୍ଧକ୍ଷେତ୍ର, ସେତେବେଳେ ମହାଭାରତ ଲେଖାଯାଇପାରିଥିଲା । ଏହି ଯୁଦ୍ଧକ୍ଷେତ୍ରକୁ ଧର୍ମକ୍ଷେତ୍ରରେ ପରିଣତ କରିବାର ପ୍ରେରଣା ଦେଇଥିଲା ଏ ମହାକାବ୍ୟ । ଅଥଚ ତା’ଠାରୁ ଆହୁରି ଭୟାବହ ଏକ ପରିବେଶ ସଂପ୍ରତି ସୃଷ୍ଟି ହୋଇସାରିଥିଲେ ହେଁ ଉପନ୍ୟାସର ଯୁଗାନ୍ତର କାହିଁକି ଏବେ ମଧ୍ୟ ଏକ ପ୍ରଶ୍ନବାଚୀ ?

ସମସ୍ତେ ଟଲଷ୍ଟୟ ହୋଇପାରନ୍ତି ନାହିଁ କି ଗର୍କୀ । ସମସ୍ତେ ପ୍ରେମଚନ୍ଦ୍ ହୋଇପାରନ୍ତି ନାହିଁ କି ଫକୀରମୋହନ । ସମସ୍ତେ ଶରତଚନ୍ଦ୍ର ହୋଇପାରନ୍ତି ନାହିଁ କି କାହ୍ନୁଚରଣ । ସେମିତି ସମସ୍ତେ କ’ଣ ଲେଖିପାରନ୍ତି ଅଙ୍କଲ୍ ଟମ୍‌ସ୍ କ୍ୟାବିନ୍ ନା କ୍ରାଇମ୍ ଏଣ୍ଡ୍ ପନିଶ୍‌ମେଣ୍ଟ୍‍ ? ମହାନ୍ ଲେଖକମାନେ ଯେମିତି ସବୁଦେଶର, ମହତ୍‌ର କୃତିଗୁଡ଼ିକ ବି ସେମିତି ସବୁକାଳର । ସମସ୍ତେ ସେମାନେ ବରଣୀୟ । ସେମାନଙ୍କ କାଳଜୟୀ କୃତିସବୁ ମଧ୍ୟ ସ୍ମରଣୀୟ । ସେମାନେ ବଜାରର ହଜାରଜଣଙ୍କ ପାଇଁ ଲେଖିବା ଅପେକ୍ଷା ନିଜ ଅନ୍ତରାତ୍ମାର ଆଜ୍ଞା ପାଳନ କରିବାକୁ ହିଁ ଲେଖୁଥିଲେ । ଆମେ ଆଜି ଉପନ୍ୟାସର ଯୁଗାନ୍ତର ପାଇଁ କାମନା କରୁଥିବା ବେଳେ ଏଇ ସରଳ ସତ୍ୟଠାରୁ ଯେପରି ଦୂରେଇ ନ ଯାଉ – ଅନ୍ତତଃ ଏତିକି ମନେରହିପାରିଲେ ଭଲ ।

ଭାରତର ଔପନ୍ୟାସିକ ସମ୍ରାଟ ଶରତଚନ୍ଦ୍ର କହିଥିଲେ, ‘ପାଦ ଥିଲେ ଚାଲିହୁଏ, କିନ୍ତୁ ହାତ ଥିଲେ ଲେଖିହୁଏନା ।’ କେଡ଼େ ବଡ଼ କଥାଟାଏ ! ଏଇ ଦୃଷ୍ଟିରୁ କୁହାଯାଇପାରେ, ବୁନ୍ଦାଏରକ୍ତରେ ମନରମଣିଷ ପାଖକୁ ହୁଏତ ଦସ୍ତଖତଟିଏ ପଠାଇଦେଇହୁଏ, କିନ୍ତୁ ବୋତଲେ କାଳିରେ ପାଠକପାଠିକାଙ୍କ ହାତପାଆନ୍ତାକୁ ଉପନ୍ୟାସଟିଏ ବଢେଇ ଦେଇହୁଏନା । ଶରତଚନ୍ଦ୍ରଙ୍କ ସଂପର୍କରେ ଶୁଣାକଥାଟିଏ ଭାରି ଲୋକପ୍ରିୟ । କରଜଭାରରୁ କିଛିଟା ନିସ୍ତାର ପାଇବା ପାଇଁ ଟଙ୍କା ଦରକାର ଥିଲା ତାଙ୍କର । ପ୍ରକାଶକ ମହୋଦୟ ତାଙ୍କୁ ପ୍ରତିଶ୍ରୁତି ଦେଲେ, ଲୋଡୁଥିବା ଟଙ୍କା ତାଙ୍କ ହାତକୁ ଯିବା ପାଇଁ ଅପେକ୍ଷା କରି ରହିଛି – ହେଲେ ତାଙ୍କଠୁ ଗୋଟିଏ ଉପନ୍ୟାସ ପ୍ରକାଶକ ହାତେଇସାରିଲା ପରେ । ଶରତଚନ୍ଦ୍ର ରାଜି ହେଲେ । ସକାଳୁ ସେ ଗୋଟିଏ ବଖରାଭିତରେ ରହି ପ୍ରକାଶକଙ୍କ ପାଖରୁ କାଗଜକଲମ, ଖାଦ୍ୟପାନୀୟ ମଗାଇସାରିବା ପରେ ବାହାରୁ ତାଲା ପକାଇଦେବାକୁ କହିଲେ । ତା’ପରେ କହିଲେ : କାଲି ସକାଳୁ ଆସି କବାଟ ଫିଟାଇବ – ନଭେଲ୍‌ଟା ନେଇଯିବ !

ଏହି ବିଚିତ୍ରମନା ଲେଖକଙ୍କୁ ପ୍ରକାଶକ କେମିତି ଟିକିଏ ସନ୍ଦିଗ୍ଧ ଦୃଷ୍ଟିରେ ଚାହିଁ ପଛେଇପଛେଇ ବଖରାଭିତରୁ ବାହାରିଆସିଲେ । ମନେମନେ ଭାବୁଥିଲେ, ରାତାରାତି ନଭେଲ୍ । କ’ଣ ଲେଖକ ନା ଲେଖାକଳ ? ହଉ, ଥରେ ପରୀକ୍ଷା କରିନେଲେ କ୍ଷତି କ’ଣ ? ଭୋର୍ ବେଳକୁ କବାଟରେ କରାଘାତ । ସାରାରାତି ଉଜାଗର ଶରତଚନ୍ଦ୍ର ଅନ୍ତିମଅନୁଚ୍ଛେଦ ଲେଖିସାରିଥିଲେ କି ନାହିଁ ଆମକୁ ଜଣା ନାହିଁ କିନ୍ତୁ ସେଇ କରାଘାତ ଶୁଣିବାମାତ୍ରେ ସେ ପୂର୍ଣ୍ଣଚ୍ଛେଦ ପକାଇଦେଲେ ସେଯାବତ ଲେଖାସରିଥିବା ସବାତଳ ବାକ୍ୟଟି ଉପରେ । ଆଖିରୁ ଖସିପଡ଼ିଲା ଦି’ଟୋପା ଲୁହ – ଯାହା ଟିକିଏ ଝାପ୍‌ସା କରିଦେଲା ତଥାକଥିତ ଶେଷବାକ୍ୟଟିକୁ – ଆଉ ସେଇ ଲୁହବତୁରା ବାକ୍ୟ ଉପରେ କଲମଟାକୁ ଦାବିଦେଇ ତା’ ମୂନଟାକୁ ଭାଙ୍ଗିଦେଲେ ମହାନ୍ ଲେଖକ । ବାସ୍‌, ସେଇଠି ଉପନ୍ୟାସ ଶେଷ । ନାଁ ଥିଲା ‘ଦେବଦାସ’ । କେବଳ ସେଦିନର ପାଠକପିଢ଼ି କାହିଁକି ଆଜିର ଉପନ୍ୟାସପ୍ରିୟ ବିଭିନ୍ନଭାଷାର ପାଠକଶ୍ରେଣୀ ପାଖରେ ବି ‘ଦେବଦାସ’ର ଅନୁବାଦ ଏକାନ୍ତଆଦରଣୀୟ । କେତେଥର କେତେ ଭାଷାରେ ଖାଲି କ’ଣ ଅନୂଦିତ ହୋଇସାରିଛି ଏ ଉପନ୍ୟାସ, ଅତୀତରୁ ଏଯାବତ ତାର ଚଳଚ୍ଚିତ୍ରିତ ଚେହେରା ପିଢ଼ି ପରେ ପିଢ଼ିକୁ ଭିଡ଼ି ଧରିଛି ଏକ ଚୁମ୍ବକୀୟ ଆକର୍ଷଣରେ !

ସେ ଦିନସବୁ ଥିଲା କଥାସାହିତ୍ୟର ଉଜ୍ଜ୍ୱଳ ଫାଲ୍‌ଗୁନ । ସେଇଭଳି ମହାନ୍ ଲେଖକ ଏବେ ଆଉ ନାହାନ୍ତି କି ସେ ଧରଣର ସ୍ମରଣୀୟ କଥାକୃତି ସାରସ୍ୱତ ସଂସାରରେ ସୃଷ୍ଟି ହେଉଥିବାର ସୁସମ୍ବାଦ ସେତେବେଶୀ ଶ୍ରୁତିଗୋଚର ହେଉନାହିଁ । ତଥାପି ଭବିଷ୍ୟତର ସାହିତ୍ୟ ନିଜର ମହାନ୍ ଲେଖକ/ଲେଖିକାମାନଙ୍କୁ ଅପେକ୍ଷା କରିବାର ଆନନ୍ଦରେ ଯେ ନିତ୍ୟନିମଜ୍ଜମାନ ରହିଥିବ – ଏହା ନିଃସନ୍ଦେହ ।

  • ମାୟାଧର ନାୟକ
  • ଯାଜପୁର ରୋଡ, ଯାଜପୁର
    ମୋ : ୯୮୬୧୦୩୪୧୬୩

Leave A Reply

Your email address will not be published.