ଓଡ଼ିଆ ଭାଷା ଦିବସ: ଆତ୍ମ ସମୀକ୍ଷାର ଦିନ

0
  • ଶ୍ରୀକାନ୍ତ ଦାଶ

ଓଡ଼ିଆ ଭାଷା ଦିବସ
ଆଜି ଓଡ଼ିଆ ଭାଷା ଦିବସ | ହେଲେ ଆମ ପ୍ରିୟ ମାତୃଭାଷା ପ୍ରତି କାହାର ଦରଦ ନାହିଁ | ଦରଦ ଓ ଭଲ ପାଇବା ଥିଲେ ସରକାରୀ, ବେସରକାରୀ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଆଗରେ ଓଡ଼ିଆ ନାମ ଫଳକ ଶୋଭା ପାଉଥାନ୍ତା, ଯାହା ହେଉନି | ଏମିତି କି ଆମ ପ୍ରଶାସନର ଭାଷା, କୃତ୍ତି ଓ ବୃତ୍ତିର ଭାଷା ଓଡ଼ିଆ ନୁହେଁ |

ପୁରସ୍କାର ମନସ୍କ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷାକୁ ମାରିଦେବାରେ ସରକାରଙ୍କୁ ସହଯୋଗ କରୁଛନ୍ତି, ଏହା ପରିତାପର ବିଷୟ”..

ଓଡ଼ିଆ ଭାଷା ମରଣମୁଖି | ସାଢେ ଚାରିକୋଟିରୁ ଅଧିକ ଆମର ଭାଇ ଭଉଣୀ | ଏଭଳି ଭାଷା ବିରୋଧୀ ସରକାରଙ୍କୁ ଠିକଣା ରାସ୍ତା ଦେଖେଇବାର ଦିନ କେବେ ଆସିବ? ଅଣଓଡ଼ିଆ ପ୍ରଶାସକଙ୍କ ଗୋଡାଣିଆ, ପୁରସ୍କାର ମନସ୍କ ବୁଦ୍ଧିଜୀବୀମାନେ ଓଡ଼ିଆ ଭାଷାକୁ ମାରିଦେବାରେ ସରକାରଙ୍କୁ ସହଯୋଗ କରୁଛନ୍ତି, ଏହା ପରିତାପର ବିଷୟ |

ଆଜି ଦିନରେ ଖବର କାଗଜ ପୃଷ୍ଠା ମଣ୍ଡନକରି ଅନେକ ଲେଖା ଏଇ ଭାଷା କୁ ନେଇ ପ୍ରକାଶିତ ହୋଇଥିବ, ଆଉ ଏ ସବୁ ଲେଖାର ଲେଖକ ସେଇ ଭାଷା ବିରୋଧୀମାନେ, ଛଦ୍ମବେଶୀ ଓଡ଼ିଆ ମାନେ |ଲୋକ ପ୍ରତିନିଧିମାନଙ୍କୁ ଅନୁରୋଧ ଏ ଭାଷା ବିରୋଧୀ ସରକାରଙ୍କୁ ଆଉ ସହଯୋଗ ନ କରି ତାଙ୍କୁ ଉଚିତ ରାସ୍ତା ଦେଖାନ୍ତୁ |ସେମାନଙ୍କୁ ପୁନଃ ଅନୁରୋଧ ସେମାନେ ଯାହା ପାଇବା କଥା ସବୁ ପାଇଲେଣି ଏ ମା’ଠାରୁ, ଏବେ କିଛି ଏ ମା’କୁ ଦିଅନ୍ତୁ |ଅକୃତଜ୍ଞ ନ ହୁଅନ୍ତୁ | ବିବେକର ଆହ୍ୱାନକୁ ଶୁଣନ୍ତୁ |ଅନ୍ତତଃ ତାଙ୍କ ମରଣ ସୁଖ ମରଣ ହେବ |

ଜାତିଦ୍ରୋହୀ ହେବାର ଅପନିନ୍ଦାରୁ ତ ମୁକ୍ତି ମିଳିବ | ହଁ ନିଜ ପରିଚୟ “ଓଡ଼ିଆ “ଏକଥା ନିଜେ ବୁଝି ନିଜ ପର ପଢିକୁ ସେଇ ପରିଚୟ ଦିଅନ୍ତୁ |
କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଏକ ପଦ ଉଦ୍ଧାର କରି ମୋର ଏ ନିବେଦନକୁ ଶେଷ କରୁଛି |
ମୋର ମାତୃଭାଷା ସ୍ୱର୍ଗସୁଧା ଜିଣା,
ଲାଗଇ ମଧୁର ମୋ କାନକୁ ସିନା,
ଆନ ଭାଷା ମୋତେ ଭଲ ଲାଗେନାହିଁ,
ସୁଧା ସଙ୍ଗେ ଗୁଡ଼ ସରିହେବ କାହିଁ |”

ଆଉ ମଧ୍ୟ ସେ ମାତୃଭୂମି ଓ ମାତୃଭାଷା ପାଇଁ ପ୍ରତି ମଣିଷକୁ ବାର୍ତ୍ତା ଦେଇ ପଥପାର୍ଶ୍ୱରେ ପଡ଼ିଥିବା ଏକ ଶବ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି, “କହକହ ଶତାୟୁରେ ସତ୍ୟ ସମାଚାର,
କି କରିଗଲୁ ତୁ ଜନ୍ମଭୂମି ଉପକାର “

ପ୍ରତ୍ୟେକ ମଣିଷ ଜୀବନର ଶେଷ ଭାଗରେ ନିଜକୁ ବାରମ୍ବାର ପ୍ରଶ୍ନ କରିବା ଉଚିତ ଯେ ମୁଁ ମାତୃଭୂମି ଓ ମାତୃଭାଷା ପାଇଁ କ’ଣ କରିଛି
କବିଶେଖରଙ୍କ ଏହି ପଦରେ ଉଦବୁଦ୍ଧ ହୋଇ ମାତୃଭୂମି ଓ ମାତୃଭାଷା ପାଇଁ କାର୍ଯ୍ୟ କରିବାକୁ ଆଉଥରେ ନିବେଦନ କରୁଛି |
ବନ୍ଦେ ଉତ୍କଳ ଜନନୀ

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ |ଦୂରଭାଷ :9238304919

Leave A Reply

Your email address will not be published.