କଥାକାର ମନୋଜ କୁମାର ମହାପାତ୍ରଙ୍କ ଗଳ୍ପ-11: ‘ଲଣ୍ଠନ’

0
  • ଗଳ୍ପ// ଲଣ୍ଠନ
  • //TATKAL ODISHA//
++++++++++++++++++++++++++++++++  
ମନୋଜ କୁମାର ମହାପାତ୍ର
+++++++++++++++++++++++++++++++++


      ମାଟୁ ଉପରକୁ ଯିବା ପାଇଁ ଏକମାତ୍ର ବାଟ ଥିଲା କାଠ ସିଡିଟା l ସେଥିରେ ପୁଣି ଚାରିଟା ପାହାଚ l ଛୋଟ ପିଲାଙ୍କୁ ସିଡ଼ି ଚଢିବା ନିଷେଧ l କାହିଁକି ନାଁ ପାହାଚ ପାହାଚ ଭିତରେ ବ୍ୟବଧାନ ଏତେ ବଡ଼ ଯେ ପିଲାମାନେ ଗଳିପଡ଼ିବାର ସମ୍ଭାବନା ବେଶିଥାଏ l ସିଡିରେ ଚଢି ମାଟୁ ଉପରକୁ ଯିବାକୁ ଭାରି ଇଛା କିନ୍ତୁ ପଡିଯିବାର ଭୟ ମୋର ପାଞ୍ଚ ବର୍ଷୀୟ ମନରେ ଏମିତି ଆସନ ଜମେଇଥାଏ ଯେ ମୁଁ କେବଳ ଅସହାୟ ଚାହାଁଣିରେ ସିଡିର ଶେଷ ପାହାଚକୁ ଅନେଇ ଭାବୁଥିଲି କେବେ ବଡ଼ ହେବି l ମୋର ଯାହା ଆଜି ଝାପ୍ସା ଝାପ୍ସା ମନେପଡୁଛି,ମାଟୁ ଉପରେ ଥୁଆ ବୋଉର ହାତ ତିଆରି ଆମ୍ବ ଆଚାର ହାଣ୍ଡିରୁ ଆଚାର ଚଳୁ କରିବାର ଦୁର୍ବାର ଇଛା କିପରି ମୋତେ ସେତେବେଳେ ଅଥୟ କରୁଥିଲା l କିନ୍ତୁ ସିଡ଼ି ତଳେ ଥୁଆ ହେଇଥିବା ତିନୋଟି ଲଣ୍ଠନ ଭିତରୁ ପିତଳ ଲଣ୍ଠନଟି ମୋ ଆଖିରେ ପଡିବା କ୍ଷଣି ଆଚାର ନିଶା କେମିତି ପାଣି ଫାଟି ଯାଉଥିଲା ତାହା ଏବେ ବି ମୋର ସ୍ପଷ୍ଟ ମନେ ଅଛି l
          ମୋଟା ଓ ଡେଙ୍ଗା ପିତଳ ଲଣ୍ଠନଟି ମୋ ଭିତରେ ଭୟ ସଂଚାର  କରିବାର କାରଣ ଥିଲା ଯେ ଏକଦା ଲଣ୍ଠନଟି ରାତିରେ ଦାଉଦାଉ ଜଳୁଥିବାବେଳେ ମୁଁ କାଳେ ଘର ଭିତର ପିଣ୍ଡାରେ ଦୌଡୁ ଦୌଡୁ ତା ଉପରେ ମୁହଁ ମାଡି ପଡିଯାଇଥିଲି l ଲଣ୍ଠନର ଅବଶ୍ୟ କିଛି କ୍ଷତି ହେଲାନି  ବରଂ ତା ତାତିରେ ମୋ ଡାହାଣ ଛାତିର ସାମାନ୍ୟ ଅଂଶ  ପୋଡ଼ିଯାଇ ଫୋଟକା ହେଇଗଲା l ମାସେ କାଳ ପୋଡା ଘା ଶୁଖିବାକୁ ଲାଗିଥିଲା l ବାପରେ ବାପ କି ଯାନ୍ତ୍ରଣା ସତେ !  ସେଦିନର ନାଗାସାକି ଓ ହିରୋସୀମାରେ ପରମାଣୁ ବୋମାର ତାଣ୍ଡବ ଯେମିତି ଏବେ ଛବିରେ କାରାରୁଦ୍ଧ, ସେପରି  ଲଣ୍ଠନର ପ୍ରଚଣ୍ଡତା ମୋ ଛାତିରେ ଏକ ଗୋଲାକାର ଚିହ୍ନ ଭିତରେ ହଜିଯାଇଛି l ସେହି ଲଣ୍ଠନର ଅସ୍ତିତ୍ୱ କେଉଁ କାଳୁ ନାହିଁ କିନ୍ତୁ ତାର ଅନସ୍ତିତ୍ୱ ହେବାର ଅବସୋସ ମୋ ଛାତିର ଅଲିଭା ଚିହ୍ନ ଭିତରେ କେବେକେବେ ଅନୁଭବ କରେ l
         ମୋର ଅଶୀ ବର୍ଷୀୟ ସ୍ମୃତି ସିନ୍ଦୁକ ଭିତରେ ଲଣ୍ଠନର ଅତୀତ  ଇତିହାସ ଏବେ ବି ସମୁଜ୍ଜଳ ଯାହା ଚାରିଟି ପିଢ଼ିର ଦୁଃଖ ସୁଖର କଥା ବଖାଣେ l ମୋ ପ୍ରପିତାମହ ଚାନ୍ଦବାଲି ପୋର୍ଟର ଏକ୍ସସାଇଜ କ୍ଲର୍କ ଥିବାବେଳେ ନିଜର ଉପରିସ୍ଥ ହାକିମ ମହମ୍ମଦ କଲାମୁଦ୍ଦିନ ବନାମ କାଲା ସାହେବଙ୍କ ଠାରୁ ଲଣ୍ଠନଟିକୁ ଭେଟି ଆକାରେ ପାଇଥିଲେ l କାଲା ସାହେବ କାବୁଲ ଦେଶର ଜଣେ ପଠାଣ l 
         ସେ କାଳେ ଥିଲେ ଅତି ମିଷ୍ଟ ଭାଷୀ ଓ ମେଳାପୀ l ତଥାପି ସେ ବେଳେବେଳେ ଚିନ୍ତାମଗ୍ନ ଏପରି ହେଇଯାଆନ୍ତି ଯେ ତାଙ୍କର ଲମ୍ବା ମୁହଁର ଖଣ୍ଡା ଭଳି ନାକରୁ ଖର ନିଃଶ୍ୱାସ ଛୁଟେ,ସତେକି ଛାତି ଭିତରେ କୁହୁଳୁଥିବା ଧୂଆଁ ଚି଼ମନି ବାଟେ ବହିର୍ଗତ ହେଉଛି ! ଅଫିସର ଷ୍ଟାଫମାନେ ଏଭଳି ସମୟରେ ତାଙ୍କ ଚେମ୍ବରକୁ ଯିବା ପାଇ କେହି ସାହସ କରୁନଥିଲେ l ଅନ୍ୟପକ୍ଷରେ ମୋ ପ୍ରପିତାମହଙ୍କୁ ସେ ଖୁବ ଭଲ ପାଉଥିଲେ, ବିଶେଷ କରି ତାଙ୍କର କାର୍ଯ୍ୟଦକ୍ଷତା ଓ ଜୋତିଷ ଓ ଆୟୁର୍ବେଦ ଶାସ୍ତ୍ରରେ ପାରଙ୍ଗମତା ଦେଖି l 
          ଯାହା ମୁଁ ଶୁଣିଛି ସେ ଦିନେ ତାଙ୍କ ମନ ଭିତରେ ଘୁର୍ଣ୍ଣିଝଡ଼ ସୃଷ୍ଟିକରୁଥିବା ଚିନ୍ତାର କାରଣଟିକୁ ମୋ ପ୍ରପିତାମହଙ୍କୁ କାଳେ କହିଥିଲେ - ଦେଖୋଜୀ ପେସ୍କାର ବାବୁ ! ମୋ ବିବି ବର୍ତମାନ ଗର୍ଭବତୀ l କିନ୍ତୁ ତାଙ୍କର ବାମ ଆଣ୍ଠୁଟି ମେଣ୍ଢାମୁଣ୍ଡିଆ ବାତ ଦ୍ୱାରା ଆକ୍ରାନ୍ତ ହେଇ ଥିବାରୁ ସେ ବିଛଣାରୁ ଉଠିପାରୁନାହାନ୍ତି l ପ୍ରସବ କେମିତି ସୁରୁଖୁରୁରେ ହେବ, ସେଇ ଚିନ୍ତା ମୋତେ ବାରବାର ନିଷ୍ପ୍ରାଣ କରୁଛି l ଆଗରୁ ଦୁଇ ଦୁଇଟା ପିଲା ପ୍ରସବ କଷଣ ଯୋଗୁ ମରିଛନ୍ତି l ଏଥର ଆଲ୍ଲା ମେହର୍ବାନି କରିବେ କି ନାହିଁ ତାଙ୍କୁ ହିଁ ଜଣା l ଏତକ କହି  ନିଃସହାୟ ଚାହାଁଣିରେ କାଲା ସାହେବ ପ୍ରପୀତାମହକୁ ଅନାଇଲେ l
   ପ୍ରପିତାମହ ସମଦୁଃଖୀ ହେଇ କହିଲେ - ଠିକ ଅଛି ସାହେବ l ଯାହା ତ କରିବେ ସାଇଁ, ସେ ତ କାହାରି ମନରେ ନାହିଁ l ତଥାପି ବାଡ଼କୁ ବତା ସାହା ନ୍ୟାୟରେ କିଛି ଗୋଟେ ପ୍ରତିକାର ହେଇପାରିବ ବୋଲି ମୋର ବିଶ୍ୱାସ ଅଛି l ଏତିକି ମାତ୍ର ପଦଟିଏ ଆଶ୍ୱାସନା ଦେଇ ସେ ଦିନ ପ୍ରପିତାମହ ସାହେବଙ୍କ କୋଠିରୁ ଚାଲି ଆସିଲେ l
       ପ୍ରପିତାମହଙ୍କର ଜୋତିଷ ଓ ଆୟୁର୍ବେଦ ଶାସ୍ତ୍ରରେ ଥିଲା ପାଣ୍ଡିତ୍ୟ l ଅନେକ ଲୋକ ତାଙ୍କର ଔଷଧ ସେବନ କରି ଭଲ ହେବାର ଖ୍ୟାତି ଯେମିତି ରହିଥିଲା ସେମିତି ତାଙ୍କର ଅକାଟ୍ୟ ଜୋତିଷ ଗଣନା l ବରାହ ମିହିର ଜୋତିଷ ସଂହିତା ଓ ଚରକ ସଂହିତା ଦେଖି ସେ କେତୋଟି ନିରାକରଣର ଉପାୟ ବାହାର କଲେ ଓ ଚେରମୂଳି ବାଟି ଏବଂ ରଢ଼ ନିଆଁରେ ଟକମକ କରି ତାକୁ ସିଦ୍ଧ କରି ତିଆରି କଲେ ନିଜ ହାତରେ ଔଷଧ l 
         ଦୁଇଦିନ ଅତିକ୍ରାନ୍ତେ କାଲା ସାହେବ ନିଜ ଘରେ ଶୁକ୍ରବାର ଦିନ ନମାଜ ପଡ଼ି ଦେଖନ୍ତି ଯେ ପ୍ରପିତାମହ ତାଙ୍କ ଡ୍ରଇଂ ରୁମରେ ବସିଛନ୍ତି l ସେ ତାଙ୍କ ହାତରେ କିଛି ଦେଶୀ ଚେର ମୂଳିରେ ନିର୍ମିତ ଔଷଧ ଦେଇ କହିଲେ - ବେଗମଙ୍କୁ ସକାଳେ ସଂଜେ ଏଇ ଔଷଧ ଖୁଆଇବା ସହିତ ତାଙ୍କ ଆଣ୍ଠୁରେ ଏଇ ମଲମ ଘଷିବ l ସେ ଅନ୍ତତପକ୍ଷେ ପନ୍ଦରଦିନ ଭିତରେ ଚାଲିପାରିବେ l
       କାଲା ସାହେବଙ୍କ ମୁହଁ ଉଜ୍ଜ୍ୱଳ ହେଇ ଉଠିଲା ସତେକି ତାଙ୍କର ସୁପ୍ତ ଆଶାଟି ତତକ୍ଷଣାତ ଚେଇଁ ଉଠିଲା ! ପ୍ରବଳ ସୁଅରେ ବୁଡି ଯାଉଥିବା ଲୋକଟିର କୁଟା ଖିଅଟିଏ ସାହାରା ଭଳି ସେ ପ୍ରପିତାମହଙ୍କ ହାତକୁ ଜାବୁଡି ଧରିଥିବା ବେଳେ ପ୍ରପିତାମହ କହିଲେ - ଆଲ୍ଲାଙ୍କ ଉପରେ ଭରସା ରଖନ୍ତୁ ସାହେବ,ତାବାଦେ ମୋର ଗଣନା କହୁଛି ଯେ ଆପଣଙ୍କର ପୁଅଟିଏ ବି ହେବ  l
       କଥାରେ ଅଛି ବିଶ୍ୱାସେ ମିଲଇ ହରି ତର୍କେ ବହୁଦୂର l ମଣିଷର ଭଲପାଇବା ହିଁ ସୃଷ୍ଟିକରେ ବିଶ୍ୱାସ l ବିଶ୍ୱାସ ପାଖରେ ଜ୍ଞାନ ବିଜ୍ଞାନ ବି ହାର ମାନେ l ଏଇ ବିଶ୍ୱାସଟିକୁ ହୃଦୟରେ ବସାଇ କାଲା ସାହେବ ଛୁଟିରେ କାବୁଲ ଚାଲିଗଲେ l
     ତିନିମାସ ପରେ ଛୁଟିରୁ ଫେରି  କାଲା ସାହେବ ମୋ ପ୍ରପିତାମହକୁ ଖୁସିରେ ଗଦଗଦ ହେଇ କୁଣ୍ଢାଇ କହିଥିଲେ - ସତରେ ପେସ୍କାରଜୀ ଆମ ଦେଶର ହାକିମଙ୍କର ଔଷଧ କିଛି କାମ କରିନଥିଲା କିନ୍ତୁ ଆପଣଙ୍କ ଔଷଧ ଖାଇ ବିଛଣାରୁ ମାସ ମାସ ଧରି ଉଠିପାରୁନଥିବା ମୋ ବେଗମ  ଏବେ ସୁସ୍ଥ ଓ ବେଶ ଚଲାବୁଲା କରିପାରୁଛି l କେବଳ ସେତିକି ନୁହେଁ ଆପଣଙ୍କ ଭବିଷ୍ୟ ବାଣୀ ସତ l ମୋର ବେଟା ହେଇଛି l ରିଆଲି ୟୁ ଆର ଗ୍ରେଟ l ଏତକ କହି ତାଙ୍କୁ ମେଡ଼ ଇନ ଜର୍ମାନୀର ପିତଳ ଲଣ୍ଠନଟିଏ  ଉପହାର ଦେଇଥିଲେ l ତାପରେ ତାଙ୍କର ଟ୍ରାନ୍ସଫର କରାଚି ପୋର୍ଟକୁ ହେଇଯାଇଥିଲା l
         ସେ ସମୟରେ ଆମ ଘରେ କେବଳ ନୁହେଁ ଗାଁର ଲୋକମାନଙ୍କ ଘରେ କରଞ୍ଜତେଲ ଭର୍ତି ମାଟି ବା ପିତଳ ଦ୍ବୀପ ଜଳୁଥିଲା ରାତିରେ l ପ୍ରଥମ କରି ପିତଳ ଲଣ୍ଠନର ଆଲୋକରେ ଦ୍ବିପାଲୋକ ଆମ ଘରେ ନିଷ୍ପ୍ରଭ ହେଲା, ଲୋକେ କାଳେ ଲଣ୍ଠନକୁ ଦେଖିବାକୁ ଆମ ଘରକୁ ଆସୁଥିଲେ l ରାସ୍ତା ଘାଟ ନଥିବା ନିପଟ ମଫସଲରେ ସେତେବେଳେ ଲଣ୍ଠନ ଏକ ଦୁଷପ୍ରାପ୍ୟ ବସ୍ତୁ ଥିଲା l
         ପ୍ରପିତାମହଙ୍କ ଅନ୍ତେ ପିତାମହ ଅର୍ଥାତ ମୋ ଜେଜେ ମଧ୍ୟ ଏହି ଲଣ୍ଠନଟିକୁ ଯତ୍ନ ସହକାରେ ସିଡ଼ି ତଳେ ସାଇତି ରଖିଥିଲେ l ପୁତ୍ରବଧୂ ବା ଝିଅମାନେ ବେଳବୁଡିବା ପୂର୍ବରୁ ଗୋବର ଘଷି ପାଉଁଶରେ ପିତଳ ଲଣ୍ଠନ ସହିତ ଅନ୍ୟ ଲଣ୍ଠନର କାଚକୁ ବେଶ ସଫା କରି ଓ କିରୋସିନି ଭରି ରଖନ୍ତି ଏବଂ  ଲଣ୍ଠନଗୁଡିକୁ ରାତିରେ ଜଳାଇ ଦିଅନ୍ତି l ପିତଳ ଲଣ୍ଠନର ଉଜ୍ଜ୍ୱଳ ଆଲୋକ କାଳେ ଅନ୍ୟ ଲଣ୍ଠନ ଅପେକ୍ଷା ଘର ଭିତରଟାକୁ ବେଶୀ ଚମକାଇ ଦେଉଥିଲା ଯେମିତି ଜ୍ୟୋସ୍ନା ଖଚିତ ଅନ୍ଧାର ଆକାଶରେ କୁଆଁ ତାରା ଚମକି ଉଠେ l
          ଜେଜେଙ୍କ ସମୟରେ ପେଟ୍ରୋମାସ୍କ ଲାଇଟର ପ୍ରଚଳନ ହେବାରୁ ଗାଁରେ ନାଟକ, ପାଲା, ଯାତ୍ରା ଭଳି ମନୋରଞ୍ଜନ କାର୍ଯ୍ୟକ୍ରମରେ ମଶାଲର ଜାଗାକୁ ପେଟ୍ରୋମାକ୍ସ ଲାଇଟ ନେଲା l ଯାହା ମୁଁ ଶୁଣିଛି ଯେ ଦିନେ ରାତିରେ ଆମ ଘର ସାମ୍ନାରେ ଚଢ଼େୟା ଚଢେୟାଣୀ ନାଚ ହେଉଥିବା ସମୟରେ ଗୋଟିଏ ମାତ୍ର ଜଳୁଥିବା ପେଟ୍ରୋମାକ୍ସର ୱାସର ଅଚାନକ ଛିଡ଼ିଗଲା l ଚରିଗଲା କିଟିମିଟି ଅନ୍ଧାର ଚାରିଆଡେ l ଇତ୍ୟାବସରେ ଦେଖଣାହାରୀଙ୍କର ଆହୁରି ଦେଖିବାର ଉତ୍କଣ୍ଠା ନିଆଁଗଦାରେ ଜିଅନ୍ତା ସାପ ଭଳି କଲବଲ ହେବାକୁ ଲାଗିଲେ l ନା ସାପ ହୁତୁହୁତୁ ନିଆଁରୁ  ବାହାରି ପାରୁଛି ନା ଦର୍ଶକମାନେ ପିଲା ଛୁଆଙ୍କୁ ନେଇ ଅନ୍ଧାରରେ କୁଆଡେ ଯାଇପାରୁଛନ୍ତି l ଏତିକିବେଳେ ଜେଜେ ନିଜ ଘରୁ ପିତଳ ଲଣ୍ଠନଟି ନେଇଆସି ପେଣ୍ଡାଲରେ ଟାଙ୍ଗି ଦେବାରୁ ନାଚଟି ସମ୍ପୂର୍ଣ୍ଣ ହେଇପାରିଲା l ଲୋକେ କହିଲେ ଦେଖ ହୋ....ଭୁଣ୍ଡା ଲଣ୍ଠନର କରାମତି, ପେଟ୍ରୋମାକ୍ସର କାନ କେମିତି କାଟିଦେଲା l
           ପେଟ୍ରୋମାକ୍ସର କାନ ସିନା କାଟିଦେଇଥିଲା କିନ୍ତୁ ନକଲି ଭାଲୁଟାକୁ ଗୋଟାପଣେ ପୋଡି ଜାଳି ଦେଇଥାନ୍ତା l ଅଳ୍ପକେ ଆମ ମୁଲିଆ ଘାଉଲାଟା ଯାହାହେଉ ବଂଚିଗଲା ସେ ଦିନ ରାତିରେ l ପ୍ରତିବର୍ଷ ଦୋଳ ପୁନେଇଁରେ ଘାଉଲା ଭାଲୁ ପୋଷାକ ପିନ୍ଧି ମେଲଣ ପଡିଆକୁ ଶୋଭାଯାତ୍ରାରେ ଯାଉଥିବା ଆମ ବିମାନ ଆଗରେ ବେଶ ତାର ନାଚର କରାମତି ଦେଖାଏ l ଗୋଟିଏ ବର୍ଷ କଣ ହେଲା ନା ଘାଉଲା ଆମ ଗୁହାଳ ପରସ୍ତରେ ପିତଳ ଲଣ୍ଠନକୁ ପିଣ୍ଡାରେ ରଖି ତାରି ଆଲୁଅରେ ତୁଳାରେ ତିଆରି କଳା ପୋଷାକ ପିନ୍ଧି ନିଜକୁ ସଜାଉଥିଲା l ଏଇ ସମୟରେ ଦାଣ୍ଡରୁ ଡାକ ଶୁଭିଲା  - ଆବେ ଘାଉଲା ବିମାନ ବାହାରିବାକୁ ରେଡି ହେଲେଣି, ତୂ ଶୀଘ୍ର ଆସି ତୋର ଭାଲୁ ନାଚ ଦେଖା l
       ଘାଉଲା ଭାବିଲା ଯେ ଥରେ ନାଚିଲେ ଆଉ ବିଡିଟେ ପିଇ ହେବନି l ଆଗେ ବିଡି ଟାଣି ଦିଏ, ତାପରେ ଯଉଁ କଥା l ସେ ତରତରରେ ଲଣ୍ଠନଟିକୁ ମୁହଁ ପାଖକୁ ଟେକି  ବିଡିରେ ନିଆଁ ଲଗାଇ ସୁଟକେ ଟାଣିଛି କି ନାହିଁ ହଠାତ ବିଡିଟା ତାର ପୋଷାକ ଉପରେ ପଡିଗଲାରୁ ସେ ହାଉଲ ମାଉଲ ହେଇ ତଳେ ପଡ଼ି ହୁରି ଛାଡିଲା l ଭାଗ୍ୟକୁ ମୋ ଜେଜେମା ସେଠି ଥିଲେ l ସେ ଗୋରୁଙ୍କ ପାଇଁ ଥୁଆ ହେଇଥିବା ପାଣି ଭର୍ତି ନନ୍ଦାଟାକୁ ତା ଉପରେ ଅଜାଡି ଦେଇ ଗାଳି ବର୍ଷଣ କରି କହିଲେ - ପୋଡ଼ାମୁହାଁ ଗାତକୁ ଯିବାକୁ ତୋ ବେଳ ହେଲେଣି କି ? ଓହୋଃ.... ମୁଁ ନଥିଲେ ତୋର କଣ ହେଇଥାନ୍ତା ଏଇନେ l ଘାଉଲାଟା ବଂଚିଗଲା କିନ୍ତୁ ଜୀବନ ସାରା ପିତଳ ଲଣ୍ଠନକୁ ଦେଖିବା ମାତ୍ରେ ଜୁହାରଟିଏ ମାରେ l
       ଆଉ ଗୋଟିଏ ମଜା ଘଟଣା ସହ ଏଇ ଲଣ୍ଠନଟି ଜଡିତ ଥିଲା ବୋଲି ମୁଁ ବାପାଙ୍କ ଠାରୁ ଶୁଣିଥିଲି l ମୋ ଜେଜେ ଗୋଟିଏ ଓଧକୁ ପାଳିଥିଲେ, ସେଇଟି ତାଙ୍କର ମାଛ ଧରିବାରେ ସାହାଯ୍ୟ କରୁଥିଲା l ରାତି ଅଧରେ ଜେଜେ ଲଣ୍ଠନଟିକୁ ହାତରେ ଓହଳେଇ ପୋଖରୀ ହୁଡାରେ ବସି, ପାଟିରେ ହୁଇସିଲ ଭଳି ଆବାଜ କଲା ମାତ୍ରେ, ବାଉଁଶବଣରୁ ଓଧଟି ଚାଲି ଆସି ହାଜର ହେଇ ଯାଉଥିଲା l ପୋଖରୀର ଗଭୀର ଜଳରେ ଡୁବି ବଡ଼ ବଡ଼ ରୋହି ଓ ଭାକୁଡ଼ ଧରି ଆଣି ଜେଜେଙ୍କ ଆଗରେ ରଖିଦିଏ l ଜେଜେ ପାଉଣା ବାବଦରେ ଗୋଟିଏ ମାଛ ଓଧକୁ ଦିଅନ୍ତି ଏବଂ ଆଉ ସବୁ ନିଜେ ଘରକୁ ଆଣନ୍ତି l ଲଣ୍ଠନ ଆଲୁଅରେ ଓଧ ବେଶ ଆରାମରେ ମାଛ ଖାଏ ଓ ଖେଳେ l ଜେଜେଙ୍କ ଖୁସି ଏମନ୍ତ ଦୃଶ୍ୟରେ ଗଦଗଦ ହେଉଥିଲା l 
        ଜେଜେଙ୍କ ଅନ୍ତେ ପିତଳ ଲଣ୍ଠନର କାଟତି ଏତେ ରହିଲାନି l କେମିତି ବା ରହିବ ? ଗାଁର ଘରେ ଘରେ  ବିଜୁଳି ବତୀ ଛତୁ ଫୁଟିଲା ଭଳି ବିଛେଇ ହେଲା l ମାଟି ଚାଳ ଛପର ଘର ଜାଗାରେ ଗଢି ଉଠିଲା କୋଠାଘର l ଆମ କାଠ ସିଡ଼ିଟା ଅଗଣା ବାହାରେ ବର୍ଷା ଖରାରେ ପଡ଼ି ପଡ଼ି ଛତୁ ହେଲା l କିନ୍ତୁ ବାପା ଏଇ ଲଣ୍ଠନଟିକୁ ସଯତ୍ନେ ଷ୍ଟେୟାରକେସ ତଳେ ଗୋଟିଏ ପ୍ରାଚୀନ ଦୁର୍ମୁଲ୍ୟ ବସ୍ତୁ ଭାବେ ରଖି ଦେଇଥିଲେ l ବାପା ପ୍ରାୟତଃ  ଆମ ପିଲାମାନଙ୍କୁ କହୁଥିଲେ - ଆରେ ପିଲେ, ଏହି ପେଟୁଆ ପିତଳ ଲଣ୍ଠନଟିକୁ ସାଇତି ରଖିବ l ଇୟା ପେଟ ଭିତରେ ରହିଛି ମୋ ବାପା, ଜେଜେ ସମେତ କାଲା ସାହେବ, ଚାନ୍ଦବାଲି ବନ୍ଦର, ମାଟି ଦୀପ,ଲଣ୍ଠନ  ଓ ପେଟ୍ରୋମାକ୍ସ ଭଳି କେତେ ଇତିହାସର କାହାଣୀ l ଏଇଟି ଏକଦା ନିଜେ ଜଳି ଜଳି ଓ ଅସହ୍ୟ ଉତ୍ତାପ ସହି ସହି ଆମର ସମସ୍ତ ପରିବାରକୁ ଆଲୋକିତ କରୁଥିଲା, ସେଥିପାଇଁ ନା ଥିଲା ତାର କୌଣସି ଅଭିଯୋଗ ନା ଅବସୋସ l  
    ବାପାଙ୍କ ଅନ୍ତେ ଆମେ କେହି ଗାଁ ଘରେ ରହିଲୁନି l ଆଧୁନିକ ଯୁଗର ଗଳାକଟା ପ୍ରତିଯୋଗିତାର ବିକାଶ ପଥରେ ଯିଏ ଯୁଆଡେ ଚାକିରୀ କଲୁ l ଗାଁ ଘରଟା ଶେଷରେ ବିନାଶ ପ୍ରକ୍ରିୟାରେ ଅବହେଳିତ ହେଇ ସାଜିଲା ଅରମା ଜଙ୍ଗଲ, ସାପ ବେଙ୍ଗ ଗୋଧିର ଭୂତକୋଠି l ଚାରି ପିଢ଼ିର ଐତିହାସିକ ପିତଳ ଲଣ୍ଠନ ବି କେଉଁ କାଳରୁ କେବେ ଓ କେମିତି ନିରୁଦ୍ଦିଷ୍ଟ ହେଇଛି ଆମକୁ ଜଣା ନାହିଁ l
         ଆଜି ସହରରେ ରହିଛି ପୁଅ ବୋହୁଙ୍କର ସୁରମ୍ୟ କୋଠାଘର ଯେଉଁଠି କଟୁଛି ମୋର ସେବାନିବୃତ ବାର୍ଦ୍ଧକ୍ୟ ଜରାଗ୍ରସ୍ତ ଜୀବନ l କଥା ଓ ଲେଖାରେ ଯେମିତି ଉତ୍କଳର ବାଣିଜ୍ୟ ଜଳଯାତ୍ରା ଓ ବୀର ସାଧବ ପୁଅର ହୃତ ଗୌରବ କାର୍ତିକ ପୁନେଇଁରେ ଆମ ଓଡ଼ିଆ ପ୍ରାଣକୁ ଚଳଚଞ୍ଚଳ କରେ , ସେମିତି ବେଳେବେଳେ ପିତଳ ଲଣ୍ଠନଟା ମୋ ସ୍ମୃତି ସିନ୍ଦୁକରୁ ବାହାରି ମୁହଁ ଦେଖାଇ ଖତେଇ ହେଲା ଭଳି ମୋତେ ବାଇବିଛ ଆଜି ବି କରୁଛି l
        ହଁ... ମୋ ଅନ୍ତେ ଏଇ ଲଣ୍ଠନର ଇତିହାସ ଯେ ଚିରକାଳ ପାଇଁ ବିସ୍ମୃତି ଗର୍ଭରେ କବର ନେବ ତାହା ବେଶ ମୁଁ ଜାଣିଛି l 
    ----------00000-------

© Manoj Kumar Mahapatra

Leave A Reply

Your email address will not be published.