ପଗଡ଼ି ପୁରୁଷ- ଶତାବ୍ଦୀର ସୂର୍ଯ୍ୟ
- ଉତ୍କଳ ଗୌରବ ମଧୁସୂଦନ:ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି
1848 ମସିହା ଏପ୍ରିଲ 28 I ଓଡିଶା ଇତିହାସରେ ଏକ ସ୍ୱର୍ଣ୍ଣିମ ଦିବସ |
ଏହିଦିନ କଟକ ଜିଲ୍ଲା, ସତ୍ୟଭାମା ପୁର ଗ୍ରାମରେ ପିତା ଚୌଧୁରୀ ଶ୍ରୀ ଲୋକନାଥ ଦାସ ଓ ମାତା ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଗୋବିନ୍ଦ ବଲ୍ଲଭ, ଯେ କି ପରବର୍ତ୍ତୀ ଅବସ୍ଥାରେ ପରିଚିତ ହେଲେ ମଧୁସୂଦନ ଦାସ ନାମରେ | ତାଙ୍କ ସାନଭାଇ ଥିଲେ ଗୋପାଳ ବଲ୍ଳଭ ଦାସ |
ତାଙ୍କର ପ୍ରାଥମିକ ଶିକ୍ଷା ଗାଁ ଚାଟଶାଳି ରେ ଆରମ୍ଭ ହୋଇଥିଲା |ମଧୁବାବୁ ଶିକ୍ଷକତା କରି କିଛି ଅର୍ଥ ସଂଚୟ କରି କଲିକତା ଗଲେ ଓ ଅର୍ଥାଭାବରୁ ମୁକ୍ତି ପାଇଁ ପାଦ୍ରୀ ଅମ୍ବିକା ପ୍ରସାଦ ହାଜରାଙ୍କ ଠାରୁ ଖ୍ରୀଷ୍ଟଧର୍ମ ଗ୍ରହଣ କଲେ | 1870ମସିହାରେ B. A. 1873 ମସିହାରେ ଇଂରାଜୀ ସାହିତ୍ୟରେ M. A. ଓ ପରେ ବି, ଏଲ. ପାସ କରି କଲିକତାରେ ଓକିଲାତି ଆରମ୍ଭ କଲେ |
1880ରେ ଓଡିଶା ଫେରି କଟକରେ ଓକିଲାତି କଲେ |ତାଙ୍କର ବୃତ୍ତି ଗତ ଦକ୍ଷତା ଦେଖି ତାଙ୍କୁ ଲୋକେ ସମ୍ମାନ ଦେଇ ମଧୁ ଵାରିଷ୍ଟର ବୋଲି ସମ୍ବୋଧନ କରୁଥିଲେ, ଯଦିଓ ସେ ବାରିଷ୍ଟର ନ ଥିଲେ |
ପରିସ୍ଥିତିରେ ପଡି ସେ ଖ୍ରୀଷ୍ଟିଆନ ହୋଇଥିଲେ ସତ , କିନ୍ତୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଗଭୀର ଭକ୍ତି ଥିଲା | ଗୋରା ସରକାର ଓଡ଼ିଶାର ଠାକୁରରାଜା ପୁରୀ ରାଜାଙ୍କ ହାତରୁ ଜଗନ୍ନାଥ ମନ୍ଦିରର ପରିଚାଳନା ଭାର କାଢି ନେବାକୁ ଆଇନ କରିବାରୁ ମଧୁବାବୁ ଏହି ଆଇନ ରଦ୍ଦ ହେଲା ପର୍ଯ୍ୟନ୍ତ ଲଢ଼ି ଓଡ଼ିଶାର ସମ୍ମାନ ରକ୍ଷା କରିଥିଲେ |
ସେ ନିଜ ସାଧନା ବଳରେ ଅନେକ ସଫଳତାର ଅଧିକାରୀ ହୋଇଥିଲେ |
ଓଡ଼ିଶାରେ ସେ ଥିଲେ ପ୍ରଥମ ସ୍ନାତକ, ପ୍ରଥମ ଏମ. ଏ., ପ୍ରଥମ ବିଦେଶ ଫେରନ୍ତା, ପ୍ରଥମ ବ୍ୟବସ୍ଥାପକ ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମେ ଦରମା ନ ନେବାକୁ ଜିଦ କରି ଇସ୍ତଫା ଦେଇଥିବା ମନ୍ତ୍ରୀ, ପ୍ରଥମ ଯୌଥ କମ୍ପାନୀର ପ୍ରତିଷ୍ଠାତା (ଉତ୍କଳ ଟାନେରିଓ ତାରକସି ଶିଳ୍ପ )ଆଉ ମଧ୍ୟ ସେ ଥିଲେ କଲିକତା ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ସଂସ୍କୃତ ପ୍ରଶ୍ନର ଉତ୍ତର ଓଡ଼ିଆ ଲିପିରେ ଲେଖିବାରେ ପ୍ରଥମ ବ୍ୟକ୍ତି |
ସେ’ଥିଲେ କଟକ ଉଚ୍ଚ ନ୍ୟାୟାଳୟର ପ୍ରଥମ ଓ ଶ୍ରେଷ୍ଠ ଓଡ଼ିଆ ଓକିଲ |ସେଥିପାଇଁ ପ୍ରତିଟି ଓଡ଼ିଆ ପରିବାରରେ ପିଲାଙ୍କୁ କୁହାଯାଏ “ପାଠ ପଢ଼ିବି, କାଳିଆ ଘୋଡାରେ ଚଢ଼ିବି, ମଧୁ ବାବୁ ସାଙ୍ଗେ ଲଢ଼ିବି
ମଧୁ ବାବୁଙ୍କ ବୈବାହିକ ଜୀବନ ମାତ୍ର ପାଞ୍ଚବର୍ଷ ଥିଲା | 1878ରେ ସେ ତାଙ୍କର ପ୍ରିୟ ପତ୍ନୀ ସୌଦାମିନୀଙ୍କୁ ହରାଇଥିଲେ |ଏହା ପରେ ସେ ଆଉ ବିବାହ କରି ନ ଥିଲେ |ତାଙ୍କ ଟେବୁଲ ଉପରେ ପ୍ରିୟ ପତ୍ନୀଙ୍କ ଉଦ୍ଦେଶ୍ୟରେ ଏକ ଫଳକରେ ଲେଖି ରଖିଥିଲେ “Not dead, but gone before, ଅର୍ଥାତ ‘ମରି ନାହାନ୍ତି, ଆଗରୁ ଚାଲି ଯାଇଛନ୍ତି ‘
ସୌଦାମିନୀଙ୍କ ବିନା କଲିକତା ତାଙ୍କୁ ଭଲ ଲାଗିଲାନି |ଏଣୁ ସେ ଓଡିଶା ଫେରିଲେ |ସେତେବେଳେ ଓଡିଶା ଥିଲା ଏକ ଭୌଗଳିକ ନାମ ମାତ୍ର |ତେଣୁ ସେ ଓଡ଼ିଶାର ଏକତ୍ରୀକରଣ ପାଇଁ ଉଦ୍ୟମ ଆରମ୍ଭ କଲେ |
ପ୍ରଥମେ ସେ ଓଡ଼ିଶାର କଂଗ୍ରେସ ନେତା ଥିଲେ | ସେ ଲକ୍ଷ୍ୟ କଲେ କଂଗ୍ରେସ ଜାତୀୟ ଆନ୍ଦୋଳନରେ ବ୍ୟସ୍ତ ଓ ଏଥିରୁ ଓଡ଼ିଶାର ବିଶେଷ ଲାଭ ହେବନି | ତା ପରେ ସେ ଜାତୀୟ ରାଜନୀତି ଓ କଂଗ୍ରେସରୁ ଓହରି ଆସିଲେ ଓ ଓଡ଼ିଶାର ଏକତ୍ରୀକରଣ ପାଇଁ ସଂଗ୍ରାମ ଆରମ୍ଭ କଲେ | ଶ୍ରମ ମର୍ଯ୍ୟାଦାର କଥା, ଲବଣ ଆନ୍ଦୋଳନ, ସମବାୟ, କୁଟୀର ଶିଳ୍ପ ଆଦିରେ ଜାତିର ପ୍ରଗତି ସମ୍ଭବ ଏକଥା ଗାନ୍ଧିଜୀ ତାଙ୍କଠାରୁ ଶିକ୍ଷା କରିଥିଲେ |1902 ମସିହାରେ ଗଞ୍ଜାମ ବାସି ଖଲିକୋଟ ରାଜାଙ୍କ ରମ୍ଭା ପ୍ରାସାଦରେ ଓଡ଼ିଶାର ସ୍ୱତନ୍ତ୍ରତା ପାଇଁ ଏକ ଅଧିବେଶନ ଡାକିଲେ |ମଧୁବାବୁ ଏଥିରେ ଉଦବୋଧନ ଦେଲେ |ଏହାର ଫଳ ସ୍ୱରୂପ 1903 ରେ ଉତ୍କଳ ସମ୍ମିଳନୀ ଗଠନ ହେଲା | କଟକ ଇଦଗା ପଡିଆରେ ସମ୍ମିଳନୀର ପ୍ରଥମ ସଭା ହେଲା ଓ ଏଥିରେ ସଭାପତିତ୍ବ କରିଥିଲେ ମୟୁରଭଞ୍ଜ ମହାରାଜା ରାଜର୍ଷି ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ | ମଧୁ ବାବୁ ଏହି ସମ୍ମିଳନୀରେ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଲେ “ଏହି ସମ୍ମିଳନୀ ଜାତି ପ୍ରାଣ ସିନ୍ଧୁ କୋଟି ପ୍ରାଣ ବିନ୍ଦୁ ଧରେ, ତୋର ପ୍ରାଣ ବିନ୍ଦୁ ମିଶେଇ ଦେ ଭାଇ ଡେଇଁ ପଡି ସିନ୍ଧୁ ନୀରେ ” | ତାଙ୍କ ସଂଗ୍ରାମ ଯୋଗୁଁ ଶେଷରେ ଓଡିଶା ସ୍ୱତନ୍ତ୍ର ରାଜ୍ୟ ହେଲା 1936ମସିହା ଏପ୍ରିଲ ପହିଲା ରେ | ମାତ୍ର ତାର ଦୁଇ ବର୍ଷ ପୂର୍ବରୁ ଏହି ମହା ନାୟକ ସଂସାରରୁ ବିଦାୟ ନେଇ ସାରିଥିଲେ |
ବ୍ରିଟିଶ ବ୍ୟବସାୟୀମାନେ ଭାରତୀୟ ଗ୍ରାମ୍ୟ ସ୍ୱାବଲମ୍ବୀ ଅର୍ଥନୀତିକୁ ନଷ୍ଟ କରିଦେଇ ଥିଲେ | ସେଥିରୁ ଓଡ଼ିଶା ବାଦ ପଡି ନ ଥିଲା | ଓଡ଼ିଶାର ଅର୍ଥନୀତିକୁ ସୁଧାରିବା ପାଇଁ ସେ ଗଢିଥିଲେ ଉତ୍କଳ ଟାନେରି ଓ ଓଡ଼ିଶାର ତାରକସି ଶିଳ୍ପ ପ୍ରତିଷ୍ଠାନ |ତେବେ ଉପଯୁକ୍ତ ବ୍ୟବସାୟୀ ବୁଦ୍ଧି ଅଭାବରୁ ସେ ଅନେଜ କ୍ଷତି ସହିଲେ |ଶେଷରେ ସେ ଦେବାଳିଆ ଅବସ୍ଥାରେ ପଡିଲେ |
ସେ ଥିଲେ ପ୍ରେମର ପ୍ରତୀକ |ସମସ୍ତଙ୍କୁ ସେ ପ୍ରେମ କରୁଥିଲେ |ଜଣେ ସଚ୍ଚା ପ୍ରେମିକ ସଫଳ ବ୍ୟବସାୟୀ ହୋଇପାରେନି, ସେଥିପାଇଁ ବୋଧେ ପ୍ରେମର ପ୍ରତୀକ ଲାଲ ପଗଡି ପିନ୍ଧୁଥିବା ଏହି “ପଗଡି ପୁରୁଷ ପ୍ରେମିକ” ବ୍ୟବସାୟରେ ହାରିଗଲେ ଓ ଦେବାଳିଆ ଘୋଷିତ ହେବା ପୂର୍ବରୁ ପାଳିତ କନ୍ୟା ଶୈଳବାଳାଙ୍କ ଯୋଗୁଁ ତାଙ୍କ ସମ୍ମାନ ରହିଗଲା |
ତାଙ୍କର ଅନ୍ତିମ ଜୀବନ ଯନ୍ତ୍ରଣା ଦାୟକ ଥିଲା |1934 ମସିହା ଜାନୁଆରୀ ମାସ ଶେଷ ଆଡକୁ ସେ ଶଯ୍ୟାଶାୟୀ ହେଲେ |ଦେହ ବେଶି ଖରାପ ହେବା ବେଳକୁ ମନୀଷି ନୀଳକଣ୍ଠ ଦାସ ପହଞ୍ଚି ପଚାରିଲେ “ଦେଶକୁ ଆପଣଙ୍କ କିଛି ବାର୍ତ୍ତା ଦେବାର ଅଛି? “
ମଧୁବାବୁ କହିଲେ ‘-ଯାଅ, ଲୋକଙ୍କୁ କହିଦେବ ପେଟରେ ଯାହାକିଛି ମଇଳା ଅଛି, ପରିଷ୍କାର କରନ୍ତୁ | ଆତ୍ମା ସହଜରେ ପରିଷ୍କାର ହୋଇଯିବ “
ମୃତ୍ୟୁ ପୂର୍ବରୁ ସେ ଓଡିଶା ସ୍ୱତନ୍ତ୍ର ହେବ, ଜାଣି ସାରିଥିଲେ |ସମାଜ ପ୍ରତିନିଧିଙ୍କୁ ପଚାରିଲେ, “ଓଡିଶା ସ୍ୱତନ୍ତ୍ର ପ୍ରଦେଶ ସମ୍ପର୍କରେ ତୁମ କାଗଜରେ ମତ କ’ଣ ? “ପ୍ରତିନିଧି କହିଲେ, “ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ସମିଶ୍ରଣରେ ବୃହତ ପ୍ରଦେଶ ହୋଇଥିଲେ ଭଲ ହୋଇଥାନ୍ତା | ଏପରି କ୍ଷୁଦ୍ର ପ୍ରଦେଶରେ ଖର୍ଚ୍ଚ ଭାର ବଢ଼ିଯିବ “|
ମଧୁବାବୁ ଉତ୍ତର ଦେଲେ “ଲୋକେ ଯାହା ଚାହିଁବେ, ତାହା ହିଁ ହେବ “|
ଗରୀବ ଲୋକଙ୍କ ବ୍ୟବହାର ପାଇଁ ଏକ ନଳକୂପ ଦେବାକୁ କଟକ ମୁନିସିପାଲିଟିକୁ ମଧୁବାବୁ ଆଗରୁ କଥା ଦେଇଥିଲେ | ଏଥିପାଇଁ ଫେବୃଆରୀ 1 ତାରିଖରେ ମୁନିସିପାଲିଟିକୁ ଚେକ ଦେଲେ ମଧୁବାବୁ | ସେହି ଦିନ କଟକ ମିଶନ ବାଳଚରମାନଙ୍କୁ କହିଲେ, “ମୁଁ ତ ଯାଉଛି, |ମନେ ରଖିଥିବ ଜଣେ ଓଡ଼ିଆ ଥିଲା | ଏତିକି ମନେରଖିଥିବ I f
ଫେବୃଆରୀ 3 ତାରିଖ 1934 ମସିହା |ସେବିକା ମୁହଁ ଧୋଇ ଦେବାକୁ ଆସିଲେ | ମଧୁବାବୁ ରାଜି ହେଲେନି | କହିଲେ, “ଆଜି ମୋର ମୁହଁ ଧୋଇବା ଆବଶ୍ୟକ ନାହିଁ |
କଫିନରେ ମୋତେ ଯେତେବେଳେ ରଖିବ, ମୋତେ ଗାଧୋଇ ଦେବ “ସେଦିନ ସନ୍ଧ୍ୟାରେ ପ୍ରଥମ ଥର ପାଇଁ କହିଲେ, “ଓଃ, ଏତେ କଷ୍ଟ, ମୁଁ ଆଉ ସହି ପାରୁନାହିଁ, “ରାତି 8ଟା ବେଳକୁ ତାଙ୍କ ଦେହ ଶୀତଳ ହେବାକୁ ଲାଗିଲା | ପ୍ରାର୍ଥନା ଶୁଣୁଥା’ନ୍ତି | ରାତି 1:20 ମିନିଟରେ ସବୁ ଶେଷ |
ତା ପରଦିନ ଅର୍ଥାତ 4ତାରିଖ ଦିନ ହଜାର ହଜାର ଶୋକାକୁଳ ଜନତା ତାଙ୍କ କଫିନ ପଛେ ପଛେ ଗୋରାକବର ଅଭିମୁଖେ ଚାଲିଲେ | ଗୋରା କବର ମଧ୍ୟରେ “ଶତାବ୍ଦୀର ସୂର୍ଯ୍ୟ “ଅସ୍ତମିତ ହୋଇଗଲେ ଚିର କାଳ ପାଇଁ |
ହେ ପୁଣ୍ୟ ପୁରୁଷ ! ଆଜିବି ତୁମେ ଆମ ଗହଣରେ ରହିଁଛ | ତୁମକୁ ଆମେ କେମିତି ଭୁଲିବୁ ହେ ଉତ୍କଳ ଗୌରବ, କୂଳ ବୃଦ୍ଧ ମଧୁସୂଦନ ! ତୁମେ ପରା ଉତ୍କଳର ଅର୍ଦ୍ଧ ଶତାବ୍ଦୀର ଇତିହାସ, ଶତାବ୍ଦୀର ସୂର୍ଯ୍ୟ |
କୋଟି ଓଡ଼ିଆଙ୍କ ପ୍ରଣତି ଘେନ ହେ ପଗଡି ପୁରୁଷ !
ତୁମ ତିରୋଧାନ ଦିବସରେ ତୁମକୁ ଏ ଜାତି କୋଟି ପ୍ରଣାମ କରୁଛି 🙏
ବନ୍ଦେ ଉତ୍କଳ ଜନନୀ
- ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ |ଦୂରଭାଷ :9238304919