ରାଧାଶ୍ୟାମ ମହାନ୍ତିଙ୍କ ମିନିଗଳ୍ପ-‘ପାପପୁଣ୍ୟ’
//TATKAL ODISHA//ଗଳ୍ପ//
ଡ୍ରଇଂରୁମରେ ଜେଜେ ନାତି ବସି ଟିଭି ଦେଖୁଥିଲେ । ଜେଜେଙ୍କ ପାନଖିଆ ପାକୁଆ ପାଟିରୁ ହଠାତ ଲାଳ ଠୋପେ ତାଙ୍କ ପଞ୍ଜାବୀ ଉପରେ ଖସି ପଡ଼ିଲା । ଏହା ଦେଖି ନାତି ଟୋକା ତାଳିମାରି ଠୋ ଠୋ ହସି ଉଠିଲା, ଆଉ କହିଲା
- ଜେଜେ ତମ ପାଟିରୁ ତ ଲାଳ ଗଡ଼ୁଛି !
ମୋ ପାଟିରୁ ଲାଳ ଗଡ଼ିଲେ ମାମା ମୋ ଉପରେ ଏତେ ରାଗୁଛି କାହିଁକି ?
ଜେଜେ ଫିକ କରି ହସିଦେଲେ । ସ୍ପ୍ରେ କଲାଭଳି ପାନ ପିକ ଚାରିଆଡେ ବିଛାଡ଼ି ହୋଇ ପଡ଼ିଲା । ଛି .. ଛି କହି ନାତି ଟୋକା ଜେଜେଙ୍କ ପାଖରୁ ଘୁଞ୍ଚିଗଲା । ଜେଜେ କହିଲେ, ଆରେ କୁନୁ ! ମଣିଷ ବୁଢ଼ା ହୋଇ ଗଲେ ପୁଣି ପିଲା ପାଲଟିଯାଏ ।
- ନାତି କହିଲା, ବୁଢ଼ା ପୁଣି ପିଲା ହୋଇଯାଏ କେମିତି ଜେଜେ ?
-ଜେଜେ କହିଲେ, ବୁଢ଼ା ହେଲେ ବଳ ଭାଙ୍ଗି ଯାଏ । ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଯେମିତି ତୋ ମାମା ତୋତେ ଗାଧେଇ ଦେଉଛି, ଖୁଆଇ ଦେଉଛି, ତୋ ପ୍ୟାଣ୍ଟ ସାର୍ଟ ସଫା କରିଦେଉଛି; ସେମିତି ତୋ ମାମା ମତେ ବି ଗାଧେଇ ଦେଉଛି, ମୋ ଲୁଗାପଟା ସଫା କରୁଛି, ମୋ ଶେଯ ପାରିଦେଉଛି । ସେଇଥିପାଇଁ କୁହାଯାଏ - ପିଲା ବୁଢ଼ା ସମାନ ।
ନାତି ବଡ଼ ଉତ୍ସାହିତ ହୋଇ କହିଲା - "ତାହେଲେ ଜେଜେ ତମେ ମୁଁ ସମାନ !
"ଜେଜେ କହିଲେ , - ସମାନ ଯେ . . . କିନ୍ତୁ ତୋ ମୋ ଭିତରେ ଗୋଟେ ବଡ଼ ତଫାତ ଅଛି ।
ସେଇଟା କଣ ଜେଜେ ?- ନାତି ପଚାରିଲା ।
ଜେଜେ ଟିକିଏ ଭାବି କହିଲେ - ସେ ହେଉଛି ପାପ ଓ ପୂଣ୍ୟର ତଫାତ ।
ନାତି କହିଲା,- ଜେଜେ ତମେ କଣ କହୁଛ ମୁଁ କିଛି ବୁଝି ପାରୁନି ?
ଜେଜେ କହିଲେ, ଆରେ ! ଯୋଉ କାମକୁ ସମସ୍ତେ ଭଲ କୁହନ୍ତି ସେ ହେଉଛି ପୂଣ୍ୟ । ଆଉ ଯୋଉ କାମକୁ ଖରାପ କୁହାଯାଏ - ସେ ହେଉଛି ପାପ । ନାତି କହିଲା, ଜେଜେ ମୁଁ ତୁମକୁ ଖତେଇ ହେଲେ ମାମା କହେ ସେଇଟା ଖରାପ କାମ । ତାହେଲେ ଜେଜେ ମୁଁ କଣ ପାପ କଲି ?
ଜେଜେ ଠୋ ଠୋ ହୋଇ ହସି ଉଠିଲେ । କହିଲେ, - ନାଇଁରେ ବାୟା ! ତୋ ଭଳି ପିଲାମାନେ ହେଲେ ନିଷ୍ପାପ । କାହିଁକି ଜାଣୁ ? ତମେମାନେ ଅଜାଣତରେ କିଛି ଭୁଲ କରିଦିଅ । ତେଣୁ ତାକୁ ପାପ କୁହାଯିବନି । କିନ୍ତୁ ଆମେ ବଡ଼ମାନେ ଜାଣିଶୁଣି ଭୁଲ କରୁ । ସେ ହେଲା ଆମର ପାପ ।
ନାତି ତତକ୍ଷଣାତ ପଚାରିଲା, ତାହେଲେ ବଡ଼ମାନେ ଜାଣି ଜାଣି ପାପ କରନ୍ତି କାହିଁକି ଜେଜେ ?
ଜେଜେ ନିରୁତ୍ତର ହୋଇଗଲେ । ସେ ନୀରବ ରହିବା ଦେଖି ନାତି ଟୋକା ପୁଣି ଟିଭି ଆଡ଼କୁ ନଜର ଦେଲା ।
- ରାଧାଶ୍ୟାମ ମହାନ୍ତି
ନାଗେଶ୍ୱରଟାଙ୍ଗୀ,ଭୁବନେଶ୍ୱର
ମୋ-