ଓଡ଼ିଶୀ ନୃତ୍ୟରେ ଝୁମିଲେ ଦର୍ଶକ

0
  • ଗୁରୁ କେଳୁଚରଣ ମହାପାତ୍ରଙ୍କ ୯୭ତମ ଜନ୍ମ ବାର୍ଷିକରେ ଓଡ଼ିଶୀର ଅନନ୍ୟ ରୂପରେଖ \”ଅର୍ନ୍ତଃଦୃଷ୍ଟି\’


ଭୁବନେଶ୍ୱର//TATKAL ODISHA //

ସୃଜନ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ \”ଅର୍ନ୍ତଃଦୃଷ୍ଟି\’ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଆଜି ସଂନ୍ଧ୍ୟାରେ ଅତିଥି ଆମେରିକାର ଇଣ୍ଡିଆନ ପର୍‍ଫରମିଙ୍ଗ ଆର୍ଟ ପ୍ରମୋଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଦାସ, ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ଧନେଶ୍ୱର ସ୍ୱାଇଁ; ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷା ସ୍ନେହପ୍ରଭା ସାମନ୍ତରାୟ; ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଡ଼ିନ୍‍ ଗୁରୁ ରତିକାନ୍ତ ମହାପାତ୍ର ଏବଂ ସିଙ୍ଗାପୁରରେ ଅବସ୍ଥିତ ଟେମ୍ବୁଲ ଅଫ୍‍ ଫାଇନ୍‍ ଆର୍ଟର ଏଚ୍‍. ଓ. ଡ଼ି. ଦୀପା ଶ୍ରୀବାସ୍ତନ୍‍ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇ ଅଛି । ଓଡ଼ିଶାର ସଂସ୍କୃତି ପ୍ରେମୀ ଦର୍ଶକମାନଙ୍କୁ ଭାରତର ବିଭିନ୍ନ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତକୁ ପ୍ରଦର୍ଶିତ କରାଇବା ଏହି ଉତ୍ସବର ମୂଳ ଉଦ୍ଦେଶ୍ୟ । ଗୁରୁ କେଳୁଚରଣ ମହାପାତ୍ରଙ୍କ ସ୍ମୃତିରେ ତାଙ୍କ ୯୭ ତମ ଜନ୍ମ ଦିବସରେ ଓଡ଼ିଶୀ ନୃତ୍ୟର ଏହି ଅଭିନବ ପ୍ରୟାସ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ।

ଉଦ୍‍ଘାଟନୀ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟକୁ ମୁଳଭିତ୍ତି କରି ପ୍ରୟୋଗାତ୍ମକ ଢଙ୍ଗରେ ନୃତ୍ୟ ପ୍ରସ୍ତୁତ କରିଥିଲେ ସୃଜନ ଅନୁଷ୍ଠାନର ଶିଳ୍ପୀମାନେ । ଦୃଢ ପ୍ରଶିକ୍ଷଣ ଏବଂ ସମନ୍ୱୟ ଆଧାରରେ ସେମାନଙ୍କର ପ୍ରଥମ ପରିବେଷଣ ଥିଲା ବ୍ରହ୍ମଦାରୁ ସ୍ମରାମ ଯାହାର ନୃତ୍ୟଶିଳ୍ପୀମାନେ ଥିଲେ ଐଶର୍ଯ୍ୟା ସିଂହଦେବ, ସିପ୍ରା ସ୍ୱାଇଁ, ପ୍ରୀତିଶା ମହାପାତ୍ର, ସଞ୍ଜୟ କୁମାର ବେହେରା, ଜି ସଞ୍ଜୟ, ମାଧବୀ ରାଉତ, ଆଲିଶା ଧଳ ଏବଂ ଡ଼ାଏନା ଘୋଷ । ପରେ ପରେ ରାଜଶ୍ରୀ ପ୍ରହରାଜଙ୍କ ଦ୍ୱାରା ପରିବେସିତ ହୋଇଥିଲା ମନ୍ଥରା । ରାମାୟଣରେ ରାଣୀ କୈକେୟୀଙ୍କ ସାଥୀ ମନ୍ଥରାର ମନ୍ଧ ଉଦ୍ଦେଶ୍ୟ ଆଜିମଧ୍ୟ ଦର୍ଶକଙ୍କୁ ବିସ୍ମିତ ଓ ସ୍ତମ୍ବିଭୂତ କରିଦିଏ । ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସଂରଚିତ ଏହି ନୃତ୍ୟ କାର୍ଯ୍ୟକ୍ରମଟି ରାମଚରିତମାନସ ଦ୍ୱାରା ଅନୁପ୍ରାଣିତ ଯାହାର ଶବ୍ଦ ସଂଯୋଜନା ଉମା ଡ଼ୋଗରା ଓ ସଙ୍ଗୀତ ସଂଯୋଜନା ଆଲାପ ଦେଶାଇ କରିଥିଲେ ।

ପରବର୍ତ୍ତୀ ପ୍ରସ୍ତୁତିଟିଥିଲା ଐଶର୍ଯ୍ୟା ସିହଦେବ, ସିପ୍ରା ସ୍ୱାଇଁ, ପ୍ରତିଶା ମହାପାତ୍ର ଓ ଜି ସଞ୍ଜୟଙ୍କ ଦ୍ୱାରା ସାବରୀ ପଲ୍ଲବୀ ଯାହା ରାଗ ଚନ୍ଦ୍ରକୋଶ ଓ ତାଳ ପଞ୍ଚମ ସାବରୀ ଉପରେ ନିବଦ୍ଧ ଥିଲା । ତାପରେ ଶାରନ ଲୋଏନ୍‍ଙ୍କ ଦ୍ୱାରା ଅଭିନୟ ୟାହି ମାଧବ ପରେ ପରେ ଅଷ୍ଟପଦୀ ପରିବେସିତ ହୋଇଥିଲା । ସନ୍ଧ୍ୟାର ଅନ୍ତିମ ପରିବେଷଣରେ ଥିଲା ଦୁଇଜଣ ଉଦୀୟମାନ ଯୁବ କଳାକାର ସନ୍ତୋଶ ରାମ ଓ ସମୀର କୁମାର ପାଣିଗ୍ରାହୀଙ୍କ ଦ୍ୱାରା ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ଅର୍ଦ୍ଧନାରୀଶ୍ୱର ସ୍ତୋତ୍ରମ୍‍ । ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିଖୁଣ ଏବଂ ସମୟ ସାମୟିକ ସଂରଚନାରେ ସୁନ୍ଦର ଓ ଚମତ୍କାର ପରିବେଷଣ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଭାବୋଦ୍ଦୀପକ ଥିଲା ଯାହାକୁ ଦର୍ଶକ ବେଶ୍‍ ପସନ୍ଦ କରିଥିଲେ । କାର୍ଯ୍ୟକ୍ରମଟିକୁ ପରିଚାଳନାରେ ସାହାଯ୍ୟ କରିଥିଲେ ଦେବୀପ୍ରସାଦ ମିଶ୍ର ଏବଂ ଉପସ୍ଥାପନ କରିଥିଲେ ଡ଼. ମୃତ୍ୟୁଞ୍ଜୟ ରଥ ।

Leave A Reply

Your email address will not be published.