ତୁଣ୍ଡ ହୁଡୁଛନ୍ତି ଜୟନାରାୟଣ:ବିଜେଡି
ଭୁବନେଶ୍ୱର//TATKAL ODISHA//
ଜୟନାରାୟଣ ବାବୁ ତୁଣ୍ଡ ହୁଡ଼ିବା କଥା ସମସ୍ତେ ଜାଣନ୍ତି । ପଦ୍ମପୁର ହାରିବା ପରେ ବୋଧେ ବାବୁଙ୍କ ମୁଣ୍ଡ ଆଉ କାମ କରୁନି। ୨୦୧୯ରେ ତାଙ୍କ ଦଳ ଓଡ଼ିଶାରେ ୧୨୦+ ଆସନ ଜିତିବ ବୋଲି ବାହାସ୍ପୋଟ ମାରିଥିଲା, ହେଲେ ୨୦+ରେ ସୀମିତ ରହିଲା। ଗଲା ପଞ୍ଚାୟତ ନିର୍ବାଚନରେ ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନରେ ହାରିଲା, ୩୦ରୁ ୩୦ ଜିଲ୍ଲା ପରିଷଦ ସଭାପତି ହାରିଲା। ୨୦୧୯ ରୁ ଏଯାଏ ୬ ଉପନିର୍ବାଚନରୁ ୫ଟିରେ ହାରିଲା।
ଏମିତି ଲଗାତାର ପରାଜୟର ସ୍ଵାଦ ଚାଖିବା ପରେ ବି ଜୟନାରାୟଣ ବାବୁଙ୍କ ମୁହଁ ଫୁଟାଣି ଯାଇନି। ପଦ୍ମପୁରବାସୀଙ୍କୁ “ଶାଶୂଘର-ବାପଘର” ଗପ ଶୁଣେଇ ଜନସେବାକୁ ଆସୁଥିବା ନାରୀମାନଙ୍କୁ ଅପମାନିତ କରିଥିବା ଜୟନାରାୟଣ ବାବୁ ଏବେ ପଦ୍ମପୁରର ଭୋଟରଙ୍କୁ ବିକ୍ରିପଣ୍ୟ ବୋଲି କହି ଅପମାନିତ କରିବାର ଅପଚେଷ୍ଟା କରୁଛନ୍ତି। ତେବେ କ’ଣ ୨୦୧୪ରେ ପ୍ରଦୀପ ପୁରୋହିତ ମଧ୍ୟ ଭୋଟ କିଣାବିକା କରି ପଦ୍ମପୁରରୁ ନିର୍ବାଚିତ ହୋଇଥିଲେ?
ଜୟନାରାୟଣ ବାବୁ ନିଜ ଦଳର ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ହତାଶା ଦୂର କରିବାକୁ ଏଭଳି ବୟାନ ଦେଇଛନ୍ତି ବୋଲି ତାଙ୍କ ଦଳର କର୍ମୀମାନେ ମଧ୍ୟ ବୁଝି ସାରିଲେଣି ଏବଂ ଏହା ହାସ୍ୟାସ୍ପଦ ବୋଲି ଅନୁଭବ କଲେଣି। ଏବେ ସେ କୁଆଡ଼େ ଏ କଥା ବି କହିଲେଣି ଯେ ଆଗାମୀ ଦିନରେ ତାଙ୍କ ଦଳ ୧୪୭ ଆସନରେ ୫୧% ଭୋଟ ହାସଲ ଲାଗି ଯୋଜନା କରୁଛି। ତାଙ୍କର ଏ ଯାତ୍ରା ଡାଇଲଗ୍ ଯିଏ ଶୁଣୁଛି, ସିଏ ମୁହଁ ଚାପି ହସୁଛି ।
ଜୟନାରାୟଣ ବାବୁ ଜାଣି ରଖିବା ଉଚିତ ଯେ ଜନତା କେବେ କିଣାବିକା ହୁଅନ୍ତି ନାହିଁ। ବରଂ ସେମାନଙ୍କୁ କିଣିବାକୁ ଅପଚେଷ୍ଟା କରୁଥିବା ଦଳ ଓ ନେତାଙ୍କୁ ମଉକା ଦେଖି ପାନେ ଦିଅନ୍ତି। ଯଦି ତାଙ୍କ ଦଳ ଓଡ଼ିଶାବାସୀଙ୍କ ବିଶ୍ବାସଭାଜନ ହେବାକୁ ଚାହୁଛି, ତେବେ ସେମାନେ ପ୍ରଥମେ ଲୋକଙ୍କ ସମସ୍ୟା ସହିତ ଜଡ଼ିତ ହୁଅନ୍ତୁ, ଲୋକଙ୍କ ପାଇଁ କାମ କରନ୍ତୁ। ଅନ୍ୟଥା ଲୋକଙ୍କୁ ଅପମାନିତ କରିବା ଲାଗି ସେ ଚଳାଇଥିବା ଅପଚେଷ୍ଟାକୁ ଆଗାମୀ ଦିନରେ ସଚେତନ ଓଡ଼ିଶାବାସୀ କଡ଼ା ଜବାବ ଦେବେ।