ପ୍ରସନ୍ନ କୁମାର ହୋତା, ଦେବଦାସ ଛୋଟରାୟଙ୍କ ‘ଇତର କାହାଣୀ’
**********************************************
- ପୁସ୍ତକ ସମୀକ୍ଷା–ଶ୍ରୀକାନ୍ତ ଦାଶ
- ସଂକଳକ :ପ୍ରସନ୍ନ କୁମାର ହୋତା ଓ ଦେବଦାସ ଛୋଟରାୟ
- ପ୍ରକାଶକ : ବିଦ୍ୟା ପବ୍ଲିଶିଂ
+++++++++++++++++++++++++++++++++++
ଭାଗ – 1
“ଇତର କାହାଣୀ“
ପିଲାଦିନେ ଦେଠେଇ ଓ ଜେଜେ ମା’ଙ୍କ ଠାରୁ ଅନେକ କାହାଣୀ ଶୁଣିଚି | ବଡ ହେଲାପରେ ଅନେକ କାହାଣୀ ପଢ଼ିଛି |ଖାଲି ମୁଁ କାହିଁକି ମୋ ଭଳି ଅନେକ କାହାଣୀ ଶୁଣିଥିବେ ଓ ପଢ଼ିଥିବେ |ନିରସ ଜୀବନରେ କାହାଣୀ ମାନେ ସରସତା ଭରିଦିଅନ୍ତି, ଆଉ ନୂଆ ଚିନ୍ତା କରିବାର ଖୋରାକ ଯୋଗେଇ ଦିଅନ୍ତି |
ମୁଁ ପଢିଥିବା କାହାଣୀ ସବୁହେଲେ ଦଶ କୁମାର ଚରିତ, ଦଶ କୁମାରୀ ଚରିତ, ଶୁଆ ସାରି, ଅବୋଲକରା କାହାଣୀ ଓ ଆହୁରି ଅନେକ |
ରାମାୟଣ, ମହାଭାରତର ଚରିତ୍ର ମାନଙ୍କୁ ନେଇ ବି ଅନେକ ଉପାଦେୟ କାହାଣୀ ରହିଛି |ଏ ସବୁ ଛଡା ରହିଛି ଅନେକ ଆଧୁନିକ କାହାଣୀ ଯାହା ଆମକୁ ଆନନ୍ଦିତ ଓ ରୋମାଞ୍ଚିତ କରେ |
କାହାଣୀ ସବୁ ସାମାଜିକ, କାଳ୍ପନିକ, ବା ପୌରାଣିକ ହୋଇ ପାରନ୍ତି, ମାତ୍ର ପାଠକ ମାନଙ୍କ ପାଇଁ ସେସବୁ ଆନନ୍ଦଦାୟୀ, ତଥ୍ୟ ପ୍ରଦାନକାରି ଅମୁଲ୍ୟ ଭଣ୍ଡାର କହିଲେ ଅତ୍ୟୁକ୍ତି ହେବନାହିଁ |
ତେବେ କାହାଣୀ ଗୁଡିକ ମଣିଷ ମାନଙ୍କ ଭାବନାକୁ ପ୍ରଭାବିତ କରନ୍ତି,|ଦୁଃଖ, ସୁଖ,ପ୍ରେମ, ବିରହ, ବିଚ୍ଛେଦ,ଭୟ, ମୈଥୁନ ଇତ୍ୟାଦି ଭାବନାରେ ସମୃଦ୍ଧ ଆମ କାହାଣୀମାନେ |
ତେଵେ ପରିଣତ ବୟସର କଳ୍ପନାତିତ ପ୍ରେମ, ବିରହକୁ ନେଇ ରଚିତ କାହାଣୀ ଆମ ସାହିତ୍ୟରେ ସୀମିତ | ସେମିତି କିଛି କାହାଣୀକୁ ନେଇ ରଚିତ ‘ଇତର କାହାଣୀ ‘ସ୍ୱତନ୍ତ୍ର ଓ ଅନନ୍ୟ |
ଇତର ମାନେ ଯାହା ନିଜର ନୁହେଁ |
ବହିର ନାମ କରଣକୁ ଯଥାର୍ଥ କରିବାକୁ ଯାଇ ସଂକଳକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ହୋତା ମୁଖବନ୍ଧରେ ଆଲୋଚନା କରିଛନ୍ତି | ମୁଖ ବନ୍ଧକୁ ଲେଖିଛନ୍ତି ଶ୍ରୀଯୁକ୍ତ ହୋତା ଓ ଉପସଂହାର ଲେଖିଛନ୍ତି ପ୍ରଫେସର ଦେବଦାସ ଛୋଟରାୟ|ସେମାନେ ସୁନିର୍ବାଚିତ କାହାଣୀସବୁ ସଂଗ୍ରହ କରି ଏଥିରେ ସ୍ଥାନିତ କରିଛନ୍ତି |ଏଥିପାଇଁ ବୋଧେ ‘ଇତର କାହାଣୀ ‘ଶୀର୍ଷକଟି ବହି ପାଇଁ ଉପଯୁକ୍ତ ମନେହୁଏ |
- ଇତର କାହାଣୀର ସୃଷ୍ଟି
ଶ୍ରୀଯୁକ୍ତ ପ୍ରସନ୍ନ କୁମାର ହୋତା ମହୋଦୟ ପୁସ୍ତକ ଆରମ୍ଭରେ ଲେଖିଛନ୍ତି, “ମୁଁ ଜଣେ ପାଠକ ମାତ୍ର |ମୋର ସାହିତ୍ୟିକ, ଆଲୋଚକ, ପ୍ରବନ୍ଧିକହେବାର ଆଦୌ ଯୋଗ୍ୟତା ନାହିଁ |ତେବେ ଅନେକ ବର୍ଷ ଧରି ଅନେକ ବିଶିଷ୍ଟ, ଶିଷ୍ଟ, ଅଶିଷ୍ଟ ସାହିତ୍ୟିକ ଓ ସାହିତ୍ୟିକାମାନଙ୍କ ସଙ୍ଗେ ଆଳାପ ତଥା ପ୍ରଳାପ କରି ଦେଖିଛି –ବିଶ୍ୱ ସାହିତ୍ୟ ପଢ଼ା ଅସ୍ପଷ୍ଟ ଓ ଅସମ୍ପୂର୍ଣ୍ଣ | କବିତାରେ ଓଡ଼ିଆ ସାହିତ୍ୟିକ ମାନେ ଯଶସ୍ବୀ |କଥା ସାହିତ୍ୟ ସାଗରରେ କିଛି ଜୁଆର, ବେଶୀ ଭଟ୍ଟା |ଭଲ ଶିକ୍ଷା ଲାଭ କରିଥିବା ଓଡ଼ିଆ ପିଲେ ଏବେ ଓଡ଼ିଆ ଅକ୍ଷର ପଢି ପାରୁନାହାନ୍ତି | ତେଣୁ ସାହିତ୍ୟ ବଜାର ମାନ୍ଦା | କିନ୍ତୁ ଅତ୍ୟନ୍ତ ସୁଖର କଥା ଯେ ଗଳ୍ପ ଲେଖା ଚାଲିଛି |ଗଳ୍ପ ପାଇଁ ସମର୍ପିତ ସାହିତ୍ୟ ପତ୍ରିକାର ପ୍ରକାଶନ ଅବ୍ୟାହତ ରହିଛି | ସର୍ବଶ୍ରୀ ଗୌରହରି ଦାସ, ହରିହର ଶୁକ୍ଳ, ମନୋଜ କୁମାର ମହାପାତ୍ର, ଅକ୍ଷୟ ବେହେରା, ଭୀମ ପୃଷ୍ଟି, ପରେଶ ପଟ୍ଟନାୟକ, ଶ୍ରୀମତୀ ଇତି ସାମନ୍ତ ଗଳ୍ପର ମାନ ବଜାୟ ରଖିବାକୁ ପତ୍ରିକା ମାଧ୍ୟମରେ ସର୍ବଦା ଚେଷ୍ଟିତ | ମୁଁ ଶୁଣି ଆହୁରି ଖୁସି ଯେ କେତେ ଉତ୍ସାହି ସୁଧୀବୃନ୍ଦ କ୍ଷୁଦ୍ର ଗଳ୍ପ ଥିବା ପତ୍ରିକା ପ୍ରକାଶ କରୁଛନ୍ତି |ସବୁ ପାଇ ପାରିନାହିଁ, ତେଣୁ ମୋ ପଢ଼ା ଅସମ୍ପୂର୍ଣ୍ଣ ବୋଲି ଅନେକ ବେଳେ ଭାବେ |
ଏବେ ବାର୍ତ୍ତାଳାପ ବେଳେ ମୁଁ ବିଶିଷ୍ଟ ସାହିତ୍ୟିକ,ବନ୍ଧୁ ବତ୍ସଳ ଓ ବହୁମୁଖୀ ପ୍ରତିଭାଯୁକ୍ତ ଶ୍ରୀଯୁକ୍ତ ଦେବଦାସ ଛୋଟରାୟଙ୍କୁ ମନଭରି ଗାଳିଦେବା ଆରମ୍ଭ କଲି |ଓଡ଼ିଆରେ ଭଲ ଗପ ପଢିବାକୁ ନ ପାଉଥିବାରୁ ତାଙ୍କ ଉପରେ ମୋ ପାଠକୀୟ ମନର କ୍ଷୋଭ ଜାହିର କଲି |କଥାରୁ କଥା ବଢିଲା ଏବଂ ଶେଷରେ ସେ କିଛି ସ୍ନେହ ଓ କିଛି ବିରକ୍ତିର ସହିତ କହିଲେ, ଚାଲ ଦୁହେଁ ମିଶି ଚହଳ ସୃଷ୍ଟି କରିବାକୁ ଚେଷ୍ଟା କରିବା |”
ସତରେ ଶ୍ରୀଯୁକ୍ତ ହୋତା ମହାଶୟଙ୍କର ଓଡ଼ିଆ ଭାଷା ସାହିତ୍ୟ ପ୍ରତି ନିଚ୍ଛକ ଭଲପାଇବା ଏଥିରୁ ସ୍ପଷ୍ଟ ଜଣାଯାଏ | ଆଉ ଶ୍ରୀଯୁକ୍ତ ଦେବଦାସ ଛୋଟରାୟ ଯେଉଁ ଚହଳ ସୃଷ୍ଟି କଥା କହିଲେ ତାହା ହେଉଛି ପୁସ୍ତକ “ଇତର କାହାଣୀ “
ଲେଖକ 1978ରେ ନୋବେଲ ପୁରସ୍କାର ପ୍ରାପ୍ତ ଆଇଜାକ ସିଙ୍ଗରଙ୍କୁ ଉଦ୍ଧୃତ କରିଛନ୍ତି |, “… ମୋର ବିଶ୍ୱାସ ଯେ ସାହିତ୍ୟ, ସଂସ୍କୃତି, ସୀମାହୀନ ଆଶା ଓ ସ୍ବପ୍ନ ରାଇଜର ଉପାଦାନରେ ଗଢ଼ା |ଲେଖକ କେବେହେଲେ ନିଜର ମାତୃଭାଷା ଓ ତାହାର ଶାଶ୍ୱତ ଶବ୍ଦକୋଷକୁ ଛାଡିବା ଠିକ ନୁହେଁ | ସାହିତ୍ୟ ପୁରାତନର ଚର୍ଚ୍ଚା କରିବ,, କେବଳ ଭବିଷ୍ୟତର ଖସଡ଼ା ତିଆରି କରିବ ନାହିଁ | ଗଳ୍ପ ଘଟଣାର ବିଶଦ ବିବରଣୀ ଉପସ୍ଥାପନା କରିବ, କୌଣସି ଦର୍ଶନର ଅଧିକ ବ୍ୟାଖ୍ୟା ଦରକାର ନୁହେଁ |ମଣିଷକୁ ଖୋଜିବା ଗଳ୍ପର ମୁଖ୍ୟ କାମ, ଜନସ୍ରୋତରେ ଭାସିଗଲେ ହେବନାହିଁ | କାହାଣୀ ଏକ କଳାକୃତି –ବୈଜ୍ଞାନିକ ଉପସ୍ଥାପନା ନୁହେଁ |”
ପୁସ୍ତକଟି ପଢିଲା ବେଳେ ଏମିତି କିଛି ବାସ୍ତବ କଥା ମୋତେ ପ୍ରେରଣା ଦେଲା ଏହାର ଏକ ସଂକ୍ଷିପ୍ତ ଆଲୋଚନା କରିବା ପାଇଁ |
ଯଥେଷ୍ଟ ବଡ଼ ଲେଖା ହୁଏତ ପାଠକୀୟ ଆଦୃତି ନ ପାଇ ପାରେ, ସେଥିପାଇଁ ଏହାକୁ ଭାଗ କରି ପ୍ରକାଶ କରିବା ଉଚିତ ମନେ କରୁଛି |
- ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ, ଓଡ଼ିଆ ଜାତୀୟ ସମ୍ମିଳନୀ,|
ଦୂରଭାଷ :9238304919